ସୃଷ୍ଟିସମଗ୍ର

ଅତିବଡ଼ି ଜଗନ୍ନାଥ ଦାସ କୃତ ଓଡ଼ିଆ ଭାଗବତ: ଏକ ଦୃଷ୍ଠିପାତ (ଭାଗ ୭)

ଲେଖା: ଇଂ ବିଜୟ କେତନ ସାହୁ

“ଯେତେ କହିଲେ ଭାଗବତ
ତୋଷ ନୋହିଲା ମୋର ଚିତ୍ତ”

ପରମ ଶାସ୍ତ୍ର ଏଇ ଭାଗବତ, କଳିତଲଳିତ ନବାକ୍ଷରୀ ଛନ୍ଦରେ ଲିପିବଦ୍ଧ କାନ୍ତକୋମଳ ପଦାବଳୀ । ପ୍ରେମଭକ୍ତି ମାଧୂରୀ ମଣ୍ଡିତ ସ୍ଵକୀୟ ରଚିତ ଏଇ ପରମଗ୍ରନ୍ଥକୁ ପ୍ରଭୁ ଶ୍ରୀକୃଷ୍ଣଙ୍କ ଶ୍ରୀଚରଣାରବିନ୍ଦରେ ସମର୍ପଣ କରିଥିଲେ ଅତିବଡ଼ି ଜଗନ୍ନାଥ ଦାସ । ଓଡ଼ିଆ ଭାଗବତ ଥିଲା ମୂଳ ସଂସ୍କୃତ ଭାଗବତର ଭାବାନୁବାଦ। ତେବେ, ଏଠାରେ ଦେଖିବାର କଥା, ମୂଳ ସଂସ୍କୃତ ଭାଗବତରେ ସର୍ବମୋଟ ଦ୍ୱାଦଶଟି ସ୍କନ୍ଦ ରହିଛି।  ଅତିବଡ଼ି ଜଗନ୍ନାଥ ଦାସ ସ୍ୱହସ୍ତରେ ଏହାର ଏକାଦଶ ସ୍କନ୍ଦ ଯାଏଁ ଭାବାନୁବାଦ କରିଥିଲେ। ଓଡ଼ିଆ ଭାଗବତର ଦ୍ୱାଦଶ ସ୍କନ୍ଦ ରଚନା କରିଥିଲେ ଷୋଢ଼ଶ ଶତାବ୍ଦୀର ଅନ୍ୟତମ କବି ମହାଦେବ ଦାସ,ଏବଂ ଦ୍ୱାଦଶ ସ୍କନ୍ଦର ପ୍ରତିଟି ଅଧ୍ୟାୟ ଶେଷରେ ସେ ଏହାକୁ ଜଗନ୍ନାଥ ଦାସଙ୍କ ନାମରେ ଭଣତି କରିଥିଲେ। ଭାଗବତର ଏକାଦଶ ସ୍କନ୍ଦର ଶେଷ ଅଧ୍ୟାୟରେ ପ୍ରଭୁ ଶ୍ରୀକୃଷ୍ଣଚନ୍ଦ୍ରଙ୍କ ଅଶ୍ରୁଳ ଇହଲୀଳା ସମ୍ବରଣ ବିଷୟବସ୍ତୁ ବର୍ଣ୍ଣିତ। ପ୍ରଭୁ ଶ୍ରୀକୃଷ୍ଣ ତାଙ୍କରି ପବିତ୍ର ଅବତାର-ଲୀଳା ସମାପ୍ତ କରି ପରମଧାମ  ନିତ୍ୟଗୋଲାକକୁ ପ୍ରବିଷ୍ଠ କରିଥିଲେ।

ଶ୍ରୀକୃଷ୍ଣଙ୍କ ଇହଲୀଳା ସମ୍ବରଣ ଦୁଃଖରେ ମ୍ରିୟମାଣ ହୋଇ ଜଗନ୍ନାଥ ଦାସ ସମ୍ଭବତଃ ଭାଗବତର ପରବର୍ତ୍ତୀ ଦ୍ୱାଦଶ ସ୍କନ୍ଦ ରଚନା କରିବାକୁ ଇଛା ପ୍ରକାଶ କରିନାହାନ୍ତି।

ମହାଦେବ ଦାସ ଭାଗବତର ଦ୍ୱାଦଶ ସ୍କନ୍ଦରେ ସ୍ପଷ୍ଠ ଉଲ୍ଲେଖ କରିଛନ୍ତି ଯେ:-
“କୃଷ୍ଣ ସହିତେ ଜଗନ୍ନାଥ।
ଚଲିଲେ ଗୋଲକ ଯେ ପଥ।।
ନାମ ମୋହର ମହାଦେବ।
ବିପ୍ର କୂଳରେ ମୁଁ ସମ୍ଭଵ।।
ଏହା ମୁଁ କରଇ ବିଚାର।
ପୁରାଣ ଅଷ୍ଟାଦଶ ସାର।।
ଦ୍ୱାଦଶ ଅଧ୍ୟା ତ୍ରୟୋଦଶ।
ଯେମନ୍ତ ହୋଇବ ପ୍ରକାଶ।।”…..

ଉପରୋକ୍ତ ପଦାବଳୀ ଅନୂସାରେ କବି ମହାଦେବ ଦାସଙ୍କ ଦ୍ୱାରା ଭାଗବତର ଦ୍ୱାଦଶ ସ୍କନ୍ଦ ରଚନା ବେଳକୁ ଅତିବଡ଼ି ଜଗନ୍ନାଥ ଦାସ ପାର୍ଥିବ ଶରୀରରେ ଏଇ ଭବସଂସାରରେ ନଥିଲେ। ଏକାଦଶ ସ୍କନ୍ଦ ରଚନା କରିବା ସମୟରେ ଜଗନ୍ନାଥ ଏତେ ଭାବବିହ୍ଵଳ ହୋଇ ପଡ଼ିଥିଲେ ଯେ, ଶ୍ରୀକୃଷ୍ଣଙ୍କ ଇହଲୀଳା ସମ୍ବରଣର ଦୁଃଖରେ ମ୍ରିୟମାଣ ହୋଇ ସେ ଦେହତ୍ୟାଗ କରିଥିଲେ। ସୁତରାଂ ଦ୍ୱାଦଶ ସ୍କନ୍ଦର ଭାବାନୁବାଦ କରିବା ତାଙ୍କ ପକ୍ଷରେ ଆଉ ସମ୍ଭବ ହୋଇନଥିଲା। ପ୍ରଭୁଙ୍କ ବିନା ଆଉ ଭକ୍ତର କି ପ୍ରୟୋଜନ? ପ୍ରଭୁଙ୍କ ସୁଖ ହିଁ ଭକ୍ତର ସୁଖ, ପ୍ରଭୁଙ୍କ ଦୁଃଖ ହିଁ ଭକ୍ତର ଦୁଃଖ। ଏହାହିଁ ଥିଲା ଜଗନ୍ନାଥ ଦାସଙ୍କ ବିଭୂ-ସମର୍ପିତ ନିର୍ମଳ ହୃଦୟର  ପରିଚୟ। ଏକାଦଶ ସ୍କନ୍ଦରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ମହାପ୍ରୟାଣରେ ମ୍ରିୟମାଣ ହୋଇ ଦୁଃଖ-ଲୋତକପୂର୍ଣ୍ଣ ନୟନରେ ଅତିବଡ଼ି ଲେଖଛନ୍ତି:-
“କହଇ ଦାସ ଜଗନ୍ନାଥ।
ଆଜଠୁ ହୋଇଲା ଅନାଥ।।”

ତେବେ ଏଠାରେ ଏହା ଏକ ଐତିହାସିକ ଗବେଷଣାର ବିଷୟବସ୍ତୁ ଯେ ଜଗନ୍ନାଥ ଦାସ ମାତ୍ର ଅଠର ବର୍ଷ ବୟସରେ ଭାଗବତର ଦଶମ ସ୍କନ୍ଦ ରଚନା କରିଥିଲେ ଏବଂ ଉକ୍ତ ସମୟରେ ଶ୍ରୀଚୈତନ୍ୟ ପବିତ୍ର ପୁରୁଷୋତ୍ତମଧାମ (ପୁରୀ)ରେ ନିୟମିତ ଅବସ୍ଥାନ କରିଥିଲେ। ଶ୍ରୀଚୈତନ୍ୟ ଚବିଶ ବର୍ଷ ପବିତ୍ର  ପୁରୀଧାମରେ ରହିଥିଲେ। ତେବେ ତାଙ୍କର ରହଣୀର ପ୍ରଥମ ଛଅ ବର୍ଷ ନୀଳାଚଳଠାରୁ ଦକ୍ଷିଣଭାରତ ଓ ଉତ୍ତରଭାରତ ପରିଭ୍ରମଣରେ କଟିଥିଲା ଏବଂ ନୀଳାଚଳରେ ସ୍ଥାୟୀ ଭାବରେ ସେ ଶେଷ ଅଠର ବର୍ଷ ରହିଥିଲେ । ଶ୍ରୀଚୈତନ୍ୟଙ୍କ ଶ୍ରୀକ୍ଷେତ୍ରରେ ସ୍ଥାୟୀ ଅବସ୍ଥାନ ସମୟରେ ତାଙ୍କ ସହିତ ଜଗନ୍ନାଥ ଦାସଙ୍କ ସାକ୍ଷାତକାର ହୋଇଥିଲା। ସେହି ସମୟରେ ହିଁ ଦଶମ ସ୍କନ୍ଦରେ ବର୍ଣ୍ଣିତ ଶ୍ରୀକୃଷ୍ଣ ଗୋପଲୀଳା ଶ୍ରବଣ କରି ଭାବାବେଶରେ ଶ୍ରୀଚୈତନ୍ୟ ଜଗନ୍ନାଥଙ୍କୁ ଅତିବଡ଼ି ଉପାଧିରେ ବିଭୂଷିତ କରିଥିଲେ। କବି ମହାଦେବ ଦାସଙ୍କ ବର୍ଣ୍ଣନା ଅନୂଯାୟୀ ଜଗନ୍ନାଥ ଦାସ ଏକାଦଶ ସ୍କନ୍ଦ ରଚନା ପରେ ଦେହତ୍ୟାଗ କରିଥିଲେ। ତେବେ, ଏହା ଏକ ଐତିହାସିକ ସତ୍ୟ ଯେ, ଶ୍ରୀଚୈତନ୍ୟଙ୍କ ମହାପ୍ରୟାଣର କିଛି ବର୍ଷ ପରେ ଜଗନ୍ନାଥ ଦାସ ଇହଧାମ ତ୍ୟାଗ କରିଥିଲେ। ।

ଯଦି ସମସ୍ତ ଐତିହାସିକ ଘଟଣାବଳୀକୁ ବିଚାରକୁ ନିଆଯାଏ ତେବେ,ଏହା ନିର୍ଣ୍ଣୟ କରାଯାଇ ପାରେ ଯେ, ଜଗନ୍ନାଥ ଦାସ ଦଶମ ସ୍କନ୍ଦ ରଚନାର ଅଠର ବର୍ଷ ପରେ ଏକାଦଶ ସ୍କନ୍ଦ ରଚନା କରିଥିଲେ କିମ୍ବା ତାଙ୍କୁ କେବଳ ଏକାଦଶ ସ୍କନ୍ଦ ରଚନା କରିବାକୁ ଅଠର ବର୍ଷରୁ ଅଧିକା ସମୟ ଲାଗିଗଲା?? ସମ୍ଭବତଃ ଏହା ହୋଇପାରେ ଯେ, ଶ୍ରୀଚୈତନ୍ୟଙ୍କ ଶ୍ରୀକ୍ଷେତ୍ର ବସତିର ପ୍ରାରମ୍ଭିକ ସମୟରେ ଜଗନ୍ନାଥ ଦାସ ଭାଗବତର ଦଶମ ସ୍କନ୍ଦ ରଚନା ପରିସମାପ୍ତି କରିଛନ୍ତି। ପରବର୍ତ୍ତୀ କାଳରେ ହୁଏତ ଶ୍ରୀଚୈତନ୍ୟଙ୍କ ସାଙ୍ଗରେ ସଂକୀର୍ତ୍ତନ ଓ ବୈଷ୍ଣଵ ଧର୍ମ ପ୍ରଚାର ଓ ପ୍ରସାରରେ ବ୍ୟସ୍ତ ରହିଛନ୍ତି। ତେଣୁ ଭାଗବତ ଏକାଦଶ ସ୍କନ୍ଦ ପରିସମାପ୍ତି କରିବାକୁ ଏତେ ସମୟ ଲାଗିଛି।  ପୁନଶ୍ଚ ଯାହା ଅନୁମାନ କରାଯାଇପାରେ, ତତ୍କାଳୀନ ଓଡ଼ିଶାର ରାଜନୈତିକ କାରଣ ଵି ଦାୟୀ ରହିଥିବ ଅତିବଡ଼ିଙ୍କ ଏକାଦଶ ସ୍କନ୍ଦର ରଚନାର ବିଳମ୍ବତାକୁ ନେଇ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଉକ୍ତ ସମୟରେ ବିଜୟନଗର ସାମ୍ରାଜ୍ୟର ରାଜା କୃଷ୍ଣଦେବ ରାୟ କଳିଙ୍ଗ (ଓଡିଶା) ଆକ୍ରମଣ କରିଥିଲେ। ଏଇ ଯୁଦ୍ଧରେ ଜଳିଙ୍ଗ ସମ୍ରାଟ ପ୍ରତାପରୁଦ୍ର ପରାସ୍ତ ହୋଇଥିଲେ ଏବଂ ରାଜମହେନ୍ଦ୍ରିର ଦକ୍ଷୀଣ ସୀମାନ୍ତ ଗୋଦାବରୀରୁ କାବେରୀ ନଦୀ ପର୍ଯ୍ୟନ୍ତ ବିରାଟ କଳିଙ୍ଗ ଭୂଖଣ୍ଡ ଅଂଶବିଶେଷକୁ କୃଷ୍ଣଦେବ ରାୟ ଅଧିକୃତ କରି ବିଜୟନଗର ରାଜ୍ୟରେ ଅନ୍ତର୍ଭୁକ୍ତ କରିଥିଲେ। ବିଶାଳ କଳିଙ୍ଗ ସାମ୍ରାଜ୍ୟର ଆକାଶରେ ଘନେଇ ଆସୁଥିଲା ରାଜନୈତିକ ପତନର କଳା ବାଦଲ। ଉକ୍ତ ସମୟରେ ଯୁଦ୍ଧର ଏତାଦୃଶ କ୍ଷୟକ୍ଷତି ସମଗ୍ର ଓଡିଶାର ଅର୍ଥନୈତିକ ଅବସ୍ଥାକୁ ଦୋହଲାଇ ଦେଇଥିଲା, ଏବଂ ତାହାହିଁ ଥିଲା  ଓଡ଼ିଶାର ଅର୍ଥନୈତିକ ଓ ସାମରିକ ଅବନତିର ପ୍ରଥମ ପଦଧ୍ୱନି

ଗୌଡ଼ (ଆଧୂନିକ ପଶ୍ଚିମବଙ୍ଗ ଓ ବଙ୍ଗଳାଦେଶ), ଆନ୍ଧ୍ର (ଆଧୂନିକ ଆନ୍ଧ୍ରପ୍ରଦେଶ), କଳବର୍ଗ (ଆଧୂନିକ ତେଲେଙ୍ଗାନା), କର୍ଣ୍ଣାଟ (ଆଧୁନିକ କର୍ଣ୍ଣାଟକ) ତାମିଲନାଡୁ (ଆଧୁନିକ ତାମିଲନାଡୁର ଅଧିକାଂଶ ଭୌଗଳିକ ଅଂଶ ବିଶେଷ) ଆଦି ରାଜ୍ୟକୁ ନିଜ ସାମର୍ଥ୍ୟରେ କରାୟତ୍ତ କରି ମହାନ ଦିଗବିଜୟୀ ପ୍ରବଳ ପରାକ୍ରମୀ ସମ୍ରାଟ କପିଳେନ୍ଦ୍ରଦେବ ବିଶାଳ କଳିଙ୍ଗ ସାମ୍ରାଜ୍ୟକୁ ଦିନେ ଓଡିଶା ନାମରେ ନାମିତ କରିଥିଲେ। ଓଡ଼ିଆ ପାଇକବୀରଙ୍କ ଅପ୍ରମିତ ପରାକ୍ରମ ଓ ଓଡ଼ିଆ ସମ୍ରାଟ କପିଳେନ୍ଦ୍ର ଦେବଙ୍କ ବୀରତ୍ବର ଜୟଗାନରେ ବଙ୍ଗଠାରୁ କର୍ଣ୍ଣାଟକ ପର୍ଯ୍ୟନ୍ତ ଗଗନ ପବନ ପ୍ରକମ୍ପିତ ଥିଲା। କଳିଙ୍ଗ ସାମ୍ରାଜ୍ୟର ବିଜୟଯାତ୍ରା ଅବ୍ୟାହତ ଥିଲା କପିଳେନ୍ଦ୍ରଦେବ ଓ ତାଙ୍କ ପୁତ୍ର ପୁରୁଷୋତ୍ତମଦେବଙ୍କ ପର୍ଯ୍ୟନ୍ତ। କିନ୍ତୁ ଦୁର୍ଭାଗ୍ୟର କଥା, କପିଳେନ୍ଦ୍ରଦେବଙ୍କ ନିଜ ନାତି ପ୍ରତାପରୁଦ୍ରଙ୍କ ରାଜୁତି ସମୟରୁ ହିଁ ଇତିହାସ କଡ ଲେଉଟେଇବା ଆରମ୍ଭ କଲା। ସୁଜଳା, ସୁଫଳା, ଶଶ୍ୟ-ଶ୍ୟାମଳା ସମନ୍ବିତ ସୁବର୍ଣ୍ଣ ଓଡିଶା ସାମ୍ରାଜ୍ୟ କ୍ରମଶଃ ଦରିଦ୍ରତା ଓ ପରାଧୀନତାର ଶୀକାର ହେବାକୁ ଯାଉଥିଲା। ଅର୍ଥନୈତିକ ସଙ୍କଟର ଫଳସ୍ୱରୂପ ଉକ୍ତ ସମୟରେ ଅନେକ ମଠ, ମନ୍ଦିର ଉପଯୁକ୍ତ ପ୍ରୋତ୍ସାହନ ପାଇପାରି ନଥିଲା। ହୁଏତ ପ୍ରୋତ୍ସାହନ ଅଭାବରୁ ଅତିବଡ଼ିଙ୍କ ଭାଗବତର ଏକାଦଶ ସ୍କନ୍ଦ ରଚନା ଅନେକ ବିଳମ୍ବ ହୋଇଥାଇପାରେ। ତେବେ, ଏଇ ସବୁ କାରଣ ଏଇ ଲେଖକର ନିଜସ୍ୱ ବ୍ୟକ୍ତିଗତ ଅନୁମିତ ଉକ୍ତି। ଏ ଦିଗରେ ଏକ ସବିଶେଷ ଐତିହାସିକ ଗବେଷଣାର ଆବଶ୍ୟକତା ରହିଛି।

କେବଳ ଯେ, ଏକାଦଶ ସ୍କନ୍ଦରେ ବର୍ଣ୍ଣିତ ଶ୍ରୀକୃଷ୍ଣଙ୍କ ଇହଲୀଳା ସମ୍ବରଣର ବିରହ ବ୍ୟଥାରେ ଯେ ଜଗନ୍ନାଥ ଦାସ ଜର୍ଜରିତ ଥିଲେ ତାହା ନୁହେଁ ପରବର୍ତ୍ତୀ ଅବସ୍ଥାରେ ଶ୍ରୀଚୈତନ୍ୟଙ୍କ ମହାପ୍ରୟାଣରେ ଜଗନ୍ନାଥ ଦାସ ଅତୀବ ଦୁଃଖଶୋକରେ ମ୍ରିୟମାଣ ହୋଇ ପଡ଼ିଥିଲେ। ଅବଶିଷ୍ଟ ଜୀବନ ସେ ବଡଓଡ଼ିଆ ମଠର କୋଳାହଳଠାରୁ ଦୂରରେ ରହି ନିର୍ଜନ ସମୁଦ୍ରକୂଳର ସାତଲହଡ଼ି ମଠରେ ଏକାନ୍ତ ବାସ କରି ନିରବ ସାଧନାରେ ମଗ୍ନ ରହୁଥିଲେ। ଏହି ସାତଲହଡ଼ି ମଠରେ ଶ୍ରୀମନ୍ଦିରର ନୀଳଚକ୍ରକୁ ଲୟକରି ଧ୍ୟାନସ୍ଥ ହୋଇ ଇଚ୍ଛାମୃତ୍ୟୁ ବରଣ କରିଥିଲେ ଅତିବଡ଼ି। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀଚରଣ କମଳରେ ବିଲୀନ ହୋଇଯାଇଥିଲେ ଓଡ଼ିଆ ଜାତିର ସନ୍ଥ ଶିରୋମଣି ତଥା ମହାଭକ୍ତ ଜଗନ୍ନାଥ ଦାସ।

ଯେପରି ଓଡ଼ିଆ ଭାଗବତର ଦ୍ୱାଦଶ ସ୍କନ୍ଦ ମହାଦେବ ଦାସଙ୍କ ଦ୍ୱାରା ରଚିତ ହୋଇ ଅତିବଡ଼ି ଜଗନ୍ନାଥଙ୍କୁ ଭଣିତା ହୋଇଛି, ସେହିପରି ଓଡ଼ିଆ ଭାଗବତରେ ତ୍ରୟୋଦଶ ସ୍କନ୍ଦ ଯାହା ଦୃଷ୍ଠିଗୋଚର ହୁଏ, ତାହାକୁ ରଚନା କରିଥିଲେ କବି ଦ୍ୱାରୀକା ଦାସ। ସେ ମଧ୍ୟ ଏହାକୁ ଅତିବଡ଼ି ଜଗନ୍ନାଥ ଦାସଙ୍କ ନାମରେ ଭଣତି କରିଛନ୍ତି। ଏଥିରେ କଳିଯୁଗର ଆଗମନ, ରାଜୁତି ଓ କଳିଯୁଗର ଲକ୍ଷଣ ଓ ଗୁଣ ବିଷୟରେ ବର୍ଣ୍ଣନା ରହିଛି। ତେବେ, ମୂଳ ସଂସ୍କୃତ ଭାଗବତରେ ତ୍ରୟୋଦଶ ସ୍କନ୍ଦ ନାହିଁ।

Spread the love
admin

Recent Posts

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ

~ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ ~ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ…

6 days ago

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ ଉପସ୍ଥାପନା: ଶାନ୍ତନୁ କୁମାର ସାହୁ ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟ କେବଳ ଦେଶପ୍ରେମର କବିତାଗୁଛ କିମ୍ବା…

1 week ago

ସୀତାବିଞ୍ଜ

ସୀତାବିଞ୍ଜ ଉପସ୍ଥାପନା: ଘନଶ୍ୟାମ ପଲେଇ କେନ୍ଦୁଝର ଜିଲ୍ଲାର ଘନ ଅରଣ୍ୟର ବକ୍ଷରେ ଅବସ୍ଥିତ #ସୀତାବିଞ୍ଜ ଓଡ଼ିଶାର ଅନ୍ୟତମ ପ୍ରାଚୀନ ପ୍ରତ୍ନତାତ୍ତ୍ୱିକ କ୍ଷେତ୍ର।…

1 week ago

ନବକୃଷ୍ଣ ଚୌଧୁରୀ

ଲୋକସେବକ ନବକୃଷ୍ଣ ଚୌଧୁରୀ  ଉପସ୍ଥାପନା: ବିଜୟ ସାହୁ 1956 ମସିହା । ସେଦିନ ସନ୍ଧ୍ୟାରେ ନବକୃଷ୍ଣ ଚୌଧୁରୀ ରେଭେନ୍ସାର ପୂର୍ବ…

1 week ago

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ ଉପସ୍ଥାପନା: ଶ୍ରୀ ପ୍ରଶାନ୍ତ କୁମାର ଦାସ ଲୋକକଥା ଏବଂ କିମ୍ବଦନ୍ତୀ ଅନୁସାରେ…

2 weeks ago

Ananta Purushottam Deba Mandira

Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…

3 weeks ago