ଲେଖା: ଦେଵ ତ୍ରିପାଠୀ
~ କର୍ମଯୋଗୀ ଦୈତାରୀ ନାଏକ ~
ଜୀବନ ସାୟାହ୍ନର ପାଣିଚିଆ ଖରାରେ ସତେଜ ହେବା ଚେଷ୍ଟା ରେ ସେ ଥିଲେ ନିୟୋଜିତ । କଙ୍କାଳସାର ଶରୀର, ମସ୍ତକରେ ଶୁଭ୍ରକେଶ, ଭଙ୍ଗା ବୟସର ପେଜୁଆ ଆଖିରେ ନିଷ୍ପ୍ରଭ ଚାହାଣି, ଭଗ୍ନସ୍ବାସ୍ଥ୍ୟ-ସମ୍ପନ୍ନ ଅଶୀତିପର ବୃଦ୍ଧଜଣଙ୍କୁ ଦେଖି କେହି କ’ଣ ବିଶ୍ୱାସ କରିପାରିବ ଯେ ସେଇ ସାଦାସିଧା ସ୍ମିତହାସୀ ବୃଦ୍ଧଜଣକ ଯେ ରଚିପାରନ୍ତି ଇତିହାସ, ସେ ପୁଣି ବଦଳାଇ ପାରନ୍ତି ନିଜ ଗାଁ ମାଟିର ଭୋକର ଭୂଗୋଳକୁ, ଯାହାଙ୍କ ତ୍ୟାଗ, ତିତିକ୍ଷା, ନିଷ୍ଠାର ଫଳସ୍ବରୂପ ଆଜି ବାଂଶପାଳର ଚାଷୀକୂଳ ଅଦମ୍ୟ ଉତ୍ସାହରେ ଦେଖୁଛନ୍ତି ନିଜ କୌଳିକ ବୃତ୍ତିକୁ . . . ! ! ସେ ମହାନ ଯୋଗଜନ୍ମା କର୍ମଯୋଗୀ ହେଉଛନ୍ତି #ପଦ୍ମଶ୍ରୀ #ଦୈତାରୀ ନାଏକ ।
ଦିନ ଥିଲା, #କେନ୍ଦୁଝର ଜିଲ୍ଲାର #ବାଂଶପାଳ ବ୍ଲକର #ତଳବୈତରଣୀ ଗାଁର ୮୦ରୁ ଅଧିକ ପରିବାର ପାଣି ଟୋପାଏ ପାଇଁ ଡହଳବିକଳ ହେଉଥିଲେ । ଜଳସେଚନର ଅଭାବରୁ ଚାଷକାମ ଛାଡିଦେଇଥିଲେ ଅନେକ #ଆଦିବାସୀ ପରିବାର । ଦୁଃଖ ଶୁଣିବାକୁ ନା ଥିଲେ ଭଗବାନ ନା ଥିଲା ସରକାର । ଅନ୍ୟ ଉପାୟ ନ ପାଇ ଗାଁର ଲୋକେ ଶରଣ ପଶିଲେ ଦାଦନ ଦଲାଲର । କେହି କେହି ଅନୁଗୁଳ, ଢେଙ୍କାନାଳ, କଟକର ହୋଟେଲ ଗୁଡ଼ିକରେ ଅଇଁଠାବାସନ ଗୋଟାଇବାର ପନ୍ଥା ବାଛିନେଲେ ।
ଏସବୁ ଭିତରେ ଦୈତାରୀ ନାଏକ କିନ୍ତୁ ଚିନ୍ତା କରୁଥିଲେ ଏ ସମସ୍ୟାର ସବୁଦିନିଆ ସମାଧାନ, ଗାଁ ଲୋକଙ୍କ ଜୀବନରୁ ନୈରାଶ୍ୟ ଦୂରେଇବାର ଏକମାତ୍ର ଉପାୟ ଥିଲା ବୈତରଣୀ ନଦୀର ଉତ୍ପତ୍ତି ସ୍ଥଳ #ଗୁପ୍ତଗଙ୍ଗା ନିକଟସ୍ଥ #କରତକଟା ନାଳର ଜଳସ୍ରୋତକୁ ନିଜ ଗାଁର ଚାଷଜମିକୁ ସଂଯୋଗ କରାଇବା । ହେଲେ ଏଥିପାଇଁ ବାଧକ ପାହାଡକୁ କାଟିବାର ପ୍ରସ୍ତାବକୁ ହସି ଉଡ଼ାଇ ଦେଇଥିଲେ ଗାଁବାସୀଏ । ହେଲେ ଦୈତାରୀଙ୍କ ପାଖରେ ଥିଲା ଏକମାତ୍ର ସମ୍ବଳ ଅମାପ ଧୈର୍ଯ୍ୟ, ନିଷ୍ଠା ଆଉ ଗାଁ ଲୋକଙ୍କ ସମସ୍ୟାକୁ ସମାଧାନ କରାଇବାର ଅହେତୁକ ଆକାଂକ୍ଷା ।
କରତକଟା ନାଳର ପାଣି ପାଇଁ ପାହାଡକୁ କାଟି କାଟି କେନାଲଟିଏ ଖୋଳିଦେଇପାରିଲେ ନିଜ ଗାଁର ଚାଷଜମିକୁ, ନିଜ ହାତରେ, ଅସୀମ ଧୈର୍ଯ୍ୟକୁ ପାଥେୟ କରି, ଶେଷରେ ବୁହାଇଥିଲେ ସୁଖସମୃଦ୍ଧିର ଗଙ୍ଗା ନିଜ ଗାଁ ମାଟିରେ, ବନିଯାଇଥିଲେ ଭଗିରଥ, ହସ ଫୁଟେଇଥିଲେ ଗାଁ ବାସୀଙ୍କ ଓଠରେ, ଜଣେ ନିଷ୍ଠାପର ନିରକ୍ଷର ଆଦିବାସୀ ପାଖରେ ହାର ମାନିଥିଲା ସମୟ, ପରିସ୍ଥିତି, ପ୍ରକୃତି । କହାରି ସମର୍ଥନ ବିନା ମଧ୍ୟ ଇତିହାସ ରଚିଥିଲେ ଦୈତାରୀ ନାଏକ, ବନିଯାଇଥିଲେ ଆଦର୍ଶ । ବୋଧହୁଏ ସବୁକାଳେ ଭଗିରଥମାନଙ୍କୁ ଏମିତି ଏକଲା ଚାଲିବାକୁ ହୁଏ ! ଏମିତି ଏକଲା, ନିଜ ସ୍ୱାର୍ଥକୁ ପଛରେ ପକାଇ, ସମାଜର ସ୍ବାର୍ଥକୁ ପରିପୁଷ୍ଟ କରାଇ ।
ଯୋଗଜନ୍ମା ଦୈତାରୀ ନାଏକ ଆଜି କେନ୍ଦୁଝରର ଚାଷୀକୁଳର ଆଦର୍ଶ । ଅସାଧ୍ୟକୁ ସାଧ୍ୟ କରି ସେ ଆଜି ଦେଖାଇଛନ୍ତି ନୂତନ ଆଲୋକ । ତାଙ୍କର ସ୍ୱାଧ୍ୟାୟ, ତପ ଓ ତ୍ୟାଗ ନିକଟରେ ଆଜି ଛାରକାର ହୋଇଯାଇଛି ସରକାରୀକଳର କୃଷକକଲ୍ୟାଣ କାର୍ଯ୍ୟକ୍ରମର ଫମ୍ପା ଅହମିକା, ଉତୁରିଯାଇଛି ଜନଜାତି ପ୍ରତି ମିଥ୍ୟା ସମବେଦନାର ଖୋଳପା । ସମାଜବାଦୀର ମୁଖାପିନ୍ଧା ବୁଦ୍ଧିଜୀବିମାନଙ୍କ ଗାଲରେ ପଡ଼ିଛି ଶକ୍ତ ଚଟକଣା ।
ଦୈତାରୀ ନାଏକ ମହୋଦୟଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରି ରାଜ୍ୟବାସୀ ତଥା ସରକାର ଦାୟିତ୍ୱଟିଏ ସମ୍ପାଦନ କରିଛନ୍ତି କେବଳ ।
Images: Kalingatv.com, indiatimes.com, hindustantimes.com
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

3 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago