ଲେଖା: ଶିଶିର ସାହୁ ମନୋଜ

ସେ ଓଡ଼ିଶାର ଏମିତି ଜଣେ ଯୋଦ୍ଧା ଯିଏ ତିନି ଦିନ ପାଇଁ ବାଣପୁରକୁ ଇଂରେଜ କବଳରୁ ସ୍ବାଧୀନ କରିଦେଇଥିଲେ ! ଏ ଘଟଣାକୁ ବାଣପୁର ବିଦ୍ରୋହ ତଥା ପଞ୍ଚୁଆ ଫତୁରି କୁହାଯାଏ ।

୰ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶ ତାଙ୍କର “ଓଡ଼ିଶାର ସ୍ଵାଧୀନତା ସଂଗ୍ରାମର ଇତିହାସ” ପୁସ୍ତକରେ ବାଣପୁର ବିଦ୍ରୋହ ବା ପଞ୍ଚୁଆ ଫତୁରି ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତି ।

~ ରୋଡଙ୍ଗଗଡ଼ର ପଂଚାନନ ନାୟକ (ଡାକ ନାମ ପଞ୍ଚୁଆ) ~
ତିନି ଦିନ ବ୍ୟାପୀ ବିଦ୍ରୋହ ସମୟରେ ବାଣପୁରର ରାଜା ହୋଇଥିବାରୁ ଐତିହାସିକମାନେ ଏହି ବିଦ୍ରୋହକୁ ‘ପଞ୍ଚୁଆ ଫତୁରି’ ଆଖ୍ୟା ଦେଇଛନ୍ତି ।

ଫକୀର ହରିଚନ୍ଦନ ତାଙ୍କ ରଚିତ ପୁସ୍ତକ “ଖୋର୍ଦ୍ଧା ଇତିହାସର ଅନ୍ତରଳେ” ରେ ଏହା ବିଶଦ ଭାବେ ବର୍ଣ୍ଣନା କରିଛନ୍ତି ।

ବାଣପୁର ଅରାଙ୍ଗଗଡର ମଧୁ ବିଷୋଇ ପାଇକ ବିଦ୍ରୋହରେ ବକ୍ସିଙ୍କର ଜଣେ ସହଯୋଗୀ ବିଦ୍ରୋହୀ ଥିଲେ । ତାଙ୍କର ଦୁଇ ପୁଅ ଲୋଚନ ବିଷୋଇ, ଶିବ ବିଷୋଇ ଓ ଅରାଙ୍ଗ ଦଳବେହେରା ଶ୍ୟାମ ସୁନ୍ଦର ପାଟଶାହାଣୀଙ୍କ ପୁଅ କୃତ୍ତିବାସ ପାଟଶାହାଣୀ ‘ପଞ୍ଚୁଆ ଫତୁରୀ’ର ମୁଖ୍ୟ ନାୟକ ଥିଲେ ।

୧୯୩୬ ଜୁନ୍ ମାସ ୧ ତାରିଖରେ ଅରାଙ୍ଗର କୃତ୍ତିବାସ ପାଟଶାହାଣୀ, ଲୋଚନ ବିଷୋଇ, ଶିବ ବିଶୋଇ, ପଂଚାନନ ନାୟକ, ସାଧୁ ଜାନି, ଦୀନା ଜାନି ପ୍ରଭୃତି ବିଦ୍ରୋହୀ ନେତାମାନେ ଏକ ବୈଠକରେ ମିଳିତ ହୋଇ ବାଣପୁରକୁ ଇଂରେଜ ଶାସନକୁ ମୁକ୍ତ କରିବାକୁ ସିଦ୍ଧାନ୍ତ ନେଲେ ଏବଂ ସେହି ବୈଠକରେ ରୋଡଙ୍ଗ ବକ୍ସିଙ୍କ ଅନୁରୂପେ ପଂଚାନନ ନାୟକଙ୍କୁ ବିଦ୍ରୋହର ନେତା ରୂପେ ମନୋନୀତ କରାଗଲା । ସେହି ବୈଠକରେ ହିଁ ବାଣପୁରର ରାଜା ଶରଣସିଂହ ବୋଲି ଘୋଷଣା କରାଗଲା ।


କୃତ୍ତିବାସ ପାଟଶାହାଣୀ ରାଜା ଶରଣସିଂହଙ୍କର ପ୍ରଧାନମନ୍ତ୍ରୀ ବୋଲି ଘୋଷଣା କରାଗଲା । କୃତ୍ତିବାସ ପାଟଶାହାଣୀ ରାଜା ଶରଣସିଂହଙ୍କର ପ୍ରଧାନମନ୍ତ୍ରୀ ତଥା ସେନାପତି ହେଲେ ଏବଂ ପ୍ରବଳ ଆନନ୍ଦ ଓ ଉନ୍ମାଦନା ଭିତରେ ରାଜା ଓ ସେନାପତିଙ୍କର ଶାଢୀବନ୍ଧା ଉତ୍ସବ ପାଳିତ ହେଲା ।

୧୮୩୬ ଜୁନ୍ ୪ ତାରିଖ ଶନିବାର ରାତିରେ ରାଜା ଶରଣସିଂହ, ସେନାପତି କୃତ୍ତିବାସ ପାଟଶାହାଣୀ ଓ ସର୍ଦ୍ଦାର ଲୋଚନ ବିଶୋଇ ତାଙ୍କର କନ୍ଧ ପାଇକ ବାହିନୀ ଧରି ଅରାଙ୍ଗଗଡରୁ ବାଣପୁର ଅଭିଯାନ ଆରମ୍ଭ କଲେ । ସେମାନଙ୍କ ସହିତ ଆଖପାଖ ଗାଁର ପାଇକ ଓ ଦଳବେହେରାମାନେ ବିପୁଳ ଉତ୍ସାହ ଓ ଉଦ୍ଦୀପନାର ସହିତ ଯୋଗ ଦେଲେ ।

ଶହ  ଶହ ବିଦ୍ରୋହୀ ପାହାନ୍ତାବେଳକୁ ବାଣପୁର ନିକଟରେ ରୁଣ୍ଡ ହେଲେ । ୫ ତାରିଖ ରବିବାର ସକାଳୁ ବିଦ୍ରୋହୀମାନେ ହଜାର ହଜାର ସଂଖ୍ୟାରେ ମେଳି ହୋଇ ବାଣପୁର ସହରରେ ପଶିଲେ ଓ ସରକାରୀ ସପକ୍ଷବାଦୀ ଲୋକଙ୍କ ଘରପୋଡ଼ି ଲୁଟ କଲେ । ବିଦ୍ରୋହମାନେ ଖଜଣାଖାନା ଲୁଟ କଲେ । ଥାନା ପୋଡି ଦେଲେ । ଥାନା ପୋଲିସ ଓ ସରକାରୀ ଲୋକେ ପ୍ରାଣଭୟରେ ଚିଲିକା କୂଳ ବଡକୂଳକୁ ଚାଲିଗଲେ । ସେମାନଙ୍କ ସଂଖ୍ୟା କମ ଥିବାରୁ ପାଇକ ବାହିନୀର ମୁକାବିଲା କରିପାରିନଥିଲେ । ଶରଣସିଂହଙ୍କ ନାଁରେ ପରୱାନା ଜାରି କରାଯାଇ ଦଳେଇ ଦଳବେହେରାଙ୍କୁ ପାଇକ ଓ ଅସ୍ତ୍ରଶସ୍ତ୍ର ପଠାଇବାକୁ ହୁକୁମନାମା ପଠାଗଲା । ସୋମବାର ଦ୍ଵିପ୍ରହର ବେଳକୁ ବିଦ୍ରୋହୀମାନେ ବଡକୂଳ ଅଭିଯାନରେ ବାହାରିଲେ । ସେଠାରେ ଥିବା ଲୁଣ ଗୋଦାମଘର ପୋଡ଼ି ଦେଲେ । ସେଠାରେ ଆଶ୍ରୟ ନେଇଥିଲା ପୋଲିସ୍ ଓ ସରକାରୀ କର୍ମଚାରୀମାନେ ବଡକୂଳ ଛାଡ଼ି ପଳେଇ ଗଲେ । ଏହାପରେ କଟକରୁ ଇଂରେଜ ସିପାହୀ ଚାଲି ଆସିଲେ ।

ଇଂରେଜଙ୍କୁ ଭଲ ପାଉଥିବା କିଛି ଲୋକଙ୍କ ସାହାଯ୍ୟ ଓ କୌଶଳକ୍ରମେ ଭୀମପୁର ଠାରେ ପାଇକମାନଙ୍କୁ ଗିରଫ କରାଗଲା । କିନ୍ତୁ ବିପ୍ଲବର ନେତା କୃତ୍ତିବାସ ପାଟଶାହାଣୀଙ୍କୁ ଗିରଫ କରାଯାଇ ପାରିନଥିଲା । ସେ ଥିଲେ ଜଣେ ଦେବୀ ଭକ୍ତ । ହନ୍ତୁଆଡ଼ ଠାରେ ଟିକିରେଇ ଠାକୁରାଣୀଙ୍କ ମନ୍ଦିରରେ ସୂକ୍ଷ୍ମ ଚାରୁକଳା ବିମଣ୍ଡିତ ଉଗ୍ରତାରା ମୂର୍ତ୍ତି ଏକଦା ବଙ୍କାଡ ଗଡ଼ରେ ପୂଜା ପାଉଥିଲେ । କୃତ୍ତିବାସ ନୀତି ରାତ୍ରରେ ଦେବୀଙ୍କୁ ଦର୍ଶନ କରିବାକୁ ଯାଆନ୍ତି । ବାସୁଦେବ ନରେନ୍ଦ୍ର ସିଂହ ନାମକ ଜଣେ ବ୍ୟକ୍ତି ଇଂରେଜଙ୍କ ଠାରୁ ତାଙ୍କୁ ଧରାଇଦେବା ପାଇଁ ଘୋଷଣା ହୋଇଥିବା ୮ ବାଟି ୧୦ମାଣ ଜମି ସମ୍ପତ୍ତି ଲୋଭରେ ତାଙ୍କୁ କୌଶଳକ୍ରମେ ଘରକୁ ଡାକି ଧରାଇ ଦେଇଥିଲେ ।

ବାଣପୁର ବିଦ୍ରୋହରେ ଅଭିଯୁକ୍ତମାନଙ୍କ ବିଚାର ଅଦାଲତରେ ୯ମାସ ଧରି ଚାଲିବା ପରେ  ତା୨୫.୦୩.୧୮୩୭ ରିଖରେ କଟକର କମିଶନର କୋଲକତାର ଫୋର୍ଟ ଉଇଲିୟସ୍ଥିତ ବ୍ରିଟିଶ ସରକାରଙ୍କ ବିଚାର ବିଭାଗ ଶାସନ ସଚିବଙ୍କ ନିକଟକୁ ପଠାଇଥିବା ୬୧୦ ନମ୍ବର ଚିଠି ମୁତାବକ ଯେଉଁମାନଙ୍କୁ ଦଣ୍ଡବିଧାନ କରଯାଇଥିଲା ।ସେମାନେ ହେଲେ –
୧. ଶରଣସିଂହ, କୃତ୍ତିବାସ ପାଟଶାହାଣୀ, ଶିବୁ ନାୟକ ଓ ପାଦୁକୀ – ୪ଜଣଙ୍କୁ ଯାବଜ୍ଜୀବନ ଦ୍ଵିପାନ୍ତର ଦଣ୍ଡ ।
୨. ଜଳଧର ନାୟକ ଓ ଅନ୍ୟ ୨୨ଜଣଙ୍କୁ ୪ ବର୍ଷ ସଶ୍ରମ କାରାଦଣ୍ଡ (ବେଡ଼ି ସହିତ )
୩. ଶୁକଦେବ ଦାସ ଓ ଅନ୍ୟ ୩୭ଜଣଙ୍କୁ ୪ବର୍ଷ ସଶ୍ରମ କାରାଦଣ୍ଡ (ବେଡ଼ି କିମ୍ବା ତା’ ବଦଳରେ ଟ୨୫/-ଙ୍କା ଜୋରିମାନା ସହ )
୪. ନାଲୁ ସାଉ ଓ ଅନ୍ୟ ୧୪ ଜଣଙ୍କୁ  ୩ ବର୍ଷ ସଶ୍ରମ କାରାଦଣ୍ଡ (ବେଡ଼ି କିମ୍ବା ତା’ବଦଳରେ ଟ୨୦/-ଙ୍କା ଜୋରିମାନା ସହିତ ) ।

ବକ୍ସି ଜଗବନ୍ଧୁଙ୍କ ନେତୃତ୍ଵରେ ପାଇକ ବିଦ୍ରୋହ ହେଉ କି କୃତ୍ତିବାସ ପାଟଶାହାଣୀଙ୍କ ନେତୃତ୍ଵରେ ବାଣପୁର ବିଦ୍ରୋହ ହେଉ ଉଭୟ ବିଦ୍ରୋହରେ ବାଣପୁର ଅଧିବାସୀଙ୍କର ଅବଦାନ ଅତୁଳନୀୟ । ସେମାନଙ୍କର ବୀରତ୍ଵ ଓ ଶୌର୍ଯ୍ୟଗାଥା ଯୁଗ ଯୁଗ ଧରି କୀର୍ତ୍ତି ବିମଣ୍ଡିତ ହୋଇରହିବ । ୧୯୩୬ ଜୁନ୍ ୪, ୫ ଓ ୬ ତାରିଖ ୩ ଦିନ ବାଣପୁର ଇଂରେଜ କବଳରୁ ମୁକ୍ତ ହୋଇଥିବାରୁ ବାଣପୁରରେ ଏହି ୩ଦିନ ପାଳିତ ହୁଏ ବାଣପୁର ମୁକ୍ତି ଦିବସ ।

(Source: Sahid Krutibas Patasani – The Crusader of Banapur Rebellion of 1836 – Braja Paikray)

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

2 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

3 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

3 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

3 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

4 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

4 weeks ago