ଉପସ୍ଥାପନା: ଗଣେଶ ଚନ୍ଦ୍ର ସିଂହ ଓ ଶିଶିର ସାହୁ ମନୋଜ
ଅଵକାଶ ଚିନ୍ତା ଓଡ଼ିଆ ଭାଷାର ସାହିତ୍ୟ ସମ୍ଭାରରେ ଏକ ଅମୂଲ୍ୟ ସମ୍ପଦ । ଓଡ଼ିଆ ଭାଷାରେ ନାନାଦି କାଵ୍ଯ କଵିତା ସଂଗ୍ରହ ସଂକଳନ ରହିଛି କିନ୍ତୁ ତନ୍ମଧ୍ୟରେ ମାନଵଵାଦୀ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଦ୍ଵାରା ରଚିତ ଏହି କଵିତା ପୁସ୍ତକଟି ସତରେ ନିଆରା କହିଲେ ଅତ୍ୟୁକ୍ତି ହେଵ ନାହିଁ । ଏହି କବିତା ସଙ୍କଳନରେ କଵିଙ୍କର ରାଷ୍ଟ୍ରପ୍ରେମୀ ଓ ମାନଵଵାଦୀ ଚିନ୍ତାଧାରାର ସାର୍ଥକ ପରିପ୍ରକାଶ କରିଅଛନ୍ତି ।
ଏଠାରେ ଆମ୍ଭେ ଅଵକାଶଚିନ୍ତା କଵିତା ସଂକଳନରେ ଉତ୍କଳମଣିଙ୍କର ମାନଵଵାଦୀ ଚିନ୍ତାଧାରା କେଉଁଠି କେଉଁଠି ଵର୍ଣ୍ଣିତ ହୋଇଅଛି ତତ୍ ବିଷୟରେ ଆଲୋଚନା କରିଵା . .
ଏହି କଵିତା ସଙ୍କଳନର “ପ୍ରାର୍ଥନା” କଵିତାରେ ମାନଵଵାଦୀ ଉତ୍କଳମଣି ଵିଶ୍ଵଭାତୃତ୍ଵର କଥା ସୁନ୍ଦର ଛନ୍ଦରେ ଆଙ୍କି ଅଛନ୍ତି । ଏଥିରେ ଵିଶେଷତଃ ଈଶ୍ଵରପ୍ରୀତି, ଦେଶପ୍ରୀତି ଓ ମାନଵପ୍ରୀତିର ଅଵତାରଣା କରାଯାଇଛି ।
“ହିନ୍ଦୁ ଖ୍ରୀଷ୍ଟ ଜୈନ ମୁସଲମାନ
ଭେଦ ଭୁଲି ଏବେ ସର୍ଵେ ସମାନ,
ଭ୍ରାତୃ-ପ୍ରେମ-ଡୋରେ ହୋଇଣ ବାନ୍ଧି
ଜଣାଉଛୁ ତଵ ଛାମୁରେ କାନ୍ଧି,
ଅରକ୍ଷିତ ଶିଶୁକୁଳ ହେ,
ଜନନୀ ଵିଷାଦେ ଭସାଇ ନ ଦିଅ
କେବେ ପ୍ରଭୁ ଆଦିମୂଳ ହେ ।”
ପୁଣି ଜାତିଭେଦ ଠାରୁ ଉର୍ଦ୍ଧ୍ବରେ ଉଠି ଜାତୀୟତାର ଏକତାରେ ବାନ୍ଧି ହୋଇ ଏକ ସୁସ୍ଥ ଓ ସୁନ୍ଦର ସମାଜର ପରିକଳ୍ପନା କରିଵା ହେତୁ ଆହ୍ଵାନ ଦେବାକୁ ଯାଇ ମାନଵଵାଦୀ ଉତ୍କଳମଣି କହୁଛନ୍ତି:
“ବ୍ରାହ୍ମଣ-ଶାସନ ଶଵରପଲ୍ଲୀ,
କୃଷକ କୁଟୀର ନୃପ ଅଟ୍ଟାଳି,
ଜାତୀୟତା-ସ୍ରୋତ ହେଉ ପ୍ଲାବିତ,
ଉଠୁ କୋଟି କଣ୍ଠୁ ଜାତୀୟ ଗୀତ,
ତେଜି ସ୍ବାର୍ଥ ଅଭିମାନ ଯେ,
ଜନନୀ- କଲ୍ୟାଣେ ସାଧୁ ଅନୁଷ୍ଠାନେ
ରହୁ ସଦା ମନ ଧ୍ୟାନ ଯେ ।”
କାଠଯୋଡ଼ିରେ ସନ୍ଧ୍ୟା କଵିତାରେ ଉତ୍କଳମଣି ମାନଵଵାଦୀର ସଂଜ୍ଞା ପ୍ରଦାନ କଲାଭଳି ପ୍ରତିଭାତ ହୁଏ । ସେ କହିଛନ୍ତି ଯେ ଯିଏ ଵିଶ୍ଵକୁ ଏକପରିବାର ମନେ କରେ ଓ ସମସ୍ତ ମନୁଷ୍ୟଙ୍କୁ ସମାନ ସେ ହିଁ ମହତଜନ  ଏବଂ ମାନଵଵାଦୀ ଅଟେ ।
“ମହତ ଜନର ହୃଦେ ଏହି ମତି,
ଆଭାସେ ସତତ ଶତ ପ୍ରତିକୃତି ।
ପ୍ରେମ ଭାଵେ ଯାର ଅନ୍ତର ପୂରିତ,
ସର୍ବ ପ୍ରାଣୀ ହୃଦ ତା ହୃଦେ ଅଙ୍କିତ ।
ସର୍ଵ ଅନୁଭୁତି ସର୍ଵଭୁତେ ତାର
ତା ଦୃଷ୍ଟିରେ ଵିଶ୍ଵ ଏକ ପରିଵାର ।
ସେହି ନିଜେ ଵିଶ୍ଵ, ଵିଶ୍ଵ ମଧ୍ୟ ସେହି
ଅନ୍ୟ ହୋଇ ତାର ନାହିଁ ଆଉ କେହି ।”
ଏହି କଵିତାର ଶେଷରେ କଵି ସଂସାରର ଉଚ୍ଚ ନୀଚ୍ଚ ଭେଦଭାଵକୁ ବଵିକାଶ ବଳରେ ପ୍ରସମିତ କରି ଐକ୍ୟ ପ୍ରାପ୍ତ କରାଯାଇପାରିଵ ଏବଂ ମହୀ ମଧ୍ଯ ସ୍ଵର୍ଗରେ ପରିଣତ ହୋଇପାରିଵ ବୋଲି ମତ ପୋଷଣ କରିଅଛନ୍ତି,
“ଉଚ୍ଚ ନୀଚ ବୃତ୍ତି ସକଳ ଯେଵେ ସମେ ଵିକାଶେ,
ପୂର୍ଣ୍ଣ ହୁଏ ନର, ସଂସାର ପୁରେ ସ୍ଵର୍ଗ ଉଲ୍ଲାସେ ।”
“ଖଣ୍ଡଗିରି ଶିଖରେ” କଵିତାରେ ଗୋପବନ୍ଧୁ ଧର୍ମ ନାମରେ ହିଂସା ଦ୍ଵେଷକୁ ଦୋଷାରୋପ କରି ଗୋଟିଏ ପଦରେ ଯାହା କହିଛନ୍ତି ତାହା ଆଜି ବି ପ୍ରାମାଣିକ ଅଟେ,
“ଧର୍ମେ ଧର୍ମେ କିମ୍ପା ଦ୍ଵେଷ ଵାଦ ଅହଙ୍କାର ?”
ପ୍ରକୃତରେ ଵର୍ତ୍ତମାନ ସମୟର ଧାର୍ମିକ ହିଂସାଦ୍ଵେଷ ମାନଵଵାଦର ସବୁଠାରୁ ବଡ଼ ଶତୃ କହିଲେ ଅତିଶୟୋକ୍ତି ହେବ ନାହିଁ  ।
ଅବକାଶ ଚିନ୍ତାର “ବ୍ରାହ୍ମଣ ସମିତି ଛାତ୍ରାଵାସରେ ସମଵେତ ଛାତ୍ରମାନଙ୍କ ପ୍ରତି” କଵିତାରେ ଗୋପବନ୍ଧୁ ପୁର୍ନଵାର ଵିଶ୍ଵଭାତୃତ୍ଵ ହେତୁରୁ ଉତ୍ସାହିତ କରିବାକୁ ଯାଇ ଆହ୍ଵାନ କରି କହୁଛନ୍ତି,
“ପ୍ରେମେ ଆଲିଙ୍ଗନ କର ସର୍ଵଜନେ,
ଉଛୁଳାଅ ପ୍ରେମ ଉଚ୍ଛ୍ୱାସ ଜୀବନେ।
ତୁମ୍ଭ ଆଦରଶେ ଅନ୍ୟ ଯେତେ ଜାତି,
ଉଠିବେ ପଲକେ ସାଧୁ କାର୍ଯ୍ୟେ ମାତି ।
ସାନ ବଡ଼ପଣ ସିନା ଭାଗ୍ୟାଧୀନ,
ସେଥିଲାଗି ମନ ନ କର ମଳିନ।”
ତତ୍ପରେ ଉତ୍କଳମଣି ଦଧିଚୀଙ୍କ ଉଦାହରଣ ଦେଇ କହୁଅଛନ୍ତି, “ହେ ବାଳକ ମାନେ,ହେ ମନୁଷ୍ୟ ମାନେ ତୁମ୍ଭେ ସ୍ଵାର୍ଥ ତ୍ୟାଗକରି ଆଵଶ୍ୟକ ହେଉଥିଲେ ଲୋକହିତରେ ପ୍ରାଣତ୍ୟାଗ କରିଵାକୁ ବି ପଛାଅନି ।” ଲୋକହିତ ହିଁ ମାନଵଵାଦ ଓ ମାନଵଵାଦଯୁକ୍ତ ଦେଶପ୍ରୀତି ହିଁ ରାଷ୍ଟ୍ରବାଦ ବୋଲି ଗୋପବନ୍ଧୁ ଏଠାରେ ଘୋଷଣା କରିଯାଇଥିଵା ଅନୁଭଵ ହେଉଅଛି ।
“ଲୋକହିତ ପ୍ରାଣ ପ୍ରଦାନ ପ୍ରଵଣ,
ଦଧୀଚି ଶୋଣିତ କରିଛି ଧାରଣ ।
ଦିଅ ସ୍ୱାର୍ଥବଳି ଦେଖାଅ ସେ ତ୍ୟାଗ,
ଭାରତ ଜାତୀୟ ମହାଯାଗେ ଲାଗ ।”
ଶେଷରେ ଭାରତର ସଂଖ୍ୟାଗରିଷ୍ଠ ସନାତନୀ ହିନ୍ଦୁମାନଙ୍କୁ ଆନ ସମ୍ପ୍ରଦାୟର ଲୋକଙ୍କ ପରି ମୌଳିଵାଦୀ ନହୋଇ ବରଂ “ଵସୁଧୈଵ କୁଟୁମ୍ଵକମ୍”ର ମହାମନ୍ତ୍ରରେ ସୁମରଣା ପୂର୍ଵକ କହୁଅଛନ୍ତି,
ନିଜ ସୁଖ ଲାଗି ଜାତି ନୁହେଁ ହିନ୍ଦୁ,
ଵିଶ୍ୱହିତେ ହିନ୍ଦୁ ପ୍ରତି ରକ୍ତବିନ୍ଦୁ ।
ଦେଖାଅ ଏ ସତ୍ୟ ଆପଣା ପରାଣେ,
ଦିଅ ଏହି ମନ୍ତ୍ର ସର୍ଵ ଵର୍ଣ୍ଣ କାନେ ।
ସର୍ଵେ ଆମ୍ଭେ ଏକ ଈଶ୍ୱର-ସନ୍ତାନ,
ସାଧ ଵିଶ୍ୱହିତ ତେଜି ଅଭିମାନ ।”
‘ଅଵକାଶ ଚିନ୍ତା’“ଗ୍ରୀଷ୍ମେ ଖୁଣ୍ଟାଗଛ” କଵିତା ଛଳରେ ସମାଜ ପାଇଁ ଜୀବନର ସବୁକିଛି ତ୍ୟାଗ କରି ଦେଵାର ଯେଉଁ ଵାର୍ତ୍ତା ସୁନ୍ଦର ଭାଵରେ ଵର୍ଣ୍ଣନା କରିଅଛନ୍ତି ତାହା ଉକ୍ତ କଵିତାଟିକୁ ସଂପୂର୍ଣ୍ଣ ପାଠ କଲା ପରେ ହିଁ  ହୃଦୟଙ୍ଗମ କରିପାରିଵେ,
“ହେ ଵୃକ୍ଷରାଜ ! କଲି ଯେଉଁ ଵିଚାର,
ନୁହେଁ ତୋର ସେପରି ହୀନ ଆଚାର ।
ତୋ ଯୁଵାକାଳେ ସାଧି ପ୍ରାଣୀ-ମଙ୍ଗଳ,
କରିଛୁରେ ପାଦପ ! ଜନ୍ମ ସଫଳ ।
ଦେଇ କୋମଳ ଛାୟା ସୁପକ୍ୱ ଫଳ,
କରିଛୁ କେତେ ଦଗଧ-ପ୍ରାଣ ଶୀତଳ ।
କାଟିଲୁ ଯୁଵାକାଳ ପରୋପକାରେ,
ଧନ୍ୟ ଧନ୍ୟ ଜୀବନ ତୋର ସଂସାରେ ।”
ଉତ୍କଳର ଇତିହାସରେ ଧର୍ମପଦ ଓ କୋଣାର୍କ ମନ୍ଦିର ନିର୍ମାଣ ପ୍ରସଙ୍ଗ ହେଉଛି ମାନଵଵାଦର ସାକ୍ଷାତ ଉଦାହରଣ ! ବାରଶହ ବଢେଇଙ୍କ ପାଇଁ ବାରବର୍ଷ ର ଧରମା ମାନବତାର ପରିଚୟ ଦେବାକୁ ଯାଇ ଆତ୍ମବଳୀ ଦେବାକୁ ମଧ୍ଯ ପଛାଇନାହିଁ । ମାନଵଵାଦୀ ଉତ୍କଳମଣି ଗୋପବନ୍ଧୁ ସେହି ଉପାଖ୍ୟାନର ଵର୍ଣ୍ଣନା ତାଙ୍କର “ଧର୍ମପଦ” ଦୀର୍ଘ କଵିତାରେ କରିଅଛନ୍ତି ।
“ବାଳୁତ ହୃଦୟ ମିଶିଗଲା ସେହି
ମହା ଅନନ୍ତ ଵିତାନେ,
ଅଜ ଭାବ ଭୁଲି ମଣେ ଆପଣାକୁ
ଏକୀଭୂତ ଵିଶ୍ଵପ୍ରାଣେ ।”
ପଣ୍ଡିତ ଗୋପବନ୍ଧୁ ଦାଶଙ୍କର “ବନ୍ଦୀର ଆତ୍ମକଥା” କଵିତାରେ  ମାନବବାଦ ଓ ରାଷ୍ଟ୍ରବାଦର ସମ୍ମିଳିତ ଭାବ ପ୍ରକଟିତ ହୋଇଥିଲେ ହେଁ ମାନଵଵାଦର ମାତ୍ରା ଏଥିରେ ସର୍ଵାଧିକ ବୋଧ ହୋଇଥାଏ । ଏହି କଵିତା ମଧ୍ୟରେ ଥିଵା ନିମ୍ନଲିଖିତ ପଦ୍ୟାଂଶ ଗୋପବନ୍ଧୁଙ୍କ  ତ୍ୟାଗପ୍ଲୁତ ମାନଵତାଵାଦୀ ଚିନ୍ତାଧାରାକୁ ସର୍ଵସମ୍ମୁଖରେ ସ୍ପଷ୍ଟ ଉଜାଗର କରିଦିଏ ।
“ମିଶୁ ମୋର ଦେହ ଏ ଦେଶମାଟିରେ,
ଦେଶଵାସୀ ଚାଲିଯାଆନ୍ତୁ ପିଠିରେ ।
ଦେଶର ସ୍ଵରାଜ୍ୟ-ପଥେ ଯେତେ ଗାଡ଼
ପୂରୁ ତହିଁ ପଡ଼ିି ମୋର ମାଂସ-ହାଡ଼ ।
ସ୍ଵାଧୀନତା-ପଥେ ତିଳେ ହେଲେ ନର
ମୋ ଜୀଵନ ଦାନେ ହେଉ ଅଗ୍ରସର ।
ମଙ୍ଗଳମୟଙ୍କ ସୁମଙ୍ଗଳ ଇଛା ପରୁ
ଏ ପରାଣେ ଏହି ଶେଷ ଭିକ୍ଷା ।”
ଆଗକୁ ଗୋପବନ୍ଧୁ ଜାତି ଧର୍ମ ଵର୍ଣ୍ଣ ଓ ଅଵସ୍ଥା ନିର୍ଵିଶେଷରେ ଏକ ପ୍ରଜାତାନ୍ତ୍ରିକ ଓ ମାନଵଵାଦୀ ଶାସନତନ୍ତ୍ର ବାଞ୍ଛା ପୂର୍ଵକ ଭାରତର ପ୍ରାଚୀନ ପ୍ରଜାନୁରଞ୍ଜକ ଶାସନ ଵ୍ୟଵସ୍ଥାକୁ ମନେ ପକେଇ ଦେଵାକୁ ଯାଇ କହିଛନ୍ତି,
“ପ୍ରଜା ଲାଗି କଲେ ପ୍ରଜାପତି ସୃଷ୍ଟି,
ପ୍ରଜାଲାଗି ଇନ୍ଦ୍ର କରେ ଜଳ ଵୃଷ୍ଟି ।
ପ୍ରଜା ଲାଗି ଉଦେ ରଵି ଶଶୀ ତାରା,
ପ୍ରଜା ଲାଗି ବହେ ଶତ ନଦୀଧାରା,
ପ୍ରଜା ଲାଗି ରାଜ୍ୟ,ପ୍ରଜାର ଶାସନ,
ଯୁଗେ ଯୁଗେ ଏହା ଶାସ୍ତ୍ରର କଥନ ।
ଭାରତର ରାଜଧର୍ମ ସନାତନ-
ପରଜା ରକ୍ଷଣ ପାଳନ ରଞ୍ଜନ ।”
ଗୋପବନ୍ଧୁ ସମାଜରେ ଧର୍ମ ଜାତି ଵର୍ଣ୍ଣ ନିର୍ଵିଶେଷରେ ମାନବବାଦୀ ସମତା ସ୍ଥାପନକୁ ସର୍ଵଦା ଗୁରୁତ୍ୱ ଦେଉଥିଲେ ତେଣୁ ବନ୍ଦୀର ଆତ୍ମକଥାରେ ତତ୍ପରଵର୍ତ୍ତୀ ପଦମାନଙ୍କରେ ସେଇକଥାକୁ ମନେ ପକେଇ ଦେଵାକୁ ଯାଇ ଉତ୍କଳମଣି କହୁଛନ୍ତି,
“ଅରଟ ଚଳାଇ ପ୍ରତି ଘରେ ଘରେ,
ଗ୍ରାମର କଳହ ତୁଟାଅ ଗ୍ରାମରେ ।
ଚାଲ ସତ୍ୟପଥେ ନାହିଁ ଡର ଭୟ,
ଅସହଯୋଗରେ ବିଜୟ ନିଶ୍ଚୟ ।
ଛାଡ଼ ଉଚ୍ଚ ନୀଚ ଭେଦ ଅହଙ୍କାର,
ହେଉ ନୀଳାଚଳୁଁ ସମତା ପ୍ରଚାର ।”
ସେହି କଵିତାରେ ଅନ୍ୟ ଏକ ସ୍ଥାନରେ ମଧ୍ଯ ଗୋପବନ୍ଧୁ ଏହି ମାନଵତାଵାଦୀ ସମାନତାର କଥା ଆଉଟିକେ ସ୍ପଷ୍ଟ କରି କହିଛନ୍ତି,
“ଗ୍ରାମ ଵିଚାରରେ ସକଳେ ସମାନ,
ଛାଡ଼ି ମନୁ ବଡ଼ ସାନ ଅଭିମାନ ।
ସ୍ୱରାଜ୍ୟ-ଧରମେ ନାହିଁ ଭେଦ ଜ୍ଞାନ,
ସମସ୍ତେ ଯେ ଏକ ମାତାର ସନ୍ତାନ ।”
ଉତ୍କଳମଣିଙ୍କ ମାନବବାଦୀ ହୃଦୟ ଉତ୍କଳର ତତ୍କାଳୀନ ଦୀନ ଦୁଃଖୀ ଲୋକ ଓ ତାଙ୍କ ପ୍ରତି ହେଉଥିଵା ଅତ୍ୟାଚାର ତଥା ଅନ୍ୟାୟ ଵର୍ଣ୍ଣିବାକୁ ସୁଦ୍ଧା ଏଠାରେ କୁଣ୍ଠିତ ହୋଇନାହିଁ । ତହିଁ ପରେ ସେ ଏଇକଥାକୁ ବଡ଼ ଭାବପ୍ରଵଣ ହୋଇ କହୁଛନ୍ତି,
“ଦେଖିଛି ଉତ୍କଳେ ଯେ ଦୃଶ୍ୟ ନୟନେ,
ଡରାଏ ତା ଭୂତ ପରାୟେ ଶୟନେ ।
କେତେ କେତେ ଚାଷୀ ଭଲ ଭଲ ଲୋକ,
ନ ପାନ୍ତି ଦି’ ଵେଳା ପେଟପୂରା ଢୋକ ।
ଥିଲେ ଯେହୁ ମଲ୍ଲ ଉତ୍କଳ ସୈନିକ,
ପାଇକ ପ୍ରଧାନ ମାଗୁଛନ୍ତି ଭିକ।
ଦେହେ ନାହିଁ ମାଂସ ଦୋହଲୁଛି କଣ୍ଟା,
ଅନାହାରେ ଆହା ନ ଉଠଇ ଅଣ୍ଟା !
ଅର୍ଜ୍ଜନ୍ତି ଯା ତୁଣ୍ଡେ ମାରି ମୁଣ୍ଡଝାଳ,
ଦୁଷ୍ଟ ମହାଜନ, ଗ୍ରାମ କଟୁଆଳ ।
ପ୍ରଜାରକ୍ତ ଶୋଷି କେତେ ଜମିଦାର,
ହରନ୍ତି ସର୍ବସ୍ଵ ବଜାଇ ପାହାର
ଉତ୍କଳର କେତେ କନ୍ୟା ନାରଖାର,
ନ କରନ୍ତି ପେଟ ପୂରାଇ ଆହାର ।
ଲଜ୍ଜା ଢାଙ୍କିବାକୁ ନ ପାନ୍ତି ବସନ,
ଫୁଟେ ନାହିଁ କେବେ ଅଙ୍ଗେ ଯୁଉବନ ।
ଚିକିତ୍ସା ନ ପାଇ ଘରକଣେ ପଡ଼ି,
ରୋଗ, ଅନାହାରେ କେବାମରେ ଗଡ଼ି ।
ଉଦରଜାଳାରେ କେତେ ନରନାରୀ,
ଛାଡ଼ି ଘରଦ୍ଵାର ଯାଆନ୍ତି ବାହାରି ।”
ବନ୍ଦୀର ଆତ୍ମକଥାରେ ଆଗକୁ ଉତ୍କଳମଣି ବ୍ରାହ୍ମଣୀ ନଦୀକୂଳର ଜେନାପୁର ଗ୍ରାମରେ ବନ୍ୟା ବଵିତ୍ପାତ ଓ ଭଦ୍ରକରେ ହିନ୍ଦୁ ମୁସ୍ଲିମ୍’ଙ୍କୁ  ସଂହତି ରକ୍ଷା ଉପଦେଶ ଓ କନିକା ଅଞ୍ଚଳରେ ତତ୍କାଳୀନ ଲୋକଙ୍କ ଦୁର୍ଦ୍ଦଶା ଵିଷୟରେ ଉଲ୍ଲେଖ କରିଛନ୍ତି ।
ଶେଷରେ ଗୋପବନ୍ଧୁ ଏକତା, ସମତା ଓ ମାନଵତାଵାଦ ବଳରେ ହିଁ ଵିଶ୍ଵ ଓ ଭାରତର ସ୍ଥିତି ବଦଳିପାରିବ ବୋଲି ଆଶା ପୋଷଣ କରିଵା ସହ ବନ୍ଦୀର ଆତ୍ମକଥା ଦୀର୍ଘ କଵିତାର ସମାପନ କରିଅଛନ୍ତି ।
“ଉଡିବ ଅମ୍ବରେ ସ୍ୱରାଜ୍ୟ-କେତନ,
ପ୍ରତିଷ୍ଠତ ହେଵ ସ୍ୱରାଜ୍ୟ-ଶାସନ ।
ଦେଵ ପ୍ରତିଷ୍ଠିତ ମହର୍ଷିସମ୍ମତ,
ଜାଣିଵ ଭାରତ, ଦେଖିଵ ଜଗତ ।
ବିରାଜିବ ବିଶ୍ୱେ ଏକତା ସମତା,
ଶାନ୍ତି ଉଚ୍ଚାରିଵେ ସ୍ୱରଗେ ଦେଵତା ।”
ଓଡ଼ିଆ ଭାଷାରେ ସହସ୍ର ସହସ୍ର କଵି ହୋଇଛନ୍ତି ଓ ଭବିଷ୍ୟତରେ ହେବେ ମଧ୍ଯ କିନ୍ତୁ ଅବକାଶ ଚିନ୍ତା ପରି ଜାତୀୟତା ସହ ମାନଵତାଵାଦକୁ ପ୍ରେରଣା ଓ ସମର୍ଥନ ଯୋଗାଉଥିଵା କବିତା ସଙ୍କଳନ ନିଶ୍ଚିତ ଭାବରେ ଵିରଳ ହିଁ ଅଟେ ।
© ଗଣେଶ ଚନ୍ଦ୍ର ସିଂହ ଓ ଶିଶିର ସାହୁ ମନୋଜ
Spread the love
admin

View Comments

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 week ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 week ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

2 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

2 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

2 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

2 weeks ago