ଲେଖା: ଦେଵ ତ୍ରିପାଠୀ

~ ମାଣିଆବନ୍ଧ ଶାଢ଼ୀ ~

ଇଏ କେଉଁ କାଳର କଥା !

ଏକଦା ନିର୍ବାଣ ପ୍ରାପ୍ତିପରେ ଭଗବାନ ବୁଦ୍ଧଙ୍କୁ ମଧୁପିଷ୍ଟକ ଆହାର ଯୋଗାଇଥିଲେ ବଲ୍ଲିକତପସ୍ୱୀ ନାମକ ଉତ୍କଳୀୟ ବଣିକଦ୍ଵୟ ! ସେମାନେ ଥିଲେ ପ୍ରଭୁଙ୍କ ପ୍ରଥମ ଶିଷ୍ୟ । ସାଧବ ବଣିକଙ୍କର ସେ କାଳରେ ମୁଖ୍ୟ ବିପଣନ ଥିଲା ଉତ୍କଳୀୟ କାରୁକାର୍ଯ୍ୟ ମଧ୍ୟ ସୁନ୍ଦର ରେଶମପାଟମଠା ଶାଢ଼ୀ । ନିଃସନ୍ଦେହରେ, ତତ୍କାଳୀନ ଉତ୍କଳର ପରିସୀମା ଥିଲା ବିଶାଳ ।

ତେବେ କାଳଯବନର ପବିତ୍ର ବୋଧିଦ୍ରୂମ ଉତ୍ପାଟନ ଭୟରେ ଜଙ୍ଗଲରୁ ଲୁଚିଛପି ଚାଲିଆସିଥିଲେ କେତେ କେତେ ବୌଦ୍ଧ ବୁଣାକାର । ସୁରକ୍ଷିତ ଭାବେ ବଞ୍ଚିବା ପାଇଁ ଥାନଟିଏ ଖୋଜୁ ଖୋଜୁ ପହଞ୍ଚିଥିଲେ ଓଡ଼ିଶା ମାଟିର ଘଞ୍ଚ ଅରଣ୍ୟପୂର୍ଣ୍ଣ ଏକ ନିଭୃତ ସ୍ଥାନରେ ! ସେ ସ୍ଥାନର କି ମାୟା ଥିଲା କେଜାଣି, ସେଠାରେ ବସତି ସ୍ଥାପନ କରିଥିଲେ ସେ ବୁଣାକାରଗଣ !

ସେଇ ବଣିକଦ୍ଵୟଙ୍କ ଠାରୁ ପ୍ରସରି ସେ ସ୍ଥାନରେ ପରିବ୍ୟାପ୍ତ ହେଲା ମହାନ ବୌଦ୍ଧଧର୍ମ ଏବଂ ସେମାନଙ୍କ କମନୀୟ ବାନ୍ଧଶିଳ୍ପ । ସମୟ ଗଡ଼ି ଯାଆନ୍ତେ ସ୍ଥାନଟିର ନାମ ହେଲା ମାଣିଆବନ୍ଧ !

କଟକରୁ ଆଠଗଡ଼ ଦେଇ ଆଗକୁ ଗଲେ ପ୍ରାୟ ୩୦ କି.ମି. ଦୂରରେ ଆସେ ତିଗିରିଆ, ଆଉରି ଆଗକୁ ୧୫ କି.ମି. ଦୂରକୁ ଗଲେ ଅଭିଳଷିତ ଗାଁ ମାଣିଆବନ୍ଧ !

ଓଡ଼ିଶାର ଯେ କୌଣସି ଗାଁ ପରି, କିଛି କୋଠା, କିଛି ଚାଳଛପରର ଖୁନ୍ଦାଖୁନ୍ଦି ଅଣଓସାରିଆ ଘର, ଲମ୍ବା ଲମ୍ବା ଗାଁ ଦାଣ୍ଡ, ଘର ବାରଣ୍ଡାରେ ଜିଭ କାଢି ଧକଉଥିବା କୁକୁର, ପଘାରେ ବନ୍ଧା ପାକୁଳିକରା ଗାଈ, ନଳକୂଅ ପାଖରେ ପାଣି ପାଇଁ ଝଗଡ଼ା, ଗାଁ ଦାଣ୍ଡରେ ଅଧାଲଙ୍ଗଳା ପିଲା, ଗାଁ ଦାଣ୍ଡ ଦୋକାନରେ ଅଶ୍ଳୀଳ ଗୀତର ବାଜେଣି, ବାରଣ୍ଡାରେ ପଞ୍ଜାଏ ନିକମା ତାସ୍ ଖେଳାଳୀ ! ସବୁ ଭିତରେ ବି ଥମ୍ ଥମ୍ ନିରବତା ! ନିଶ୍ଚୁପ ! ଶବ୍ଦହୀନ !

ବାର ହଜାରରୁ ଉର୍ଦ୍ଧ୍ଵ ଜନବସତିର ସେ ଗାଁ ଦାଣ୍ଡ କିନ୍ତୁ ଥିଲା ଦିନେ ଶବ୍ଦମୟ ! ସାରା ଦିନ ଘରଗୁଡିକରୁ ଭାସି ଆସୁଥିଲା ତନ୍ତ ଚାଲିବାର ଖଟ୍ ଖଟ୍ ଶବ୍ଦ ! ସେଇ ଖଟ ଖଟ୍ ଶବ୍ଦ ଭିତରେ କିନ୍ତୁ ଦିନେ ମହକି ଉଠୁଥିଲା ଏ ମାଟିର ଅନନ୍ୟ କାରିଗରୀ ! ମାଣିଆବନ୍ଧ ଶାଢ଼ୀ ! ସେଠି ସମସ୍ତ ଅଭାବ, ଅନଟନ, ଅସୁସ୍ଥତା, ଅସହାୟତା ମଧ୍ୟରେ ବଞ୍ଚୁଥିଲେ ସହସ୍ରାଧିକ ଶିଳ୍ପୀ, କଳାର ସଙ୍ଗୀତ ଗାଇ, ରଙ୍ଗର ରୋଷଣି ଜାଳି, କାରୁକାର୍ଯ୍ୟର ଛନ୍ଦଣି ବୁଣି !

ଏ ମାଟିରେ ଶିଳ୍ପୀଟିଏ ଭାବନାରାଜ୍ୟରେ ବନିଯାଉଥିଲା ସମ୍ରାଟ ! ରଙ୍ଗର ମାୟା, ନୂଆ ନୂଆ ଶିଳ୍ପଶୈଳୀର ଛନ୍ଦଣି ତୋଳି ସେ ସେ ଜୀବନ୍ୟାସ ଦେଉଥିଲା ଓଡ଼ିଶା ମାଟିର ଅନନ୍ୟ ବୈଭବମୟ କଳାକୁ ! ତନ୍ତଚାଳିତ ସଙ୍ଗୀତର ଧ୍ୱନିମୟ ଶିହରଣରେ ଦେହ, ମନ, ପ୍ରାଣକୁ ରସପୁଷ୍ଟ କରି, ନୂଆ କଳ୍ପନାର ନିର୍ଯ୍ୟାସ ଭରି ସେ ଶିଳ୍ପୀଗଣ ସୃଷ୍ଟି କରୁଥିଲେ ଯେଉଁ ଅନନ୍ୟ ବସ୍ତ୍ର, ସେ ଥିଲା ଆମ ଇଷ୍ଟଦେବଙ୍କ ପ୍ରିୟମାଣିଆବନ୍ଧ ଶାଢ଼ୀ !

କାଇଁ କେତେ ପୁରୁଷର କୌଳିକ ବେଉସା, ପିଢ଼ି ପରେ ପିଢ଼ି ଚାଲିଆସିଥିଲା ବିବର୍ତ୍ତିତ ହୋଇ ! ଜଙ୍ଗଲ ପାଖରୁ ମିଳୁଥିଲା ରଙ୍ଗ, ଆଚ୍ଚୁ ଗଛରୁ ଚନ୍ଦନରଙ୍ଗ, ଡାଳିମ୍ବ ଚୋପା ଏବଂ ହଳଦୀରୁ ହଳଦିଆ, ବାସି ତୋରାଣି ହାଣ୍ଡିରେ ହରିଡ଼ା, ଗୁଡ଼, ଲୁହାଖଣ୍ଡ ପକାଇ ରଖି ସେଥିରୁ କଳାରଙ୍ଗ, ନୀଳଚାଷରୁ ନୀଳରଙ୍ଗ ସୃଜୁଥିଲେ ଶିଳ୍ପୀ ! ପ୍ରକୃତି କୋଳରୁ ମିଳୁଥିବା ସେଇ ଭେଷଜ ରଙ୍ଗରେ ଥିଲା ଏକ ଅପୂର୍ବ ମହକ ! ସେ ମହକରେ ମହନୀୟ ମାଣିଆବନ୍ଧ ଶାଢ଼ୀ କେବଳ ମହାପ୍ରଭୁଙ୍କ ପ୍ରିୟ ନ ଥିଲା, ଆକର୍ଷି ପାରିଥିଲା ଦେଶବିଦେଶର ବସ୍ତ୍ରପ୍ରେମୀଙ୍କୁ !

ସମୟ ବଦଳିଲା ! ହଜିଗଲା ଜଙ୍ଗଲ, କଳାର ପୂଜାରୀ ମଧ୍ୟ ଦିନେ ପାଶୋରିଦେଲା ସେଦିନର ରଙ୍ଗପ୍ରସ୍ତୁତିର କୌଶଳ, ସେ ସ୍ଥାନରେ ଉଭା ହେଲା ଭଳିକି ଭଳି ରାସାୟନିକ ରଙ୍ଗ ! ସୌଦାଗରୀ ସଭ୍ୟତାର କାଳିମା ଘୋଟିଗଲା ମାଣିଆବନ୍ଧର ଆକାଶରେ ! ଯନ୍ତ୍ର ଧୀରେ ଧୀରେ କବଳିତ କରିଦେଲା ମଣିଷ ହାତତିଆରି ସେଇ ବୈଭବମୟ କଳାକୁ ! ଅଥଚ ସେଇ କଳାପୂଜାରୀ ମଣିଷର ଦାୟାଦମାନେ ନିଜ ଦକ୍ଷତାକୁ, କଳାକାରିତାକୁ ବନ୍ଧା ପକାଇଦେଲେ ଦୂରରାଜ୍ୟର ପୁଞ୍ଜିପତି ପାଖରେ !

ଯେଉଁମାନଙ୍କ ଆଙ୍ଗୁଠିର ତୂଳୀରେ ଆମ ସହରୀ ମଣିଷଙ୍କ ଦେହର ନକ୍ସା ବର୍ଣ୍ଣ ବିଭାମୟ ହୋଇ ଉଠୁଥିଲା, ସେମାନେ ଅନ୍ୟକୁ ଲୁଗା ପିନ୍ଧାଇ ମଧ୍ୟ ନିଜେ ରହୁଥିଲେ ଅର୍ଦ୍ଧନଗ୍ନ, ଅର୍ଦ୍ଧଭୁକ୍ତ !

ତଥାପି ହାରିନାହାନ୍ତି ମାଣିଆବନ୍ଧର ଶିଳ୍ପୀକୂଳ ! କିଛି ନିଷ୍ଠାବାନ ଶିଳ୍ପୀଙ୍କ ହାତରେ ବୁଣା ଚାଲିଛି ବର୍ଣ୍ଣମୟ ଶାଢ଼ୀ, ସହରୀ ମଣିଷ ପାଇଁ, ବଡ଼ଦେଉଳର ଦିଅଁଙ୍କ ପାଇଁ ! ଏଇଠି ମନେପଡ଼େ ଆମ ଜାତୀୟଗୌରବ ମଧୁସୂଦନ ଦାସଙ୍କ “ଅର୍ଥ କୋଇଲି”ର ପଦଟିଏ,
“ତନ୍ତୀକୂଳ ହେଲେଣି ତ କୁଲି,
ତିନିଦିନେ ଥରେ ତାଙ୍କ ଜଳେ ନାହିଁ ଚୁଲି !”

ତଥାପି ମାଣିଆବନ୍ଧର ବାନ୍ଧଶିଳ୍ପ ବଞ୍ଚିଛି, ଉଭୟ ଭଗବାନ ବୁଦ୍ଧ ଆଉ ଜଗନ୍ନାଥଙ୍କ ଆଶୀର୍ବାଦକୁ ଆଶ୍ରା ନ କରି ମଧ୍ୟ !

#ହିରଣ୍ୟଗର୍ଭା

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

1 month ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

1 month ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 months ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 months ago