~ ମୁଆଁ ~

ଲେଖା: ଅମୃତେଶ ଖଟୁଆ
ଶ୍ରୀକ୍ଷେତ୍ର ପୁରୀରେ ଏକଦା ପହଞ୍ଚିଛନ୍ତି ଉତ୍କଳଘଣ୍ଟ ଯଦୁମଣି ମହାପାତ୍ର । ନିଜ କର୍ମଭୂମି ନୟାଗଡ଼ରେ ତାଙ୍କ ବିଦ୍ବତ୍ତା ଓ ପ୍ରତ୍ୟୁତ୍ପନ୍ନମତିତାର ଯଶ ବିସ୍ତାର ହେଇ ସାରିଥିଲା । ନୟାଗଡ଼ ରାଜା ବିନାୟକ ସିଂହ ମାନଧାତାଙ୍କ ରାଜ ଉଆସରେ ରାଜକବିଙ୍କ ଅଦ୍ୱିତୀୟ ଅଧିକାର ଲାଭ କରିଥିବା ଉତ୍କଳଘଣ୍ଟ ନିଜ ଆଶୁ ରଚନା ପାଇଁ ଯେତିକି ପ୍ରସିଦ୍ଧ, ସେତିକି ବୁଦ୍ଧିମାନ ମଧ୍ୟ । ଚାରିପାଖ ଲୋକ ତାଙ୍କ ଗୁଣ କୀର୍ତ୍ତିରାଜିର ଶୁଭେଚ୍ଛୁ ପାଲଟି ଯାଇଥିଲେ । କେବଳ ନୟାଗଡ଼ କାହିଁକି, ଓଡ଼ିଶାର ପୁରପଲ୍ଲୀରେ ‘ଯଦୁମଣି’ ବାସ୍ତବିକ ଆବାଳବୃଦ୍ଧବନିତାଙ୍କ ପ୍ରିୟପାତ୍ର । ରସିକ କବି ଭାବରେ ଯଦୁମଣି ବଡ଼ ପଣ୍ଡିତ ।
ରାଜା ବିନାୟକ ସିଂହ ମାନଧାତା ଜୀବିତ ଥିବା ବେଳେ ଯଦୁମଣି ସସ୍ତ୍ରୀକ ଥରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଲାଗି ଶ୍ରୀକ୍ଷେତ୍ର ଧାମ ଆସିଛନ୍ତି । ଏଇ ପୁରୀରେ ସେ ଯେଉଁ କେତେ ଦିନ ଥିଲେ, ତନ୍ମଧ୍ୟରେ ହଠାତ୍ ଦିନେ ଗଜପତି ମୁକୁନ୍ଦଦେବଙ୍କ ସହ ଭେଟ ହୋଇଛି । ଗଜପତି ସେଦିନ ମୁକ୍ତ ପଦବ୍ରଜରେ ଚାଲି ଚାଲି ମହିମାମୟ ଶ୍ରୀଜଗନ୍ନାଥଙ୍କ ଦେଉଳକୁ ବିଜେ ହେଉଥିଲା । ସହସ୍ର ଜନତାଙ୍କ ମଧ୍ୟରେ ସେ ଦେଖା ପାଇଲେ ଉତ୍କଳଘଣ୍ଟ ଯଦୁମଣିଙ୍କ । ଆକର୍ଣ୍ଣବିସ୍ତାରୀ ନେତ୍ରଦ୍ବୟ ଉପରେ କାମ କମାଣ ପ୍ରାୟ ଭ୍ରୂଲତା ଆଉ ସୁଢ଼ଳ ମୁଖ ଦିଓଟି ଆର କାନ ଦି ପଟେ ହଳେ କୁଣ୍ଡଳ ଶୋଭା ପାଉଛି ।
ପୁରୀ ଧାମରେ ଅତିଥି ଯଦୁମଣିକୁ ଗଜପତି ପ୍ରଶ୍ନ କଲେ, ‘ମହାପାତ୍ରେ କ’ଣ ଇଚ୍ଛା ?’ ସେଦିନ ଧନୁ ସଂକ୍ରାନ୍ତି ଥିଲା । କବି ଦେଖି ସାରିଛନ୍ତି, ଶ୍ରୀମନ୍ଦିରକୁ ଶଗଡ଼ ଶଗଡ଼ ସାଚି ମୁଆଁ ଭୋଗ ଆସି ଲାଗିଥିଲା । ତେଣୁ, ଆଶୁକବି ଯଦୁମଣି ତତ୍କାଳୀନ ଅବସ୍ଥା ଓ ନିଜର ଯତ୍କିଞ୍ଚିତ ଦୈନ୍ୟ ଛଳରେ ପ୍ରକାଶ କରିଲେ,
‘ଧନୁ ମାସ ହେଲା ହନୁ ନ ଚଳିଲା
କହିବାକୁ ବଡ଼ ଲାଜ,
ମୁଁ ଆଁ କରିଛି ମୁଆଁ ଖାଇବାକୁ
ଦେବା ହେଉ ମହାରାଜ ।’
ସେଦିନ ଗଜପତି ମହାରାଜା ହଠାତ କବିଙ୍କ ଏପରି ରସିକ ଭାବର ଭିନ୍ନାର୍ଥ ବୁଝି ନ ପାରି ତଥାପି ତାଙ୍କ ପ୍ରତ୍ୟୁତ୍ତରକୁ ସାଧାରଣ ପ୍ରାର୍ଥନା ମଣି ଏକାନ୍ତ ସନ୍ତୁଷ୍ଟ ହୋଇଥିଲେ । ନିଜର ଅନୁରକ୍ତି ସକାଶେ ଯଦୁମଣି ସେଦିନ ଗଜପତିଙ୍କ ନିକଟରୁ ଧନୁ ମୁଆଁ ସହିତ ପାଞ୍ଚ ପେଡ଼ି ଶୁଖିଲା ନିର୍ମାଲ୍ୟ ପାଇ ଗୋଟିଏ କାଞ୍ଚିକାବେରୀ ପାଟ ଓ ପାଞ୍ଚଟି ମୁଦ୍ରା ପାଇଥିଲେ । କେବଳ ସେତିକି ନୁହେଁ, ମହାରାଜାଙ୍କ ପ୍ରଦତ୍ତ ଭୋଗ ଦୁଇ ଜଣ ଭାରୁଆ ଆସି ରାଜ୍ୟକୁ ଆଣିବା ସହ ଗଜପତିଙ୍କ ହସ୍ତାନ୍ତର ମହାପ୍ରସାଦ ବର୍ତ୍ତମାନ ନୟାଗଡ଼ର ଅଧିକାଂଶ ସ୍ଥାନରେ କବିପତ୍ନୀ ବଣ୍ଟନ କରାଇଥିଲେ ।
~ ଜଳଖିଆଠାରୁ ନୈବେଦ୍ୟ ଯାଏଁ ‘ମୁଆଁ’ ~
ମୁଆଁ ଭୋଗ । ନବାତ ମୁଆଁ, ନଡ଼ିଆମୁଆଁ, ଘିଅମୁଆଁ, ଉଖୁଡ଼ାମୁଆଁ ଆଉ ଗୋଟାପଣେ ମୁଆଁ କହିଲେ ଧନୁ ମାସ ବା ପୌଷ ମାସର ପହିଲି ଶୀତକୁ ମନେ ପକାଇ ଦିଏ । ସଜ ଅମଳ ଧାନରୁ ଭଜା ଖଇକୁ ଶୁଖିଲା ନଡ଼ିଆ ପାତି, ଗୁଆଘିଅ ଓ ଗୁଡ଼ ସିରାର ମିଶ୍ରଣ ସହ ସ୍ବତନ୍ତ୍ର ପାଗ କରାଯିବ । ଭାଜି ସାରିବା ପରେ ଉପଯୁକ୍ତ ପାଗରେ ବାନ୍ଧିହେଇ ତିଆରି ହେଇଯାଏ ସୁସ୍ବାଦୁ ମୁଆଁ । ତା’ ସାଙ୍ଗରେ ଗୋଲମରିଚ, ଗୁଜୁରାତି, ଅଳେଇଚ କିମ୍ବା ଜାଇଫଳ, କର୍ପୂର ଓ ପାନମଧୁରୀ ଆଦି ପକାଇ କାଠ ଚୁଲିରେ ବଡ଼ ବଡ଼ କଡ଼େଇ ଘେନି ମିଶ୍ରଣକୁ ଘାଣ୍ଟିବାକୁ ବହୁ ପରିଶ୍ରମ କରିବାକୁ ପଡ଼େ । ହେଲେ ଧନୁମୁଆଁ ଓ ଧନୁ ମାସ ମଧ୍ୟରେ ସମ୍ପର୍କ ନିବିଡ଼ ।
ଆଗ କାଳରେ ଏହି ନୂଆ ଧାନର ଭଜା ଖଇରେ ହେଉଥିବା ମୁଆଁକୁ ଲୋକମାନେ କିଣି ବନ୍ଧୁବାନ୍ଧବ, ପରିଜନ ଘରକୁ ବଡ଼ ବଡ଼ ବେଭାର ସ୍ଵରୂପ କିମ୍ବା ମାଆମାନେ ମାମୁଁ ଘରକୁ ମୁଆଁ ଭାର ନେଉଥିଲେ । ପିଲା ଦିନଠୁ ଆମେ ସଭିଏଁ ଦେଖିଛୁ, ମୁଢ଼ି, ଲିଆ, ଚୁଡ଼ା, ଖଇ ଓ ଗୁଡ଼ ଦେଇ ଖଇ ସଙ୍ଗେ ମୁଆଁ ଭୋଗ । ଏସବୁ ଆମର ନିତିଆନି ଜଳଖିଆ । ଏହା ଯେତିକି ସ୍ବାଦୁ, ସେତିକି ସ୍ବାସ୍ଥ୍ୟପ୍ରଦ । ପେଟରେ ଜୀର୍ଣ୍ଣଶକ୍ତି ବୃଦ୍ଧି କରାଏ ।
ତେଣୁ, ଓଡ଼ିଆଙ୍କ ପାରମ୍ପରିକ ଖାଦ୍ୟରେ ଯେତେ ଖାଦ୍ୟପେୟ ରହିଛି, ତା’ ଭିତରେ ଏଇ ମୁଆଁ ଓ ବିଶେଷ କରି ଧନୁ ମାସର ଧନୁମୁଆଁ ଅନନ୍ୟ । କେବେ କେବେ ଦେଖିଥିବେ, ପିଲାଙ୍କ ଅଦଉତି ରଖି ଘରର ବୁଢ଼ୀ ଆଈମା’, ତାଙ୍କୁ ଗୋଲ ଗୋଲ ଅଠାଳିଆ ଲଡୁ ସବୁ ଦେଇଥିବେ । ମାଆମାନେ ଯେତେବେଳେ ମାମୁଁ ଘରକୁ ଯାଆନ୍ତି, ଫେରିଲା ବେଳେ ତାଙ୍କ ସାଙ୍ଗରେ ରହିଥିବ ବୋଝାଏ ଧନୁମୁଆଁ ଭାର । କିଛି ମିଠେଇ ଓ କଦଳୀ ସହିତ ମୁଆଁ ବଣ୍ଟା ଯିବ ସାହି ପଡ଼ିଶାଙ୍କୁ ।
କଂସାଭର୍ତ୍ତି ମୁଆଁ ପାଇଲା ପରେ ଅଜ୍ଞାତ ଲୋକଟିଏ ବି ଠଉରେଇ ଦେବ, ଏଇ ତ ପାଖ ଝିଅ ବାପଘରୁ ଆସିଛି ସ୍ନେହର ମୁଆଁଭାର । ବିବାହ, ବ୍ରତ, ପୁଣ୍ୟ ପରବ ବେଳେ କେତେ କେତେ ଖାଦ୍ୟ ଭିତରେ ଯାହା ଆଶୁ ପ୍ରାପ୍ୟ ଓ ସୁଲଭ, ତାହା ହେଉଛି ମୁଆଁ । ବର୍ତ୍ତମାନ ନିର୍ମେଘ ପୌଷ ସକାଳ । ହସଖୁସିରେ ପୁଲକିତ ଚଷା ଭାଇ ନିଜ ଧାନ ଅମଳ ସକାଶେ ବଡ଼ ଆନନ୍ଦରେ ଅଛି । ମଗୁଶୁର ସରି ପଉଷ ମାସ ପାହାନ୍ତିରୁ ବିଲରେ ହାଜର । ଏହି ମହାର୍ଘ ବେଳାରେ ଆସେ ତା’ ସହ ଧନୁ ସଂକ୍ରାନ୍ତି
ଏଇ ସମୟରେ ନୂଆ ଧାନ ଅମଳରୁ ଚାଉଳରେ ତିଆରି ହେବ ଖଇ । କେହି ଖଇ କହେ ତ କେହି ଲିଆ କହନ୍ତି । ଗାଁ ଗହଳରେ ନିହାତି ଲୋକେ ଖଇ କହିଲେ ବୁଝିଯିବେ; ଧାନକୁ ମାଟି ହାଣ୍ଡିରେ ଗରମ ବାଲି ଗର୍ଭେ ଦେଇ ପିଞ୍ଛରେ ବା ନଡ଼ିଆ ପତ୍ର କଞ୍ଚିରେ ଯାହା ଭାଜି ତିଆରି ହୁଏ । ତା ପରେ ‘ଚଲା’ରେ ଖଇ ଚଲା ହୋଇ ଖଇରୁ ଫୁଟିଥିବା ଧାନ ଚୋପାକୁ ଅଲଗା କରାଯାଏ । ଖଇ ଚଲାଇବା ପରେ ବି ସବୁ ଧାନଚୋପା ସେଥିରୁ ଅଲଗା ହୋଇ ନ ଥାଏ । ତେଣୁ, ଘରର ଝିଅ ଅବା ସ୍ତ୍ରୀ ଲୋକମାନେ ଧାନ ଚୋପା ବାଛି ଖଇକୁ ଅଲଗା କରନ୍ତି ।
ପ୍ରତି ଘରେ ମାଆ ଓ ବୁଢ଼ୀ ମା’ ଆଦି ବର୍ଷୀୟାନ ମହିଳା ଖଇ ଭାଜନ୍ତି । ଛୋଟ ବଡ଼ ଝିଅ ମିଶି ଖଟି କରି ଖଇ ବାଛନ୍ତି । ଯନ୍ତ୍ରପୀଡ଼ିତ ଯୁଗରେ ଆଜି ବି ସେହି ହାତବଛା ଧାନ ଅମଳର ଖଇ ଓ ଖଇକୁ ଗୁଡ଼ ପାଗ ଓ ନଡ଼ିଆ ପାତି ଦେଇ ମୁଆଁ କରି ପାଗ ବନ୍ଧେଇବାର ଶ୍ରମ ଓ ସ୍ମୃତି ମନେ ପଡ଼େ । ଏହି ଲିଆକୁ ଚିନି ପାଗ ହେଲେ ଖଇ ଓ ଗୁଡ଼ ପାଗ ହେଲେ ଉଖୁଡ଼ା ବୋଲି କୁହନ୍ତି । ଏଇ ଲିଆ ବା ଖଇ ଭାଜିବାର ପ୍ରକ୍ରିୟା ଯଥେଷ୍ଟ ଶ୍ରମସାପେକ୍ଷ । ଆଉ ତାଠୁ ଅଧିକ ଗୁରୁତ୍ବପୂର୍ଣ୍ଣ ମୁଆଁ ତିଆରି । ବିଶେଷ କରି ମାମୁଁ ଘର ପିଲାମାନେ ଏ କଥାରେ ସଚେତନ ଥିବେ ବୋଲି ମୋର ଧାରଣା ।
ଭଲ ଭଲ ଧାନ ଘରେ ଲଦା ହେଇଥିବ । ସେଥିରୁ କିଛି ଉତ୍କୃଷ୍ଟ ଧାନ ମନୋନୀତ ହେବ ବର୍ଷୀୟାନ୍ ଆଈମା’ଙ୍କ ଦ୍ବାରା । ତା’ ପରେ ମାଟି ଚୁଲି ଉପରେ ହାଣ୍ଡି ବସେଇଦେବେ । ସେଥିରେ ବାଲି ଦେଇ ମୁଠିଏ ଖଡ଼ିକାରେ ଖଇ ଭାଜିଦେବେ । ତା’ ପରେ ରନ୍ଧା ଗୁଡ଼ ତତେଇକିନା ତାହା ଯେତେବେଳେ ଅଠାଳିଆ ପାଗ ଧରି ଆସିବ, ସେଥିରେ ଭଜା ନଡ଼ିଆ ପାତି, ଅଳେଇଚ ଓ ଖଇ ପକାଇ ଘାଣ୍ଟି ଦେଉଥିବେ । ଘାଣ୍ଟି ଚକଟିବା ଲାଗି ବହୁ ଶ୍ରମ ଆବଶ୍ୟକ । ଧୈର୍ଯ୍ୟର ସହିତ ଘାଣ୍ଟିବା ଦ୍ବାରା କ୍ରମଶଃ ଅତିଶୟ ଶର୍କରାଯୁକ୍ତ ଗୁଡ଼ର ପାଗ ଖଇକୁ ଭିଡ଼ି ଧରିବ । ରଙ୍ଗ ପରିବର୍ତ୍ତନ ହୋଇ ମେଞ୍ଚା ମେଞ୍ଚା ପାଗଦିଆ ମୁଆଁ । ସେଥିରୁ ଟେଳାଏ ଧରି ଖାଇବାରେ ଓଃ, କି ଆନନ୍ଦ ! କି ଆତ୍ମତୃପ୍ତି !
ଘରେ ବା ଗାଁରେ ପ୍ରତିଦିନ ଘରେ ଠାକୁରଙ୍କୁ ଭୋଗ ହେବା ଲାଗି ଖଇ ଭଜା ହୋଇ ଡବାରେ ରଖା ଯାଇଥିବ । ଖଇରେ ଗୁଡ ବା ଚିନି ପାଗ କରି ଉଖୁଡ଼ା ବା ଚିନି ଖଇ ପ୍ରସ୍ତୁତ କରି ରଖାଯାଏ । ଉଖୁଡ଼ା ପ୍ରାୟ ସବୁ ପୂଜାରେ ଭୋଗ କରାଯାଏ । ଉଖୁଡ଼ା ମୁଆଁ କରା ଯାଇ ଭୋଗ ଲଖାଯାଏ । କାର୍ତ୍ତିକ ମାସରେ ରାଇ ଦାମୋଦର ପୂଜା ଓ ତୁଳସୀ ଚଉଁରା ପାଖରେ ଖଇ ଉଖୁଡ଼ା ସହ ଫଳମୂଳ ଆଦି ଏକାଠି ସଜଡ଼ା ଯାଇ ପୂଜା କରାଯାଏ । ଖୁଦୁରୁକୁଣୀ ଓଷାରେ ଖଇ ଉଖୁଡ଼ା ଓ ମାଆମାନେ ପାଳୁଥିବା ବୁଧେଇ ଓଷା, ସେଥିରେ ବି ଖଇ ଉଖୁଡ଼ା ଭୋଗ । ଉଖୁଡ଼ା ସଙ୍ଗେ ଗୁଡ଼, ନଡ଼ିଆ କୋରା, କାକୁଡି ଫଳ ଏ ସବୁ ସେ ଭୋଗ ଚକଟାରେ ସାଇତି ଥିବ ।
ଗାଁ ଘରେ ଗଜଲକ୍ଷ୍ମୀ ପୂଜା, ପଣା ସଂକ୍ରାନ୍ତି, ଦୁର୍ଗାପୂଜା, ଜନ୍ମାଷ୍ଟମୀ ଆଗରୁ ଗୋଟିଏ ଗୋଟିଏ ଘରେ ଖଇ ଭଜା ହୁଏ ଓ ଝିଅମାନେ ସବୁ ବସି ଖଇରୁ ଧାନ ଚୋପା ବାଛୁଥା’ନ୍ତି । ତା ପରେ ଉଖୁଡ଼ା ତିଆରି ହୁଏ । ସେଥିରୁ ଉଖୁଡା ମୁଆଁ ତିଆରି । ଖାଲି ଭୋଗ ପାଇଁ ନୁହେଁ, ବନ୍ଧୁବାନ୍ଧବ ଜ୍ଞାତିଜନ ଆସନ୍ତି ସେମାନଙ୍କ ପାଇଁ ଏ ସବୁ ସକାଳ ଜଳଖିଆ ବା ଅପରାହ୍ଣ, ସନ୍ଧ୍ୟା ବେଳେ ଜଳଖିଆ ପାଇଁ ଦିଆଯାଏ । ଜହ୍ନିଓଷା ଏବଂ କୁମାର ପୂର୍ଣ୍ଣିମାରେ ସକାଳର ଆଞ୍ଜୁଳି ଓ ସନ୍ଧ୍ୟାର ପୂଜା ଖଇ ବିନା ଯେପରି ନ ହୁଏ । ଗୋଟିଏ ମାସ ଖଇ ପ୍ରତିଦିନ ଭୋଗ ହୋଇ ଚାନ୍ଦ ପୂଜାରେ ଖଇ ସହ ଫଳ, ଛେନା, କଦଳୀ ଆଦି ପକାଇ ଝିଅମାନେ କୁମାର ପୂର୍ଣ୍ଣିମାରେ ଚାନ୍ଦ ଚକଟା ତିଆରି କରି ବନ୍ଦାପନା କରିଥା’ନ୍ତି ।
ମିଷ୍ଟାନ୍ନମୟ ଓଡ଼ିଆ ଖାଦ୍ୟରୁଚିରେ ଖଇ ଓ ଖଇ ପାଗ ମୁଆଁର ଭୂମିକା ଯୁଗାନ୍ତକାରୀ । ବ୍ରାହ୍ମଣ ବ୍ରତଘର, ନବଜାତ ଶିଶୁର ଉତ୍ସବ ବା ଯୁଗ୍ମ ଜୀବନର ବିବାହ ମହୋତ୍ସବରେ ଯେମିତି ଖଇ ବ୍ୟବହାର ହୁଏ ସେମିତି ପାର୍ଥିବ ମଣିଷର ଇହଲୀଳା ସମ୍ବରଣ ବେଳେ ଦରକାର ହୁଏ ଖଇ କଉଡ଼ି ! ସତେ ଯେପରି ଏ ପିଣ୍ଡ ଯେମିତି ମାଟିଗଢ଼ା, ଖଇ ବି ସେପରି ମାଟିମନସ୍କ ! ଦିନେ ଶାଶୁ ଘରକୁ ଆସୁଥିବା ବାପ ଘରର ଖଇ ଉଖୁଡ଼ା ବା ଉଖୁଡ଼ାମୁଆଁର ଭାର ଦେଖି ଶାଶୁଘର ଲୋକେ ବାପ ଘରର ଉଚ୍ଚ କୁଳୀନ ପରମ୍ପରା ବିଷୟରେ ଅବଗତ ହୋଇ ପ୍ରଶଂସାରେ ଶତମୁଖ ହୋଇ ଉଠୁଥିଲେ ।
ପୂଜା, ଭୋଗ, ଭାର-ବେଭାର ପରେ ସବୁଠାରୁ ବଡ କଥା ହେଲା ପ୍ରତି ଘରେ ଏହା ଜଳଖିଆ । ସୁଷମ ଓ ବହୁତ ସ୍ବାସ୍ଥ୍ୟକର । ଅଧୁନା ଯେଉଁ କଳକାରଖାନାରୁ ଉତ୍ପାଦିତ ଉଚ୍ଚ ବ୍ୟୟବରାଦରେ ସହରୀ ଲୋକ କର୍ନଫ୍ଲେକ୍ସ୍ ଖାଉଛନ୍ତି ସେ ଆଉ କଣ କି ? ଆମେ ପିଲାବେଳେ ଯେଉଁ ଖଇ, ମୁଢ଼ି, ଚୁଡ଼ା, ମୁଆଁ, କଦଳୀ, କ୍ଷୀର ବା ଦହି ଗୁଡ଼, ଚିନି ଆଦି ପକାଇ ଚକଟା ଜଳଖିଆରେ ଖାଉଥିଲୁ । ଏବେ ତାହା ବିଜ୍ଞାପନ ପ୍ରଚାରିତ ଯନ୍ତ୍ର-ଉତ୍ପାଦିତ ଓଟ୍ସ ହେଇ ଯଶ ସମ୍ମାନ ପାଉଛି ! ଏହା ହିଁ ତ ଆମ ସଂସ୍କୃତି ପକ୍ଷରେ ଘୋର ବିଡ଼ମ୍ବନା ।
~ ଦେବତା ଓ ମଣିଷଙ୍କ ‘ମୁଆଁ’ ଭୋଗ ~
ତେବେ ଏହି ଧନୁମୁଆଁର ଜନ୍ମକୁ ନେଇ ରହିଛି ଅନ୍ୟ ଏକ ରୋଚକ କିମ୍ବଦନ୍ତୀ । ଆମ ରାଇଜରେ ଥିଲେ ଜଣେ ମିଠାପ୍ରେମୀ ରାଜା । ପ୍ରତିଦିନ ମଣୋହିରେ ତାଙ୍କର ଲୋଡା ହୁଏ ପ୍ରତ୍ୟେକ ଜାତିର ମିଷ୍ଟାନ୍ନ ; ଆରିସା, କାକରା, ଛେନା ଗଜା, ରାବିଡ଼ି ଏମିତି କେତେ କ’ଣ । କିନ୍ତୁ ରାଜାଙ୍କୁ ସନ୍ତୋଷ ଦେବାର କ୍ଷମତା ବୋଧହୁଏ କୌଣସି ମିଠାର ନ ଥିଲା । ରାଜାଙ୍କର ଦରକାର ଥିଲା ଏପରି ମିଠା ଯାହା ପାଟିରେ ପକାଇଲେ ଦୀର୍ଘସ୍ଥାୟୀ ସ୍ବାଦ ଦେବ, ଏସବୁ ମିଠା ତ ପାଟିରେ ପକାଉ ପକାଉ ମିଳାଇ ଯାଉଛି ।
ରଜା ଗୋଜା ଲୋକ । ଶାସକଙ୍କର ଶାସ୍ତିଗର୍ଭିତ ତାଗିଦ୍ – ତାଙ୍କ ଲାଗି ଏମିତି ମିଠା ତିଆରି ହେଉ, ଯାହାକୁ ଯେତେ ଭୁଞ୍ଜି ପାରୁଥିବ, ସେତେ ମଧୁମୟ ଥିବ ତାର ମହକ, ଅପୂର୍ବ ହୋଇଥିବ ତାର ସ୍ବାଦ । ଯଥାଶୀଘ୍ର ଯୋଗାଇ ନ ପାରିଲେ ରାଜ୍ୟର ସମଗ୍ର ଗୁଡ଼ିଆ ଜାତିର ହେବ ମୁଣ୍ଡକାଟ । ଚିନ୍ତିତ ଥିଲେ ରାଜ୍ୟର ସମଗ୍ର ଗୁଡ଼ିଆ ଜାତି । ଜଣେ କିନ୍ତୁ ଥିଲେ ସ୍ଥିତପ୍ରଜ୍ଞ । ତାଙ୍କ ଆଶ୍ଵାସନାରେ ସମସ୍ତେ ପାଇଲେ ନୂଆ ଜୀବନ । ଆଉ ଏ‌ହିଠାରୁ ହିଁ ଆରମ୍ଭ ହୋଇଗଲା ମିଠାପ୍ରିୟ ଓଡ଼ିଆଙ୍କ ଜୀବନରେ ଆଉ ଏକ ମିଠାମୟ ପରମ୍ପରାର ଶୁଭାରମ୍ଭ – ଧନୁମୁଆଁ !
ପୁରୀ ଆଡ଼େ ଧନୁ ସଂକ୍ରାନ୍ତିକୁ ‘କ୍ଷେତବଢ଼ା’ କୁହନ୍ତି । ଏହି ମୁହୂର୍ତ୍ତରେ ଶାସନୀ ବ୍ରାହ୍ମଣମାନଙ୍କ ଘରେ ଘରେ ନୂଆ ଧାନକୁ ଆଣି ଘର ବୋହୂମାନେ ମାଟିହାଣ୍ଡିରେ ଲିଆ ଭାଜନ୍ତି । ତା’ପରେ ଗୁଡ଼ ପକାଇ ପାଗ କରି ଉଖୁଡ଼ା ତିଆରି ହୁଏ । ବଡ଼, ଛୋଟ ଆକାର ଦେଇ ମୁଆଁ କରାଯାଇ ଶାସନର ବ୍ରାହ୍ମଣ ମାନେ ତାଟ କିମ୍ବା ଚାଙ୍ଗୁଡିରେ ମୁଆଁ ରଖନ୍ତି । ଯାହା କ୍ଷେତକୁ ନେଇ ନୂଆ ଧାନ ସଂଗ୍ରହ ପୂର୍ବରୁ ସେଠି ପୂଜା କରାଯାଏ ଏହି ମୁଆଁ ଭୋଗ ଦେଇ । ଯେହେତୁ ମାର୍ଗଶିର ମାସ ଶେଷ ହୋଇ ଧନୁ ମାସ ହେଲା, ଧୀରେ ଧୀରେ ଧାନ ମଧ୍ୟ କଟା ହେବ ।
ସେହି ସମୟରେ ୨-୪ ବୁଦା ଧାନ ଗଛ ଛାଡ଼ି ଦେଇ କ୍ଷେତବଢ଼ା ପାଇଁ ରଖାଯାଏ । ଧନୁ ସଂକ୍ରାନ୍ତି ସକାଳୁ ମୁଆଁ ଭୋଗ ତିଆରି କରି ତାଟରେ ନେଇକି ଯିବେ ଘରର ବ୍ରାହ୍ମଣମାନେ । ତାଟ ବା ଚାଙ୍ଗୁଡ଼ିରୁ ମୁଆଁ ଭୋଗ ଅଣାଇ ସାଙ୍ଗରେ ଫୁଲ, ଚନ୍ଦନ, ଧୂପ ଓ ଦୀପ ଦେଇ ବିଲରେ ଧାନ ଗଛ ମୂଳକୁ ଲାଗି ପୂଜା କରନ୍ତି । ଗନ୍ଧ, ପୁଷ୍ପ ସମର୍ପଣ କରି ମା’ ଲକ୍ଷ୍ମୀ, କ୍ଷେତ୍ରପାଳ ଓ ବସୁନ୍ଧରା ନାମରେ ପୂଜା କରି ମୁଆଁ ଭୋଗ ଦିଅନ୍ତି । ସେହି ଠାରେ ବିଲ ଖଟଣି ବୁଝୁଥିବା ଚାଷୀ ଗନ୍ତବ୍ୟ ଅଭିମୁଖେ ଯାଉଥିବା ବାଟୋଇମାନଙ୍କୁ ଏଇ ସୁଖର ମୁଆଁ ନୈବେଦ୍ୟ ବାଣ୍ଟି ଦିଅନ୍ତି । ତା’ ପରେ ଧାନ କଟା ଯାଇ ଗାଁ ଘର ଖଳାରେ ଆସି ଗଦା ହେବ ।
ତେବେ ଓଡ଼ିଆ ଘରର ଓଷାବ୍ରତ, ପୂଜାପାଠ ପରି କାର୍ଯ୍ୟକ୍ରମରେ ଥାଳିରେ ମୁଆଁକୁ ‘ଜୁଗାର୍’ ଆକୃତି ଦିଆଯାଇ ଦେବଦେବୀଙ୍କ ପାଖରେ ସମର୍ପଣ କରାଯାଏ । ଓଡ଼ିଶାର ପଶ୍ଚିମାଞ୍ଚଳରେ ଏକ ଅନନ୍ୟ ପର୍ବ ହେଉଛି ଜୁଗାର ଯାତ୍ରା । ଏହାର ମୂଳଉତ୍ସ ହେଉଛି ମୁଆଁ । ଖଇ ଓ ଗୁଡ଼ରେ ପ୍ରସ୍ତୁତ ‘ଜୁଗାର’ ବିଶେଷ ଭାବରେ ପ୍ରଚଳିତ ହେଉଥିବା ବେଳେ ସ୍ଥାନ-କାଳ ବିଶେଷରେ ଏହି ଜୁଗାରର ଉଚ୍ଚତା ହୋଇଥାଏ ୬ ଫୁଟରୁ ୧୫ ଫୁଟ୍‌ ଭଳି ବିଶାଳ ଆକୃତି ! ମାନସିକ ପୂରଣ ପରେ ମାନସିକଧାରୀ ଭକ୍ତି ଓ ବିଶ୍ୱାସର ସହିତ ମା’ କାଳୀଙ୍କ ପାଖରେ ଜୁଗାର ସମର୍ପଣ କରିଥା’ନ୍ତି ।
ଭକ୍ତମାନଙ୍କର ‘ଜୁଗାର’ ସବୁକୁ ପାରମ୍ପରିକ ଲୋକବାଦ୍ୟର ତାଳେ ତାଳେ ପଟୁଆରରେ ଅଣାଯାଇ ମା’ଙ୍କୁ ସମର୍ପଣ କରିବାର ବିଧି ହିଁ ଜୁଗାର ଯାତ୍ରା ଭାବରେ ସୁପରିଚିତ । ‘ଜୁଗାର’ ସବୁର ଆକର୍ଷଣୀୟ ପରିପାଟୀ ବେଶ୍‌ ଦର୍ଶନୀୟ ।ନିର୍ମାଣଶୈଳୀ ଦୃଷ୍ଟିରୁ ଜୁଗାର ସବୁ ଭିନ୍ନ ଭିନ୍ନ ନାମରେ ନାମିତ । ତନ୍ମଧ୍ୟରୁ ‘ଗଡୁ ଜୁଗାର’, ‘ହଂସ ଜୁଗାର’, ‘ଧିଣ୍ଡା ଜୁଗାର’, ‘ଖୁଲା ଜୁଗାର’, ‘ଜୁଲି ଜୁଗାର’‘ପଦ୍ମ ଜୁଗାର’ ଅନ୍ୟତମ । ଏହି ଯାତ୍ରା ପ୍ରଥମେ ବରଗଡ଼ ଜିଲା ଘେଁସ ବ୍ଲକ କୁଚିପାଲି ଗାଁରେ ୧୮୮୫ ମସିହାରେ ଆରମ୍ଭ ହୋଇଥିବାର ଜଣାଯାଏ ।
~ ବିଭିନ୍ନ ଅଞ୍ଚଳରେ ‘ମୁଆଁ’ ରାଜୁତି ~
ଧନୁ ସଂକ୍ରାନ୍ତିରୁ ମକୟ ସଂକ୍ରାନ୍ତି ଯାଏଁ ମହାପ୍ରଭୁ ଶ୍ରୀଲିଙ୍ଗରାଜ ଓ ମହାପ୍ରଭୁ ଶ୍ରୀଜଗନ୍ନାଥ ଉଭୟଙ୍କ ପହିଲି ଧୂପର ଭୋଗରେ ମୁଆଁ ଭୋଗ ପ୍ରସିଦ୍ଧ । ଆଉ ତା’ ସହ ଖୋର୍ଦ୍ଧା ଜିଲ୍ଲାର ବାଣପୁର ଭଗବତୀଙ୍କ ପ୍ରତ୍ୟେକ ପନ୍ତି ଭୋଗରେ ମଧ୍ୟ ଏଇ ଉଖୁଡ଼ା ମୁଆଁ ଭୋଗ ଲାଗି ହୁଏ । ଏଇ ଧନୁମୁଆଁ ବ୍ରହ୍ମପୁରର ଅଧିଷ୍ଠାତ୍ରୀ ବୁଢ଼ୀ ଠାକୁରାଣୀ ଓ ଗଞ୍ଜାମର ଋଷିକୂଲ୍ୟା ନଦୀ ତୀରବର୍ତ୍ତୀ କୁମାରୀ ପର୍ବତରେ ଥିବା କରୁଣାମୟୀ ଶକ୍ତିସ୍ବରୂପିଣୀ ମା’ ତାରାତାରିଣୀଙ୍କର ଅତିପ୍ରିୟ ଭୋଗ ।
ଅତ୍ୟନ୍ତ ସହଜ ଉପାୟରେ ପ୍ରସ୍ତୁତ ହୁଏ ଏଇ ଧନୁମୁଆଁ । ଗଞ୍ଜାମ ଜିଲ୍ଲାର ପ୍ରମୁଖ ମହାନଗରୀ ବ୍ରହ୍ମପୁର କଥା କହିବା । ବଡ଼ ବଡ଼ ଚୁଲିରେ ବଡ କଡ଼େଇକୁ ୧୦୦ ଡିଗ୍ରୀ ପର୍ଯ୍ୟନ୍ତ ଉତ୍ତପ୍ତ ଅବସ୍ଥାରେ ତତେଇ ଘିଅ ଓ ଚିନି ପକାଇ ତରଳାଇ ଦିଆଯାଏ । ତରଳା ଚିନିରେ ଭଜା ଲିଆ ପକାଇ ଘାଣ୍ଟିବାକୁ ହୁଏ । ନରମ ଅବସ୍ଥାରେ ଲିଆକୁ କଡ଼େଇରୁ ବାହାର କରି ମୁଆଁ କଠିନ ହେବା ପୂର୍ବରୁ ଛାଞ୍ଚ ଉପରେ ଘିଅ ଦେଇ ଭଜା ହୁଏ । ନଡ଼ିଆ ଖଣ୍ଡ ପକାଇ ଦିଆଯାଇଥାଏ (ଏବେ ଅବଶ୍ୟ ଛଣା ଯାଇଥିବା କାଜୁ, କିସମିସ, ଚେରି ଇତ୍ୟାଦି ଦିଆଯାଉଛି) । ମୁଆଁ କଠିନ ହେବା ପରେ ଛାଞ୍ଚରୁ ବାହାର କରି ସୁରକ୍ଷିତ ଭାବେ ପ୍ୟାକ୍ କରାଯାଇଥାଏ ।
ଉପଯୁକ୍ତ ମାନର ମୁଆଁ ଛ’ମାସ ଯାଏଁ କଠିନ ଅବସ୍ଥାରେ ଖାଇବାଯୋଗ୍ୟ ରହିପାରେ । ବ୍ରହ୍ମପୁରର ପ୍ରାୟ ଦେଢ଼ ଶହରୁ ଅଧିକ ପରିବାର ଏକ ଶତାବ୍ଦୀରୁ ଅଧିକ କାଳ ଧରି ଏଇ ସ୍ବାଦିଷ୍ଟ ପରମ୍ପରାକୁ ବଜାୟ ରଖିଆସିଛନ୍ତି । ବ୍ରହ୍ମପୁରର ଏଇ ମୁଆଁର ପ୍ରସାର ପଡ଼ିଶା ତେଲେଙ୍ଗାନା, ଅବିଭକ୍ତ ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଆଦି ରାଜ୍ୟରେ “ବ୍ରହ୍ମପୁର ମୁଆଁ” ନାମରେ ପରିବ୍ୟାପ୍ତ ଓ ପ୍ରସିଦ୍ଧ ହୋଇ ଓଡ଼ିଆ ଭୋଜନ ପରମ୍ପରାର ବାନା ଉଡ଼ାଇ ଚାଲିଛି । ଓଡ଼ିଶା ଭିତରେ ମଧ୍ୟ ଛେନାର ଆକାଶଛୁଆଁ ମୂଲ୍ୟବୃଦ୍ଧି କାରଣରୁ ଏଇ ପାରମ୍ପରିକ ମିଠା ମଧ୍ୟବିତ୍ତ ଶ୍ରେଣୀ ମଧ୍ୟରେ ହୋଇପାରିଛି ଅତ୍ୟନ୍ତ ଲୋକପ୍ରିୟ । ତେବେ ଭାଲ୍ୟୁ ଆଡିସନର ନାମରେ, ପ୍ରତିଯୋଗିତା ଓ ଆଧୁନିକତା ଦ୍ଵାହି ଦେଇ ଏବେ ଏବେ ସୃଷ୍ଟି ହୋଇଛନ୍ତି କିଛି ଧୂର୍ତ୍ତ ବ୍ୟବସାୟୀ । ସେଥିପାଇଁ ଧନୁମୁଆଁର ମହକ ଆଜି ଅନେକାଂଶରେ ମ୍ଳାନ । ତଥାପି ‘ନକଲି’ର ପ୍ରହାରରୁ ମୁକୁଳିବା ଏତେ ସହଜ ହୁଏନା ଏଇ ଦୃଢଚିତ୍ତ ବ୍ୟବସାୟୀମାନଙ୍କର, ଧନୁମୁଆଁ ପରି ହୃଦୟକୁ ଟାଣ କରି ବଞ୍ଚିଛନ୍ତି ଯାହା ।
ଏବେ ଆସିବା ରଜତନଗରୀ କଟକକୁ । କଟକ ସଦର ଖାନନଗରର ଗୁଡ଼ିଆ ସାହି ଏଥିପାଇଁ ଧନୁ ସଂକ୍ରାନ୍ତି ପୂର୍ବରୁ ପ୍ରସ୍ତୁତ ହୋଇଥାଏ । ଖାନନଗର ଗୁଡ଼ିଆ ସାହି ଠାରେ ୫ ରୁ ୬ ପରିବାରର ଲୋକେ ତିଆରି କରୁଛନ୍ତି ଏହି ମୁଆଁ । ମୁଆଁ ମଧ୍ୟରେ ରହିଛି ଭଜା ମୁଆଁ, ଚିନି ମୁଆଁ, ଘିଅ ମୁଆଁ, ଗୁଡ଼ ମୁଆଁ । ଏଥି ମଧ୍ୟରୁ ଭଜା ମୁଆଁ ଓ ଘିଅ ମୁଆଁର ରହିଛି ଅଧିକ ଚାହିଦା । ଏପରିକି କଟକ ସମେତ ବାହାର ଅଞ୍ଚଳରେ ମଧ୍ୟ ଏହି ମୁଆଁର ରହିଛି ଚାହିଦା । ଧନୁ ସଂକ୍ରାନ୍ତିର ଏକ ମାସ ପୂର୍ବରୁ ଏହି ମୁଆଁ ତିଆରି କାମ ଆରମ୍ଭ ହୋଇଥାଏ । ତେବେ ଭଜା ମୁଆଁ ପ୍ରସ୍ତୁତି ପାଇଁ ପ୍ରଥମେ ଚିନିରେ ‌କିଛି ମାତ୍ରାରେ ଲେମ୍ବୁ ରସ ଦିଆଯାଇ ସେଥିରେ କଟା ନଡ଼ିଆ, ଚିନା ବାଦାମ ପକାଯାଇ ପାଗ କରାଯାଏ । ପରେ ଖଇକୁ ସେଥିରେ ମିଶାଯାଇ ଗୋଲମରିଚ ଓ ଅଳେଇଚ ଗୁଣ୍ଡ ପକାଇ ଘାଣ୍ଟି ଦିଆଯାଏ ଓ ଛାଞ୍ଚରେ ଭଜା ମୁଆଁ ତିଆରି କରାଯାଏ । ସେହିପରି ଚିନି ମୁଆଁରେ କଟା ନଡ଼ିଆ, ଚିନା ବାଦାମ ପକାଯାଇ ପାଗ କଲା ପରେ ପରେ ଖଇକୁ ସେଥିରେ ମିଶାଯାଇ ଗୋଲମରିଚ ଓ ଅଳେଇଚ ଗୁଣ୍ଡ ପକାଇ ଘଣ୍ଟା ଯାଇ ଛାଞ୍ଚରେ ଚିନି ମୁଆଁ ତିଆରି କରାଯାଏ । ଘିଅ ମୁଆଁରେ ପ୍ରଥମେ ପାଣିରେ ଚିନି ପକାଯାଇ ତାକୁ ଫୁଟାଯାଏ । ପରେ ସେଥିରେ କାଜୁ, କିସ୍‌ମିସ, ନଡ଼ିଆ କୋରା, କମଳା, ଖୁଆ, ଅଦା ପକାଯାଇ ପାଗ କରି ଖଇ ପକାଯାଇ ସେଥିରେ ଗୋଲମରିଚ, ଲବଙ୍ଗ, ଗୁଜୁରାତି ଓ ଅଳେଇଚ ଗୁଣ୍ଡ ପକାଇ ଘଣ୍ଟା ଯାଇଥାଏ । ସେହିପରି ଗୁଡ଼ ମୁଆଁରେ ପ୍ରଥମେ ଗୁଡ଼କୁ ତରଳାଇ ସେଥିରେ ଖଇ ପକାଯାଇ ସେଥିରେ ଜୁଆଣି ଗୁଣ୍ଡ, ଗୋଲମରିଚ ଗୁଣ୍ଡ ପକାଯାଇ ଏହା ତିଆରି କରାଯାଇଥାଏ ।
ସାଧାରଣତଃ ନଭେମ୍ବର ମାସ ଶେଷ ଆଧକୁ ବଜାରରେ ଭଳିକି ଭଳି ମୁଆଁ ମନ ମୋହୁଛି । ମହକାଉଛି ମୁଆଁର ସ୍ୱାଦ । ମିଠା ତଥା ବିଭିନ୍ନ ବହୁ ବ୍ୟବସାୟ ପ୍ରତିଷ୍ଠାନରେ ବହୁ ରକମର ମୁଆଁ ବିକ୍ରି ଚାଲିଛି । ୨୦୦ ଗ୍ରାମ ଓଜନ ଠାରୁ ଆରମ୍ଭ କରି ୨ କି.ଗ୍ରା ଓଜନ ବିଶିଷ୍ଟ ମୁଆଁ ବଜାରରେ ଉପଲବ୍ଧ ହେଉଛି । ତାହା ବି ପୁଣି ବିଭିନ୍ନ ଆକୃତିର । ମୁଆଁର ସ୍ୱାଦ ଓ ଗୁଣମାନ ଅନୁସାରେ ଦର ରହିଛି । ମୁଆଁ କିଗ୍ରା ପ୍ରତି ଦର ୭୦ ଟଙ୍କାରୁ ଆରମ୍ଭ ହୋଇ ୫୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । ମୁଆଁ ମଧ୍ୟରେ ସବୁଠାରୁ ସୁଆଦିଆ ମୁଆଁ ହେଉଛି ଘିଅ ମୁଆଁ । ଏଥି ସହ ଆଧୁନିକ ଯୁଗରେ ଚିନି ମୁଆଁ, ବାଦାମ ମୁଆଁ, କାଜୁ ମୁଆଁ, ପିସ୍ତା ବାଦାମ ମୁଆଁ ସମେତ ବିଭିନ୍ନ ଧରଣର ମୁଆଁ ବଜାରରେ ବିକ୍ରି ବହୁଳ ମାତ୍ରାରେ ଚାଲିଛି ।
ମୁଆଁ ପ୍ରସ୍ତୁତି ସକାଶେ ଆବଶ୍ୟକ ଚିନି, ଘିଅ, ତେଲର ଦର ବୃଦ୍ଧି ଯୋଗୁଁ ମୁଆଁ ଦର ବୃଦ୍ଧି କରାଯାଉଛି । ଯଦ୍ଦ୍ବାରା ପୂର୍ବାପେକ୍ଷା ମୁଆଁର ଦରବୃଦ୍ଧି କରାଯିବା ଯୋଗୁଁ ମୁଆଁର ଚାହିଦା ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ କମିଯାଇଛି । ତଥାପି ଧନୁ ସଂକ୍ରାନ୍ତି ପରଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ମୁଆଁ ବେପାର କ୍ଷିପ୍ର ବେଗ ଧାରଣ କରିବ ବୋଲି ବ୍ୟବସାୟୀ ମାନେ ଆଶା ରଖନ୍ତି । ଅନୁରୂପ ଭାବରେ ଗଞ୍ଜାମ ହିଞ୍ଜିଳିକାଟୁ ଅଞ୍ଚଳରେ ପ୍ରାୟ ୧୫ରୁ ଊର୍ଦ୍ଧ୍ବ ସ୍ବତନ୍ତ୍ର ମୁଆଁଭାଟି ରହିଛି । ଉକ୍ତ ଭାଟିଗୁଡ଼ିକରେ ବିଭିନ୍ନ ମୁଆଁ ପ୍ରସ୍ତୁତ କରିବା ପରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ରପ୍ତାନି କରାଯାଇଥାଏ ।
ମୁଆଁ ପ୍ରସ୍ତୁତିରେ ଲିଆ, ଚିନି, ଘିଅ, ନଡ଼ିଆ, କାଜୁ, ଦ୍ରାକ୍ଷା, ପିସ୍ତା ବାଦାମ, ଲେମ୍ବୁ ରସ, ବାଦାମ, କୁଙ୍କୁମ ମିଠା ଆବଶ୍ୟକ ହୋଇଥାଏ । ୫୦ କିଗ୍ରା ମୁଆଁ ପ୍ରସ୍ତୁତ କରିବା ପାଇଁ ପାଖାପାଖି ସାଢ଼େ ୨ ଘଣ୍ଟା ସମୟ ଲାଗିଥାଏ ବୋଲି ମୁଆଁ କାରିଗର ମାନେ କୁହନ୍ତି । ପ୍ରଥମେ ଚିନି ପାଗ କରାଯାଇଥାଏ । ଗରମ ଚିନି ପାଗରେ ପୂର୍ବରୁ ପ୍ରସ୍ତୁତ ସଫା ଲିଆ ପକାଯାଇ ଘଣ୍ଟା ଯାଇଥାଏ । ତା’ ପରେ ବିଭିନ୍ନ ଆକୃତିର ଛାଞ୍ଚରେ ଚିନି ପାଗରେ ପ୍ରସ୍ତୁତ ଲିଆକୁ ଢଳାଯାଇଥାଏ । ମୁଆଁଁର ଉପରି ଅଂଶରେ ଗୁଡ଼ରେ ଛଣା ଯାଇଥିବା ନଡ଼ିଆ ଖଣ୍ଡ, କାଜୁ, କୁଙ୍କୁମ ମିଠାକୁ ସଜାଇ ଦିଆଯାଇଥାଏ । ତେବେ ଘିଅ ମୁଆଁ ପ୍ରସ୍ତୁତ ଟିକିଏ ସ୍ୱତନ୍ତ୍ର ।
ଘିଅମୁଆଁ ପ୍ରସ୍ତୁତି ସକାଶେ ତଥା ଏହାକୁ ଅଧିକ ସ୍ୱାଦିଷ୍ଟ କରିବା ପାଇଁ ଲିଆକୁ ପ୍ରଥମେ ଘିଅରେ ଛଣାଯାଇ ପ୍ରସ୍ତୁତ କରାଯାଇଥାଏ । ହିଞ୍ଜିଳିକାଟୁ ଅଞ୍ଚଳରୁ ଦୈନିକ ପ୍ରାୟ ୩୦ରୁ ୫୦ ହଜାର ମୁଆଁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ରପ୍ତାନି କରାଯାଇଥାଏ ବୋଲି ମୁଆଁ ବ୍ୟବସାୟୀ ମାନେ କହିଛନ୍ତି । ସେହିପରି ଭାବେ ଦେଶୀ ଘିଅ, ଗୁଡ଼ କିମ୍ବା ଚିନି ଶିରା, ଉଖୁଡା(ଲିଆ), ନଡ଼ିଆପାତି, କାଜୁବାଦାମ, ଚିନାବାଦାମ, ଅଳେଇଚ, ଲବଙ୍ଗ ଆଦି ସ୍ବାଦୁ ମସଲାର ମହକ ଯୋଗରେ ତିଆରି ହୁଏ ଧନୁ ମୁଆଁ । ତେବେ ପିଢ଼ି ପରେ ପିଢ଼ି ପ୍ରଚୁର ଆଖୁ ଚାଷ ହେଉଛି ଗଞ୍ଜାମର ଆସିକା ଅଞ୍ଚଳରେ ।
ତେଣୁ ଧନୁମୁଆଁ ପାଇଁ ଦରକାରୀ ଗୁଡ଼ କିମ୍ବା ଚିନି ପାଇଁ ମୁଖ୍ୟ ଉତ୍ସ ପାଲଟିଛି ଆସିକା । ଅନେକ ଧୂରୀଣ ମୁଆଁ କାରୀଗର ଆସିକାରେ ଠାବ ପାଇ ବର୍ଷକେ ତିନିମାସ ପାଇଁ ହେଲେ ବି ମୁଆଁ ତିଆରି କରିବା ସେମାନଙ୍କ କୌଳିକ ବୃତ୍ତିରେ ପରିଣତ ହୋଇଛି । ଏହା ପୂର୍ବରୁ ଧନୁମୁଆଁ ଗୁଡ଼ରେ ପ୍ରସ୍ତୁତ ହେଉଥିଲା । ବ୍ରିଟିଶ ଅମଳରେ ରାଜ୍ୟର ପ୍ରଥମ ଚିନିକଳ ୧୮୨୪ ମସିହାରେ ଆସିକାଠାରେ ସ୍ଥାପିତ ହେବା ପରେ ଗୁଡ଼ ବଦଳରେ ଚିନିର ପ୍ରୟୋଗ ଆରମ୍ଭ କରିଥିଲେ ଆସିକାର କାରିଗରମାନେ । କହିବାକୁ ଗଲେ ଆସିକା ଚିନିକଳ ମୁଆଁ ପ୍ରସ୍ତୁତିକୁ ରୂପାନ୍ତରିତ କରି ରାଜ୍ୟର ବିଭିନ୍ନ ଅଞ୍ଚଳକୁ ବସ୍ ଓ ଟ୍ରେନ ଯୋଗେ ଏହି ନେଣଦେଣକୁ ଆର୍ଥିକ ସ୍ବଚ୍ଛଳତା ପ୍ରଦାନ କରିଛି ।
~ ଏକାମ୍ରକ୍ଷେତ୍ରରେ ବିଶ୍ବପ୍ରସିଦ୍ଧ ‘ମୁଆଁଭୋଗ’ ~
କୋରାଖଇ ଓ ମୁଆଁଭୋଗ ହେଉଛି ଏକାମ୍ରକ୍ଷେତ୍ରର ସ୍ବତନ୍ତ୍ର ପରିଚୟ । ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପ୍ରିୟ ମହାପ୍ରସାଦ ମଧ୍ୟରେ ଏହା ଅନ୍ୟତମ । ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନିତ୍ୟ ସକାଳ ମଙ୍ଗଳ ଆଳତି ଓ ଅବକାଶ ପରେ ବଲ୍ଲଭ ଧୂପରେ ଏହି ମୁଆଁ ଭୋଗ ସହ ନଡ଼ିଆପାତି, କୋରାଖଇ ସ୍ବତନ୍ତ୍ର ନୈବେଦ୍ୟ ଭାବେ ସମର୍ପିତ । ଏଥି ସହ ମହାପ୍ରଭୁଙ୍କ ବର୍ଷଯାକ ପୁରାଣପ୍ରସିଦ୍ଧ ଚଉଦ ପ୍ରମୁଖ ଯାତ୍ରା ତଥା ଯେତେ ଉପଯାତ୍ରା ଓ ପର୍ବପର୍ବାଣି କ୍ଷେତ୍ରଯାକ ଆଦୃତ ହୋଇଛି, ସେଥିରେ ମଧ୍ୟ କୋରାଖଇ ମୁଖ୍ୟ । ମୁଆଁଭୋଗ ବି ଏଥିରେ ପ୍ରଧାନ । ବଡ଼ ବଡ଼ ଗୋଲାକାର ନଡ଼ିଆ ପାତି ସହ ଏ ମୁଆଁ ଭୋଗରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ ।
ଏଥି ସହ ଭକ୍ତ ତଥା ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ବଡ଼ଦେଉଳକୁ ଦର୍ଶନ ସକାଶେ ଆସି କୋରାଖଇ ଭୋଗ ଲାଭ କରନ୍ତି । ଏହି କୋରା ଖଇ ଓ ମୁଆଁ ଭୋଗ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନିୟମିତ ଧୂପ ଏବଂ ଯାନିଯାତ୍ରା ସଙ୍ଗେ ଓତଃପ୍ରୋତ ଜଡ଼ିତ । ତେଣୁ, କୋରାଖଇ ବା ମୁଆଁ ଭୋଗର ମହାପ୍ରସାଦ ଶୀତଳ ମଣୋହି ବିନା ଏକାମ୍ରକ୍ଷେତ୍ରର ଦର୍ଶନ ଯେପରି ଅସମ୍ପୂର୍ଣ୍ଣ ରହିଯାଏ । କେବଳ ଭୁବନେଶ୍ୱର କାହିଁକି, ସମଗ୍ର ଓଡ଼ିଶା ଓ ଦେଶ ବିଦେଶରେ ଏହି କୋରାଖଇ ତଥା ମୁଆଁଭୋଗର ବିଶେଷ ଦାବି । ଓଡ଼ିଶା ପର୍ଯ୍ୟଟନ କରି ଆସୁଥିବା ବିଦେଶୀ ପର୍ଯ୍ୟଟକମାନଙ୍କୁ ଏକାମ୍ରକ୍ଷେତ୍ରର ସ୍ବତନ୍ତ୍ର କୋରାଖଇ ବା ମୁଆଁ ଭୋଗ ପାଇବା ଲାଗି ପରାମର୍ଶ କରୁ ।
ଓଡ଼ିଆ ପରମ୍ପରା ଓ ସଂସ୍କୃତି ସହିତ ଘନିଷ୍ଠ ମୁଆଁଭୋଗ ସହ ଠାକୁରଙ୍କ ଭୋଗରେ ଲାଗି ହେଉଥିବା ଗଜା, ରାଶି ଲଡୁ, ଫେଣି ଖଜା, ଧଳା ଖଇ, ଚୁଡ଼ା ପୁଆ, ଗୁଡ଼ ଉଖୁଡ଼ା ବା ଉଖୁଡ଼ା ମୁଆଁ ମଧ୍ୟ ପ୍ରସ୍ତୁତ କରାଯାଉଛି । ହେଲେ ପ୍ରସ୍ତୁତ ଅତି ଶ୍ରମସାପେକ୍ଷ ଓ ବ୍ୟୟବହୁଳ । ଏହାର ପ୍ରସ୍ତୁତି ବିଷୟରେ ଯେପରି ପୂର୍ବରୁ କହିଥିଲୁ, ସମାନ ପ୍ରଣାଳୀ ସହିତ ଅତିରିକ୍ତ ଭାବେ ଭଜା ଖଇକୁ ସିରା ସହ ମିଶାଇବା ବେଳେ ନଡ଼ିଆପାତି ସାଙ୍ଗରେ ଗୋଲମରିଚ ଗୁଣ୍ଡ, ଗୁଜୁରାତି, ଜାଇଫଳ, କର୍ପୂର ଆଦି ପକାଇ ବଡ଼ ବଡ଼ କଡ଼େଇ ଓ ହାଣ୍ଡି ଦେହରେ ଘାଣ୍ଟି ଦିଆଯାଏ । ସେହିଭଳି ଖଇ ଓ ମୁଆଁ ସହ କୋରା ତିଆରି ପାଇଁ ନଡ଼ିଆ କୋରି ତାକୁ ଶୁଖାଇବାକୁ ପଡ଼େ । ଏହି ଶୁଖିଲା କୋରା ଗୁଣ୍ଡକୁ ଗୁଆ ଘିଅ ଓ ଚିନି ସିରା ସହ ମିଶାଇ ପାଗ ଦେଇ ଦେଲା ପରେ ଗୋଲ ଗୋଲ କୋରାଖଇ ପ୍ରସ୍ତୁତ ହୁଏ । ଏଥିରେ ବି ସାଙ୍ଗକୁ ଗୁଜୁରାତି, ଜାଇଫଳ, ପାନ ମଧୁରୀ ଭଳି ମସଲା ଦେଇ ମୁକ୍ତ ବଜାରରେ ଅଧିକ ସ୍ବାଦୁ କରାଯାଉଛି ।
ଦିନ ଥିଲା ଏକାମ୍ରକ୍ଷେତ୍ର ବଡ଼ଦାଣ୍ଡ ସାହି ପାଖକୁ ‘ବଇଆ କୋରାଖଇ’ କହିଲେ ଲୋକେ ଜାଣୁଥିଲେ । ଏଠୁ କୋରା, ଖଇ ଉଖୁଡ଼ା ଓ ମୁଆଁ କିଣିବା ଲାଗି ଦିନରାତି ଭିଡ଼ ଶ୍ରଦ୍ଧାଳୁମାନଙ୍କ । କିନ୍ତୁ ଆହୁରି ଅନେକ ଏହି ବୃତ୍ତିକୁ ଆପଣେଇ ନେଲେଣି । ଆଜି ପୁରୁଣା ଭୁବନେଶ୍ବର ଏକାମ୍ରକ୍ଷେତ୍ରରେ ଅନେକ ପରିବାର କୋରା ଖଇ ତିଆରି ଓ ବିକ୍ରିବଟା ବୃତ୍ତିରେ ଅବସ୍ଥାପିତ । ଏହି ବଡ଼ଦାଣ୍ଡ ସାହିରେ ଅନୃକ ଦୋକାନ ରହିଛି । ଜେଜେ ଓ ଗୋସି ବାପାଙ୍କ ଅମଳରୁ ସେମାନେ ଏହାକୁ ବୃତ୍ତି ଭାବରେ ଆଦରି ନେଇଛନ୍ତି । ଆଜି ମଧ୍ୟ ଆଧୁନିକ ଚିନିକଳ ପ୍ରସ୍ତୁତ ଚିନି ଥିବା ସତ୍ତ୍ବେ ଗୁଡ଼ ସିରାର କୋରା ଖଇ ଓ ମୁଆଁ ଚାହିଦାରେ ଅଛି ।
ଗୁଣବତ୍ତା ଅନୁଯାୟୀ ଏହାର ଦର କିଲୋ ପିଛା ୨୦୦ ଟଙ୍କାରୁ ୨୪୦ ଟଙ୍କା ରହୁଥିବା ବେଳେ ଆକଳନ କରି ଦେଖିଲେ ଦୈନିକ ୫ କ୍ବିଣ୍ଟାଲ କୋରାଖଇ ଓ ମୁଆଁ ବିକ୍ରି ହେଉଛି । ଶ୍ରଦ୍ଧାଳୁମାନେ ଭୋଗ ଲାଗି ଯେତିକି କ୍ରୟ କରିବା କଥା, ବରଂ ତା’ ଅପେକ୍ଷା ଅନ୍ୟ ଅଞ୍ଚଳର ପୂଜା ସାମଗ୍ରୀ ବିକ୍ରେତା ଓ ମିଠେଇ ଦୋକାନ ଲୋକ ଆସି ବରାଦରେ କିଣୁଛନ୍ତି । ପରିତାପର ପ୍ରସଙ୍ଗ ଯେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଏହି ପ୍ରସିଦ୍ଧ ଭୋଗ ଆଜି ସ୍ବତନ୍ତ୍ର ଭୌଗୋଳିକ ମାନ୍ୟତାରୁ ବଞ୍ଚିତ । ପ୍ରାୟ ୩୦୦ ବର୍ଷ ପୂର୍ବରୁ ବୈରାଗୀ ସାହୁ ନାମକ ଗୁଡ଼ିଆ ହିଁ ସେହି ପ୍ରସିଦ୍ଧ ବ୍ୟକ୍ତି ‘ବଇଆ’ ଏହି ଖଇ ଉଖୁଡ଼ା ଟିକକ ପାଇଁ ।
ଆଧୁନିକତାର ଝଞ୍ଜାବାତ ଓ ଶୀତଳ ନିଶ୍ଚେତନାକୁ ଅତିକ୍ରମ କରି ତଥାପି ଧନୁ ମୁଆଁ ନିଜ ଟାଣ ରଖିପାରିଛି । ସେଥିପାଇଁ ତ ସେତିକି ସିଠା ସିଠା, ଅଠାଳିଆ ଓ ଭିତରୁ କେଡ଼େ ଦମ୍ଭବାନ ! ମିଠେଇର ଏଇ ମନ୍ତୁରା ଶକ୍ତି ହେଉଛି ଓଡ଼ିଆ ସଂସ୍କୃତିର ଟାଣପଣର ପରାକାଷ୍ଠା !
admin

Recent Posts

ମୁଦ୍ଗଳ ମାଧବ

~ ସୋମେଶ୍ୱର ତୀର୍ଥ ଓ ମୁଦ୍ଗଳ ମାଧବ ~ ଲେଖା: ଅମୃତେଶ ଖଟୁଆ କାକଟପୁର-କୋଣାର୍କ ରାସ୍ତାରେ ଗଲା ବେଳକୁ ଦକ୍ଷିଣପୂର୍ବ…

31 mins ago

ଗୋପୀନାଥପୁର

~ ଗୋପୀନାଥପୁର ~ ଲେଖା: ଅମୃତେଶ ଖଟୁଆ ନାତିଦୂର ବିଜନତାରେ ସବୁଜ ପଲ୍ଲୀଭୂମି ଦେଇ ସେଦିନ ପହିଲି ଶ୍ରାବଣର ଆଗମନ…

4 hours ago

ଚିତ୍ରକଳା

~ ଓଡ଼ିଶାର ଚିତ୍ରକଳା ~ ଲେଖା: ଅମୃତେଶ ଖଟୁଆ ସମଗ୍ର ସୃଷ୍ଟି ହିଁ ଗୋଟିଏ #ଚିତ୍ର । #ସୂର୍ଯ୍ୟୋଦୟ, #ସୂର୍ଯ୍ୟାସ୍ତ,…

1 day ago

ହାତୀଘୋଡ଼ା ମିଠେଇ

~ ଦୀପାବଳୀରେ ଖେଳଣା ମିଠା: ହାତୀଘୋଡ଼ା ମିଠେଇ ~ ଲେଖା: ଅମୃତେଶ ଖଟୁଆ ଆମ ଓଡ଼ିଆଙ୍କ ଖାଇବା ଇ ନିଆରା…

1 day ago

ଘଣ୍ଟପାଟୁଆ

ଘଣ୍ଟପାଟୁଆ ଲେଖା: ଅମୃତେଶ ଖଟୁଆ "ବରଗଛ ଘାଉଁ ଘାଉଁ, ଗାଉଣି ଭାଇକି ପଚାରୁ ଅଛି ଘଟ ଜନମିଲା କାହୁଁ ।…

2 days ago

ଅଲାଗିପାଳି

~ 'ଅଲାଗିପାଳି' ଓ ମାଣବସା ଗୁରୁବାରର 'ଧାନମାଣିକା' ମାହାତ୍ମ୍ୟ ~ ଲେଖା: ଅମୃତେଶ ଖଟୁଆ ଉଜ୍ଜ୍ବଳ ସୁବର୍ଣ୍ଣମୟ ସୂର୍ଯ୍ୟାସ୍ତ ସହ…

3 days ago