ଲେଖା: ନିରଞ୍ଜନ ସାହୁ

~ ଓଡ଼ିଆ ବୀରାଙ୍ଗନା ରାଣୀ ଶୁକଦେଇ ~

“ହେ ଉତ୍କଳ ! କହିପାରୁ ନାହିଁ, ରାଣୀ ଦୁର୍ଗାବତୀ, ଭୀମସିଂ ଗୃହିଣୀ ପଦ୍ମିନୀ, ଝାନ୍ସୀ ରାଣୀ ଲକ୍ଷ୍ମୀବାଇ ପ୍ରଭୃତି ବୀରାଙ୍ଗନା ମାନଙ୍କର ଅଦ୍ଭୁତ ଚରିତ ତୁମ୍ଭ ମାନସରେ ଅଦ୍ଭୁତ ସାହସ ପ୍ରଦାନ କରେ ଏବଂ ମନରେ ସ୍ଥିର କରି ନିଶ୍ଚୟ ନାରୀ ଜାତିର ଦୁରବସ୍ଥା ବିମୋଚନ କରିବ। ଅବଶ୍ୟ ସ୍ବୀକାର୍ଯ୍ୟ ଶୁକଦେଇ ସାନ୍ତାଣୀ ଉକ୍ତ ବୀରାଙ୍ଗନାମାନଙ୍କର ସମସ୍ଥାନୀୟ ନୁହଁନ୍ତି। ତେବେ ଏହି ସାମାନ୍ୟ ସ୍ଵଳ୍ପାୟତନ ରାଜ୍ୟକିର୍ତ୍ତୀ ଓଡିଆଣି ରାଣୀ ଶୁକଦେଇ ସାନ୍ତାଣୀଙ୍କର ପବିତ୍ର ଚରିତ ତୁମ୍ଭମନକୁ କିଞ୍ଚିତ ମାତ୍ର ଗୌରବାନ୍ଵିତ କରାଏ ତେବେ ମୁଁ ମୋର ଉପହାରକୁ ଅମୂଲ୍ୟ ଜ୍ଞାନ କରିବି ।”
— ଉତ୍କଳ ଦୀପିକା, ଏପ୍ରିଲ ୭, ୧୮୮୩ ମସିହା।

ଉତ୍କଳ ଦୀପିକା ପୃଷ୍ଠାରେ ସେଦିନର ଏପରି ମନସ୍ଵିନୀ ବୀରାରମଣୀ ‘ରାଣୀ ଶୁକଦେଇ’, ଆମ ଉତ୍କଳଖଣ୍ଡର ଜଣେ ଅପରାଜେୟ ବୀରାଙ୍ଗନା, ଆଜି କିନ୍ତୁ ଅନାଲୋଚିତ ହୋଇ ରହିଯାଇଛନ୍ତି ଇତିହାସ ଓ ଉତ୍କଳୀୟ ଜନମାନସରେ।

ବାଙ୍କୀ ଗଡ଼ଜାତର ଊନବିଂଶ ରାଜା ଧନୁର୍ଜୟ ଶ୍ରୀଚନ୍ଦନ ମହାପାତ୍ର, ୧୭୦୦ ମସିହା ଠାରୁ ୧୭୧୫ ପର୍ଯ୍ୟନ୍ତ ରାଜତ୍ୱ କରୁଥିବା ସମୟରେ ଖୋର୍ଦ୍ଧାର ସେ ସମୟର ରାଜାଙ୍କ ସହ କୌଣସି କାରଣରୁ ମନୋମାଳିନ୍ୟ ହେବାରୁ ଯୁଦ୍ଧ ହେଲା। ଯୁଦ୍ଧରେ ବାଙ୍କୀ ରାଜା ଧନୁର୍ଜୟ ଶ୍ରୀଚନ୍ଦନ ମହାପାତ୍ର ପରାସ୍ତ ହେଲେ। ତାପରେ ପଶ୍ଚାତଗତି କଲେ ଏବଂ ଖୋର୍ଦ୍ଧା ରାଜା ତାଙ୍କୁ ଅନୁସରଣ କରି ବାଙ୍କୀର ରଗଡ଼ି ଗ୍ରାମରେ ଦ୍ଵିତୀୟ ଯୁଦ୍ଧରେ ହତ୍ୟା କଲେ। ଖୋର୍ଦ୍ଧା ରାଜା ବାଙ୍କୀ ଅଧିକାର କରିବା ଉଦ୍ଦେଶ୍ୟରେ ଯାତ୍ରା କରି ଗୋପାଳପୁର ଦକ୍ଷିଣବର୍ତ୍ତୀ ପାଟରେ ଶିବିର କରି ରହିଲେ।

ଏ ସମ୍ବାଦ ରାଣୀ ଶୁକଦେଇଙ୍କ ନିକଟରେ ପହଞ୍ଚିଗଲା। ହୃଦୟର ଶୋକାବେଗ ସମ୍ବରଣ କରି ଯୁଦ୍ଧ କରିବା ପାଇଁ ପ୍ରବଳ ଇଚ୍ଛା ପ୍ରକାଶ କଲେ, ଏପରିକି ନିଜର ଅଳ୍ପ ବୟସର ପୁଅକୁ ଧରି ଯୁଦ୍ଧ କ୍ଷେତ୍ରକୁ ବାହାରିଲେ। ତାଙ୍କର ଦେଵାନ୍ ଯୁଦ୍ଧ ନକରି ସନ୍ଧି କରିବା ପାଇଁ ରାଣୀଙ୍କୁ ପରାମର୍ଶ ଦେଇଥିଲେ। କିନ୍ତୁ ସେ ଏହାକୁ ଗ୍ରହଣ ନକରି ଦେଵାନଙ୍କୁ କହିଲେ – “ମୁଁ ନିତାନ୍ତ ନିରୂପାୟରେ ସୁଦ୍ଧା ମୋର ପତିହନ୍ତା ନିକଟରେ ବଶ୍ୟତା ସ୍ଵୀକାର କରିବି ନାହିଁ। ଅନୁରୋଧ କରୁଛି, କାଳବିଳମ୍ବ ନକରି ଯୁଦ୍ଧର ଆୟୋଜନ କରିବା ହେଉନ୍ତୁ ଏବଂ ଶତ୍ରୁରାଜାଙ୍କୁ ସମ୍ବାଦ ଦିଅନ୍ତୁ, ଆସନ୍ତାକାଲି ପୁନର୍ବାର ଯୁଦ୍ଧ ହେବ।”

ଏଥିରେ ମଧ୍ୟ ବ୍ୟବର୍ତ୍ତା ବିସ୍ମିତ ହୋଇ ଏପରି ଦୁଃସାହସିକ ପଦକ୍ଷେପ ନ ନେବାକୁ ଅନୁରୋଧ କଲେ। ବୀରାଙ୍ଗନା ରାଣୀ ଶୁକଦେଇ ଏହି କଥାକୁ କର୍ଣ୍ଣପାତ ନକରି ନିଜର ଶିଶୁପୁତ୍ର ଦୟାନିଧିଙ୍କୁ ନେଇ, ଅଶ୍ଵାରୋହଣ କରି ଯୁଦ୍ଧ କ୍ଷେତ୍ରକୁ ଯିବା ପାଇଁ ଉଦ୍ୟତ ହେଲେ।

ନାରୀ ବୀରତ୍ୱର ଦର୍ଶନରେ ବୃଦ୍ଧ ବ୍ୟବର୍ତ୍ତାଙ୍କ ମନରେ ଅଭୂତପୂର୍ବ ସାହସ ସଞ୍ଚୟ ହେଲା। ଶତ୍ରୁପକ୍ଷକୁ ସମ୍ବାଦ ଦେଇ ନିଜେ ସୈନ୍ୟ ସଂଗ୍ରହ କରିବା ପାଇଁ ଲାଗିପଡିଲେ। ସମୁଦାୟ ରାତ୍ରି ପରିଶ୍ରମ କରି କେତେକ ପାଇକ ସଂଗ୍ରହ କରି ଯୁଦ୍ଧରେ ରାଣୀଙ୍କୁ ସହାୟତା କରିବା ପାଇଁ ଅଣ୍ଟା ଭିଡ଼ିଲେ।

ରାଣୀ ନିଜ ପୁଅକୁ ଜଣେ ବିଶ୍ଵସ୍ତ ସେବକ ପାଖରେ ଛାଡି ଦେଇ ମଣ୍ଡପରେ ଉପସ୍ଥିତ ସୈନ୍ୟମାନଙ୍କ ଉଦ୍ଦେଶ୍ୟରେ କହିଲେ – “ମୁଁ ମୋ ପାଇଁ ବା ମୋ ବାଳକ ଦୟାନିଧି ପାଇଁ ଯୁଦ୍ଧ କରୁନାହିଁ। ତୁମ୍ଭ ପାଇଁ, ତୁମ୍ଭେମାନଙ୍କ ବାଙ୍କୀ ପାଇଁ ଯୁଦ୍ଧ କରିବାକୁ ପ୍ରସ୍ତୁତ। ଯେଉଁ ବାଙ୍କୀ ସ୍ଵୀୟ ବାହୁବଳରେ ଏତେ ଦିନ ନିଜର ଅକ୍ଷୟ ଯଶ ସଞ୍ଚୟ କରି ଆସିଅଛି, ଆଜି ତାହା ଆମ୍ଭମାନଙ୍କର ଆଳସ୍ୟରେ, ଭୀରୁତାରେ ନଷ୍ଟ ହୋଇଯିବ। ଅତଏବ,
ବାରେ ଉତ୍ସାହିତ ହୁଅ,
ମନରୁ ଭୀରୁତା ଦୂର କର,
ସାହସ ସଂଗ୍ରହ କର,
ପିତୃକୁଳର ଅମୂଲ୍ୟ ଯଶୋରାଶି ସ୍ମରଣ କର।”

ଶେଷରେ ଉଭୟ ପକ୍ଷର ଭେଟ ହେଲା। ଖୋର୍ଦ୍ଧା ରାଜା ରାଣୀଙ୍କୁ ଦେଖି ଉପହାସ କଲେ। ଭୟଙ୍କର ଯୁଦ୍ଧ ଲାଗିଲା, ବାଙ୍କୀ ସୈନ୍ୟ ପଳାୟନ କରିବାକୁ ଉଦ୍ୟମ କଲେ। ତେବେ ପାଇକମାନଙ୍କ ଛତ୍ରଭଙ୍ଗ ଦେଖି ହତୋତ୍ସାହିତ ନହୋଇ ମାତ୍ର ଦଶ, ପନ୍ଦର ଜଣ ପାଇକମାନଙ୍କୁ ନେଇ ଅତି ସାହସର ସହ ଶତ୍ରୁଦମନ ପାଇଁ ଛିଡ଼ା ହେଲେ ରାଣୀ। ଯୁଦ୍ଧରେ ଆଗେଇ ଚାଲିଲେ, ମାଡ଼ି ମାଡ଼ି ଆସି ଖୋର୍ଦ୍ଧା ରାଜାଙ୍କୁ ଆକ୍ରମଣ ଆରମ୍ଭ କଲେ।

ସେହି ସମୟରେ ରାଣୀଙ୍କ ସହାୟତା ପାଇଁ ବଡ଼ମ୍ବା ରାଜାଙ୍କ ସୈନ୍ୟବାହିନୀ ସେଠାରେ ପହଞ୍ଚି ଯାଇଥିଲେ। ଛତ୍ରଭଙ୍ଗ ଦେଇ ଚାଲିଯାଇଥିବା ପାଇକମାନେ ଫେରିଆସି ମିଳିତ ହୋଇଗଲେ। ସୈନ୍ୟ ବାହିନୀର ଆକାର ବୃଦ୍ଧି ହେବା ସଂଗେସଂଗେ ଅତର୍କିତ ଆକ୍ରମଣ ହେଲା ବୀରାଙ୍ଗନା ଶୁକଦେଇଙ୍କର ଖୋର୍ଦ୍ଧା ରାଜାଙ୍କ ଉପରେ। ଉଭୟ ପକ୍ଷର ଯୁଦ୍ଧ ଘମାଘୋଟ ଚାଲିଲା ତୁଳସୀପୁର ଓ କଳାପଥର ଠାରେ। ଶେଷରେ ଖୋର୍ଦ୍ଧା ରାଜା ଅନ୍ୟ ଉପାୟ ନପାଇ ଭଙ୍ଗ ଦେଲେ, ମାତ୍ର ବ୍ୟୁହଭେଦ କରିବାରେ ବିଫଳ ହେଲେ,  କେତେ ଜଣ ଅନୁଗାମୀଙ୍କ ସହ ବନ୍ଦୀ ହେଲେ ରାଜା।

ରାଣୀ ଶୁକଦେଇ ନିଜ ସୌଜନ୍ୟ ଗୁଣରେ ରାଜାଙ୍କୁ ଅତ୍ୟନ୍ତ ସୁଚାରୁରୂପେ ସମ୍ମାନ ଦେଇ ବିଦାୟ ଦେବାରେ ହେଳା ନକରିବା ହେତୁ ଖୋର୍ଦ୍ଧା ରାଜା ନିଜ ପକ୍ଷରୁ ସନ୍ଧି ପ୍ରସ୍ତାବ ରଖି ବାଙ୍କୀକୁ ସମୁଦାୟ କୁଶପଲ୍ଲା ପ୍ରଗଣା ପ୍ରଦାନ କଲେ। ରାଣୀ କିଛି ବର୍ଷ ପୁତ୍ର ଦୟାନିଧିଙ୍କ ପ୍ରତିଭୁ ହୋଇ ରାଜକାର୍ଯ୍ୟ କରିଥିଲେ। ସେ ଥିଲେ ସୁଶିକ୍ଷିତା।

ଶୁଣାଯାଏ ଚାଖି ଖୁଣ୍ଟିଆ (ଚନ୍ଦନ ହଜୁରୀ) ପରବର୍ତ୍ତୀ ସମୟରେ ଯେତେବେଳେ ରାଣୀ ଲକ୍ଷ୍ମୀବାଇଙ୍କୁ ସହାୟତା ଦେଇଥିଲେ, ସେତେବେଳେ ସେ ରାଣୀ ଶୁକଦେଇଙ୍କ ସମ୍ପର୍କରେ ଅବଗତ କରାଇ ଯୁଦ୍ଧରେ ଆଗେଇ ଯିବାକୁ ପରାମର୍ଶ ଦେଇଥିଲେ। ଏଣୁ ଆମ୍ଭର ଓଡ଼ିଆ ବୀରାଙ୍ଗନା ରାଣୀ ଶୁକଦେଇ ଥିଲେ ରାଣୀ ଲକ୍ଷ୍ମୀବାଇଙ୍କ ଦେଶପ୍ରେମର ଉଜ୍ଜ୍ଵଳ ସାରଥୀ।

ସେହି ବୀରାଙ୍ଗନା ଶୁକଦେଇ ଆଜି ପର୍ଯ୍ୟନ୍ତ ଓଡ଼ିଶାର ଅମର କୀର୍ତ୍ତିମାନ୍ ଯୋଦ୍ଧା। ଇତିହାସପୃଷ୍ଠାରେ ବହୁଳ ଭାବରେ ଆଲୋଚନା ହୋଇପାରିନି, ଏହାହିଁ ପ୍ରତି ଓଡ଼ିଆର ଖେଦ ଓ ଦୁଃଖ। ନାରୀଜାତିର ଏହି ଗରୀୟସୀ ମା’ଙ୍କୁ ‘ଅନ୍ତରଙ୍ଗ କଳିଙ୍ଗ’ର ଭକ୍ତିପୂତ ପ୍ରଣାମ।

(ଐତିହାସିକ ତଥ୍ୟ ଅନୁଯାୟୀ ସେ ଭାଦ୍ରବ ପୂର୍ଣ୍ଣିମା/ଇନ୍ଦ୍ର ପୂର୍ଣ୍ଣିମାରେ ଜନ୍ମ ଗ୍ରହଣ କରିଥିଲେ। ସାଲ ଗଣନାରେ ବିଭିନ୍ନ ମତ ହେତୁ ସଠିକ୍ ତଥ୍ୟ ଏପର୍ଯ୍ୟନ୍ତ କେହି ଦେଇନାହାନ୍ତି। ତେବେ ୧୬୭୦ ରୁ ୧୬୮୦ ହୋଇପାରେ ବୋଲି ଅନୁମାନ କରାଯାଏ।)

ତଥ୍ୟ: ପ୍ରଫେସର କୈଳାସ ଚନ୍ଦ୍ର ଦାଶ, samadhwani.com

Spread the love
admin

View Comments

  • ବୀରାଙ୍ଗନା ରାଣୀ ଶୁକଦେଇ ଓଡ଼ିଶା କାହିଁକି ଭାରତବର୍ଷର ଚିର ନମସ୍ୟା ।

  • ଛାତ୍ର ଜୀବନରେ ଯତ୍କିଂଚିତ ଏହି ବୀରା ରମଣିଙ୍କ ବିଷୟରେ କେଉଁଠି ପଢ଼ିଥିଲି ଏ ବାଙ୍କୀ ରାଣୀଙ୍କ ବୀରତ୍ବର ଗାଥା | ଏବେ ତାହା ଗପ ନ ହୋଇ ଓଡ଼ିଶାର ଇତିହାସ ପୃଷ୍ଠାରେ ଐତିହାସିକ ପୃଷ୍ଠାରେ ତଥ୍ୟ ଭାବରେ ସ୍ଥାନ ପାଇବା ସମ୍ମିଚିଂ ହେବ | ଓଡ଼ିଶାର ସମସ୍ତ ଇଲାକାର ପିଲାଏ ,ବିଶେଷ କରି ଝିଅ ପିଲାଏ ବେଶ ପ୍ରଭାବିତ ହୋଇପାରିବେ | ମୋର ବିଶ୍ଵାସ ବାଙ୍କୀ ଓ ଖୋର୍ଧାର ଯଶସ୍ବୀ ଲେଖକମାନେ ଏହାର ବିସ୍ତୃତ ବିବରଣୀ ଓ ତଥ୍ୟ ବିଭିନ୍ନ ମାଧ୍ୟମରେ ପରିବେଷଣ କରିବା ହେବେ.| ବାଙ୍କୀ ସ୍ଵୟଂ ଶାସିତ ମହାବିଧ୍ୟାଳେ ମଧ୍ଯ ରାଣୀ ଶୁକ ଦେଈଙ୍କ ନାଆଁରେ ନାମିତ ହେବା ଉଚିତ ହେବ |

  • ମୁଁ ମଧ୍ୟ ଏ ବୀରଙ୍ଗନାଙ୍କ ବିଷୟରେ ଜାଣି ନ ଥିଲି। ଅନ୍ତରଙ୍ଗ କଳିଙ୍ଗ ଜଣାଇଥିବାରୁ ଅଶେଷ ଧନ୍ୟବାଦ ଓ ଚିର ଉପକୃତ ହେଲି।

Recent Posts

ଖଲ୍ଲିକୋଟ ଜଗନ୍ନାଥ ମନ୍ଦିର

~ ଖଲ୍ଲିକୋଟ ଜଗନ୍ନାଥ ମନ୍ଦିର ~ ଗବେଷଣା ଓ ଉପସ୍ଥାପନା: ସନ୍ତୋଷ କୁମାର ପଟ୍ଟନାୟକ ଖଲ୍ଲିକୋଟ ଜଗନ୍ନାଥ ମନ୍ଦିରର ଇତିହାସ…

2 weeks ago

ଚଢେୟା ନାଟ

~ ଚଢେୟା ନାଟ ~ ଲେଖା: ଅମୃତେଶ ଖଟୁଆ ଓଡ଼ିଆ ଜନଜୀବନ ନାନାବିଧ ପ୍ରଥା, ପରମ୍ପରା ଓ ଐତିହ୍ୟ-ସମୃଦ୍ଧ ଓ…

3 weeks ago

ଲଙ୍କାପୋଡ଼ି ଯାତ୍ରା

~ ଲଙ୍କାପୋଡ଼ି ଯାତ୍ରା ~ ଉପସ୍ଥାପନା: ଦେଵ ତ୍ରିପାଠୀ ଐତିହାସିକ ସଂଗ୍ରାମୀ ଚରିତ୍ର ଦୋରା ବିଷୋୟୀଙ୍କ ଜନମମାଟି କନ୍ଧମାଳ (ତତ୍କାଳୀନ…

3 weeks ago

ଉତ୍କଳ ସାହିତ୍ୟ ସମାଜ

~ ଉତ୍କଳ ସାହିତ୍ୟ ସମାଜ ~ ଲେଖା: ନିରଞ୍ଜନ ସାହୁ ଊନବିଂଶ ଶତାବ୍ଦୀର ପ୍ରଥମ ଦୁଇତୃତୀୟାଂଶ କାଳରେ ଓଡ଼ିଶାର ଜାତୀୟ…

3 weeks ago

ହୋଲି

~ ହୋଲି ~ ଲେଖା: ରୁପେଶ୍ୱର କୁମ୍ଭାର ପ୍ରାଚୀନ କାଳରୁ ଭାରତରେ ହୋଲି ପର୍ବ ସବୁବର୍ଗର ଲୋକୋମନେ ପାଳନ କରିଆସୁଛନ୍ତି…

3 weeks ago

କାଠି ଠାକୁରାଣୀ (ଖମ୍ବେଶ୍ଵରୀ) ପୂଜା ପରମ୍ପରା

~ ଉତ୍କଳରେ କାଠି ଠାକୁରାଣୀ (ଖମ୍ବେଶ୍ଵରୀ) ପୂଜା ପରମ୍ପରା ~ ଉପସ୍ଥାପନା: ନୟାଗଡ଼ ଇତିହାସ ଓଡ଼ିଶା ଇତିହାସ ଲେଖକ ପଣ୍ଡିତ…

3 weeks ago