ଲେଖା: ଦେଵ ତ୍ରିପାଠୀ
ପ୍ରଥମ ଜମ୍ବୁଦ୍ଵୀପେ ସାର,
ବେଢିଛି ଲବଣ ସାଗର ।
ତହିଁରେ ରାଜା ତାଳଧ୍ୱଜ,
ବହୁତ ଆୟତନ ରାଜ୍ୟ ।
ବହୁତ ସାଧବ ଅଛନ୍ତି,
ବୋଇତ ବାଣିଜ୍ୟ କରନ୍ତି ।
ତହିଁରେ ଏକ ସାଧବର,
ତନୟବନ୍ତ ନାମ ତା’ର ।
ଝିଅର ନାମ ତଅପୋଇ,
ସବୁହୁଁ ଦୁଲଣା ଅଟଇ ।
୰ ଗୋପୀନାଥ ଦାସ ବିରଚିତ ‘ତଅପୋଇ ଓଷା‘ ବହିରେ ବର୍ଣ୍ଣିତ ସାଧବଝିଅ ତଅପୋଇର କାହାଣୀ ସହିତ ଏ ଲେଖାର ସୁର, ଲହର ଓ ଅକ୍ଷର ସହିତ ସବୁ ଓଡିଆଣୀ ପରିଚିତ ।
ମାଟି ସଙ୍ଗେ ମିଶି ଶ୍ୟାମଳ ସଙ୍ଗୀତ ଓ ସୁରଭି ଖେଳାଉଥିବା କୃଷି କ୍ଳାନ୍ତ ଓଡ଼ିଆର ଭୋଦୁଅ ମାସ ବେଳକୁ ଶ୍ରମ ଟିକିଏ ହାଲକା ହୋଇ ଆସିଲା ବେଳକୁ ପାର୍ବଣ ମୁଖର ଋତୁର ହାଲକା ବାସନା ଉତୁରି ପଡ଼େ ପଲ୍ଲୀ ଭୂଇଁରେ, ଓଡ଼ିଆର ପରିବାରରେ । ମନରେ ପର୍ବପାଳନର ଏକ ହିଲ୍ଲୋଳ ନେଇ ଓଡିଆ ଘରର କିଶୋରୀ ପାଳେ ଏଇ ନିରୁତା ଓଡ଼ିଆ ପର୍ବଟିକୁ । ଓଦାଳିଆ ମାଈସଞ୍ଜର ଓଢ଼ଣା ଲମ୍ବି ଆସିଲା ବେଳକୁ ଗାଁର ସବୁ ତୁଳସୀଚଉରା ମୂଳେ ମିଞ୍ଜି ମିଞ୍ଜି ଦୀପ ଆଲୋକରେ ଭାସିଉଠେ କୁମାରୀ କଣ୍ଠର ଲହରା ଲଳିତ ଗାନ । ଅଳ୍ପ ସମୟ ପାଇଁ ହେଲେ ମଧ୍ୟ ଗୀତର ସରଳ ଭାବ ଓ ଛନ୍ଦ ବର୍ଷାଦିନିଆ ଗାଁର ମନ୍ଦ୍ର ବାତାବରଣରେ ଅତୀତର କାଳ୍ପନିକ ଦୃଶ୍ୟରାଜିକୁ କରିଦିଏ ମୂର୍ତ୍ତିମନ୍ତ ।
ଜମ୍ବୁଦ୍ଵୀପ, ତାଳଧ୍ୱଜ ରାଜ୍ୟର ତନୟ ସାଧବର ସାତ ପୁଅରେ ଅଲିଅଳି ଝିଅ ତଅପୋଇ ଯେ ଭାଗ୍ୟଚକ୍ରରେ ପଡି ଭାଇମାନେ ବୋଇତ ନେଇ ଯିବାପରେ ଭାଉଜମାନଙ୍କ ଦ୍ଵାରା ଅତ୍ୟାଚାରିତା ହୋଇଛି, ଘରୁ ବାହାରି ଛେଳି ଜଗିଛି, ଜଙ୍ଗଲ ଭିତରେ ମା’ ମଙ୍ଗଳାକୁ ଖୁଦକାଣ୍ଡିଆ, କୁଣ୍ଡାମଣ୍ଡା ଦେଇ ପୂଜାକରିଛି, ମା’ଙ୍କ କରୁଣାରୁ ହଜିଯାଇଥିବା ଛେଳି ଘରମଣିକୁ ଖୋଜି ପାଇଛି, ପରିଶେଷରେ ଭାଇମାନଙ୍କ ଫେରିବାପରେ ଅତ୍ୟାଚାରୀ ଭାଉଜମାନଙ୍କ ଉପରେ ପ୍ରତିଶୋଧ ନେଇପାରିଛି, ଏସବୁର ଭାବପୂର୍ଣ୍ଣ ବର୍ଣ୍ଣନା ସବୁ ଓଡିଆଣୀଙ୍କି ଜଣା ।
ଏଇ ପର୍ବର ଗାଥା ଓଡ଼ିଶାର ଗଉରବମୟ ନୌବାଣିଜ୍ୟ ସହ ଜଡ଼ିତ ଥିବାରୁ ଏହା ମୁଖ୍ୟତଃ କଟକଜିଲ୍ଲା ଏବଂ ପାର୍ଶ୍ଵବର୍ତ୍ତୀ ଜିଲ୍ଲାମାନଙ୍କରେ ପାଳିତ ହୁଏ । ଭାଦ୍ରବ ମାସର ପ୍ରଥମ ରବିବାରରୁ ଆରମ୍ଭ ହୋଇ ଶେଷ ରବିବାର ପର୍ଯ୍ୟନ୍ତ ପାଳିତ ହୁଏ ଏ ଓଷା । ତଅପୋଇ ମଙ୍ଗଳାଙ୍କୁ ଖୁଦ ଆଦି ଦେଇ ସନ୍ତୋଷ କରିଥିବାରୁ ଏ ଓଷା ଖ୍ୟାତ ହୋଇଛି ଖୁଦରଙ୍କୁଣୀ ଅବା ଖୁଦୁରୁକୁଣୀ ଭାବେ । ତଅପୋଇକୁ ଭାଇମାନେ ଜଙ୍ଗଲରେ ନୁଖୁରା ଅସଜଡା ଉକୁଣୀ ସାଲୁବାଲୁ କେଶପାଶରେ ପାଇଥିବାରୁ ହୁଏତ ଏ ଓଷାର ଅନ୍ୟନାମ ଭାଲୁକୁଣୀ ।
ଖୁଦୁରୁକୁଣୀ ଓଷା ରାଜ୍ୟର ବିଭିନ୍ନ ଅଞ୍ଚଳରେ ବିଭିନ୍ନ ଲୋକାଚାର ବିଧିବିଧାନରେ ପାଳନ ହେଉଥିଲା ବେଳେ କେନ୍ଦୁଝର ଜିଲ୍ଲାର କିଛି ଆଦିବାସୀ ମଧ୍ୟ ଏ ପର୍ବ ପାଳନ କରିଥା’ନ୍ତି । ଅବିଭକ୍ତ କଟକ ଜିଲ୍ଲାର କେତେ ଅଞ୍ଚଳରେ ମାଟିମୂର୍ତ୍ତି ଆଉ କେତେ ଅଞ୍ଚଳରେ କାନ୍ଥରେ ଅଙ୍କିତ ଚିତ୍ର ପୂଜାପାଉଥିବା ବେଳେ ନୟାଗଡ଼, ଖଣ୍ଡପଡ଼ା ଅଞ୍ଚଳରେ କଳାପଟିରେ ଅଙ୍କିତ ତଅପୋଇ ଚିତ୍ରପ୍ରତିମା ପୂଜା ପାଇଥା’ନ୍ତି ।
ଖୁଦୁରୁକୁଣୀ ଦେବୀଙ୍କ ମୂର୍ତ୍ତି ହଳଦିଆ ହୋଇଥିବା ସ୍ଥଳେ କେନ୍ଦୁଝର ଜିଲ୍ଲାରେ ଏହା ରକ୍ତବର୍ଣ୍ଣା ।
ଏ ଖୁଦୁରୁକୁଣୀ ପୂଜାର ବୈଚିତ୍ର୍ୟ ବି ଏମିତି ଯେ ପୂଜାରେ ବ୍ୟବହୃତ ସାମଗ୍ରୀ ମାନ ପ୍ରାୟତଃ ବର୍ତ୍ତମାନ ସମୟରେ ଅଲୋଡ଼ା । ମାଟିର କୁଜଟିଏ ପୂଜାକରାଯାଉଥିବା ବେଳେ ଆବଶ୍ୟକ ପଡ଼େ ବାଉଁଶପତ୍ର, ଅରଖଫୁଲ, ପାଣିକଖାରୁ ଫୁଲ, ପାଣିକେନ୍ଦୁଲି, ବଜ୍ରମୂଳି ଦାନ୍ତକାଠି, ଖଡାଫୁଲ, କଇଁ, ଜୁଇଡାଳ, ଅପମାରଙ୍ଗ, କକରିଆ ଫୁଲ, ମକାଚଅଁର ଏମିତି କେତେ ନିଚ୍ଛକ ଗାଉଁଲି ଚିଜ । ଭୋଗ ମଧ୍ୟ ସେପରି, ଭୁଜା, ଚୁଡା, ଖଇ ଇତ୍ୟାଦି !
ଏଇ ଖୁଦୁରୁକୁଣୀ ପର୍ବଟିର ଅନ୍ୟ ଏକ ଆକର୍ଷଣ ପୁଚିଖେଳ । କେତେକ ସ୍ଥାନରେ ଏଇ ଖେଳ ଶେଷ ପାଳିରୁ ଆରମ୍ଭ ହୋଇ କୁମାରପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲେ । ଖାଣ୍ଟି ଓଡିଆ ଘରର ପର୍ବ ଖୁଦୁରୁକୁଣୀର ଅନ୍ୟତମ ଆବେଦନ ଥିଲା ଗାଁର ଭୁଗୋଳ ଓ ପ୍ରକୃତି ସହିତ କିଶୋରୀ କିଶୋର ମାନେ ପରିଚିତ ହେବା, ଗାଁର ପୁଅଝିଅଙ୍କ ଭିତରେ ସୈାହାର୍ଦ୍ଦ୍ୟ, ସମ୍ପ୍ରୀତିର ବନ୍ଧ ବାନ୍ଧିବା ।
ମାତ୍ର ସେ ସମୟ ଆଉ ନାହିଁ, ଏବେ ଇଣ୍ଟରନେଟର କିମିଆ, ସାମାଜିକ ଗଣମାଧ୍ୟମର ସଂସ୍କୃତିକୁ ଆପଣେଇଥିବା ଓଡିଆ କିଶୋରୀ ଖୁଦୁରୁକୁଣୀ ଅବା ଭାଲୁକୁଣୀ ପରି ନିଚ୍ଛକ ଗାଉଁଲି ପର୍ବକୁ, ସେ ପର୍ବର ଆବେଦନକୁ, ସେ ପରମ୍ପରା, ସେ ସଂସ୍କୃତିକୁ ନାକ ଟେକୁଛି !
ସେ ସ୍ବାଭିମାନର ଦାରିଦ୍ର୍ୟ ହଟିଯିବାର ମଧ୍ୟ ଆଶା ନାହିଁ !
Spread the love
admin

View Comments

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago