ଲେଖା: ଦେଵ ତ୍ରିପାଠୀ

୧୯୪୨ ବର୍ଷର ଶେଷ ଭାଗ । ପାଟଣା । ବିହାର ।

ଇତିହାସର ବହୁ ଚର୍ଚ୍ଚିତ ମହାତ୍ମା ଅବା ମହାନାୟକ ମାନଙ୍କୁ ମନେପକାଇବା ବେଳେ ଅନ୍ତରାଳେ ରହିଯାଏ ଭାରତୀୟ ସ୍ବାଧୀନତା ସଂଗ୍ରାମର କେତେ କେତେ ଅକୁହା କାହାଣୀ, ଦୁର୍ଗମ ପାହାଡ଼ ଜଙ୍ଗଲ ଘେରା ଶ୍ଵାପଦସଙ୍କୁଳ ରାସ୍ତାରେ ରାଷ୍ଟ୍ରୀୟ ଜୀବନ ଆଡ଼କୁ ଏହି ଅଳ୍ପଜ୍ଞାତ ମୁକ୍ତିସଂଗ୍ରାମର ସେତୁ ଯୋଡିଥିବା ନାୟକମାନଙ୍କ କାହାଣୀ ଓ ଗାଥା । ଆମେ ଭୁଲିଯାଉ ସେହି ବୀରପୁରୁଷଙ୍କ ଆତ୍ମୋତ୍ସର୍ଗ ଓ ଆହୂତିର ଅଭୁଲା ଆଲେଖ୍ୟ !

ସେମାନେ ଜନମନରେ ଜଳାଇଛନ୍ତି ମୁକ୍ତପ୍ରାଣର ଆଲୋକ ! ନିଜେ ଜଳିଛନ୍ତି, ଜାଳିଛନ୍ତି ମୁକ୍ତିର ଲେଲିହାନ ଶିଖା । ସ୍ବାଧୀନତା ପାଇଁ କରିଛନ୍ତି ପାଗଳପ୍ରାୟ ଲହୁଦାନ । ସେମାନେ ଆଜି ହୁଏତ ବିସ୍ମୃତ ନୁହଁନ୍ତି, କିନ୍ତୁ ଅନାଲୋଚିତ ।

ସେମିତି ଭୁଲି ହୁଏନା ତ୍ୟାଗ, ତିତିକ୍ଷା, ବୀରତ୍ୱର ପ୍ରତୀକ ଜଣେ ବୀରପୁରୁଷକୁ । ମହାତ୍ମାଗାନ୍ଧୀଙ୍କ ଉପଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରୁଥିବା ସେଇ ସଂଗ୍ରାମୀ ଏବଂ ତାଙ୍କ ଅନୁଗାମୀମାନେ ସଦା ପ୍ରସ୍ତୁତଥିଲେ ପ୍ରାଣଦାନ ପାଇଁ । ଗାନ୍ଧିଜୀଙ୍କ ଅହିଂସା ଆନ୍ଦୋଳନରେ ମାତି ରାଜନୀତିକ ଚେତନାଶୂନ୍ୟ ଏକ ଅଞ୍ଚଳରେ ସଂଗଠନ ଗଢ଼ି ଲୋକଙ୍କୁ ଦେଶପ୍ରେମରେ ଉଦବୁଦ୍ଧ କରିବା ଭଳି ଶକ୍ତି ଓ ସାହସର ପରିଚୟ ଦେଇଥିଲା ସେ ।

ସେ ତରୁଣର ପ୍ରାଣରେ ପ୍ରାଚୁର୍ଯ୍ୟ, ଛାତିରେ ଉଦ୍ଦାମତା, ମନରେ ଜାତୀୟତାର ଫଲ୍ଗୁ, ନିର୍ଦ୍ଧାରିତ ତା’ର ଲକ୍ଷ୍ୟ: ଆଜି ପାଟଣା ହାଇକୋର୍ଟ କୋଠାରୁ ୟୁନିଅନ୍ ଜ୍ୟାକ୍ ବଦଳରେ ସ୍ଥାନ ପାଇବ ତ୍ରିରଙ୍ଗା ପତାକା ! ଆଜି ସେ ଭାଙ୍ଗିଦେବା ବ୍ରିଟିଶ ସରକାରର ଦର୍ପ !

କିଛି ଦିନ ପୂର୍ବେ ଅଧ୍ୟାପକମାନେ କହୁଥିଲେ, “ତୁମେ ବିଚକ୍ଷଣ ଅଛି, ପାଠପଢି ଇଞ୍ଜିନିୟର ହୁଅ । ଏବେ ଦେଶକୁ ଇଞ୍ଜିନିୟର ମାନଙ୍କର ଆବଶ୍ୟକତା ଅଛି” ! ଏବେ କିନ୍ତୁ ଦେଶକୁ ପରାଧୀନତାର ଶିକୁଳିରୁ ମୁକୁଳାଇବାର ଅଛି ମହାଶୟ ! ତୀକ୍ଷ୍ମ ଶାଣିତ ଥିଲା ସେ ତରୁଣର ଉତ୍ତର ! ସେଇ ଉଦଣ୍ଡ ଯୁବକ ଆଜି ହାତରେ ତ୍ରିରଙ୍ଗା ଧରି ଉଠିଯାଇଛି ହାଇକୋର୍ଟ କୋଠା ଉପରକୁ ! ବ୍ରିଟିଶ୍ ପୁଲିସ ଅଫିସର୍ ଗୁଳିଚାଳନା ନିର୍ଦ୍ଦେଶ ଦେବାବେଳକୁ ସେ ହାତରେ ଧରିନେଇଥିଲା ୟୁନିଅନ୍ ଜ୍ୟାକ୍ ! ସେ ସ୍ଥାନରେ ଫରଫର ହୋଇ ଉଡିସାରିଲାଣି ତ୍ରିରଙ୍ଗା ପତାକା !

ଯୁବକର ହାତରେ ୟୁନିଅନର ଜ୍ୟାକ୍ ! ଗୁଳିମାରିବାକୁ ଉଦ୍ୟତ ହାତଟିମାନ ଥମିଗଲେ ! ନିଜ ଦେଶର ପତାକାରେ ବାଜିପାରେ ବି ଗୁଳି ! ବ୍ରିଟିଶ୍ ପୁଲିସବାହିନୀ କିଂକର୍ତ୍ତବ୍ୟବିମୂଢ ! ହାତରେ ୟୁନିଅନ୍ ଜ୍ୟାକ୍ ଧରି ସଗର୍ଵେ ଓହ୍ଲାଇଲା ଯୁବକ ! ହାଇକୋର୍ଟ କୋଠାରେ ତ୍ରିରଙ୍ଗା ପତାକା ! ରକ୍ତଚାଉଳ ଚୋବାଉଛନ୍ତି ବ୍ରିଟିଶ ଅଫିସର୍ ! ଆଖି ଆଗରେ ବକଟେ ବୋଲି ପିଲା ତାଙ୍କରି ପତାକାକୁ ଢାଲ କରି ଖସିଯାଉଛି !

ଶତାଧିକ ପୁଲିସକୁ ଚକମା ଦେଖାଇ ବର୍ଷଣମୁଖର ସନ୍ଧ୍ୟାରେ ଗଙ୍ଗାନଦୀରେ ଦୀର୍ଘପଥ ଅତିକ୍ରମ କରି ସେ ଯୁବକ ଆସି ପହଞ୍ଚିଥିଲା  ସଂଗ୍ରାମୀଙ୍କ ଶିବିରରେ ! ଏପରି କେତେ କେତେ ବୀରତ୍ୱର କାହାଣୀ ରଚିଥିଲା ଓ ଗାନ୍ଧୀଙ୍କ ଠାରୁ ପ୍ରଶସ୍ତି ପାଇଥିବା ସେ ଉଦ୍ଦାମ ଯୁବକ ଜଣକ ଥିଲା ବଣପାହାଡଘେରା ତତ୍କାଳୀନ କଳାହାଣ୍ଡି ରାଜ୍ୟର କାଶିବାହାଲ ଗ୍ରାମର ପ୍ରକୃତି କୋଳର ମଣିଷଟିଏ ।

ଗୁରୁ ବୋଲି ମାନିନେଇ ଥିବା ଗାନ୍ଧୀଙ୍କ କଥାମାନି ସେ ମୁକ୍ତିପାଗଳ ମୁକ୍ତିଯୋଦ୍ଧା ପାଲଟି ଯାଇଥିଲା, ସେ ପୁଣି ଶିକ୍ଷାଗୁରୁଙ୍କ କଥା ମାନି ଇଞ୍ଜିନିୟର ବନିଲା । ଇଞ୍ଜିନିୟର ଭାବରେ ଓଡ଼ିଶା ମାଟିରେ ବୈଷୟିକ ବିପ୍ଳବରେ ସେ ଯୋଗଦେଲା ! ସମୟକ୍ରମେ ଅଧ୍ୟାପନା କ୍ଷେତ୍ରରେ ସେ ସୃଷ୍ଟି କଲା ନବଜାଗରଣ ! ବିବିଧ ସାହିତ୍ୟ ରଚନା କରି ସେ ଦିନେ ଇତିହାସ ରଚିଲା, ନିଜ ତ୍ୟାଗ, ତିତିକ୍ଷା ପାଇଁ ସେ ଦିନେ ଏ ମାଟିର ରତ୍ନଟିଏ ବନିଗଲା ସିନା, କିନ୍ତୁ ଆଦ୍ୟ ଯୌବନର ସେ ସଂଗ୍ରାମୀ ଇତିହାସ ତା’ର ରହିଗଲା, ଅଜଣାଅଶୁଣା !

ସେଇ ମୁକ୍ତିଯୋଦ୍ଧା ଥିଲେ ଉତ୍କଳରତ୍ନ ପ୍ରଫେସର୍ ଡଃ ଭୁବନେଶ୍ୱର ବେହେରା (Dr. Bhubaneswar Behera) ! “ଶୁଣ ପରୀକ୍ଷ”ର ଭୁବନେଶ୍ୱର ବେହେରା ଥିଲେ ଭାରତ ସରକାରଙ୍କ ଯୁଦ୍ଧପରର ପୁନର୍ନିମାଣ କାର୍ଯ୍ୟକ୍ରମର ପ୍ରଥମ ଉପଦେଷ୍ଟା ! ଜୀବନର ସବୁ ପଦକ୍ଷେପ ଗ୍ରାମାଭିମୁଖୀ କରାଇଥିବା ସେଇ ଯୋଗଜନ୍ମା ଇଞ୍ଜିନିୟର ଜଣକ ନିଜ ଘଟଣାବହୁଳ ଜୀବନର ଗାଥା ଗାଇଛନ୍ତି “ଗାଁର ଡାକ” ଆତ୍ମଜୀବନୀରେ ।

 
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

1 month ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

2 months ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 months ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 months ago