ଲେଖା: ଶ୍ରୀକାନ୍ତ ସିଂହ
~ ରାଜଗିରି ଜଳପ୍ରପାତ ~
ଅପରୂପା ପ୍ରକୃତି କୋଳରେ କିଛି ସମୟ ଅତିବାହିତ କଲେ, ମଣିଷକୁ ଯେଉଁ ସୁଖ, ଶାନ୍ତି ଓ ଖୁସି ମିଳେ ତାହା ଅବର୍ଣ୍ଣନୀୟ, ଅକଳ୍ପନୀୟ l ଆଉ ସେଇସବୁ ସୁଖ ଚୀରଦିନ ପାଇଁ ହୋଇ ଉଠେ ସ୍ମରଣୀୟ l ଯାତ୍ରାକାଳୀନ ସ୍ୱଳ୍ପ ଅବଧିର ସୁଖଦ ମୁହୂର୍ତ୍ତସବୁ ଆମ ମାନସପଟ୍ଟରେ ସବୁଦିନ ପାଇଁ ସ୍ମୃତି ରୂପେ ସାଇତା ହୋଇ ରହିଯାଏ l
ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ାର ଘଞ୍ଚ ଜଙ୍ଗଲ ଭିତରେ “ରାଜଗିରି ଜଳପ୍ରପାତ” l ଖଣ୍ଡପଡ଼ା ବଜାରରୁ ପ୍ରାୟ ଷୋହଳ କିଲୋମିଟର ନୟାଗଡ଼ ଦିଗରେ ଗଲାପରେ ପଡ଼ିବ ପାଣିପୋଇଲା ଛକ l ସେଇ ଛକରୁ ଦକ୍ଷିଣ ଦିଗରେ ଗୋଟେ ଜଙ୍ଗଲୀ ପାଦଚଲା ରାସ୍ତା ପଡ଼ିଛି ରାଜଗିରି ଜଳପ୍ରପାତ ଆଡ଼କୁ l ସମୁଦାୟ ଆଠ ନଅ କିଲୋମିଟରର ଜଙ୍ଗଲୀ ରାସ୍ତା l
ଘଞ୍ଚ ଜଙ୍ଗଲ ଦେଇ ଯିବାକୁ ହୁଏ, ଦୁଇଚକିଆ ଯାନରେ ଯିବା ବ୍ୟତୀତ ସେଠାକୁ ଯିବା ଲାଗି ଅନ୍ୟ କୌଣସି ଭିନ୍ନ ଉପାୟ ନାହିଁ l ଅଙ୍କା ବଙ୍କା ସର୍ପିଳ ରାସ୍ତାରେ ଉଭୟ ସମତଳ ଓ ପାହାଡ଼ ଢାଲୁରେ ମାତ୍ର ଛଅ କିଲୋମିଟର ପଥ ଯାଇହେବ l ବାକି ତିନି କିଲୋମିଟର ବିପଦପୂର୍ଣ୍ଣ ଜଙ୍ଗଲୀ ରାସ୍ତାରେ ପାହାଡ଼ ଚଟ୍ଟାଣରେ ଚଢ଼ି ଯିବାକୁ ପଡ଼ିବ l
ଦୂରରୁ ଜଳପ୍ରପାତର ଜଳଧାରା ଶବ୍ଦ କାନରେ ପଡୁଥାଏ ମାତ୍ର ଶବ୍ଦ କେଉଁ ଦିଗରୁ ଆସୁଛି ତାହା ଠଉରାଇବା ବହୁତ କଷ୍ଟ l ଏହି ପରିସ୍ଥିତିରେ ଜଣେ ଦିଗହରା ହେବାର ସମ୍ଭାବନା ବହୁତ ବେଶି କିନ୍ତୁ ଖୁସିର କଥା ହେଲା ପାହାଡ଼ ଉପରେ ଥିବା ମହାବୀର କ୍ଷେତ୍ରଠାରେ, ତ୍ରିଦିବସୀୟ ହନୁମାନ ପୂଜାର ଦ୍ଵିତୀୟ ଦିବସ ଥିବାରୁ, ଉକ୍ତ ଦିନ ଅନେକ ଲୋକଙ୍କ ଗମନା ଗମନ ଥିଲା l ଏଣୁ ଆମକୁ ସେଠାରେ ପହଞ୍ଚିବାରେ ବିଶେଷ ଅସୁବିଧା ହୋଇନଥିଲା l
ଅଦ୍ୟାବଧି ମୋ ଜୀବନର ସବୁଠାରୁ କଷ୍ଟକର ପାହାଡ଼ ଚଢ଼ା ଥିଲା ଏହି ରାଜଗିରି ପର୍ବତାରୋହଣ l କପିଳାସର ତେରଶ ବାଉନ ପାହାଚ ଓ ତା ଉପରେ ଥିବା ପାହାଡ଼ର ସର୍ବୋଚ୍ଚ ଶିଖର ହେଉ ଅବା ତାରାତାରିଣୀ ପୀଠର ନଅଶ ଅନେଶତ ପାବଛ ଚଢ଼ା ଏହି ରାଜଗିରି ତୁଳନାରେ କିଛି ବି ନୁହେଁ l
ରାଜଗିରି ଯିବା ପଥର ବାମପଟେ ପଥର ଚଟ୍ଟାଣ ଉପରେ ଝରଣାର ଜଳଧାରା, ଦୂର ପାହାଡ଼, ନୀଳ ଆକାଶ ଆଉ ଘଞ୍ଚ ଜଙ୍ଗଲର ସବୁଜିମା ସତରେ ଖୁବ୍ ନୈସର୍ଗିକ l ଜୀବନରେ ଜିଇଁବାର ଖୁସି ସାଉଁଟିବା ଯେ ଜୀବନ ତାହା ଏଠାରେ ମର୍ମେ ମର୍ମେ ଅନୁଭବ ହେଉଥିଲା l
ପ୍ରାୟ ପାଁଶ ମିଟର ଦୂରରୁ ନାଲିଆ ରଙ୍ଗର ଏକ ପତାକା ଦୃଶ୍ୟମାନ ହେଲା l ମନରେ ଟିକେ ଦମ୍ଭ ଆସିଲା ଯେ ଆମେ ପ୍ରାୟ ନିକଟରେ ପହଞ୍ଚି ଗଲୁଣି ମାତ୍ର ସେଇ ପାଁଶ ମିଟରର ଯାତ୍ରା ଅତୀବ କଷ୍ଟକର ଓ ଯନ୍ତ୍ରଣା ଦାୟକ ଥିଲା l ଯାହାବି ହେଉ, ଶେଷରେ ବହୁ କଷ୍ଟରେ ପର୍ବତ ଶିଖରରେ ଆମେ ପହଞ୍ଚିଗଲୁ l ମହାବୀର ହନୁମାନଙ୍କ ଉଦ୍ଦେଶ୍ୟରେ ହୋମ, ଯଜ୍ଞ, ପୂଜା ପାଠ, ପାରାୟଣ ଚାଲିଥାଏ l ଭକ୍ତଙ୍କ ପଂକ୍ତିଭୋଜନ ବି ଚାଲିଥାଏ l ଦିଅଁ ଦର୍ଶନ ସାରି ଆମେ ବି ପ୍ରସାଦ ସେବନ କଲୁ l
ମହାବୀର ହନୁମାନଙ୍କ ଆସ୍ଥାନର ଠିକ୍ ପଛପଟରେ ଏକ ରାସ୍ତା ପଡ଼ିଛି ପାହାଡ଼ ତଳକୁ ଆଉ ସେଇ ଦିଗରେ କିଛି ଦୂର ଗଲାପରେ ଜଳପ୍ରପାତର ଅବସ୍ଥିତି l ବୃକ୍ଷଲତାର ବହଳ ଘନତା ସହିତ ଖୁବ୍ ସୁନ୍ଦର ବନ୍ୟ ପରିବେଶ l ରାଜଗିରି ଜଳପ୍ରପାତ ସ୍ୱଳ୍ପ ଉଚ୍ଚର ହେଲେ ମଧ୍ୟ ତା’ର ରୂପ ଅତୀବ ମନୋହର, ଭ୍ରମଣକାରୀର ମନକୁ ବେଶ କିଛି ସମୟ ବାନ୍ଧି ରଖିବାରେ ସକ୍ଷମ l
ସମୟ କେତେବେଳେ ସରିଗଲା କିଛି ଜଣା ପଡ଼ୁ ନଥାଏ l ପଶ୍ଚିମାକାଶରେ ସୂର୍ଯ୍ୟ ଦେବତା ଅସ୍ତ ଯିବା ପାଇଁ ବ୍ୟଗ୍ର ଥିଲେ l ଆମେ ବି ଆଉ ବେଶି ସମୟ ନଷ୍ଟ ନ କରି ପର୍ବତ ଶିଖରରୁ ତଳକୁ ଓଲ୍ହାଇ ଆସିଥିଲୁ l ପାହାଡ଼ ଚଟ୍ଟାଣ ଦେଇ ଓଲ୍ହାଇଲା ବେଳେ ଅସ୍ତଗାମୀ ସୂର୍ଯ୍ୟାଙ୍କ ସୁନେଲି କିରଣରେ ଉଦ୍ଭାସିତ ଜଙ୍ଗଲର ଅପରୂପ ଦୃଶ୍ୟ ଦେଖି ଫେରିଲୁ l
ସେଦିନର ରାଜଗିରି ଜଳପ୍ରପାତ ଭ୍ରମଣାନୁଭୂତି ଜୀବନରେ ତ କେବେ ଭୁଲି ହେବ ନାହିଁ; ତା’ ସହିତ ଘଞ୍ଚ ଜଙ୍ଗଲ, ପାହାଡ଼, ଝରଣା, ଜଳପ୍ରପାତ ଏବଂ ସବୁଠୁ ବଡ଼ କଥା ହେଲା ପର୍ବତାରୋହଣର ସୁଖଦ ଅନୁଭୂତିଟି ଆମ ଲାଗି ସବୁଦିନ ପାଇଁ ଅଭୁଲା, ଅଫେରା ହୋଇ ରହିଗଲା l
Spread the love
admin

Recent Posts

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

5 days ago

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

6 days ago

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

3 weeks ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

3 weeks ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

3 weeks ago

ପହିଲିଭୋଗ

~ ପହିଲିଭୋଗ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମକରସଂକ୍ରାନ୍ତି ପର୍ଯ୍ୟନ୍ତ ଏକମାସ ବ୍ୟାପି ଶ୍ରୀମନ୍ଦିରରେ ଆମ ମହାପ୍ରଭୁଙ୍କ ନିକଟରେ "ପହିଲିଭୋଗ"…

3 weeks ago