ଲେଖା: ଅକ୍ଷୟ ଓଝା
 
ଆମେ ସ୍କୁଲ ଫେରିଲା ବେଳେ ରାସ୍ତାରେ ପୁଳାଏ ତାଳଗଛ ଦେଖିବାକୁ ମିଳିଥାଏ । ଅନେକ ବାଇଚଢ଼େଇ ବସା ତାଳଗଛରେ। ତାଳଗଛ ପତ୍ରକୁ ଲଟକି ଲଟକି ପବନର ଦୋହଲୁ ଥାଆନ୍ତି। ଚଢ଼େଇଙ୍କ ଖିଚିରିମିଚିରି ସ୍ଵରରେ କୋଳାହଳ ହେଇ ଉଠେ ସେ ନିର୍ଜନ ବଣୁଆ ସ୍ଥାନଟି । କେତେବେଳେ ଚଢ଼େଇ ଟିଏ ଥଣ୍ଟରେ ଆଧାର ଧରି ଉଡିଯାଏ ତାଳଗଛ ଆଡ଼େ ତ କିଏ ବସା ତିଆରି କରିବାରେ ଲାଗିଥାଏ । କିଏ ପବନରେ ଦୋହଲି ଦୋହଲି ଝୁଲା ଖେଳୁ ଥାଏ ତ କିଏ ତାଳ ଗଛ ତଳ ଜମି ଆଡକୁ ଉଡି ଆସୁଥାଏ ଅଧାର ପାଇଁ ।ମୁଁ ଘଣ୍ଟା ଘଣ୍ଟା ଛିଡ଼ା ହେଇ ଏସବୁ ଦୃଶ୍ୟ ଦେଖେ । ସାଙ୍ଗମାନେ ଆଗତୁରା ଚାଲି ଯାନ୍ତି ଘରକୁ କିନ୍ତୁ ମୁଁ ଆତ୍ମବିଭୋର ହୋଇ ସେମାନଙ୍କ କାର୍ଯ୍ୟକଳାପକୁ ଦେଖେ ।

ସ୍କୁଲ୍ ରାସ୍ତାରେ କିଛି ବାଟ ଚାଲିଲା ପରେ ଏକ ବିସ୍ତୃତ ଧାନ କିଆରୀ । ଧାନ ବିଲ ମଝିରେ ସଡ଼କ ଆଗ ଗାଁକୁ । କିଛି ଦୂରରେ ବୁଦାଳିଆ ଜଙ୍ଗଲ । ଜଙ୍ଗଲ ଭିତରେ ତାଳବଣ । ତିରିଶିରୁ ଚାଳିଶ ଖଣ୍ଡେ  ଛୋଟ ବଡ଼ ତାଳବଣ ଏକତ୍ରିତ ଭାବରେ । ସେଥିରୁ ଗୋଟିଏ ଯୋଡିଏ ଥୁଣ୍ଟା ତାଳଗଛ । ଲୋକେ କୁହନ୍ତି ଚଡକରେ ପୋଡ଼ି ହେଇ ମରି ଯାଇଥିବା ଥୁଣ୍ଟା ତାଳଗଛ । ତାହାରି କୋରଡରେ ବଣି ଚଢ଼େଇର ବସା । ବାଇଚଢ଼େଇ ମାନେ କୁଆଡେ ଆକାଶ ମାର୍ଗରେ ଚିଁ ଚାଁ ହେଇ ଏକ ସାଥିରେ ଉଡ଼ିଯା’ନ୍ତି ଦୂର ଦିଗ ବଳୟ ଆଡକୁ । ଆକାଶ ଛାତି କୁଣ୍ଢେମୋଟ ହେଇଯାଏ ।

ବେଳେ ବେଳେ ଏହି ପକ୍ଷୀ ସମୂହ ଧାନ କଟା ପରେ ଖାଲି ବିଲରେ ରୁଣ୍ଡ ହେଇପଡନ୍ତି । କ’ଣ ପୁଳାଏ ଖୁଣ୍ଟି ସାଉଁଟି ପକାନ୍ତି ଘାସରୁ । ପୁଣି ଅତର୍କିତ ଉଡି ଯାଆନ୍ତି ଏକ ଆକାଶର ଲହଡ଼ି ସୃଷ୍ଟିକରି ଯୁଆଡେ ପାରେ ସିଆଡେ । ତାଳବଣ ଏମାନଙ୍କ ଯୋଗୁଁ ଖୁବ୍ କୋଳାହଳ ହେଇ ପଡ଼ିଥାଏ ।

ମୁଁ ସ୍କୁଲରୁ ଫେରିଲେ ଘଣ୍ଟା ଘଣ୍ଟା ମନ୍ତ୍ରମୁଗ୍ଧ ହୋଇ ଦେଖେ ସେମାନଙ୍କୁ । ବର୍ଷା ସମୟରେ ଆହୁରି କମନୀୟ ଦିଶେ ସେ ଦୃଶ୍ୟ । କଳାହାଣ୍ଡିଆ ମେଘକୁ ଉତ୍ତରା ପବନ । ବାଇଚଢ଼େଇ ବସା ଗୁଡ଼ିକ ଝୁଲା ପରି ଦୋହଲି ଦୋହଲି ହଲୁଥାଏ ପବନରେ । ନିଡର ଚଢେଇ ଆନନ୍ଦରେ ଦୋହଲନ୍ତି ପବନରେ । ସ୍କୁଲ୍ ଫେରନ୍ତା ରାସ୍ତାରେ ଛତାକୁ ଆଡେଇ ଖୁବ୍ ଦେଖିବାକୁ ମନହୁଏ ସେମାନଙ୍କୁ। ବର୍ଷାରେ ଓଦା ହେଇ ଯିବାର ଭ୍ରୁକ୍ଷେପ ନଥାଏ ସେତେବେଳେ ।
 
ଆଦ୍ୟ ବସନ୍ତରେ ମାଳ ମାଳ ହେଇ ଉଡିଯା’ନ୍ତି ଆକାଶରେ କେତେ ବେଳେ ଲାଲ୍ ସୂର୍ଯ୍ୟକୁ ଘୋଡେଇ ପକାନ୍ତି ତ କେତେବେଳେ ଅନନ୍ତ ଆକାଶରେ ଲହଡ଼ି ମାରି ଉଡିବୁଲନ୍ତି ବାଇଚଢ଼େଇ । ଦଳ ଗତ ଭାବରେ ଓହ୍ଲେଇ ପଡନ୍ତି ଫସଲ କ୍ଷେତରେ । ପୋକ ଯୋକ କାଠି କୁଟା ଆବଶ୍ୟକ ଅନୁଯାୟୀ ଉଠେଇ ନିଅନ୍ତି ଥଣ୍ଟରେ । ପୁଣି ଏକା ସାଥିରେ ଉଡି ଯାଆନ୍ତି ଆକାଶ ଆଡ଼େ । ସନ୍ଧ୍ୟାରେ ପୁଣି ତାଳ ଗଛ ଘରେ ସବୁ ଏକାଠି ହୁଅନ୍ତି। ପୁଣି ରାତ୍ରୀ ଯାପନ ପରେ ସକାଳର ଅପେକ୍ଷାରେ ଚଢ଼େଇର ସଂସାର ।

ସତରେ ପ୍ରକୃତିର ସର୍ଜନା ଅତି ଚମତ୍କାର । ସୂର୍ଯ୍ୟ ଚନ୍ଦ୍ର ତାରା ପଶୁ ପକ୍ଷୀ ଜୀବଜନ୍ତୁ ସମସ୍ତଙ୍କୁ କେଡେ ଯତ୍ନରେ ଗଢିଛି ସ୍ରଷ୍ଟା କିନ୍ତୁ ମଣିଷ ଆଜି ସ୍ବାର୍ଥପର ହେଇ ସେମାନଙ୍କୁ ନଷ୍ଟ କରିବାକୁ ବସିଛି ।

ଅଧିକ ପାଠପଢା ନେଇ ଗାଆଁ ଛାଡିଲି । ଗାଁର ଏକ ବିଶେଷ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଖୁବ୍ ମନେ ପକେଇ ଦୁଃଖୀ ହୁଏ ସହରୀ ଜୀବନରେ । କଲେଜରେ । ସମୟ ସହିତ ଭୁଲି ଭୁଲି ଆସୁଥାଏ ଯେମିତି ସେ ପ୍ରାକୃତିକ ପରିସ୍ଥିତିକୁ ।

୧୯୯୯ ବାତ୍ୟା ପରେ ବାଇଚଢ଼େଇ କୁଆଡେ ଉଭେଇ ଗଲେ ଗାଆଁ ଗଣ୍ଡାରୁ । ସ୍ବଭାବତଃ ସେମାନେ ଆଉ ଦେଖିବାକୁ ମିଳିଲେ ନାହିଁ । ଯେମିତି ବିଲୁପ୍ତ ହେଇଗଲା ପରି ଲାଗିଲେ । ୧୯୯୯ ମହାବାତ୍ୟା ବେଳକୁ ମୁଁ ଦିଲ୍ଲୀରେ ଥିଲି । ବାତ୍ୟା ପରେ ଗାଆଁକୁ ଫେରି ଗାଁର ଶ୍ରୀହୀନ ପରିସ୍ଥିତିକୁ ଦେଖିଲି । ମନରେ ପ୍ରଶ୍ନ ଉଠୁଥିଲା ବିଚରା ବାଇଚଢ଼େଇ ସବୁ ବାତ୍ୟାରେ ମର୍ମଦୁନ୍ତ ମୃତ୍ୟୁବରଣ କରଛନ୍ତି ।
        
କିଛିବର୍ଷ ପରେ ଅନ୍ୟ ପକ୍ଷୀ ମାନେ ଫେରିଲେ ପ୍ରକୃତି କୋଳକୁ କିନ୍ତୁ ବାଇଚଢ଼େଇ ଦେଖିବାକୁ ମିଳିଲେ ନାହିଁ, ଅନେକ ଦିନ ପର୍ଯ୍ୟନ୍ତ ! ବେଳେ ବେଳେ ଲାଗୁଥିଲା ଏମାନେ ବିଲୁପ୍ତ ହେଇଗଲେଣି  !

ଏବେ ଆଶ୍ୱାସନାର ବିଷୟ ଗାଁଗହଳିରେ, ତାଳଗଛରେ ପୁଣି ବାଇଚଢ଼େଇ ଦେଖିବାକୁ ମିଳିଲେଣି । ପୁଣି ସେଇ ଚଢ଼େଇଙ୍କ କୋଳାହଳ ଶୁଣିବାକୁ ମିଳିଲାଣି । ସତେ ଯେମିତି ପୁଣି ପ୍ରକୃତି କୋଳରେ  ପୃଥିବୀର ବିଶେଷ ସୃଷ୍ଟି ଫେରି ଆସିଲାଣି ।

© ଅକ୍ଷୟ ଓଝା, ରାଇଁଲୋ,ନୂଆପଡ଼ା, ଆଳି,କେନ୍ଦ୍ରାପଡ଼ା

Spread the love
admin

Recent Posts

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

6 days ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…

3 weeks ago

ଛଅଟି କୋକେଇ

ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…

4 weeks ago