ଲେଖା: ଅମୃତେଶ ଖଟୁଆ
~ ଲକ୍ଷେଶ୍ଵର ମନ୍ଦିର ଓ କୁଆଖାଇ ~
ନିଃସର୍ଗର ଦେଶ ଉତ୍କଳ । ଅସ୍ମିତାର ଆଗ୍ନେୟ ତେଜପୁଞ୍ଜରେ ଏହାର ଦଗ୍ଧକନକ ସଦୃଶ ପ୍ରାକୃତିକ ନିଚ୍ଛକତା ଓ ସୁଷମାସମୃଦ୍ଧି ସମଗ୍ର ଭାରତବର୍ଷରେ ଅନବଦ୍ୟ ସୌନ୍ଦର୍ଯ୍ୟର ବିଜ୍ଞାପକ ଅଟେ । ଏହାର ମୃତ୍ତିକାର ମୂର୍ତ୍ତିମନ୍ତ ପରିଗ୍ରହ ଭାବସମୁଦ୍ରର ରସସମ୍ବେଦୀ ତଟିନୀମାନଙ୍କ ଦ୍ବାରା ପରିପାଳିତ । ଏହାର ସ୍ରୋତ ଐତିହ୍ୟର ଆବେଗ, ଉତ୍କଣ୍ଠା, ମତି ଓ ହର୍ଷର ଉତ୍ଥାନ ଓ ପତନ ମଧ୍ୟରେ କ୍ରମଶଃ କ୍ଷୟବର୍ତ୍ତୀ ଇତିହାସକୁ ଦୀନତାରୁ ଉଶ୍ଵାସ ପ୍ରଦାନ କରି ଆସୁଅଛି ।
ସଭ୍ୟତାର ଉନ୍ମୁଖ ଓ ଶିଳ୍ପୋନ୍ନତ ଦେଶରେ ଏପରି ଅନେକ କୀର୍ତ୍ତି ରହିଅଛି ଯାହା କାଳରୂପୀ ବିଷମ ଅରାତିକବଳରେ ଚୂର୍ଣ୍ଣକୁନ୍ତଳ ହୋଇ ପତିତ । ଇତିହାସର ଗାର୍ହସ୍ଥ୍ୟ ସୁଖ ଆସ୍ଵାଦନ ଲାଗି ବର୍ତ୍ତମାନ ସମୟର ଭଗ୍ନସ୍ତୂପ ମାନଙ୍କ ମଧ୍ୟରେ ତାହାର ସନ୍ନ୍ୟାସ ହେଲେ ବି ସ୍ଵୀକାର କରିପାରୁ ନାହିଁ ସମକାଳୀନ ସଭ୍ୟତା । ଆଜି ଉତ୍କଳର ବିହିତ ଓ ସର୍ବାଙ୍ଗୀନ ପ୍ରସିଦ୍ଧି ସହ ତୃପ୍ତିମନସ୍କ ଅପାର୍ଥିବ ତତ୍ତ୍ଵକୁ କେତେ କିଛି ଇୟତ୍ତା ରହିଯାଏ । ହେଲେ ମଧ୍ୟ ଏମାନଙ୍କ ଗାତ୍ରରେ ଆଜି ବି ସଭ୍ୟତାର ଶାନ୍ତି ରସାସ୍ପଦ ଧ୍ଵନି ଅନୁରଣି ଉଠୁଛି ।
କଥିତବ୍ୟ ଯେ ଏକଦା ଏହି ସ୍ଥାନଟି ପ୍ରାଚୀ ସଭ୍ୟତାର ଅଂଶଭୁକ୍ତ ରହିଆସିଥିବାର କେତେ ଐତିହାସିକ, ଇତିହାସାନୁରକ୍ତ ତଥା ଇତିହାସପ୍ରୋଥିତ ଭୂଗୋଳ ଅଭିଜ୍ଞମାନଙ୍କ ଅନୁସନ୍ଧିତ୍ସାରୁ ଅବଗତ ହେଇପାରୁଛୁ । ଆମ୍ଭର ସବୁ ଜାତୀୟ ସତ୍ତା ଓ ଗୌରବ ପ୍ରତୀକିତ ଐତିହ୍ୟର ଦାୟିତ୍ଵମାନଙ୍କ ଆଗରେ ସେ ସମସ୍ତ ନତ । ଏହିମତେ ଆମ୍ଭର ଶିଳ୍ପନୈପୁଣ୍ୟର ନିରୁପଦ୍ରୁତ ଛଟାର ପତନାବସ୍ଥା ବଞ୍ଚିତ ଅନେକତଃ ଅନୁଭାବଗୁଡିକ ସଜ୍ଞାନରେ ଦୃଷ୍ଟିଗୋଚର ହେଇଛି । ମାତ୍ର ସର୍ବସ୍ଵ ହରା ମାଟିର ଅବନତ ଦଶାକୁ କହି ଉଠୁଛନ୍ତି ପାଷାଣ ଖୋଦା ରନ୍ଧ୍ରରୁ ତ କେଉଁ ମାଳଭୂମିର ମଳୟସଞ୍ଚାରୀ ମୁକୁଳ ମୁଞ୍ଜରିତ ସୂଚୀଭେଦ୍ୟ ତିମିର ତଥା ଆଲୋକର ବୋହୂବୋହୂକା ଖେଳ ହେଇ । ହେଲେ ବି ସେମାନଙ୍କ ମୂକସାକ୍ଷୀ ଭାବରେ ସ୍ନିଗ୍ଧ ଇତିହାସର ସିଦ୍ଧାନ୍ତ ମାନ ଗୃହୀତ ଓ ଅବହିତ ।
କଳାରାହାଙ୍ଗ ଗ୍ରାମ ପୂର୍ବରୁ ଦହମାନଙ୍କ ଦ୍ଵାରା ପ୍ରଚୁର ଭାବରେ ଆପ୍ଳୁତ ରହିଆସି ନାନାପ୍ରକାର ପୁଷ୍ପପ୍ରସବର ସୂତିକାଗାର ରୂପେ ସମଗ୍ର ଅଞ୍ଚଳକୁ ଜଳକନ୍ଦଳୀର ଅନ୍ତର୍ଜାଲରେ ନୀଳୋତ୍ପଳକୁ ନିବିଡ଼ ରଖି ସୀମନ୍ତର ଆଜୀବନ ସ୍ବପ୍ନ ଓ ଜିଜୀବିଷା ଦ୍ଵାରା କୋରକିତ ହେଇ ସାରିଥିଲା । ବର୍ତ୍ତମାନର ଇଞ୍ଜଣା ଓ କଳାରାହାଙ୍ଗ ଦେଇ ଗଲେ ସୁଷମା ଆବିର୍ଭାବରେ ନୟନପ୍ରାର୍ଥୀ ଦର୍ଶକର ସ୍ଵୟଂସମ୍ପୂର୍ଣ୍ଣ ଅନୁଭବ ପାଇପାରିବ ଦହମାନଙ୍କ ମଧ୍ୟରେ ପଙ୍କିଳ ସବୁଜିମାର ସମ୍ଭାର ।
ପଟିଆ ଦହ ହିଁ ଏହିପରି ଏକ ସୃଷ୍ଟ ଗଡମାନଙ୍କ ମଧ୍ୟରେ ଶିରୋନ୍ନତ କୀର୍ତ୍ତି ଭାବରେ ଦିନେ ବୀରତ୍ଵ ସହକାରେ ଫଳନ୍ତୀ ହେଇପାରିଥିଲା । ଯାହାର ପ୍ରମାଣଗରିଷ୍ଠ ଉପପାଦ୍ୟ ଭାବରେ ଏହି ସମଗ୍ର ଅଞ୍ଚଳରେ ଇତିହାସର କୃଶଗର୍ଭା ଓ କୁବ୍ଜବତୀ ମାଟି ଉପରେ ତିଷ୍ଠିଥିବା ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଦେବାୟତନ ପ୍ରଦାନ କରି ଆସିଛି । ଭୁବନେଶ୍ଵରର ସୀମା ପ୍ରାକ୍ତନ ସମୟରେ ବହୁବାର ପରିବର୍ତ୍ତନ ହେଇଥିବା ସମୟରେ ପଟିଆ ଇଂରେଜଙ୍କ ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ ସମୟରେ ଏକ ଲାଖରାଜ କିଲ୍ଲା ଭାବେ ଜଣାଯାଏ ।
ଏହି ପଟିଆ ପାଇଁ ଭୁବନେଶ୍ଵରର ଉତ୍ତର ଦକ୍ଷିଣାଭିମୁଖୀ ବିସ୍ତୃତି ସର୍ବାଦୌ ଉନ୍ମୁଖ ରହିଆସିଛି । ତେବେ ପୂର୍ବୋକ୍ତ ପ୍ରସଙ୍ଗରେ ଆମ୍ଭ ଦ୍ଵାରା ଉତ୍ଥାପିତ ପ୍ରାଚୀ ନଦୀ ଭୁବନେଶ୍ୱର ଉପକଣ୍ଠରେ ନୀରଗର୍ଭା ହୋଇ ଦିନେ ପ୍ରବାହିତା ଥିଲା । ‘ପଦ୍ମପୁରାଣ’ ର ବିଶେଷ କେତେକ ଅଧ୍ୟାୟମାନଙ୍କରେ ବକ୍ଷ୍ୟମାଣ ବିଷୟହେତୁକ ପ୍ରସଙ୍ଗମାନଙ୍କର ସୁବିଦିତ ଆଲୋଚନା ଲାଗି ଆମ୍ଭ ନିକଟରେ ଉପଲବ୍ଧ ସୂତ୍ରଟି ହେଉଛି ‘ପ୍ରାଚୀ ମାହାତ୍ମ୍ୟ’ । ଏହାର ପୌରାଣିକ ପ୍ରସଙ୍ଗ ନିଶ୍ଚିତ ଆଲୋଚ୍ୟ ।
ଭାରତର ପ୍ରସିଦ୍ଧ ତ୍ରିବେଣୀସଙ୍ଗମର ଅନ୍ୟତମ ପୂତନୀରା ସରସ୍ଵତୀ ସତ୍ୟଯୁଗରେ ବ୍ରହ୍ମାଙ୍କ କମଣ୍ଡଳୁରୁ ପାଣି ତଳେ ପଡି ସୃଷ୍ଟି ହୋଇଛି । ‘ପ୍ରାଚୀ ମାହାତ୍ମ୍ୟ’ ଅନୁଯାୟୀ ଶିବଙ୍କ ରେତଃପାତ ଯୋଗୁଁ ଯେଉଁ ବାଡବାଗ୍ନି ଚିହିଁକି ଉଠେ, ତାହାର ପ୍ରକୋପରୁ ରକ୍ଷା କରିବା ଲାଗି ଦେବାନୁଗ୍ରହରେ କନକଗିରିରୁ ଜାତ ସରସ୍ଵତୀ ପୂର୍ବମୁଖୀ ହୋଇ ପାତାଳରୁ ବାହାରନ୍ତେ ଏହା ପ୍ରଶମିତ ହେଲା । ଏହି ପ୍ରାଚୀ ନଦୀ ବର୍ତ୍ତମାନ ପୁରୀ, ଖୋର୍ଦ୍ଧା, କଟକ ଆଦି ଜିଲ୍ଲାମାନଙ୍କ ଦେଇ ପ୍ରବାହିତ ।
(Image Courtesy: Google)
ବର୍ତ୍ତମାନର ପ୍ରାଚୀ ନଦୀ କୂଳରେ ସିନ୍ଧୁସଭ୍ୟତାଠୁ ମଧ୍ୟ ଅର୍ବାଚୀନ ଇତିହାସର ପ୍ରାମାଣିକ ଠାବ ଦୃଷ୍ଟାନ୍ତସ୍ଥାନୀୟ । ଆଉ ଏହି ପ୍ରାଚୀ ନଦୀ ବର୍ତ୍ତମାନର ପୁରୀ ମୁଖ୍ୟ ଅବବାହିକାରୁ ଯାଉଥିବା ଅନ୍ୟତମ ପ୍ରମୁଖ ସ୍ରୋତ ଭାବରେ ପୂର୍ବେ ବେଶ୍ ପ୍ରସିଦ୍ଧ ଓ ପ୍ରଶସ୍ତ ଥିଲା । ଏହାର ବିବରଣୀ ଛପାଏ ୧୯୦୩ ମସିହାର ପୁରୀର ଜିଲ୍ଲା ସୂଚୀଗତ ବିଜ୍ଞପ୍ତି (ଗେଜେଟିୟର୍) । ଆଉ କାଠଯୋଡି ସେହି କାଳେ କ୍ଷୁଦ୍ରସ୍ରୋତରେ ବହୁଥିବାର ଦୃଷ୍ଟାନ୍ତ ରହିଛି । କୁହାଯାଏ ଯେ ଏହି କୃଶତା ଲାଗି ଦୁଇଖଣ୍ଡ କାଠ ଯୋଡି ଲୋକ ନଦୀପାରି ହୋଇ ପାରୁଥିବାରୁ ଏପରି ନାମକରଣ ।
ସେଥିପାଇଁ ବର୍ତ୍ତମାନର (ଦକ୍ଷିଣଗାମିନୀ) କୁଆଖାଇ, କାଠଯୋଡି, ଭାର୍ଗବୀ, ଦୟା, କୁଶଭଦ୍ରା ପ୍ରଭୃତିର ଉତ୍ପତ୍ତି ପୂର୍ବରୁ ପ୍ରାଚୀନଦୀର ସୃଷ୍ଟି । କଥିତବ୍ୟ ଯେ ଭୁବନେଶ୍ୱର ଉପକଣ୍ଠରେ ସ୍ଥିତ ଫୁଲନଖରା ଓ ତେଲେଙ୍ଗାପେଣ୍ଠ ପାଖରେ ସ୍ଵଗୃହୀତନାମା ଗଣ୍ଡ ଓ ଦହ ଥିଲା । ଏବଂ ସେହି ଗଣ୍ଡମାନ ସବୁ ଏତେ ଗଭୀର ଯେ ପ୍ରବାଦମତେ ତାହା ହାତୀକୁ ସୁଦ୍ଧା ବୁଡେଇ ଦେଇପାରିବ । ଏହିପରି ଭାବେ ବର୍ତ୍ତମାନର କଟକ ଓ ଭୁବନେଶ୍ୱର ଉପକଣ୍ଠରେ ସ୍ଥିତ ଫୁଲନଖରା ପୂର୍ବରୁ ପାଣ୍ଡରା ଛକ ଦେଇ ଗଲେ କଲ୍ୟାଣପୁର, ବରିମୁଣ୍ଡ, ରୋକଟା ସ୍ଥାନ ଦେଇ ପ୍ରାଚୀ ନଦୀ ବହୁଥିଲା ।
ସେହି ସମୟରେ ଏହି ଉପରୋକ୍ତ ଗ୍ରାମଗୁଡିକ ଅଧିକାଂଶ ସମୟ ବୁଡି ରହୁଥିଲା । ଖାଲଢିପ ଅଞ୍ଚଳକୁ ଉପରତଳ ହୋଇ ଏକାଧିକ ପଙ୍କିଳ ଦହ ସୃଷ୍ଟି ହୋଇ ସାରିଥିଲା । ବର୍ତ୍ତମାନ କିନ୍ତୁ ଆଧୁନିକ କଟକ ଓ ଭୁବନେଶ୍ୱର ମଧ୍ୟରେ ସେତୁ ନିର୍ମାଣ ପରବର୍ତ୍ତୀ କାଳରେ ପ୍ରାଚୀ ନଦୀର ଗତିପଥ ବଦଳିଗଲା । ଯାହା ବର୍ତ୍ତମାନ ଏକ କ୍ଷୁଦ୍ର ସ୍ରୋତ ସ୍ଵରୂପ ବାଲିଅନ୍ତାରେ ପ୍ରବାହିତ । ଏହି ସ୍ଥାନରେ ବର୍ତ୍ତମାନ କୁଆଖାଇ ନଦୀ ପ୍ରବାହିତ । କୁଆଖାଇ ନଦୀ କୂଳରେ ରହିଅଛି ପ୍ରାଚୀ ଉପତ୍ୟକାର ପ୍ରସିଦ୍ଧ ମନ୍ଦିର – ଲକ୍ଷେଶ୍ଵର ମହାଦେବ ।
ସବୁଜିମା ଘେରା ବ୍ରଣଂଦ୍ରଷ୍ଟ ବସତିମାନଙ୍କ ମଧ୍ୟରେ ବୁଢୀ ନଈର ଠିକ୍ ଅପରପାର୍ଶ୍ଵ ସଂଲଗ୍ନ କ୍ଷେତ୍ର ଉପରେ ଲକ୍ଷେଶ୍ଵର ମହାଦେବଙ୍କ ପୀଠ ଅବସ୍ଥିତ । ବେତସ ବନର ହାନ୍ଦୋଳ ବିଧୂନିତ ମନ୍ଥରଗତା କୂଳଂକଷାରୁ ଶୀକର ପୁଞ୍ଜା ପୁଞ୍ଜା ଧାନ କିଆରୀର କନ୍ଦଳକୁ ସ୍ମୃତି ଓ ସ୍ମାରକୀ ମଧ୍ୟରେ ରୋମନ୍ଥନ କରେ । ଏହି ମାଟିରେ ଶିଳାବଦ୍ଧ ଠାବେ ଠାବେ ଦେଉଳମାନଙ୍କ ଅଭିନବ ଭିଆଣ ଆଗହୁଁ ପତ୍ରଝଡା ଓ ସୁବର୍ଣ୍ଣ ଶସ୍ୟସମ୍ଭାରରେ ଆଧିପତ୍ୟ ଆଜି ବି ଅବ୍ୟାହତ ରହିଛି । ହେଲେ ଉଢୁଆଳ ରହିଯାଇଛି ଏମନ୍ତ କୀର୍ତ୍ତି ।
ଏହି କୁଆଖାଇ କୂଳରେ ବରାହ କେଶରୀଙ୍କ ଦ୍ଵାରା ପଳାଶୁଣି ଓ ରସୁଲଗଡର ପରିପାର୍ଶ୍ଵର ଏକ ପୋଲ ଗଢିଥିବାର ମାଦଳାପାଞ୍ଜି ମଧ୍ୟ ଲେଖିଯାଇଛି । କିଛି ଦୂରରେ ଏହାର ପଥରକୋଟ ଠାରେ (ବର୍ତ୍ତମାନର ବାଲିଅନ୍ତା) ରେ ଗଙ୍ଗବଂଶୀୟ ଚତୁର୍ଥ ନରସିଂହ ଦେବଙ୍କ ଦ୍ଵାରା ଶ୍ରୀନୃସିଂହଙ୍କ ମନ୍ଦିର ବିଦ୍ୟମାନ । ଏଠାବରେ କଳାମୁଗୁନିର ହିରଣ୍ୟକଶିପୁ ବିଦାରକ ଶକ୍ତିଧର ନୃସିଂହଙ୍କ ଅପୂର୍ବ ଗଠିତ ମୂର୍ତ୍ତି ପୂଜିତ । ପୂର୍ବେ ଏହି ମନ୍ଦିର ଦେଇ ଜଗନ୍ନାଥ ସଡକ ରହିଥିଲା ।
ଲକ୍ଷେଶ୍ଵର ମନ୍ଦିର ସୋମବଂଶୀ କୀର୍ତ୍ତି । କଳାରାହାଙ୍ଗ ଜଳେଶ୍ବର ମନ୍ଦିରଠାରୁ ଏହା ୫ କିଲୋମିଟର ଦୂରରେ କୁଆଖାଇ ନଦୀବନ୍ଧର ଅପରପାର୍ଶ୍ଵରେ ଅବସ୍ଥିତ । ସୁନ୍ଦର କାରୁକାର୍ଯ୍ୟର ଗନ୍ତାଘର ଭାବେ ଦିନେ ପରିଚିତ ଥିବା ଏହି ମନ୍ଦିର ୧୯୯୯ ମସିହା ବେଳକୁ ଧବଳ ଚୂନଲେପ ଦ୍ଵାରା ରକ୍ଷିତ ହେବାରୁ ବର୍ତ୍ତମାନ କେବଳ ଗାତ୍ରଖୋଦିତ ମୁଷ୍ଟିମେୟ ମୂର୍ତ୍ତି ହିଁ ସୁଦୃଷ୍ଟ । ଏହା ୧୯୬୦ ଦଶନ୍ଧି ବେଳକୁ ରାଜ୍ୟ ପ୍ରତ୍ନତତ୍ତ୍ଵ ସଂସ୍ଥା ଦ୍ଵାରା ସଂରକ୍ଷିତ ହେବା ସହ ଏହାର ଚତୁର୍ପାର୍ଶ୍ଵରେ ପଥରପ୍ରାଚୀର ଉଠାଯାଇଛି । ପ୍ରଭୁ ଲକ୍ଷେଶ୍ଵର ମହାଦେବଙ୍କ ସ୍ଫୀତ ତନିମାର ଦମ୍ଭନତ ସନ୍ଦର୍ଶନ ଉପଲକ୍ଷ୍ୟରେ ଶସ୍ୟଶ୍ୟାମଳିମା ପୁଷ୍ଟ ।
ସ୍ଵର୍ଣ୍ଣାଦ୍ରିର ତୀରଫୁଲ ଅବା ତମସାର ରଣିଫୁଲ ପରି ଚହଟଚିକ୍କଣ, ଏକକ ଓ ଛବିଳ ! ଘନଶ୍ୟାମ ବନ୍ୟଯୂଥିର ଛିଟାରେ ବର୍ତ୍ତମାନର ହେମନ୍ତ ସ୍ଵର୍ଣ୍ଣଶୀର୍ଷ ଓ ଧାରାହତ ତଣ୍ଡିପଠା ମାନଙ୍କ କ୍ଳେଦଶୂନ୍ଯ ଗ୍ରାମଭୂମି ପ୍ରକୃତିର ଏକ ଏକ ଅଭିଜାତ ଶ୍ରେଣୀ । ଖାଲୁଆ ଜମି ଦେଇ ପରପାରିକୁ କ୍ଷେତ ମଝିରେ ପୁଷ୍ପାବରଣରେ ସହକାର ନଗରୀ ବାସୀଙ୍କ ଉତ୍କଣ୍ଠା ଓ ଉତ୍ସାହର ପେଣ୍ଠସ୍ଥଳୀ । ପୂଗ, ପୁନ୍ନାଗ, ତମାଳ , ତାମ୍ଵୁଳ, ନାରିକେଳ, ବାଉଁଶ ପ୍ରଭୃତି ଦେଇ ସମୀରଣ ଅଘନ ଗହଳରୁ ଐକ୍ୟତାନ ଭସାଇ ଆଣେ !
(ଜଗମୋହନ ଉପରଭାଗରେ ରାଜାଙ୍କ ଚିତ୍ର ବିଦ୍ୟମାନ)
ଲୋକଶ୍ରୁତିରୁ ବହୁଳ ଭାବରେ ଯାହା ଜଣାଯାଏ, ତାହା ହେଉଛି ଅତୀତର ପୋତବାହୀ ସାଧବମାନଙ୍କ ନିର୍ବିଘ୍ନ ଲକ୍ଷ୍ୟର ପଥିକୃତ ପୀଠ ଥିଲା ଲକ୍ଷେଶ୍ଵର ମନ୍ଦିର । ଲକ୍ଷେଶ୍ଵର ମହାଦେବ ପୂର୍ବରୁ କୁଆଖାଇ ନଦୀର ଆରପଟରେ ପୂଜା ପାଉଥିଲେ । ପୂର୍ବୋକ୍ତ ଆଲୋଚନାରୁ ଯାହା ଆମେ ଜାଣିଅଛୁ ତାହା ହେଉଛି ଏହିଠାବେ ପ୍ରାଚୀ ନଦୀ ବହିଯାଉଥିଲା । ହେଲେ ବେପାର ବାଣିଜ୍ୟ ଉଦ୍ଦିଷ୍ଟ ଅଭିଯାତ୍ରାରେ ବାହାରିଥିବା ସାଧବପୁଅମାନଙ୍କ ପାଇଁ ନଖରାର ଗଣ୍ଡ ମୃତ୍ୟୁଦୂତ ଭାବେ ଉଭା ହେଇ ରହୁଥିଲା । ସେଠାରେ ଅନେକ ଡଙ୍ଗା ବୁଡିଯାଉଥିଲା ।
ସେହିପରି ଭାବରେ ଜଣେ ବଣିକ ଥରେ ପ୍ରାଚୀ ନଦୀ ଦେଇ ବଣିଜ ଉଦ୍ଦେଶ୍ୟରେ ଯାଉଥିବା ସମୟରେ ତାଙ୍କର ନାବଟି କୂଳରେ ଦୁର୍ଘଟଣାଗ୍ରସ୍ତ ହୁଏ । ଫଳସ୍ଵରୂପ, ନିଜର ବଣିଜ ଉଦ୍ଦେଶ୍ୟକୁ ଭଣ୍ଡୁର ହେବାର ଆଶଙ୍କା କରି ଦେବ ଦେବ ମହାଦେବଙ୍କୁ ସ୍ମରଣ କରି ସେହି କୂଳରେ ସ୍ଥାପନା କରି ପୂଜା କରିଲେ । ଆକସ୍ମିକ ଭାବେ ତାଙ୍କ ପୋତଟି ବର୍ତ୍ତମାନ ଦୁର୍ଘଟଣାରୁ ବ୍ୟାହତ ରହି ଠିକ୍ ହେଲା ପରେ ଲକ୍ଷେଶ୍ଵର ମହାଦେବଙ୍କ ମହିମା ଲୋକସମାଜରେ ପ୍ରକଟିତ ହେଲା ।
ପରବର୍ତ୍ତୀ ସମୟରେ ଜନୈକ ଭକ୍ତ ଆଦ୍ୟ ଲକ୍ଷେଶ୍ଵରଙ୍କ ଦର୍ଶନାର୍ଥୀ ହୋଇ ପ୍ରାଚୀ ନଦୀ ପାରିହେବାକୁ ମନସ୍ଥ କରେ । ମାତ୍ର ପ୍ରାଚୀ ନଦୀରେ ସେହି ସମୟରେ ବନ୍ୟାଜଳ ପ୍ରବାହିତ ହେତୁ ନଦୀ ପାରି ହେବା ଅସମ୍ଭବ । ମ୍ରିୟମାଣ ଭକ୍ତର ଦୁଃଖାବହ ବାରଣ ଲାଗି ପ୍ରଭୁ ଆଦ୍ୟ ଲକ୍ଷେଶ୍ଵର ସ୍ଵପ୍ନାଦେଶ କଲେ ଯେ ସେ ପ୍ରାଚୀ ନଦୀର ଅପର ପାର୍ଶ୍ଵରେ ବିଦ୍ୟମାନ ରହି ଭକ୍ତଙ୍କୁ ଦର୍ଶନ ଦେବେ । ବର୍ତ୍ତମାନର ପ୍ରତିଷ୍ଠିତ ସୁଖ୍ୟାତ ଦେଉଳ ହେଉଛନ୍ତି ସେହି ବିଲ ଲକ୍ଷେଶ୍ଵର ମହାଦେବ ମନ୍ଦିର ।
ଏହାଙ୍କୁ ସ୍ମରଣ କରି ପୂର୍ବେ ନୌଯାତ୍ରାକୁ ନିର୍ବିଘ୍ନ ହେବା ଲାଗି ସାଧବ ବଣିକମାନେ ଅଧ୍ୟା ପଢି ଦେଶଦେଶାନ୍ତରକୁ ଯାଉଥିଲେ । ଲକ୍ଷ୍ଯସ୍ଥଳରେ ଏକଲୟ ମନସ୍ଥ ଭକ୍ତର ପଥକୁ ସୁଗମ କରି ନାମ ବହିଲେ ଲକ୍ଷେଶ୍ଵର । ଠାକୁରଙ୍କ ମହିମାରୁ ନୌବାହୀ ସାଧବମାନେ ବାଧାଶୂନ୍ୟ ବଣିଜ କରି ଘରଫେରନ୍ତା ହେଇପାରୁଥିଲେ । ରସୁଲଗଡ ଆଗକୁ ସ୍ଥିତ ଏନ୍ ଏଚ୍ – ୧୬ ଠାରୁ ମାତ୍ର ୬ କିଲୋମିଟର ଆଭ୍ୟନ୍ତରୀଣ ରାସ୍ତା ଘେନି ଲକ୍ଷେଶ୍ଵର ମନ୍ଦିର ଦୃଶ୍ୟମାନ ହୁଏ । ଆଉ ଗ୍ରାମର ନାମ ବରିମୁଣ୍ଡ ।
ଦୁଇ ଏକର ଜମିରେ ପରିବେଷ୍ଟିତ ରେଖାଶୈଳୀରେ ଭିଆଣ ହେଇଥିବା ପଞ୍ଚରଥ ଶୈଳୀର ଏହି ମନ୍ଦିରରେ ରହିଛି ସୁନ୍ଦର ମୁଖଶାଳାକୁ ସମ୍ମୁଖସ୍ଥ ନାଟ୍ୟମଣ୍ଡପ, ଦୋଳମଣ୍ଡପ ଓ ପାର୍ଶ୍ଵସ୍ଥ ଯଜ୍ଞବେଦୀ, ରୋଷଘର ଓ ପୃଷ୍ଠପଟ୍ଟକୁ ଏକ ପୁଷ୍କରିଣୀ । ବୃକ୍ଷମାନଙ୍କ ମଧ୍ୟରେ ଥିବା ଏହି ମନ୍ଦିର ପୂର୍ବରୁ ଗଡାଣିକୁ ଏକ ଛୋଟ ସାହି ପରେ ମନ୍ଦିର ପଡିବ । ଜଳେଶ୍ବର ମହାଦେବଙ୍କ ବ୍ୟତିକ୍ରମରେ ପୂର୍ବ ଦେଉଳମାନଙ୍କ ପରି ଏହା ପୂର୍ବମୁଖୀନ । ଏହି ସ୍ଥାନକୁ ଲାଗି ବହୁ କଦଳୀ ଓ ନଡିଆ ଗଛ ଫଳିଥାଏ ।
ଏହାର ପଶ୍ଚିମପାର୍ଶ୍ଵକୁ କାର୍ତ୍ତିକେୟ, ଦକ୍ଷିଣପାର୍ଶ୍ଵକୁ ପାର୍ବତୀ ତଥା ଉତ୍ତରପାର୍ଶ୍ଵକୁ ଗଣେଶ ରହିଛନ୍ତି । ଏଥି ସହ କାରୁକାର୍ଯ୍ୟ କହିଲେ କେତେକ ସ୍ଥାନରେ ନାଗନାଗୀ ମୂର୍ତ୍ତି ଚୂନଲେପ ଭିତରେ ରହିଛି ଓ ଅନ୍ୟତ୍ର ଚାରୋଟି ତୂରୀ, ଭେରୀ, ବଂଶୀ ଓ ଘୋଷବାଦ୍ୟ ଧରିଥିବା କନ୍ୟାମାନଙ୍କ ଛବି । ଏହିଠାରେ ବିରଳ ମୂର୍ତ୍ତି ଭାବରେ ରହିଅଛି ବିଷ୍ଣୁଙ୍କ (ନୀଳମାଧବ) ଅଭଙ୍ଗ ଅଥଚ ସୂକ୍ଷ୍ମ ମକର ତୋରଣ ଶୋଭିତ କଳାମୁଗୁନି ବିଗ୍ରହ । ଏହା ମନ୍ଦିରର ଦକ୍ଷିଣପାର୍ଶ୍ଵରେ ସ୍ଥାନୀତ ରହି ହରିହର ପୀଠର ପରିଚିତି ଦିଏ ।
କିମ୍ଵଦନ୍ତୀ ଅନୁସାରେ, ଏହି ବିଷ୍ଣୁପ୍ରତିମାକୁ ମନ୍ଦିର ପାଖରେ ଫିଙ୍ଗି ଦେଇଥିଲା କଳାପାହାଡ଼ । ସେତେବେଳେ ମନ୍ଦିରମାନଙ୍କୁ ଆକ୍ରମଣ କରିବା ସମୟରେ ଲକ୍ଷେଶ୍ଵର ମନ୍ଦିର ମଧ୍ୟ ଏହି ବର୍ବର ଯବନର ଚକ୍ଷୁଶୂଳ ହୁଏ । ହେଲେ ପରବର୍ତ୍ତୀ ସମୟରେ ତାହାକୁ ଉଦ୍ଧାର କରାଯାଇ ପୂଜା କରାଯାଉଛି । ସ୍ଫଟିକ ନେତ୍ରଦ୍ଵୟକୁ ଚତୁର୍ଭୁଜ ରୂପରେ ରହି ଗଦାବ୍ଜ ଚକ୍ରଧାରୀଙ୍କ ମନୋରମ ଛଟା ଦେଖି ଦର୍ଶନାର୍ଥୀ ଅଭିଭୂତ ହୋଇଯାଏ। ହେଲେ ଆଜି ନାହିଁ ସେହି ସାତତାଳ ସ୍ଵଚ୍ଛ ପୁଷ୍କରିଣୀ କିମ୍ବା ପ୍ରାଚୀନ ମାନ୍ୟତାର ସ୍ଵାଭିମାନ !
ଇତିହାସ ଅନୁସାରେ ମହାମେଘବାହନ ଐର ଖାରବେଳ ଅନେକ ନାଳ ତୋଳାଇଥିଲେ । ଯାହା ମଧ୍ୟରୁ ଅନ୍ୟତମ ହେଉଛି ତ୍ରିଶୂଳିଆ ବା ପ୍ରାଚୀନ ”ତନଶୂଲ୍ୟା” । ହାତୀଗୁମ୍ଫା ଶିଳାଲେଖର ଷଷ୍ଠ ଧାଡି ଏହାର ସମୁଚିତ ଉଲ୍ଲେଖ କରି ଜଣାଏ । ଏହି ନାଳକୁ ସେ ବିସ୍ତୃତି ପ୍ରଦାନ କରିବା ପୂର୍ବରୁ ପ୍ରାକ୍ତନ ରାଜା ନନ୍ଦବର୍ଦ୍ଧନ ତୋଳାଇ ଥିଲେ । ଏହାକୁ ସେ ନିଜର ରାଜଧାନୀ ଯାଏ ଖୋଳାଇବା କାଳେ ପ୍ରାଚୀ ଓ ଶୋଲ ନଦୀକୁ କୁଆଖାଇରୁ ଖୋଳାଇ ଆଣିଥିଲେ। ଆଉ ଏହି ଶୋଲ ନଦୀ ଆମର ପୂର୍ବୋକ୍ତ ବାଲିଅନ୍ତା ପାର୍ଶ୍ଵବର୍ତ୍ତୀ ଜଗନ୍ନାଥ ସଡକର ପୂର୍ବରେ ଉତ୍ପତ୍ତି ।
ତେବେ ବିଶିଷ୍ଟ ଗବେଷକ ସୁଧାକର ପଟ୍ଟନାୟକଙ୍କ “Extract From a Report On the Ancient Fort of Churang” (୧୯୩୦) ସମ୍ୟକ୍ ଭାବରେ ଦର୍ଶାଇଥାଏ ଯେ ନରାଜର ପ୍ରାୟ ଏକ ମାଇଲ୍ ଊର୍ଦ୍ଧ୍ଵରେ ମହାନଦୀର ଦକ୍ଷିଣ ତୀରକୁ ‘ଡାକିଆମ୍ଵା’ ନାମକ ସ୍ଥାନରେ ଅବବାହିକା ଖୋଳାଯାଏ । ଉକ୍ତ ଅବବାହିକା ଚୂଡଙ୍ଗ ଦୁର୍ଗର ଉପରରେ ଥିବା ବାରଙ୍ଗ ନଦୀ ରୂପେ ସମ୍ଭବତଃ ଖାରବେଳଙ୍କ ରାଜଧାନୀ ଯାଏଁ ବ୍ୟାପ୍ତ ଥିବାର ଅନୁମେୟ ।
(ମା ଜାଗୁଳାଇ ଓ ସମ୍ମୁଖସ୍ଥ କୁଆଖାଇ ନଦୀ)
କାରଣ ଭୌଗୋଳିକ ବିବରଣୀ ଓ ଖାରବେଳଙ୍କ ଶିଳାଲେଖ ସହ ଗବେଷକ ମହାଭାଗଙ୍କ ଉଲ୍ଲେଖ ଖାପ ଖାଇବାରୂ ସ୍ପଷ୍ଟତଃ କୁଆଖାଇ ନଦୀର ସୃଷ୍ଟି ଜଣାପଡୁଛି । ଜଗନ୍ନାଥ ସଡକର ପଶ୍ଚିମ ଦେଇ କୁଆଖାଇ ପ୍ରବାହିତ । ଆଉ କୁଆଖାଇର ପଶ୍ଚିମ ଭାଗକୁ ୭-୮ କିଲୋମିଟର ଦୂରକୁ ବାରଙ୍ଗ ନଦୀ ଓ ଏହାର ୭-୮ କିମି ଦୂରକୁ ପଶ୍ଚିମରେ ଡାକିଆମ୍ଵା । ଶୋଲ ନଦୀର ଉତ୍ପତ୍ତି ଗମ୍ଭାରି ଗଣ୍ଡରୁ (ଜଗନ୍ନାଥ ସଡକର ପୂର୍ବରେ ପୁରାକାଳରେ ଅବସ୍ଥିତ ଏକ ଗଭୀର ଗଣ୍ଡ) ହୋଇଥିବା ବେଳେ ଏହି ଗଣ୍ଡକୁ ଲାଗି ଫୁଲନଖରା ପୋଲ କୁଆଖାଇ ଓ ଗଣ୍ଡ ମଧ୍ୟରେ ରହିଛି ।
ଏହି ଶୋଲ ଉକ୍ତ ଗଣ୍ଡରୁ ପ୍ରାୟ ଦୁଇ ମାଇଲ ଯାଏ ଗଲା ଅନ୍ତେ ବାଲିପାଟଣା ଥାନାସ୍ଥ ଭିଙ୍ଗାରପୁରରେ ସ୍ଥିତ ପଶ୍ଚିମପଟକୁ କୁଶଭଦ୍ରାରେ ମିଶେ । ତହିଁ ଉତ୍ତାରୁ କୁଆଖାଇର ନଦୀଶଯ୍ୟାରେ ଧାତବପଦାର୍ଥର ପରିମାଣ ବେଶ୍ ସମୃଦ୍ଧ ଥିବାର ସଦ୍ୟତମ ଗବେଷଣା ଜଣାଯାଏ । ଭୁବନେଶ୍ଵରର ପ୍ରାକୃତିକ ପରିବେଶ ଏହି ଲକ୍ଷେଶ୍ଵର ମନ୍ଦିର ଅଞ୍ଚଳରେ ଅଧ୍ୟୟନଯୋଗ୍ୟ । କଙ୍କର, ବାଲିସିଆ, ପଟୁ ତଥା ପାହାଡ ବା ଅନୁଚ୍ଚ ମାଳଭୂମି ଦ୍ଵାରା ମୁଖ୍ୟତଃ ଗଠିତ ।
ଆମ୍ଭର ଆଲୋଚ୍ୟ ବାଣୀଭୂଷଣ ପଣ୍ଡିତ ମୃତ୍ୟୁଞ୍ଜୟ ରଥଙ୍କ ‘ନରାଜ’ କାବ୍ୟର ଭୌଗୋଳିକ ବାସ୍ତବତାରୁ ଯାହା ସମୀକ୍ଷଣ ସାପେକ୍ଷ ତାହା ହେଉଛି ଟଙ୍କିଳ ଗିରି ଓ ନଦୀଶଯ୍ୟାର ବିସ୍ତୃତିର ବିବରଣୀ । ଏହି ଟଙ୍କିଳ ମାଳଭୂମିକୁ ବେଢି ରହିଥିବା କ୍ଷୁଦ୍ରକାୟ ପାହାଡ଼ ଓ ମୁଣ୍ଡିଆ (“ଦକ୍ଷିଣେ ପାଟଳ ନେତଲ ମୁଣ୍ଡିଆ”) ସ୍ଥାନେ ସ୍ଥାନେ ମୁଣ୍ଡ ଟେକିଥିଲା । ମାଳଭୂମିର ଟଙ୍କିଳ ସ୍ଥାନଟି ବିସ୍ତୃତିକ୍ରମେ ବର୍ତ୍ତମାନ ଟାଙ୍ଗି ନାମରେ ଅଭିହିତ । ପୂର୍ବେ ଏହାକୁ ଜଙ୍ଗଲ ଓ ତୃଣଭୂମି ବହୁଳ ଭାବେ ଆଚ୍ଛାଦିତ କରି ରଖୁଥିଲା ।
ସାଧାରଣତଃ, ଦହ ସବୁ ଖୁବ୍ ଉଚ୍ଚମାନର ଭୂମିଜ ପଦାର୍ଥସମ୍ପନ୍ନ ଭୂତଳ ଜଳଭାଗ ଦ୍ଵାରା ପରିବେଷ୍ଟିତ । ଏଥିରେ ଅମ୍ଳର ପରିମାଣ ସ୍ଥାନ ବିଶେଷରେ ପୃଥକ୍ ପରିଲକ୍ଷିତ କରାଯାଏ, ଯାହା କ୍ଷାରତା, ଭୂମିଜ ପଦାର୍ଥର ସାନ୍ଦ୍ରତା ତଥା ଭୂତଳ ଜଳର ପ୍ରବେଶ ଓ ନିବେଶ ଉପରେ ନିର୍ଭରଶୀଳ । ମାତ୍ର, ଶୈବାଳରାଶିର ଆଧିକ୍ୟ ହେତୁ ଦହ ସମସ୍ତ ଭୂମିଜ ପଦାର୍ଥ ଅପେକ୍ଷା ବର୍ଷାରୁ ଜଳ ଓ ଅଧିକାଂଶ ଭୂମିଜ ପଦାର୍ଥ ଗ୍ରହଣ କରିଥାଆନ୍ତି । ଯାହାର ଅଧ୍ୟୟନ କୁଆଖାଇ ଓ ଏହା ପାର୍ଶ୍ଵବର୍ତ୍ତୀ ଭୂଗୋଳ ଉପରେ ପ୍ରଭାବ ପକାଏ ।
ଏହି ଦହମାନ ପାର୍ଶ୍ଵବର୍ତ୍ତୀ ପ୍ରାକୃତିକ ନିଃସର୍ଗରୁ ଖୁବ୍ ବେଶୀରେ ସ୍ଵତନ୍ତ୍ର ରହିଥାଆନ୍ତି । ଉକ୍ତ ମେଘପାୟୀ ଦହମାନଙ୍କର ଭୂମିଜ ପଦାର୍ଥର ସମ୍ପନ୍ନତା ଲାଗି ଏହାଙ୍କ ଦ୍ଵାରା ପାର୍ଶ୍ଵବର୍ତ୍ତୀ ଅନୁଚ୍ଚ ଗିରି ଶ୍ରେଣୀ ମାନଙ୍କରେ ଖଡିପଥର ବା କନ୍ଦାପଥର, ଗେଙ୍ଗୁଟି ପ୍ରଭୃତି ସୁଲଭରେ ପ୍ରାପ୍ତ ହୁଏ । ତେବେ ଏ ଦହମାନଙ୍କ ବିଶେଷ ଭୂମିକା ଏହି ଗିରିଶ୍ରେଣୀଙ୍କ ଲାଗି ଉପକାରୀ ହୋଇ ଆସିଛି ତାହାର ପ୍ରମାଣ ଆଜିର ଅନେକ ମନ୍ଦିର ଓ କୀର୍ତ୍ତି ମଧ୍ୟରେ ଥିବା ପ୍ରାଚୀନ ପଥର ସମୂହ ଜଣାଇଥାନ୍ତି ।
(ସୁଲଳିତ ଭଙ୍ଗୀରେ ତିଷ୍ଠିଥିବା ଗଣେଶ,
ସୌଜନ୍ୟ : ବିକାଶ ଦାସ)
ଦୃଷ୍ଟାନ୍ତସ୍ଵରୂପ, ଗଙ୍ଗୁଆ ଉପରେ ବରାହ କେଶରୀଙ୍କ ପୋଲ ମଧ୍ୟ ଏହି କନ୍ଦାପଥର ଦ୍ଵାରା ଗହୀର ମଧ୍ୟରେ ନିର୍ମିତ । ଏହିଠାରେ ଗଙ୍ଗୁଆର ଧାର ‘କିମ୍ଭିରିଆ ଯୋର’ ନାମରେ ବିଦିତ । ସେହିପରି ଭାବରେ ପଟିଆ ଓ ଚନ୍ଦକାରୁ ପୂର୍ବେ ଛତ୍ରୀ, ବେଦବତୀ ଭଳି ଝର ଯାଇଁ ମିଶୁଥିଲା କୁଆଖାଇରେ । ବର୍ତ୍ତମାନ କିନ୍ତୁ ଟାଙ୍ଗରା ଅଞ୍ଚଳରୁ ଜଳସ୍ରୋତଟିଏ ବାହାରି ଗଙ୍ଗୁଆ ନାମରେ ବହିଯାଇ କପାଳମୋଚନ ପୀଠ ସମୀପସ୍ଥ ଭୁବନେଶ୍ୱର ସୀମାରେ କୁଆଖାଇରେ ମିଳିତ ହୋଇଅଛି ।
ଏପରିକି ଚୂଡଙ୍ଗଗଡ, ଗୁଆଳିଗଡ, ପଟିଆଗଡ, ନରାଜ ପ୍ରଭୃତି ସ୍ଥାନରୁ ବୌଦ୍ଧ ମୂର୍ତ୍ତି, ଜୈନମୂର୍ତ୍ତି ତଥା ଦୁର୍ଗାଞ୍ଚଳରୁ ଉଦ୍ଧୃତ କଳା ଓ ମାଙ୍କଡା ପଥରର ପ୍ରାଚୀରର ପୁରାତନ ଅବଶେଷ ଏହାର ଅନେକ ସୂଚନା ଦିଏ । ପୂର୍ବ ପ୍ରସଙ୍ଗମାନଙ୍କରେ ଆମ୍ଭେ ଯାହା ଜାଣିବାକୁ ପାଇଲୁ ତାହା ହେଉଛି ଦହମାନଙ୍କ ପାର୍ଶ୍ଵବର୍ତ୍ତୀ ଅନୁଚ୍ଚ ଗିରିଶ୍ରେଣୀର ଭୂମିଜ ପଦାର୍ଥ ସମ୍ପନ୍ନ ପ୍ରସ୍ତରରାଜି । ଏହି ପାହାଡ ଗୁଡିକରୁ ପୁରାକାଳରେ ବହୁ ପରିମାଣରେ ପଥର କଟା ଯାଇ କୁଆଖାଇ, ଭାର୍ଗବୀ, ଦୟା ତଥା ପ୍ରାଚୀ କୂଳରେ ଅସଂଖ୍ୟ ମନ୍ଦିର ଗଢିଉଠିଥିଲା ।
ଫଳସ୍ଵରୂପ, ଲକ୍ଷେଶ୍ଵର ମନ୍ଦିରରେ ବ୍ୟବହୃତ ଓ ସମକାଳୀନ ତଟବର୍ତ୍ତୀ ଓ ଅଞ୍ଚଳ ମଧ୍ୟରେ ସ୍ଥିତ ମନ୍ଦିରମାନଙ୍କରେ ବ୍ୟବହୃତ ପଥର ସହିତ ଭୁବନେଶ୍ୱର ଓ କଟକ ଭଳି ଆଖପାଖ ଅଞ୍ଚଳର ପାହାଡ ପଥର ସହ ସାମଞ୍ଜସ୍ୟ ପରିଲକ୍ଷିତ ହୁଏ । ଲକ୍ଷେଶ୍ଵର ମନ୍ଦିରକୁ ପୂର୍ବେ ଜଗନ୍ନାଥ ସଡକ ଖୁବ୍ ନିକଟବର୍ତ୍ତୀ ଥିଲା ଓ ସେ ସମୟରେ ମହାପ୍ରଭୁଙ୍କ ଆନୀତ ରଥକାଠ ଏହି ମନ୍ଦିର ଠାବରେ ରହିକି ଯାଉଥିବାର ଜଣାଯାଏ । ଏହି ଅଞ୍ଚଳ ପ୍ରାଗୈତିହାସିକ କାଳର ଆଦିମ ଜନଜୀବନର ନିରୀକ୍ଷଣ ଲାଗି ଖୁବ୍ ଉପଯୁକ୍ତ ମନେହୁଏ ।
କୁଆଖାଇ ନଦୀର ବହୁ ଗ୍ରାମ ଓ ସ୍ଥାନ ପ୍ରାକ୍ତନ ଇତିହାସର ଘୁଣାକ୍ଷର ଆଜି । ପୂର୍ବେ ଏହିଠାରୁ ଭାଣପୁର, ଅଡସପୁର ଓ କଲ୍ୟାଣପୁର ଭଳି ଅଞ୍ଚଳରେ ଜୈନ ସମ୍ପ୍ରଦାୟଙ୍କ ବିଗ୍ରହସମୂହ ଗ୍ରାମଦେବତା ରୂପେ ପୂଜା ପାଇ ଆସୁଥିଲେ । ମାନ୍ୟ ଐତିହାସିକ କେଦାରନାଥ ମହାପାତ୍ର ସ୍ଵୟଂ ସୋଲ ଓ କୁଆଖାଇ ନଦୀର ପାର୍ଶ୍ଵ ବର୍ତ୍ତୀ ଜନପଦମାନଙ୍କରୁ ଜୈନମୂର୍ତ୍ତି ଆବିଷ୍କାର କରିଥିଲେ । ‘ନରାଜ’ କାବ୍ୟର ଅନେକାଂଶରେ ଶିଳାବାହୀ ଶ୍ରମିକଙ୍କ ସମ୍ପର୍କରେ କେତେକ ଆଲୋକପାତ କରାଯାଏ :
“ଭାରବନ୍ତ ଶିଳ ବସାଇ ମସ୍ତକେ
ଆସୁଛନ୍ତି ଥୋକେ ଖଣିରୁ ବାହକେ ।
ତାଙ୍କ ବିନା ଆଉ ସେ ଶିଳାଭାଜନ
ବହିବାକୁ କିଏ ହେବା ବା ଭାଜନ ?
× × ×
ସେଠା ବିଚିତ୍ରତା ନୋହିବଟି ହୁଡି
ମୁଦ ଦମକରେ ହୃଦ ଯାଏ ବୁଡି ।
ପ୍ରତି ଅର୍ଗଳିରେ ଯନ୍ତ୍ରାର୍ଗଳ ମାୟା
ଦେଖି ପାସୋରିବ କିଏ ତାର ଛାୟା ?”
ସେହିପରି ଭାବରେ ଲକ୍ଷେଶ୍ଵର ମନ୍ଦିର ପାଖରେ ଥିବା ମା ଜାଗୁଳାଇଙ୍କ କ୍ଷୁଦ୍ର ମନ୍ଦିର ଆଲୋଚ୍ୟ । ପଟିଆର ଶେଷ ଆଡକୁ ଗାଡକଣ ଗ୍ରାମ ନିକଟରେ ସ୍ଥିତ ବରିମୁଣ୍ଡ ଗ୍ରାମ ମୋଗଲ ଓ ଉତ୍କଳୀୟ ସାମ୍ରାଜ୍ୟାଧିକାରୀଙ୍କ ସୀମା ରହିଆସିଥିଲା । ଜଳେଶ୍ବର ମହାଦେବଙ୍କ ସ୍ଥାପନା ପୂର୍ବରୁ ସାରଙ୍ଗଗଡର କେଶରୀବଂଶୀ ରାଜା ଶ୍ରୀଲିଙ୍ଗରାଜଙ୍କୁ ପ୍ରତ୍ୟହ ଦର୍ଶନ କରିବା ପାଇଁ ଏକ ୧୫ କିମି ରାସ୍ତା ତିଆରିଥିଲେ । ଆଉ ଆଜିର ବରିମୁଣ୍ଡରେ ଥିବା କୁଆଖାଇ ସ୍ଥିତ ନଦୀବନ୍ଧ ସେହି ପ୍ରାଚୀନ ଚୂଡଙ୍ଗ ରାଜପଥର ଅବଶେଷ ।
(କାର୍ତ୍ତିକେୟ ବିଗ୍ରହ)
ଏଥି ସହିତ ଗଙ୍ଗବଂଶୀ ଚୋଡଗଙ୍ଗ ଦେବଙ୍କ ରାଜୁତିରେ ଏହି ରାସ୍ତା ମୁଣ୍ଡଳି, ନରାଜ, ଯାତମୁଣ୍ଡିଆ, ଡମପଡା ଦେଇ ବାଙ୍କୀ ରାସ୍ତା ଭାବରେ ତ୍ରିଶୂଳିଆ ଅଭିମୁଖୀନ । ବରିମୁଣ୍ଡ ଦେଇ ଯାଉଥିବା ରାସ୍ତା ଆଜି ମଧ୍ୟ ବହୁ ବ୍ୟବସାୟୀ ଓ ଯୋଗାଯୋଗର ଆବଶ୍ୟକ ସ୍ଥଳପଥ ରୂପେ ବ୍ୟବହୃତ । ଏହି ବରିମୁଣ୍ଡ ଦେଇ ଗଲେ ଶେଷକୁ କଲ୍ୟାଣପୁର ଗ୍ରାମ ଅତିକ୍ରମ କରି ପୁରୀ ମୁଖ୍ୟ ଅବବାହିକାର ଏକ ବଙ୍କିମ ଧାର ପାଖରେ ମା’ ଧାକୁଲେଇଙ୍କ ପୀଠ ଅବସ୍ଥିତ । ଏହା ମଧ୍ୟ ଏକ ସୁନ୍ଦର ଐତିହାସିକ ପୀଠ ।
ଏହା ପୂର୍ବରୁ ପୁରାତନ ତୋଷାଳୀର ରାଜପଥ ଭାବେ ମଧ୍ୟ ଏହି ବରିମୁଣ୍ଡ ବ୍ୟବହୃତ ହେଉଥିଲା । ବାଲିଅନ୍ତା ଦେଇ ଏହି ରାସ୍ତା ବରିମୁଣ୍ଡକୁ ହଂସପାଳ ପରେ ପରେ ଫୁଲନଖରା ପାର୍ଶ୍ଵବର୍ତ୍ତୀ ଗଙ୍ଗେଶ୍ଵର ଗଡର ରାସ୍ତାକୁ ଉନ୍ମୁକ୍ତ । ଏହା ଆଖପାଖ ସବୁ ସ୍ଥାନ ନାମକରଣ ମଧ୍ୟ ସମକାଳୀନ ସାମରିକ ଗୁରୁତ୍ଵକୁ ସ୍ଥାନମାନଙ୍କର ସ୍ଵାତନ୍ତ୍ର୍ୟ ପ୍ରତିପାଦନ ଲାଗି ସମ୍ୟକ ଜଣାଏ । ଯେପରି ‘ପାହାଳ’, ‘ଗିଲାମୁଣ୍ଡ’, ‘ରଣମାଟିଦଣ୍ଡା’, ‘କନ୍ଦଳମୁଣ୍ଡ’ ଆଦି । ବରିମୁଣ୍ଡ ତେବେ ବାଣିଜ୍ୟ ହେଉଥିବାର କଥା ମଧ୍ୟ ପ୍ରମାଣିତ |
ବରିମୁଣ୍ଡ ଗ୍ରାମରେ ଶତ୍ରୁମାନଙ୍କ ଶିରଶ୍ଛେଦ କରାଯାଉଥିବାରୁ ତାହା “ବୈରୀମୁଣ୍ଡ” ଭାବରେ ପୂର୍ବରୁ ପରିଚିତି ଲାଭ କରିଥିଲା । ଗଙ୍ଗଙ୍କ ପରେ ଯାବନିକ ଆଫଗାନ୍ ଓ ମୋଗଲ ଆକ୍ରମଣ ସମୟରେ ଏହି ସ୍ଥାନ ପଟିଆ ଜିଲ୍ଲାକୁ ସୁଡଙ୍ଗ ପ୍ରଶସ୍ତ କରେଇଥିଲା । ମୋଗଲ ମାନେ ଯେତେବେଳେ ପଟିଆଗଡ ଆକ୍ରମଣ କରନ୍ତି, ସେହି କାଳେ ବରିମୁଣ୍ଡରୁ ନିଯୁକ୍ତ ସୈନ୍ୟମାନେ ପ୍ରତ୍ୟାକ୍ରମଣ କରନ୍ତି । ଯୋଦ୍ଧୃଭୂମିର ଏ ନୃଶଂସ ବିଦାରକ ଇତିହାସ ଆଜି ଶ୍ମଶାନିତ ।
ବର୍ତ୍ତମାନ କେବଳ ଲକ୍ଷେଶ୍ଵର ମନ୍ଦିର ସହ ପାର୍ଶ୍ଵବର୍ତ୍ତୀ ଜାଗୁଳାଇ, ଦୁଲାଦେଇ, ବାସୁଳେଇ, ହାଡବାଇ ମନ୍ଦିର ରହିଅଛି । ଜାଗୁଳାଇ ମନ୍ଦିର ପାଖରେ ସ୍ଥିତ କାଠଯୋଡି ବନ୍ଧ ନିକଟରେ ଚନ୍ଦନଯାତ୍ରା ଅବସରରେ ଏଗାର ଦିନ ଧରି ଲକ୍ଷେଶ୍ଵର ମହାଦେବଙ୍କ ଯାନିଯାତ ଲାଗିରହେ। ଭୁବନେଶ୍ୱର ଉପକଣ୍ଠରେ ପ୍ରଚଳିତ ‘ଜାଙ୍ଗୁଳୀ ଧମିଲ୍ଲ’ଙ୍କ ସମ୍ପର୍କୀୟ କିମ୍ଵଦନ୍ତୀ ସବୁଠାରୁ ପ୍ରଚଳିତ ଓ ପ୍ରସିଦ୍ଧ । କଥିତବ୍ୟ ଯେ ତୋଷାଳୀ ରାଜ୍ୟର ରାଜଜେମା ଜାଙ୍ଗୁଳୀ ଧମିଲ୍ଲ ଜଣେ କୁହୁକିନୀ ଥିଲେ । କୁହୁକ ବିଦ୍ୟାପ୍ରବୀଣା ହେବା ସହ ତୋଷାଳୀର ସର୍ବୋଚ୍ଚ ସେନାଧ୍ୟକ୍ଷା ମଧ୍ୟ ଥିଲେ ।
ତାଙ୍କ ନେତୃତ୍ୱରେ ହିଁ ତୋଷାଳୀର ଏକ ଦୁର୍ଦ୍ଧର୍ଷ ସୈନ୍ୟ ମୌର୍ଯ୍ୟ ସମ୍ରାଟ ଅଶୋକଙ୍କ ସହ ଲଢେଇ କରିଥିଲା । କୁହୁକ ବଳରେ ସେ ମଗଧ ସୈନ୍ୟକୁ ତଟକା କରିଦେଉଥିଲେ । ଯାହା ଫଳରେ କେତେ ମଗଧ ସେନାନୀ ଅଧାରୁ ଛତ୍ରଭଙ୍ଗ ଦେବା ସହିତ ସବୁ ତୋଷାଳୀର ଜନପଦମାନଙ୍କୁ ସଂଗଠିତ କରିଥିଲେ ଏହି ଜାଙ୍ଗୁଳୀ ଧମିଲ୍ଲ । ପୁନରାୟ ଅଶୋକଙ୍କୁ ଏହି ବରିମୁଣ୍ଡ ଠାରେ ଯଜ୍ଞ କରାଇ ମାରିବା ଲାଗି ପ୍ରସ୍ତୁତ ଥିଲେ ସୁଦ୍ଧା ସେ ମଗଧ ସୈନ୍ୟର ତ୍ଵରିତ ପ୍ରତ୍ୟାବର୍ତ୍ତନ ସର୍ତ୍ତ କ୍ରମେ ତାଙ୍କୁ ମୁକୁଳାଇ ଥିଲେ ।
ଆଉ ଏହି ଜାଙ୍ଗୁଳୀ ଧମିଲ୍ଲଙ୍କ ନାଁରେ “ଜାଗୁଳେଇ” ବିଗ୍ରହ ସେଠାରେ ଅଦ୍ୟାପି ପୂଜାରତ । ୧୯୯୨ ମସିହାରେ କଟକର ଆକାଶବାଣୀରୁ ଏହି ଚରିତ୍ରଙ୍କ ସମ୍ପର୍କରେ ଏକ ନାଟକ ପ୍ରସାରିତ ହେଇଥିବାର ଜଣାଯାଏ । କୁଆଖାଇ କୂଳବର୍ତ୍ତୀ ବାଲିଅନ୍ତା ଗ୍ରାମ ମଧ୍ୟରେ ଏହାଙ୍କ ନାମରେ ଏକ ପାଟକ ରହିଛି। ପୁଣି ଏହିଠାରେ ସ୍ଥିତ ଏକ ମହାଶ୍ମଶାନ ଓ ଜାଗୁଳାଇଙ୍କ ବହୁପ୍ରାଚୀନ ବିଗ୍ରହରୁ କିମ୍ଵଦନ୍ତୀର କେତେକ ଗାଥା ସତ୍ୟତା ଅବଗାହୀ; ତେବେ ଏହା ବିଶେଷ ବିଶ୍ଳେଷଣସାପେକ୍ଷ ହୋଇପାରି ନାହିଁ ।
ପୂର୍ବୋକ୍ତ ପ୍ରସଙ୍ଗକ୍ରମେ ତୋଷାଳୀ ଓ ସୁବର୍ଣ୍ଣପୁର (ବାଙ୍କି) ରାସ୍ତା ଏକ ଗୁରୁତ୍ଵପୂର୍ଣ୍ଣ ରାଜପଥ ରହିଆସିଥିଲା । ବ୍ଯବସାୟୀଙ୍କ ନିତ୍ୟ ବଣିଜ ପସରାର ପେଣ୍ଠସ୍ଥଳୀ ଭାବେ ଏହି ବିଦିତ । ପୂର୍ବେ ଏହା ସନ୍ନିକଟବର୍ତ୍ତୀ ନୂଆପାଟଣା ଠାରେ କୁଆଖାଇ ନଦୀ ସଂଯୁକ୍ତ ଥିଲା ସୋଲ ନଦୀ ସହିତ ଓ ତତ୍କାଳୀନ ଜଗନ୍ନାଥ ସଡକର ପାର୍ଶ୍ଵରେ ଏକ ସେତୁ ଥିଲା । ୧୯୩୨ ମସିହାରେ ଏହି ଜୀର୍ଣ୍ଣ ସେତୁ ପ୍ରବଳ ବନ୍ୟାରେ ଭାସି ଯିବା ପରେ ସୋଲ ନଦୀର ମୁହାଣ ବାଲିବସ୍ତା ପକେଇ ବନ୍ଦ କରିଦିଆଗଲା ।
ହେଲେ ଜନତାଙ୍କ ମତଦ୍ଵୈଧ ଆଗରେ ଫିରିଙ୍ଗି ସରକାର ଅସହାୟ ଥିଲେ । ତତ୍କାଳୀନ ସ୍ଥାନୀୟ ନେତୃତ୍ୱ ନେଇଥିବା ସ୍ଵର୍ଗତ ଭଗବାନ ମହାନ୍ତିଙ୍କ ଜନ ଆନ୍ଦୋଳନ ହୋଇ ମକଦ୍ଦମା ହୁଏ । ହେଲେ ଏହି ମକଦ୍ଦମା ଖାରଜ ହୁଏ । ତେବେ ସୋଲ ନଦୀର ମୁହାଣ ଅବରୁଦ୍ଧ ହେବା କ୍ଷଣି ଅପ୍ରଶସ୍ତ କୁଆଖାଇର ଦୈର୍ଘ୍ୟ ବଢିଗଲା । ଆଉ ଏହି ଠାବରେ କଟକ ଗଲା ସମୟରେ ଫୁଲନଖରାର ଗମ୍ଭାରି ଗଣ୍ଡର କଡରେ ଦେଖାଯାଏ ଅନେକ ଭଗ୍ନ କୀର୍ତ୍ତିମାନଙ୍କ ଅବଶେଷ ।
ଆଜି ସେ କୁଆଖାଇ ମନ୍ଥରଗାମିନୀ ଅଥଚ ବେଶ୍ ପ୍ରଦୂଷିତା । ଏପରିକି ଏହା ସହିତ ପ୍ରବାହିତ ପଟିଆ, ଗାଡକଣ, ଚକେଇସିଆଣୀ, ରୋକଟା, ନହରକଣ୍ଟା, କଲ୍ୟାଣପୁର, ବରିମୁଣ୍ଡ, ଡମଣା, ଇଞ୍ଜଣା, କଳାରାହାଙ୍ଗ, ଢାଉଆ, ଭିଙ୍ଗାରପୁର, ଟଙ୍କପାଣି, ପାଣ୍ଡରା ପ୍ରଭୃତି ଅଞ୍ଚଳରୁ ଉଦ୍ଗତା ଝରସମୂହ ବିଶୁଷ୍କ ଓ ସମ୍ପୂର୍ଣ୍ଣ ବିଲୁପ୍ତ କହିଲେ ଚଳେ । ଅମ୍ଳପ୍ରଚୁର ଦୁର୍ଗନ୍ଧ ସ୍ଫୁରିତ ନାଳ ମାନଙ୍କରେ ବର୍ତ୍ତମାନ ସେ ସମସ୍ତ ବିଲୀନ । ହେଲେ ବି ସେମାନଙ୍କ ଦ୍ଵାରା ଊର୍ବର ଏ ମାଟିର ଗନ୍ଧରେ ସେମାନଙ୍କ ଅବଦାନ ଆଜି ବି ଅକ୍ଷୁଣ୍ଣ ।
କୁଆଖାଇ କୂଳରେ ଆଉ କେତେକ କୀର୍ତ୍ତି ମଧ୍ୟରେ ପ୍ରସିଦ୍ଧ ଚୌଷଠି ଯୋଗିନୀ ମନ୍ଦିର, ମଞ୍ଚନାଥ ମହାଦେବ, ନିକୁଞ୍ଜବିହାରୀ ମନ୍ଦିର, ଟଙ୍କପାଣି ମନ୍ଦିର ଅନ୍ୟତମ । ଏହି କୁଆଖାଇ କୂଳରେ ପୁଣି ମହାତ୍ମା ଗାନ୍ଧୀ ୧୯୩୪ ମସିହାରେ ଚନ୍ଦନପୁର, ସାକ୍ଷୀଗୋପାଳ ହେଇ ବାଳକାଟି, ସତ୍ୟଭାମାପୁର ଓ ଶେଷକୁ ବାଲିଅନ୍ତାର ନିକୁଞ୍ଜ ବିହାରୀ ମନ୍ଦିରରେ ହରିଜନ ପ୍ରବେଶ କରାଇ ଏକ ଅଭୂତପୂର୍ବ କୀର୍ତ୍ତି ସ୍ଥାପନ କରିଥିଲେ । ଆଜି ବି ସେ ପରିଲକ୍ଷିତ ଅଥଚ ମଳିନ !
ଆଜି ବି ଅଛି ବରିମୁଣ୍ଡ, ଆଜି ବି ପୂଜିତ ଲକ୍ଷେଶ୍ଵର, ଅଛି ପୁଣି କୁଆଖାଇ, ହେଲେ କାଳଗର୍ଭରେ ସମସ୍ତେ କ୍ଷୀୟମାଣ । ସମୟର ଯୌନାଚାର ଯେ ବୃଦ୍ଧାବସ୍ଥାର ବପୁକୁ ଏହାର ସିକତାରେ ଢାଳି ସାରିଅଛି, ଆଉ କିଛି ଗୋପ୍ୟ ଓ ମୁହ୍ୟମାନ ରହିନାହିଁ । ସ୍ବପ୍ନିଳ ବ୍ୟୋମଦେଶରେ ପତ୍ରଗହଳର ନିର୍ଜନତା ଓ ବିସ୍ତୀର୍ଣ୍ଣ ଶ୍ୟାମଳିମାକୁ ଦଳିତ କରୁଥିବା ସହରୀମାନଙ୍କ ମଧ୍ୟରେ ତାହା ମର୍ମର କରେ । ଶରତରେ ଫୁଟେ କାଶତଣ୍ଡୀ, ବସନ୍ତରେ ଅଶୋକ, ଟଗର, ନିଆଳୀ କୁଞ୍ଜ ସହକାର ସୃଷ୍ଟି ହୋଇଯାଏ ।
(କୁଆଖାଇ ବନ୍ଧ)
ଇତିହାସର ପୂର୍ଣ୍ଣଗର୍ଭା ଉତ୍କଳୀୟ ମାଟିପ୍ରାଣତା । ତାହା ମଧ୍ୟରେ ଏହି ସ୍ଥାନମାନଙ୍କର ସ୍ଵାତନ୍ତ୍ର୍ୟଲବ୍ଧ ସୁଷମା ଦ୍ଵାରା ଯେ ସମ୍ପନ୍ନତର , ତାହା ଅନୁଭବୀକୁ ଦିଏ ଏକ ଅଭିନବ ଆକାଶର ପ୍ରସାରଣ, ଅସୀମକୁ ସୃଜନଶିଳ୍ପୀର ଆୟାସପ୍ରାଣକୁ ଅନୁଭବ କରିବାର ଆବର୍ତ୍ତିତ ଉପୋଦ୍ଘାତ । ଶତ୍ରୁମାନଙ୍କର ଦର୍ପ ବିଦାରଣ କରି ଏହି ମାଟି ହେଲା ବରିମୁଣ୍ଡ ଆଉ ଉତ୍କୃଷ୍ଟ କଳାତ୍ମକତା ଦ୍ଵାରା ଆହୂତ ଗୁରୁତା ଅବଗାହନ କରି ଆଜି ସମସ୍ତଙ୍କ ମଧ୍ୟରେ ସ୍ମାରକୀ ବହିର୍ଭୂତ ଏକ ସମୁଚ୍ଚୟୀ !
© ପ୍ରିୟତମ ପାଥେୟର ସରଣୀ : ଅମୃତେଶ ଖଟୁଆ
ଫଟୋଚିତ୍ର : ଅନୁଶୀର୍ଷକରେ ସୌଜନ୍ୟ ବ୍ୟତୀତ ଅବଶିଷ୍ଟ ସମସ୍ତ ଫଟୋଚିତ୍ର ମୋ ବିଗତ ପର୍ଯ୍ୟଟନରୁ ଉତ୍ତୋଳିତ