ଲେଖା: ଦେଵ ତ୍ରିପାଠୀ
ରେଶମନଗରୀ ବ୍ରହ୍ମପୁର ଠାରୁ ପ୍ରାୟ ୭୫କି.ମି. ଦୂରରେ ଅବସ୍ଥିତ ମନୋମୁଗ୍ଧକର ପ୍ରାକୃତିକ ପରିବେଶ, ନୈସର୍ଗିକ ଶୋଭା ଏବଂ ପ୍ରାଚୀନ ଐତିହାସିକ କୀର୍ତ୍ତିରାଜି ବିମଣ୍ଡିତ କ୍ଷୁଦ୍ର ସହର ବୁଗୁଡ଼ା । ସମଗ୍ର ଦେଶରେ ଯେଉଁ ମନ୍ଦିର ପାଇଁ ଏହା ସୁଖ୍ୟାତି ଅର୍ଜନ କରିଛି ତାହା ହେଉଛି ବିରାଟ ରଥସଦୃଶ ସମ୍ପୂର୍ଣ୍ଣ କାଷ୍ଠନିର୍ମିତ ବୁଗୁଡ଼ା ବିରଞ୍ଚିନାରାୟଣ ମନ୍ଦିର । ସହରର କେନ୍ଦ୍ରସ୍ଥଳରେ ଅବସ୍ଥିତ ଓଡ଼ିଶାର ପ୍ରଥମ କାଷ୍ଠନିର୍ମିତ ଦ୍ଵିତୀୟ କୋଣାର୍କ ମନ୍ଦିରର ଅତ୍ୟନ୍ତ ମନୋରମ ବିଗ୍ରହ ଓ କାରୁକାର୍ଯ୍ୟ ଅନନ୍ୟ ।
ଘୁମୁସର ରାଜ୍ୟର ଭଞ୍ଜବଂଶୀ ରାଜା ଶ୍ରୀକର ଭଞ୍ଜଙ୍କ ଦ୍ଵାରା ଅଷ୍ଟାଦଶ ଶତାବ୍ଦୀରେ ନିର୍ମିତ ଏହି ମନ୍ଦିରଟି ଅଠଚାଳିଶ ସ୍ତମ୍ଭବିଶିଷ୍ଟ, ଏହାର ସମ୍ମୁଖ ଭାଗରେ ପ୍ରସ୍ତର ନିର୍ମିତ ସାତ ଗୋଟି ଅଶ୍ୱ ଧାବମାନ ଅଶ୍ୱର ଭ୍ରମ ସୃଷ୍ଟିକରେ । ମନ୍ଦିରର ଦକ୍ଷିଣପାର୍ଶ୍ଵରେ ସ୍ଥାନିତ ପ୍ରସ୍ତରନିର୍ମିତ ଚକ୍ରମୂର୍ତ୍ତିକୁ ଦେଖିଲେ ମନେହୁଏ ଏକ ବିରାଟ ବିମାନ ଦ୍ରୁତଗତିରେ ଧାବମାନ ହେବା ପାଇଁ ପ୍ରସ୍ତୁତ ହୋଇ ରହିଛି । ମନ୍ଦିରର ଚତୁଃପାର୍ଶ୍ୱରେ ଅଙ୍କିତ ପଟ୍ଟଚିତ୍ରର ଅଙ୍କନଶୈଳୀ ଦର୍ଶକର ମନକୁ କରିଥାଏ ବିମୋହିତ ।
ଏହି ମହାର୍ଘ ମନ୍ଦିରର ନିମ୍ନଭାଗ ପ୍ରସ୍ତର ଏବଂ ଉପରିସ୍ଥ ସମ୍ପୂର୍ଣ୍ଣଭାଗ ଶାଳ ଓ ତାଳକାଠ ଦ୍ଵାରା ନିର୍ମିତ । ଅତୀବ ଆଶ୍ଚର୍ଯ୍ୟଜନକ ଶୈଳୀରେ ନିର୍ମିତ ଏହି ମନ୍ଦିରର ଛାତ ବିଶାଳ ତାମ୍ରପାତ୍ରରେ ଆଛାଦିତ ଥିଲା, ମାତ୍ର ପ୍ରଚଣ୍ଡ ରୌଦ୍ରତାପରେ ପକ୍ଷୀସମୂହର ମୃତ୍ୟୁକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ସମୟରେ ଏହାକୁ ସିମେଣ୍ଟର ପ୍ରଲେପରେ ଆଛାଦିତ କରାଯାଇଛି । ମନ୍ଦିରର ଚତୁଃପାର୍ଶ୍ଵରେ ଦୃଶ୍ୟମାନ ରାମଲୀଳା ଓ କୃଷ୍ଣଲୀଳାର ଅପୂର୍ବ କାଷ୍ଠଖୋଦିତ ଶିଳ୍ପଚାତୁରୀ ଦର୍ଶକ ମନକୁ କରିଥାଏ ମନ୍ତ୍ରମୁଗ୍ଧ ।
