ଲେଖା: ଶ୍ରୀକାନ୍ତ ସିଂହ
ଭାତପଡ଼ାର ମାଧବ !
ସମୟର ପ୍ରବାହରେ ଅନେକ ଇତିହାସ ସୃଷ୍ଟି ହୋଇଛି ଏଇ ମାଟିରେ, ଅନେକ ଅତୀତ ମଧ୍ୟ ଲୁଚି ଯାଇଛି ସମୟର ତନ୍ଦ୍ରାଛାଦିତ କରାଳ ଗର୍ଭରେ ଆଉ ପୁଣି କେବେ କେମିତି ସମୟର ସ୍ରୋତରେ ପ୍ରବାହମାନ ହୋଇ ସେହି ଅତୀତ ପୁଣି ମୁଣ୍ଡ ଟେକି ଛିଡ଼ା ହୋଇଛି ବର୍ତ୍ତମାନରେ l
ଅତୀତରେ ଆମର ଏଇ ମାଟିରେ ଅନେକ ମନ୍ଦିର, ଦେଉଳ ଓ ଦେଉଳରେ ପ୍ରାଣ ପ୍ରତିଷ୍ଠିତ ପ୍ରତିମା ବିଧର୍ମୀ ଆକ୍ରମଣରେ ଖଣ୍ଡ ବିଖଣ୍ଡିତ ହୋଇ ମାଟିରେ ମିଶିଯାଇଛି, ଆଉ ଅଜଣା ଅଶୁଣା ହୋଇ ରହିଯାଇଛି ଆମ ସ୍ୱର୍ଣ୍ଣିମ ଇତିହାସ l
ଏହିପରି ଵିଧ୍ଵଂସର ଅନେକ ମୁକସାକ୍ଷୀ ଅଭିଵକ୍ତ କଟକ ଜିଲ୍ଲାର ଅନେକ ସ୍ଥାନରେ ଏବେବି ଦେଖିବାକୁ ମିଳେ l କେତେକ ସ୍ଥଳେ ନିଜ ଆରାଧ୍ୟଙ୍କ ଦେଉଳକୁ ରକ୍ଷା କରିବାରେ ଅସମର୍ଥ ଗ୍ରାମବାସୀ କିନ୍ତୁ ନିଜ ଇଷ୍ଟଙ୍କ ବିଗ୍ରହକୁ ରକ୍ଷା କରିବାରେ ସମର୍ଥ ହୋଇଛନ୍ତି l ଇଷ୍ଟଙ୍କ ଶ୍ରୀବିଗ୍ରହକୁ ବଞ୍ଚାଇବାକୁ ଯାଇ ତାଙ୍କ ପ୍ରତିମାକୁ ମାଟିରେ ପୋତି ଦେଇଥିଲେ l ଆଉ ସମୟାନ୍ତରେ ସେହି ମୂର୍ତ୍ତିସବୁ ପ୍ରାଣବନ୍ତ ହୋଇ ମାଟି ତଳୁ ଉଦ୍ଧାର ହୋଇ ପୁଣି ପୂଜା ପାଉଛନ୍ତି l
ମାଟିତଳୁ ଉଦ୍ଧାର ହୋଇଥିବା ଏହିପରି ଏକ ପ୍ରାଣବନ୍ତ ମୂର୍ତ୍ତି ରହିଛି ଆମ କଟକ ସହର ଠାରୁ ପ୍ରାୟ କୋଡ଼ିଏ କିଲୋମିଟର ଦୂରରେ ଥିବା ଭାତପଡ଼ା ଗ୍ରାମରେ l ଭାତପଡ଼ା ଗ୍ରାମରେ ଥିବା ରଘୁନାଥ ମନ୍ଦିର ଠାରୁ ମାତ୍ର ଶହେ ମିଟର ଦୂରରେ ଏକ ଅର୍ଦ୍ଧ ନିର୍ମିତ ମନ୍ଦିରରେ ପୂଜା ପାଉଛନ୍ତି ଧରଣୀରୁ ଉଦ୍ଧାର ହୋଇଥିବା ମାଧବ ପ୍ରତିମା l
ଆଜିକୁ ପ୍ରାୟ ଚାଳିଶ ବର୍ଷ ପୂର୍ବେ ଭାତପଡ଼ାର ଜନୈକ ଗ୍ରାମବାସୀ ପୂର୍ଣ୍ଣଚନ୍ଦ୍ର ସେଠୀ ଘର ତୋଳିବା ପାଇଁ ନିଅଁ ଖୋଳିଲା ବେଳେ ତାଙ୍କ ବାଡ଼ି ପଟରୁ ଏହି ସୁନ୍ଦର ଚତୁର୍ଭୁଜ ବିଷ୍ଣୁ ବା ମାଧବ ପ୍ରତିମାଟି ଉଦ୍ଧାର ହୋଇଥିଲା l ଆଉ ତାଙ୍କ ଘର ଠାରୁ ଅଳ୍ପ ଦୂରରେ ଜଣେ ମୁସଲମାନ ଲୋକର ବାରିପଟେ ଊଈ ହୁଙ୍କା ମୂଳରୁ ଠାକୁରଙ୍କ ବୃତ୍ତାକାର ଆସ୍ଥାନଟି ମଧ୍ୟ ଉଦ୍ଧାର ହୋଇଥିଲା l
ପ୍ରଥମେ କିନ୍ତୁ ମୁସଲମାନ ବ୍ୟକ୍ତି ଜଣକ ସେହି ଆସ୍ଥାନଟି ଦେବାକୁ ଅନିଚ୍ଛା ପ୍ରକାଶ କଲେ ମାତ୍ର ପରବର୍ତ୍ତୀ ସମୟରେ ଗାଈ ବାନ୍ଧିବା ସମୟରେ ଖଣ୍ଡିଆ ଖାବରା ହୋଇ ତାଙ୍କର ଗୁରୁତର ଅନିଷ୍ଟ ହେବା ଫଳରେ ଏବଂ ତାଙ୍କ ଘରୁ ଅନେକ ଗୁଡ଼ିଏ ବିଷଧର ସର୍ପମାନ ବାହାରିବାରୁ ଏହାକୁ ଏକ ଦୈବ ନିର୍ଦ୍ଦେଶ ମାନି ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ବିଗ୍ରହଙ୍କ ସେହି ଆସ୍ଥାନଟି ପ୍ରଦାନ କରିଥିଲେ ବୋଲି ପରିବାର ଲୋକେ କୁହନ୍ତି l
ଅତୀତକୁ ଦୃଷ୍ଟିପାତ କଲେ ଜଣାଯାଏ ଯେ, ବର୍ତ୍ତମାନର ନାନ୍ଦୋଳ ଗ୍ରାମ ଯାହାର କି ପ୍ରାଚୀନ ନାମ ନବଦେଉଳ ଥିଲା ଏବଂ ଏହି ଅଞ୍ଚଳରେ ଛୋଟ ବଡ଼ ନଅ ଗୋଟି ମନ୍ଦିର ଥିବାରୁ ଏହାର ନାମ ନବଦେଉଳ ହୋଇଥିବା ଅନୁମାନ କରାଯାଏ l ପରବର୍ତ୍ତୀ ସମୟରେ କଳା ପାହାଡ଼ର ଵିଧ୍ଵଂଶ ଫଳରେ ସେହି ମନ୍ଦିର ଗୁଡ଼ିକର କୌଣସି ଅସ୍ତିତ୍ୱ ଏବେ ଆଉ ନାହିଁ ମାତ୍ର ନାନ୍ଦୋଳ ଉର୍ଦୁ ବିଦ୍ୟାଳୟର ବାମପାର୍ଶ୍ଵ ଅଞ୍ଚଳରେ ସେହି ପୁରାତନ ମନ୍ଦିରର ଭଗ୍ନାବଶେଷ ଏବେ ବି ପଡ଼ି ରହିଛି l ଖାଲି ସେଠାରେ ନୁହେଁ; ନିକଟସ୍ଥ କେତୋଟି ଛୋଟ ବଡ଼ ଗାଡ଼ିଆରେ ମଧ୍ୟ ପ୍ରାଚୀନ ଦେଉଳର ବିରାଟକାୟ ପଥର ମାନ ପଡ଼ିଥିବାର ଦେଖିବାକୁ ମିଳେ l
ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ପରିବାର ଲୋକଙ୍କ କହିବାନୁଯାଇ, ଭାତପଡ଼ାର ମାଧବ ପ୍ରତିମାଟି ଦୁର୍ବୃତ୍ତଙ୍କ ଦ୍ୱାରା ପୁନର୍ବାର ଚୋରି ହୋଇ ଯାଇଥିଲା l ମାତ୍ର, ଅନେକ ଖୋଜା ଖୋଜି କଲା ପରେ ତାହା ନିକଟସ୍ଥ ଏକ ନାଳକୂଳରୁ ପୁନଃରୁଦ୍ଧାର କରାଯାଇଥିଲା l ଇତି ମଧ୍ୟରେ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ଦେହାନ୍ତ ହୋଇଯାଇଛି l ମାତ୍ର ପରିବାର ଲୋକଙ୍କ ଦ୍ୱାରା ନାରାୟଣଙ୍କ ଏହି ପ୍ରତିମାଟି ନିଷ୍ଠା, ଭକ୍ତି ଓ ଶ୍ରଦ୍ଧାର ସହିତ ପୂଜା ପାଉଛନ୍ତି l ନିଜସ୍ୱ ଉଦ୍ୟମରେ ନିର୍ମାଣ ହୋଇଥିବା ଦେଉଳର ଭିତର ପାର୍ଶ୍ଵ କାମ ସରିଥିଲେ ହେଁ ବାହ୍ୟ ପାର୍ଶ୍ଵର ପଲସ୍ତରା କାମ ବାକି ରହିଛି l
ସ୍ଥାନୀୟ ଲୋକଙ୍କ ବ୍ୟତୀତ ଏହି ନାରାୟଣ ପ୍ରତିମା ବିଷୟରେ ଅନ୍ୟ ଲୋକେ ପ୍ରାୟ କିଛି ଜାଣନ୍ତି ନାହିଁ l ଏଣୁ ଐତିହ୍ୟପ୍ରେମୀଙ୍କୁ ମୋର ଆନ୍ତରିକ ଅନୁରୋଧ, ଭାତପଡ଼ାର ମାଧବ ଭଗବାନଙ୍କ ଏହି ସୁନ୍ଦର ଶ୍ରୀବିଗ୍ରହକୁ ଯାଇ ସ୍ଵଚକ୍ଷୁରେ ଥରେ ଦେଖି ଆସନ୍ତୁ l
Spread the love
admin

Recent Posts

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 days ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 days ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

7 days ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 week ago

ଦଶପଲ୍ଲା ଗଡ଼

ଦଶପଲ୍ଲା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଅଧୁନା ନୟାଗଡ଼ ଜିଲ୍ଲା ପୂର୍ବରୁ ଚାରି ଗଡଜାତରେ ବିଭକ୍ତ ଥିଲା ଯଥା,…

2 weeks ago

ମା’ ଚର୍ଚ୍ଚିକା

~ ବାଙ୍କୀଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା' ଚର୍ଚ୍ଚିକା ଠାକୁରାଣୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ବା ଉତ୍କଳ…

2 weeks ago