ଲେଖା: ରବୀନ୍ଦ୍ର କୁମାର ରଣା

ପ୍ରାଚୀନଦୀ ସହିତ ଦୀର୍ଘ ୨୦୦୦ ବର୍ଷରୁ ଅଧିକ ସମୟର ଇତିହାସ ଜଡ଼ିତ। ପ୍ରାଚୀନ କଳିଙ୍ଗ ଐତିହ୍ୟର ମୂକସାକ୍ଷୀ ଏଇ ପ୍ରାଚୀ ଉପତ୍ୟକାରେରେ ରହିଛି ଶହ ଶହ ପ୍ରାଚୀନ କିର୍ତ୍ତିରାଜି।

ତେବେ ‘ପ୍ରାଚୀ ମାହାତ୍ମ୍ୟ‘ରେ ପ୍ରାଚୀତଟର ଦ୍ଵାଦଶଶମ୍ଭୁ ପୀଠ ଅତି ପ୍ରାଚୀନ। ପୀଠଗୁଡି଼କୁ ଦେଖିଲେ ଜଣାପଡ଼େ, ପ୍ରାୟ ସମସ୍ତ ମନ୍ଦିର କେତେଥର ଭାଙ୍ଗି କେତେଥର ଯେ ତିଆରି ହେଇଛି ତା’ର ହିସାବ ନାହିଁ । କିନ୍ତୁ ସେହି ପୀଠଗୁଡିକର ମାହାତ୍ମ୍ୟ, ବିଶ୍ବାସ ଓ ପ୍ରାଚୀନତା ଏବେ ବି ରହିଛି। କଣ୍ଟାପଡ଼ାର କପିଳେଶ୍ୱର ଶାସନ ଠାରୁ ଅସ୍ତରଙ୍ଗ ସମୁଦ୍ର କୂଳ ପ୍ରାଚୀ ମୁହାଣ ପର୍ଯ୍ୟନ୍ତ ଦ୍ଵାଦଶଶମ୍ଭୁଙ୍କୁ ଦର୍ଶନ କରିବା ଓ ଏହି ପୀଠ ଗୁଡ଼ିକର ପ୍ରାଚୀନ ଐତିହ୍ୟକୁ ଖୋଜିବାର ସୁଯୋଗ ମିଳିଥିଲା ଦିନେ। ତେବେ ପ୍ରାଚୀତଟର ଦ୍ଵାଦଶଶମ୍ଭୁ ପୀଠ ଉପରେ ଅନ୍ତରଙ୍ଗ କଳିଙ୍ଗର ଏଇ ସ୍ଵତନ୍ତ୍ର ଉପସ୍ଥାପନା।

୧. କପିଳେଶ୍ୱର ବା ଅନ୍ଧ କପିଳେଶ୍ୱର: ପ୍ରାଚୀତଟର ପ୍ରଥମ ଶମ୍ଭୁ ହେଲେ କପିଳେଶ୍ୱର। ପ୍ରାଚୀ ମାହାତ୍ମ୍ୟ ଅନୁସାରେ ପୂର୍ବେ ଏଠାରେ କପିଳମୁନିଙ୍କ ଆଶ୍ରମ ଥିଲା। ପ୍ରାଚୀ ନଦୀ କୂଳରେ କପିଳମୁନି ଶିବଲିଙ୍ଗ ସ୍ଥାପନ କରି ତାହାଙ୍କୁ କପିଳେଶ୍ୱର ନାମ ଦେଇଥିଲେ। ଦୃଷ୍ଟିହୀନ ମାନେ ଏଠାରେ ଶିବଙ୍କ ପ୍ରସାଦ ପାଇ ଭଲ ଦେଖି ପାରନ୍ତି ବୋଲି ଏହି ସ୍ଥାନର ନାମ ଅନ୍ଧ କପିଳେଶ୍ୱର ବୋଲି କୁହନ୍ତି। କଣ୍ଟାପଡ଼ା ବଜାରର ପାଞ୍ଚ କି.ମି. ପୂର୍ବରୁ କପିଳେଶ୍ୱରପୁର ଗ୍ରାମରେ ଏହି ପ୍ରାଚୀନ ମନ୍ଦିରଟି ଅବସ୍ଥିତ। ଏଠାରେ ଶିବଲିଙ୍ଗ ବର୍ଷସାରା ପାଣିରେ ବୁଡ଼ି ରହିଥାନ୍ତି।

୨. ଗୋକର୍ଣ୍ଣେଶ୍ୱର: ପ୍ରାଚୀତଟର ଦ୍ଵିତୀୟ ଶମ୍ଭୁ ହେଲେ ଗୋକର୍ଣ୍ଣେଶ୍ୱର । କପିଳେଶ୍ୱର ମନ୍ଦିର ଠାରୁ ମାତ୍ର ୧ କି.ମି. ଦୂରରେ ପ୍ରାଚୀ କୂଳରେ ଏହି ପ୍ରାଚୀନ ମନ୍ଦିରଟି ଅବସ୍ଥିତ। ପ୍ରାଚୀନ ମନ୍ଦିର ଭାଙ୍ଗି ଯାଇଛି। ମନ୍ଦିର ସେବାୟତଙ୍କ ସହଯୋଗରେ ନୂତନ ମନ୍ଦିର ନିର୍ମାଣ କରାଯାଇଛି। ଏଠାରେ ମନ୍ଦିରଟି ପଶ୍ଚିମମୁଖୀ ଓ ଏଠାରେ ବାହନରୂପେ ଯୋଡ଼ି ବୃଷଭ ଦେଖାଯାଆନ୍ତି।

୩. ବିଲ୍ୱେଶ୍ଵର: ଗୋକର୍ଣ୍ଣେଶ୍ୱର ମନ୍ଦିରଠାରୁ ମାତ୍ର ୩ କି.ମି. ଦୂରରେ ପ୍ରାଚୀର ଦକ୍ଷିଣ ତୀରରେ ବିଲ୍ଵେଶ୍ୱର ଓ ତ୍ରିବେଣୀଶ୍ୱର ମନ୍ଦିର ଗୋଟିଏ ପରିସରରେ ଅବସ୍ଥିତ। ଏଠାରେ ମନ୍ଦିରର ପାଦୁକା ନଳା ଦକ୍ଷିଣ ଦିଗକୁ ରହିଛି। ମନ୍ଦିରଟି ନୂତନ ଭାବେ ନିର୍ମିତ କିନ୍ତୁ କେତେକ ପ୍ରାଚୀନ ମୂର୍ତ୍ତି ମନ୍ଦିର ପରିସରରେ ରହିଛି। ମନ୍ଦିର ସାମ୍ନାରେ ଅନ୍ତର୍ବେଦୀ ମଠ ଯେଉଁଠାରେ ପ୍ରାଚୀ କୂଳରେ ଶ୍ରଦ୍ଧାଳୁ ଶ୍ରାଦ୍ଧ, ତିଳତର୍ପଣ ଓ ବୁଡ ପକାଇଥାନ୍ତି।

୪. ଶୋଭନେଶ୍ୱର୍: ପ୍ରାଚୀ ତଟର ଚତୁର୍ଥ ଶମ୍ଭୁ ହେଲେ ନିଆଳି ବଜାରରେ ଥିବା ଶୋଭନେଶ୍ୱର୍ ମନ୍ଦିର। ଏବେକାର ମନ୍ଦିର ତ୍ରୟୋଦଶ ଶତାବ୍ଦୀରେ ଭୁଜଙ୍ଗମପୂରର ରାଜା ବୈଦ୍ୟନାଥଙ୍କ ଦ୍ଵାରା ନିର୍ମିତ। ସୁନ୍ଦର କାରୁକାର୍ଯ୍ୟରେ ପରିପୂର୍ଣ୍ଣ ବିଶାଳ ମନ୍ଦିର। ମନ୍ଦିର ସାମ୍ନାରେ ଥିବା ମଣ୍ଡପରେ ଏକ ରେଖାଙ୍କିତ ପଥର ରହିଛି। ଏହାକୁ ‘ଲକ୍ଷଣା ପଥର‘ କୁହାଯାଏ । କିନ୍ତୁ ପୂଜକଙ୍କୁ ପଚାରିବାରୁ ସେ ଏହାକୁ ‘ନକୋଣିଆ ପଥର‘ କହିଲେ। ପୂର୍ବେ କୌଣସି ନ୍ୟାୟନିଶାପ ପାଇଁ ଲୋକମାନେ ଏଇ ପଥରକୁ ଛୁଇଁ ଶପଥ ବା ସତ୍ୟ କରୁଥିଲେ।

୫. ରାମେଶ୍ବର: ପ୍ରାଚୀତଟର ପଞ୍ଚମ ଶମ୍ଭୁ ହେଲେ ଟୋଲା ଗୋପିନାଥପୁରର ରାମେଶ୍ବର। ନିଆଳି ଠାରୁ ମୁଖ୍ୟ ରାସ୍ତାରେ ମାତ୍ର ୩ କି.ମି. ଦୂରରେ ଏହି ବିଶାଳ ମନ୍ଦିରଟି ଅବସ୍ଥିତ। ମନ୍ଦିର ପରିସରରେ ଶନିଦେବଙ୍କ ମନ୍ଦିର ଓ ମରିଚମ୍ବି ଠାକୁରାଣୀଙ୍କ ମନ୍ଦିର ରହିଛି। ସମ୍ଭବତଃ ଏହି ମରିଚମ୍ବୀ ଠାକୁରାଣୀ ଚାମୁଣ୍ଡା ହେଇ ପାରନ୍ତି କିନ୍ତୁ ମନ୍ଦିର ଭିତର ଅନ୍ଧାର ଥିବାରୁ ସଠିକ୍ ଜାଣିହେଲା ନାହିଁ।

୬. ଅଙ୍ଗେଶ୍ୱର: ପ୍ରାଚୀତଟର ଷଷ୍ଠ ଶମ୍ଭୁ ହେଲେ ନିଆଳି ମାଧବ ଠାରୁ ୧ କି.ମି. ଦୂରରେ ପିତାପଡ଼ା ଗ୍ରାମର ଅଙ୍ଗେଶ୍ୱର ମନ୍ଦିର। ପୁରୁଣା ନାଲି ଇଟାରେ ତିଆରି ପ୍ରାଚୀନ ମନ୍ଦିର। କିନ୍ତୁ ଏହାର ରକ୍ଷଣାବେକ୍ଷଣ ଠିକ ନାହିଁ। ମନ୍ଦିର ଡ଼ାହାଣ ପାଖରେ ଏକ ଛୋଟ ମନ୍ଦିରରେ ମା’ ଅମ୍ବିକାଙ୍କ ମୂର୍ତ୍ତି ଓ ବାମପଟେ ଏକ ଛୋଟ ଘରେ କେତେ ଗୁଡିଏ ସୁନ୍ଦର ପ୍ରାଚୀନ ମୂର୍ତ୍ତି ରଖାଯାଇଛି।

୭. ଅମରେଶ୍ୱର: ପ୍ରାଚୀତଟର ସପ୍ତମ ଶମ୍ଭୁ ହେଲେ ନିମାପଡା-କାକଟପୁର ମୁଖ୍ୟରାସ୍ତା କଡ଼ରେ ଥିବା ଅମରେଶ୍ୱର ପୀଠ। ମନ୍ଦିର ପରିସରରେ ଲକ୍ଷ୍ମୀନୃସିଂହଙ୍କ ମନ୍ଦିର ଓ ମା’ ଚର୍ଚ୍ଚିକାଙ୍କ ମନ୍ଦିର । ଏହାବ୍ୟତୀତ ଗୋଟିଏ ପ୍ରାଚୀନ ବାମ୍ଫି ମଧ୍ୟ ରହିଛି। ମନ୍ଦିର ସାମ୍ନାରେ ଗୋଟିଏ ଛୋଟ ଚଟାଣରେ ରାବଣର ଚାରୋଟି ପଥର ତିଆରି ମୁଣ୍ଡ ରହିଛି। ଏହି ଅମରେଶ୍ୱରଙ୍କ ପୀଠରେ ଲଙ୍କାପତି ରାବଣ ଅମରବର ପାଇବା ପାଇଁ ଯଜ୍ଞ କରିଥିବା କିମ୍ବଦନ୍ତୀ କହେ।

୮. ଗ୍ରାମେଶ୍ୱର: ପ୍ରାଚୀତଟର ଅଷ୍ଟମ ଶମ୍ଭୁ ହେଲେ ନୟାହାଟ ନିକଟସ୍ଥ ନିଭରଣ ଗ୍ରାମର ଗ୍ରାମେଶ୍ୱର ମହାଦେବ। ବହୁତ ସୁନ୍ଦର ବିଶାଳ ମନ୍ଦିର ପରିସର। ଚାରୋଟି ମନ୍ଦିର ଗୋଟିଏ ପରିସରରେ। ଗୋଟିଏ ବିଷ୍ଣୁ ମନ୍ଦିର, ଗୋଟିଏ ବାରଭୂଜା ପାର୍ବତୀ ଓ ଗୋଟିଏ ଦେବୀ ମନ୍ଦିର। ମନ୍ଦିରର ଏଣେତେଣେ ଅନେକ ପ୍ରାଚୀନ ମୂର୍ତ୍ତି ରହିଛି।

୯. ସୋମେଶ୍ୱର: ପ୍ରାଚୀତଟର ନବମ ଶମ୍ଭୁ ହେଲେ କାକଟପୁର ବଜାରରୁ ମାତ୍ର ୧ କି.ମି. ଦୂର ଅସ୍ତରଙ୍ଗ ମୁଖ୍ୟରାସ୍ତା କଡ଼ରେ ଥିବା ସୋମେଶ୍ୱର ମନ୍ଦିର। ଏହି ମନ୍ଦିରରେ ଶିବଲିଙ୍ଗ ନାହିଁ କେବଳ ଶକ୍ତି ପୂଜା ପାଉଛନ୍ତି। ମନ୍ଦିର ପରିସରରେ ପ୍ରାୟ ତିନି ଫୁଟ ଉଚ୍ଚର ଚାମୁଣ୍ଡାଙ୍କର ଏକ ଅତି ପ୍ରାଚୀନ ମୂର୍ତ୍ତି ସମେତ ଅନେକ ପ୍ରାଚୀନ ମୂର୍ତ୍ତି ଦୃଶ୍ୟମାନ ।

୧୦. ସିଦ୍ଧେଶ୍ୱର: ପ୍ରାଚୀତଟର ଦଶମ ଶମ୍ଭୁ ହେଲେ ମୁଦୁଗଲ ଗ୍ରାମରେ ଥିବା ସିଦ୍ଧେଶ୍ୱର ପୀଠ। କାକଟପୁର-କୋଣାର୍କ ରାସ୍ତାରେ ଯାଇ ବାଜପୁର ଛକରୁ ବାମକୁ ଗଲେ ମୁଦୁଗଲ ଗ୍ରାମରେ ଏହି ପ୍ରାଚୀନ ପୀଠ ଅବସ୍ଥିତ। ମନ୍ଦିର ପରିସର ବହୁତ ସୁନ୍ଦର।

୧୧. ନୃତ୍ୟେଶ୍ୱର: ମୁଦୁଗଲ ଗ୍ରାମରୁ ପ୍ରାୟ ୫-୭ କି.ମି. ଦୂର ନାସିକେଶ୍ଵର ଗ୍ରାମରେ ପ୍ରାଚୀତଟର ଏକାଦଶ ଶମ୍ଭୁ ନୃତ୍ୟେଶ୍ୱର ବା ନାଟକେଶ୍ୱର ମହାଦେବଙ୍କ ପୀଠ ଅବସ୍ଥିତ।

୧୨. ମୁକ୍ତେଶ୍ଵର: ପ୍ରାଚୀତଟର ଶେଷ ବା ଦ୍ଵାଦଶତମ ଶମ୍ଭୁ ହେଲେ ପ୍ରାଚୀମୁହାଣରେ ଅବସ୍ଥିତ ଡ଼ାଳୁଅକଣି ଗ୍ରାମର ମୁକ୍ତେଶ୍ଵର ମହାଦେବ ପୀଠ। ଅସ୍ତରଙ୍ଗରୁ ପ୍ରାୟ ୧୦ କି.ମି. ଦୂରରେ ସମୁଦ୍ର କୂଳରେ ଏହି ଗ୍ରାମଟି ଅବସ୍ଥିତ। ଏଠାରେ ଏହି ମନ୍ଦିରର ନାମ ‘ଗୋମୁଖୀ କେଶବ‘। ମନ୍ଦିରରେ ଶିବଲିଙ୍ଗଙ୍କ ସହିତ ଆସ୍ଥାନ ଉପରେ କେଶବ ପୂଜା ପାଉଛନ୍ତି ତେଣୁ ମନ୍ଦିରଟି ଗୋମୁଖୀ କେଶବ ନାମରେ ପରିଚିତ। ମନ୍ଦିରରେ ଶିବଲିଙ୍ଗଙ୍କ ସାମ୍ନାରେ ବାହନ ବୃଷଭ ନାହାଁନ୍ତି କିନ୍ତୁ ଗରୁଡ଼ ଅଛନ୍ତି। ଏହାର କାରଣ ପୂଜକଙ୍କୁ ପଚାରିବାରୁ ସେ  ସଠିକ୍ କିଛି କହି ପାରିଲେ ନାହିଁ। ସ୍ଥାନୀୟ ଲୋକଙ୍କ ସହ ଆଲୋଚନା ଓ “ପ୍ରାଚୀନଦୀର ଐତିହାସିକ ବିଭବ” ପୁସ୍ତକ ଆଧାରରେ ଏହି ତଥ୍ୟସବୁ ଉଲ୍ଲେଖ ଅଛି ।

ପ୍ରାଚୀତଟର ଦ୍ଵାଦଶଶମ୍ଭୁ ମନ୍ଦିରମାନଙ୍କ ମଧ୍ୟରୁ ଅଧିକାଂଶ ନୂତନ ଭାବେ ନିର୍ମିତ, କିନ୍ତୁ ପ୍ରତି ମନ୍ଦିରରେ ବହୁତ ଗୁଡ଼ିଏ ପ୍ରାଚୀନ ମୂର୍ତ୍ତି ରହିଛି। ଚାରିଚକିଆ ଯାନରେ ଏ ସମସ୍ତ ମନ୍ଦିର ଗୋଟିଏ ଦିନରେ ଦର୍ଶନ କରିବା କଠିନ ହେଇପାରେ, କିନ୍ତୁ ଦୁଇଚକିଆ ଯାନରେ ଯାଇ ପାରିବେ। 

Spread the love
admin

View Comments

Recent Posts

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

11 hours ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 days ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 days ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 week ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 week ago

ଦଶପଲ୍ଲା ଗଡ଼

ଦଶପଲ୍ଲା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଅଧୁନା ନୟାଗଡ଼ ଜିଲ୍ଲା ପୂର୍ବରୁ ଚାରି ଗଡଜାତରେ ବିଭକ୍ତ ଥିଲା ଯଥା,…

2 weeks ago