ଲେଖା: ଅରବିନ୍ଦ ମହାନ୍ତି

ଏକାମ୍ରକ୍ଷେତ୍ର ଭୁବନେଶ୍ୱରର ଅଧିଷ୍ଟାତ୍ରୀ ଦେବୀ ଭାବେ ସୁପରିଚିତା ଦେବୀ ଭୁବନେଶ୍ଵରୀ। ଏକାମ୍ରକ୍ଷେତ୍ର ଯେପରି ଗୁପ୍ତ ସେଇଭଳି ଗୁପ୍ତ ରହସ୍ୟା ଯୁକ୍ତ ଦେବୀଙ୍କ ତତ୍ଵ ମଧ୍ୟ। ସେ ମହାପ୍ରଭୁ ତ୍ରିଭୁବନେଶ୍ଵରଙ୍କ ଶକ୍ତି ସ୍ୱରୁପା। ସେଥିଲାଗି ତାଙ୍କ ନାମ ମଧ୍ୟ ତ୍ରିଭୁବନେଶ୍ଵରୀ। ତ୍ରିଭୁବନେଶ୍ଵରୀ ଶବ୍ଦରୁ ପରବର୍ତ୍ତୀ କାଳରେ ଭୁବନେଶ୍ଵରୀ ନାମ ଉଦ୍ଧୃତ ହୋଇଅଛି।

ଏକାମ୍ର ପୁରାଣ କହେ ଶିବଙ୍କଠାରୁ ଦେବୀ ପାର୍ବତୀ ତାଙ୍କ ପ୍ରିୟ ଗୁପ୍ତକ୍ଷେତ୍ର ବିଷୟରେ ଶ୍ରବଣ କରି ଏକାମ୍ରବନ ଦର୍ଶନ ନିମନ୍ତେ ବ୍ୟଗ୍ର ହୋଇ ପଡନ୍ତି। ମହାଦେବଙ୍କ ଠାରୁ ଅନୁମତି ନେଇ ପହଞ୍ଚନ୍ତି ଏକାମ୍ର ବନରେ। ସେଠି ଦେବୀ ଦର୍ଶନ ଲଭନ୍ତି ଏକ କ୍ରୋଶ ଯାଏ ପରିବ୍ୟପ୍ତ ଏକ ଆମ୍ରବୃକ୍ଷ ଛାୟାତଳେ ବିରାଜିତ ଲିଙ୍ଗସ୍ୱରୂପ ପରମବ୍ରହ୍ମଙ୍କର। ଗୋସହସ୍ରେଶ୍ବର ନିକଟ ପାତାଳପୁର ସୁଡଙ୍ଗରୁ ସହସ୍ର ସଂଖ୍ୟାରେ ସୁନ୍ଦର ଗାଭୀମାନେ ଥନଭାରରେ ଦୁଗ୍ଧ ବହି ପ୍ରତିଦିନ ପରମେଶ୍ୱରଙ୍କୁ ଅଭିଷିକ୍ତ କରୁଥାନ୍ତି। ଏହା ଦେଖି ଦେବୀ ପାର୍ବତୀ ସେହି ଗାଈମାନଙ୍କୁ ବନ୍ଧନ କରି ନିଜେ ତାଙ୍କର ରକ୍ଷଣାବେକ୍ଷଣ କରିବାକୁ ଲାଗିପଡନ୍ତି। ଦେବୀ ରୂପ ଛାଡ଼ି ମାନବୀ ରୂପରେ ସେମାନଙ୍କୁ ଯତ୍ନ କରୁଥାନ୍ତି ଏବଂ ହସ୍ତରେ କେନ୍ଦୁ ବାଡି ନେଇ ସବୁଦିନ ଚରେଇ ନେଉଥାନ୍ତି। ନିଜେ ଗୋ ଦୁଗ୍ଧ ଦୋହନ କରି ଲିଙ୍ଗ ସ୍ୱରୂପ ପରମେଶ୍ୱରଙ୍କୁ ଦୁଗ୍ଧରେ ପ୍ରତିଦିନ ଅଭିଷେକ କରୁଥାନ୍ତି। ଏଇଠୁ, ଗୋପାଳନ କରୁଥିବା ହେତୁ ଦେବୀଙ୍କ ଅନ୍ୟ ଏକ ନାମ ହୁଏ ଗୋପାଲୁଣୀ।

ବିତିଯାଏ କିଛି ଦିନ। ସେହି ଏକାମ୍ରବନରେ ଆତଙ୍କ କରୁଥାନ୍ତି ଦୁର୍ମିଳ ରାଜାର ଦୁଇ ପୁତ୍ର କୀର୍ତ୍ତି ଆଉ ବାସ। ଗୋଚାରଣ ସମୟରେ ଦେବୀ ଗୋପାଲୁଣୀଙ୍କୁ ଦର୍ଶନ କରି ଦୁହେଁ କାମାସକ୍ତା ହୋଇ ପଡନ୍ତି ଓ ପ୍ରସ୍ତାବ ରଖନ୍ତି ବିବାହର। ଦେବୀ ଅନ୍ୟପାୟ ହୋଇ ଦୁହିଁଙ୍କୁ ମନ୍ତ୍ର ବଳରେ ମୁର୍ଚ୍ଛିତ କରିଦିଅନ୍ତି ଓ ସୁମରଣା କରନ୍ତି ମହାଦେବଙ୍କର। ନିଜ ପ୍ରିୟାଙ୍କ ସ୍ମରଣରେ ପ୍ରୀତ ହୋଇ ମହାଦେବ ଗୋପାଳ ସ୍ୱରୂପ ଧାରଣ କରି ଦେବୀ ଗୋପାଲୁଣୀଙ୍କ ପାଶେ ଉପସ୍ଥିତ ହୁଅନ୍ତି ଓ ବେନି ରାକ୍ଷସଙ୍କ ମରଣ ବିଧାନ ବ୍ୟାଖ୍ୟା କରନ୍ତି। ନିଜ ଶକ୍ତି ସମ୍ପର୍କରେ ଅବଗତ ହୁଅନ୍ତି ମା’ ଆଦ୍ୟାଶକ୍ତି ଓ କିପରି ବେନି ରାକ୍ଷସଙ୍କ ମରଣ ହେବ ତାହା ଚିନ୍ତା କରନ୍ତି।

ବର୍ତ୍ତମାନ ସମୟ ରାକ୍ଷସ ଦୁହିଁଙ୍କ ଅନ୍ତର। ପୁନର୍ବାର ଭେଟ ହୁଏ ଦେବୀଙ୍କ ସହ ବେନି ରାକ୍ଷସଙ୍କର। ପୁନର୍ବାର ପ୍ରେମ ନିବେଦନ କରନ୍ତେ ଦେବୀ ନିଜ ବ୍ରତକଥା କୁହନ୍ତି। ଯିଏ ତାଙ୍କୁ ନିଜ ସ୍କନ୍ଧ ପ୍ରଦେଶରେ ବସାଇ ଏହି ପଞ୍ଚକ୍ରୋଶ ପରିମିତ ଏକାମ୍ରକ୍ଷେତ୍ରକୁ ପରିକ୍ରମା କରାଇ ଦେବ ତାଙ୍କୁ ହିଁ ଦେବୀ ବିବାହ କରିବେ ବୋଲି ବଚନ ଦିଅନ୍ତି। ଦେବୀଙ୍କ ମାୟାରେ ଭ୍ରମିତ ହୋଇ ଦୁଇ ରାକ୍ଷସ ନିଜ ସ୍କନ୍ଧ ପ୍ରଦେଶରେ ବସାଇ ପରିକ୍ରମା କରାଇ ଦେବାକୁ ବଚନ ଦିଅନ୍ତି। ଦେବୀ ଦୁଇ ପାଦରେ ଦୁଇ ରାକ୍ଷସଙ୍କ ସ୍କନ୍ଧରେ ଚଢି ଯାଆନ୍ତେ ଅତୀବ ଭାରୀ ହୋଇ ଉଠନ୍ତି ଓ ସେଇ ଭାରାରେ ପାତାଳ ପୁରକୁ ଚାପି ହୋଇ ରକ୍ତ ମାଂସ ଖଣ୍ଡିତ ହୋଇ ରାକ୍ଷସ ଦୁହିଁଙ୍କ ଅନ୍ତ ଘଟେ।

~ ଦେବୀଙ୍କ ଦେଉଳ ଓ ପର୍ବପର୍ବାଣୀ ~
ଦେବୀ ଗୋପାଲୁଣୀ ଦେଉଳ ଖାକରା ଶୈଳୀର ଅଟେ। ଏହା ଲିଙ୍ଗରାଜ ମହାପ୍ରଭୁଙ୍କ ଦେଉଳର ବାମପାର୍ଶ୍ୱରେ ଅବସ୍ଥିତ। ଦେବୀଙ୍କ ଦେଉଳ ଦୁଇ ମୁଖ୍ୟ ଭାଗରେ ବିଭକ୍ତ ଯଥାକ୍ରମେ ଗର୍ଭଗୃହ ଓ ଜଗମୋହନ। ଏହି ଦୁଇଙ୍କ ମଧ୍ୟରେ ଗୋଟିଏ ଅନ୍ତରାଳ ରହିଅଛି। ଦେଉଳ ସମ୍ମୁଖ ଭାଗରେ ବାହାନ ସିଂହ ଏକ ସ୍ତମ୍ଭ ଉପରେ ଦେବୀଙ୍କୁ ଦୃଷ୍ଟି ନିବଦ୍ଧ କରି ବିରାଜିତ। ଗର୍ଭଗୃହରେ ଦେବୀ ଲଲିତାସନରେ ଆସୀନା। ଦେବୀ ଦ୍ବିଭୁଜା, ଦକ୍ଷିଣ ହସ୍ତରେ ଏକ ପ୍ରସ୍ଫୁଟିତ ପଦ୍ମ ପୁଷ୍ପ ଧାରଣ କରିଅଛନ୍ତି ଓ ବାମ ହସ୍ତ ଅଭୟ ମୁଦ୍ରାରେ ଆଶ୍ରିତଙ୍କୁ ଅଭୟ ପ୍ରଦାନ କରୁଅଛନ୍ତି।

ଦେବୀଙ୍କ ନୀତିକାନ୍ତି ମହାପ୍ରଭୁଙ୍କ ସଙ୍ଗେ ଓତଃପ୍ରୋତ ଭାବେ ଜଡ଼ିତ। ଲିଙ୍ଗରାଜ ମହାପ୍ରଭୁଙ୍କ ନୀତି ପରେ ଠାକୁରାଣୀ ବଲ୍ଲଭ ହୋଇଲେ ଭୁବନେଶ୍ୱରଙ୍କ ପ୍ରସାଦ ମହାପ୍ରସାଦରେ ପରିଣତ ହୁଏ। ଦେବୀଙ୍କ ନାନାଦି ପର୍ବପର୍ବାଣୀ ମଧ୍ୟରୁ ଚୈତ୍ର ଅଶୋକାଷ୍ଟମୀ ଓ ଆଶ୍ୱିନ ଷୋଳ ପୂଜା ଅନ୍ୟତମ। ଦେବୀଙ୍କ ରୁକୁଣା ନାମାନୁସାରେ ଲିଙ୍ଗରାଜଙ୍କ ରଥ ଯାତ୍ରାର ନାମ ରୁକୁଣା ରଥଯାତ୍ରା। ଆଶ୍ୱିନ ମୂଳାଷ୍ଟମୀରୁ ଦଶହରା ପର୍ଯ୍ୟନ୍ତ ଦେବୀଙ୍କ ଷୋହଳ ଦିନାତ୍ମକ ପୂଜା ଅନୁଷ୍ଠିତ ହୋଇଥାଏ। ନବ ଦିନ ପୂଜାରେ ଦେବୀ ବିମାନରେ ବିଜେ ହୋଇ କପାଳୀ ଦେବୀଙ୍କ ଦେଉଳ ପର୍ଯ୍ୟନ୍ତ ଯାଇ ପୁନର୍ବାର ଲେଉଟି ଆସିଥାନ୍ତି। ଦଶହରା ଦିନ ପରମେଶ୍ୱର ସହିତେ ବିଜେ ହୋଇ ରାବଣ ବଧ ନିମନ୍ତେ ବିଜୟ ପଡିଆକୁ ବିଜେ ହୋଇଥାନ୍ତି। କେବଳ ଶିବ ବିବାହ ଓ ଶୀତଳ ଷଷ୍ଠୀକୁ ଛାଡ଼ିଦେଲେ ଦେବୀ ଠାକୁରାଣୀ ମହାପ୍ରଭୁ ଲିଙ୍ଗରାଜଙ୍କ ବାମ ଭାଗେ ବିଜେ ହୋଇ ପ୍ରତ୍ୟେକ ଯାତ୍ରା ଓ ଉତ୍ସବରେ ବିଜେ ହୋଇଥାନ୍ତି।

।।ଜୟ ମା ତ୍ରିଭୁବନେଶ୍ୱର କୃତିବାସପ୍ରିୟା ତ୍ରିଭୁବନେଶ୍ଵରୀ କୀର୍ତ୍ତିମତୀ।।

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

4 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago