ଲେଖା: ନିରଞ୍ଜନ ସାହୁ
~ବାସୁଦେବ ସୁଢ଼ଳଦେବ ~
ଅନେକ ନୃପତି ଅଛନ୍ତି । କିଏ ଉତ୍ତରାଧିକାର ସୂତ୍ରରେ, କିଏ ବାହୁବଳରେ, କିଏ ଛଳକପଟରେ, ଆଉ କିଏ ବା ବିଧିପ୍ରେରିତ ! ବାମଣ୍ଡା ରାଜା ବ୍ରଜସୁନ୍ଦର ଦେଵ ଥିଲେ ଅପୁତ୍ରିକ। ତେଣୁ ଗ୍ରହଣ କରିନେଲେ ବାସୁଦେବଙ୍କୁ ପୋଷ୍ୟପୁତ୍ର ଭାବରେ ସାନଭାଇ ହରିହର ବଡ଼କୁଅଁରଙ୍କ ଠାରୁ । ଏହାହିଁ ଥିଲା ବାମଣ୍ଡା ପାଇଁ ବିଧି ପ୍ରେରିତ ! ଏମିତି ଅନ୍ୟ ଜଣେ ବୃନ୍ଦାବନ ଚନ୍ଦ୍ର ଦେବ ମଧ୍ୟ ଅଯଥାରେ କଳହ ସୃଷ୍ଟି କରି ବାମଣ୍ଡା ରାଜ୍ୟ ପାଇଁ ଦାବୀଦାର ହୋଇ ଯାଇଥିଲେ, ଯାହା ପ୍ରତ୍ୟାଖ୍ୟାତ ହୋଇଥିଲା ଇଂରେଜ ସରକାରଙ୍କ ଦ୍ଵାରା। ଦ୍ବିତୀୟତଃ ୧୮୬୮ ମସିହାରେ ୧୭ ବର୍ଷ ବୟସରେ ସିଂହାସନ ଆରୋହଣ କଲେ ବାସୁଦେବ, କିନ୍ତୁ ଇଂରେଜ ସରକାରଙ୍କୁ ଜଣାଇ ଦିଆଗଲା ଯେ, ବାସୁଦେବ ଠିକ୍ ୧୮ ବର୍ଷ ବୟସରେ ପଦାର୍ପଣ କରି ସାରିଛନ୍ତି ! ସବୁଠାରୁ ବଡ଼ କଥା ହେଲା ଯେମିତି ବାସୁଦେବଙ୍କ ସିଂହାସନ ଆରୋହଣ ଥିଲା ବାମଣ୍ଡା ଏବଂ ଉତ୍କଳ ପାଇଁ ବିଶ୍ଵନିୟନ୍ତାଙ୍କ ସର୍ବଶ୍ରେଷ୍ଠ ଆଶୀର୍ବାଦ । ଏ ପର୍ଯ୍ୟନ୍ତ କୌଣସି ରାଜନ୍ ନାହାନ୍ତି ଓଡ଼ିଶାରେ ଯିଏ କି ଏକାଧାରରେ ପ୍ରଜାନୁରଞ୍ଜକ, ‘ସୁ’ମଣିଷ, ସାରଲ୍ୟ ଓ ବିନୟର ପ୍ରତୀକ, ସଂସ୍କୃତି ସମ୍ପନ୍ନ, ପ୍ରାଚ୍ୟ ଓ ପାଶ୍ଚାତ୍ୟର ସମ୍ମିଶ୍ରଣରେ ନୂତନ ପରିଚୟର ସ୍ରଷ୍ଟା, କର୍ମପ୍ରିୟ, ସୀମିତ ଜୀବନ କାଳର କର୍ମବ୍ୟଞ୍ଜନାରେ ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରି, ପରବର୍ତ୍ତୀ ସାଧକ (ଶାସନ, ରାଜ୍ୟନିର୍ମାଣ, ମହତାକାଙକ୍ଷା, ସାହିତ୍ୟ, କୃଷି ଇତ୍ୟାଦି) ମାନଙ୍କୁ ଉପଯୁକ୍ତ ପଥପ୍ରଦର୍ଶନ କରିବା ଇତ୍ୟାଦି। ଜଣେ ନିରପେକ୍ଷ ସାରସ୍ଵତ ଦରବାରର ଅପରୂପ ବିନ୍ଧାଣୀ ରୂପେ ଆମର ରାଜନ୍ ବାସୁଦେବ ସୁଢ଼ଳଦେଵ ପ୍ରତିଭାତ ! ଏହାହିଁ ଥିଲା ବିଧିପ୍ରେରିତ ! ଆମର ଏହି ରାଜନ୍ ବାସୁଦେବ ସୁଢ଼ଳଦେବ (Sir Basudev Sudhala Deba) ଜନ୍ମ ହୋଇଥିଲେ ମେ ମାସ ଏଗାର ତାରିଖ ୧୮୫୧ ମସିହାରେ।
କବିବର ରାଧାନାଥ ସେଇଥି ପାଇଁ କହିଥିଲେ —
“ପାହିଲାଣି ଘୋର ତାମସୀ ଯାମିନୀ,
ଫୁଟିବ ଉତ୍କଳ ଭାଷା କମଳିନୀ ।
ଏ ଘୋର ଯାମିନୀ ଅବସାନ ଶଂସି,
କାବ୍ୟତାରା ରୂପେ ବୀର ଗଙ୍ଗବଂଶି ।
ଉଦିଲେ ପ୍ରଥମେ ବାମଣ୍ଡା ରାଜନ,
ବାସୁଦେବ ବିଶ୍ଵ କଲ୍ୟାଣ ଭାଜନ ।”
ଏହି ଛୋଟ ପଦଗୁଡ଼ିକ ତର୍ଜମା କଲେ ଜଣାଯିବ ବାସୁଦେବ ସୁଢ଼ଳଦେବଙ୍କ କର୍ମଜୀବନର କିଛି ମାତ୍ରାରେ ମୂଲ୍ୟାଙ୍କନ। କିନ୍ତୁ, ସଠିକ୍ ମୂଲ୍ୟାୟନ କରାଯାଇପାରିଲେ, ସେ ଯେ ସମଗ୍ର ଭାରତବର୍ଷରେ ଜଣେ ଆଦର୍ଶ ରାଜା, ଏହା ଦୃଢ଼ତାର ସହ ଆମେ ସଭିଏଁ କହିପାରୁ ।
ବାସୁଦେବଙ୍କ ଜନ୍ମ ସମୟକୁ ବାମଣ୍ଡା ଥିଲା ଅରଣ୍ୟବେଷ୍ଟିତ, ଅନ୍ଧକାରାଛନ୍ନ ଏକ ଗଡ଼ଜାତ । କିନ୍ତୁ ଏହି ଯୁଗପୁରୁଷଙ୍କ ଆବିର୍ଭାବ ଓ ସ୍ଵଳ୍ପ କାଳର ସମୟ ମଧ୍ୟରେ ବାମଣ୍ଡା ହୋଇଥିଲା ଭାରତର ବିଭିନ୍ନ ଗଡ଼ଜାତ ରାଜ୍ୟ ମାନଙ୍କ ମଧ୍ୟରେ ଏକ ଶ୍ରେଷ୍ଠ ସ୍ଥାନର ଅଧିକାରୀ । ତାଙ୍କ ଶାସନ କାଳରେ ବାମଣ୍ଡା ରାଜ୍ୟର ଯେଉଁ ଭୂୟୋବିକାଶ ହୋଇଥିଲା ତାହାର ବିଜ୍ଞାନ ଭିତ୍ତିକ ମୂଲ୍ୟାୟନ କଲେ ହୁଏତ ବହୁପୃଷ୍ଠା ସମ୍ବଳିତ ପୁସ୍ତକାଦି ହୋଇ ପାରିବ। ଖାଲି ବାମଣ୍ଡା କାହିଁକି, ସମଗ୍ର ଉତ୍କଳ ତଥା ଭାରତବର୍ଷରେ ସେ ହିଁ ପ୍ରକୃତପକ୍ଷେ ଜଣେ #ସମର୍ପିତ #ରାଜନ୍ । ଗୋଟିଏ ସୁଶାସନ ବ୍ୟବସ୍ଥାର ରାମରାଜ୍ୟ ପ୍ରତିଷ୍ଠା ହେଲା ବାସୁଦେବଙ୍କ ଦ୍ଵାରା । ଭଗବାନ ଶ୍ରୀକୃଷ୍ଣ ବାସୁଦେବଙ୍କ ଅଲୌକିକ ସ୍ପର୍ଶରେ ଯେପରି ମହିମାମଣ୍ଡିତ ହୋଇଥିଲା ଦ୍ଵାପର, ସେହିପରି ଏହି ରାଜାଙ୍କର ସ୍ପର୍ଶରେ ବାମଣ୍ଡା ତଥା ଓଡ଼ିଶାର ଅନେକ କ୍ଷେତ୍ରରେ ହୋଇଥିଲା ବ୍ୟାପକ ପରିବର୍ତ୍ତନ ! (ଓଡ଼ିଆ ସାହିତ୍ୟକୁ ଅବଦାନର କଳନା କରିବାକୁ ସ୍ଵତନ୍ତ୍ର ଉପସ୍ଥାପନା ଦରକାର ଅବଶ୍ୟ) ସେଇଥିପାଇଁ ବାସୁଦେବ ସୁଢ଼ଳଦେବଙ୍କ ଆବିର୍ଭାବ ନିଶ୍ଚିତ ଭାବେ ବିଧିପ୍ରେରିତ ! ସେହି ଦୃଷ୍ଟିରୁ ସେ ହିଁ ବାସୁଦେବ ଶ୍ରୀକୃଷ୍ଣ !
ବ୍ୟାପକ ଜ୍ଞାନରାଜ୍ୟର ଅଧିକାରୀ ସୁଢ଼ଳଦେବ ତାଙ୍କ ଶାସନକାଳରେ ନିଜର ବୁଦ୍ଧିମତା, ଦୂରଦୃଷ୍ଟି, ଅଭିଜ୍ଞତା, ପ୍ରଜାମାନଙ୍କ ସହଭାଗିତା ଭିତ୍ତିରେ ଗଢ଼ିଲେ ଏକ ଆଦର୍ଶ ରାଜ୍ୟ ପ୍ରତି କ୍ଷେତ୍ରରେ !
ପ୍ରଥମ ଥର ପାଇଁ ବାମଣ୍ଡା ରାଜ୍ୟରେ ଆରମ୍ଭ ହେଲା ତହସିଲ । ବାରକୋଟ, କୁଚିଣ୍ଡା ଓ ଦେବଗଡ଼, ଏମିତି ତିନୋଟି ତହସିଲ ପ୍ରତିଷ୍ଠା କରି ଶାସନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଥିଲା ପ୍ରଜାମାନଙ୍କ ପାଇଁ ହିତକର । ସେହି ତହସିଲଦାର ମାନଙ୍କୁ ଦିଆଗଲା ଦେଓ୍ଵାନୀ, ଫୌଜଦାରୀ ମକଦ୍ଦମାର ବିଚାର ଅଧିକାର । ଅଯଥାରେ ରାଜଦରବାରକୁ ଆସିବା ଦରକାର ହେଲା ନାହିଁ ପ୍ରଜାମାନଙ୍କର । ଦରବାର ପରିବର୍ତ୍ତେ କାଉନସିଲର ଶବ୍ଦ ବ୍ୟବହାର କରି ନିଜ ଦରବାରରେ ନ’ଜଣ କାଉନସିଲର ସଭ୍ୟ ରହିଲେ ଓ ସେମାନେ ପ୍ରଶାସନିକ କ୍ଷେତ୍ରରେ ପରାମର୍ଶ ଦେଉଥିଲେ ରାଜାଙ୍କୁ । ସିଂହାସନ ଆରୋହଣର ପରବର୍ଷ ଆରମ୍ଭ ହେଲା ବନ୍ଦୋବସ୍ତ କାର୍ଯ୍ୟ (Land Settlement )। ରାଜସ୍ବ ଓ ଜଙ୍ଗଲ ବିଭାଗ ସୃଷ୍ଟି ହେଲା । ଏହା ଥିଲା ତାଙ୍କର ସ୍ଵୟଂ ଉଦ୍ଭାବିତ ଶାସନପ୍ରଣାଳୀ । ଇଂରେଜ ସରକାର ସନ୍ତୋଷ ବ୍ୟକ୍ତ କରି ଲେଖିଲେ: “The Raja of Bamra, in this as in all branches of administration prefers his own independent method of working and in view of the generally excellent results which he produces, there is certainly no occasion to subject those methods to any disparaging criticism.”
ପ୍ରଜା ଲାଗି ସିନା ରାଜା ! ପ୍ରଜାହିତରେ ତ ଦେଶ ! ଏକଥା ବୁଝିଥିଲେ ବାସୁଦେବ । ତେଣୁ ଦୁଇଟି ଚିକିତ୍ସାଳୟ ପ୍ରତିଷ୍ଠା ହୋଇଥିଲା । ଗୋଟିଏ ଦେବଗଡ଼ ଓ ଅନ୍ୟଟି କୁଚିଣ୍ଡା । ଏହି ମେଡିକାଲରେ ଅଭିଜ୍ଞ ଡାକ୍ତରମାନଙ୍କ ପରାମର୍ଶ ଓ ମାଗଣା ଔଷଧ ବିତରଣ ହେଉଥିବା ଜଣାଯାଏ ସମ୍ବଲପୁର ହିତୈଷିଣୀ ପତ୍ରିକାରୁ । ଏହା ଥିଲା ୧୮୯୧ ମସିହାର କଥା । ତା ଛଡ଼ା ଗୋ କିତ୍ସା ଓ ପଶୁ ଚିକିତ୍ସାଳୟ ପ୍ରତିଷ୍ଠା କରିଥିଲେ ରାଜାସାହେବ । ରାଧାନାଥ ରାୟ ଲେଖିଛନ୍ତି: “ବାମଣ୍ଡାର ଚିକିତ୍ସାଳୟର ବନ୍ଦୋବସ୍ତ ଅତି ସୁନ୍ଦର । ଔଷଧ, ପଥ୍ୟଦ୍ରବ୍ୟ ଏବଂ ଯନ୍ତ୍ରାଦିର ଅଭାବ ନାହିଁ । ମଫସଲରେ ଲୋକମାନଙ୍କୁ ବସନ୍ତ ରୋଗରୁ ରକ୍ଷା କରିବା ନିମନ୍ତେ ଟିକାଦାରମାନେ ଗ୍ରାମେ ଗ୍ରାମେ ଭ୍ରମଣ କରୁଛନ୍ତି । ଚିକିତ୍ସାଳୟରେ ରେଜିଷ୍ଟରୀ ଦୃଷ୍ଟିରେ ଜଣାଗଲା ଯେ, ଏଠାରେ ଡାକ୍ତରମାନେ ନିତାନ୍ତ ରାଜ ମୋସାହେବ ନୁହଁନ୍ତି; ବାସ୍ତବିକ ଏମାନଙ୍କୁ ମୁଣ୍ଡ ତତାଇ ହାଣ୍ଡି ତତାଇବାକୁ ହୁଏ ।”
ଅରଣ୍ୟ ସମ୍ବଳ ବାମଣ୍ଡାର ଶ୍ରେଷ୍ଠ ସମ୍ବଳ । ରାଜ୍ୟର ଅର୍ଥନୈତିକ ଉନ୍ନତି ସୁଧାର ଆଣିବା ପାଇଁ ବିଲାତରୁ କରତକଳ ଆଣି ରେଲୱେ କମ୍ପାନୀକୁ ସ୍ଲିପର ଯୋଗାଇ ରାଜ୍ୟ ପାଇଁ ପ୍ରଚୁର ଆୟ କରିଥିଲେ ଓ ବାମଣ୍ଡାର ଉନ୍ନତି କଳ୍ପେ ଖର୍ଚ୍ଚ କରୁଥିଲେ । ଏହି ଅର୍ଥ କୃଷି, ଜଳସେଚନ ପାଇଁ ଖର୍ଚ୍ଚ ହେଉଥିଲା । ଏମିତିକି ରାଜ୍ୟର ଆୟ ୧୮୬୮ ବେଳକୁ ଥିଲା ମାତ୍ର ୬୦୦୦ ଟଙ୍କା, ଯାହା ୧୯୦୨ ବେଳକୁ ପହଞ୍ଚିଥିଲା ୧,୭୨,୩୧୦ ଟଙ୍କାରେ ।
ବାରକୋଟ ଠାରୁ ବ୍ରାହ୍ମଣୀ ନଦୀ ଜଳପଥକୁ ସୁନାବ୍ୟା କରାଯାଇ ବିଭିନ୍ନ ଜଳପଥରେ କଟକ ସହ ଯୋଗାଯୋଗ କରି ବାମଣ୍ଡାର କୃଷିଜାତ ସାମଗ୍ରୀ ବିକ୍ରୟ ବ୍ୟବସ୍ଥା କରି କୃଷକଙ୍କ ଅର୍ଥନୈତିକ ଉନ୍ନତିରେ ଘୋର ପରିବର୍ତ୍ତନ ଆଣିଲେ । ଏମିତି ମଧ୍ୟ କଲିକତାରେ ଗୋଟିଏ କାଠ ବିକ୍ରୟ କେନ୍ଦ୍ର ଖୋଲାଯାଇ ଶାଳକାଠ ରପ୍ତାନି ହୋଇଥିଲା । ଏହା ଦ୍ବାରା ରାଜସ୍ଵ ବୃଦ୍ଧି ଓ ଅର୍ଥନୈତିକ ଅଭିବୃଦ୍ଧି ଦୀର୍ଘଦିନ ପରେ ସମ୍ଭବ ହେଲା ।
ବେଙ୍ଗଲ ନାଗପୁର ରେଳପଥ ନିର୍ମାଣ ପାଇଁ ବିନା ମୂଲ୍ୟରେ ଅଠର ମାଇଲ ଦୀର୍ଘ ଜମି ଦାନ କରିବାକୁ ସମ୍ମତି ଦେଲେ ଓ ସର୍ତ୍ତ ଥିଲା କି, ବାମରା ଷ୍ଟେସନ ବାମଣ୍ଡା ରାଜ୍ୟରେ ପ୍ରତିଷ୍ଠା ହେବ ଓ ଏହି ରାଜ୍ୟ ମଧ୍ୟରେ ରେଳ ଚଳାଚଳ ଆରମ୍ଭ ହେବ । ଏହା ଥିଲା ପ୍ରଥମ ରେଳପଥ ନିର୍ମାଣ ଏହି ଅନୁନ୍ନତ ଅଞ୍ଚଳରେ । ତା ସହିତ ବାମରା ଷ୍ଟେସନ ଠାରୁ ଦେବଗଡ଼ ପର୍ଯ୍ୟନ୍ତ ପାହାଡ଼ କାଟି ରାସ୍ତା ନିର୍ମାଣ ହେଲା ଓ ପ୍ରଥମ ମଟର ଗାଡି଼ ଦେବଗଡ଼ ଓ ବାମରା ମଧ୍ୟରେ । ନିଜେ ବାସୁଦେବ ଏହି କାର୍ଯ୍ୟର ତଦାରଖ କରୁଥିଲେ, ପାହାଡ଼ ଘେରା ଅଞ୍ଚଳରେ ଅସ୍ଥାୟୀ କ୍ୟାମ୍ପ କରି । କେତେ ସମର୍ପିତ ହୋଇ ପାରନ୍ତି ଜଣେ ରାଜା, କେବଳ ପ୍ରଜାହିତରେ !
ତାଙ୍କର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆରମ୍ଭ ହେଲା ଡାକସେବା ଓ ଟେଲିଫୋନ ସେବା ୧୮୯୫ ମସିହାରେ । ପ୍ରଜାମାନେ ଅଧିକ ଖର୍ଚ୍ଚାନ୍ତ ହେଉଥିବାରୁ ଏହାକୁ ଇଂରେଜ ସରକାରଙ୍କୁ ହସ୍ତାନ୍ତର କଲେ ରାଜା ଓ ସର୍ତ୍ତ ରହିଲା ଉପଯୁକ୍ତ ଡାକସେବା ଓ ଟେଲିଫୋନ ସେବା। ଏହା ଥିଲା ଭାରତର ଦୀର୍ଘତମ ଟେଲିଫୋନ ସଂଯୋଗ ସେ ସମୟରେ, ଯାହା Statesman ସମ୍ବାଦପତ୍ର ମତ ଦିଅନ୍ତି ।
ବାସୁଦେବ ସୁଢ଼ଳଦେବ ଥିଲେ ଜଣେ ବ୍ୟତିକ୍ରମ ରାଜା । ଗଡ଼ଜାତ ରାଜ୍ୟମାନଙ୍କର ରାଜାମାନେ ଚାହୁଁ ନ ଥିଲେ ପ୍ରଜାହିତରେ ସ୍କୁଲ, ବିଦ୍ୟାଳୟ ସ୍ଥାପନ । ପ୍ରଜାମାନେ ଶିକ୍ଷିତ ହେଲେ ରାଜାଙ୍କ ପାଇଁ କାଳ ହେବେ ! କିନ୍ତୁ, ଆମର ଏହି ପରମ ହିତୈଷୀ ରାଜା ଆରମ୍ଭ କଲେ ବାଧ୍ୟତାମୂଳକ ପ୍ରାଥମିକ ଶିକ୍ଷା । ୧୮୭୦ ପର୍ଯ୍ୟନ୍ତ ବାମଣ୍ଡାରେ ପ୍ରଚଳିତ ଥିଲା ତାଳପତ୍ର ଓ ଲେଖନୀ। ପରିବର୍ତ୍ତନ ଆଣିଲେ ସୁଢ଼ଳଦେବ । ୧୮୭୨ ମସିହାରେ ଏକ ନୂତନ ଧରଣର ବିଦ୍ୟାଳୟ ଖୋଲିବାକୁ ନିଷ୍ପତି ନେଲେ। ୧୮୯୪ ବେଳକୁ ବାମଣ୍ଡାର ବିଦ୍ୟାଳୟ ସଂଖ୍ୟା ବୃଦ୍ଧି ହୋଇ ୧୩ ଗୋଟି ବିଦ୍ୟାଳୟ ସ୍ଥାପନ ହୋଇ ସାରିଥିଲା । ମଧ୍ୟପ୍ରଦେଶର ଇନ୍ଦୋର ରାଜକୀୟ ବିଦ୍ୟାଳୟ ଢାଞ୍ଚାରେ ତିଆରି ହେଲା ୧୮୮୨ରେ ଦେବଗଡ଼ ଠାରେ #ରାଜକୁମାର #ହାଇସ୍କୁଲ୍ ଯେଉଁଥିରେ ରାଜବଂଶୀୟ ଛାତ୍ରମାନଙ୍କ ସହ ଜନସାଧାରଣଙ୍କ ପିଲାଏ ମଧ୍ୟ ଶିକ୍ଷା ନେଉଥିଲେ । ଏହା ଥିଲା ଏକ ମହନୀୟ ଉଦ୍ୟମ ଓ ସାହସିକ ପଦକ୍ଷେପ, ଯାହା ଭାରତର ଅନ୍ୟ ରାଜାଙ୍କ ଆଖି ଖୋଲି ଦେଇଥିଲା ।
ଈଶ୍ଵରଚନ୍ଦ୍ର ବିଦ୍ୟାସାଗରଙ୍କ ସହ ଥିଲା ସୁସମ୍ପର୍କ । ସୁଢ଼ଳଦେବଙ୍କ ଅନୁରୋଧ କ୍ରମେ ଈଶ୍ଵରଚନ୍ଦ୍ର ଐତିହାସିକ ବିଜୟଚନ୍ଦ୍ର ମଜୁମଦାରଙ୍କୁ ପଠାଇଥିଲେ ଦେବଗଡ଼, ହାଇସ୍କୁଲରେ ପ୍ରଧାନ ଶିକ୍ଷକ ଭାବେ ଯୋଗ ଦେବା ପାଇଁ। ଶିକ୍ଷା ବିକାଶ ପାଇଁ ସମର୍ପିତ ବାସୁଦେବ ସୁଢ଼ଳଦେବ । ଓଡ଼ିଆ ଭାଷାର ବିକାଶରେ ଓଡ଼ିଶାର ବିକାଶ । ଏକଥା ବୁଝିଥିଲେ ବାସୁଦେବ । ତେଣୁ ଭର୍ଣ୍ଣାକୁଲାର ସହ ଇଂରାଜୀ ଶିକ୍ଷା ଥିଲା ବାଧ୍ୟତାମୂଳକ । ଶିକ୍ଷା ବିଭାଗର ଦାୟିତ୍ବ ନିଜେ ବାସୁଦେବ ନେଇଥିଲେ । ପ୍ରାଥମିକ ଶିକ୍ଷା ଥିଲା ଅବୈତନିକ । ଛାତ୍ର ବିଦ୍ୟାଳୟକୁ ନ ଆସିଲେ ଦଣ୍ଡ ଦିଆଯାଉଥିଲା ତାଙ୍କ ଅଭିଭାବକମାନଙ୍କୁ । ତେଣୁ ଉପସ୍ଥାନ ହ୍ରାସ ପାଇବାର ପ୍ରଶ୍ନ ଉଠିବ କୁଆଡୁ଼ ? ଶିକ୍ଷାର ଉତ୍କର୍ଷତା ଉପରେ ଇଂରେଜ ସରକାରଙ୍କ ମତ: “The headquarter schools at Deogarh which provide a higher education both in Vernacular & English and are presided over by highly qualified masters , having long since established a reputation which appears to have fully sustained in the year under report.” (ADM Report –1895)
ସବୁଠାରୁ ଉଲ୍ଲେଖନୀୟ ଯେ, ଏହି ବିଦ୍ୟାଳୟରେ ଶିକ୍ଷକତା କରୁଥାନ୍ତି ଓଡ଼ିଶାର ପୂଜ୍ୟ ମନିଷୀଗଣ – ସଚ୍ଚିଦାନନ୍ଦ ତ୍ରିଭୁବନ ଦେବ, ଜଳନ୍ଧର ଦେବ, ନୀଳମଣି ବିଦ୍ୟାରତ୍ନ, ଜଗନ୍ନାଥ ପଟ୍ଟନାୟକ, ଭାଗିରଥି ରଥ, ସୁଦର୍ଶନ ମିଶ୍ର, ନ୍ୟାୟରତ୍ନ ଆଦି !
ରାଧାନାଥ ରାୟଙ୍କ ଭାଷାରେ, ବାସୁଦେବ ସୁଢ଼ଳଦେବ ଚାଷୀ ମାନଙ୍କ ମଧ୍ୟରେ #ମହାଚାଷୀ ! ବାମଣ୍ଡାର ଜଳସେଚନ ପ୍ରକଳ୍ପ ଥିଲା ତାଙ୍କର ନିଜସ୍ୱ ଚିନ୍ତାଧାରା, ଯାହା ଫଳରେ ସୃଷ୍ଟି ହେଲା କଳାଜିରା, ମତୁଆଳୀ ଆନିକଟ । କୃଷି କ୍ଷେତ୍ରରେ ବାମଣ୍ଡା ରାଜ୍ୟ ହୋଇଥିଲା ପ୍ରୟୋଗଶାଳା । ସୁଦୂର ବିଜୟଵାଡ଼ା ଅଞ୍ଚଳରୁ ଆମ୍ବଚାରା ଆଣି ଲଗାଇଲେ ବିଭିନ୍ନ ସ୍ଥାନରେ । ନାଗପୁରର କମଳା ଚାଷ ପ୍ରତି ଆକୃଷ୍ଟ ହୋଇ ଆରମ୍ଭ ହେଲା କମଳା ଚାଷ ଓ ଲିଚୁ ବଗିଚା । ଏବେ ଯେଉଁ ଆମ୍ବ, କମଳା, ଲିଚୁ ଆମେମାନେ ଦେଖିବାକୁ ପାଉଛନ୍ତି ତାହା ରାଜାସାହେବଙ୍କ ଦ୍ଵାରା ଆରମ୍ଭ କରାଯାଇଥିଲା । ଏମିତିରେ ପ୍ରଥମ ବିଲାତି ଆଳୁର ଚାଷ ୧୮୯୬ ମସିହାରେ କରି ପ୍ରଜାମାନଙ୍କ ପ୍ରଶଂସାର ଉର୍ଦ୍ଧ୍ବରେ ପହଞ୍ଚି ଯାଇଥିଲେ ।
ସଂସ୍କାରଧର୍ମୀ ବାସୁଦେବ ସୁଢ଼ଳଦେବ:
ନିଜର ଦୂରଦୃଷ୍ଟି ବଳରେ ସଂସ୍କାର —
* ଗଞ୍ଜା ବା ଅଫିମ ଇତ୍ୟାଦି ନିଷିଦ୍ଧ
* ବୃଦ୍ଧବିବାହ ବନ୍ଦ
* ଜାତିଭେଦ ଉତ୍ପାଟନ
* ବିଧବା ବିବାହ ଆରମ୍ଭ
* ସୁଶୃଂଖଳ କାରାପଦ୍ଧତି
* ଅଫିମଖୋର ଲୋକମାନଙ୍କୁ ଦଣ୍ଡ
* ବାଲ୍ୟବିବାହ ଉଚ୍ଛେଦ
* ଅନ୍ୟ ରାଜ୍ୟକୁ କୁଲି ଚାଲାଣ ଉପରେ ନିଷେଧାଦେଶ
* ସର୍ବଧର୍ମ ସମନ୍ୱୟ ପାଇଁ ମସଜିଦ ମଦ୍ରାସା ନିର୍ମାଣ
* କାରାଗାରର ବନ୍ଦୀମାନଙ୍କ ପାଇଁ ସ୍ବତନ୍ତ୍ର ବୈଷୟିକ ଶିକ୍ଷା
ବେଶୀ ପାଠ ପଢ଼ି ନାହାନ୍ତି ବାସୁଦେବ ସୁଢ଼ଳଦେବ । କିନ୍ତୁ ବିଦ୍ଵାନ, ପଣ୍ଡିତ, ସାହିତ୍ୟର ପୁରୋଧା। ବାମଣ୍ଡାର ଦରବାର ଥିଲା ଅଦ୍ଭୁତ। ସାରସ୍ବତ ସାଧନାରେ ବ୍ୟସ୍ତ ଥିଲେ ସଭାସଦ୍ ବୃନ୍ଦ । ସେହି ଦରବାରରେ ଥିଲେ ଓଡ଼ିଆ ସାହିତ୍ୟର ଚିରନମସ୍ୟ ସାହିତ୍ୟିକ ବୃନ୍ଦ । ନବରତ୍ନ ! ଭୁବନେଶ୍ୱର ବଡ଼ପଣ୍ଡା, ମଧୁସୂଦନ ମିଶ୍ର ତର୍କବାଚସ୍ପତି, କାଳୀଚରଣ ଦ୍ଵିବେଦୀ, ଭାଗିରଥି ରଥ, ସୁଦର୍ଶନ ମିଶ୍ର ନ୍ୟାୟରତ୍ନ, ଚିନ୍ତାମଣି ମିଶ୍ରଶର୍ମା, ବ୍ରଜବନ୍ଧୁ ମିଶ୍ର, ରତ୍ନାକର ଶର୍ମା, ନୀଳମଣି ବିଦ୍ୟାରତ୍ନ । ଏହା ବ୍ୟତୀତ ରାଜକୁମାର ସଚ୍ଚିଦାନନ୍ଦ, ବିସ୍ମୟ ପ୍ରତିଭା ଜଳନ୍ଧର ଦେବ ଓ ଦାମୋଦର ମିଶ୍ରଙ୍କ ଯୋଗଦାନ ରହୁଥିଲା ପ୍ରତି ସାହିତ୍ୟ ସଭାରେ । ନିଜେ ବାସୁଦେବ ସୁଢ଼ଳଦେବ ଅଧ୍ୟକ୍ଷତା କରନ୍ତି ବୈଠକମାନଙ୍କରେ । ସିଏ ଗୁଣୀପୁରୁଷ, ତେଣୁ ଗୁଣ ଚିହ୍ନିଥିଲେ । ନିଜେ ଥିଲେ ଜଣେ ସୁସାହିତ୍ୟିକ । ତାଙ୍କର ଲେଖନୀରୁ ଜନ୍ମ ନେଇଥିଲା ଅଳଙ୍କାର ଶାସ୍ତ୍ର #ଅଳଙ୍କାର #ବୋଧୋଦୟ, ଯାହା ଓଡ଼ିଆ ସାହିତ୍ୟର ଚିର ଅମୂଲ୍ୟ ସମ୍ପଦ। ଚିତ୍ରୋତ୍ପଳାର କବି ଭାବରେ ସୁନାମ ଅର୍ଜନ କରିଛନ୍ତି ସେ। ଏହା ବ୍ୟତୀତ କିସ୍କିନ୍ଧ୍ୟା, ବୀରବାମା, ଜହ୍ନମାମୁଁ, ସଂସ୍କୃତ ଭାଷାରେ ମଣିରତ୍ନମାଳା, ମୁକ୍ତିକୋପନିଷଦ୍ ତାଙ୍କର ଅମର ଲେଖନୀ ପ୍ରସୂତ । #ସମ୍ବଲପୁର ହିତୈଷିଣୀ ପତ୍ରିକା ତାଙ୍କ ସାଧନାର ଶ୍ରେଷ୍ଠ ସମ୍ବଳ ବୋଲି କୁହାଯାଏ ।
ବାମଣ୍ଡାର ଦରବାରରେ ଆଲୋଚନା ସଭା ସେ ସମୟରେ ସବୁ ବିଦ୍ଵାନମାନଙ୍କର ନମସ୍ୟ ଥିଲା । ଏହି ଦରବାରରେ ରାଧାନାଥ ରାୟ, ବ୍ୟାସକବି ଫକୀରମୋହନ, ମଧୁସୂଦନ ରାଓ ସମ୍ମାନିତ ହୋଇଛନ୍ତି ବାସୁଦେବ ଓ ତଦୀୟ ପୁତ୍ର ସଚ୍ଚିଦାନନ୍ଦ ତ୍ରିଭୁବନ ଦେବଙ୍କ ଦ୍ଵାରା ।
ରାଜା ବାସୁଦେବ ସୁଢ଼ଳଦେବ ଇଂରେଜ ସରକାରଙ୍କ ଦ୍ଵାରା ସାର୍ ଉପାଧି ଓ କେ.ସି.ଆଇ.ଇ (KCIE) ଉପାଧି ଲାଭ କରିଥିଲେ। ସେ ଥିଲେ ସମଗ୍ର ଓଡ଼ିଆ ଜାତିର ଗର୍ବ ଓ ଗୌରବ। ସେଇଥିପାଇଁ କୁଳବୃଦ୍ଧ ମଧୁସୂଦନ ତାଙ୍କୁ ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନରେ ସଭାପତି ଭାବେ ନିମନ୍ତ୍ରଣ କରି ଏହି ମହାନ ରାଜନ୍’ଙ୍କୁ ସମ୍ବର୍ଦ୍ଧିତ କରିବାକୁ ଯୋଜନା କରିଥିଲେ, କିନ୍ତୁ ତାହା ଓଡ଼ିଆଙ୍କ ସ୍ବପ୍ନରେ ରହିଗଲା ସବୁଦିନ ପାଇଁ । ଅଧିବେଶନର କିଛି ଦିନ ପୂର୍ବରୁ ବାସୁଦେବଙ୍କୁ ନେଇ ଯାଇଥିଲେ ଈଶ୍ଵର !
“ହେ ସୁଢଳ ମହାରାଜା କରେଁ ନମସ୍କାର
ହିତୈଷିଣୀ ତୁମ୍ଭ ଯଶ କରୁଛି ପ୍ରଚାର ।
ମୁଗଲବନ୍ଦି ଛତିଶଗଡ଼ ବହୁତ ଅନ୍ତର
ଦୁହିଁଙ୍କୁ ମିଳାଇ ଦେଇଅଛ ପରସ୍ପର ।
ବାମଡ଼ା ରାଜ୍ୟରେ କରୁଅଛ ରାଜପଣ
ମାତ୍ର ଜ୍ଞାନ ରାଜ୍ୟେ ଅଟ ନୃପତି ଆପଣ ।”
“ଦିବ୍ୟ ଅବଧାନେ ଆସୁ ଏ ଗୀତ ତୁମ୍ଭର
ହେ ରାଜେନ୍ଦ୍ର, ମନ୍ଦ୍ରନାଦି ପ୍ରପାତର ପତି
ବାମଣ୍ଡା ମଣ୍ଡଳେଶ୍ଵର, ଉତ୍କଳ ମଣ୍ଡନ;
ତୁମ୍ଭ ଶୁଭ ଆବିର୍ଭାବେ ହୋଇଛି ଉତ୍କଳ
ଦେବଦୁର୍ଗ, ଦେବ, ଏବେ ତୀର୍ଥ ସାରସ୍ଵତ।”
ହେ ରାଜନ୍ ବାସୁଦେବ ସୁଢ଼ଳଦେବ ! ଆପଣଙ୍କ ଆବିର୍ଭାବରେ ଧନ୍ୟ ହୋଇଥିଲା ଉତ୍କଳଖଣ୍ଡ, ଆଉ ଆବର୍ତ୍ତମାନରେ ତାହାର ଦକ୍ଷହସ୍ତ ହେଲା ବିଖଣ୍ଡିତ । କୋଟି କୋଟି ଓଡିଆଙ୍କ ଦଣ୍ଡବତ ପ୍ରଣାମ ।
ଆଧାର: ରାଧାନାଥ ଗ୍ରନ୍ଥାବଳୀ, ଉତ୍କଳ ଭ୍ରମଣଂ, ଡ. ଫଣୀନ୍ଦ୍ର ଭୂଷଣ ନନ୍ଦଙ୍କ ସଂପାଦନରେ ବାସୁଦେବ ଗ୍ରନ୍ଥାବଳୀ;
ଫଟୋ ସୌଜନ୍ୟ: ଅଜୟ କୁମାର ଦେହୁରୀ, ଦେବଗଡ଼
ଭାରତବର୍ଷର ଆଦର୍ଶ ରାଜା ସୁଢ଼ଳଦେବଙ୍କ ପାଇଁ ଓଡ଼ିଶା ଗର୍ବିତ