ଲେଖା: ଦେଵ ତ୍ରିପାଠୀ
ନିହାତି ପିଲାଦିନର କଥା । ଗାଁକୁ କେବେ ଯାତ୍ରା ଆସିଲେ ଘରେ ଘରେ ବନ୍ଧୁବାନ୍ଧବ ପହଞ୍ଚିଯା’ନ୍ତି । ଆମେ ପିଲାମାନେ ଖରାବେଳୁ ସଞ୍ଜ ନଇଁବା ଯାଏଁ ମାତିଯାଉ ବେଲୁନ ଆଉ କଣ୍ଢେଇ କିଣିବାରେ । ସଞ୍ଜ ନଇଁଗଲେ ସପମଶିଣା, ଚଟେଇ ଖଣ୍ଡେ କାଖରେ ଜାକି ଧାଇଁ ଯାଉ ଯାତ୍ରାପଡିଆକୁ, ପରିବାର ଲୋକ ଆଉ ବନ୍ଧୁ ବାନ୍ଧବଙ୍କୁ ଅପେକ୍ଷା ନକରି । ଯାତ୍ରା ଆରମ୍ଭ ହୁଏ । ରାଜା, ରାଣୀ, ମନ୍ତ୍ରୀ, ସେନାପତି, କଟୁଆଳ ଅବା ରାକ୍ଷସଙ୍କର ଚକଚକିଆ ଆଖିଝଲସା ପୋଷାକ ଦେଖି ଆଖିରୁ ହଜିଯାଏ ନିଦ । ସେ ବେଳର ସେ ସ୍ମୃତି ଏବେ ବି ତାଜା ଅଛି ।
ଯାତ୍ରାର ଅନ୍ତୁଡିଶାଳ ଜଗତସିଂହପୁର କୁହାଯାଉଥିଲେ ମଧ୍ୟ ସେ ସମସ୍ତ ଯାତ୍ରାଦଳ କିନ୍ତୁ ଏଇ ଚକଚକିଆ ପୋଷାକ ପାଇଁ ନିର୍ଭର କରିଆସୁଥିଲେ ନରସିଂହପୁର ଗ୍ରାମର ଯାତ୍ରାପୋଷାକ ପ୍ରସ୍ତୁତକାରୀ କାରିଗରମାନଙ୍କ ଉପରେ । କଟକରୁ ବ୍ୟାସନଗର (ଯାହାର ପିତାଳିଆ ନାଁ ଯାଜପୁର ରୋଡ଼) ଯିବା ରାସ୍ତାରେ କୁଆଖିଆ ଛକ ଠାରୁ ୫କି.ମି. ଦୂରରେ ପଡେ ଜଣାଶୁଣା ଗାଁ ହରିପୁର । ହରିପୁର ପରିସୀମା ସଂଯୁକ୍ତ ଆଉ ଏକ ବିଶାଳ ଗାଁ ନରସିଂହପୁର । ଆଠଶହରୁ ଅଧିକ ପରିବାର ବିଶିଷ୍ଟ ଏହି ଯାତ୍ରାପୋଷାକର ଗାଁ ଟିରେ ଏକଦା ସାତଶହରୁ ଅଧିକ ପରିବାର ଥିଲେ ଏ ଯାତ୍ରାପୋଷାକ ତିଆରି ପରି ନିଆରା ପେଶାରେ ।
ସେହି ପରିବାରଗୁଡିକରେ କିଏ ପିଚ୍-ବୋର୍ଡ ଉପରେ ନକ୍ସା କାଟନ୍ତି ତ କିଏ ଅଠା ତିଆରି କରି ବୋଳନ୍ତି, କିଏ ପୁଣି ଭେଲଭେଟ କପଡା ସିଲାଇ କରନ୍ତି, କିଏ ଅବା ସେ ଭେଲଭେଟ କପଡା ଉପରେ ମାଳି ଏବଂ ପଥର ବସାନ୍ତି, କିଏ ପୁଣି ପୋଷାକର ଧାରକୁ ମେସିନ୍ ରେ ସିଲାଇ କରନ୍ତି, କିଏ ଲେସ୍ ଲଗାଇ ଦିଅନ୍ତି ।
ଏକଦା କଟକର ବିଭିନ୍ନ ରଙ୍ଗମଞ୍ଚ ଏବଂ ପରବର୍ତ୍ତୀ ସମୟରେ ଜଗତସିଂହପୁର ଅଞ୍ଚଳର ପଚିଶ ସରିକି ଯାତ୍ରାଦଳ, ବୈଷ୍ଣବ ପାଣି ଓ ବାଞ୍ଛାନିଧି ମହାନ୍ତିଙ୍କ ଗୀତିନାଟ୍ୟଦଳ ତଥା ରାଜ୍ୟ ବିଭିନ୍ନ ପ୍ରାନ୍ତର ସୁଆଙ୍ଗ ଦଳ ନିମନ୍ତେ ଯାତ୍ରାପୋଷାକ, ମୁକୁଟ, ଯାତ୍ରାମଣ୍ଡପର ଝାଲେରୀ ତିଆରି କରିଆସୁଥିଲେ, ପିଢ଼ି ପରେ ପିଢ଼ି । କଟକରୁ କଳାହାଣ୍ଡି, ବଣାଇରୁ ବାଲେଶ୍ଵର, ଦିଗପହଣ୍ଡିରୁ ଦିଲ୍ଲୀ ଯାଏଁ ପୋଷାକର ବିକ୍ରି ଥିଲା । କଟକର ରାମଲୀଳା, ଗଞ୍ଜାମର ଦୁଆରୀନାଟ ହେଉ କିମ୍ବା ଭଦ୍ରକର ମୋଗଲତାମସା ସବୁଠି ଲୋଡାହେଉଥିଲା ଯାତ୍ରାପୋଷାକର ଗାଁ ଭାବେ ପରିଚିତ ନରସିଂହପୁରର କୁଶଳୀ ଶିଳ୍ପୀକୁଳକୁ ।
ସମୟ କିନ୍ତୁ କଡ ଲେଉଟାଇଲା । ରାମଲୀଳା, ଦୁଆରୀନାଟ କିମ୍ବା ମୋଗଲତାମସା ପରି ମହାନ କଳାତ୍ମକ ଲୋକନୃତ୍ୟ ସବୁ ହଜି ହଜି ଗଲେ କାଳର କରାଳ ଗର୍ଭରେ ।
ଯାତ୍ରାଜଗତ ଉପରେ ନିର୍ଭର କରି ଆସୁଥିବା ସେହି ସାତଶହ ପରିବାରର ସାମାଜିକ ଓ ଆର୍ଥନୀତିକ ସ୍ଥିତି ଧୀରେ ଧୀରେ ଭୁଷୁଡିବାକୁ ଲାଗିଲା ଗୀତିନାଟ୍ୟ ଓ ଯାତ୍ରାଜଗତର ପୌରାଣିକ ନାଟକ ତଥା ସୁଆଙ୍ଗ ପ୍ରତି ଲୋକଙ୍କ ଆଗ୍ରହ କମିଯିବା କାରଣରୁ । ଧୀରେ ଧୀରେ ଲୁପ୍ତ ହୋଇଗଲା ଏଇ ହସ୍ତଶିଳ୍ପ । ଦେଢଶହ ବର୍ଷର ପରମ୍ପରା ହୋଇଗଲା ଅଲୋଡା, ଅପାଙ୍କ୍ତେୟ । ସେ ନିଷ୍ଠାପର ଶିଳ୍ପୀକୂଳ ଆଜି ଦୁଃସ୍ଥ ।
ବୋଧହୁଏ କଟକ ସହରର ଦୁଇ ତିନୋଟି ଚିତ୍ରାଳୟର ବରାଦୀ କାର୍ଯ୍ୟ ଉପରେ ନିର୍ଭର କରି ଏହି ଶିଳ୍ପ ଆଜି ମୃତପ୍ରାୟ ବଞ୍ଚିରହିଛି ହାତଗଣତି ପରିବାର ଦ୍ଵାରା । କଟକର ଶତାଧିକ ଦେବୀମଣ୍ଡପର ଝାଲେରୀ କାମ ତିଆରି କରି ସମୁ୍ଦ୍ରକୁ ଶଙ୍ଖେ ରୀତିରେ କେତେକାଳ ବା ବଞ୍ଚାଇ ରଖିପାରିବେ ସେଇ ନିରାଶୀ ଶିଳ୍ପୀ ପରିବାରସବୁ ! !
ତଥାପି ସମ୍ଭାବନା ଓ ସଙ୍କଟ ଭିତରେ ଏହି ବିରଳ ସଂସ୍କୃତିର ସଙ୍କଳ୍ପ ଟିକକ ଝଟକିଉଠୁ ବୋଲି ଆଶା କରିବା, ସମୟ ସୁଅର ବିପରୀତ ଦିଗରେ ମାଡିଚାଲୁଥିବା ଧୈର୍ଯ୍ୟବନ୍ତ ଶିଳ୍ପୀକୁଳଙ୍କୁ ଧନ୍ୟବାଦ ଓ ପ୍ରଣାମ ଜଣାଇ ।
ଚିତ୍ର ସୌଜନ୍ୟ: Ganakabi Baishnab Pani Trust
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

4 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago