ଲେଖା: ଦେଵ ତ୍ରିପାଠୀ

“ଉତ୍କଳର ପୂର୍ବ-ସ୍ମୃତି-ପୂତ,
ବାରବାଟୀ ଆଜ ସାଜେ ସଜ୍ଜୀଭୂତ।
ଐତିହାସିକ ଏ ଦୁର୍ଗ ବାରବାଟୀ,
ବୀର ରକ୍ତପିଣ୍ଡେ ଗଢା ଯାର ମାଟି।

ବାରବାଟୀ ଯହିଁ ମନ-ସ୍ମୃତି-ପୋତେ,
ବାହିଯାଏ ପ୍ରତିଲୋମେ କାଳସ୍ରୋତେ।
କାଳେ କାଳେ କେତେ ଦେଖି ଯେ ଆସିଲା,
ନଶ୍ଵର ନରର ଗରିମାର ଲୀଳା !”
(କବିବର ରାଧାନାଥ ରାୟ କୃତ ‘ଦରବାର’)

ଯେଉଁ ପୁଣ୍ୟପୀଠ ବାରବାଟୀର ଭଗ୍ନସ୍ତୂପ ଦେଖି ଏଭଳି କାଳଜୟୀ ପଙ୍କ୍ତି ରଚିଥିଲେ କବିବର, ସେଇ ବାରବାଟୀ ମଧ୍ୟ ଜଣକର ଜୀବନରେ ଭରି ଦେଇଥିଲା ନବଉନ୍ମେଷ ! ଉତ୍କଳପ୍ରାଣ ଯୁବକଟିର ପ୍ରାଣରେ ତୋଳିଥିଲା ଉଦବେଳନ ! ସେଇ ଭଗ୍ନସ୍ତୂପ ହିଁ ଅଭିପ୍ରେରିତ କରିଥିଲା ଉତ୍କଳର ଗୌରବକାହାଣୀକୁ ରଚିବାରେ ! ସେ ଯୁବକ ମଧ୍ୟ ପରିଚିତ ହୋଇଯାଇଥିଲା ଓଡ଼ିଶା ମାଟିର ପ୍ରଥମ ଓଡ଼ିଆ ଐତିହାସିକ !

୧୯୦୮ ମସିହା । କଟକ

ପ୍ରବେଶିକାରେ ଉତ୍ତୀର୍ଣ୍ଣ ହୋଇ ଛାତ୍ରଟିଏ ଯୋଗଦିଏ ରେଭେନ୍ସାରେ F.A. ଶ୍ରେଣୀରେ । ହିତାକାଙ୍କ୍ଷୀମାନଙ୍କର ଇଚ୍ଛା, ଏଡ଼େ ମେଧାବୀ ପିଲାଟେ, ବିଜ୍ଞାନ ପଢ଼ୁ । ସେ କିନ୍ତୁ ବାଛିନେଲା ସାହିତ୍ୟ (କଳା) ! ଛାତ୍ରାବାସର ଖର୍ଚ୍ଚ ତୁଲାଇବାକୁ ସେ କଟକ ସହରରେ ଛୋଟ ଚାକିରିଟେ ମଧ୍ୟ ଯୋଗାଡ଼ି ନେଲା । ତଥାପି ଗରିବ ଛାତ୍ର ଅବା ସାଥୀ ଜଣେ ଯଦି ଅଭାବରୁ ପାଠପଢ଼ାରୁ ଦୂରେଇ ଯିବାକୁ ବସେ, ଏଇ ଛାତ୍ରଟି ସହଯୋଗର ହାତ ବଢ଼ାଇଦିଏ ! କଟକ ସହର କିମ୍ବା ଆଖପାଖରେ କିଏ ବିମାର ହେଲେ ବଇଦଡ଼ାକ୍ତରକୁ ଧରି ପହଞ୍ଚିଯାଏ ସେ ! ବନ୍ୟା ଦୁର୍ବିପାକ ହେଲେ ଚୁଡ଼ାଚାଉଳ ଧରି ଆଗେଇଯାଏ ସେଇ ଛାତ୍ର ! ଅଧ୍ୟାପକମାନେ କୁହାକୁହି ହୁଅନ୍ତି, ଏ ପିଲା ଦିନେ ମାଟିର ନାମ କାଳକାଳକୁ ଅମର କରିବ ! କହିବା ବାହୁଲ୍ୟ, ପୁଣ୍ୟଭୂମି ରେଭେନ୍ସାରେ ହିଁ ଘଟିଥିଲା ସେ ଯୁବକର ମାନବିକ ଗୁଣର ବିକାଶ !

ଅଧ୍ୟୟନ ତଥା ସମାଜସେବାର ବ୍ୟସ୍ତତା ଭିତରେ ମଧ୍ୟ ମନ ତା’ର ଖୋଜୁଥିଲା ଇଷ୍ଟପୁରୁଷଙ୍କୁ ! ଏଇ ମାଟିର ମଉଡ଼ମଣିଙ୍କୁ ! କେବେ ଯଦି ଥରେ ଭେଟିପାରନ୍ତା, ଓଡ଼ିଆ ଭାଷା, ସଂସ୍କୃତି, ସାହିତ୍ୟ, ସ୍ବାଭିମାନର ଉତ୍କର୍ଷ ସାଧନ ପାଇଁ ଏକନିଷ୍ଠ ସେଇ ସାଧକଙ୍କ ଠାରୁ ସାଧନାର ମନ୍ତ୍ରଟି ପାଇଁ ପାରନ୍ତା ଅବା ! ସୁପ୍ତ ଓଡ଼ିଆ ଜାତିକୁ ଉଠାଇବାରେ ଲାଗିପଡ଼ିଥିବା ସେଇ ସିଦ୍ଧପୁରୁଷଙ୍କ ଚରଣରେଣୁକୁ ମୁଣ୍ଡରେ ମାରି ଧନ୍ୟ ହୁଅନ୍ତା ସେ ! କିନ୍ତୁ ସମ୍ବାଦପତ୍ରରୁ ଇଷ୍ଟପୁରୁଷଙ୍କ ଭାବଗର୍ଭକ ଭାଷଣର ଲେଖା ସବୁ ପଢ଼ିଚାଲେ ସିନା, ସେଇ ମାନସଗୁରୁଙ୍କ ଆଶୀର୍ବାଦ ଲାଗେ ସାତସପନ ପରି !

ସେଇ ମହାପୁରୁଷଙ୍କ ବ୍ୟତୀରକେ ସେ ଯୁବକଟିକୁ ନିଜ ଆଡ଼କୁ ଟାଣୁଥିଲା ଆଉ ଜଣେ ! କଟକ ସହର ! ସମୟ ମିଳିଲେ ଛୁଟି ଯାଉଥିଲା ସହରର ଛାତି ଉପରେ କ୍ଷତାକ୍ତସୈନ୍ୟ ପରି ଲୋଟିପଡ଼ିଥିବା ବାରବାଟୀର ପରିସରକୁ !

ବାରବାଟୀର ଭଗ୍ନସ୍ତୂପ ଭିତରେ କିନ୍ତୁ ସେ ଦେଖିପାରୁଥିଲା ଦିନେ କେବେ ମଣିମୁକ୍ତାରେ ହସୁଥିବା ନଅରକୁ ! ନଭଶ୍ଚୁମ୍ବୀ ନବତଳ ପ୍ରାସାଦର ଶୀର୍ଷରେ ଦିଗବିଜୟୀ ସମ୍ରାଟଙ୍କ ବିଜୟଧ୍ୱଜା, ସଦର୍ପେ ଉଡ଼ୁଥିବାର !

ନିଷ୍ପ୍ରାଣ ପଥର ଦେହରେ ସେ ଅନୁଭବି ପାରୁଥିଲା ସେଇ ବୀରମାଟିର ବୀରଛାତିରେ ନିଗିଡ଼ି ଯାଇଥିବା କେତେ କେତେ ଲଢ଼ୁଆଳ ପାଇକଙ୍କ ତାଜାଲହୁର ଉଷ୍ମତା ! ପାଇକବୀର ବକ୍ସିଙ୍କ ଶେଷ ଜୀବନର ବ୍ୟଥାକୁ!

ସେଇ ନିଥର ପଥର ଦେହରେ କାନଡ଼େରି ସେ ଶୁଣିପାରୁଥିଲା ଯୁଦ୍ଧମୁହାଁ ରାଉତମାନଙ୍କ ତରବାରୀର ଝଙ୍କାର ! ପୁରୁଷୋତ୍ତମ ଦେବ, ମଣିମଲ୍ଲଙ୍କ ପରି କେତେ ଉତ୍କଳୀୟ ରାଜନ୍ୟ ସେନାପତିଙ୍କ ଶୌର୍ଯ୍ୟ ଓ ବୀରତ୍ବର ଜୟଗାନ !

କାଠଯୋଡ଼ିର ନିର୍ଜୀବ ପଥରବନ୍ଧ ଭିତରେ ସେ ଯୁବକଟି ଦେଖି ପାରୁଥିଲା ଜଣେ ସାଧାରଣ ମଳିମୁଣ୍ଡିଆ ଓଡ଼ିଆର ତ୍ୟାଗ, ବଳିଦାନ ଓ ଦେଶପ୍ରେମୀ ଚିତ୍ର ! ବାଇମୁଣ୍ଡିଙ୍କ ମହନୀୟତାର ଚିତ୍ରରୁ ହିଁ ସେ ପାଇଥିଲା ଅହେତୁକ ପ୍ରେରଣା – ନିଜ ଜୀବନକୁ ଦେଶସେବାରେ ଉତ୍ସର୍ଗ କରିବା ପାଇଁ, ଇତିହାସର ଗବେଷଣାରେ ନିଜକୁ ନିମଜ୍ଜିତ ରଖିବା ପାଇଁ !

କାଠଯୋଡ଼ି ବନ୍ଧରେ ବସି ସେଦିନର ୨୧ ବର୍ଷର ଯୁବକ ଜଣକ ଉତ୍କଳୀୟ ଗୌରବକାହାଣୀ ଲେଖିବାର ପଣ କରିଥିଲା, ପରବର୍ତ୍ତୀ କେଇ ବର୍ଷ ମଧ୍ୟରେ ତା’ର ଲେଖନୀରୁ ସୃଷ୍ଟି ହେଲା ଅତୁଳନୀୟ ଐତିହାସିକ ଗବେଷଣାତ୍ମକ ରଚନା ! ‘ବାରବାଟୀ’, ‘କୋଣାର୍କ’, ‘ଉତ୍କଳ ଇତିହାସ’ ପରି ଅମର ସୃଷ୍ଟିମାନ ସର୍ଜନା କରି ‘ମୁକୁର’ ପତ୍ରିକା ସହିତ ଓଡ଼ିଆଙ୍କ ନିକଟରେ ପରିଚିତ ହେଲା ଓଡ଼ିଶାର ପ୍ରଥମ ପ୍ରସିଦ୍ଧ ଐତିହାସିକ ଭାବେ !

ନିଜର ଅତୁଳନୀୟ ଧୀଶକ୍ତି, ବିଦବତ୍ତା, ଜ୍ଞାନର ପରାକାଷ୍ଠା ପ୍ରଦର୍ଶନ କରି ସେଇ ଯୁବକ ଦିନେ ପରିଚିତ ହେଲେ ପଣ୍ଡିତ କୃପାସିନ୍ଧୁ ମିଶ୍ର ଭାବେ, ଉତ୍କଳ ଶିକ୍ଷାକାଶର ଜଣେ ଉଜ୍ଜ୍ୱଳ ନକ୍ଷତ୍ର ରୂପେ !

ଜୀବନରେ କେତେ କେତେ ଅମୂଲ୍ୟ କୃତି ବିତରଣ କରିଯାଇଥିବା ଏବଂ ବହୁମୂଲ୍ୟ କର୍ମମୟ ଜୀବନର ସଫଳତା ପାଇଁ ପଣ୍ଡିତ କୃପାସିନ୍ଧୁ ମିଶ୍ର ଋଣୀ ରହିଥିଲେ କଟକ ମାଟି ପ୍ରତି ! ଏକଲବ୍ୟ ପରି ଯେଉଁ ଇଷ୍ଟପୁରୁଷଙ୍କୁ ସେ ମାନସଗୁରୁ ରୂପେ ପୂଜା କରି ଆସୁଥିଲେ, ପରବର୍ତ୍ତୀ ସମୟରେ ସେଇ ମଧୁବାବୁଙ୍କ ପ୍ରେରଣାରେ ଜାତୀୟତାବାଦରେ ଅଭିମନ୍ତ୍ରିତ ହୋଇ ସ୍ବାଧୀନତା ସଂଗ୍ରାମରେ ଝାସ ଦେଇଥିଲେ ।

ବିଡ଼ମ୍ବନା, ଓଡ଼ିଶା ମାଟିର ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଯେ ଓଡ଼ିଶାର ଇତିହାସ ହିଁ ପଢ଼ିବାର ଆବଶ୍ୟକତା ଅନୁଭବ କରି ଯିଏ ପାଠ୍ୟକ୍ରମରୁ ଇଂଲଣ୍ଡ ଇତିହାସକୁ ହଟାଇ ପାରିଥିଲେ, ପିଲାଙ୍କ ପାଇଁ ଯିଏ ରଚିପାରିଥିଲେ ସୁଖପାଠ୍ୟ ଓଡ଼ିଶା ଇତିହାସ; ସେଇ ମହାଦ୍ରୂମସମ ପ୍ରତିଭାବାନ ସାଧକଙ୍କୁ ଏ ଜାତି ଅବା କି ସମ୍ମାନ ଦେଇପାରିଛି ?

ନା ତାଙ୍କ ଅମୂଲ୍ୟ କୃତିଗୁଡ଼ିକର ଏ ଯାଏଁ ଯତ୍ନ ନିଆଯାଇପାରିଛି, ନା ତାଙ୍କ କୃତୀ ଛାତ୍ରମାନଙ୍କ ମଧ୍ୟରୁ କେହି ଜଣେ ହେଲେ ତାଙ୍କ ପୂର୍ଣ୍ଣାଙ୍ଗ ଜୀବନ ପୁସ୍ତକ ଲେଖିବାରେ ଆଗ୍ରହ ପ୍ରକାଶ କରିଛନ୍ତି ?

ସେଇ ଐତିହାସିକ, ସାହିତ୍ୟସାଧକ ତଥା ପ୍ରବୀଣ ଲେଖକଙ୍କ ପୂର୍ଣ୍ଣାଙ୍ଗ ଜୀବନ ଚରିତ ଲେଖାଗଲେ, ଏହା ପରପିଢ଼ିର ଯୁବବର୍ଗକୁ ମାର୍ଗଦର୍ଶନ ସହିତ ତାଙ୍କ ଭଳି ନିରଭିମାନ ବ୍ୟକ୍ତିତ୍ଵଙ୍କ ପ୍ରତି ତାହା ହେବ ସର୍ବଶ୍ରେଷ୍ଠ ସମ୍ମାନ ।

ଆଧାର: ଉତ୍କଳ ପ୍ରସଙ୍ଗ ଏବଂ ଅନ୍ୟାନ୍ୟ ଆଲେଖ୍ୟ

ଚିତ୍ର: ବାରବାଟୀ ଦୁର୍ଗ, Cuttack Puja Festivals & Deba Prasad Swain

Spread the love
admin

Recent Posts

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

15 hours ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

2 days ago

ଦଶପଲ୍ଲା ଗଡ଼

ଦଶପଲ୍ଲା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଅଧୁନା ନୟାଗଡ଼ ଜିଲ୍ଲା ପୂର୍ବରୁ ଚାରି ଗଡଜାତରେ ବିଭକ୍ତ ଥିଲା ଯଥା,…

5 days ago

ମା’ ଚର୍ଚ୍ଚିକା

~ ବାଙ୍କୀଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା' ଚର୍ଚ୍ଚିକା ଠାକୁରାଣୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ବା ଉତ୍କଳ…

7 days ago

ଓଡ଼ିଆ ସାହିତ୍ୟର ଇତିହାସ

~ ଓଡ଼ିଆ ସାହିତ୍ୟର ଇତିହାସ ~ ଉପସ୍ଥାପନା: ନିରଞ୍ଜନ ସାହୁ ସାହିତ୍ୟ ହେଉଛି ମୂଳତଃ ମଣିଷର। ଜୀବନର ବିବିଧ ପରିଧି…

1 week ago

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି ଉପସ୍ଥାପନା: ଅନିଲ କୁମାର ପାଣିଗ୍ରାହୀ ଆବିର୍ଭାବ: ୧୧ ଅଗଷ୍ଟ ୧୯ଠ୬ ତିରୋଧାନ: ୬ ଏପ୍ରିଲ ୧୯୯୪…

1 week ago