ରାମଙ୍କ ଜନ୍ମଠାରୁ ରାବଣବଧ ପର୍ଯ୍ୟନ୍ତ, କୃଷ୍ଣଙ୍କ ଜନ୍ମଠାରୁ କଂସବଧ ପର୍ଯ୍ୟନ୍ତ ଅପୂର୍ବ ଲୀଳାର କାହାଣୀ ଅତ୍ୟନ୍ତ ଜୀବନ୍ତଭାବରେ କାଷ୍ଠ ଖୋଦିତ ମନ୍ଦିରର ଶୋଭା ସମ୍ପଦକୁ ଚମତ୍କାରିତାରେ କରିଛି ପରିପୂର୍ଣ୍ଣ । ମୁଖ୍ୟ ମଣ୍ଡପର ମଧ୍ୟଭାଗରେ ଭିତର ପଟୁ ଉପରକୁ ଏକ ବିଶାଳ ସୂଚୀ, କାରୁକାର୍ଯ୍ୟ ଭରାହୋଇ ମନ୍ଦିରର ସୌନ୍ଦର୍ଯ୍ୟକୁ କରେ ଦ୍ଵିଗୁଣିତ । ମନ୍ଦିରର ଦକ୍ଷିଣ ପାର୍ଶ୍ୱରେ ଦଶଦିଗପାଳଙ୍କ କାଷ୍ଠମୂର୍ତ୍ତି, ନବଦିଗ, ଅଷ୍ଟଦିଗପାଳ, ଦଶାବତାର ମୂର୍ତ୍ତି ଆଦି ଦୃଶ୍ୟମାନ । ମନ୍ଦିରର ଚତୁଃପାର୍ଶ୍ୱରେ ସ୍ତମ୍ଭମାନଙ୍କରେ ଦେବଦେବୀମାନଙ୍କର ସୁନ୍ଦର କମନୀୟ ମୂର୍ତ୍ତିମାନ ଦୃଷ୍ଟିଗୋଚର ।
ଏହି ଅଦ୍ଵିତୀୟ କାରୁକାର୍ଯ୍ୟପୂର୍ଣ୍ଣ କାଷ୍ଠମନ୍ଦିରରେ କଳାମୁଗୁନି ପଥରନିର୍ମିତ ସୂର୍ଯ୍ୟଙ୍କ ଦଣ୍ଡାୟମାନ ମୂର୍ତ୍ତି ଅତୀବ ଚମତ୍କାରୀତାର କାରୁକଳାରେ ପରିପୂର୍ଣ୍ଣ । ଦଣ୍ଡପିଙ୍ଗଳ ମୂର୍ତ୍ତିର ଉପରିସ୍ଥ ଭାଗରେ ଦୁଇସ୍ତମ୍ଭ ଏବଂ ଏଗୁଡିକ ଉପରେ ବିରଞ୍ଚିନାରାୟଣଙ୍କ ହସ୍ତଦ୍ଵୟର ଉଭୟ ପାର୍ଶ୍ୱରେ ସଦ୍ୟପ୍ରସ୍ଫୁଟିତ ପଦ୍ମପୁଷ୍ପର ମୂର୍ତ୍ତି । ପ୍ରଭୁଙ୍କ ପାଦଦେଶରେ ସୂର୍ଯ୍ୟସାରଥୀ ଅରୁଣଙ୍କ ମୂର୍ତ୍ତି ଏବଂ ପଶୁପତି ଛାୟାଦେବୀଙ୍କ ମୂର୍ତ୍ତି କଳାକୌଶଳରେ ଅଦ୍ଭୁତ ଶୈଳୀରେ ନିର୍ମିତ ।
ଉକ୍ତ ଅନନ୍ୟ ବୁଗୁଡ଼ା ବିରଞ୍ଚିନାରାୟଣ ମନ୍ଦିର ବାଲିପଦର ନିବାସୀ ଖ୍ୟାତିସମ୍ପନ୍ନ ଶିଳ୍ପୀ ଯୋଗୀ ମହାରଣା ଏବଂ ତାଙ୍କର ବଂଶଧରମାନେ ନିର୍ମାଣ କରିଥିବାର ପ୍ରମାଣ ମିଳେ ।
ଏହି ଅନନ୍ୟ ମନ୍ଦିରଟି ସଦାସର୍ବଦା କରିଆସିଛି ସହରବାସିଙ୍କ ଜନମାନସକୁ ଆନ୍ଦୋଳିତ, ସ୍ପନ୍ଦିତ, ତା’ର ଉନ୍ନତ କଳାଶିଳ୍ପର ଉନ୍ନତି ପାଇଁ ଧ୍ୟାନ ଓ ବୃହତ୍ତର ଗବେଷଣା ନିମନ୍ତେ ପ୍ରେରଣା ପ୍ରଦାନ ସହିତ ।
ଜୟ ଗଞ୍ଜାମ । ବନ୍ଦେ ଉତ୍କଳ ଜନନୀ II
Spread the love
admin

View Comments

Recent Posts

ଓଡ଼ିଆ ସାହିତ୍ୟର ଇତିହାସ

~ ଓଡ଼ିଆ ସାହିତ୍ୟର ଇତିହାସ ~ ଉପସ୍ଥାପନା: ନିରଞ୍ଜନ ସାହୁ ସାହିତ୍ୟ ହେଉଛି ମୂଳତଃ ମଣିଷର। ଜୀବନର ବିବିଧ ପରିଧି…

21 hours ago

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି ଉପସ୍ଥାପନା: ଅନିଲ କୁମାର ପାଣିଗ୍ରାହୀ ଆବିର୍ଭାବ: ୧୧ ଅଗଷ୍ଟ ୧୯ଠ୬ ତିରୋଧାନ: ୬ ଏପ୍ରିଲ ୧୯୯୪…

23 hours ago

ଶ୍ରୀଚୈତନ୍ୟଙ୍କ ଦେହାବସାନ

~ ଶ୍ରୀଚୈତନ୍ୟଙ୍କ ଦେହାବସାନ: ବିଭିନ୍ନ ସୂତ୍ର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟନାୟକ ଷୋଡଶ ଶତାବ୍ଦୀରେ ଭାରତରେ ଯେଉଁ ଭକ୍ତିଧାରା…

1 day ago

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ

~ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ ~ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ…

1 week ago

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ ଉପସ୍ଥାପନା: ଶାନ୍ତନୁ କୁମାର ସାହୁ ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟ କେବଳ ଦେଶପ୍ରେମର କବିତାଗୁଛ କିମ୍ବା…

1 week ago

ସୀତାବିଞ୍ଜ

ସୀତାବିଞ୍ଜ ଉପସ୍ଥାପନା: ଘନଶ୍ୟାମ ପଲେଇ କେନ୍ଦୁଝର ଜିଲ୍ଲାର ଘନ ଅରଣ୍ୟର ବକ୍ଷରେ ଅବସ୍ଥିତ #ସୀତାବିଞ୍ଜ ଓଡ଼ିଶାର ଅନ୍ୟତମ ପ୍ରାଚୀନ ପ୍ରତ୍ନତାତ୍ତ୍ୱିକ କ୍ଷେତ୍ର।…

1 week ago