ଲେଖା: ତ୍ରିଲୋଚନ ସ୍ୱାଇଁ
~ ବଣିବକ୍ରେଶ୍ୱର ମନ୍ଦିର ~
ଅନନ୍ତ ଓ ଅସୁମାରୀ କୀର୍ତ୍ତିରାଜିରେ ଭରା ଆମ ଏ ଓଡ଼ିଶା ଭୂଖଣ୍ଡ l ହିରଣ୍ୟଗର୍ଭା ଆମ ଏ ପବିତ୍ର ମାଟିର କୋଣାନୁକୋଣରେ କେତେ ଯେ ଦେଉଳ, କେତେ ମଠ ଓ ମନ୍ଦିର l ଧର୍ମ, ସାହିତ୍ୟ, ସଂସ୍କୃତି, ନୃତ୍ୟ ଓ ସଂଗୀତ କେତେ ଯେ ଉତ୍କୃଷ୍ଟ କଳାରେ ଭରା ଏଇ ଉତ୍କଳ ପ୍ରଦେଶ l ଗୌରବମୟ ଆମ ଅତୀତ ଓ ଇତିହାସ l
ପ୍ରାଚୀନ ଓଡ଼ିଶାରେ ଯେଉଁ କେତେକ ରାଜବଂଶ ଶାସନ କରିଛନ୍ତି ସେମାନଙ୍କ ମଧ୍ୟରେ ଗଙ୍ଗବଂଶୀ ଅନ୍ୟତମ l ଗଙ୍ଗବଂଶୀ ଶାସନ ସମୟରେ କଳା, ସାହିତ୍ୟ, ସଂସ୍କୃତିର ନବଉନ୍ମେଷ ଘଟିବା ସହିତ ଅନେକ ଗୁଡ଼ିଏ ସୁକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ମନ୍ଦିରମାନ ନିର୍ମାଣ ହୋଇଥିଲା l
ଗଙ୍ଗବଂଶୀ ରାଜତ୍ୱ କାଳରେ ପୁରୀ ଶ୍ରୀମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ବୟାଳିଶବାଟୀର ଗଙ୍ଗେଶ୍ୱରୀ ମନ୍ଦିର, ଚଉରାଶିର ବରାହୀ ମନ୍ଦିର ସମେତ ଉତ୍କଳର ବିଭିନ୍ନ ପ୍ରାନ୍ତରେ ବିଶେଷକରି ଅବିଭକ୍ତ କଟକ ଓ ପୁରୀ ଜିଲ୍ଲା ତଥା ପ୍ରାଚୀନଦୀ ଉପତ୍ୟକାରେ ଶୈବ, ଶାକ୍ତ, ବୈଷ୍ଣବ ପରମ୍ପରାର ଅନେକ ଗୁଡ଼ିଏ ମନ୍ଦିରମାନ ନିର୍ମାଣ ହୋଇଥିଲା l ଏହି ସବୁ ଅଞ୍ଚଳରେ ଗଙ୍ଗବଂଶୀ ଶାସନ କାଳୀନ ଶ୍ରେଷ୍ଠ କୀର୍ତ୍ତିରାଜିମାନ ଦେଖିବାକୁ ମିଳେ l
ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ଘୋରଡ଼ିଆ ଅଞ୍ଚଳ କୁଆପଦା ଗ୍ରାମରେ କଳିଙ୍ଗ ସ୍ଥାପତ୍ୟ ଶୈଳୀର ଶ୍ରେଷ୍ଠ ନିଦର୍ଶନ ବଣିବକ୍ରେଶ୍ୱର ମହାଦେବ ମନ୍ଦିର ରହିଛି l ଐତିହାସିକଙ୍କ ମତରେ ଏହି ପଶ୍ଚିମମୁଖ ମହାଦେବ ମନ୍ଦିରଟି ଦ୍ୱାଦଶ ଶତାବ୍ଦୀରେ ଗଙ୍ଗବଂଶୀ ଶାସକଙ୍କ ଦ୍ୱାରା ନିର୍ମାଣ ହୋଇଥିଲା l
ମନ୍ଦିର ଗର୍ଭଗୃହରେ ବୃତ୍ତାକାର ଯୋନିପୀଠରେ ଅନ୍ତର୍ଭେଦି ଶିବଲିଙ୍ଗ ପ୍ରାଣ ପ୍ରତିଷ୍ଠିତ ହୋଇଥିବାବେଳେ ପାର୍ଶ୍ଵଦେବଦେବୀ ରୂପେ ଗଣେଶ, କାର୍ତ୍ତିକେୟ ଓ ମା’ ପାର୍ବତୀ ପୂଜା ପାଉଛନ୍ତି l ପଞ୍ଚରଥ ଶୈଳୀର ଏହି ମନ୍ଦିରର ବିମାନଟି ରେଖ ବିମାନ ହୋଇଥିବାବେଳେ, ଜଗମୋହନଟି ପୀଢ଼ ଶୈଳୀରେ ନିର୍ମାଣ ହୋଇଛି l ମାତ୍ର ସମ୍ପୂର୍ଣ୍ଣ ମନ୍ଦିରଟି ସୁକ୍ଷ୍ମ କାରୁକାର୍ଯ୍ୟରେ ଭରା l
ବଣିବକ୍ରେଶ୍ୱର ମନ୍ଦିର ନିର୍ମାଣ ଓ ଏପରି ନାମକରଣ ପଛରେ ଥିବା ଲୋକକଥା ବିଷୟରେ ସ୍ଥାନୀୟ ଅଧିବାସୀ ଗଙ୍ଗାଧର ବାବୁ ଯାହା କୁହନ୍ତି, ଗଙ୍ଗବଂଶର ଚତୁର୍ଥ ଶାସକ ଶ୍ରୀ ମଦନ ମହାଦେବ ଧ୍ୱଜାପାହାଡ଼ର ପୂର୍ବଦିଗ କଟିଦେଶରେ “ସହଜପାରି କଟକ” ନାମକ ଦୁର୍ଗ ନିର୍ମାଣ କରି ରାଜ୍ୟ ଶାସନ କରୁଥିଲେ l
ମଦନ ମହାଦେବଙ୍କ ଶାସନ କାଳକୁ ତର୍ଜମା କରିବାକୁ ଯାଇ କିଛି ଐତିହାସିକ ମତ ବ୍ୟକ୍ତ କରନ୍ତି ସେ 1195-1200 ଖ୍ରୀଷ୍ଟାବ୍ଦ, ମାତ୍ର ପାଞ୍ଚ ବର୍ଷ ଶାସନ କରିଥିଲେ l ମାତ୍ର ଆଉ କିଛି ଐତିହାସିକଙ୍କ ମତରେ ସେ 1185-1200 ଖ୍ରୀଷ୍ଟାବ୍ଦ ଦୀର୍ଘ 15 ବର୍ଷ କାଳ ରାଜ୍ୟ ଶାସନ କରିଥିଲେ l ସେ ଯାହା ବି ହେଉ ନା କାହିଁକି ଏହି କାରୁକାର୍ଯ୍ୟପୂର୍ଣ୍ଣ ସୁନ୍ଦର ବଣିବକ୍ରେଶ୍ୱର ମନ୍ଦିର ମଦନ ମହାଦେବଙ୍କ ଦ୍ୱାରା ନିର୍ମାଣ କରାଯାଇଥିବା କଥାକୁ ଐତିହାସିକ ମାନେ ସ୍ୱୀକାର କରନ୍ତି l
ଏହି ସହଜପାରି କଟକ ଦୁର୍ଗକୁ ସହଯୋଗୀ ଗଡ଼ ଭାବେ ପାଞ୍ଚଗୋଟି ଗଡ଼ ସୁରକ୍ଷା ପ୍ରଦାନ କରୁଥିଲେ l ସେହି ଗଡ଼ଗୁଡ଼ିକ ହେଲା କାଳୁପଡ଼ାଗଡ଼, ଅରାଗଡ଼, କୁରୁଖୀଗଡ଼, ଭୂଇଁମୂଳଗଡ଼ଲୁଣାଗଡ଼ l ସହଜପାରି କଟକ ଦୁର୍ଗ ବା ଗଡ଼ ନିର୍ମାଣ ପୂର୍ବରୁ ରାଜା ଦିନେ ସୈନ୍ୟ ସାମନ୍ତଙ୍କ ସହିତ ପାରିଧିରେ ଆସି ଉକ୍ତ ଜଙ୍ଗଲ ଅଞ୍ଚଳରେ ବୁଲୁ ବୁଲୁ ଦେଖିଲେ ଯେ ଏକ ବଣି ଚଢ଼େଇ ବକ୍ର ନୟନରେ ତାଙ୍କ ଆଡ଼କୁ ଚାହିଁ ମଣିଷ ସ୍ୱରରେ ମଣିମା ମଣିମା ବୋଲି ଡାକ ଦେଇ ରବ କରୁଛି l
ବଣି ଚଢ଼େଇର ଏପରି ରାବର ଅର୍ଥ କ’ଣ ହୋଇପାରେ ରାଜା କିଛି ବୁଝିନପାରି ରାଜଗୁରୁଙ୍କୁ ଜିଜ୍ଞାସା କରନ୍ତେ, ରାଜଗୁରୁ କହିଲେ, ମଣିମା ଏଥିରୁ ଯାହା ସୂଚିତ ହେଉଛି ଏହା ଏକ ଶୁଭ ସଂକେତ ଓ ଏହି ସ୍ଥାନଟି ନିହାତି ଏକ ଶୁଭପ୍ରଦ ସ୍ଥାନ l ଏଣୁ ଏଠାରେ କୌଣସି କୀର୍ତ୍ତିଟିଏ ସ୍ଥାପନ କରନ୍ତୁ l କଣ୍ଟକାକିର୍ଣ୍ଣ ଉକ୍ତ ଅଞ୍ଚଳରେ ଏକ ହିରଣ୍ୟଗର୍ଭ ଶିବଲିଙ୍ଗ ରହିଥିବା ଜାଣି ମହାରାଜ ଏକ ଶିବ ମନ୍ଦିର ପ୍ରତିଷ୍ଠା ପାଇଁ ଆଦେଶ ଦେଲେ l
ରାଜା ଆଜ୍ଞା ପାଳନ ପୂର୍ବକ ସେହିଠାରେ ମନ୍ଦିରଟିଏ ନିର୍ମାଣ କରାଯାଇ ଶିବଲିଙ୍ଗ ପ୍ରତିଷ୍ଠା କରାଗଲା ଏବଂ ବଣି ଚଢ଼େଇର ବକ୍ର ନୟନରେ ଚାହିଁ ରାବ କରିବା ଘଟଣାକୁ ଦୃଷ୍ଟିରେ ରଖି ମହାଦେବ ଓ ମନ୍ଦିରର ନାମକରଣ “ବଣିବକ୍ରେଶ୍ୱର” ରଖାଗଲା ଏବଂ ଠାକୁରଙ୍କ ସେବା ପୂଜା ନିମନ୍ତେ ମହାରାଜା ବାଟି ବାଟି ସମ୍ପତି ଖଞ୍ଜି ଦେଇଥିଲେ l
ଧ୍ବଜା ପାହାଡ଼ର କଟିଦେଶରେ କୁଆପଦା ଗ୍ରାମ ନିକଟରେ ଏହି “ସହଜପାରି କଟକ” ଦୁର୍ଗର ଧ୍ବଂସାବଶେଷ ଏବେବି ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରସିଛି l ମାତ୍ର ଗଙ୍ଗବଂଶୀ ଶାସକ ମଦନ ମହାଦେବଙ୍କ ଅକ୍ଷୟ କୀର୍ତ୍ତି ବଣିବକ୍ରେଶ୍ୱର ମନ୍ଦିର ଓ ତାଙ୍କ ପାଟମହିସୀ ତରାଙ୍କ ନାମରେ ଏକ ବିରାଟ ପୁଷ୍କରିଣୀଟି ଏବେ ବି ସେଠାରେ ରହିଛି l ଗଙ୍ଗାଧର ବାବୁଙ୍କ କହିବାନୁଯାୟୀ ଏହି ସବୁ କଥା ମାଦଳାପାଞ୍ଜି, ପ୍ରାଚୀନ ଉତ୍କଳ, ଖୋର୍ଦ୍ଧାଗଡ଼ ଇତିହାସକୁରୁଖୀଗଡ଼ ଇତିହାସରେ ଉଲ୍ଲେଖ ରହିଛି l
#ଧ୍ବଜାପାହାଡ଼: ପାହାଡ଼ର ଏପରି ନାମ କରଣ ପଛରେ ଥିବା କାରଣଟି ହେଲା, ବଡ଼ ଏକାଦଶୀ ତିଥିରେ ଯେଉଁ ଦିନ ରଥ ଉପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ସୁନାବେଶ ଅନୁଷ୍ଠିତ ହୁଏ; ଉକ୍ତଦିନ ଗ୍ରାମବାସୀମାନେ ଏହି ପାହାଡ଼ ଉପରକୁ ଯାଇ ପୂଜାର୍ଚ୍ଚନା କରିଥାଆନ୍ତି ଏବଂ ପାଗ ପରିଷ୍କାର ଥିଲେ ଏହି ପାହାଡ଼ ଉପରୁ ଶ୍ରୀମନ୍ଦିର ଧ୍ବଜା ଦୃଷ୍ଟିମାନ ହୋଇଥାଏ l କେବଳ ବଡ଼ ଏକାଦଶୀ ନୁହେଁ ଅନ୍ୟ ଦିନମାନଙ୍କରେ ବି ଶ୍ରୀମନ୍ଦିର ଧ୍ବଜା ଏହି ପାହାଡ଼ ଉପରୁ ଦୃଷ୍ଟିଗୋଚର ହେଉଥିବାରୁ ପାହାଡ଼ଟିର ନାମ ଧ୍ବଜା ହୋଇଅଛି l
© Trilochan Swain
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago