ଲେଖା: ଶିଶିର ସାହୁ ମନୋଜ

ଓଡ଼ିଆ ଭାଷାରେ “ବାରମାସୀ” ନାମରେ ଏକ ଜାତୀୟ ଗୀତର ପ୍ରଚଳନ ଥିଲା । ବାରମାସୀ ଗୀତ ଭାଵ, ସ୍ଥିତି, ଵ୍ଯକ୍ତି ଓ ଵିଷୟ ଆଧାରରେ ଵିଭିନ୍ନ ପ୍ରକାରର ହୋଇଥାଏ ।

ଵର୍ଷରେ ଵା ଵର୍ଷକର ପ୍ରତ୍ଯେକ ମାସରେ ଵିରହିଣୀର ଵିରହ ଅନୁଭୂତିଜ୍ଞାପ କଵିତା, ଵର୍ଷର ପ୍ରତିମାସର ଵର୍ଣ୍ଣନା ଉଲ୍ଲେଖ କରି ଦେଵତାଙ୍କ ଉଦ୍ଦେଶ୍ଯରେ ରଚିତ ଗୀତ, ଵର୍ଷର ପ୍ରତ୍ଯେକ ମାସର ପ୍ରକୃତି ଵର୍ଣ୍ଣନାତ୍ମ ପଦ୍ୟ ଇତ୍ୟାଦିକୁ ସାଧାରଣତଃ ବାରମାସୀ ଗୀତ କୁହାଯାଉଥିଲା ।

ବାରମାସ ଯାକର କଥା ଏଭଳି ଗୀତରେ ରହୁଥିଲା ଏଵଂ ବାରମାସୀ ଗୀତାରମ୍ଭ ସବୁଵେଳେ ମାର୍ଗଶୀରରୁ କରାଯାଉଥିଲା  ।  ଅତିପ୍ରାଚୀନ କାଳରେ ଭାରତରେ ମାର୍ଗଶୀର ମାସରୁ ଵର୍ଷାରମ୍ଭ ଗଣନା କରାଯାଉଥିଲା ଏଇକଥାକୁ ମନେ ରଖିଵା ପାଇଁ ମାର୍ଗଶୀର ମାସରୁ ବାରମାସୀ ଗୀତଟି ଆରମ୍ଭ ହୋଇଥାଏ । ଅଧିକାଂଶତଃ ବାରମାସୀ ଗୀତଗୁଡି଼କ ଵିରହୀଗୀତ। ପ୍ରେମୀ, ପତି, ପୁତ୍ର ଇତ୍ୟାଦିଙ୍କର ଵିରହରେ ପ୍ରେମିକା, ପତ୍ନୀ ଓ ମାତାଙ୍କ ମନର ଭାଵନା ଯେଉଁ ଗୀତ ମଧ୍ୟରେ ବାରମାସର ଉଲ୍ଲେଖ ପୂର୍ଵକ ପ୍ରକାଶ ପାଉଥିଲା ତାକୁ ବାରମାସୀ ଗୀତ କୁହାଯାଉଥିଲା । 

ନିମ୍ନରେ କେତେକ ବାରମାସୀ ଗୀତର ଉଦାହରଣ ଦିଆଗଲା . .

୧. ମାତୃ ଵିଳାପ:
ପୁତ୍ର ଵିୟୋଗରେ ମାତା କୌଶଲ୍ଯାଙ୍କର ଵିଳାପ କରୁଛନ୍ତି !

ଏ ଯେ ମଗୁଶୀର ମାସ,
କାକର ପଡେ଼ ଵିଶେଷ
ଶୀତଳ ପଵନ ବହେ ଘନ ଘନ
ମୋ ପୁତ୍ର କରିଵ କିସ
କୋଇଲି ଶୁଣ ଲୋ ।।

ବଇଶାଖ ଖରା ଚାହିଁ,
ବାହାରକୁ ନୋହେ ଯାଇ
କେଉଁ ଵୃକ୍ଷମୂଳେ ଜୀଵନ ଵିକଳେ
ଥିଵ ମୋର ପୁତ୍ର ରହି
କୋଇଲି ଶୁଣ ଲୋ ।।

ଦେଖ ଧାରା ଶିରାବଣ,
ଜଳ ପଡେ଼ ଅନୁକ୍ଷଣ
ଘର ଘାଟ ନାହିଁ ମୋ ଦୁଃଖୀ ସଙ୍ଖାଳି
କି ରୂପେ କାଟିଵ ଦିନ
କୋଇଲି ଶୁଣ ଲୋ ।।

ମାଘରେ ତହୁଁ ଅଧିକ,
ଗରିଵ ଦୁଃଖଦାୟକ
ଅମୂଲ୍ୟ ସୁପାତି ତେଜି ରଘୁପତି
ବୁଲଇ କାନନଯାକ
କୋଇଲି ଶୁଣ ଲୋ ।।

୨. ସ୍ତ୍ରୀ ଵିଳାପ:
ଚଇତ୍ରେ ଫୁଟଇ ମଲ୍ଲି
କହି ଯାଇଥିଲେ ଆସିଵେ
ବୋଲି ହେ ମଧୁଵନ !
ବାଟ ଚାହିଁ ଚାହିଁ ମଲି ।।

୩. ପ୍ରେମ ପ୍ରସଙ୍ଗ:
ଆଶିଣ ମାସରେ କୁଆଁରୀ ଜହ୍ନ
ଯୁଗ ଖେଳିଵାକୁ ହେଉଛି ମନ
ଅଷ୍ଟସଖି ଆମେ ଗାଧେଇ ଯିଵା
ବରଣମାଳାରେ ବରି ଆଣିଵା
କ୍ଷମା କରୁଣାନିଧି
ତେଜିଗଲେ କୃଷ୍ଣ ନସ୍ଫୁରେ ବୁଦ୍ଧି ।।

ସ୍ତ୍ରୀ: କାର୍ତ୍ତିକେ ଦିପାଳୀ ଜାଳି ଦେଖୁଥିଵି ମୁଖ
ନାହିଁ ପ୍ରୀତି ସୁଖୁଁ ବଳି ଆଉ କିଛି ସୁଖ ହେ !
ତୁମ ଵିନା ଝୁରି ଝୁରି ମରିଯିବି ସିନା  ।।

ପୁ: କାର୍ତ୍ତିକ ଧରମ ମାସ ଶୁଭେ ସଂକୀର୍ତ୍ତନ
କୁଳପୁତ୍ର ଲାଗି କରିବି ରମଣ
ଗୋ ପ୍ରେମମୟୀ !
ଜୟ କରେ ମନ ତୋର ଛଇ ।।

୪. ଖାଦ୍ୟ ବାରମାସୀ:
ମାଗୁଶୀରେ ନୂଆ ଭାତ ଚୁଙ୍ଗୁଡି଼ମାଛ ରସ
ଆଶିଣରେ ଘିଅପିଠା କାର୍ତ୍ତିକେ ହଵିଷ୍ଯ
ପୁଷମାସେ ମୂଳା ମୁଢି଼ ଖାଇଵାକୁ ମିଠା
ଘନ ଆଉଟା ପାଟକପରା ଚକଟା ପୋଡ଼ପିଠା ।
×××  ×××  ×××
ଜେଷ୍ଠରେ ପାଚିଲା ଆମ୍ବ ଆଶାଢେ଼ କଣ୍ଟାଳ
ଣ୍ରାଵଣେ ତାଳ ଭାଦ୍ରରେ ନୂଆ ଚୁଡା଼ ଗୁଡ଼ ।
×××  ×××  ×××
ବାରମାସରେ ବାର ଖାଇଲୁ ଆଉ ଖାଇବୁ କି ?
ପଖାଳ ଭାତରେ ବାଇଗଣପୋଡା଼ ଖେଚୁଡ଼ି ଭାତରେ ଘି !

~ ଛମାସୀ ~
ବାରମାସୀ ଭଳି ଏକଜାତୀୟ ଛମାସୀ ଗୀତ ବି ରହିଛି ଯେଉଁଥିରେ ଛମାସର କଥା କୁହାଯାଏ । ଯଥା:
“କାତିକି ― ଶୀତ କରେ ରାତିକି
ମଗୁଶିରୀ ― ଶୀତ କରେ ଶିରି ଶିରି
ପୁଷ୍ ― ଶୀତ କରେ ଭୁଷ୍ ଭୁଷ୍
ମାଘ୍ ― ଶୀତର ବଡ଼ ରାଗ୍
ଫଗୁଣ ― ଶୀତ କରେ ଦିଗୁଣ
ଚଇତ ― ଶୀତ ଯାଏ ବୋଇତ ।”

ବାରମାସୀ ଲୋକଗୀତ, କଵିତାର ଭାଵ ଓ ସଙ୍ଗୀତର ସ୍ଵର ସଂଯୋଗରେ ଅନଵଦ୍ଯ ହୋଇଯାଏ । ଅନ୍ତରରୁ ରସଧାରା ସଙ୍ଗେ ଯେଉଁ ସ୍ଵର, ଯେଉଁ ଛନ୍ଦ ଆପେ ଆପେ ବାହାରି ଆସେ, ବାରମାସୀ ସେହି ସ୍ଵର ସେହି ଛନ୍ଦରେ ଲେଖା ହୋଇଥାଏ ।

ବାରମାସୀ ନାରୀର ନିଜସ୍ୱ । ଏହା ଅତୀତ ସ୍ମୃତିର କରୁଣରସରେ ଝଙ୍କୃତ, ଦୁଃଖମୟ ଜୀଵନ ଅନୁଭଵ ଆଶଙ୍କାରେ ଆତଙ୍କିତ । ମୁର୍ମୁରଦାହର ଉଷ୍ମତା, ନିର୍ଜ୍ଜନ ସନ୍ଧ୍ୟାରେ ଏକମାତ୍ର ଵୀଣାଝଙ୍କାରର କରୁଣତା, ସବୁଜ ଅନ୍ତରର ସଜୀଵତା ଏଥିରୁ ମିଳିଥାଏ ।

ସନ୍ଦର୍ଭ: ଓଡ଼ିଆ ଲୋକଗୀତ ଓ କାହାଣୀ (ଡ. କୁଞ୍ଜ ଵିହାରୀ ଦାଶ); ପୂର୍ଣ୍ଣଚନ୍ଦ୍ର ଭାଷାକୋଷ

Spread the love
admin

Recent Posts

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

2 weeks ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

2 weeks ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

2 weeks ago

ପହିଲିଭୋଗ

~ ପହିଲିଭୋଗ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମକରସଂକ୍ରାନ୍ତି ପର୍ଯ୍ୟନ୍ତ ଏକମାସ ବ୍ୟାପି ଶ୍ରୀମନ୍ଦିରରେ ଆମ ମହାପ୍ରଭୁଙ୍କ ନିକଟରେ "ପହିଲିଭୋଗ"…

2 weeks ago

ବଳଦେବ ଉପାସନା

~ ବଳଦେବ ଉପାସନା ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଉତ୍କଳ ଭୂମିରେ ବଳଦେବ ଉପାସନାର ପରମ୍ପରା ପ୍ରାଚୀନ l ଶ୍ରୀମନ୍ଦିରରେ…

2 weeks ago

ତୁମେ ତ ଲୋକରେ ସାର

~ ତୁମେ ତ ଲୋକରେ ସାର ~ ସୌରଭିତ ସୃଷ୍ଟି: ଅନନ୍ତ ପଟ୍ଟନାୟକ  କମ୍ପି ଉଠୁଛି କଟକ ନଗର ଶୁଭୁଅଛି…

2 weeks ago