ଲେଖା: ଶ୍ରୀକାନ୍ତ ସିଂହ
ଶାକ୍ତ ପରମ୍ପରା ଓ ଉପାସନାରେ ସପ୍ତମାତୃକାଙ୍କ ସ୍ୱରୂପ ଚିତ୍ରଣ ଓ ରୂପ କଳ୍ପନା ପରବର୍ତ୍ତୀ ସମୟରେ ତନ୍ତ୍ର ସାଧନାକୁ ଜନ୍ମ ଦେଇଥିଲା l କୁହାଯାଏ ଶୁମ୍ଭ ନିଶୁମ୍ଭକୁ ନିପାତ କଲାବେଳେ ଦେଵୀ ଦୁର୍ଗାଙ୍କ ଶରୀରରୁ ସପ୍ତମାତୃକାଙ୍କ ଉଦ୍ଗମ ହୋଇଥିଲା ବା ଆବିର୍ଭୁତା ହୋଇଥିଲେ l ଦେବତାଙ୍କ ନାରୀଶକ୍ତି ସ୍ୱରୂପ ହେଉଛନ୍ତି ଏହି ମାତୃକାଗଣ l ସେମାନେ ହେଲେ ବ୍ରାହ୍ମଣୀ, ବୈଷ୍ଣବୀ, ଶିବଦୂତୀ ବା ଈନ୍ଦ୍ରାଣୀ, ନରସିଂହୀ, ଚାମୁଣ୍ଡା, କୌମାରୀ ଓ ବରାହୀ l
ଆମ ରାଜ୍ୟରେ କେତେକ ସ୍ଥାନରେ ସପ୍ତମାତୃକା ମନ୍ଦିରରେ ମାତୃକାଗଣ ସମୂହ ଭାବରେ ପୂଜା ପାଉଥିବା ବେଳେ ଆଉ କେତେକ ସ୍ଥାନରେ ଏକକ ମନ୍ଦିରରେ ସ୍ୱତନ୍ତ୍ର ଭାବରେ ମାତୃକା ରୂପେ ପୂଜା ପାଉଛନ୍ତି l ଯାଜପୁରର ଦଶାଶ୍ଵମେଧ ଘାଟରେ ସୁପ୍ରସିଦ୍ଧ ସପ୍ତମାତୃକା ମନ୍ଦିର ରହିଛି l ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ କୁଣ୍ଡେଶ୍ୱର ଗ୍ରାମର ତ୍ରିଲୋଚନେଶ୍ୱର ଶିବ ମନ୍ଦିର ନିକଟ ଶଠଳପୁର ଠାରେ ସପ୍ତମାତୃକାଙ୍କ ବହୁ ପ୍ରାଚୀନ ମୂର୍ତ୍ତି ପୂଜା ପାଉଛନ୍ତି l ସେହିପରି ସପ୍ତମ ମାତୃକା ବରାହୀଙ୍କ ଏକକ ମୂର୍ତ୍ତି ପୁରୀ ଜିଲ୍ଲା ଚଉରାଶି ବରାହୀ ମନ୍ଦିର ଠାରେ ପୂଜା ପାଉଛନ୍ତି l
ପ୍ରାଚୀ ଉପତ୍ୟକାରେ ଥିବା ଏହି ବରାହୀ ମନ୍ଦିରଟି ସବୁଠାରୁ ସୁନ୍ଦର ଓ କାରୁକାର୍ଯ୍ୟପୂର୍ଣ୍ଣ ମନ୍ଦିର l ସୋମବଂଶୀ ଶାସନ କାଳରେ ଦଶମ ଶତାବ୍ଦୀରେ ନିର୍ମିତ ବରାହୀ ମନ୍ଦିର ବାସ୍ତୁକଳା ଦୃଷ୍ଟିରୁ ଏକ ଶ୍ରେଷ୍ଠ ନିର୍ମାଣ କହିଲେ ଅତ୍ୟୁକ୍ତି ହେବନାହିଁ l ସମଗ୍ର ପ୍ରାଚୀ ଉପତ୍ୟକାରେ ଯେଉଁ କେତେକ ସୁକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ମନ୍ଦିର ରହିଛି ତନ୍ମଧ୍ୟରେ ଏହି ବରାହୀ ମନ୍ଦିର ସ୍ଥାପତ୍ୟ ଓ ବାସ୍ତୁକଳା ଦୃଷ୍ଟିରୁ ସର୍ବାଗ୍ରେ ରହିବ l
ନିମାପଡ଼ା କାକଟପୁର ରାସ୍ତାରେ ଗଲେ ଏହି ଚଉରାଶି ଗ୍ରାମ ପଡ଼ିବ l ଚାରିଛକରୁ ମଧ୍ୟ ଅମରେଶ୍ୱର ଗ୍ରାମ ଦେଇ ଏହି ବରାହୀ ମନ୍ଦିର ନିକଟରେ ସହଜରେ ପହଞ୍ଚି ହେବ l ଭାରତୀୟ ପତ୍ନତତ୍ତ୍ୱ ବିଭାଗ ବା Archeological Survey Of India [ASI] ଦ୍ୱାରା ଏହି ମନ୍ଦିରଟି ସୁସଂରକ୍ଷିତ l ମନ୍ଦିରଟିର ରକ୍ଷଣା ବେକ୍ଷଣ ଖୁଵ ସୁନ୍ଦର ଓ ମାର୍ଜିତ ଢଙ୍ଗରେ କରାଯାଇଛି l
ମନ୍ଦିରଟି ବରାହଙ୍କ ଶକ୍ତି ସ୍ୱରୂପା ଭଗବତୀ ବରାହୀଙ୍କୁ ସମର୍ପିତ l ପ୍ରାଚୀନ କାଳରେ ଏହି ପୀଠଟି ଏକ ତନ୍ତ୍ରପୀଠ ରୂପେ ସୁପରିଚିତ ଥିଲା l ମନ୍ଦିର ଗର୍ଭଗୃହରେ ବରାହୀ ଦେବୀଙ୍କ ସୁଉଚ୍ଚ ପ୍ରତିମା ଲଳିତାସନରେ ଉପବିଷ୍ଟ l ମା’ଙ୍କ ଏକ ପାଦ ମହିଷ ଉପରେ ରହିଛି l ଦ୍ବିଭୁଜା ବିଶିଷ୍ଟ ମା’ଙ୍କ ଦକ୍ଷିଣ ହସ୍ତରେ ଏକ ମାଛ ଧାରଣ କରିଥିବାବେଳେ ବାମ ହସ୍ତରେ ଏକ ପାତ୍ର ଧାରଣ କରିଛନ୍ତି l ମୁଖଟି ବରାହମୁଖ ଓ କପାଳରେ ତୃତୀୟ ନେତ୍ର ରହିଛି l ମତ୍ସ୍ୟ ଧାରଣ କରିଥିବାରୁ ସ୍ଥାନୀୟ ଅଞ୍ଚଳରେ ଦେବୀ ମତ୍ସ୍ୟବରାହୀ ରୂପେ ପରିଚିତ l
ଗୋପ ନିକଟ ବୟାଳିଶବାଟି ଗ୍ରାମର ଗଙ୍ଗେଶ୍ୱରୀ ମନ୍ଦିର ଗାତ୍ରରେ ଥିବା ବରାହୀଙ୍କ ଦଣ୍ଡାୟମାନ ମୂର୍ତ୍ତି ମଧ୍ୟ ବାମହସ୍ତରେ ରୁଧିର ପାତ୍ର ଧାରଣ କରିଥିବାବେଳେ ଦକ୍ଷିଣ ହସ୍ତରେ ଏକ ଛୁରିକା ଧାରଣ କରିଛନ୍ତି l ଏ ସମସ୍ତ ମୂର୍ତ୍ତି ତନ୍ତ୍ରମତରେ ନିର୍ମିତ l
ମନ୍ଦିରଟି ଅତିବେଶୀରେ ତିରିଶ ଫୁଟ ଉଚ୍ଚ ହେବ ଏବଂ ମୁଖ୍ୟ ଦେଉଳ ବା ବିମାନ ସହ ମନ୍ଦିରର ଜଗମୋହନ ରହିଛି l ଉଭୟ ବିମାନ ଓ ଜଗମୋହନରେ ସର୍ବୋତ୍କୃଷ୍ଟ କାରୁକାର୍ଯ୍ୟମାନ ଦେଖିବାକୁ ମିଳେ l ବିମାନଟି ସ୍ୱତନ୍ତ୍ର କଳିଙ୍ଗ ସ୍ଥାପତ୍ୟ ରେଖ ଓ ଖାଖରା ଶୈଳୀରେ ନିର୍ମିତ ମାତ୍ର ଜଗମୋହନଟି ଆୟତାକାର ଓ ପୀଢ଼ ଶୈଳୀରେ ନିର୍ମିତ l
ଜଗମୋହନର ବାହ୍ୟପାର୍ଶ୍ଵରେ ରାମାୟଣର ବିଭିନ୍ନ କଥାବସ୍ତୁ ଯେପରିକି ଶ୍ରୀରାମଙ୍କ ସ୍ବର୍ଣ୍ଣମୃଗ ପଛରେ ଧାଇଁବା ହେଉ, ଯଟାୟୁ ବଦ୍ଧ, ବାଳୀ ବଦ୍ଧ, ସମୁଦ୍ରରେ ସେତୁ ବନ୍ଧନ ଆଦି ଦୃଶ୍ୟ ଖୁଵ ସୁନ୍ଦର ଭାବରେ ପଥରରେ ଖୋଦିତ ହୋଇଛି l ଏହି ମନ୍ଦିରର ଆଉ ଏକ ବିଶେଷତ୍ୱ ହେଲା, ମନ୍ଦିରର ପ୍ରବେଶ ଦ୍ୱାର ଓ ଚାରିପାର୍ଶ୍ୱରେ ଅନେକ ଗୁଡ଼ିଏ ନାଗ ଓ ନାଗ କନ୍ୟାଙ୍କ ବୃହତ ଓ କମନୀୟ ମୂର୍ତ୍ତିମାନ ଖୋଦିତ ହୋଇଛି ଯାହାକି ଅନ୍ୟତ୍ର ଦେଖିବାକୁ ମିଳେ ନାହିଁ l ପୂର୍ବମୁଖ ଏହି ମନ୍ଦିରର ପାର୍ଶ୍ଵଦେବତା ରୂପେ ପଶ୍ଚିମ ପାର୍ଶ୍ୱରେ ସୂର୍ଯ୍ୟ ଦେବତାଙ୍କ ଏକ କମନୀୟ ଓ ନିଖୁଣ ମୂର୍ତ୍ତି ରହିଛି l ସାତ ଗୋଟି ଘୋଡ଼ା ଯୋଚାଯାଇଥିବା ରଥରେ ସୂର୍ଯ୍ୟ ଦେବତା ପଦ୍ମାସନ ମୁଦ୍ରାରେ ଉପବିଷ୍ଟ ଏବଂ ଉଭୟ ହସ୍ତରେ ପଦ୍ମ ଫୁଲ ଧାରଣ କରିଛନ୍ତି l ଏହି ଭଳି ସୁନ୍ଦର ଓ ନିଖୁଣ ଅରୁଣଙ୍କ ମୂର୍ତ୍ତି କୋଣାର୍କ ସୂର୍ଯ୍ୟ ମନ୍ଦିରରେ ମଧ୍ୟ ଦେଖିବାକୁ ମିଳେନାହିଁ l
ସେହିପରି ଦକ୍ଷିଣ ପାର୍ଶ୍ୱରେ ପାର୍ଶ୍ଵଦେବତା ରୂପେ ଶ୍ରୀ ଗଣେଶଙ୍କ ପ୍ରତିମୂର୍ତ୍ତି ରହିଛି l ମାତ୍ର ଉତ୍ତର ପାର୍ଶ୍ୱରେ ପାର୍ଶ୍ଵଦେବତାଙ୍କ ସ୍ଥାନଟି ଖାଲି ପଡ଼ିଛି l ବିଶ୍ୱାସ କରାଯାଏ ଏଠାରେ ଭୈରବଙ୍କ ଏକ ମୂର୍ତ୍ତି ପୂଜା ପାଉଥିଲେ l କୁହାଯାଏ ଦେବୀ ବରାହୀଙ୍କ ନିକଟରେ ପ୍ରତିଦିନ ମତ୍ସ ସମର୍ପଣ କରାଯାଏ l
ଏହି ଚଉରାଶି ଗ୍ରାମ ଓ ଏହାର ନିକଟରେ ବରାହୀ ମନ୍ଦିର ବ୍ୟତୀତ ଆଉ ତିନୋଟି ପ୍ରାଚୀନ ମନ୍ଦିର ତଥା ସ୍ମାରକ କୀର୍ତ୍ତି ରହିଛି l ସେ ଗୁଡ଼ିକ ହେଲା ଅମରେଶ୍ୱର ଗ୍ରାମରେ ପ୍ରାଚୀନ ଶିବ ମନ୍ଦିର ଅମରେଶ୍ୱର l ଲୋକକଥା ଓ କିମ୍ବଦନ୍ତୀ ଅନୁସାରେ ଲଙ୍କାପତି ରାବଣ ଏଠାରେ ଅମରତ୍ୱ ପ୍ରାପ୍ତ କରିବା ପାଇଁ ତପ ଓ ଯଜ୍ଞ କରିଥିଲେ l ଏହି ମନ୍ଦିର ପରିସରରେ ରାବଣର ଚାରୋଟି ପଥର ମୁଣ୍ଡ ମନ୍ଦିର ସମ୍ମୁଖ ଚଟାଣରେ ଦେଖିବାକୁ ମିଳେ l ମନ୍ଦିର ପରିସରରେ ଚର୍ଚ୍ଚିକା ଓ ଶ୍ରୀ ନୃସିଂହଙ୍କ ମନ୍ଦିର ବି ରହିଛି l
ବରାହୀ ମନ୍ଦିର ଠାରୁ ପାଞ୍ଚଶହ ମିଟର ଦୂରରେ ଲକ୍ଷ୍ମୀନାରାୟଣ ମନ୍ଦିର ରହିଛି l ଏହି ମନ୍ଦିରରେ ଲକ୍ଷ୍ମୀନାରାୟଣଙ୍କ ଏକ ବିରାଟ ଯୁଗଳ ମୂର୍ତ୍ତି ରହିଛି l ଏହି ମୂର୍ତ୍ତି ଠାରୁ ସୁନ୍ଦର, ନିଖୁଣ ଓ କମନୀୟ ଲକ୍ଷ୍ମୀ ନାରାୟଣ ପ୍ରତିମା ଅନ୍ୟତ୍ର ଦେଖିବାକୁ ମିଳେନାହିଁ l ଏହି ଲକ୍ଷ୍ମୀନାରାୟଣ ମନ୍ଦିର ଠାରୁ ପାଞ୍ଚ ଶହ ମିଟର ଦୂରରେ ଲଳିତ ମାଧବଙ୍କ ସୁନ୍ଦର ପ୍ରତିମା ଦେଖିବାକୁ ମିଳେ l ଗହୀର ବିଲ ମଧ୍ୟରେ ଏହି ପ୍ରତିମାଟି ଏକ ସିମେଣ୍ଟ ଛାତ ଘରେ ପୂଜା ପାଉଛନ୍ତି l ଏହି ମାଧବ ମୂର୍ତ୍ତିଟି ମଧ୍ୟ ନିଖୁଣ ଓ କମନୀୟ l ବିଲ ମଧ୍ୟକୁ ସତର୍କତା ସହିତ ବାଇକ୍ ରେ ଯାଇ ହେବ l ନଚେତ ପାଦରେ ଚାଲିକରି ଯିବା ଉଚିତ ହେବ l
ଏହି ସବୁ ସ୍ଥାନ ବୁଲି ଦେଖିଲା ପରେ ମଥା ଆପେ ଆପେ ନଇଁ ପଡ଼େ ଆମ ସ୍ଥପତି ଓ ଶିଳ୍ପୀକୂଳଙ୍କ ଉଦ୍ଦେଶ୍ୟରେ ଓ ଆମ ପୂର୍ବ ଶାସକଗଣଙ୍କ ଉଦ୍ଦେଶ୍ୟରେ ଯେଉଁମାନେ ନିଜର ଐଶ୍ଵଯ୍ୟ ପାଇଁ ବିରାଟ ମହଲ, ପ୍ରାସାଦ ଆଦି ନିର୍ମାଣ ନ କରି ନିଜର ଇଷ୍ଟ ଦେବ ଦେବୀଙ୍କ ନିମନ୍ତେ ସୁନ୍ଦର ଓ କାରୁକାର୍ଯ୍ୟପୂର୍ଣ୍ଣ ମଠ ମନ୍ଦିର ଆଦି ନିର୍ମାଣ କରିଯାଇଛନ୍ତି l