ଉପସ୍ଥାପନା: ଦେଵ ତ୍ରିପାଠୀ  

ଓଡ଼ିଆ ସଂସ୍କୃତି ତଥା ଧାର୍ମିକ ଚେତନାର ପ୍ରାଣକେନ୍ଦ୍ର ଭାଗବତ ଟୁଙ୍ଗୀ ।

ସଞ୍ଜ ନଇଁ ଆସିଲାଣି । ତୁଳସୀ ଚଉରା ମୂଳେ ସଳିତା ଜାଳିସାରିଲାଣି ବୋହୂ । ଗୋଟି ଗୋଟି ହୋଇ ତାରା ଫୁଟି ଉଠିଲେଣି ଆକାଶରେ । ଗଛ ମଥାନ ବି ଟିକେ ଚହଲିବାକୁ ନାହିଁ, ଦିନସାରା ଡହ ଡହ ଖରା, ସଞ୍ଜରେ ବାମ୍ଫ ଉଠୁଛି ବସୁଧାରୁ । ଆକାଶରେ ଧଳା ବଉଦଟିଏ ନାହିଁ । ଶଂଖ ଧ୍ୱନି ଶୁଭିଲାଣି । ନନା ଆସିଯିବେଣି ପରା । ଭାଗବତପଢ଼ା ଶୁଣିବା ପାଇଁ ବୁଢ଼ୀ ମାଉସୀର ମନ ଅଝଟ ହୋଇଉଠିଲା । କୋଳରେ ଶୋଇପଡିଥିବା ଛୁଆ ଦୁଇଟିଙ୍କୁ ବୋହୂ ହାତରେ ସଅଁପିଦେଇ ଗୁନ୍ଥା ହୋଇଥିବା ସେରିଏ ମଲ୍ଲୀମାଳ ଧରି ମାଉସୀ ଚାଲିଲା ଭାଗବତ ଟୁଙ୍ଗୀ ।

ଗ୍ରୀଷ୍ମର ଅସହ୍ୟ ଉତ୍ତାପ ହେଉ କି ତୁହାକୁ ତୁହା ବର୍ଷା ଝଡିର ଘନଘୋର ପାଗ ହେଉ, ହାଡଭଙ୍ଗା ଶୀତର କୁହୁଡି ଘେରା ରାତି ହେଉ କି ଜହ୍ନପକ୍ଷ କି ଉଆଁସ, ସଞ୍ଜ ନଇଁଲେ ଭାଗବତ ଟୁଙ୍ଗୀର ଆକର୍ଷଣ ପ୍ରତି ଓଡ଼ିଆ ବୃଦ୍ଧବୃଦ୍ଧାଙ୍କ ପାଇଁ ଅନତିକ୍ରମଣୀୟ । ସେ ହୋଇଥାଉ ନଈକୂଳିଆ ତୋଟାମାଳ ଘେରା ପରିମଳ ଶାସନୀ ବ୍ରାହ୍ମଣିଆ ଗାଁ କି ପଚାଦଳ ପୋଖରୀ, ବାଉଁଶ ବଣର ଅପନ୍ତରା ଅନ୍ଧାରିଆ ମୁଲକ କିମ୍ବା ପାହାଡ ତଳି ଘଞ୍ଚବନସ୍ତର ଅଜଣା ରାଇଜ ଅବା ସମୁଦ୍ରକୂଳିଆ ବାଲୁକାବନ୍ତ ତାଳନଡିଆ ଘେରା ଭୂଇଁ – ଗାଁ ଟିଏ ଅଛି ତ ଭାଗବତ ଟୁଙ୍ଗିଟିଏ ବି ଅଛି । ସେ ନିବୁଜ କାନ୍ଥି ଛଣଛପରର ଗୋବରଲିପା ଚିତା ପଡିଥିବା ଚଟାଣ ଉପରେ ବିଛାହୋଇଥିବା ଖଜୁରୀ, ସନ୍ତରାପଟି ଘର ହେଉଛି ଓଡ଼ିଆ ସଂସ୍କୃତି ତଥା ଧାର୍ମିକ ଚେତନାର ପ୍ରାଣକେନ୍ଦ୍ର । ଅଭାବନୀୟ ଜୀବନ-ଦର୍ଶନର ଆଦ୍ୟ ଓ ଶେଷ ଚାଟଶାଳୀ, ଜୀବନଚର୍ଯ୍ୟାର ଉଦ୍ଘୋଷକ ଓ ଶେଷ ଜୀବନର ଅମୃତମୟ ପ୍ରଶାନ୍ତି ।

ଜଳୁଥିବ ପୋଲାଙ୍ଗ ତେଲର ମାଟିଦୀପ । ନିଷ୍ପ୍ରଭ ଆଲୁଅରେ ଅସ୍ପଷ୍ଟ ଦିଶୁଥିବେ ଖଟୁଲି ଉପରେ ବିରାଜିତ ମହାପ୍ରଭୁ ଜଗନ୍ନାଥ। ପ୍ରତି ଘରୁ ଆସିଥିବା ଟଗର, ମଲ୍ଲୀ କି ଗେଣ୍ଡୁମାଳରେ ସେ ହୋଇଥିବେ ଶୋଭିତ । ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ଠାକୁରଙ୍କ ଭୋଗନୀତି ବଢିବ, ଶଂଖଘଣ୍ଟ ବାଜିଉଠିବ, ଝୁଣାଅଗୁରୁ ଧୂଆଁର ସୁଗନ୍ଧିରେ ମହକି ଉଠୁଥିବ ଚଉଦିଗ । ଭାଗବତ ଗାଦିକୁ ଛୁଇଁଲା ବେଳକୁ ପୁରାଣପଣ୍ଡାଙ୍କ ଦେହରେ ଜାଗୁଥିବ ଶିହରଣ, କଣ୍ଠରେ ଏକ ଘନୀଭୂତ ଆବେଗ। ଦିଶନ୍ତି ତେଜସ୍ଵୀ, ଶୁଚିବନ୍ତ ।

ଭାଗବତର ମନ୍ତ୍ରପୂତ ଧ୍ୱନି ହିଁ ପ୍ରତି ମଣିଷକୁ ସେ ପରିବେଶରେ କରିଦିଏ ନିଆରା — ରାଜହଂସ ଯେପରି ଉଡିଯିବାକୁ ଚାହେଁ ଗ୍ରୀବାସଳଖି ଦଳୁଆ ପୋଖରୀରୁ ଅନନ୍ତ ଆକାଶର ସୁନୀଳ ବିସ୍ତାର ଭିତରକୁ । ତାଳପତ୍ରର ଜୀର୍ଣ୍ଣ ଖୋଦେଇ ଭିତରର ମିଞ୍ଜି ମିଞ୍ଜି ଅକ୍ଷର ଭିତରେ ସେ କ’ଣ ଖୋଜେ, କ’ଣ ପାଏ ଯେ ଅଫିମଖିଆ ନେଉଳ ପରି ସେ ପ୍ରତିଦିନ ସେ ଟୁଙ୍ଗିକି ଧାଇଁବା ପାଲଟିଯାଏ ଏକ ଅଦମନୀୟ ଅଭ୍ୟାସ । କେତେବେଳେ ଓଠରେ ତୃପ୍ତିଭାବ କଅଁଳେ ତ କେତେବେଳେ ଆଖିରେ ଝଲସେ ଅଶ୍ରୁ । ବାରମ୍ବାର ଯୋଡହସ୍ତ ଛୁଉଁଥାଏ କପାଳ, ଚଉକାନ୍ଥି କମ୍ପିଉଠୁଥାଏ ହରିବୋଲ, ହୁଳହୁଳି ନାଦରେ । ମଲାବେଳକୁ ଗଙ୍ଗାଜଳ, ନିର୍ମାଲ୍ୟ ସହ ସେ ଖୋଜେ ଭାଗବତର ସେଇ ଲଳିତ, ଶାଶ୍ବତ ବାଣୀକୁ, ଯିଏ ତାକୁ ଦିଏ ପରମାନନ୍ଦର ପୁଲକ, ପ୍ରତିଶ୍ରୁତି ଓ ପ୍ରଶାନ୍ତି ।


ଦିନ ଥିଲା, ଗାଁ ସଂଗଠିତ ଆଉ ଏକତ୍ର ରହୁଥିଲା ଏଇ ଭାଗବତ ଟୁଙ୍ଗୀରେ, ‘ଭାଗବତ ଜନ୍ମ’ ପାଳନ ହେଉଥିଲା, ‘ଭାଗବତ ସପ୍ତାହ’ ପାଳନ ହେଉଥିଲା । ଭାବ ଆଦାନପ୍ରଦାନ, ପଙ୍କ୍ତିଭୋଜନ, ସହଯୋଗ ସହାବସ୍ଥାନ ଓ ସମାନତାର ବାର୍ତ୍ତା ପ୍ରଚାର କରୁଥିଲା ଏଇ ଭାଗବତ ଟୁଙ୍ଗୀ । ଦିନେ ବଙ୍ଗଳା, ବିହାର ଓ ଆସାମ ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଥିଲା ଓଡ଼ିଆ ଭାଗବତଟୁଙ୍ଗିର ସଂସ୍କୃତି । ଉତ୍କଳୀୟ ପରମ୍ପରାର ପ୍ରଭାବରେ ଶଙ୍କର ଦେବ ପ୍ରଚଳନ କରିଥିଲେ ‘ନାମଘର’ ସଂସ୍କୃତି, ଏହା ଏବେ ମଧ୍ୟ ପ୍ରଚଳିତ ।

ବଶିଷ୍ଠ-ଶକ୍ତି-ପରାଶର-ବ୍ୟାସଙ୍କ ମଧ୍ୟ ଦେଇ ଏକ ପବିତ୍ର ଶୂଚିସ୍ନିଗ୍ଧ ତପସ୍ୟାର ଧାରା ଅବଲୀଳାକ୍ରମେ ଆସିଥିଲା ଶୁକଦେବଙ୍କ ଯାଏଁ ଏବଂ ଯିଏ ଶୁଣାଇଥିଲେ ଜୀବନର ନିଷ୍ଠୁର ସାୟଂକାଳରେ ରାଜା ପରୀକ୍ଷିତଙ୍କୁ ଏହି ଅମୃତମୟ ମହାକାବ୍ୟର ବାଣୀ, ତାହା ପୁଣି ବିବର୍ତ୍ତିତ ହୋଇଥିଲା ଏ ମାଟିର ମହାସନ୍ଥ ଦେବୋପମ ବୈଷ୍ଣବୀୟ ପରମସାଧକ ଉତ୍କଳ ମାଟିରେ ସୁଧାଭକ୍ତିର ଉଦ୍ଗାତା ପଣ୍ଡିତ ଜଗନ୍ନାଥ ଦାସଙ୍କ ଲେଖନୀ ମୂନରେ – ସେ ଧାରା ଆଜି ବିକଳ ଭାବରେ ଭାଙ୍ଗିପଡିଛି ବହୁବିଧ ଖଳନାୟକମାନଙ୍କ ଦ୍ଵାରା ।

“ସେ ଗୋପନାରୀଙ୍କ ପୟର
ମନ ମୋ ନିରନ୍ତର ରହୁ ।
ମନ ମୋ ନିରନ୍ତରେ ରହୁ
ହା କୃଷ୍ଣ ବୋଲି ଜୀବ ଯାଉ II”

ଆଜି ଭିନ୍ନ ଚେତନାର ଗୋପନାରୀ ଓ ରସିକ କୃଷ୍ଣରେ ରସୋତ୍ତୀର୍ଣ୍ଣ ହେଉଛି ଜୀବନ । ଆଜି କେବଳ ସମାଜ ନୁହେଁ ସଂସାର ଭାଙ୍ଗିପଡୁଛି, ମଣିଷ ମଣିଷ ଭିତରେ ଦ୍ଵନ୍ଦର ପାଚେରୀ ଉଠୁଛି । ବସ୍ତୁବାଦ ହୋଇଛି ଜୀବନର ସର୍ବୋତ୍ତମ ଅନ୍ୱେଷଣ, ଜୀବନ ହୋଇପଡିଛି ଅସହାୟତାର ଅଗ୍ନିବେଦୀ ।

#ଭାଗବତ_ଟୁଙ୍ଗୀ

ମୂଳ ଲେଖା: ସଚିତ୍ର ବିଜୟା

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

3 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago