ଉପସ୍ଥାପନା: ଶିବାଶିଷ ମହାପାତ୍ର ହିନ୍ଦୁ ଧର୍ମରେ ମୃତ୍ୟୁ ପରେ ମଧ୍ୟ ଆତ୍ମାକୁ ଗୁରୁତ୍ବ ଦିଆଯାଇଛି । ପବିତ୍ର ମହାଳୟା ଦିନକୁ ଓଡ଼ିଆ ଶାସ୍ତ୍ରରେ ଏକ ସ୍ବତନ୍ତ୍ର ତଥା ବିଶେଷ ମାନ୍ୟତା ପ୍ରଦାନ କରାଯାଇଛି । ଏହି ଦିନ ଉତ୍କଳୀୟ ପରମ୍ପରା ଅନୁସାରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଅର୍ପଣ କରାଯାଇଥାଏ । ବିଶ୍ବାସ ରହିଛି ଯେ ପିତୃଲୋକରେ ଖାଦ୍ୟ, ପାନୀୟ ତଥା ଆଲୁଅର ଅଭାବ ଥାଏ ତେଣୁ ମର୍ତ୍ତ୍ୟଲୋକରୁ ଯଥାକ୍ରମେ ଶ୍ରାଦ୍ଧଦିବସରେ ଖାଦ୍ୟ, ମହାଳୟା ଦିନ ପାନୀୟ ତଥା ଦୀପାବଳୀ ଦିନ ଆଲୁଅ ପ୍ରଦାନ କରାଯାଇଥାଏ । ଏହି ମହାଳୟା ଦିନ ପଶ୍ଚିମ ଓଡ଼ିଶାର ଆରାଧ୍ୟ ଦେବୀ ତଥା ବିଭିନ୍ନ ଗଡ଼ଜାତର ଇଷ୍ଟଦେବୀ ଧବଳମୁଖୀ ବେଶ ଧାରଣ କରିଥାନ୍ତି । ଏହି ବେଶକୁ ଗଙ୍ଗାବେଶ/ସରସ୍ଵତୀ ବେଶ ବୋଲି କୁହାଯାଏ ଏବଂ ଏହା ମାଁ କାଳୀ, ଲକ୍ଷ୍ମୀ, ସରସ୍ଵତୀଙ୍କ ମିଶ୍ରିତ ରୂପ । ଏହି ବେଶରେ ମାଁ ସମଲେଶ୍ଵରୀଙ୍କ ଦର୍ଶନ ଦ୍ବାରା ଗଙ୍ଗାଦର୍ଶନର ଫଳ ମିଳିଥାଏ ବୋଲି ବିଶ୍ଵାସ ରହିଛି । ପୂର୍ବରୁ ଏହି ଦିନରେ ବିଭିନ୍ନ ଶକ୍ତିପୀଠ ମାନଙ୍କରେ ବଳି ପଡ଼ୁଥିବା ବେଳେ ଧୀରେ ଧୀରେ ବଳିପ୍ରଥା ବନ୍ଦ ହୋଇ ଆରମ୍ଭ ହୋଇଥିଲା ଦେବୀମାନଙ୍କର ଧବଳମୁଖୀ ବେଶ ଏବଂ ତ୍ୟାଗ କରିଥାନ୍ତି ରକ୍ତବର୍ଣ୍ଣ ବା ସିନ୍ଦୂରବର୍ଣ୍ଣ । ସୁବର୍ଣ୍ଣପୁର ଗଡ଼ଜାତରେ ମଧ୍ୟ ଏହି ମହାଳୟାରୁ ଆରମ୍ଭ ହୋଇଥାଏ ଐତିହାସିକ ବଳିଯାତ୍ରାର ବିଭିନ୍ନ ପରମ୍ପରା । ଯେହେତୁ ସାଧାରଣ ଲୋକଙ୍କ ପାଇଁ ଯାତାୟାତର ମାର୍ଗ ଏବଂ ବଳିଯାତ୍ରାର ମାର୍ଗ ଭିନ୍ନ ଭିନ୍ନ ଥାଏ ଏହି ମହାଳୟା ଦିନ ଦୁଇ ଗୋଟି ନଙ୍ଗଳ ମୁନରେ ଏକା ସାଥିରେ ସୁରେଶ୍ଵରୀ ମନ୍ଦିରଠାରୁ ବୁଢ଼ାରଜା ପିଠ ପର୍ଯ୍ୟନ୍ତ ବଳି ରାସ୍ତାର ଚିହ୍ନ ଦିଆଯାଏ । ଏହି ଚିହ୍ନ ଥିବା ପାରମ୍ପରିକ ରାସ୍ତାରେ ବଳିଯାତ୍ରା ସମୟରେ ସେବକମାନେ ଯିବା ଆସିବା କରିଥାଆନ୍ତି । ଆଗରୁ ଏ ସବୁ ଅଞ୍ଚଳରେ ଜଙ୍ଗଲ ଥିବାରୁ ଏହି ରାସ୍ତା ପାଇଁ ଚିହ୍ନ ଦିଆଯାଉଥିଲା । ଏବେ ମଧ୍ୟ ଏହି ପରମ୍ପରା ରହିବା ସହିତ ଏହି ରାସ୍ତା ଉପରେ ଥିବା ଦୋକାନ ତଥା ବୁଦା ଆଦିକୁ ସଫା କରାଯାଇଥାଏ । ପୋଜିଉଁତିଆ ଓଷା ଦିନ ପାଳିତ ହୋଇଥାଏ ଖଣ୍ଡାଧୁଆ ପର୍ବ । ମହାଳୟା ଦିନ ବାଉତି ଛତର୍ ବାହାରିଥାଏ ସୁରେଶ୍ଵରୀ ମନ୍ଦିରରୁ ସମଲେଶ୍ଵରୀ ମନ୍ଦିରକୁ । ଏହି ସମଲେଶ୍ଵରୀ ମନ୍ଦିରରେ ଛତରକୁ ସାଜ ସଜ୍ଜା କରିବା ସହିତ ପ୍ରସ୍ତୁତ କରାଯାଏ ବାଉତି ଛତର୍ ଯାତ୍ରା ପାଇଁ । ପୂର୍ବରୁ ଏହି ଛତର ରାଜ ଉଆସରୁ ବାହାରି ଆସୁଥିଲା ସମଲେଶ୍ଵରୀ ମନ୍ଦିରକୁ । ଛତର୍ ପ୍ରସ୍ତୁତ ହେଲା ପରେ ପାରମ୍ପରିକ ପୂଜା ଉପଚାର କରାଯାଇ ଢ଼ୋଲ, ମହୁରୀ ବଜାର ତାଳେ ତାଳେ ବୁଢ଼ାରଜା ପିଠକୁ ବାଉତି ଛତର୍ ଯାତ୍ରା କରିଥାଏ । ସେଠାରେ ପୂଜାର୍ଚ୍ଚନା ପରେ ନିଶାର୍ଦ୍ଧରେ ବଳି ପଡ଼ିଥାଏ । ଏହା ପରେ ପୁଣି ଛତର୍ ଫେରି ଆସିଥାଏ ସମଲେଶ୍ଵରୀ ମନ୍ଦିରକୁ ଏବଂ ଏଠାରେ ପୂଜା ପାଇଥାଏ ବଳିଯାତ୍ରା ଶେଷ ଯାଏଁ । ବଳିଯାତ୍ରା ଶେଷ ପରେ ଏହି ଛତର୍ ପୁଣି ଫେରିଯାଇଥାଏ ସୁରେଶ୍ଵରୀ ମନ୍ଦିରକୁ । ଏହି ଦିନ ସୋନପୁର ସହରର ସୁବର୍ଣ୍ଣମେରୁ ମନ୍ଦିର ପାଖରେ ଥିବା ସାତ ବହନି ପୋଖରୀରେ ବଳିଯାତ୍ରାର ବରୁଆ ଗାଧୋଇ ଥାଆନ୍ତି । ନୂତନ ବସ୍ତ୍ର ପରିଧାନ କରାଯାଇ ସମଲେଶ୍ଵରୀ ମନ୍ଦିରକୁ ଅଣାଯାଏ । ଏହି ସମୟରେ ବଳିଯାତ୍ରାରେ ଅଂଶଗ୍ରହଣ କରୁଥିବା ଛତିଶ ନିଯୋଗର ସେବାୟତ ମାନେ ଉପସ୍ଥିତ ଥାଆନ୍ତି । ଯନ୍ତ୍ର ଉପରେ ବରୁଆଙ୍କୁ ବସାଇ ଦେବୀଙ୍କୁ ଆବାହନ କରାଯାଏ । ବରୁଆଙ୍କ ଉପରେ ଦେବୀ ଆବିର୍ଭାବ ହେଲା ପରେ ପୂଜା କରାଯାଇଥାଏ ବାଉତି ଛତର୍ ସହିତ ଯାତ୍ରା କରିଥାନ୍ତି ବୁଢ଼ାରଜା ପୀଠକୁ । ସେଠାରେ ପୂଜା ପଦ୍ଧତି ପରେ ବୁଢ଼ୀ ସମଲାଇ ମନ୍ଦିର ତଥା ଘୋଡ଼ାଘାଟ ପଡ଼ାର ଯୋଡ଼ା ଖମ୍ବ ରାସ୍ତା ଦେଇ ଆସିଥାନ୍ତି ରାଜବାଟୀକୁ । ସେଠାରେ ରାଜ ବନ୍ଦାପନା ପରେ ଫେରି ଆସନ୍ତି ସମଲେଶ୍ଵରୀ ମନ୍ଦିରକୁ ଏବଂ ଏହି ଠାରେ ଶେଷ ହୋଇଥାଏ ବାଉତି ଛତର୍ ଯାତ୍ରା । | | |