ନୃତ୍ୟ ସଙ୍ଗୀତ

ଲୋକନାଟ୍ୟ ଲୋକନୃତ୍ଯ ଓ ଲୀଳାର ଭୂମି ଗଞ୍ଜାମ

ଲେଖା: ସନ୍ତୋଷ ପଟ୍ଟନାୟକ

ଗଞ୍ଜାମରେ ଅଷ୍ଟାଦଶ ଶତାଦ୍ଦୀର ପଞ୍ଚମ ଦଶକରୁ ବିଂଶ ଶତାବ୍ଦୀର ମଧ୍ୟଭାଗ ଯାଏଁ ଲୋକନାଟକର ପଦଚିହ୍ନ ଥିଲା । ଏହି ସମୟକୁ ଗଞ୍ଜାମ ଲୋକନାଟକର ସୁବର୍ଣ୍ଣ ଯୁଗ ବୋଲି କୁହାଯାଇପାରେ । ସବୁ ଗାଁରେ ମଠମନ୍ଦିର ଥିଲା । ପୂଜାପାର୍ବଣ ଅନୁଷ୍ଠିତ ହେଉଥିଲା । ଧର୍ମୀୟ ଉତ୍ସବରେ ଲୋକନାଟ୍ୟ ପରିବେଷିତ ହେଉଥିଲା । ନାଟ୍ୟକଳା ଥିଲା ଳୋକଙ୍କ ଜୀବନ । ରାଜନ୍ୟବର୍ଗଙ୍କ ଏଥିପାଇଁ ପ୍ରୋତ୍ସାହନ ଥିଲା । ଧନାଢ଼୍ୟ ବ୍ୟକ୍ତିମାନଙ୍କର ନାଟ୍ୟକଳା ପ୍ରତି ଅତ୍ୟନ୍ତ ଶ୍ରଦ୍ଧା, ସମ୍ମାନ ଓ ସମ୍ମୋହନ ଥିଲା । ତେଣୁ ଶହ ଶହ ବର୍ଷ ଧରି ଲୋକନାଟ୍ୟ ପରମ୍ପରା ତିଷ୍ଠି ରହିଥିଲା ।ଲୋକଙ୍କୁ ଏହା ଆନନ୍ଦ ପ୍ରଦାନ କରିବା ସହିତ ଧର୍ମୀୟ ଚେତନାରେ ଉଦ୍‌ବୁଦ୍ଧ କରୁଥିଲା । ଫଳତଃ ଲୋକେ ଶୃଙ୍ଖଳିତ ଜୀବନଯାପନ ପାଇଁ ପ୍ରେରଣା ପାଇବା ସହିତ ସାମାଜିକ ନୀତି, ରୀତି ବିଧି ଓ ପରିଧି ଭିତରେ ସଂସ୍କୃତି ସଂପନ୍ନ ମଣିଷ ଭାବେ ବଞ୍ଚିବା  ପାଇଁ ପ୍ରେରଣା ପାଉଥିଲେ । ରାଧାପ୍ରେମଲୀଳା ଓ ଭାରତଲୀଳା ଭଳି  ରାମଲୀଳା ଓ କୃଷ୍ଣଲୀଳା ମଧ୍ୟ ଗଞ୍ଜାମର ଏକ ଭିନ୍ନ ପରିଚୟ ।

~ ରାମଲୀଳା ~
ରାମାୟଣ ଏକ ଶାଶ୍ୱତ ଅମର କାବ୍ୟ । ରାମକଥାକୁ ଭିତ୍ତିକରି ସର୍ବଭାରତୀୟ ସ୍ତରରେ ପଞ୍ଚମ ଶତାବ୍ଦୀ ପୂର୍ବରୁ ସଂସ୍କୃତ ନାଟକମାନ ଅଭିନୀତ ହୋଇଥିବା ସ୍ଥଳେ ଓଡ଼ିଶାରେ ରାମଙ୍କ ଜୀବନ କାହାଣୀକୁ ନେଇ ସଂସ୍କୃତ ଭାଷାରେ ନୃତ୍ୟଗୀତ ମାଧ୍ୟମରେ ଅଭିନୟ ପରମ୍ପରା ନବମ ଶତାବ୍ଦୀରୁ ପ୍ରଚଳିତ । ଓଡ଼ିଆ ଲୀଳାର ପ୍ରଥମ ଲିଖିତ ରୂପ ବିଶ୍ୱନାଥ ଖୁଣ୍ଟିଆଙ୍କ ‘ବିଚିତ୍ର ରାମାୟଣ’ ବା ବିଶି ରାମଲୀଳାକୁ ଗ୍ରହଣ କରାଯାଇଛି । ଏହାର ରଚନା କାଳ ୧୭୦୯ । ଏପର୍ଯ୍ୟନ୍ତ ଜ୍ଞାତ ପ୍ରାୟ ଅଧିକାଂଶ ରାମଲୀଳା ଗଞ୍ଜାମ ଜିଲ୍ଲାର କବି ମାନଙ୍କ ଦ୍ୱାରା ହିଁ  ରଚିତ ।ଏହି ଅଞ୍ଚଳରେ ରାମଭକ୍ତିର ସ୍ରୋତ ନିରବଛିନ୍ନ ଭାବରେ କାହିଁକି ପ୍ରବାହିତ ହୋଇଥିଲା, ତାହା ନିର୍ଣ୍ଣୟ କରିବା ଅଧିକ ଗବେଷଣା ସାପେକ୍ଷ ବୋଲି ଐତିହାସିକ କେଦାରନାଥ ମହାପାତ୍ର ଲେଖିଛନ୍ତି । (ଝଙ୍କାର, ନବମବର୍ଷ- ୧୧ଶ ସଂଖ୍ୟା) ଗଞ୍ଜାମର  ରାମଲୀଳା ରଚୟିତାଭାବେ ବୈଶ୍ୟ ସଦାଶିବ, କୃଷ୍ଣଚନ୍ଦ୍ର ରାଜେନ୍ଦ୍ର, ବିମ୍ବାଧରସାନସାମନ୍ତ,  ରଘୁନାଥ ପରିଚ୍ଛା, କେଶବପଟ୍ଟନାୟକ, ଧରାକୋଟ ରାଜା ରଘୁନାଥ ସିଂହ, ବିପ୍ରକୁଞ୍ଜ, ଯୁଧିଷ୍ଠିର ସାହୁ ପ୍ରମୁଖଙ୍କ ନାମ ପ୍ରକାଶ ଯୋଗ୍ୟ । ଗାୟକଭାବେ  ନଟବର ସାହୁ,  ଅଗାଧୁ ପାଣିଗ୍ରାହୀ, ଅନନ୍ତ ରାମ ପାଢ଼ୀ, ତ୍ରିନାଥ ପୋଲେଇ, ଉଦୟନାଥ ପଟ୍ଟନାୟକ, ବୈଦ୍ୟନାଥ ମହାରଣା,  ସତ୍ୟନାରାୟଣ ପାଢ଼ୀ, ଅଗାଧୁ କାହାଳିଆ ପ୍ରମୁଖଙ୍କ ନାମ ସ୍ମରଣୀୟ । ଏହି ଲୀଳାର ସାମାଜିକ ଆବେଦନ, ଆଧ୍ୟାତ୍ମିକ ଚେତନା, ରସାବେଦନ, ସାଙ୍ଗୀତିକ ଆବେଦନ, ବର୍ଣ୍ଣନା ବୈଭବ ଭାଷା ଓ ସଂଳାପ ଶ୍ରୋତା ଓ ଦର୍ଶକ ମାନକୁ ବିମୋହିତ କରୁଥିଲା । ଏହି ଲୀଳା ସଂଦର୍ଶନ କରି ଐତିହାସିକ କେଦାରନାଥ ମହାପାତ୍ର, ପଣ୍ଡିତ ବିଧାୟକ ମିଶ୍ର, କବି ଡ଼ଃ ମାୟାଧର ମାନସିଂହ, ପଲ୍ଲୀକବି ନନ୍ଦକିଶୋର ବଳ ପ୍ରମୁଖ ଗଞ୍ଜାମ ରାମଲୀଳାର ଲୀଳାକାରମାନଙ୍କ ଓ ପ୍ରାୟୋଜିତକାରୀଙ୍କ ଭୂୟସୀ ପ୍ରଶଂସା କରିଥିଲେ  ।

~ କୃଷ୍ଣଲୀଳା ~
ରାମଲୀଳା ପରି ଗଞ୍ଜାମରେ କୃଷ୍ଣଲୀଳାର ମଧ୍ୟ ଖୁବ ଆଦର ରହିଛି । ଓଡ଼ିଶାରେ ପ୍ରଯୋଜିତ କୃଷ୍ଣଲୀଳାର ନାଟକୀୟ ଦିଗଟି (ଗୀତଗୋବିନ୍ଦ) ଦ୍ୱାରା ନିୟନ୍ତ୍ରିତ ହେବାବେଳେ କଥାବସ୍ତୁ ଜଗନ୍ନାଥ ଦାସଙ୍କ ଭାଗବତରୁ ସଂଗୃହୀତ ହୋଇଛି । କୃଷ୍ଣଲୀଳାର ଶ୍ରୀକୃଷ୍ଣ ବାସୁଦେବ ସ୍ୱୟଂ ଭଗବାନ ଅବା ଅବତାରୀ । ସଂଗୃହୀତ ତଥ୍ୟରୁ ଜଣାଯାଏ ବାବାଜୀ ଦୁଃଖୀଶ୍ୟାମ ଦାସ ହିଁ ସର୍ବପ୍ରଥମେ ଗଞ୍ଜାମରେ କୃଷ୍ଣଲୀଳା (୪୮ଲୀଳା) ରଚନା କରି ଗଞ୍ଜାମ ଆଠଗଡ଼ ନିକଟସ୍ଥ ବାଉଁଶିଆ ଗ୍ରାମରେ ଅଭିନୟ କରାଇଥିଲେ । ସେ ଏହି ଲୀଳାର ନିର୍ଦ୍ଦେଶନା ଦାୟିତ୍ୱରେ ଥିଲେ । ଏହି ଲୀଳା ଲୋକପ୍ରିୟ ହେଲା ଏବଂ ଲୋକରେ ଏହା ଆଠଗଡ଼ିଆ ଲୀଳା ଭାବେ ପରିଚିତ ହେଲା । ଏହି ଲୀଳାର ଗାୟକଭାବେ ବାଉଁଶିଆ ଗ୍ରାମର ବୁଦ୍ଧିଆ ବାଡ଼ତ୍ୟା , ଭଗବାନ ବେହେରା, ବାଜିଆ ଗୌଡ଼, ପୁରା ସାହୁ,  ମୋହନ ଦାସ ପ୍ରମୁଖ ସୁନାମ ଅର୍ଜନ କରିଥିଲେ । ଗଞ୍ଜାମ ଦେବଭୂମିର କୃଷ୍ଣଲୀଳା ଗାୟକ ସୋମନାଥ ବେହେରା ଏହି ଲୀଳାର ବିକାଶ ଓ ପ୍ରଚାର ପ୍ରସାରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଲୀଳାକାର ଦୁଃଖୀଶ୍ୟାମ ଦାସଙ୍କ ଜନ୍ମ ସ୍ଥାନ ଚିଙ୍ଗୁଡ଼ିଘାଇ ।
     
ଗଞ୍ଜାମରେ କୃଷ୍ଣଲୀଳାର ଅନ୍ୟାନ୍ୟ ରଚୟିତା ହେଲେ ଗୌତମୀର ହରିହର ଷଡ଼ଙ୍ଗୀ, ପାରଳାଖେମୁଣ୍ଡିର ମଧୁସୂଦନ ପାଣିଗ୍ରାହୀ, ରଘୁନାଥ ପରିଚ୍ଛା, ବଡ଼ଖେମୁଣ୍ଡିି ରାଜା ଲକ୍ଷ୍ମୀନାରାୟଣ ଦେଓ ଏବଂ ଚିକିଟିର  ବିପ୍ରଶ୍ୟାମ । ସଂପ୍ରତି କୃଷ୍ଣଲୀଳାର ପ୍ରସିଦ୍ଧ ଗାୟକଭାବେ ସୋମନାଥ ସ୍ୱାଇଁଙ୍କ ନାମ ଉଲ୍ଲେଖଯୋଗ୍ୟ । ଗଞ୍ଜାମରେ ଶତାଧିକ କୃଷ୍ଣଲୀଳା ଦଳ ଥିଲା ଏବଂ ୫୦ରୁ ଊର୍ଦ୍ଧ୍ୱ ଲୀଳାଗୁରୁ ଥିଲେ ।


ଗଞ୍ଜାମ କୃଷ୍ଣଲୀଳାର ମୁଖ୍ୟ ଆକର୍ଷଣ ହେଲା ଏହାର ସ୍ୱର । ଗାୟକ ତଥା ଅଭିନେତାମାନଙ୍କର ଉଚ୍ଚ କୋମଳ ସ୍ୱର ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥାଏ । ଏହି ଲୀଳାର ବେଶ ପରିପାଟୀ ଉନ୍ନତ ଓ ରୁଚିପୂର୍ଣ୍ଣ । ମନୋରଞ୍ଜନ ସହ ଆଧ୍ୟାତ୍ମିକତାକୁ ଏହି ଅଞ୍ଚଳରେ ଗୁରୁତ୍ୱ ଦିଆଯାଏ । ଲୀଳା ଦର୍ଶନ ବେଳେ ଦର୍ଶକ ଶ୍ରୀକୃଷ୍ଣ ଭୂମିକାରେ ଅଭିନୟ କରୁଥିବା ଅଭିନେତାକୁ ଭୁଲି ସ୍ୱୟଂ ଭଗବାନ ବୋଲି ବିବେଚନା କରି ପ୍ରଣାମ କରିଥାନ୍ତି । ଲୋକପ୍ରିୟତା ଦୃଷ୍ଟିରୁ ସଂପ୍ରତି ଜନ୍ମଲୀଳା, ବାଲ୍ୟଲୀଳା, ଦଧିମନ୍ଥନ ଲୀଳା ଓ କାଳୀୟଦଳନ ଲୀଳା ଭଳି ୪୮ ପ୍ରକାରର ଲୀଳା ଅନୁଷ୍ଠିତ ହେଉଥିବାବେଳେ ଆଜି ଏହା ଋଗ୍ଣ ଅବସ୍ଥାରେ ଅଛି ବହୁତ କମ୍  ସଂଖ୍ୟକ ଦଳ ଏବେ ଅଛନ୍ତି ।  ସରକାରୀ ଉଦାସୀନତା ଓ ପ୍ରୋତ୍ସାହନର ଅଭାବ ଏହାର ମୁଖ୍ୟ କାରଣ ।
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

4 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago