ଲେଖା: ଅରବିନ୍ଦ ମହାନ୍ତି
ବାଟଓଷା ବା ଦାଣ୍ଡପହଁରା ଓଷା ପୌଷମାସ କୃଷ୍ଣ ଦ୍ୱିତୀୟା ତିଥିରେ ପାଳନ କରାଯାଏ । ଏହି ଓଷା ଯମରାଜାଙ୍କ ଉଦ୍ଦେଶ୍ୟରେ ପାଳନ କରାଯାଏ । ପ୍ରତ୍ୟେକ ମାଆମାନେ ନିଜ ପୁତ୍ରମାନେ ଦୀର୍ଘାୟୁ ହେବା ନିମନ୍ତେ ରାତିରେ ଉପବାସ ରହି ବଜ୍ରମୂଳି ଗଛରେ ଦାଣ୍ଡ ପହଁରି ନିଜ ନିଜର ପୁତ୍ରମାନଙ୍କୁ ଝାଡ଼ିଥାନ୍ତି । ଇନ୍ଦ୍ରଙ୍କର ଅମୋଘ ଅସ୍ତ୍ର ହେଉଛି ବଜ୍ର । ସେଥିପାଇଁ ପ୍ରବାଦ ଅଛି-ମାତାମାନେ ନିଜ ସନ୍ତାନର ଦୀର୍ଘଜୀବନ କାମନା କରି ଓଷା ମଣ୍ଡପର ଚତୁର୍ପାଶ୍ୱକୁ ବଜ୍ରମୂଳିରେ ପହଁରିବା ପରେ ସେଥିରେ ସନ୍ତାନମାନଙ୍କୁ ଝାଡ଼ିଥାନ୍ତି ।
~ ଉପାସ୍ୟ ଦେବତା ~
ପୌରାଣିକ ମତେ ମୃତ୍ୟୁର ଦେବତା ଯମ ଅତ୍ୟନ୍ତ କଠୋର ଓ ମର୍ମତୁଦ, ସେ ପ୍ରାଣୀର କର୍ମ ଅନୁସାରେ, ମୃତ୍ୟୁପରେ ଦଣ୍ଡବିଧାନ କରନ୍ତି । ଗରମ ତେଲ କଢ଼େଇରେ ପକାଇବା, ତାହାର ଚକ୍ଷୁ ଓ କର୍ଣ୍ଣରେ ଗରମ ତେଲ ପକାଇବା; ଅସତୀ ଦୋଚାରୁଣୀମାନଙ୍କୁ ଶିମିଳି ଗଛରେ ଟାଙ୍ଗିବା ସହ ବିଛା, କଙ୍କଡା, ନାଗମାନଙ୍କଦ୍ୱାରା ଅନେକ ଯନ୍ତ୍ରଣା ଦିଅନ୍ତି । ଏସବୁ ଯନ୍ତ୍ରଣାରୁ ରକ୍ଷା କରିବା ଏବଂ ଯମଙ୍କୁ ପ୍ରସନ୍ନ କରିବା ଉଦ୍ଦେଶ୍ୟରେ ବାଟଓଷା ବା ଦାଣ୍ଡପହଁରା ଓଷାର ସୃଷ୍ଟି ।
~ ପୂଜାପଦ୍ଧତି ~
ଏହା ଏକ କୃଷିଭିତ୍ତିକ ପର୍ବ ହୋଇଥିବାରୁ, ନୂଆ ଧାନ କୁଟି ମଣ୍ଡାପିଠା, ମୁଢି, ଖଇ, ମୁଆଁ, ଚୁଡା, କଦଳୀ, ମୂଳା, ଆଖୁ, କରମଙ୍ଗା, କନ୍ଦମୂଳ, ତୁଷକୁଣ୍ଡା ଆଦି ନୈବେଦ୍ୟ କରାଯାଏ । ଗାଁ ଦାଣ୍ଡ ବା ବନସ୍ତରେ ଗାତ ଖୋଳାଯାଇ, ଗୋଟିଏ ପାତ୍ରରେ ସିନ୍ଦୂରରେ ଯମଙ୍କ ପ୍ରତିମା ସ୍ଥାପନ ପୂର୍ବକ ମାତାମାନେ ଚାରିପଟେ ଚାଙ୍ଗୁଡା ଧରି, ବଜ୍ରମୂଳି ଉପରେ ରଖି କପଡ଼ା ଢାଙ୍କି ବସନ୍ତି ଏବଂ ଯମ ଦେବତାଙ୍କୁ ଷୋଡ଼ଶୋପଚାରରେ ବ୍ରାହ୍ମଣଙ୍କଦ୍ୱାରା ପୂଜାର୍ଚ୍ଚନା କରନ୍ତି । ତାହା ପରେ ମାତାମାନେ ନିଜ ସନ୍ତାନମାନଙ୍କର ଦୀର୍ଘଜୀବନ କାମନା କରି ଯମଙ୍କୁ ସ୍ମରଣ କରିଥାନ୍ତି ।
ଏହି ପୂଜାର ନିୟମ ଏପରି, ସବୁ ପ୍ରସାଦ ପୂଜାମଣ୍ଡପକୁ ନେବେ ଏବଂ ଘରେ ଲୋଭବଶତଃ ପୂଜାଦ୍ରବ୍ୟ ରଖିଲେ ଯମ ଅସନ୍ତୁଷ୍ଟ ହୋଇଥାନ୍ତି । ପୂଜାଅନ୍ତେ ସମସ୍ତ ପ୍ରସାଦକୁ ବାଳକ, ବୃଦ୍ଧ ଓ ପରିବାରବର୍ଗଙ୍କ ମଧ୍ୟରେ ବାଣ୍ଟିଦେବା ବିଧେୟ ।
~ ପୌରାଣିକ କିମ୍ବଦନ୍ତୀ ~
କୋଶଳ ଦେଶର ରାଜା ସୁଦର୍ଶନ ଓ ରାଣୀ ଲୀଳାବତୀ, ଦୁହେଁ ପରୋପକାରୀ ଓ ପ୍ରଜାବତ୍ସଳ ହୋଇଥିଲେ ମଧ୍ୟ ପୁତ୍ରସନ୍ତାନ ନଥିବାରୁ ମନସ୍ତାପ କରିଥିଲେ । ବିଜ୍ଞ ବ୍ରାହ୍ମଣ, ଜ୍ୟୋତିଷ ଦାଣ୍ଡ ପହଁରା ବା ବାଟ ଓଷା କରିବାଦ୍ୱାରା ଯମଙ୍କୁ ସନ୍ତୁଷ୍ଟ କଲେ ପୁତ୍ରପ୍ରାପ୍ତି ହେବ ବୋଲି ପରାମର୍ଶ ଦେଇଥିଲେ । ଓଷା କରିଥିବା ରାଜ୍ୟର ଗୃହିଣୀମାନଙ୍କଠାରୁ ପ୍ରସାଦ ପାଇ ରାଣୀ ଗର୍ଭବତୀ ହେବା ସହ ଉତ୍ତମ ପୁତ୍ରପ୍ରାପ୍ତ କରିଥିଲେ, ଯାହାର ନାମ ବୀରସେନ । କିନ୍ତୁ ପୁତ୍ରପ୍ରାପ୍ତି ପରେ, ରାଣୀ ଆଉ ଯମଦେବତାଙ୍କ ବାଟ ଓଷା ନ କରିବା ଯୋଗୁଁ ଯମ ବୀରସେନଙ୍କୁ ଅପହରଣ କରି ନେଇଗଲେ ଏବଂ ନିଜର ମାତାଙ୍କୁ ତାଙ୍କୁ ମାରି ରୋଷେଇ କରି ଖାଇବାକୁ ଦେବା ପାଇଁ କହିଥିଲେ । ତତ୍‌ପରେ ଯମ ସ୍ନାନ କରିବାକୁ ଚାଲିଗଲେ । ଇତ୍ୟବସରରେ ବୀରସେନଙ୍କ ନାକରେ ଦୁଇ ଖଣ୍ଡ କାଠି ପୂରାଇ ପୂଜା ସମୟରେ ଛିଙ୍କିବା ପାଇଁ ଯମଙ୍କ ମାତା ଶିଖାଇ ଦେଲେ । ବୀରସେନ, ଯମମାତାଙ୍କ କହିବା ଅନୁସାରେ ନାକରେ କାଠି ପୂରାଇ ଛିଙ୍କିଥିଲେ । ଏହି ସମୟରେ ଯମମାତା ଅଚ୍ଛମର ହୁଅ ବୋଲି କହିଥିଲେ, ଯାହା ଫଳରେ ଯମଦେବ ବୀରସେନଙ୍କୁ ନ ମାରି, ବାଟଓଷା ନକଲେ ପୁନର୍ବାର ନେଇଯିବେ ବୋଲି ବୀରସେନଙ୍କ ମାତାଙ୍କୁ କହି ଘରେ ଛାଡ଼ି ଦେଇଗଲେ । ପରିବାରବର୍ଗ ବୀରସେନଙ୍କୁ ପାଇ ଅତ୍ୟନ୍ତ ଖୁସି ହୋଇଥିଲେ ମଧ୍ୟ କାହିଁକି ରୁଷିଥିଲେ ବୋଲି ପଚାରିବାରୁ ଉତ୍ତରରେ କହିଲେ, ତୁମେ ଯମଦେବଙ୍କ ବାଟଓଷାକୁ ଭୁଲି ଯାଇଥିବାରୁ ମୋତେ ଧରି ନେଇଥିଲେ ବୋଲି କହିଥିଲେ । ଶେଷରେ ରାଜଗୃହରେ ମାତା କୌଶଲ୍ୟା ଯମଦେବଙ୍କ ବାଟ ଓଷା କରି, ଦାଣ୍ଡ ପହଁରି, ପୁତ୍ରର ଦୀର୍ଘ ଜୀବନ କାମନା କରିଥିଲେ ।
admin

Recent Posts

ବୃନ୍ଦାବତୀ

~ ବୃନ୍ଦାବତୀ ~ ଲେଖା: ଡ. ଜୟଶ୍ରୀ ନନ୍ଦ ହିନ୍ଦୁ ପୁରାଣରେ ବୃନ୍ଦାବତୀ ବା ତୁଳସୀଙ୍କୁ ଦେବୀ ମାନ୍ୟତା ଦିଆଯାଇଛି।…

1 day ago

ପଖାଳ

~ ପଖାଳ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଓଡ଼ିଆଙ୍କ ଆରାଧ୍ୟ ବଡ଼ଠାକୁର ବି ଭାରି ଭଲ ପାଆନ୍ତି ପଖାଳକୁ।…

1 day ago

ହଳଦୀ

~ ହଳଦୀ ~ ଲେଖା: ଡ. ଜୟଶ୍ରୀ ନନ୍ଦ କାମଚୋର ହୋଇ ଆମେ ଭୁଲିଗଲେଣି ଏହାର ସୁଗନ୍ଧ। ହଳଦୀ ଗୁରୁଗୁରୁ…

1 day ago

ମାତୃଭାଷା

~ ମାତୃଭାଷା ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେ ମାଆକୁ ଚିହ୍ନି ନାହିଁ ଯେ ଗାଁ କୁ ଚିହ୍ନି…

1 week ago

ତ୍ରିଲୋଚନେଶ୍ୱର ମହାଦେବ ମନ୍ଦିର

~ ତ୍ରିଲୋଚନେଶ୍ୱର ମହାଦେବ ମନ୍ଦିର ~ ଲେଖା: ତ୍ରିଲୋଚନ ସ୍ୱାଇଁ ଅନନ୍ତ ଓ ଅସୁମାରୀ କୀର୍ତ୍ତିରାଜିରେ ଭରା ଆମ ଏ…

1 week ago

ରଘୁନାଥ ମଠ

~ ରଘୁନାଥ ମଠ ~ ଲେଖା: ଶ୍ରୀକାନ୍ତ ସିଂହ ମହା ଐତିହ୍ୟକ୍ଷେତ୍ର କଟକ ସହରରେ ଯେଉଁ କେତୋଟି ପ୍ରାଚୀନ ମଠ…

2 weeks ago