ଲେଖା: ବିଜୟ ସାହୁ

ବିଶ୍ୱ ଇତିହାସରେ ସଂକଳିତ ସର୍ବକନିଷ୍ଠ ସହୀଦ ବାଜି ରାଉତ ୧୯୩୮ ମସିହା ଅକ୍ଟୋବର ୧୦ ତାରିଖରେ ଢେଙ୍କାନାଳ ଜିଲ୍ଲାର ଭୁବନ ନିକଟସ୍ଥ ନୀଳକଣ୍ଠପୁର ବ୍ରାହ୍ମଣୀ କୂଳ ଘାଟରେ ବ୍ରିଟିଶ ଫଉଜ ଗୁଳିରେ ପ୍ରାଣ ହରାଇଥିଲେ ! ଯାହାଙ୍କ ଚିତା ପାଖରେ ବସି ବିପ୍ଲବୀକବି ସଚି ରାଉତରାୟ ଏହି ସହୀଦକୁ ଲେଖନୀରୁ ଅମର ଅର୍ଘ୍ୟ ଦେଇଥିଲେ:
“ଏ ଶିଖା ଦେଇଛି ଦେଇଛି ଆଜି
ଇତିହାସେ ହାତ ଟେକି ଦାନ
ଶତାବ୍ଦୀର ଶ୍ରେଷ୍ଠ ଫୁଲ
ମୁକୁଳିତ ମୃତ୍ୟୁହୀନ ପ୍ରାଣ ।”

ଢେଙ୍କାନାଳ ରାଜତନ୍ତ୍ରର ଏକ ଦୀର୍ଘ ଇତିହାସ, ପ୍ରାୟ ୫୦୦ ବର୍ଷର । ୧୫୨୯ ମସିହାରେ ଏଠି ଜଣେ ଶବରରାଜା ଥିଲେ । ବୋଧେ ଏହା ଏକ ଆଦିବାସୀ ବହୁଳ ରାଜ୍ୟ (kingdom) ଥିଲା । ପୁରୀ ଗଜପତି ରାଜା ପ୍ରତାପରୁଦ୍ର ଦେଵ ନିଜର ମନ୍ତ୍ରୀ ବା ବେବର୍ତ୍ତାଙ୍କ ସହ ସୈନ୍ୟସାମନ୍ତ ପଠେଇ ଏହି ଶବର ରାଜାଙ୍କୁ ପରାସ୍ତ କରାଇ ବେବର୍ତ୍ତାଙ୍କୁ ରାଜା କରିବା ସହ ଏକ ବଂଶାନୁକ୍ରମିକ ରାଜତ୍ୱ ପ୍ରତିଷ୍ଠା କଲେ ।

୧୯୨୬ରେ ସୁରପ୍ରତାପ ସିଂହଦେଓ ମହେନ୍ଦ୍ର ବାହାଦୂରଙ୍କ ବଡପୁଅ ରାଜା ହେଲେ । କିନ୍ତୁ ସିଏ ଇଂଲଣ୍ଡକୁ ବାରିଷ୍ଟର ପାଠ ପଢିବାକୁ ଚାଲି ଗଲେ, ସାନଭାଇ ପଟ୍ଟାୟତ ନୃସିଂହପ୍ରତାପ ସିଂହଦେଓ ଶାସନ କଲେ । ଏହି ସମୟ ଥିଲା ଅତ୍ୟନ୍ତ କଳଙ୍କିତ ଅତ୍ୟାଚାରୀର ଶାସନ ।

ସେ ଏହି ସମୟରେ ନିଜର ରାଜକୀୟ ଜୀବନ ପାଇଁ ୧୦୦ କୋଠରୀ ବିଶିଷ୍ଟ ରାଜପ୍ରାସାଦ ନିର୍ମାଣ କଲେ । ଏହି ନିର୍ମାଣ ଏଭଳି ଜବରଦସ୍ତି ପ୍ରଜାବେଠି ଓ ହାତୀଶ୍ରମ ବ୍ୟବହାର କରାଯାଇ ଥିଲା ଯାହାକି ପ୍ରଜା ମନରେ ଅସନ୍ତୋଷର ବୀଜ ବୁଣି ଦେଇଥିଲା ଓ ହାତୀ ଆଖିରୁ ବି ଲୁହ ଝରିଥିଲା । ଏଣୁ ଏହା ଯାତନାନଅର ଭାବେ କୁଖ୍ୟାତି ଅର୍ଜନ କରିଥିଲା । ତଥାପି ପ୍ରଜା ଭାବିଥିଲେ ପ୍ରକୃତ ରାଜା ଇଂଲଣ୍ଡରୁ ଫେରିଲେ ସୁଫଳ ମିଳିବ ।

କିନ୍ତୁ ରାଜା ଶଙ୍କରପ୍ରତାପ ଯେତେବେଳେ ଇଂଲଣ୍ଡରୁ ଫେରି ଶାସନଭାର ନିଜ ହାତକୁ ନେଲେ, ତାଙ୍କର ଅତ୍ୟାଚାର ଆହୁରି ବେଶି ହେଲା । ଏହାର ପ୍ରତିଫଳନରେ ପ୍ରଜା ଅସନ୍ତୋଷ ଉଗ୍ରରୂପ ନେଲା । ହରମୋହନ ପଟନାୟକଙ୍କ ଅଧ୍ୟକ୍ଷତାରେ ଢେଙ୍କାନାଳ ପ୍ରଜାମଣ୍ଡଳ ଗଠିତ ହେଲା । ଏହି ପ୍ରଜାମଣ୍ଡଳର ବାର୍ତ୍ତା ହିନ୍ଦୋଳ ପ୍ରଜାମଣ୍ଡଳ ଗଠନ କରିବାକୁ ପ୍ରେରଣା ଦେଲା । ଏହି ପ୍ରଜାମେଳିକୁ ଦମନ କରିବା ପାଇଁ ଶହ ଶହ ସଂଖ୍ୟରେ ଗିରଫ, ଜେଲଦଣ୍ଡ ବି ଦିଆଗଲା । ଏହି କ୍ରମରେ ଯେତେବେଳେ ପ୍ରଜାମଣ୍ଡଳର ସଭାପତିଙ୍କୁ ରାଜା ଗିରଫ କଲେ ହଜାର ହଜାର ପ୍ରଜା ରାଜପ୍ରାସାଦ ଘେରାଉ କଲେ, ଯେମିତି ଫରାସୀ ବିପ୍ଲଵବେଳେ ଜନତା ବାଷ୍ଟାଇଲ ଘେରିଥିଲେ । ରାଜା ଆତଙ୍କିତ ହେଇ ଅଧ୍ୟକ୍ଷଙ୍କୁ ଗିରଫ କଲେ ।

ଏହି ପ୍ରଜା ଆନ୍ଦୋଳନ କାଳେ ନିୟନ୍ତ୍ରଣ ବହାରକୁ ଚାଲିଯିବ, ସେଥିପାଇଁ ବ୍ରିଟିଶ ସରକାର ଫଉଜ ପଠେଇଲେ । ସେତେବେଳେ ସମଗ୍ର ଢେଙ୍କାନାଳ ରାଜ୍ୟର କୋଣ ଅନୁକୋଣରେ ପ୍ରଜାଏ ବିଦ୍ରୋହର ଅଗ୍ନିରେ ଝାସ ଦେଲେଣି । ଏହାର ପ୍ରଭାବ ଶିଶୁ ବାଜିକୁ ବି ପ୍ରଭାବିତ କରିଥିଲା ।

ଅକ୍ଟୋବର ୧୦ ତାରିଖ ରାତିରେ ଯେତେବେଳେ ଇଂରେଜ ଫୌଜ ଭୁବନରେ ଦୁଇଜଣ ପ୍ରଜାଙ୍କୁ ଗୁଳିକରି ନୀଳକଣ୍ଠପୁର ଘାଟକୁ ଆସିଥିଲେ ନଈ ପାର ହେବା ପାଇଁ, ସେତେବେଳେ ଘାଟ ଜଗିଥିବା ବାଜି ରୋକଠୋକ ଜବାବ ଦେଇଥିଲା ଯେ ପ୍ରଜାମଣ୍ଡଳର ନିର୍ଦେଶ ନାହିଁ । ଫଉଜମାନେ ଯେତେବେଳେ ଜବରଦସ୍ତି କରିବାକୁ ଗୁଳିକଲେ ସେତେବେଳକୁ ଗ୍ରାମବାସୀ ବହୁସଂଖ୍ୟାରେ ପହଁଚିଗଲେ ।


ପୋଲିସର ଗୁଳିରେ ବାଜି, ହୁରୁଷି ପ୍ରଧାନ, ରଘୁ ନାୟକ, ଗୁରି ନାୟକ, ନଟ ମଳିକ, ଲଖଣ ମଳିକ ଟଳି ପଡିଲେ । ୧୨ ତାରିଖ ଦିନ ସେଇ ଛ’ ସହୀଦଙ୍କୁ ସଂଗ୍ରାମୀବୀର ବୈଷ୍ଣବ ପଟନାୟକ, ରବି ଘୋଷ, ଓ ଜେନାପୁରର ବଳଦେଵ ଲାଲା ପ୍ରଭୃତି ଏକ ମାଲଗାଡି ଡବାରେ କଟକ ଆଣିଥିଲେ । ପୋଷ୍ଟମର୍ଟମ ପରେ ଛ’ଟି ଶଗଡ଼ରେ ଏହି ସହୀଦମାନଙ୍କୁ ଲକ୍ଷାଧିକ ଲୋକଙ୍କ ଶୋଭାଯାତ୍ରରେ ସଚି ରାଉତରାୟ, ବୈଷ୍ଣବ ପଟନାୟକ, ଗୋବିନ୍ଦ ମହାନ୍ତି, ଅନନ୍ତ ପଟ୍ଟନାୟକ, ରବିଘୋଷ, ମୋତିଲାଲ ଘୋଷ, ବିଶ୍ୱନାଥ ପଶାୟତ ଶଗଡ଼ରେ ଖାନନଗର ମଶାଣିକୁ ନେଇଥିଲେ ଯେଉଁଠି ସେମାନଙ୍କୁ ବିପ୍ଲବୀ ସମ୍ମାନ ସହ ସତ୍କାର କରା ଯାଇଥିଲା ।

ସହୀଦ ବାଜି ରାଉତ, ଶତାବ୍ଦୀର ଏହି ଶେଷ୍ଠ ମୁକୁଳିତ ଫୁଲକୁ ଶ୍ରଦ୍ଧାଞ୍ଜଳି ଦେବାକୁ ଯାଇ ସଚି ରାଉତରାୟ ତାଙ୍କର ଖଣ୍ଡକାବ୍ୟ “ବାଜି ରାଉତ”ରେ ଲେଖିଥିଲେ –
“ନୁହେଁ ବନ୍ଧୁ ନୁହେଁ ଏହା ଚିତା
ଏ ଦେଶର ତିମିର ତଳେ ଏ ଅଲିଭା
ମୁକତି ସଲିତା ।”

ଢେଙ୍କାନାଳର ଏହି ପ୍ରଜା ଆନ୍ଦୋଳନ ସମଗ୍ର ଭାରତ ବର୍ଷର ଗଡ଼ଜାତ ମୂଳକରେ ଆନ୍ଦୋଳନର ଦୁନ୍ଦୁଭି ବଜାଇ ଥିଲା

#ଭାରତବର୍ଷର #କନିଷ୍ଠତମ #ବୀରସନ୍ତାନ

#ବାଜି

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago