ଲେଖା: ଅମ୍ରିତେଶ ଖଟୁଆ
ଓଡ଼ିଶାରେ ନାରୀ ଶିକ୍ଷା ପ୍ରସାରରେ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣା ହେବା ସହ ମଧୁବାବୁଙ୍କ ସ୍ଵପ୍ନର ରାଇଜରେ ଏକ ସୁଦୃଢ଼ ସମାଜକୁ ଖୋରାକ ଦେଇଥିଲେ ଶୈଳବାଳା ଦାସ। ୧୮୭୫ ମାର୍ଚ୍ଚ ୨୫ରେ କୋଲକାତାର ଭବାନୀପୁର ସ୍ଥିତ ମଧୁସୂଦନଙ୍କ ଚକ୍ରବାରିଆ ରୋଡ୍ ଭଡ଼ା ଘରେ ଶୈଳବାଳା ଜନ୍ମଗ୍ରହଣ କରିଥିଲେ। ପିତା ତଥା ମଧୁବାବୁଙ୍କ ସୁହୃଦ ମୈତ୍ର ଅମ୍ବିକା ଚରଣ ହାଜରା ଓ ମାତା ପ୍ରସନ୍ନମୟୀ ହାଜରାଙ୍କ ସେ ଜ୍ୟେଷ୍ଠ ସନ୍ତାନ ଥିଲେ। ତାଙ୍କର ୫ଜଣ ଭାଇଭଉଣୀ ଥିଲେ। ୧୮୯୨ରେ ତାଙ୍କ ମା ପ୍ରସନ୍ନମୟୀଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ଶୈଳବାଳା ନିଜ ଭାଇଭଉଣୀଙ୍କ ସହ ମଧୁସୂଦନଙ୍କ କଟକ ଘରେ ଆସି ରହିଲେ। ସେ ଆଇ.ଏ ପାଶ କରିବା ପରେ ମଧୁସୂଦନ ୧୮୯୨ ମସିହାରେ ତାଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ। ୧୯୦୦ ମସିହା ସେପ୍ଟେମ୍ବର ୨୪ରେ ସେ ଶୈଳବାଳା ହାଜରାରୁ ଶୈଳବାଳା ଦାସକୁ ପରିବର୍ତ୍ତିତ ହୋଇଥିଲେ। ଶୈଳବାଳା ତାଙ୍କ ପ୍ରାଥମିକ ଶିକ୍ଷା ଲଣ୍ଡନ ମିସନ ବାଳିକା ବିଦ୍ୟାଳୟରେ ଆରମ୍ଭ କରିଥିଲେ। ପରେ ସେ ସିମଳା ପଢ଼ିବାକୁ ଗଲେ। ୧୯୦୬ରେ ସେ ଉଚ୍ଚ ଶିକ୍ଷା ପାଇଁ ସେ ଇଂଲଣ୍ଡ ଯାଇଥିଲେ। ସେଠାରେ ମାରିଆ ଟ୍ରେନିଂ କଲେଜରେ ଶିକ୍ଷକତାରେ ପ୍ରଶିକ୍ଷଣ ନେଇଥିଲେ। ପ୍ରଥମ ଓଡିଆ ମହିଳା ଭାବେ ଉଚ୍ଚ ଶିକ୍ଷା ପାଇଁ ଶୈଳବାଳା ଦାସ ବିଦେଶ ଯାଇଥିଲେ।
ଓଡ଼ିଶାରେ ନାରୀ ଶିକ୍ଷା ପ୍ରସାରରେ ଶୈଳବାଳାଙ୍କ ମୁଖ୍ୟ ଭୂମିକା ଥିଲା। ୧୯୦୭ରେ ସେ ଇଂଲଣ୍ଡରୁ ପ୍ରଶିକ୍ଷଣ ସମାପ୍ତ କରି ଫେରିବା ପରେ ନାରୀ ଶିକ୍ଷାର ପ୍ରସାର ପାଇଁ ଉଦ୍ୟମ ଆରମ୍ଭ କରିଥିଲେ। ୧୯୦୮ ଫେବୃଆରୀ ୮ରେ ସେ ରେଭେନ୍ସା ବାଳିକା ବିଦ୍ୟାଳୟକୁ ଉଚ୍ଚ ବିଦ୍ୟାଳୟରେ ପରିଣତ କଲେ। ସେତେବେଳେ ସେଠାରେ ମାତ୍ର ୧୫ଜଣ ଛାତ୍ରୀ ଥିଲେ। ୧୯୦୯ ବେଳକୁ ୩୦୦ ବାଳିକା ଏହି ବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ। ପରେ ସରକାର ଏହାକୁ ନାରୀ ଶିକ୍ଷା ପୀଠ ଭାବେ ଗ୍ରହଣ କରିବା ସହ ଶୈଳବାଳାଙ୍କୁ ନାରୀ ଶିକ୍ଷା ପ୍ରବକ୍ତା ଭାବେ ଗ୍ରହଣ କରାଗଲା। ୧୯୧୩ରେ ତାଙ୍କ ଉଦ୍ୟମରେ ରେଭେନ୍ସା ବାଳିକା ବିଦ୍ୟାଳୟ ପରିସରରେ ଆନ୍ତର୍ମାଧ୍ୟମିକ ଶ୍ରେଣୀର ପାଠପଢ଼ା ଆରମ୍ଭ ହୋଇଥିଲା। ଏଇଠୁ ହିଁ ରାଜ୍ୟର ପ୍ରଥମ ମହିଳା କଲେଜ ଶୈଳବାଳା ମହିଳା ମହାବିଦ୍ୟାଳୟର ଭିତ୍ତିଭୂମି ପଡ଼ିଥିଲା। ୧୯୪୬ରେ ଏହି ଇଣ୍ଟରମେଡିଏଟ ମହିଳା କେଲଜ ପ୍ରଥମ ଶ୍ରେଣୀ ମାନ୍ୟତା ଲାଭ କରିଥିଲା। ମାତ୍ର ଏହା ରେଭେନ୍ସା ବାଳିକା ବିଦ୍ୟାଳୟ ପରିସରରେ ଥିବାରୁ ପରିଚାଳନାଗତ ସମସ୍ୟାର ସମ୍ମୁଖୀନ ହେଉଥିଲା। ୧୯୫୨ ମସିହା ଅପ୍ରେଲ ୨୮ରେ ଶୈଳବାଳା ମହିଳା କଲେଜର ନୂତନ ଗୃହ ଉଦ୍ଘାଟିତ ହେଲା। ମଧୁବାବୁଙ୍କ ସ୍ମୃତିରେ ଏହାର ନାମ “ମଧୁସୂଦନ ମହିଳା ମହାବିଦ୍ୟାଳୟ” ରଖିବାକୁ ଶୈଳବାଳା ପ୍ରସ୍ତାବ ଦେଇଥିଲେ। ମାତ୍ର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ନାରୀ ଶିକ୍ଷାରେ ଶୈଳବାଳାଙ୍କ ବିଶେଷ ଅବଦାନ ପାଇଁ ଏହାର ନାମ “ଶୈଳବାଳା ମହିଳା ମହାବିଦ୍ୟାଳୟ” ରଖିଥିଲେ। ୧୯୨୦ରେ ହାଇସ୍କୁଲମାନଙ୍କରେ ଶିକ୍ଷାଦାନ ପାଇଁ ଶୈଳବାଳା ହିନ୍ଦୁ ବିଧବାମାନଙ୍କୁ ତାଲିମ ଦେବା ଆରମ୍ଭ କରିଥିଲେ।
୧୯୦୩ରେ ଶୈଳବାଳା ଦାସ ଉତ୍କଳ ଯୁବ ସଂଗଠନ ଗଠନ କରିବା ସହ ଉତ୍କଳ ମହିଳା ସଂଘର ମଧ୍ୟ ଆରମ୍ଭ କରିଥିେଲେ। ୧୯୫୨ରେ ସେ କଂଗ୍ରେସ ଟିକେଟରେ ରାଜ୍ୟସଭା ସଦସ୍ୟ ହୋଇଥିଲେ। ୧୯୫୪ ପର୍ଯ୍ୟନ୍ତ ସେ ରାଜ୍ୟସଭାର ସଦସ୍ୟ ଥିଲେ। ନାରୀ ଶିକ୍ଷାର ପ୍ରସାର ଓ ସମାଜେସବା ପାଇଁ ୧୯୫୯ରେ ଭାରତ ସରକାର ତାଙ୍କୁ “ପଦ୍ମଶ୍ରୀ” ପୁରସ୍କାର ପ୍ରଦାନ କରିଥିଲେ। ଏହାପୂର୍ବରୁ ତତ୍କାଳୀନ ବିହାର-ଓଡ଼ିଶା ଛୋଟଲାଟ ସାର୍ ଏଡଓ୍ବାଡ଼’ଗେଟ୍ ତାଙ୍କୁ “କାଇଜର-ଇ-ହିନ୍ଦ” ସ୍ୱର୍ଣ୍ଣପଦକରେ ଭୂଷିତ କରିବା ଘୋଷଣା କରିଥିଲେ। ମାତ୍ର ସେ ଏହାକୁ ଗ୍ରହଣ କରିନଥିଲେ।
କୁଳବୃଦ୍ଧ ଉତ୍କଳଗୌରବ ମଧୁସୂଦନ ଦାସ ଓଡ଼ିଶାର ଗଠନରେ ଯେଉଁ ଉଦ୍ଦାମ ତଥା ବଦାନ୍ୟତାର ଅଦମ୍ୟ ସାହସରେ ଯାହା ତୋଳିଦେଇଗଲେ, ଓଡ଼ିଶାର ଇତିହାସରେ ତାହା ଏକ ଅବିସ୍ମୃତ ଐତିହ୍ୟ। ହେଲେ, ସ୍ଵତନ୍ତ୍ର ଓଡ଼ିଶା ଗଠନ କାଳରେ ସେ ଇହଲୀଳା ସମ୍ଵରଣ କରିସାରିଥିବା ହେତୁ, ଓଡ଼ିଶାର କୌଣସି ନିର୍ବାଚନ ସେ ଲଢିପାରିନଥିଲେ। ତେବେ, ଏହି କାର୍ଯ୍ୟ ସାଧନ କରିଥିଲେ ତାଙ୍କ ଅଲ୍ୟଳି ସୁପୁତ୍ରୀ ଶୈଳବାଳା ଦାସ। ୧୯୫୨ ମସିହାରେ ଅନୁଷ୍ଠିତ ପ୍ରଥମ ରାଜ୍ୟସଭା ନିର୍ବାଚନରେ ଅଂଶଗ୍ରହଣ କରି ଓଡ଼ିଶାରୁ ନିର୍ବାଚିତ ହୋଇଥିଲେ। ସେ ହୋଇଥିଲେ ରାଜ୍ୟସଭାରେ ଓଡ଼ିଶାର ପ୍ରଥମ ମହିଳା ସଦସ୍ୟ।
ସଂଯୋଗକ୍ରମେ ଶୈଳବାଳା ଜନ୍ମ ହୋଇଥିଲେ ମଧୁବାବୁଙ୍କ ଘରେ ଓ ବଢ଼ିଥିଲେ ସୌଦାମିନୀ ଦେବୀଙ୍କ କୋଳରେ। ମଧୁସୂଦନଙ୍କ ମନରେ ପିଲାଟି ଦିନରୁ ତାଙ୍କ ପ୍ରତି ଥିଲା ଗଭୀର ଶ୍ରଦ୍ଧା। ନିଜର ସନ୍ତାନସନ୍ତତି ନଥିବାରୁ ସେ ୧୮୯୨ ମସିହାରେ ତାଙ୍କୁ ନିଜର ପାଳିତା କନ୍ୟା ଭାବରେ ଗ୍ରହଣ କରିଥିଲେ। ଶୈଳବାଳା ହିଁ ହୋଇଥିଲେ ମଧୁସୂଦନଙ୍କ ରାଜନୈତିକ, ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଘନିଷ୍ଠ ସହଯୋଗୀ।
୧୯୩୪ ମସିହାରେ ମଧୁବାବୁଙ୍କ ମୃତ୍ୟୁ ପରେ ଶୈଳବାଳା ତାଙ୍କର ସମସ୍ତ କାର୍ଯ୍ୟ ସମ୍ଭାଳି ଥିଲେ। ମାତ୍ର, ସେତେବେଳେ ସେ ନିର୍ବାଚନ ରାଜନୀତିରେ ପ୍ରବେଶ କରିନଥିଲେ।
୧୯୫୧ ମସିହାରେ ତତ୍କାଳୀନ ରାଷ୍ଟ୍ରପତି ଡ଼. ରାଜେନ୍ଦ୍ର ପ୍ରସାଦ କଟକ ଆସିଥିବା ସମୟରେ କଟକସ୍ଥିତ ବାସଭବନରେ ସେ ତାଙ୍କୁ ଭେଟିଥିଲେ। ନିଜ ଆତ୍ମଜୀବନୀ “A Look Before And After” ରେ ଶୈଳବାଳା ବର୍ଣ୍ଣନା କରିଛନ୍ତି ଯେ ସେତେବେଳେ ତାଙ୍କ ପାଇଁ ଗୋଟିଏ ବଡ଼ ଗଣଭୋଜି (Reception) ର ଆୟୋଜନ କଟକ ରାଜଭବନରେ ହୋଇଥାଏ। କଟକର ରାଜଭବନ ମରହଟ୍ଟା ଶାସନ ସମୟର ବୋଲି ବର୍ଣ୍ଣିତ। କାଠଯୋଡ଼ି ନଦୀତୀରରେ ଏହା ଅବସ୍ଥିତ। ଗଣଭୋଜି ପରେ ତତ୍କାଳୀନ ଗଭର୍ଣ୍ଣରଙ୍କ ସଚିବ ଶୈଳବାଳାଙ୍କୁ ରାଷ୍ଟ୍ରପତିଙ୍କୁ ଭେଟାଇବା ପାଇଁ ପାଛୋଟି ନିଅନ୍ତି। କିନ୍ତୁ ରାଷ୍ଟ୍ରପତି କହିଲେ, “ମୁଁ ମିସ୍ ଦାସଙ୍କୁ ଖୁବ୍ ଭଲ ଭାବରେ ଚିହ୍ନେ; ସେ ମୋର ଜଣେ ପୁରୁଣା ବନ୍ଧୁ।” ସେହି ସମୟରେ ରାଷ୍ଟ୍ରପତି, ଶୈଳବାଳା ଦାସ ଓ ତତ୍କାଳୀନ କଂଗ୍ରେସ ପ୍ରଦେଶ କମିଟି ମୁଖ୍ୟ ଶ୍ରୀଯୁକ୍ତ ବିଶ୍ଵନାଥ ଦାସଙ୍କ ମଧ୍ୟରେ ପରବର୍ତ୍ତୀ ନିର୍ବାଚନର ଆଲୋଚନା ହୁଏ। ବିଶ୍ଵନାଥ ଦାସ ଶୈଳବାଳାଙ୍କୁ ପ୍ରଥମେ ନିର୍ବାଚନରେ କଂଗ୍ରେସରୁ ଲଢିବା ପାଇଁ କୁହନ୍ତି୍। କିନ୍ତୁ, ଅତୀତରେ କଂଗ୍ରେସ ଶୈଳବାଳାଙ୍କୁ ଯଥାର୍ଥ ସମ୍ମତି ଓ ସମର୍ଥନ ନ ଦେଇଥିବା ଯୋଗୁଁ ଶୈଳବାଳା ଅଗ୍ରାହ୍ୟ କରୁଥିଲେ। ତା ପରେ କିନ୍ତୁ, ବିଶ୍ବନାଥ ଦାସ ନିଜକୁ ଏହି ଅଭିମାନରୁ ବଞ୍ଚାଇ ବୁଝାନ୍ତି, “ମିସ୍ ଦାସ ଆମର ବଡ଼ ଭଉଣୀ, ଆଉ ଆମେ ଚାହୁଁ ସେ ଲମ୍ଵା ସମୟ ପାଇଁ ଜୀଇଁ ରୁହନ୍ତୁ। ଆମେ ଚାହୁଁନୁ ସିଏ ଆମ କଳୁଷିତ ରାଜନୀତିରେ ପଦାର୍ପଣ କରନ୍ତୁ, କାରଣ ଆମେ ତାଙ୍କର ସମ୍ମାନ କରୁ। ତାଙ୍କ ସ୍ଵାସ୍ଥ୍ୟ ପାଇଁ ମଧ୍ୟ ଏହା କ୍ଷତିସାଧକ ହେଇପାରେ।” ହେଲେ ଶୈଳବାଳା ଅଭିପ୍ରାୟ ଜାଣି ଟିକିଏ ହସିଦେଇ କୁହନ୍ତି, “ନିଶ୍ଚୟ, ଆପଣଙ୍କ ମୋ ସ୍ଵାସ୍ଥ୍ୟ ପ୍ରତି ଏପରି ଉଦାର ମନୋଭାବ ଯଥାର୍ଥ। ହେଲେ, ସିଏ ସେତେବେଳେ କେଉଁଠି ଥିଲେ ଯେତେବେଳେ ମୁଁ ୧୯୫୦ ରେ ମରିବାକୁ ବସିଥିଲି? ସିଏ ତ ଥରେ ହେଲେ ମୋ ସ୍ୱାସ୍ଥ୍ୟ ପ୍ରତି ଏମିତି ନିଘା ଦେଇନାହାନ୍ତି।” ଦୁହେଁ – ବିଶ୍ଵନାଥ ଦାସ ତଥା ରାଷ୍ଟ୍ରପତି ମହୋଦୟ ଖୁବ୍ ହସିଥିଲେ।
ତା’ ପରେ ସେତେବେଳକୁ ନେହେରୁ ମଧ୍ୟ ମହିଳାଙ୍କ ପ୍ରତିନିଧିତ୍ଵକୁ ପ୍ରୋତ୍ସାହନ ଦେଉଥିଲେ। ଶୈଳବାଳା ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କୁ ଏକାଧିକ ବାର କିଛି ମହିଳା ସଦସ୍ୟଙ୍କୁ ନିର୍ବାଚନରେ ପ୍ରତିନିଧିତ୍ଵ କରିବା ପାଇଁ ଅନୁରୋଧ କରିଥିଲେ। ହେଲେ, ପ୍ରତିନିଧିତ୍ଵ ପାଇଁ କେହି ମହିଳା ଉପଯୁକ୍ତ ନଥିବା ଦର୍ଶାଇ ନବକୃଷ୍ଣ ଚୌଧୁରୀ ଏହି ନିଷ୍ପତ୍ତିରୁ ଓହରି ଯାଉଥିଲେ। ପ୍ରତିବଦ୍ଧ ଶୈଳବାଳା ଦାସ କିନ୍ତୁ ପ୍ରଧାନମନ୍ତ୍ରୀ ନେହେରୁଙ୍କୁ (ଯିଏକି ତତ୍କାଳୀନ କଂଗ୍ରେସ ପାର୍ଟିର ଅଧ୍ୟକ୍ଷ ଥାଆନ୍ତି) ରାଜ୍ୟ କଂଗ୍ରେସର ଆଚରଣକୁ ନିନ୍ଦା କରି ପତ୍ର ଲେଖନ୍ତି। ତାଙ୍କ ପ୍ରତିବଦ୍ଧତାର ସ୍ଵୀକୃତି ସ୍ଵରୂପ ରଣପୁରର ରାଜମାତା ଓ ଶୈଳବାଳାଙ୍କ ପ୍ରାର୍ଥିତ୍ଵ ସ୍ଵୀକୃତି ଲାଭ କରେ। ଏହା ପରେ ୧୯୫୨ ରେ ଅନୁଷ୍ଠିତ ନିର୍ବାଚନରେ ସେ ଓଡ଼ିଶାର ୯ ଜଣ ପ୍ରାର୍ଥୀଙ୍କ ସହ ନିର୍ବାଚିତ ହୋଇଥିଲେ। ତାଙ୍କ ସହ ଅନ୍ୟ ଦୁଇବର୍ଷିଆ ସଦସ୍ୟ ଥିଲେ ବୈଦ୍ୟନାଥ ରଥ ଏବଂ ପ୍ରଫୁଲ୍ଲ ଚନ୍ଦ୍ର ଭଞ୍ଜଦେଓ।
ରାଜ୍ୟସଭାର ପ୍ରଥମ ଅଧିବେଶନ ହୁଏ ମେ ୧୩, ୧୯୫୨ ମସିହାରେ। ସିଏ ବର୍ଣ୍ଣନା କରନ୍ତି , ‘ମୁଁ ରାଜ୍ୟସଭାରେ କାହାକୁ ଚିହ୍ନି ନଥିଲି। ତେବେ, ହରେକୃଷ୍ଣ ମହତାବ ମୋତେ ଅନ୍ୟମାନଙ୍କୁ ଚିହ୍ନାଇ ଦେଇଥିଲେ। ମୋର ବୟସ ସୂଚାଇବାକୁ ଯାଇ ଯେତେବେଳେ ମୋର ବୟସ ୯୦ ବୋଲି କହିଥିଲେ, ଅନ୍ୟମାନେ ବିଶ୍ଵାସ କରିପାରିନଥିଲେ। ମୋର ବୟସ ୯୦ ବୋଲି ଶୁଣି ମୋ କାନ୍ଧରେ ହାତ ରଖି ସେ କହିଲେ, ମୁଁ ତ ମିସ୍ ଦାସଙ୍କ ବୟସ ଜାଣିଛି।’ ତେବେ ବୟୋଜ୍ୟେଷ୍ଠା ସଦସ୍ୟା ହିସାବରେ ସେ ହୋଇଗଲେ ଏହି ସଦନର “ଦାଦି ମା”। ସାରା ଦେଶ ପ୍ରତି ଥିଲା ଏହି “ଦାଦି ମା” ମାତୃସ୍ଥାନୀୟା ମହିଳାଙ୍କ ପ୍ରତି ସ୍ନେହର ନିଦର୍ଶନ।