ଲେଖା: ରବୀନ୍ଦ୍ର କୁମାର ରଣା

ଓଡ଼ିଶାରେ ବୈଷ୍ଣବ ପରମ୍ପରାର ଇତିହାସ ଅତି ପ୍ରାଚୀନ। ପଦ୍ମ ପୁରାଣ ଓ ଭାଗବତ ବର୍ଣ୍ଣିତ ଭଗବାନ ବିଷ୍ଣୁଙ୍କ ୨୪ ନାମ ମଧ୍ୟରେ ମାଧବ ହେଉଛି ଅନ୍ୟତମ।

ଇତିହାସର ତଥ୍ଯ ଅନୁସାରେ ୪ର୍ଥ ଶତାବ୍ଦୀ ଅର୍ଥାତ ଓଡ଼ିଶାରେ ଗୁପ୍ତ ରାଜାମାନଙ୍କ ଶାସନ ସମୟରେ ଓଡ଼ିଶାରେ ବୈଷ୍ଣବ ପରମ୍ପରା ଆରମ୍ଭ ହୋଇଛି। ଗୁପ୍ତରାଜା ମାଧବ ସେନ ଭଗବାନ ବିଷ୍ଣୁଙ୍କୁ ମାଧବ ନାମରେ ପୂଜା କରିଥିବା ଜଣାଯାଏ ଏବଂ ନିଜ ନାମ ମଧ୍ଯ ମାଧବ ରଖିଥିଲେ। ତେବେ ମଠର ବଂଶର ରାଜା ମାନଙ୍କ ସମୟରେ ଏହି ମାଧବପୂଜାର ପରମ୍ପରା ଆଉ ଟିକେ ବିସ୍ତୃତ ହୋଇଥିଲା ଓ ଶୈଳୋଦ୍ଭବ ମାନଙ୍କ ସମୟରେ ମାଧବ ପୂଜା ପରମ୍ପରା ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପ୍ରସାର ହୋଇଥିଲା ।

ଏହି ବଂଶର କେତେକ ରାଜା ନିଜ ନାମକୁ ମଧ୍ୟ ମାଧବଙ୍କ ସହିତ ଯୋଡିଥିଲେ ଯେପରିକି ମହାରାଜା ମାଧବବର୍ମନ ୧ ବା ମାଧବରାଜ ୧, ମାଧବବର୍ମନ ୨, ମାଧବବର୍ମନ ୩ ଇତ୍ୟାଦି। ଏହାର ପରବର୍ତ୍ତୀ ସମୟରେ ଅର୍ଥାତ୍ ଶୈଳୋଦ୍ଭବ, ଭୌମକର ଓ ସୋମବଂଶୀ ରାଜାଙ୍କ ସମୟରେ ମଧ୍ଯ ମାଧବପୂଜାର ପରମ୍ପରା ରହିଆସିଥିଲା। ଯଦିଓ ଏହି ସମୟରେ ଶୈବପୂଜାର ପରମ୍ପରା ଅଧିକ ଥିଲା ତେବେ ମଧ୍ୟ ଭଗବାନ ମାଧବ ବିଷ୍ଣୁଙ୍କ ପୂଜା ପାଇଁ ମଧ୍ଯ ଏହି ରାଜାମାନେ କେତୋଟି ମନ୍ଦିର ନିର୍ମାଣ କରିଥିବା ଦେଖାଯାଏ। ଅର୍ଥାତ ଏହି ସମୟରେ ରାଜାମାନେ ଶୈବପୂଜା ପରମ୍ପରା ପ୍ରତି ବେଶୀ ଆକୃଷ୍ଟ ଥିଲେ ମଧ୍ୟ ବୈଷ୍ଣବ ପରମ୍ପରା ଠାରୁ ଦୂରେଇ ଯାଇ ନଥିଲେ। ଯେପରିକି ଭୌମକର ମାନଙ୍କ ଅଧସ୍ଥନ ମଧ୍ୟ-ଓଡ଼ିଶାର ଭଞ୍ଜ ବଂଶୀୟ ରାଜା ଶତୃଭଞ୍ଜ ଦେବଙ୍କ ଦ୍ଵାରା ନିର୍ମିତ ବୌଦ୍ଧ ଗନ୍ଧରାଡିର ନୀଳମାଧବ ମନ୍ଦିର, ସୋମବଂଶୀ ରାଜାମାନଙ୍କ ଦ୍ଵାରା ନିର୍ମିତ କଣ୍ଟିଲୋର ନୀଳମାଧବ ମନ୍ଦିର ଓ ଯାଜପୁର ବୈତରଣୀ କୂଳରେ ଅବସ୍ଥିତ କେତେକ ମାଧବ ମନ୍ଦିର ଅନ୍ୟତମ।

ଭୌମକର ଓ ସୋମବଂଶୀ ମାନଙ୍କ ଶାସନ ସମୟରେ ଭୁବନେଶ୍ଵରର କେତେକ ଶିବ ମନ୍ଦିରରେ ବିଷ୍ନୁଙ୍କ ମୂର୍ତ୍ତୀ ପଥରରେ ଖୋଦିତ ହୋଇଥିବା ଦେଖାଯାଏ, ଯଥା ପର୍ଶୁରାମେଶ୍ଵର ମନ୍ଦିର, ସ୍ଵର୍ଣ୍ଣ ଜଳେଶ୍ଵର ମନ୍ଦିର, ବ୍ରହ୍ମେଶ୍ୱର ମନ୍ଦିର ଇତ୍ୟାଦି। ଏଥିରୁ ସ୍ପଷ୍ଟ ଯେ ଅଷ୍ଟମରୁ ଏକାଦଶ ଶତାବ୍ଦୀ ମଧ୍ୟରେ ଶୈବ ଓ ବୈଷ୍ଣବ ପରମ୍ପରା ସମତାଳରେ ରହି ଆସିଥିଲା। ମାତ୍ର ମାଧବ ପରମ୍ପରାର ପ୍ରକୃତ ପ୍ରଚାର ଓ ପ୍ରସାର ଗଙ୍ଗମାନଙ୍କ ଶାସନ ସମୟରେ ଅର୍ଥାତ ଦ୍ଵାଦଶ ଓ ତ୍ରୟୋଦଶ ଶତାବ୍ଦୀରେ ହୋଇଥିଲା ଯାହାର ପ୍ରମାଣ ପ୍ରାଚୀ ଉପତ୍ୟକାର ଅନେକ ମାଧବ ମୂର୍ତ୍ତୀ ଓ ମନ୍ଦିର। ଆଉ ମଧ୍ଯ ପ୍ରାଚୀ ଉପତ୍ୟକାର ମହାନ ବୈଷ୍ଣବ କବି ଶ୍ରୀ ଜୟଦେବଙ୍କ ଗୀତଗୋବିନ୍ଦ ଏହି ଅଞ୍ଚଳରେ ମାଧବ ପୂଜା ପରମ୍ପରାକୁ ସର୍ବୋଚ୍ଚ ଶିଖରରେ ପହଞ୍ଚାଇଥିଲା। ତେବେ ପ୍ରାଚୀ ମାହାତ୍ମ୍ୟ ଅନୁସାରେ ପ୍ରାଚୀ ତଟରେ ଦ୍ଵାଦଶ ଶମ୍ଭୁଙ୍କ ପରି ଦ୍ଵାଦଶ ମାଧବ ମଧ୍ଯ ପୂଜା ପାଉଥିଲେ। ଯଦିଓ ପ୍ରାଚୀ ମାହାତ୍ମ୍ୟରେ ଦ୍ଵାଦଶ ମାଧବଙ୍କ କଥା ଉଲ୍ଲେଖ କରାଯାଇଛି କିନ୍ତୁ ଏହି ସ୍ଥାନଗୁଡିକର ସଠିକ ବିବରଣୀ ନାହିଁ।


କିନ୍ତୁ ବାସ୍ତବିକ ଦେଖିବାକୁ ଗଲେ ପ୍ରାଚୀ ଉପତ୍ୟକାରେ ଥିବା କେତେକ ମାଧବ ମନ୍ଦିର ସହିତ ଏ ଅଞ୍ଚଳର ପ୍ରାୟ ପ୍ରତ୍ୟେକ ପ୍ରାଚୀନ ଶିବ ମନ୍ଦିରରେ ମାଧବଙ୍କ ମୂର୍ତ୍ତୀ ଦେଖିବାକୁ ମିଳେ। ଦ୍ଵାଦଶ ଶମ୍ଭୁଙ୍କ ପୀଠ ସମେତ ଅନ୍ୟ ଶିବ ମନ୍ଦିରରେ ମଧ୍ଯ ମାଧବଙ୍କୁ ପୂଜା କରାଯାଏ। ଏହି ମନ୍ଦିର ମାନଙ୍କରେ ମାଧବଙ୍କୁ ପାର୍ଶ୍ଵ ଦେବ ଭାବେ ପୂଜା କରାଯାଉ ନାହିଁ କିନ୍ତୁ ମନ୍ଦିର ଗର୍ଭଗୃହର ପ୍ରବେଶ ପଥରେ ଅର୍ଥାତ ଜଗମୋହନରେ ରଖି ପୂଜା କରାଯାଉଛି।


ପ୍ରାଚୀ ଉପତ୍ୟକାର ମାଧବ ସଂସ୍କୃତି ପରିପୁଷ୍ଟ ହେବା ସହିତ ଶିବ ମନ୍ଦିରରେ ମାଧବଙ୍କୁ ପୂଜା କରାଯିବାର କାରଣ ବାବଦରେ ସେପରି କିଛି ନିର୍ଦ୍ଦିଷ୍ଟ ଉତ୍ତର ମିଳେନାହିଁ । ମାତ୍ର ପ୍ରାଚୀ ମାହାତ୍ମ୍ୟର ତଥ୍ଯ ଅନୁସାରେ ପ୍ରାଚୀ ସ୍ନାନ କରି ଶମ୍ଭୁ ଦର୍ଶନର ପୁଣ୍ୟଫଳ ପାଇବାକୁ ହେଲେ ଏହାର ସାକ୍ଷୀ ସ୍ଵରୂପ ମାଧବଙ୍କୁ ଦର୍ଶନ କରିବାକୁ ପଡିବ ନଚେତ ପୁଣ୍ଯଫଳ ମିଳିବ ନାହିଁ। ତେଣୁ ଶମ୍ଭୁଙ୍କ ପୀଠରେ ମାଧବଙ୍କ ମୂର୍ତ୍ତୀ ରଖାଯାଇଛି। ଅନ୍ୟ କିଛି କାରଣ ହେଇପାରେ ଯେ କେତେକ ମାଧବ ମନ୍ଦିର ଭାଙ୍ଗି ଯିବାରୁ ସେଠାରୁ ମୂର୍ତ୍ତୀ ଗୁଡିକୁ ଆଣି ଶିବ ମନ୍ଦିରରେ ରଖା ଯାଇ ଥାଇପାରେ। ତେବେ କାରଣ ଯାହା ହେଉନା କାହିଁକି ଏହି ସମସ୍ତ ମନ୍ଦିରର ମାଧବ ମୂର୍ତ୍ତୀ ଗୁଡିକ ପ୍ରାୟ ୩ ଫୁଟରୁ ୫ ଫୁଟ ଉଚ୍ଚତା ବିଶିଷ୍ଟ । ବହୁତ ସୁନ୍ଦର ଓ ସୁକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ।

ମୂର୍ତ୍ତୀମାନଙ୍କର ନିର୍ମାଣ ଶୈଳୀରୁ ଅନୁମାନ କରାଯାଏ ଯେ ଏହି ସବୁ ମୂର୍ତ୍ତୀ ଗଙ୍ଗଶାସନ ସମୟରେ ନିର୍ମିତ। କିନ୍ତୁ ଶୈଳୋଦ୍ଭବ ମାନଙ୍କ ସମୟରେ ଯେଉଁ ମାଧବଙ୍କୁ ପୂଜା କରାଯାଉଥିଲା ସେହି ମୂର୍ତ୍ତୀ କେଉଁଠାରେ ଅଛି ତାହା ସଠିକ ଜାଣି ହେଉନାହିଁ। ମାତ୍ର ଏହା ସ୍ପଷ୍ଟ ଯେ ଗଙ୍ଗଶାସନ ସମୟରେ ପ୍ରାଚୀ ଉପତ୍ୟକାରେ ମାଧବ ପୂଜା ବହୁ ପରିମାଣରେ ଆଦୃତ ଥିଲା।


ପ୍ରାଚୀ ଉପତ୍ୟକାର ମାଧବ ସଂସ୍କୃତି ପରିଦୃଷ୍ଟ ହୁଏ ମାଧବଙ୍କୁ ପୂଜା କରାଯାଉଥିବା ବିଭିନ୍ନ ମନ୍ଦିର . .
୧. ନିଆଳି ମାଧବ – ନିଆଳି ବଜାରରୁ କାକଟପୁର ରାସ୍ତାରେ ୫ କିମି ଗଲେ ଏହି ବିଶାଳ ଓ ସୁନ୍ଦର ମନ୍ଦିରଟି ଦେଖିବାକୁ ମିଳିବ। ପ୍ରାୟ ଚାରି ଫୁଟ ଉଚ୍ଚର ମାଧବଙ୍କ ବିଶାଳ ମୂର୍ତ୍ତୀ। ଦେଖିଲା ଭଳି ଅତି ସୁନ୍ଦର ମନ୍ଦିରଟିଏ।

୨. ଶୋଭନେଶ୍ୱର ମନ୍ଦିର – ଏହି ଶମ୍ଭୁଙ୍କ ମନ୍ଦିର ପରିସରରେ ଡାହାଣ ପଟେ ବଉଳକୋଳି ଗଛ ପାଖରେ ଏକ ଛୋଟ ଘରେ ପ୍ରାୟ ୫-୬ ଟି ବିଶାଳକାୟ ମାଧବ ମୂର୍ତ୍ତୀ ରଖାଯାଇଛି।


୩. ଅଙ୍ଗେଶ୍ୱର ମନ୍ଦିର – ଏହି ଶିବ ମନ୍ଦିରର ଡାହାଣ ପଟେ ଏକ ଛୋଟ ଘରେ ୨-୩ ଟି ମାଧବ ମୂର୍ତ୍ତୀ ରଖାଯାଇଛି ଏବଂ ଏକ ଅତି ପ୍ରାଚୀନ ଚାମୁଣ୍ଡା ମୂର୍ତ୍ତି ରଖାଯାଇଛି ।

୪. ବିଶ୍ଵନାଥ ମନ୍ଦିର – ଏହି ଶିବ ମନ୍ଦିରର ଜଗମୋହନରେ ଏକ ମାଧବ ମୂର୍ତ୍ତୀ ରହିଛି ।


୫. ବନ୍ଦରେଶ୍ୱରେ ମନ୍ଦିର – ଏହି ମନ୍ଦିରର ସାମ୍ନା ପଟେ ମାଧବଙ୍କ ମୂର୍ତ୍ତୀ ରହିଛି ।


୬. ଅମରେଶ୍ୱର  ମନ୍ଦିର – ଏହି ଶମ୍ଭୁଙ୍କ ପୀଠର ଜଗମୋହନରେ ମାଧବଙ୍କ ମୂର୍ତ୍ତୀ ରହିଛି।

୭. ନଟାବୁ ମାଧବ – ନିପାଣିଆ ଛକରୁ ବାମକୁ ୧କିମି ଦୂରରେ ଅବସ୍ଥିତ ରାମେଶ୍ଵର ଶିବ ମନ୍ଦିର ନାଟମଣ୍ଡପରେ ଏକ ବିଶାଳ ଆକାରର ମାଧବଙ୍କ ମୂର୍ତ୍ତୀ ରହିଛି ।


୮. ଗ୍ରାମେଶ୍ୱର ମନ୍ଦିର – ଉପର ଲିଖିତ ରାମେଶ୍ଵର ମନ୍ଦିର ଠାରୁ ୩ କିମି ଦୂର ନିଭରଣ ଗ୍ରାମର ଗ୍ରାମେଶ୍ୱର ଶମ୍ଭୁ ପୀଠରେ ମାଧବଙ୍କ ମୂର୍ତ୍ତୀ ରହିଛି ।


୯. ମଙ୍ଗଳା ମନ୍ଦିର – କାକଟପୁର ମଙ୍ଗଳାଙ୍କ ପୀଠରେ ମଧ୍ଯ ମାଧବ ଙ୍କ ମୂର୍ତ୍ତୀ ରହିଛି ।

୧୦. ଗ୍ରାମେଶ୍ୱର ମନ୍ଦିର – କାକଟପୁର ବଜାରରୁ ୫ କିମି ଦୂର ଲତାହରଣ ଗ୍ରାମର ଗ୍ରାମେଶ୍ୱର ମନ୍ଦିରରେ ମାଧବଙ୍କ ମୂର୍ତ୍ତୀ ଦେଖିବାକୁ ମିଳେ।


୧୧. ଲଳିତ ମାଧବ – ଚଉରାଶି ଗ୍ରାମର ଲକ୍ଷ୍ମୀନାରାୟଣ ମନ୍ଦିର ଠାରୁ ୫୦୦ ମିଟର ବିଲ ମଧ୍ୟରେ ଚାଲି ଚାଲି ଗଲେ ଏକ ଛୋଟ ମନ୍ଦିର ରହିଛି ଏଠାରେ ଲଲିତ ମାଧବଙ୍କ ଏକ ସୁନ୍ଦର ମୂର୍ତ୍ତୀ ରହିଛି।


୧୨. ମୁଦଗଲ ମାଧବ – କାକଟପୁର-କୋଣାର୍କ ରାସ୍ତାର ବାଜପୁର ଛକରୁ ପ୍ରାୟ ୬ କିମି ଦୂର ମୁଦଗଲ ଗ୍ରାମରେ ଏହି ପ୍ରାଚୀନ ମନ୍ଦିର ଟି ଅବସ୍ଥିତ। ମୂଳ ମନ୍ଦିରଟି ଭଗ୍ନ କିନ୍ତୁ ପ୍ରାଚୀନ ମନ୍ଦିରର ପାଭାଗ ଦୃଶ୍ୟମାନ। ଏହା ଉପରେ ଏକ ଛାତ ତିଆରି କରାଯାଇ ତା’ ମଧ୍ୟରେ ମୁଦଗଲ ଋଷି ଓ ମାଧବଙ୍କ ମୂର୍ତ୍ତୀ ରଖାଯାଇଛି।


୧୩. କାକଟପୁର କୋଣାର୍କ ରାସ୍ତାର ନରୁଆ ଗ୍ରାମରେ ଥିବା ଶଙ୍କରେଶ୍ଵର ମହାଦେବଙ୍କ ପୀଠରେ ମାଧବଙ୍କ ମୂର୍ତ୍ତୀ ଦେଖାଯାଏ।

୧୪. ଅସ୍ତରଙ୍ଗ ନିକଟସ୍ଥ ଝିଉଣ୍ଟିର ଈଶ୍ୱରନାଥ ମନ୍ଦିର ନିକଟରେ ମଧ୍ୟ ମାଧବଙ୍କ ମୂର୍ତ୍ତୀ ଦେଖାଯାଏ ।


୧୫. ଜୟଦେବ ପୀଠ, କେନ୍ଦୁଲିରେ ମଧ୍ୟ ମାଧବଙ୍କ ମୂର୍ତ୍ତୀ ଦେଖିବାକୁ ମିଳେ ।


ଏହିପରି ପ୍ରାଚୀ ଉପତ୍ୟକାରେ ଆହୁରି ଅନେକ ମନ୍ଦିର ରହିଛି ଯେଉଁଠାରେ କି ମାଧବଙ୍କ ମନ୍ଦିର ବା ମୂର୍ତ୍ତି ଦେଖାଯାଏ। ଆମ ମତରେ ପ୍ରାଚୀ ଉପତ୍ୟକାର ମାଧବ ସଂସ୍କୃତି ଉପରେ ଅଧିକ ଗବେଷଣା ଜରୁରୀ ।

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

3 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

3 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago