ଲେଖା ଦେଵ ତ୍ରିପାଠୀ
୧୮୮୪ ମସିହା, ଅଗଷ୍ଟ ୫, ସାକ୍ଷୀଗୋପାଳ ନିକଟସ୍ଥ ଶ୍ରୀରାମଚନ୍ଦ୍ରପୁର ଶାସନ ।
ଆନନ୍ଦ ଦାଶ ଓ ହାରାଦେବୀଙ୍କ କୋଳମଣ୍ଡନ କଲା ପୁତ୍ରସନ୍ତାନଟିଏ। ସାତଟି କନ୍ୟା ସନ୍ତାନର ଜନକଜନନୀ ବାଲିଆର ନୀଳକଣ୍ଠେଶ୍ଵର ମହାଦେବଙ୍କ ପାଖରେ ଅଧିଆ ପଡି ସନ୍ତାନଟିଏ ପାଇଥିବାରୁ ପୁଅର ନାଁ ସରାଗରେ ଦେଲେ ନୀଳକଣ୍ଠ । କିନ୍ତୁ ଦାଶ ଦମ୍ପତି କି ଜାଣିଥିଲେ ସେ ପିଲା ଦିନେ ନିଜ ନାମକୁ ସାର୍ଥକ କରି ‘ନୀଳକଣ୍ଠ‘ ବନିଯିବ — ସମାଜର କଳୁଷପଙ୍କର ବିଷକୁ ପିଇ ପିଇ ! ସମାଜର ତାଡନା ସହି ସହି !
ସମାଜର ଚିରାଚରିତ ଧାରାର ବିପରୀତ ଦିଗରେ, ଆବିଳତାବିହୀନ ସଭ୍ୟସମାଜ ଗଠନର ଲକ୍ଷ୍ୟରେ, ଲହୁଲୁହାଣ ହୋଇ କେତେ ନ ଧାଇଁଛି ସେ ! କେତେ କଷ୍ଟ ନ ସହିଛି ସେ । ସେ ଆଣିଛି ସମାଜରେ ନବ-ଉନ୍ମେଷ ! ସେ ପୁଣି ବନିଲା ଲେଖକ, ବାଗ୍ମୀ । ତା’ ଲେଖାରେ ତା’ ଓଜସ୍ୱିନୀ ବକ୍ତୃତାରେ ଥିଲା ଅଗ୍ନିସ୍ଫୁଲିଙ୍ଗ, ତା’ ବାଣୀ ଯୁବମାନସକୁ କଲା ବହୁଧା ଆଲୋଡ଼ିତ, ତା’ ବାର୍ତ୍ତା ଆଣିଥଲା ଅହେତୁକ ସାମାଜିକ ପରିବର୍ତ୍ତନ !
ତା’ ପାଣ୍ଡିତ୍ୟ ଓ ବାଗ୍ମୀତା କେବଳ ରାଜ୍ୟ ନୁହେଁ ବରଂ ଦେଶର ବିଭିନ୍ନ ପ୍ରାନ୍ତର ଯୁବକମାନଙ୍କୁ ପ୍ରବର୍ତ୍ତାଇଲା ସାମାଜିକ ଅବ୍ୟବସ୍ଥା ଓ କୁସଂସ୍କାର ବିରୁଦ୍ଧରେ ଲଢିବା ପାଇଁ, ଓଡ଼ିଶା ବାହାରେ ସେ ମଧ୍ୟ ଗଢିପାରିଲା ଅଗଣିତ ଅନୁଗାମୀ ସମାଜ ସଂସ୍କାରକ I ସେ ପୁଣି ବନିଗଲା ଭାରତୀୟ ସଭ୍ୟତା, ସଂସ୍କୃତି ଓ ଶିକ୍ଷାର ଦୃଢ ପ୍ରବକ୍ତା ।
ନିଜର ଅସାଧାରଣ ଜ୍ଞାନ, ପ୍ରଜ୍ଞା, ଧୀଶକ୍ତିରେ ଶାଣିତ କଲା ଏ ଜାତିକୁ, ପ୍ରଗତିର ପଥ ଦେଖାଇଲା ଏ ମାଟିକୁ । ନୀଳକଣ୍ଠରୁ ସେ ବନିଗଲା ତ୍ୟାଗ, ତିତୀକ୍ଷା, ସେବା ଓ ସାଧନାର ମୂର୍ତ୍ତିମନ୍ତ ପ୍ରତୀକ ତଥା ବକୁଳବନର ଅନ୍ୟତମ ସନ୍ଥ ପଦ୍ମଭୂଷଣ ପଣ୍ଡିତ ଡଃ ନୀଳକଣ୍ଠ ଦାସ ।
ମହାଭାରତର ମହାଯୋଦ୍ଧା ଅର୍ଜୁନ ଉଭୟ ବାମ ଓ ଡାହାଣ ହସ୍ତରେ ଅବ୍ୟର୍ଥ ଶରସନ୍ଧାନ କଲାଭଳି ନୀଳକଣ୍ଠ ରାଜନୀତି ଓ ସାହିତ୍ୟ ଦୁଇଟି କ୍ଷେତ୍ରରେ ଅସାଧାରଣ ପ୍ରତିଭାର ପରିଚୟ ଦେଇଛନ୍ତି ।
ମଧୁବାବୁଙ୍କ ପ୍ରଚଣ୍ଡ ବ୍ୟକ୍ତିତ୍ଵ ଓ ବଳିଷ୍ଠ ନେତୃତ୍ବରେ ପ୍ରଭାବିତ ନୀଳକଣ୍ଠ ବିଦେଶୀବସ୍ତ୍ର ବର୍ଜନ ଓ ସ୍ବଦେଶୀ ପରିଧାନ ପାଇଁ ଦେଶବାସୀଙ୍କୁ ଆହ୍ବାନ ଦେଇଥିଲେ । ଉତ୍କଳ ସମ୍ମିଳନୀର ସକ୍ରିୟ ସଭ୍ୟ ଭାବେ କଟକରେ “ଯୁବ ଜନସଭା” ମାଧ୍ୟମରେ ସଂଗ୍ରାମକୁ କରିଥିଲେ ତ୍ବରାନ୍ବିତ ।
ସତ୍ୟବାଦୀ ବନବିଦ୍ୟାଳୟରେ ଅଧ୍ୟାପନା କାଳରେ ବିଚ୍ଛିନ୍ନାଞ୍ଚଳ ଗଞ୍ଜାମ, ଜୟପୁର, ସିଂହଭୂମି, ଧଳଭୂମି ଇତ୍ୟାଦି ଅଞ୍ଚଳରେ ଜନସାଧାରଣଙ୍କୁ ଓଡ଼ିଆ ପଢିବା ନିମନ୍ତେ ପ୍ରବର୍ତ୍ତାଇବା ସହ ସୁବିଧା ସୁଯୋଗ ସୃଷ୍ଟି କରାଇଥିଲେ, ଚକ୍ରଧରପୁର, ବାହାଡ଼ାଗୋଡା ଇତ୍ୟାଦି ସ୍ଥାନରେ ଓଡ଼ିଆ ବିଦ୍ୟାଳୟମାନ ସ୍ଥାପନା କରିଥିଲେ ନୀଳକଣ୍ଠ । ସ୍ବତନ୍ତ୍ରପ୍ରଦେଶ ଗଠନ ଲକ୍ଷ୍ୟନେଇ ନିୟମିତ ଲେଖାମାନ ‘ଆଶା’ ପତ୍ରିକାରେ ପ୍ରକାଶ କରାଇ ସେ ଚେତାଇପାରିଥିଲେ ଅଗଣିତ ଜନତାଙ୍କୁ ।
ରାଜନୀତି, ସମାଜସେବା, ଶିକ୍ଷକତା, ସାଙ୍ଗଠନିକ ଦକ୍ଷତା ବ୍ୟତୀତ ନୀଳକଣ୍ଠ ଥିଲେ ପ୍ରଚଣ୍ଡ ସାରସ୍ବତ ପ୍ରତିଭାର ଅଧିକାରୀ । କୋଣାର୍କେ ଓ ଆର୍ଯ୍ୟଜୀବନର ସ୍ରଷ୍ଟା ନୀଳକଣ୍ଠ ଜୀବନଚରିତ୍ର ମୂଳକ, ଆଧ୍ୟାତ୍ମିକ ଭାବ ସମ୍ବଳିତ, ସଂସ୍କାରଧର୍ମୀ, ଜାତୀୟ ଜାଗରଣ ମୂଳକ ଏବଂ ନିରୁତା ସାହିତ୍ୟ ଆଲୋଚନା ମୂଳକ ଶତାଧିକ ସୃଷ୍ଟି ମାଧ୍ୟମରେ ଓଡ଼ିଆ ଭାଷାଭଣ୍ଡାରକୁ କରିଛନ୍ତି ଋଦ୍ଧିମନ୍ତ ।
ଓଡ଼ିଆ ସାହିତ୍ୟର କ୍ରମ ପରିମାଣ, “ଓଡ଼ିଆଭାଷା ଓ ସାହିତ୍ୟ” ପରି ଐତିହାସିକ ସମାଲୋଚନା ମୂଳକ ଗ୍ରନ୍ଥରେ ନୀଳକଣ୍ଠ ଇଛନ୍ତି ନିଜର ଅନନ୍ୟ ଭାଷା ବୈଜ୍ଞାନିକ ଦୃଷ୍ଟିଭଙ୍ଗୀର ପରିଚୟ । ଅଗାଧ ପାଣ୍ଡିତ୍ୟ ନିମନ୍ତେ ଓଡ଼ିଆ ଭାଷାର ସୁଧୀପାଠକଙ୍କ ନିକଟରେ ଚଳନ୍ତି ବିଶ୍ୱକୋଷ ଓ ଭ୍ରାମ୍ୟମାଣ ପାଠାଗାର ଭାବେ ପରିଚିତ ।
ଆଧୁନିକ ଓଡ଼ିଶାର ଅନ୍ୟତମ ନିର୍ମାତା ନୀଳକଣ୍ଠଙ୍କର ଶାସ୍ତ୍ରଦର୍ଶୀତା, ଅଖଣ୍ଡ ଦେଶପ୍ରେମ, ଆମ ସଂସ୍କୃତିର ପ୍ରଚାର ନିମନ୍ତେ ଉଦ୍ଦିଷ୍ଟ ସାହିତ୍ୟ ବିଭବର ସୃଷ୍ଟି ପାଇଁ ସେ ଓଡ଼ିଆଙ୍କ ଜନମାନସରେ ଚିରକାଳ ଅମର ଓ ଅମଳିନ ହୋଇ ରହିଛନ୍ତି ।