ଲେଖା: ଅକ୍ଷୟ ଓଝା

ବଲୁରିଆ ଏକ ବହୁ ପ୍ରାଚୀନ ଗ୍ରାମ । ଏହି ଗ୍ରାମଟି ଛୋଟ ଛୋଟ ଭାଗରେ ବିଭକ୍ତ । ତଳ ବଲୁରିଆ, ଉପର ବଲୁରିଆ, ମହଲକଣ, ଜଲ୍ଲାକୁଳ ଇତ୍ୟାଦି । ବଲୁରିଆ ନାମକରଣ ସହିତ ପ୍ରାଚୀନ ଦଧିବାମନ ଜୀଉଙ୍କ ଅବସ୍ଥାନ ଏକ ରହସ୍ୟମୟ ଅଧ୍ୟାୟ ।

କେନ୍ଦ୍ରାପଡା ଜିଲ୍ଲା ଆଳି ଅଞ୍ଚଳ ବହୁଦିନ ଧରି ଆଳି ରାଜବଂଶ ଅଧୀନରେ ଶାସିତ ହେଇ ଆସୁଥିଲା । ଏହି ଅଞ୍ଚଳର ଅଧିବାସୀ ସମ୍ପୂର୍ଣ ହିନ୍ଦୁ ଧର୍ମର ପରିସୀମା ଭିତରେ ଇଶ୍ଵର ବିଶ୍ୱାସ ସହିତ ଶାନ୍ତ ସରଳ ଜୀବନଯାପନ କରୁଥିଲେ । ବ୍ରାହ୍ମଣୀ ଓ ଖରସ୍ରୋତା ଉପ ନଦୀ କାଣି ନଦୀଦ୍ବୟର ମଧ୍ୟଭାଗରେ ଥିବା ଉର୍ବର ଚାଷଜମି ଓ ମାନବବସ୍ତିକୁ କରାଳ ବନ୍ୟା କବଳରୁ ବଞ୍ଚାଇବା ପାଇଁ ସେ ସମୟର ପ୍ରବଳ ପ୍ରଭାବୀ ରାଜା ଏକ ୩୦.୪୪ କିଲୋ ମିଟରର ରିଙ୍ଗ ରୋଡର ନିର୍ମାଣ କାମ ଆରମ୍ଭ କରିଥିଲେ । ଏହା ଆଳି ରାଜନଅରରୁ ଆରମ୍ଭ ହୋଇ ଏକ ଗୋଲାକାର ପରିଧି ସଦୃଶ ରାଜ ନଅର ପଛରେ ସମାପ୍ତ ହୋଇଛି, ଯାହା ଆଜି ଏ ଅଞ୍ଚଳ ପାଇଁ ବରଦାନ ସଦୃଶ ।
      
କରାଳ ବନ୍ୟାରେ ଏହା ଏକ ଦ୍ଵୀପ ସଦୃଶ ହେଇଯାଏ, ଜନଜୀବନ ବିପର୍ଯ୍ୟସ୍ତ ହେବା ସହିତ ନାହିଁ ନଥିବା  କ୍ଷୟକ୍ଷତି ହେଇଥିଲା । ଆଜି ଏହା ଏକ ଉର୍ବରଶୀଳ ଶସ୍ୟଶ୍ୟାମଳ ଭରା ଅଦ୍ୱିତୀୟ ଅଞ୍ଚଳ ନାମରେ ସୁଖ୍ୟାତି ଅର୍ଜନ କରିଛି ।

 
ବଲୁରିଆ ଗ୍ରାମରେ ପ୍ରଭୂ ଦଧିବାମନ ଜୀଉଙ୍କର ଏକ ଭବ୍ୟ ବିଶାଳ ମନ୍ଦିର ଅବସ୍ଥିତ। ଏହି ପ୍ରାଚୀନ ମନ୍ଦିରରେ ପ୍ରଭୁ ଜଗନ୍ନାଥ ଦଧିବାମନଜୀଉ ରୂପରେ ପୂଜା ପାଇ ଆସୁଛନ୍ତି । ପାରମ୍ପରିକ ଉତ୍କଳୀୟ କଳାଶୈଳୀରେ ନିର୍ମିତ ଏହି ମନ୍ଦିର ହିନ୍ଦୁ ଭାବନାକୁ ଖୁବ ପ୍ରେରିତ କରେ । ସ୍ନାନପୂର୍ଣ୍ଣମୀ, କାର୍ତ୍ତିକ ପୂର୍ଣ୍ଣମୀ ତଥା ଶିବରାତ୍ରୀ ଇତ୍ୟାଦି ପର୍ବପର୍ବାଣୀରେ ଏଠାରେ ମେଳା ଲାଗେ । ଆଖପାଖ ଅଞ୍ଚଳରୁ ଖୁବ୍ ଭିଡ ଲାଗେ । ଦୋକାନବଜାର ଯାତ୍ରା ନାଟକରେ କେଇଦିନ ଏହି ଅଞ୍ଚଳ ମୁଖରିତ ହୋଇଯାଏ ।

ମନ୍ଦିରକୁ ଲାଗି ଏକ ସୁନ୍ଦର ପୋଖରୀଟିଏ ଅବସ୍ଥିତ । ଏହି ପୋଖରୀରରୁ ଭକ୍ତମାନେ ଶୌଚ ହୋଇ ଦଧିବାମନ ଦର୍ଶନ କରିଥାନ୍ତି । ମନ୍ଦିରର ପୂଜାର୍ଚ୍ଚନା ଦାୟିତ୍ୱରେ ଅଧିକାରୀ ବ୍ରାହ୍ମଣ ବଂଶଙ୍କ ହାତରେ ଥାଏ । ଏହି ମନ୍ଦିରରେ ପୂଜା ପରମ୍ପରା ବଡ଼ ନିଆରା । ଅତି ନୈଷ୍ଠିକ ରୀତିନୀତିରେ ପୂଜା ହୋଇଥାଏ । ତିନି ଥାଳିରେ ପୂଜା ହୁଏ ଜୀଉଙ୍କ ପାଇଁ ପୂଜା ପରେ ଶିବ ଆରାଧନା କରାଯାଏ ଓ ଶେଷରେ ଅନ୍ୟାନ୍ୟ ଦେବଦେବୀ ପୂଜା ପାଇଥା’ନ୍ତି ।ମନ୍ଦିର ବେଢ଼ାରେ ଏକ ବିଶାଳ ମାର୍ଦଳ (ବାଜା) ରହିଛି । ପ୍ରଭୁଙ୍କ ନୀତି ଚାଲିଥିବା ବେଳେ ଏହା ବାଦନ କରାଯାଇଥାଏ । ଏକ ଗୁରୁ ଗମ୍ଭୀର ନାଦରେ ଏହା ଘଣ୍ଟ କରତାଳ ସହିତ ବାଜିଥାଏ । ଏହି ଶବ୍ଦ ଶୁଣିଲେ ଛାଏଁ ଛାଏଁ ଭକ୍ତିର ଭାବ ପ୍ରକଟ ହୋଇଯାଏ ।

ପ୍ରଥମେ ଏହି ପ୍ରଭୁ ଦଧିବାମନଙ୍କ ଅବସ୍ଥାନ ଅଣ୍ଢରା ଗ୍ରାମରେ ଥିଲା । ସେଠିକାର ପଣ୍ଡା ପ୍ରଭୁଙ୍କ ପୂଜା ନ କରିପାରିବାରୁ ଆଳି ରାଜାଙ୍କ ଦରବାରରେ ଗୁହାରୀ କଲା । ରାଜା ନିର୍ଦ୍ଦେଶ ଦେଲେ ପ୍ରଭୁଙ୍କ ମୂର୍ତ୍ତିକୁ ଆଳି ନେଇ ଆସିବାକୁ ।

ପଣ୍ଡାଜଣକ ମୂର୍ତ୍ତିକୁ ଘଣ୍ଟ ଭିତରେ ରଖି ମୁଣ୍ଡରେ ଥୋଇ ଆଳି ରାଜ ନଅର ଅଭିମୁଖେ ବାହାରି ପଡିଲେ । ଗନ୍ତବ୍ୟପଥ ଜଙ୍ଗଲିଆ ଥିଲା । ଠିକ ଏହି ଯାଗାରେ ଯେଉଁଠି ଆଜି ମନ୍ଦିର ଅବସ୍ଥିତ ସେଠାରେ ଏକ ଜଙ୍ଗଲିଆ ପାଦଚଲା ରାସ୍ତା ଥିଲା । ଗାଈଆଳ ପିଲାମାନେ ଗାଈ ଚରାଉଥିଲେ । ପାଖରେ ଏକ ଗଛରେ ବଲୁରିବସା ଥିଲା । ସେମାନେ ପଥର ମାରି ବାଲୁରିମାନଙ୍କୁ ଘଉଡ଼ାଉ ଥିଲେ । ପଣ୍ଡିତେ ଠାକୁରଙ୍କୁ ଧରି ସେଇ ବାଟେ ଯାଉଥିଲେ । ବଲୁରି ଆକ୍ରମଣରେ ପଣ୍ଡିତେ ସେଇଠି ମୂର୍ତ୍ତି ଛାଡ଼ି ଧାଇଁ ପଳେଇଲେ । ତା’ ପରେ ସତ ଚେଷ୍ଟା ପରେ ସେ ବଲୁରିମାନଙ୍କ କବଳରୁ ଘଣ୍ଟ ସହିତ ମୂର୍ତ୍ତିକୁ ଆଣି ପାରିଲେ ନାହିଁ । ବଲୁରିମାନେ ମୂର୍ତ୍ତିକୁ ଯେମିତି ବେଢ଼ି କରି ରହିଥିଲେ । ରାଜାଙ୍କ ପାଖକୁ ଖବର ଗଲା । ରାଜା ଆସି ପହଞ୍ଚିଲେ ।
 
ଉକ୍ତ ପଣ୍ଡିତଙ୍କ ଠାରୁ ସବୁ କିଛି ଶୁଣିବା ପରେ ରାଜା କହିଲେ ଠାକୁର ତା ହେଲେ ଆଉ ଆସିବାକୁ ଚାହୁଁ ନାହାନ୍ତି ସେ ସେଇଠି ରହିବାକୁ ଚାହୁଁଛନ୍ତି । ସେଠି ଜଙ୍ଗଲକଟା ହେଲା ଏକ ଚାଳଘର କରି ମୂର୍ତ୍ତି ସ୍ଥାପନା ହେଲା । ସେ ଅଞ୍ଚଳର ବିଶେଷ କିଛି ନାମ ନଥିଲା ବଲୁରି ମାରିଥିବାରୁ ରାଜାଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହି ଜାଗାଟିର ନାମ ଵଲୁରିଆ ରଖାଗଲା । ଏହାର ସୀମା ସିଂହାଇ ପାଞ୍ଚାଣପଡ଼ା, ନୂଆପଡ଼ା ଓ ରାଇଁଲୋରୁ କିଛି କିଛି ଅଂଶ କଟା ଯାଇ ପିଆଦାମାନଙ୍କ ଦ୍ଵାରା ଚୂନରେ ଚିହ୍ନିତ କରାଯାଇ ସୀମା ନିର୍ଣ୍ଣୟ କରାଗଲା  ।


ସେ ସମୟରେ ଗାଁ ଗାଁ ବୁଲି ଭିକ୍ଷାବୃତ୍ତି କରି ଦୁଇଜଣ ବ୍ରାହ୍ମଣ ଭାଇ ଚଳୁଥିଲେ । ଥରେ ସେ ଦୁଇ ଭାଇ ରାଜ ନଅର ଭିତରକୁ ଭିକ୍ଷା ପାଇଁ ଆସିଥିଲେ । ରାଜା ସେ ଦୁଇଭାଇଙ୍କୁ କହିଲେ ଏମିତି ଭିକ୍ଷା କର ନାହିଁ, ମୁଁ ବଲୁରିଆ ନାମକ ଏକ ସ୍ଥାନରେ ଏକ ଦଧିବାମନ ମୂର୍ତ୍ତି ସ୍ଥାପନ କରିଛି ତୁମେ ଦୁଇଭାଈ ଯାଇ ସେଇଠି ପୂଜାର୍ଚ୍ଚନା କରି ଜୀବନଯାପନ କର ।ରାଜା ଏକ ଚାଳଘର ନିର୍ମାଣ କରି ରହିବାକୁ ଦେଇଦେଲେ । ସେ ସମୟରେ ଜଗନ୍ନାଥ ମୂର୍ତ୍ତି ପୂଜା କରିବାକୁ ହେଲେ ଗୌଡ଼ୀୟ ଧର୍ମ ଅବଲମ୍ବନ କରିବାକୁ ପଡୁଥିଲା । ସେତେବେଳେ ବ୍ରାହ୍ମଣମାନେ ନିଷ୍ଠାପର ଥିଲେ । ବଡ଼ଭାଇ ରାଜି ହେଲେନି ଗୌଡ଼ିୟ ଧର୍ମ ଅବଲମ୍ବନ କରିବାକୁ କିନ୍ତୁ ସାନଭାଈ ଗ୍ରହଣ କରି ପୂଜାର୍ଚ୍ଚନା କଲେ । ବଡ଼ଭାଇ ଦିନମାନ ଭିକ୍ଷାବୃତ୍ତି କରି ରାତିରେ ଏହି ମନ୍ଦିରରେ ଭୋଜନ ସହିତ ବିଶ୍ରାମ କରୁଥିଲେ ।

କିଛିଦିନ ପରେ ସେମାନେ ନିଜ ଭିତରେ ଅଧା ମାସ ଜଣେ ଆଉ ଅଧା ମାସ ଆଉଜଣେ ଭାଇ ପୂଜା କରିବେ ବୋଲି ନିର୍ଣ୍ଣୟ ନେଲେ ଓ ତାହା ହିଁ ହେଲା ।

କିଛିଦିନ ପରେ ବଡ଼ଭାଈ କହିଲେ କି ମୁଁ ଏ ମନ୍ଦିରର ମୁଖ୍ୟ ପୂଜକ ଅର୍ଥାତ ଅଧିକାରୀ ହେବି । ସାନ କହିଲେ ମୁଁ ଗୌଡ଼ିୟ ଧର୍ମ ଗ୍ରହଣ କରି ପୂଜା ଆରମ୍ଭ କଲି ଆପଣ କେମିତି ଅଧିକାରୀ ହେବେ ? ଝଗଡ଼ା ରାଜାଙ୍କ ପାଖରେ ପହଞ୍ଚିଲା । ରାଜା ସାନଭାଇଙ୍କୁ ଅଧିକାରୀ ପଦବୀ ସହିତ ମନ୍ଦିରରେ ମୁଖ୍ୟ ଦାୟିତ୍ୱ ଦେଲେ । ବଡ ବଂଶ ପୂଜା କଲେ କିନ୍ତୁ ଅଧିକାରୀ ପଦବୀରୁ ବଞ୍ଚିତ ରହିଲେ । ଆଜି ଏହି ମନ୍ଦିର ପାଖରେ ରହୁଥିବା ବିରାଟ ବ୍ରାହ୍ମଣବଂଶ ସେ ସମୟରୁ ବିସ୍ଥାପିତ ।

ଏହା ଅଶୀବର୍ଷୀୟ ଅଧିକାରୀ ମଦନମୋହନ ଦାସଙ୍କ ଠାରୁ ମୋ ସହପାଠୀ ଶିକ୍ଷୟତ୍ରୀ ଶ୍ରୀମତୀ ମନୋରମା ମଲ୍ଲିକ ଏକ ସାକ୍ଷାତକାରରେ ଲିପବଦ୍ଧ କରିଥିଲେ । ଅଧିକାରୀ ମଦନମୋହନ ଦାସଙ୍କ କହିବା ଅନୁଯାୟୀ ଏହା ପ୍ରାୟ ୭୦୦ ବର୍ଷ ତଳର କଥା ।  ପିତା ପଦ୍ମଚରଣଙ୍କ ବାଲ୍ୟ ସମୟରେ ଏହି ପ୍ରାଚୀନ ମନ୍ଦିର କାର୍ଯ୍ୟ ଆରମ୍ଭ ହେଇଥିଲା ଆଜି ଏକା ପୂର୍ଣ୍ଣାଙ୍ଗ ରୂପରେ ଦଣ୍ତାୟମାନ ।

ରେଭିନ୍ୟୁ ଡିପାର୍ଟମେଣ୍ଟରୁ ଅବସର ନେଇଥିବା ଶ୍ରୀ ପ୍ରେମାନନ୍ଦ ଦାସ କୁହନ୍ତି ପ୍ରଭୁ ଦଧିବାମନଜୀଉ ବଡ଼ ପ୍ରତ୍ୟକ୍ଷ ଦେବତା । ପ୍ରତ୍ୟକ୍ଷ ଭାବରେ ସେ ଭକ୍ତମାନଙ୍କ ଦୁଃଖ ଦୂର କରନ୍ତି ।

ଆମ ଅଞ୍ଚଳ ଏକ ଐତିହ୍ୟ ସମ୍ପନ୍ନ ଧାର୍ମିକ ଅଞ୍ଚଳ । ଆଜି ଆଧୁନିକ ଯୁଗର ପ୍ରଭାବରେ ସାମାନ୍ୟ ଧର୍ମବିଶ୍ୱାସ ମଉଳି ଆସୁଛି କିନ୍ତୁ ସମୟ ଆସିବ ପୁଣି ଆମେ ଆମ ଇତିହାସକୁ ନେଇ ଗର୍ବ କରିବା । 

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

4 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago