ଲେଖା: ଶ୍ରୀକାନ୍ତ ସିଂହ
~ ଶ୍ରୀମୁଖଲିଙ୍ଗେଶ୍ୱର ~
ଅବିଶ୍ରାନ୍ତ ମୋୖସୁମୀ କାଳୀନ ଲଘୁଚାପ ଜନିତ ବର୍ଷା, ଆଉ ତା ସହିତ ଆମର ଐତିହାସିକ “ଅନ୍ତରଙ୍ଗ କଳିଙ୍ଗ ଐତିହ୍ୟ ଯାତ୍ରା” ନିହାତି ଭାବେ ସ୍ମରଣୀୟ ହୋଇ ରହିବ ଆମ ପାଇଁ l ଐତିହାସିକ ଏଇଥି ପାଇଁ କାରଣ ଅଗଷ୍ଟ ତେର, ଚଉଦ ଓ ପନ୍ଦର ତାରିଖ ତିନି ଦିନ ଧରି ସମଗ୍ର ଦେଶ ସ୍ୱାଧୀନତାର ୭୫ତମ ପୂର୍ତ୍ତି ଉପଲକ୍ଷେ ପାଳନ କରୁଥିଲା “ଅମୃତ ମହୋତ୍ସବ” l ଏଣୁ, ଏଇ ଅମୃତ ବେଳାରେ ଆମର ତ୍ରିଦିବସୀୟ ଦାକ୍ଷିଣାତ୍ୟ ଅଭିଯାନ ସବୁଦିନ ପାଇଁ ମନେ ରହିବ l
ଗଙ୍ଗସାମ୍ରାଜ୍ୟର ରାଜଧାନୀ ଏବର କଟକ ସହର ବା ଅଭିନଵ ବାରଣାସୀ କଟକକୁ ସ୍ଥାନାନ୍ତରିତ ହେବା ପୂର୍ବରୁ ଶ୍ରୀକାକୁଲମ ଜିଲ୍ଲାର ଶ୍ରୀମୁଖଲିଙ୍ଗ (ଶ୍ରୀମୁଖଲିଙ୍ଗମ) ଏହାର ରାଜଧାନୀ ଥିଲା l ଅତଏବ କଳିଙ୍ଗୋତ୍କଳର ରାଜଧାନୀ କଟକରୁ ପ୍ରାଚୀନ କଳିଙ୍ଗର ରାଜଧାନୀ ଶ୍ରୀମୁଖଲିଙ୍ଗକୁ ବାଇକ୍ ଯାତ୍ରାଟି ଆମ ପାଇଁ ଯେତିକି ଆମୋଦଦାୟକ ଥିଲା ସେତିକି ମଧ୍ୟ ରୋମାଞ୍ଚକର ଥିଲା l
ଶ୍ରୀକାକୁଲମରୁ ଶ୍ରୀମୁଖଲିଙ୍ଗମ, ଏହି ଯାତ୍ରା ସମୟରେ ବର୍ଷାକାଳୀନ ପ୍ରକୃତିର ନୈଶର୍ଗିକ ରୂପକୁ ମର୍ମେ ମର୍ମେ ଅନୁଭବ କରିବାର ସୁଯୋଗ ଜୁଟିଥିଲା l ମେଘ ମେଦୁର ଆକାଶ, ପୂର୍ଣ୍ଣଗର୍ଭା ବଂଶଧାରା ନଦୀର ରୂପଲାବଣ୍ୟ, ପାହାଡ଼ ଓ ବନଭୂମିର ସବୁଜିମା ସହିତ ଗ୍ରାମ୍ୟଜୀବନର ସୁନ୍ଦର ପରିବେଶକୁ ମନଭରି ଉପଭୋଗର ସୁଯୋଗ ଜୁଟିଥିଲା l
ଶ୍ରୀମୁଖଲିଙ୍ଗମର ଶ୍ରୀମୁଖଲିଙ୍ଗେଶ୍ୱର ମନ୍ଦିର ଆନ୍ଧ୍ରପ୍ରଦେଶର ଏକ ସୁପ୍ରସିଦ୍ଧ ଶୈବପୀଠ, ଯାହାକୁ କି ଦକ୍ଷିଣଭାରତର କାଶୀ ବୋଲି କୁହାଯାଏ l ବଂଶଧାରା ନଦୀ ଉପତ୍ୟକାରେ ଏକ ଶାନ୍ତ, ଶୀତଳ, ସୁନ୍ଦର ପରିବେଶରେ ଏହି ମନ୍ଦିରଟି ଦଣ୍ଡାୟମାନ l ଶ୍ରୀମୁଖଲିଙ୍ଗେଶ୍ୱର ମନ୍ଦିରଟିକୁ ଗଙ୍ଗସମ୍ରାଟ ଦ୍ଵିତୀୟ କାମାର୍ଣ୍ଣବ ଦେବ ଅଷ୍ଟମ ଶତାବ୍ଦୀରେ ନିର୍ମାଣ କରିଥିଲେ, ଯାହାକି କଳିଙ୍ଗ ସ୍ଥାପତ୍ୟ ଶୈଳୀର ଏକ ଶ୍ରେଷ୍ଠ ନିଦର୍ଶନ l
ଅନନ୍ତବର୍ମନ ଚୋଡ଼ଗଙ୍ଗ ଦେବ (1077-1147)ଙ୍କ 1112 ଶତାବ୍ଦୀର ତାମ୍ରଫଳକରୁ ଯାହା ଜଣାଯାଏ ତାଙ୍କ ପୂର୍ବ ପୁରୁଷ କାମାର୍ଣ୍ଣବ ଦେବଙ୍କ ଶାସନ ସମୟରେ ଏହି ମନ୍ଦିର ନିର୍ମାଣ ହୋଇଥିଲା l ଏକାଦଶରୁ ପଞ୍ଚଦଶ ଶତାବ୍ଦୀ ମଧ୍ୟରେ ଗଙ୍ଗ ସାମ୍ରାଜ୍ୟ ଉତ୍ଥାନର ଚରମ ଶିଖରରେ ପହଞ୍ଚିଥିଲେ ହେଁ, ଏହି ଗଙ୍ଗବଂଶର ରାଜତ୍ୱ ଆରମ୍ଭ ହୋଇଥିଲା ରାଜା ଇନ୍ଦ୍ରବର୍ମନଙ୍କ (496-535) ଶାସନ ସମୟରେ l ଅବଶ୍ୟ ଗଙ୍ଗଶାସନର ଏହି ସମୟ ନିର୍ଘଣ୍ଟକୁ ନେଇ ଅନେକ ଐତିହାସିକଙ୍କ ଭିନ୍ନମତ ରହିଛି l
କାମାର୍ଣ୍ଣବ ଦ୍ଵିତୀୟ ହେଉଛନ୍ତି ବୀରସିଂହ ଦେବଙ୍କ ନାତି ତଥା ଵୀରସିଂହଙ୍କ ଦ୍ଵିତୀୟ ସନ୍ତାନ ଦାନାର୍ଣ୍ଣବ ଦେବଙ୍କ ପୁତ୍ର l ବୀରସିଂହଙ୍କ ପଞ୍ଚ ପୁତ୍ର ଭିନ୍ନ ଭିନ୍ନ ଅଞ୍ଚଳରେ ଶାସନ କରୁଥିଲେ ହେଁ ଦାନାର୍ଣ୍ଣବ ଦେବ ଓ କାମାର୍ଣ୍ଣବ ଦ୍ଵିତୀୟ କଳିଙ୍ଗନଗରର ଏହି ଶ୍ରୀମୁଖଲିଙ୍ଗମ ଅଞ୍ଚଳରେ ଶାସନ କରୁଥିଲେ l ଗଙ୍ଗବଂଶର ପୂର୍ବ ଶାସକଗଣ ଦନ୍ତପୁରରୁ ଶାସନ କାର୍ଯ୍ୟ ପରିଚାଳନ କରୁଥିଲେ, ମାତ୍ର ପରବର୍ତ୍ତୀ ସମୟରେ ସୁବ୍ୟବସ୍ଥିତ ଶାସନ ପରିଚାଳନା ପାଇଁ ରାଜଧାନୀକୁ ଦନ୍ତପୁରମରୁ ଶ୍ରୀମୁଖଲିଙ୍ଗମଜୁ ସ୍ଥାନାନ୍ତରିତ କରିଥିଲେ l
   
ଶ୍ରୀମୁଖଲିଙ୍ଗମରୁ ଥାଇ ଗଙ୍ଗ ସାମ୍ରାଜ୍ୟର ଶାସନ କାର୍ଯ୍ୟ ସୁଚାରୁ ରୂପେ ପରିଚାଳିତ ହେଉ ଥିଲେ ହେଁ, ପରବର୍ତ୍ତୀ କାଳରେ ବଙ୍ଗଦେଶରୁ ଘନ ଘନ ମୁସଲମାନ ଆକ୍ରମଣକୁ ପ୍ରତିହତ କରି ଗଙ୍ଗ ସାମ୍ରାଜ୍ୟକୁ ରକ୍ଷା କରିବା ନିମନ୍ତେ ଶ୍ରୀମୁଖଲିଙ୍ଗମରୁ କଟକକୁ ରାଜଧାନୀ ସ୍ଥାନାନ୍ତରିତ ହୋଇଥିଲା l ଏହି ଅଭିନଵ ବାରଣାସୀ କଟକରୁ ଗଙ୍ଗବଂଶୀ ଶାସକମାନେ ଶାସନ ସୁପରିଚାଳନା କରି ଗଙ୍ଗା ଠାରୁ ଗୋଦାବରୀ ପର୍ଯ୍ୟନ୍ତ ନିଜର ସାମ୍ରାଜ୍ୟ ବିସ୍ତାର କରିପାରିଥିଲେ l
ଗଙ୍ଗବଂଶୀ ଶାସକଙ୍କ ଶାସନ କାଳର ଅନେକ ଗୁଡ଼ିଏ ଶ୍ରେଷ୍ଠ କିର୍ତ୍ତିରାଜି ମଧ୍ୟରେ ଏହି ଶ୍ରୀମୁଖଲିଙ୍ଗେଶ୍ୱର ମନ୍ଦିର ହେଉଛି ଅନ୍ୟତମ l କୁହାଯାଏ ଏହି ଶିବଲିଙ୍ଗଟି ପାଷାଣ ନିର୍ମିତ ନୁହେଁ; ଏହା ଏକ ବୃକ୍ଷ(ମଧୁକ)ର ଅଂଶବିଶେଷ ଯେଉଁଥିରେ କି ପ୍ରାକୃତିକ ରୂପେ ନିର୍ମିତ ଏକ ମୁଖ ଆକୃତି ରହିଛି l ଏଣୁ ଏହାଙ୍କୁ ଶ୍ରୀମୁଖ ବା ଶ୍ରୀମୁଖଲିଙ୍ଗ ବୋଲି କୁହାଯାଏ l ଏଠାରେ ଫୋଟୋ ଉଠାଇବା ବାରଣ ଥିବାରୁ ଶିବଲିଙ୍ଗର ଛବିଟି ନେଇ ପାରିନଥିଲୁ l କୁହାଯାଏ ଭଗବାନ ଆଶୁତୋଷ ଗନ୍ଧର୍ବମାନଙ୍କୁ ଉଦ୍ଧାର କରିବା ପାଇଁ ଏଠାରେ ମଧୁକେଶ୍ୱର ରୂପରେ ଆବିର୍ଭୁତ ହୋଇଥିଲେ l
ଏକ ସୁପ୍ରସିଦ୍ଧ ଶୈବପୀଠ ରୂପେ ଏହି ମନ୍ଦିରର ଖ୍ୟାତି ଯେତିକି ରହିଛି, ତାର କଳା, ସ୍ଥାପତ୍ୟ ଓ କୀର୍ତ୍ତିରାଜିର ସୁନାମ ମଧ୍ୟ ସେତିକି ରହିଛି l ପଞ୍ଚ ଆୟତନ ଶୈଳୀରେ ନିର୍ମିତ ଏହି ପୂର୍ବମୁଖ ମନ୍ଦିରଟି ସୁଉଚ୍ଚ ପ୍ରାଚୀର ଦ୍ୱାରା ପରିବେଷ୍ଠିତ ଏବଂ ସିଂହଦ୍ୱାର ଦେଇ ମନ୍ଦିରକୁ ପ୍ରବେଶ ପୂର୍ବରୁ ପ୍ରବେଶ ପଥରେ ଏକ ସ୍ଵର୍ଣ୍ଣlଭ ଧ୍ୱଜସ୍ତମ୍ଭ ରହିଛି ଯାହାକି ଦକ୍ଷିଣ ଭାରତୀୟ ମନ୍ଦିରମାନଙ୍କରେ ସାଧାରଣତଃ ଦେଖିବାକୁ ମିଳିଥାଏ l
ଗର୍ଭଗୃହକୁ ପ୍ରବେଶ ପୂର୍ବରୁ ଖୁବ୍ ସୁନ୍ଦର ଏକ ବୃଷଭ ପ୍ରତିମା ଦେଖିବାକୁ ମିଳେ l ମୁଖ୍ୟ ଗର୍ଭଗୃହରେ ସ୍ୱୟଂମ୍ଭୁ ମୁଖଲିଙ୍ଗେଶ୍ୱରଙ୍କ ବ୍ୟତୀତ ମନ୍ଦିର ପରିସରରେ ଅନ୍ୟ ଚାରୋଟି ମନ୍ଦିରରେ ଶିବଲିଙ୍ଗ ବିରାଜମାନ କରିଛନ୍ତି l ମୁଖ୍ୟ ମନ୍ଦିରର ଜଗମୋହନରେ ଶ୍ରୀମାଧବ ଓ ଶ୍ରୀଲକ୍ଷ୍ମୀଙ୍କ ଦୁଇଟି ସ୍ୱତନ୍ତ୍ର ପ୍ରତିମା ଦେଖିବାକୁ ମିଳେ l ମୁଖ୍ୟ ବିମାନ ଓ ଜଗମୋହନର ବାହ୍ୟ ପାର୍ଶ୍ୱରେ ଥିବା ସୁକ୍ଷ୍ମ କାରୁକାର୍ଯ୍ୟ ମଧ୍ୟ ଅନନ୍ୟ l ମନ୍ଦିର ଗାତ୍ରରେ ମହିଷାମର୍ଦ୍ଦିନୀ ଦୁର୍ଗା, ଅଜୈକପାଦ ଭୈରବ, ଉମାମହେଶ୍ୱର, ଶ୍ରୀଗଣେଶ, କାର୍ତ୍ତିକେୟ, ନଟରାଜ, ବରାହ, ନୃସିଂହ ଆଦି ଦେବାଦେବୀଙ୍କ ସୁକ୍ଷ୍ମ କଳାକୃତିର ପ୍ରତିମା ଦେଖିବାକୁ ମିଳେ l
ମନ୍ଦିରର ଭଵ୍ୟତା ଓ ତାର ସୁକ୍ଷ୍ମ କାରୁକାର୍ଯ୍ୟ ସନ୍ଦର୍ଶନରେ ଆମର ଅନେକ ସମୟ ବିତିଯାଇଥିଲା l ସହସ୍ର ବର୍ଷ ଅତୀତକୁ ଫେରିଯାଇ ଆମ ପୂର୍ବପୁରୁଷଙ୍କ କୃତି ଓ କୀର୍ତ୍ତିକୁ ଅତି ନିକଟରୁ ଦେଖିବାର ସୁଯୋଗ ପାଇ ନିଜକୁ ଧନ୍ୟ ମଣିଥିଲ୍ଲୁ ସେଦିନ l ମନ୍ଦିର ଗାତ୍ରରେ ପ୍ରସ୍ଫୁଟିତ ହୋଇଥିବା ଓଡ଼ିଆ ଶିଳ୍ପୀର କଳା ନୈପୂଣ୍ୟ ଓ ନିହାଣମୁନର କଳାତ୍ମକ ଚାତୁର୍ଯ୍ୟଜୁ ଅବଲୋକନ କରି ଆମେ ମନ୍ତ୍ରମୁଗ୍ଧ ଆଉ ଅବାକ ହୋଇଯାଇଥିଲୁ l
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago