ଲେଖା: ଅମ୍ବିକା ପଟ୍ଟନାୟକ
~ ହାସ୍ୟସ୍ରଷ୍ଟା ନୀଳକଣ୍ଠ “ଫତୁରାନନ୍ଦ” ~
ଅନେକ ଦିନ ତଳେ ଭୁବନେଶ୍ୱରରେ ଜଣେ ଭଦ୍ରବ୍ୟକ୍ତି ପଚାରିଲେ “ଏ ରିକ୍ସା, ସଚିବାଳୟ ଯିବୁ କି?”
“ମୁଁ ରାସ୍ତା ଜାଣିନି ବାବୁ l”
“ଆରେ ସେକ୍ରେଟାରୀଏଟ କୋଉଠି ଜାଣିନୁ?”
“ଗଲା ଆଉ, ସେଇକଥା କହୁନା ବାବୁ, ତମେ ଇଂଲିଶ କହିଲେ ମୁଁ ବୁଝିବି କିପରି? “
ଆଜି ଯଦି ପ୍ରଶ୍ନ ହୁଏ “ଡାକ୍ତର ରାମଚନ୍ଦ୍ର ମିଶ୍ର କିଏ” ହୁଏତ ପାଞ୍ଚ ମିନିଟ ମୁଣ୍ଡ ଆଉଁସିବାକୁ ହେବ କିନ୍ତୁ “ଫତୁରାନନ୍ଦ କିଏ ପ୍ରଶ୍ନ ଆସିଲେ ହସି ଉଠି କହିହେବ” ଆରେ ବିଖ୍ୟାତ ବ୍ୟଙ୍ଗକାର ରସରାଜ ଫତୁରାନନ୍ଦ !!! ସେ କଥା କହୁନ”?
ଧାରରେ ପାଇଥିବା ନାମରେ ବିଖ୍ୟାତ ସେ ଫତୁରାନନ୍ଦ ହିଁ ନିଜର ଛଦ୍ମନାମ ରଖିପାରନ୍ତି “ଝାଡୁଦାର, ଥଣ୍ଟୁଆ ମୁନି, ଭାଣ୍ଡମୁନି, କବିନାକ, କବିଶୁଣ୍ଢ, ଦଣ୍ଡିମାଛ, ଶ୍ରୀନକଲିଆ, ଶ୍ରୀ ରାଧାଗେରସ୍ତ ରାୟ, ଭୁଷପଣ୍ଡିତ, ଶ୍ରୀ ଲଘୁଆ, ଲଘୁ ପତନକ, ଶ୍ରୀ କପିରାଜ, ଛୁ ଛମ ଛେ, ଶ୍ରୀ ଚଇଁପାଣି, ଗାତୁଆମୂଷା, ଶ୍ରୀ ଭେରେଣ୍ଡା, ଶ୍ରୀ ଛଡ଼ଉ କରଣ, ଇତିହାସ ଷଣ୍ଡ, ଜଣେ ଆବୁଆ ବାବାଜୀ ଭକ୍ତ” ପରି ବିଶିଷ୍ଟ ନାମ !
1 ଜୁନ 1915ରେ ଶ୍ରୀ ବିଦ୍ୟାଧର ମିଶ୍ର ଓ ସୁଭଦ୍ରା ଦେବୀଙ୍କ କୋଳ ମଣ୍ଡନ କରି ଆସିଥିଲେ “ଫତୁରାନନ୍ଦ” ରାମଚନ୍ଦ୍ର l ଡାକ୍ତରୀ ପାଠ ଶେଷ ହଉ ହଉ ଦୃଷ୍ଟିଶକ୍ତି ନଷ୍ଟ, ବେଡ଼ି ଉପରେ କୋରଡ଼ା ପରି ପରବର୍ତ୍ତୀ କାଳରେ କୁଷ୍ଠ l ଏଇ ଚିକିତ୍ସାବିଜ୍ଞାନ ଛାତ୍ର ରାମଚନ୍ଦ୍ର ପରବର୍ତ୍ତୀ ସମୟରେ ସାହିତ୍ୟ/ସାମାଜିକ ବ୍ୟାଧି ନିରାକରଣ ନିମିତ୍ତ ବ୍ୟଙ୍ଗ ଔଷଧ ପ୍ରୟୋଗ କରିଥିଲେ l
ବ୍ୟାସକବି ଫକୀରମୋହନ ଓ ଗୋପାଳ ପ୍ରହରାଜ ଲାଳିକା ପ୍ରୟୋଗର ଯେଉଁ ଧାରା ଆରମ୍ଭ କରିଥିଲେ ଫତୁରାନନ୍ଦଙ୍କ ହାତରେ ତାହା ପଲ୍ଲବିତ ପରିପକ୍ୱତା ଲାଭ କରିଥିଲା l ମନ କେତେ ଖରାପ ଥାଉ ପଢ଼ିଲେ କିଛି ନହେଲେ ମୁଚୁକୁନ୍ଦିଆ ହସଟିଏ ଓଠରେ ଲାଖିଯିବ l
1. କିଂ କାର୍ଯ୍ୟମ୍ ଚାକିରୀମ ଯଦି ନାସ୍ତି ଉପୁରିଂ
2.ଏକ ଚିଲମ୍ମେ କେସା କେସା,
ଦୂସରା ଚିଲମ ମେ ନିଶା
ତିନ ଚିଲମମେ ଆଖ ଝଲମଲ,
ଚାର ଚିଲମ ମେ ମଦନମୋହନ
3. ଉତ୍ତମା ଚଡକା ପାଡ଼ା8, ଟୁଁ ଟାଇଁ ଚ ମଧ୍ୟମା, ଫୁସି ନୀରବଂଶୀ, ଗୋଳାହା ପ୍ରାଣ ଘାତକା8..
4. ପାଚି ନାଲି ଟହ ଟହ ହୋଇତମ,
ଥଣ୍ଟୁଆ ମୁନି ତତ୍ର ଗତଂ,
ଥଣ୍ଟ ମାରିତମ,
ରସଂ ଗଳିତଂ ଥପମ୍ ଥପମ୍,
ସେ ରସାମୃତ ପାଠକେ ଭଲକରି ଚାଟିତଂ l
କିଛି ପେଟ ଖରାପ ନ ହୋଇତମ,
ବୁଦ୍ଧି ବଢ଼ିତମ l
ଫତୁରାନନ୍ଦ ନିଜେ ହିଁ “ବିଜୁଳି”, ନିଜେ ହିଁ “ଇନ୍ଦ୍ରଧନୁ” l ଏଣୁ ରୀତିଯୁଗୀୟ କବିଙ୍କୁ ସମାଲୋଚନା କରି ଲେଖିଲେ,
“ଗାଦୁଡ଼ୁ ଗାଦୁଡୁ ଗାଡୁ, ବାଗୁଡୁ ବାଗୁଡୁ ଭାଡୁ
ସାପୁଡ଼ୁ ସାପୁଡ଼ୁ ତାଡ଼ୁ, ହାପୁଡ଼ୁ ହାଡ଼ୁ l”
ଗାଦୁଡୁ ଅର୍ଥ ଆକାଶ ଓ ପୂର୍ଣ୍ଣିମା, ଗାଡ଼ୁ ଅର୍ଥ ଚନ୍ଦ୍ର, ବାଗୁଡୁ ଅର୍ଥ ପ୍ରେମିକ ଓ ପ୍ରେମିକା, ଭାଡୁ ଅର୍ଥ ଅଭିସାର l ଅର୍ଥ ବୁଝିବା ପାଇଁ କବି ପ୍ରଣୀତ ସ୍ୱତନ୍ତ୍ର ଅଭିଧାନ କିଣିବା ଉଚିତ l
ସ୍ପୁଟନିକ ପେଟେ ଦୁଇ ବିଶା ସାରୁ ଆଉ ବିଶାଏ କଖାରୁ,
ଭୂମିକମ୍ପେ କମ୍ପଇ ଈଗଲ l
ଓଡ଼ଶର ପ୍ରାଦୁର୍ଭାବ ମଶକ ଦଂଶନ,
ଇଲୋ ବୋପାଲୋ ହେଇ ଆସେ ଭାଲୁ,
ଜିଆର ଶରୀରେ ଶହେ ଡିଗ୍ରୀ ସେଣ୍ଟିଗ୍ରେଡ଼ ତାପ l
(ସ୍ପୁଟନିକ ଓ ସାରୁ କଖାରୁ ବିଜ୍ଞାନ ଓ ଶ୍ରମିକ ଶକ୍ତିର ପ୍ରତୀକ, ଈଗଲ ପୁଞ୍ଜିବାଦୀ ଆମେରିକା, ଓଡ଼ଶ ମଶକ – ପୁଞ୍ଜିପତି, ଭାଲୁ – ଶୋଭିଏଟ ରୁଷିଆ, ଜିଆ – ସର୍ବହରା)
“ବିଦୂଷକ, ହେରେସା, ନବଜିଆ, ଗମାତ” ପ୍ରଭୃତି କୋଡ଼ିଏ ଖଣ୍ଡ ହାସ୍ୟ ଗଳ୍ପ ସଂକଳନ l “ଆଦର୍ଶ ହିନ୍ଦୁ ହୋଟେଲ”, “ଆଦର୍ଶ ଶ୍ରେଷ୍ଠ ହାସ୍ୟ ଗଳ୍ପ” ଅନୁବାଦ ରଚନା l କରୁଣ ରସ “ନାକଟା ଚିତ୍ରକର” l “ଓଡ଼ିଶାର ସ୍ପିନ ବୋଲର” ଜୀବନୀ “ମୋ ଫୁଟାଡଙ୍ଗାର କାହାଣୀ“ ଆତ୍ମଜୀବନୀ l ନବାକ୍ଷରୀ ବୃତ୍ତରେ “ଗୋଜ ଭାଗବତ” ତ ସାରଳା ଅନୁକରଣ “ସାହି ମହାଭାରତ”; ନି, ଲ, ଠା, କ, ବି ଆଦ୍ୟ ଅକ୍ଷରରେ କ୍ଷୁଦ୍ରକାବ୍ୟ “ନିଲଠା କବି” ସାହିତ୍ୟ ଓ ସାହିତ୍ୟିକଙ୍କୁ ନେଇ ରଚିତ “ମଙ୍ଗଳବାରିଆ ସାହିତ୍ୟ ସଂସଦ, ସାହିତ୍ୟ ଚାଷ, ସାହିତ୍ୟ ବେଉଷଣ, ସାହିତ୍ୟ ବଛାବଛି” ସାହିତ୍ୟ ବିଷୟରେ ଗଭୀର ଅନୁଶୀଳନି ଓ ମନନଶୀଳତାର ଦ୍ୟୋତକ l ସେ ହିଁ ସୃଷ୍ଟି କରି ପାରନ୍ତି “ଓଡ଼ିଆ ସାହିତ୍ୟରେ ଆମ୍ବୁଲାନ୍ସ ଯୁଗ”, “ମେଡିକାଲ କଲେଜରେ ମେହେର ଜୟନ୍ତୀ” ବା “ଲଣ୍ଡଟକ ସାହିନ୍ଦିର” l
“ଫମାଲୋଚନା” ଅଳ୍ପାଲୋଚିତ ଏକ ବିଲକ୍ଷଣ ସମାଲୋଚନା ଗ୍ରନ୍ଥ l ବହୁ ଆଦୃତ ବାଣୀ “ଦଣ୍ଡିବା ଶକ୍ତି ଯାର ଥାଇ”, “ଲକ୍ଷେ ଯୋଜନରେ ଗଜ”, “ଜଗନ୍ନାଥ ହୋ କିଛି ମାଗୁ ନାହିଁ ତୋତେ”, “ଏଇ ସହକାର ତଳେ” ଏସବୁର ବିପରୀତ କିନ୍ତୁ ଶକ୍ତିଶାଳୀ ବ୍ୟାଖ୍ୟା ପଢ଼ି ହସୁଥିବା ପାଠକକୁ ହଠାତ ଆନମନା କରିଦିଏ l
“ଏ କାନ୍ଦୁରା ଦୁନିଆରେ ଆମେ ଯଦି ପାଞ୍ଚ ଜଣଙ୍କୁ ପାଞ୍ଚ ମିନିଟ ପାଇଁ ହସାଇ ପାରିବୁ, ତେବେ ଆମେ ଆତ୍ମସନ୍ତୋଷ ଲାଭ କରିବୁ” ଏଇ ଉକ୍ତିର ପ୍ରଣେତା ଏଇ ନୀଳକଣ୍ଠ ପ୍ରତିଷ୍ଠା କରିଥିଲେ “ସରସ ସାହିତ୍ୟ ସମାଜ” ଓ “ହାସ୍ୟ ବିକାଶ ପରିଷଦ” l ପ୍ରଥମରୁ ଗମ୍ଭୀର ଲେଖା ଲେଖୁଥିବା ଫତୁରାନନ୍ଦ କାନ୍ତକବିଙ୍କ ପ୍ରେରଣାରେ ହାସ୍ୟ ପତ୍ରିକା “ଡଗର” ସହ ସମ୍ପୃକ୍ତ ହୋଇ ନାରୀ ଚରିତ୍ର ବିବର୍ଜିତ ହାସ୍ୟ ଲେଖକ ହୋଇଗଲେ l ଏହାଙ୍କ ବଳିଷ୍ଠ ସମ୍ପାଦନାରେ “ଡଗର” ଭାରତର ଅନ୍ୟତମ ଦୀର୍ଘସ୍ଥାୟୀ ହାସ୍ୟ ପତ୍ରିକା ହୋଇ ପାରିଥିଲା l
କଟକ ସହରରେ ଜନ୍ମିତ ଫତୁରାନନ୍ଦ ନିଜ ହାସ୍ୟଗଳ୍ପ ସବୁରେ ଖାଣ୍ଟି କଟକୀ ଲୋକଭାଷାର ଅକୁଣ୍ଠ ପ୍ରୟୋଗ କରିଛନ୍ତି l “ବାବୁ ଚନ୍ଦା ଲବାକୁ ଆସିଛ, ହାମସାଇରେ ମାଦେବ ବନୁଛି” l କିନ୍ତୁ “ଆଦର୍ଶ ହିନ୍ଦୁ ହୋଟେଲ” ଭାଷା ସମ୍ପୂର୍ଣ୍ଣ ମାନକ l
ସାରଳା ସମ୍ମାନ, ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଏ ନିରଳସ ସାହିତ୍ୟ ସାଧକ ସାହିତ୍ୟ ନିମିତ୍ତ ନିଜର ସମସ୍ତ ଶ୍ରମ ଓ ଅର୍ଥ ବ୍ୟୟ କରି ନିଃସ୍ୱ ହୋଇ ଯାଇଥିଲେ ମଧ୍ୟ ଦୁଃଖୀ ହୋଇ ନ ଥିଲେ l
6 ନଭେମ୍ବର 1995 ରେ ପ୍ରୟାତ ସାହିତ୍ୟ ସାଧକ ଶ୍ରୀ ଫତୁରାନନ୍ଦଙ୍କ ତିରୋଧାନରେ ଓଡ଼ିଆ ଭାଷା ସାହିତ୍ୟ ଜଣେ ମହାନ ବ୍ୟଙ୍ଗକାରଙ୍କୁ ହରାଇଛି !
କୃତଜ୍ଞତା: ଶ୍ରୀ ଫତୁରାନନ୍ଦ, ଡକ୍ଟର ଚୌଧୁରୀ ହେମକାନ୍ତ ମିଶ୍ର, ଓ ଡ. ବିଜୟାନନ୍ଦ ସିଂହ
ଚିତ୍ର ସୌଜନ୍ୟ: ଗୁଗୁଲ ଓ ଉଇକିପେଡିଆ
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

3 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago