ଲେଖା: ଶିଶିର ସାହୁ ମନୋଜ
~ ମା’ ମଙ୍ଗଳା: ଓଡ଼ିଶାର ତଥା ନୌଯାତ୍ରାର ଅଧିଷ୍ଠାତ୍ରୀ ଦେଵୀ ~
ଆମ କଳିଙ୍ଗୋଡ୍ରତ୍କଳରେ ନୌଵାଣିଜ୍ୟ ପରମ୍ପରାର ଅଧିଷ୍ଠାତ୍ରୀ ମା’ ମଙ୍ଗଳା । କଳିଙ୍ଗ ଦେଶର ସାଧଵମାନେ ବୋଇତ ଦେଇ ଯାତ୍ରା ଆରମ୍ଭ କରିଵା ସମୟରେ ମା’ ମଙ୍ଗଳାକୁ ସ୍ମରଣ କରୁଥିଲେ ତାଙ୍କର ଆରାଧନା କରୁଥିଲେ ।
ଗୋପୀନାଥ ଦାସ ତାଙ୍କ “ଖୁଦୁରୁକୁଣୀ” ପଦ୍ୟରେ ସାଧଵମାନେ କିପରି ମା’ ମଙ୍ଗଳାଙ୍କୁ ସୁମରଣା କରନ୍ତି ତହିଁର ଵର୍ଣ୍ଣନା କରିଛନ୍ତି
“ଜୟଗୋ ଜୟ ଗୋ ମଙ୍ଗଳା
ଉଦ୍ଧାର ବୁଡ଼ିବାର ଭେଳା ।
ସଂକଟ ତାରିଣୀ ମଙ୍ଗଳା
ଉଦ୍ଧାର ବୁଡ଼ିବାର ଭେଳା ।”
ମଙ୍ଗ୍ ଧାତୁର ଅର୍ଥ ଗମନ କରିଵା ଵା ଯିଵା । ନୌକାର ମୁଣ୍ଡ ଵା ନୌକାର କର୍ଣ୍ଣ ତଥା ଜାହାଜର ପାର୍ଶ୍ବ (ଆପ୍ଟେ)କୁ ମଙ୍ଗ କୁହାଯାଏ । ଡଙ୍ଗାର ଆଗ ପାଖର ମଙ୍ଗକୁ ଆଗମଙ୍ଗ ଓ ପଛପାଖର ମଙ୍ଗକୁ ପଛମଙ୍ଗ କହନ୍ତି । ଯେମିତି ମଙ୍ଗ ଵିନା ବୋଇତରେ ଆତଯାତ କରିଵା ଅସମ୍ଭଵ ସେହିପରି ମଙ୍ଗ୍ ଧାତୁରୁ ନିଷ୍ପନ୍ନ ମଙ୍ଗଳା ନାମରେ ନାମିତ ମା’ ମଙ୍ଗଳାଙ୍କ ସ୍ମରଣ ଵିନା ଜଳଯାତ୍ରା ମଧ୍ୟ ନିତାନ୍ତ ଵିପଦପୂର୍ଣ୍ଣ ବୋଲି ପ୍ରାଚୀନ କାଳରୁ ଏ ଦେଶରେ ଲୋକଵିଶ୍ଵାସ ପ୍ରଚଳିତ । କଳିଙ୍ଗୋଡ୍ରତ୍କଳର ନୌଵାଣିଜ୍ୟ ଯୁଗରେ ବୋଇତର ମଙ୍ଗ ଉପରେ ମା’ ମଙ୍ଗଳାଙ୍କୁ ସ୍ଥାପନ କରାଯାଉଥିଲା । କାର୍ତ୍ତିକ ପୂର୍ଣ୍ଣିମା ପରେ ମାର୍ଗଶିର ମାସରେ ଗମନ କରି ଭାଦ୍ରବ ମାସରେ ସାଧବମାନେ ନୌବାଣିଜ୍ୟ ସାରି ଵିଦେଶରୁ ସ୍ଵଦେଶକୁ ଲେଉଟି ଆସୁଥିଲେ । ସାଧଵମାନଙ୍କର ଶୁଭ ପ୍ରତ୍ୟାଵର୍ତ୍ତନ ଲାଗି କୁମାରୀମାନେ ଭାଦ୍ରବ ମାସରେ ମଙ୍ଗଳମୟୀ ମା’ ମଙ୍ଗଳାଙ୍କୁ ଆରାଧନା କରୁଥିଲେ ଯାହା ଆଜି ମଧ୍ୟ ଖୁଦୁରୁକୁଣୀ ଓଷା ନାମରେ ପାଳିତ ହୋଇଥାଏ ।
ପାର୍ଵତୀ, ଦୁର୍ଗା ଓ ସରସ୍ବତୀ ଠାକୁରାଣୀଙ୍କ ମୂର୍ତ୍ତିକୁ ମଙ୍ଗଳା କୁହାଯାଏ । ପତିଵ୍ରତା ସ୍ତ୍ରୀ, ଧଳା ଓ ନୀଳ ଦୁବ ତଥା ହଳଦୀକୁ ମଧ୍ୟ ମଙ୍ଗଳା କୁହାଯାଏ ।‌ ଓଡ଼ିଶାର ଅଧିଷ୍ଠାତ୍ରୀ ଦେଵୀ ହେଉଛନ୍ତି ମା’ ମଙ୍ଗଳା । ତାଙ୍କୁ ଏଠାକାର ଅଧିକାଂଶ ଗ୍ରାମରେ ଗ୍ରାମ୍ୟ ଦେଵୀ ରୂପେ ଆରାଧନା କରାଯାଏ । କାକଟପୁରରେ ସେହି ମା’ଙ୍କର ପ୍ରସିଦ୍ଧ ମନ୍ଦିର ଵିଦ୍ୟମାନ ।
ଓଡ଼ିଶାର ଲୋକେ ନୌଵାଣିଜ୍ୟ କରୁଥିଲେ ଫଳରେ ନୌଯାତ୍ରାର ଅଧିଷ୍ଠାତ୍ରୀ ଦେଵୀ ମା’ ମଙ୍ଗଳାଙ୍କର ଦେଵସ୍ଥାନ ଓଡ଼ିଶାର ପ୍ରାୟ ଅଧିକାଂଶ ଅଞ୍ଚଳରେ ଦେଖାଯାଏ । ମା’ ମଙ୍ଗଳାଙ୍କୁ ସ୍ମରଣ ଵିନା ନୌଯାତ୍ରା କରିଵାକୁ ଅଶୁଭ ମନେ କରାଯାଉଥିଲା ‌ ।
ଶ୍ରୀଧର ଧୀଵରଙ୍କ ‘ଖୁଲଣା ସୁନ୍ଦରୀ’ ଗୀତିକାଵ୍ୟରେ ଏହି ଲୋକଵିଶ୍ଵାସ ସୁନ୍ଦର ଭାବରେ ପ୍ରତିଫଳିତ ହୋଇଛି । ସାଧଵ ଧନେଶ୍ବର ନୌଵାଣିଜ୍ୟ ଯାତ୍ରା ଆରମ୍ଭ ପୂର୍ଵରୁ ମା’ ମଙ୍ଗଳାଙ୍କ ପରିଵର୍ତ୍ତେ ଶ୍ରୀଜଗନ୍ନାଥଙ୍କୁ ସ୍ମରଣ କରିଥିଵାରୁ ପରେ କେମିତି ବହୁ ଦୁଃଖ ଓ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥିଲେ ଏଵଂ ଧନେଶ୍ଵର ସାଧଵ ପ୍ରତି ମା’ ମଙ୍ଗଳାଙ୍କର ତିରସ୍କାରକୁ ଶ୍ରୀଧର ଧୀଵର ‘ଖୁଲଣା ସୁନ୍ଦରୀ’ରେ ଏପରି ଉଲ୍ଲେଖ କରିଛନ୍ତି …
“ଧନେଶ୍ବର ତୁ କି ବାତୁଳ ହେଲୁ କି
ମତେ ଛାଡ଼ି ତୁ ଅନ୍ୟକୁ ଭଜିଲୁ ।
ସେ କାଳିଆ ବଡ଼ ଦେଉଳେ ବସି
ଭୋଗ ଖାଉଥାଏ ହୋଇଣ ଖୁସି ।
ଦେଖିବି ସେ ତୋତେ ରଖେ କେମିତି
ମୁହିଁ ମା’ ତୋତେ କହେ ଏତିକି । ”
ସ୍ପଷ୍ଟ ହୁଏ ମା’ ମଙ୍ଗଳା ନୌଵାଣିଜ୍ୟ ପରମ୍ପରାର ଇଷ୍ଟ ଦେଵୀ ଫଳତଃ ଏ ଦେଶରେ ଆଗେ ନୌଯାତ୍ରା ପୂର୍ଵରୁ ଜୟ ଜଗନ୍ନାଥର ଜୟଘୋଷ ନୁହେଁ ଵରଂ ମାତା ମଙ୍ଗଳାଙ୍କୁ ସ୍ମରଣ କରାଯାଉଥିଲା । ଆଜି ଭାବିଲେ ଆଶ୍ଚର୍ଯ୍ୟ ଲାଗେ ଯେ ଆଜକୁ ଶତ ଶତ ଵର୍ଷ ପୂର୍ଵେ ଏହି ମାର୍ଗଶିର ମାସରେ ମା’ ମଙ୍ଗଳାଙ୍କୁ ସ୍ମରଣ ଓ ପୂଜା କରି ବୋଇତ ନେଇ ନୌଵାଣିଜ୍ୟ ହେତୁକ ସାଗରପାରି ଦେଶମାନଙ୍କୁ ଗମନ କରୁଥିଲେ ।‌
ଯୁଗ ପରେ ଯୁଗ ବିତି ଯାଇଛି କଳିଙ୍ଗ ଦେଶର ସେ ସୁଵର୍ଣ୍ଣଯୁଗ ମଧ୍ୟ ଅପସରି ଯାଇଛି କିନ୍ତୁ ଓଡ଼ିଆ ଜାତି ପ୍ରାୟତଃ ସ୍ଵାଭିମାନହୀନ ହୋଇ ସୁଦ୍ଧା ତା ଜାତୀୟ ଠାକୁରାଣୀ ମା’ ମଙ୍ଗଳାଙ୍କର ଆଜି ବି ଆରାଧନା କରିଚାଲିଛି । ସେଇ ମାଆମାଟି ଅଛି, ମହୋଦଧି ଓ ମା’ ମଙ୍ଗଳା ଅଛନ୍ତି କିନ୍ତୁ ୪୦୦ ଵର୍ଷର ପରାଧୀନତା ଯୋଗୁଁ ଓଡ଼ିଆ ଜାତିର ସ୍ଵାଭିମାନ ହ୍ରାସ ହେତୁକ ଏ ଜାତି ସୁନାରୁ କ୍ରମଶଃ ମାଟି ହୋଇ ହୋଇ ଗଲାଣି ।
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago