ଲେଖା: ଦେଵ ତ୍ରିପାଠୀ
ନବମ ଶ୍ରେଣୀରେ ପାଠ ପଢୁଥିବା ବାଳକଟି ଛୁଟିରେ ଘରକୁ ଆସିଥାଏ । ହଠାତ୍ ଘରର ଛାତ ଉପରେ ଉଡି ଆସି ବସିଗଲା ପେଚାଟିଏ । ଅନେକ କହିଲେ ଏହା ଅଶୁଭ । କେହି କେହି ତାକୁ ଘଉଡାଇବା ପାଇଁ ପାଟିଗୋଳ କଲେ । ବାଳକଟି ମଧ୍ୟ ଟେକାଟିଏ ମାରିବାକୁ ଉଦ୍ୟତ ହେଲା । ଠିକ ଏହି ସମୟରେ ସେଠାରେ ପହଞ୍ଚି ଗଲେ ତା’ର ପିତା ଆଉ ଉଦାତ୍ତ କଣ୍ଠରେ ଉଚ୍ଚାରଣ କରିବାକୁ ଲାଗିଲେ ମନ୍ତ୍ରଟିଏ:
ଓଁ ଯଥା ଅୟମାତ୍ମା ବ୍ରହ୍ମ,
ବିଜ୍ଞାନମୟ, ଜ୍ଞାନମୟୋ, ଜ୍ଞାନମୟୋ, ଚକ୍ଷୁର୍ମୟୋ ଚକ୍ଷୁର୍ମୟୋ ସ୍ତୋତ୍ରଂ ଦଦାତି II
ଆପଣା ଛାଏଁ ପେଚାଟି ଉଡି ଚାଲିଗଲା, କିନ୍ତୁ ବାଳକର ମନରେ ରଖିଗଲା ଅନିର୍ବାଣ ବିସ୍ମୟ ! ଧ୍ୱନିର ଏପରି ମାହାତ୍ମ୍ୟ ?ସେଇ ବାଳକ ଦିନେ ହେଲା ଧ୍ୱନିର ଉପାସକ, ଆକାଶବାଣୀ ପାଇଁ ଅଡିସନ ଦେଲାବେଳେ ପିତୃମୁଖ ନିଃସୃତ ସେହି ଶ୍ଳୋକଟିକୁ ସେ ଗାଇଥିଲା ରାଗ ଶଙ୍କରାଭରଣରେ ।

ସେଇ ବାଳକ ପରବର୍ତ୍ତୀ ସମୟରେ ବନିଯାଇଥିଲା ଓଡ଼ିଶାର ଅପ୍ରତିଦ୍ଵନ୍ଦୀ ସଙ୍ଗୀତଜ୍ଞ, ଓଡିଶୀ ସଙ୍ଗୀତର ମୁକୁଟବିହୀନ ସମ୍ରାଟ, ଗୁରୁଣାଂ ଗୁରୁ ବାଳକୃଷ୍ଣ ଦାଶ ।

ପିଲାଦିନରୁ ଗୋଟିପୁଅ ନାଚ, ଗୀତ ଓ ଅଭିନୟ ଦେଖି ସଙ୍ଗୀତ ପ୍ରତି ଆକର୍ଷିତ ବାଳକୃଷ୍ଣ କଟକରେ, ଓଡିଶୀ ସଙ୍ଗୀତ ପରମ୍ପରା ର ପ୍ରବାଦ ପୁରୁଷ ଗୋକୁଳ ଶ୍ରୀଚନ୍ଦନଙ୍କ ଠାରୁ ସଙ୍ଗୀତଶିକ୍ଷା ଏବଂ ପରବର୍ତ୍ତୀ ସମୟରେ କଲିକତାରେ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ବଡେ ଗୁଲାମ ଅଲ୍ଲୀ ଖାନଙ୍କ ଠାରୁ ସଙ୍ଗୀତଶିକ୍ଷା କରୁଥିବା ସମୟରେ ଠୁମରୀ ଧାରାରେ, କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ଲିଖିତ “ବିତିଲାତ ଯାମିନୀ, ମଉଳିଲା କାମିନୀ”ର ସଙ୍ଗୀତ ସଂଯୋଜନା ଓ ସ୍ବରଦାନ କରି ଓଡ଼ିଶାର ସଙ୍ଗୀତପ୍ରେମୀଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିଲେ । କବିଚନ୍ଦ୍ରଙ୍କ ବ୍ୟତୀତ ଜୀବନାନନ୍ଦ ପାଣି, ଗୋକୁଳ ଶ୍ରୀଚନ୍ଦନ, କବିସମ୍ରାଟ, ବଳଦେବ ରଥ, ଦୀନକୃଷ୍ଣ ଦାସ, ଗୋପାଳକୃଷ୍ଣ ପଟ୍ଟନାୟକ ଇତ୍ୟାଦି କବିଙ୍କ ଲେଖାକୁ ନିଜର ସୁଲଳିତ କଣ୍ଠରେ ଗାନ କରି ଦେଇ ପାରିଥିଲେ ଅପୂର୍ବ ଲୋକପ୍ରିୟତା ।

“ଆସ ଜୀବନ ଧନ ମୋର ପଖାଳ କଂସା”, “ଆଗୋ ରାତିର ଏକାକିନୀ ବିହଙ୍ଗିନୀ”, “ପଥ ଅନାଇ ଝୁରି ଝୁରିରେ”, “ବସି କାନ୍ଦୁଥିବ ମାନିନୀ ପ୍ରାଣସଜନୀ”, “ଲାଜରେ ସରିଗଲି ଆଜ ସଜନୀ”, “ମୋହନ ହେ ମୋହନ ପ୍ରୀତିରେ ନାହିଁ କାରଣ”, “ସଙ୍ଗିନୀରେ ରାସ ରଙ୍ଗିନୀରେ”, “ମହୀମଣ୍ଡନା ତୁ ନ ମାର ମାର”, “ବନ୍ଧୁ ମୋ କାହୁଁ କିସ ଶୁଣିଲାରେ”, “ଥକାମନ ଚାଲ ଯିବା”, “ବାଧିଲା ଜାଣି କ୍ଷମା”, “ଦୀନବନ୍ଧୁ ଏହି ଅଳି ଶ୍ରୀଛାମୁରେ”, “ଉତ୍କଳ ମଉଡ଼ମଣି ହେ”, “ମନ ଭ୍ରମରାରେ ଏ ଫୁଲରେ ନାହିଁ ବାସ”, “ଚନ୍ଦନଲାଗି ସମୟେ ଚିନ୍ତ ଚିନ୍ତାମଣିକି” ଆଦି ଅସଂଖ୍ୟ ଆଧୁନିକ, ଓଡିଶୀ, ଛାନ୍ଦ, ଚମ୍ପୁ, ଭଜନ, ଜଣାଣରେ କଣ୍ଠଦାନ ଓ ସ୍ବର ସଂଯୋଜନା କରି ସେ ବନିଯାଇଥିଲେ ଅପ୍ରତିଦ୍ଵନ୍ଦୀ । ବସନ୍ତରାଗ ଉପରେ ପର୍ଯ୍ୟବେସିତ ପଲ୍ଲବୀ ରଚନା କରି ସେ ଓଡ଼ିଶୀ ନୃତ୍ୟରେ ପଲ୍ଲବୀର ଅଭାବ ମଧ୍ୟ ପୂରଣ କରିଥିଲେ ।

୧୯୫୦ ମସିହାରେ ଶ୍ରୀଜଗନ୍ନାଥ କଥାଚିତ୍ରରୁ ସଙ୍ଗୀତକାର ଜୀବନ ଆରମ୍ଭ କରିଥିବା ବାଳକୃଷ୍ଣ, କେଦାର ଗୌରୀ, ଭାଇ ଭାଇ, ଶ୍ରୀଲୋକନାଥ, ମାର୍ଗ, ନୂଆବୋଉ, ଲକ୍ଷ୍ମୀ, ଜୟଦେବ, ଦସ୍ୟୁ ରତ୍ନାକର, ଶ୍ରୀ ଶ୍ରୀ ପତିତପାବନ, ମାଣିକ ଯୋଡ଼ି, ଜୀବନସାଥୀ, ଅମଡ଼ା ବାଟ, ମଲାଜହ୍ନ, ନବଜନ୍ମ, ଅଦିନ ମେଘ, କନକଲତା, ଶଙ୍ଖମହୂରୀ, ମଥୁରା ବିଜୟ, ବସନ୍ତ ରାସ ପରି ୧୮ଟି କାଳଜୟୀ ଓଡ଼ିଆ କଥାଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ସହ ପ୍ରଚ୍ଛଦପଟ୍ଟ କଣ୍ଠଶିଳ୍ପୀ ଭାବେ ଓଡ଼ିଆ ସଙ୍ଗୀତପ୍ରେମୀଙ୍କ ହୃଦୟରେ ପାଇଛନ୍ତି ଏକ ସ୍ବତନ୍ତ୍ର ସ୍ଥାନ । 

ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଆଦି ବିଭିନ୍ନ ଅନୁଷ୍ଠାନ ସହ ଜଡିତ ରହି, ବାଳକୃଷ୍ଣ ଦାଶ ଓଡ଼ିଶୀ ସଙ୍ଗୀତ ଶିକ୍ଷାଦାନ କରି, ସୃଷ୍ଟି କରିଥିଲେ ବହୁ ସଙ୍ଗୀତଜ୍ଞ ।

ସଙ୍ଗୀତକ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ମଧ୍ୟପ୍ରଦେଶ ସରକାରଙ୍କ ତରଫରୁ ତୁଳସୀ ସମ୍ମାନ ଏବଂ ମୋହନ ସୁନ୍ଦର ଦେବ ଗୋସ୍ଵାମୀ ପୁରସ୍କାର, ଜୟଦେବ ପୁରସ୍କାର, କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପୁରସ୍କାର, ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । କଟକର କଳାବିକାଶ କେନ୍ଦ୍ର ତାଙ୍କୁ “ସଙ୍ଗୀତ ସୁଧାକର” ଉପାଧିରେ ଭୂଷିତ କରିଛନ୍ତି ।

୧୯୨୩ ମସିହା ମଇ ୧୫ ତାରିଖରେ କଟକ ଜିଲ୍ଲାର ସୁନ୍ଦରଗାଁଠାରେ ଜନ୍ମିତ ଏଇ ମହାନ ଗୁରୁ ତଥା ସୁରଶିଳ୍ପୀ ବାଳକୃଷ୍ଣ ଦାଶ ୧୯୯୩ ମସିହା ନଭେମ୍ବର ୧୨ ତାରିଖରେ ଲକ୍ଷ ଲକ୍ଷ ସଙ୍ଗୀତପ୍ରେମୀଙ୍କୁ ଶୋକ ସାଗରରେ ଭସାଇ ଇହଲୀଳା ସମ୍ବରଣ କରିଥିଲେ ।

Spread the love
admin

View Comments

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

2 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

2 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

3 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

3 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

3 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

3 weeks ago