ଲେଖା: ଶ୍ରୀକାନ୍ତ ସିଂହ
~ ରାଜଗିରି ଜଳପ୍ରପାତ ~
ଅପରୂପା ପ୍ରକୃତି କୋଳରେ କିଛି ସମୟ ଅତିବାହିତ କଲେ, ମଣିଷକୁ ଯେଉଁ ସୁଖ, ଶାନ୍ତି ଓ ଖୁସି ମିଳେ ତାହା ଅବର୍ଣ୍ଣନୀୟ, ଅକଳ୍ପନୀୟ l ଆଉ ସେଇସବୁ ସୁଖ ଚୀରଦିନ ପାଇଁ ହୋଇ ଉଠେ ସ୍ମରଣୀୟ l ଯାତ୍ରାକାଳୀନ ସ୍ୱଳ୍ପ ଅବଧିର ସୁଖଦ ମୁହୂର୍ତ୍ତସବୁ ଆମ ମାନସପଟ୍ଟରେ ସବୁଦିନ ପାଇଁ ସ୍ମୃତି ରୂପେ ସାଇତା ହୋଇ ରହିଯାଏ l
ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ାର ଘଞ୍ଚ ଜଙ୍ଗଲ ଭିତରେ “ରାଜଗିରି ଜଳପ୍ରପାତ” l ଖଣ୍ଡପଡ଼ା ବଜାରରୁ ପ୍ରାୟ ଷୋହଳ କିଲୋମିଟର ନୟାଗଡ଼ ଦିଗରେ ଗଲାପରେ ପଡ଼ିବ ପାଣିପୋଇଲା ଛକ l ସେଇ ଛକରୁ ଦକ୍ଷିଣ ଦିଗରେ ଗୋଟେ ଜଙ୍ଗଲୀ ପାଦଚଲା ରାସ୍ତା ପଡ଼ିଛି ରାଜଗିରି ଜଳପ୍ରପାତ ଆଡ଼କୁ l ସମୁଦାୟ ଆଠ ନଅ କିଲୋମିଟରର ଜଙ୍ଗଲୀ ରାସ୍ତା l
ଘଞ୍ଚ ଜଙ୍ଗଲ ଦେଇ ଯିବାକୁ ହୁଏ, ଦୁଇଚକିଆ ଯାନରେ ଯିବା ବ୍ୟତୀତ ସେଠାକୁ ଯିବା ଲାଗି ଅନ୍ୟ କୌଣସି ଭିନ୍ନ ଉପାୟ ନାହିଁ l ଅଙ୍କା ବଙ୍କା ସର୍ପିଳ ରାସ୍ତାରେ ଉଭୟ ସମତଳ ଓ ପାହାଡ଼ ଢାଲୁରେ ମାତ୍ର ଛଅ କିଲୋମିଟର ପଥ ଯାଇହେବ l ବାକି ତିନି କିଲୋମିଟର ବିପଦପୂର୍ଣ୍ଣ ଜଙ୍ଗଲୀ ରାସ୍ତାରେ ପାହାଡ଼ ଚଟ୍ଟାଣରେ ଚଢ଼ି ଯିବାକୁ ପଡ଼ିବ l
ଦୂରରୁ ଜଳପ୍ରପାତର ଜଳଧାରା ଶବ୍ଦ କାନରେ ପଡୁଥାଏ ମାତ୍ର ଶବ୍ଦ କେଉଁ ଦିଗରୁ ଆସୁଛି ତାହା ଠଉରାଇବା ବହୁତ କଷ୍ଟ l ଏହି ପରିସ୍ଥିତିରେ ଜଣେ ଦିଗହରା ହେବାର ସମ୍ଭାବନା ବହୁତ ବେଶି କିନ୍ତୁ ଖୁସିର କଥା ହେଲା ପାହାଡ଼ ଉପରେ ଥିବା ମହାବୀର କ୍ଷେତ୍ରଠାରେ, ତ୍ରିଦିବସୀୟ ହନୁମାନ ପୂଜାର ଦ୍ଵିତୀୟ ଦିବସ ଥିବାରୁ, ଉକ୍ତ ଦିନ ଅନେକ ଲୋକଙ୍କ ଗମନା ଗମନ ଥିଲା l ଏଣୁ ଆମକୁ ସେଠାରେ ପହଞ୍ଚିବାରେ ବିଶେଷ ଅସୁବିଧା ହୋଇନଥିଲା l
ଅଦ୍ୟାବଧି ମୋ ଜୀବନର ସବୁଠାରୁ କଷ୍ଟକର ପାହାଡ଼ ଚଢ଼ା ଥିଲା ଏହି ରାଜଗିରି ପର୍ବତାରୋହଣ l କପିଳାସର ତେରଶ ବାଉନ ପାହାଚ ଓ ତା ଉପରେ ଥିବା ପାହାଡ଼ର ସର୍ବୋଚ୍ଚ ଶିଖର ହେଉ ଅବା ତାରାତାରିଣୀ ପୀଠର ନଅଶ ଅନେଶତ ପାବଛ ଚଢ଼ା ଏହି ରାଜଗିରି ତୁଳନାରେ କିଛି ବି ନୁହେଁ l
ରାଜଗିରି ଯିବା ପଥର ବାମପଟେ ପଥର ଚଟ୍ଟାଣ ଉପରେ ଝରଣାର ଜଳଧାରା, ଦୂର ପାହାଡ଼, ନୀଳ ଆକାଶ ଆଉ ଘଞ୍ଚ ଜଙ୍ଗଲର ସବୁଜିମା ସତରେ ଖୁବ୍ ନୈସର୍ଗିକ l ଜୀବନରେ ଜିଇଁବାର ଖୁସି ସାଉଁଟିବା ଯେ ଜୀବନ ତାହା ଏଠାରେ ମର୍ମେ ମର୍ମେ ଅନୁଭବ ହେଉଥିଲା l
ପ୍ରାୟ ପାଁଶ ମିଟର ଦୂରରୁ ନାଲିଆ ରଙ୍ଗର ଏକ ପତାକା ଦୃଶ୍ୟମାନ ହେଲା l ମନରେ ଟିକେ ଦମ୍ଭ ଆସିଲା ଯେ ଆମେ ପ୍ରାୟ ନିକଟରେ ପହଞ୍ଚି ଗଲୁଣି ମାତ୍ର ସେଇ ପାଁଶ ମିଟରର ଯାତ୍ରା ଅତୀବ କଷ୍ଟକର ଓ ଯନ୍ତ୍ରଣା ଦାୟକ ଥିଲା l ଯାହାବି ହେଉ, ଶେଷରେ ବହୁ କଷ୍ଟରେ ପର୍ବତ ଶିଖରରେ ଆମେ ପହଞ୍ଚିଗଲୁ l ମହାବୀର ହନୁମାନଙ୍କ ଉଦ୍ଦେଶ୍ୟରେ ହୋମ, ଯଜ୍ଞ, ପୂଜା ପାଠ, ପାରାୟଣ ଚାଲିଥାଏ l ଭକ୍ତଙ୍କ ପଂକ୍ତିଭୋଜନ ବି ଚାଲିଥାଏ l ଦିଅଁ ଦର୍ଶନ ସାରି ଆମେ ବି ପ୍ରସାଦ ସେବନ କଲୁ l
ମହାବୀର ହନୁମାନଙ୍କ ଆସ୍ଥାନର ଠିକ୍ ପଛପଟରେ ଏକ ରାସ୍ତା ପଡ଼ିଛି ପାହାଡ଼ ତଳକୁ ଆଉ ସେଇ ଦିଗରେ କିଛି ଦୂର ଗଲାପରେ ଜଳପ୍ରପାତର ଅବସ୍ଥିତି l ବୃକ୍ଷଲତାର ବହଳ ଘନତା ସହିତ ଖୁବ୍ ସୁନ୍ଦର ବନ୍ୟ ପରିବେଶ l ରାଜଗିରି ଜଳପ୍ରପାତ ସ୍ୱଳ୍ପ ଉଚ୍ଚର ହେଲେ ମଧ୍ୟ ତା’ର ରୂପ ଅତୀବ ମନୋହର, ଭ୍ରମଣକାରୀର ମନକୁ ବେଶ କିଛି ସମୟ ବାନ୍ଧି ରଖିବାରେ ସକ୍ଷମ l
ସମୟ କେତେବେଳେ ସରିଗଲା କିଛି ଜଣା ପଡ଼ୁ ନଥାଏ l ପଶ୍ଚିମାକାଶରେ ସୂର୍ଯ୍ୟ ଦେବତା ଅସ୍ତ ଯିବା ପାଇଁ ବ୍ୟଗ୍ର ଥିଲେ l ଆମେ ବି ଆଉ ବେଶି ସମୟ ନଷ୍ଟ ନ କରି ପର୍ବତ ଶିଖରରୁ ତଳକୁ ଓଲ୍ହାଇ ଆସିଥିଲୁ l ପାହାଡ଼ ଚଟ୍ଟାଣ ଦେଇ ଓଲ୍ହାଇଲା ବେଳେ ଅସ୍ତଗାମୀ ସୂର୍ଯ୍ୟାଙ୍କ ସୁନେଲି କିରଣରେ ଉଦ୍ଭାସିତ ଜଙ୍ଗଲର ଅପରୂପ ଦୃଶ୍ୟ ଦେଖି ଫେରିଲୁ l
ସେଦିନର ରାଜଗିରି ଜଳପ୍ରପାତ ଭ୍ରମଣାନୁଭୂତି ଜୀବନରେ ତ କେବେ ଭୁଲି ହେବ ନାହିଁ; ତା’ ସହିତ ଘଞ୍ଚ ଜଙ୍ଗଲ, ପାହାଡ଼, ଝରଣା, ଜଳପ୍ରପାତ ଏବଂ ସବୁଠୁ ବଡ଼ କଥା ହେଲା ପର୍ବତାରୋହଣର ସୁଖଦ ଅନୁଭୂତିଟି ଆମ ଲାଗି ସବୁଦିନ ପାଇଁ ଅଭୁଲା, ଅଫେରା ହୋଇ ରହିଗଲା l
Spread the love
admin

Recent Posts

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 weeks ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

4 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

4 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…

1 month ago

ଛଅଟି କୋକେଇ

ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…

1 month ago