ମହାମନିଷୀଗଣ

ଭାରତମଣିଙ୍କ ମୟୂରଭଞ୍ଜ ସ୍ମୃତି

ଲେଖା: ଅଂଶୁମାନ ମହାରଣା

ମୟୂରଭଞ୍ଜ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେବଙ୍କ  ସମୟରେ ଭାରତମଣି ଗୋପବନ୍ଧୁ ଦାସ ଥିଲେ ମୟୂରଭଞ୍ଜ ଗଡ଼ଜାତ ରାଜ୍ଯର ଷ୍ଟେଟ ଓକିଲ। ତତସହିତ ବାରିପଦା ମ୍ଯୁନିସପାଲଟିର ଭାଇସ-ଚେୟାରମ୍ଯାନ ପଦରେ ଅବସ୍ଥାପିତ ଥାନ୍ତି। ୧୯୦୯ରୁ ୧୯୧୨ ପର୍ଯ୍ୟନ୍ତ ମୟୂରଭଞ୍ଜରେ ଅବସ୍ଥାପନ କରୁଥିବା ସମୟରେ ଦାସେଆପଣେଙ୍କ ମୟୂରଭଞ୍ଜ ପ୍ରତି ଥିବା ପ୍ରଶାସନିକ ଓ ସାମାଜିକ ଅବଦାନ ବେଶ ଅତୁଳନୀୟ।

ମୟୂରଭଞ୍ଜରେ ଗୋପବନ୍ଧୁ ଥିବା ସମୟରେ ମଧ୍ଯ ଛାତ୍ରମାନଙ୍କର ନେତୃତ୍ବ ନେଇ ଘରପୋଡ଼ି, ହଇଜା, ମ୍ଯାଲେରିଆ ସମୟରେ ଦୁର୍ଗତମାନଙ୍କ ସାହାଯ୍ୟ ସେବାରେ ଲାଗି ଯାଉଥିଲେ। ଛାତ୍ରମାନଙ୍କ ଉନ୍ନତ ଚିନ୍ତା, ଜନସେବା, ଆତ୍ମନିର୍ଭରଶୀଳତା ପ୍ରମୁଖ ପ୍ରଚାର ପାଇଁ ଦାସେ ଆପଣେଙ୍କ ପ୍ରଚେଷ୍ଟା ଓ ପ୍ରେରଣାରେ ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ “ୟଙ୍ଗ ଉତ୍କଳ ଆସୋସିଏସନ” ଗଠିତ ହୋଇଥିଲା।

ପ୍ରତି ଶନିବାର ସ୍କୁଲ ଛୁଟି ପରେ “ୟଙ୍ଗ ଉତ୍କଳ ଆସୋସିଏସନ”ର ସଦସ୍ଯ ହାଇସ୍କୁଲ ଛାତ୍ରମାନେ ସଭା କରି ବିବିଧ ବିଷୟରେ ଆଲୋଚନା କରୁଥିଲେ। ସମୟ ସମୟରେ ଛାତ୍ରମାନେ ପ୍ରବନ୍ଧ ମଧ୍ଯ ପାଠ କରୁଥିଲେ। ଛାତ୍ରମାନଙ୍କୁ ଶିକ୍ଷକମାନେ ଏ କ୍ଷେତ୍ରରେ ବିଶେଷ ଉତ୍ସାହ ଦେଉଥିଲେ। ଗୋପବନ୍ଧୁ ବାବୁ ଅନେକ ସମୟରେ ଛାତ୍ରମାନଙ୍କର ଏହି ସଭାରେ ଯୋଗ ଦେଉଥିଲେ ଏବଂ ତାଙ୍କ ଉପସ୍ଥିତି ଛାତ୍ରମାନଙ୍କ ଭିତରେ ବିଶେଷ ଉତ୍ସାହ ଜାଗ୍ରତ କରୁଥିଲା। ଛାତ୍ରମାନେ ସେବାକ୍ଷେତ୍ରରେ ଏକ ମନରେ ଏକ ପ୍ରାଣରେ ଲାଗି ଯାଉଥିଲେ। ସେତେବେଳେ ବାରିପଦା ସହରରେ ବହୁତ ଥର ଘରପୋଡ଼ି ହେଉଥିଲା। ଛାତ୍ରମାନେ ଏକତ୍ରିତ ହୋଇ ହେଡ଼ମାଷ୍ଟର ଶୈଳେନ୍ଦ୍ର ବାବୁ ଏବଂ ପଣ୍ଡିତ ଗୋପବନ୍ଧୁଙ୍କ ନେତୃତ୍ବରେ ନିଆଁଲିଭା କାମରେ ଲାଗି ଯାଉଥିଲେ। ଏମାନଙ୍କର ସେବା ମନୋଭାବ ଦେଖି ଅଭିଭାବକମାନେ ସନ୍ତୋଷ ଲାଭ କରୁଥିଲେ ଏବଂ ଗୋପବନ୍ଧୁଙ୍କ ପ୍ରତି ସେମାନଙ୍କ ମନରେ ସ୍ନେହ ଓ ଭକ୍ତି ସ୍ବତଃ ଜାଗ୍ରତ ହେଉଥିଲା।

କେବଳ ସେବାକାର୍ଯ୍ୟ ନୁହେଁ,  ହିନ୍ଦୁତ୍ୱର ସୁରକ୍ଷା ପାଇଁ ମଧ୍ଯ ମୟୂରଭଞ୍ଜରେ “ଧର୍ମସଭା” ସ୍ଥାପନରେ ମଧ୍ଯ ନେତୃତ୍ବ ନେଇଥିଲେ। ହିନ୍ଦୁ ସମାଜର ମଙ୍ଗଳ ହେଉ। ହିନ୍ଦୁମାନଙ୍କ ନିକଟରୁ ଅଜ୍ଞତା କୁସଂସ୍କାର ପ୍ରମୁଖ ଦୂର କରିବା ଏହି ସଭାର ମୁଖ୍ଯ ଉଦ୍ଦେଶ୍ଯ ଥିଲା। ତତକାଳୀନ ସମୟରେ ବ୍ରାହ୍ମଣ ମାନଙ୍କର ରାଜନୀତି ଆଚାର ବ୍ଯବହାରରେ ଉନ୍ନତି ହେବା, ଜୀବନ ଯାତ୍ରାରେ ଉଦାରତା ରହିବା ବିଶ୍ବାସରେ ମୟୂରଭଞ୍ଜରେ ରହିବା ସମୟରେ ବ୍ରାହ୍ମଣ ସମାଜର ଉନ୍ନତି ନିମନ୍ତେ ସେ ଏକ ବ୍ରାହ୍ମଣ ସମିତି ସ୍ଥାପନ କରିଥିଲେ।

ଉତ୍କଳ ସମ୍ମିଳନୀର ପ୍ରଥମ ସଭାପତି ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, କୁଳବୃଦ୍ଧ ମଧୁସୂଦନ ଦାସଙ୍କ ପରାମର୍ଶ କ୍ରମେ ଗୋପବନ୍ଧୁଙ୍କୁ ମୟୂରଭଞ୍ଜର ଷ୍ଟେଟ ଓକିଲ ଭାବରେ ନିଯୁକ୍ତ କରିଥିଲେ। ମହାରାଜା ଶ୍ରୀରାମଚନ୍ଦ୍ର ବିଦେଶ ଭ୍ରମଣରେ ବାହାରିବା ପୂର୍ବରୁ ମହାରାଜାଙ୍କ ପ୍ରତି ଶ୍ରଦ୍ଧାସମ୍ମାନ ପ୍ରଦର୍ଶନ କରି ଭାରତମଣି ଯେଉଁ ସଂଗୀତ ରଚନା କରିଥିଲେ ତାହା ଶୁଣ ସଭାସଦବର୍ଗ ଭାବବିହ୍ୱଳ ହୋଇ କାନ୍ଦି ପକାଇଥିଲେ। ୧୯୧୨ ମସିହାରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଦେହାନ୍ତ ପରେ ଇଂରେଜ ସରକାରଙ୍କ ଦ୍ବାରା ପ୍ରତିନିଧି ନିଯୁକ୍ତ କରି ଶାସନ କରାଗଲା। ଇଂରେଜ ସରକାରଙ୍କ ନିଯୁକ୍ତ ପ୍ରତିନିଧିଙ୍କ ଶାସନରେ ଦାସେଆପଣେଙ୍କୁ ପ୍ରତିଟି କ୍ଷେତ୍ରରେ ଉପେକ୍ଷା, ଅବଜ୍ଞା, ଥଟ୍ଟା, ପରିହାସ କାରଣରୁ ୧୯୧୨ ମସିହାରେ ଭାରତମଣି ଗୋପବନ୍ଧୁ ଦାସ ବାରିପଦା ପରିତ୍ଯାଗ କରିଥିଲେ।

ଆଜି ଭାରତମଣି ଗୋପବନ୍ଧୁ ନଶ୍ଵର ଶରୀରରେ ନାହାନ୍ତି ସତ, କିନ୍ତୁ ତାଙ୍କର ସ୍ମୃତି ବହନ କରୁଥିବା ଘରଟି (ଫଟୋ) ଆଜି ମଧ୍ୟ ବାରିପଦାରେ ଜିଲ୍ଲା ପ୍ରାଣୀ ଚିକିତ୍ସାଳୟ ପାଖରେ ଭଗ୍ନ, ଜରାଜୀର୍ଣ୍ଣ ଅବସ୍ଥାରେ ଦଣ୍ଡାୟମାନ। ୧୯୮୨ ମସିହାର ଉତ୍କଳ ଦିବସ ଉପଲକ୍ଷେ ଏହି ଘରଟିକୁ ତତକାଳୀନ ଜିଲ୍ଲାପାଳଙ୍କ ଦ୍ବାରା ଲୋକାର୍ପିତ କରାଯାଇଥିଲା। ଆଜି କିନ୍ତୁ ଏହି ଐତିହାସିକ ଘରଟିର ଭାଗ୍ଯ କିଛି ଅଲଗା। ଭାରତମଣିଙ୍କ ସମ୍ମାନାର୍ଥେ ବାରିପଦା ମ୍ଯୁନିସପାଲଟି ପରିସରରେ ଆବକ୍ଷ ମୁର୍ତ୍ତିଟିଏ ପ୍ରତିଷ୍ଠା ହୋଇଛି। କେବଳ ସେଇ ମୁର୍ତ୍ତିଟିକୁ ଦେଖିଲେ ମନେ ପଡ଼େ “ଆରେ ହଁ ତ, ଦାସେଆପଣେ ତ ବାରିପଦା ମ୍ଯୁନିସପାଲଟିର ଭାଇସ-ଚେୟାରମେନ ଥିଲେ।”

Spread the love
admin

View Comments

  • ମୟୂରଭଞ୍ଜର ଅବଦାନ ଓଡ଼ିଶା ପାଇଁ ଅନେକ । ପୁଣି ଭାରତମଣି ଗୋପବନ୍ଧୁ ଦାସଙ୍କ ଜୀବନର ଏକ ବିଶେଷ ସ୍ମୃତି ଏହି ବାରିପଦା।

Recent Posts

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 days ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 week ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

4 weeks ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

1 month ago