ଲେଖା: ଶିବାଶିଷ ମହାପାତ୍ର ଡାଲଖାଇରେ ଡାଲଖାଇରେ ପଶ୍ଚିମ ଓଡ଼ିଶାର ଲୋକଗୀତ ତଥା ଲୋକନୃତ୍ୟ ଭିତରେ ଦେଖିବାକୁ ମିଳେ ଏହି ଅଞ୍ଚଳର ସଂସ୍କୃତି, ପରମ୍ପରା ତଥା ଐତିହ୍ୟର ଝଲକ । ଏକଦା ପଶ୍ଚିମ ଓଡ଼ିଶାରେ ତନ୍ତ୍ରପୂଜା ବିଶେଷ ଭାବରେ ପ୍ରଚଳିତ ଥିଲା ଏବଂ ଏହାର ବିଭିନ୍ନ ଅଂଶ ଆଜି ମଧ୍ୟ ପ୍ରଚଳିତ ହୋଇଥାଏ । ଆଦିବାସୀ ସଂସ୍କୃତିର ଝଲକ ଦେଖିବାକୁ ମିଳେ ପ୍ରତି ପର୍ବପର୍ବାଣୀରେ । ପୂଜା ସହିତ ଜମିଥାଏ ନୃତ୍ୟଗୀତର ଆସର । ପ୍ରାୟତଃ ଦେବୀ ଉପାସନା ଏ ଅଞ୍ଚଳର ପ୍ରମୁଖ ଏବଂ ଦଶହରା ସମୟରେ ଗାଁରୁ ସହର ନାଚିଉଠେ, ଖେଳିଯାଏ ଏକ ଅପୁର୍ବ ଶିହରଣ । ପ୍ରାୟତଃ ପୁଅଜିଉଁତିଆ ଓଷାରୁ ଆରମ୍ଭ ହୋଇଥାଏ ଦଶହରା ପୂଜା । ପୁଅଜିଉଁତିଆ ଓଷାରୁ ଭାଇଜିଉଁତିଆ ଓଷା ଯାଏଁ ହୋଇଥାଏ ଷୋହଳପୂଜା, ଲାଗି ହୋଇଥାଏ ଷୋଡ଼ଶ ଉପଚାର । ସମାଜର ପୁରୁଷ ମାନଙ୍କ ମଙ୍ଗଳ କାମନା କରି ନାରୀମାନେ କରନ୍ତି ଅନେକ ଓଷା ବ୍ରତ ତନ୍ମଧ୍ୟରୁ ପୁଅଜିଉଁତିଆ ଏବଂ ଭାଇଜିଉଁତିଆ ପୂଜା ଏହି ଅଞ୍ଚଳର ଲୋକଙ୍କ ପାଇଁ ଗୁରୁତ୍ବ ବହନ କରିଥାଏ । କାହିଁ କେଉଁ ଆବହମାନ କାଳରୁ ପଶ୍ଚିମ ଓଡ଼ିଶାର ଗାଁ ଠାରୁ ସହର ଯାଏଁ ଚଲିଆସୁଛି ଏହି ପରମ୍ପରା । ଗୋଟିଏ ଭାଇର ମଙ୍ଗଳ କାମନା କରି ଭଉଣୀ ରଖିଥାଏ ନିର୍ଜଳା ଉପବାସର ବ୍ରତ । ଜିଉଁତିଆର ଅର୍ଥ ଭିନ୍ନ ଭିନ୍ନ ରଙ୍ଗର ହାତ ତିଆରି ସୁତା ଏବଂ ଏହା ଭାଇଙ୍କୁ ଲାଗି କରାଯାଉଥିବା ଯୋଗୁଁ ଏହା ଭାଇଜିଉଁତିଆ ନାମରେ ପରିଚିତ । ଭାଇଜିଉଁତିଆ ଓଷା ପର୍ବ ପାଳନ କରନ୍ତି ଅଶ୍ବିନ ମାସ ଶୁକ୍ଳପକ୍ଷ ଅଷ୍ଟମୀ ବା ମହାଷ୍ଟମୀ ତିଥିରେ । ଏହିଦିନ ସକାଳୁ ସ୍ତ୍ରୀ ଲୋକମାନେ ନିକଟସ୍ଥ ନଈ, ପୋଖରୀ ବା ବନ୍ଧକୁ ଗାଧୋଇବା ପାଇଁ ଯାଆନ୍ତି ଏବଂ ସାଥିରେ ନେଇଥାନ୍ତି କିଛି ପୂଜାସାମଗ୍ରୀ । ପାଣିରେ ସାତବୁଡ଼ରେ ସାତମୁଠା ବାଲି ଆଣି ସ୍ଥାପନା କରନ୍ତି ବାଲିର ବେଦୀ । ସେଠାରେ ସାତଗୋଟି ଚକ୍ରାକାର କାକୁଡ଼ି ଖଣ୍ଡ ସହିତ ଅପାମାରଙ୍ଗ କାଠି ପୋତି ହଳଦୀ, ଅରୁଆ ଚାଉଳ ଦେଇ ପୂଜା କରି ଆସନ୍ତି । ଗୃହକୁ ଫେରି ଅନ୍ୟାନ୍ୟ ପୂଜା ସାମଗ୍ରୀ ଯଥା ଆଠ ପ୍ରକାରର ଫଳଫୁଲ ସହିତ ପ୍ରତ୍ୟେକ ଭାଇଙ୍କ ପାଇଁ ୧୦୮ ଗୋଟି ଦୂବ ତଥା ୧୦୮ ଗୋଟି ଅକ୍ଷତ ଅରୁଆ ଚାଉଳ ସଂଗ୍ରହ କରି ତାହାର ପୁଡ଼ାମାନ ତିଆରି କରନ୍ତି । ସରଗିପତ୍ରରେ ଜିଉଁତିଆ ସହିତ ବାନ୍ଧି ରଖାଯାଏ । ଏହା ସହିତ ପ୍ରସ୍ତୁତ କରନ୍ତି ଭିନ୍ନ ଭିନ୍ନ ପ୍ରକାରର ପୂଜା ଦ୍ରବ୍ୟ । ଖଇ ସହିତ ଗୁଡ଼ ମିଶାଇ ପ୍ରସ୍ତୁତ କରନ୍ତି ଯୁଗାର । ଫୁଲ, ଫଳ, ଦୀପ, ଦୁବ, ନଡ଼ିଆ, ବରକୋଳି ପତ୍ର, ଚାଉଳ ପୁଡ଼ିଆ, ଯୁଗାର ଆଦି ଘେନି ପୂଜା ସ୍ଥାନ ବା କୁଠିକୁ ଯାଆନ୍ତି । ସେଠାରେ ପୂଜା କରାଯାଏ ବନ୍ଦାଯାଏ ମା’ ଦୁର୍ଗାଙ୍କୁ । ପୂଜାକୁଠି ନଥିବା ସ୍ଥାନରେ ମା’ ଭଉଣୀ ମାନେ ଦୁର୍ଗାପୂଜା ପେଣ୍ଡାଲ୍ କୁ ଯାଇ ପୂଜାର୍ଚ୍ଚନା ଅର୍ପଣ କରନ୍ତି । ପୂଜା ଅନ୍ତେ କଖାରୁ ବଳି ଦିଆଯାଇ ପୂଜା ସମାପ୍ତ କରାଯାଏ । ତା ପର ଦିନ ସକାଳୁ ପୁଣି ସେଇ ନଇ, ପୋଖରୀ ବା ବନ୍ଧକୁ ସ୍ନାନ ପାଇଁ ଯାଆନ୍ତି । ତା ପରଦିନ ସକାଳୁ ଆଉଥରେ ପୋଖରୀକୁ ଯାଇ ଶାଳକାଠରେ ଦାନ୍ତ ଘଷି ଗାଧୋଇ ସାରିବା ପରେ ପୂର୍ବଦିନ ବାଲିରେ ପୂଜା କରିଥିବା ସ୍ଥାନରେ ଆଉ ଥରେ ପୂଜା କରି ୮ ଗୋଟି ଚଣା ସହିତ ଦୀପ ଧରି ପାଣି ଭିତରକୁ ଯାଆନ୍ତି । ସେଠାରେ ଦୀପ ଭସାଇ ଚଣା ଗିଳି ଦିଅନ୍ତି ଦାନ୍ତ ନ ଲଗାଇ । ପରେ ଘରକୁ ଫେରି ଭାଇ ମାନଙ୍କୁ ପିଢ଼ାରେ ବସାଇ ଫୁଲ, ଚନ୍ଦନରେ ବନ୍ଦାଇ ଦୁବ ଚାଉଳ ବିଡ଼ାକୁ ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ବନ୍ଦାଇଥାଆନ୍ତି । ବଡ଼ ଭାଇକୁ ମୁଣ୍ଡିଆ ମାରି ଆଶିର୍ବାଦ ଭିକ୍ଷା କରିଥାନ୍ତି ଏବଂ ସାନ ଭାଇକୁ ଆଶିର୍ବାଦ କରନ୍ତି । ଏହାପରେ ନିର୍ଜଳା ଉପବାସ କରିଥିବା ବ୍ରତଧାରୀ ମାନେ ପ୍ରସାଦ, ଅନ୍ନ ଗ୍ରହଣ କରି ବ୍ରତ ଉଦଯାପନ କରିଥାନ୍ତି । ତାନ୍ତ୍ରିକ ଉପାୟରେ ଏହି ସବୁ ପୂଜାମାନ କରାଯାଏ । ଗାଧୁଆ ତୁଠର ବାଲିର ବେଦି ଉପରେ କରାଯାଉଥିବା ପୂଜା ଏହି ତାନ୍ତ୍ରିକ ପ୍ରଣାଳୀର ଏକ ଉଦାହରଣ । ଏହାବାଦ ପୂଜା ଶେଷରେ ପଡୁଥିବା କଖାରୁ ବଳି ମଧ୍ୟ ଏହି ତାନ୍ତ୍ରିକ ପ୍ରଥାର ଏକ ନିଦର୍ଶନ । ଭିନ୍ନ ଭିନ୍ନ ସମୟରେ ପୂଜାର ବିଧିରେ ଦେଖାଯାଇଛି ପରିବର୍ତ୍ତନ । ପୂର୍ବରୁ ଡାଲଖାଇ ଦେବୀଙ୍କୁ ଉପାସନା କରି ଅଷ୍ଟମୀ ତିଥିରୁ ଦଶମୀ ତିଥି ଯାଏଁ ଗ୍ରାମାଞ୍ଚଳରେ ଡାଲଖାଇ ନୃତ୍ୟ ଦେଖିବାକୁ ମିଳୁଥିଲା । ଆବାଳ ବୃଦ୍ଧ ବନିତା ପାରମ୍ପରିକ ବାଦ୍ୟ ଯନ୍ତ୍ରର ତାଳେ ତାଳେ ଡାଲଖାଇ ଗୀତର ସୁରେ ସୁରେ ଝୁମି ଉଠୁଥିଲେ । ©️ Odisha Stories
| |
ଲେଖା: ଅମ୍ବିକା ପଟ୍ଟନାୟକ ∼ ଆଚାର୍ଯ୍ୟ ଶ୍ରୀଧର ସ୍ୱାମୀ : ଭାବାର୍ଥ ଦୀପିକା ବାଣୀ ∼ ମୂକଂ କରୋତି ବାଚାଳମ…
ଲେଖା: ଅମୃତେଶ ଖଟୁଆ ∼ କବି ଲେଖନୀରେ ଜାତି ଐରାବତ ∼ ଓଡ଼ିଆ ଜାତି ପାଇଁ ତାଙ୍କର ଅପରିମେୟ ଅବଦାନ…
ଲେଖା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ~ ଉତ୍ତରେଶ୍ଵର ମହାଦେବ ମନ୍ଦିର ~ ଦିନ ଥିଲା, ବିରୂପା ତଟରେ…
କୁମ୍ଭେଶ୍ୱର ମହାଦେବ ମନ୍ଦିର ଉପସ୍ଥାପନା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ଆଠଗଡ଼ର ଚିର ହରିତ ପ୍ରକୃତି, ଶାନ୍ତ-ସ୍ନିଗ୍ଧ ବାତାବରଣ…
ମାଣବସା ଗୁରୁବାର ଉପସ୍ଥାପନା: ଅମୃତେଶ ଖଟୁଆ ଲକ୍ଷ୍ମୀ ମାଆ ଦେଖିଲେ ଯାଇ ନଗରୀ-ପ୍ରାନ୍ତରେ ଚଣ୍ଡାଳର କୁଟୀରଟିଏ ଅତୁଳ ଛବି ଧରେ…