ଲେଖା: ଦେଵ ତ୍ରିପାଠୀ

ତାଙ୍କ ସଙ୍ଗୀତରେ ଭାବ ଓ ଭାଷା ଥାଏ ଲାଳିତ୍ୟପୁର୍ଣ୍ଣ, ମଧୁର । ତାଙ୍କ ସୁର ଶୁଣି ଆତ୍ମବିଭୋର ହୁଏ ଶ୍ରୋତା । ତାଙ୍କ କଣ୍ଠରେ ଭାବ, ଭାଷା ଓ ଧ୍ୱନିର ଥାଏ ଏକ ସୁନ୍ଦର ସମନ୍ୱୟ, ସେଥିପାଇଁ ତାଙ୍କ ଗୀତସବୁ ହୋଇଯାଏ ଅପାସୋରା, ତନୁମନ ଶିହରାଇଦିଏ, ଲିପିବଦ୍ଧ ହୋଇଯାଏ ଶୃତିରେ, ସ୍ମୃତିରେ । ତାଙ୍କର ଆବେଗ-ବିଜଡିତ ସ୍ବର ତଥା ସେ ଗାଇଥିବା ଗୀତଗୁଡ଼ିକର ସୁଲଳିତ ପଦାବଳୀ ଓଡ଼ିଆ ସଙ୍ଗୀତ ଜଗତରେ ତୋଳେ ମଧୁମୟ ମୂର୍ଚ୍ଛନା । ସେହି ଦରଦୀ କଣ୍ଠଶିଳ୍ପୀ ହିଁ ପ୍ରଣବ ପଟ୍ଟନାୟକ

ରାଜନୀତି, ସାହିତ୍ୟ, ସଙ୍ଗୀତର ଏକ ସମନ୍ୱିତ ସଂସ୍କୃତିମୟ ପରିବାରରେ ଜନ୍ମିତ ପ୍ରଣବ ବାଲ୍ୟକାଳରେ ନିଜେ ହିଁ ନିଜର ଗୁରୁ ବନିଯାଇଥିଲେ । ନିଜେ ହିଁ ନିଜକୁ ତାଗିଦ କରିବା, ନିଜେ ହିଁ ନିଜର ତୃଟି ସୁଧାରିବା ପରି ବିରଳ ଉଦାହରଣ ସୃଷ୍ଟି କରିଥିଲେ ସେ ଘରର ଆଇନା ସମ୍ମୁଖରେ ସଙ୍ଗୀତର ସାଧନା କରି । ସଙ୍ଗୀତସୁଧାକର ବାଳକୃଷ୍ଣ ଦାଶ ହିଁ ଦେଖିପାରିଥିଲେ ସେଇ ବାଳକ ପ୍ରଣବ ଭିତରେ ଆଗାମୀ ଦିନର ସଙ୍ଗୀତର ଶ୍ରଦ୍ଧାଶୀଳ, ପ୍ରତିଷ୍ଠିତ, ପରିବ୍ୟାପ୍ତ ବ୍ୟକ୍ତିତ୍ଵଙ୍କୁ । ତାଙ୍କରି ପ୍ରେରଣାଦାୟୀ ପରାମର୍ଶ ଓ ପିତାଙ୍କ ସହଯୋଗ ରେ ପ୍ରଣବଙ୍କ ଜୀବନ ହୋଇଉଠିଥିଲା ସାଙ୍ଗୀତିକତାରେ ପୂର୍ଣ୍ଣ ।

ରେଭେନ୍ସା ମହାବିଦ୍ୟାଳୟରେ ଅଧ୍ୟୟନ ସମୟରେ ଗୁରୁ କୁଣ୍ଡଳ ନାରାୟଣ ରାଓଙ୍କ ଠାରୁ ସଙ୍ଗୀତ ଶିକ୍ଷା କରି ପରବର୍ତ୍ତୀ ସମୟରେ ବାଳକୃଷ୍ଣ ଦାସଙ୍କ ନିର୍ଦ୍ଦେଶନାରେ ‘ଶ୍ରୀଲୋକନାଥ‘ ଚଳଚ୍ଚିତ୍ରରେ କଣ୍ଠଦାନ କରି ପ୍ରଣବ ବନିଯାଇଥିଲେ ଓଡ଼ିଶାର ଘରେ ଘରେ ପରିଚିତ । ୨୦୦ରୁ ଉର୍ଦ୍ଧ୍ବ ଓଡ଼ିଆ କଥାଚିତ୍ର ସହିତ ଅନେକ ତାମିଲ କଥାଚିତ୍ରରେ କଣ୍ଠଦାନ କରି ସେ ବନିଯାଇଥିଲେ ଅଦ୍ୱିତୀୟ ।


ଓଡ଼ିଆ ଗୀତରେ ପ୍ରଥମ ଥର ପାଇଁ ଗଜଲଶୈଳୀର ସଫଳ ପରୀକ୍ଷଣ କରି ପ୍ରଣବ ପଟ୍ଟନାୟକ ମଧ୍ୟ ହିନ୍ଦୀ ଗଜଲରେ ପ୍ରବେଶ କରିଥିଲେ, ମିର୍ଜା ଗାଲିବଙ୍କ କୃତିକୁ ସ୍ବରଦାନରୁ ହିଁ ବାରି ହୁଏ ପ୍ରଣବଙ୍କ ସଙ୍ଗୀତ ପ୍ରତି ଥିବା ସମ୍ମୋହନ । ଗାଇବା ଆଗରୁ ଗୀତଟିକୁ ବାଛି ତା’ର ଅନ୍ତର୍ଧ୍ୱନି ସହ ପରିଚିତ ହେବା, ଅନ୍ତରର ଧୂନ୍ ସହ ଏକାକାର କରିବା; ସର୍ବୋପରି ଗୀତର ପରିସ୍ଫୁଟନରେ ଆବେଗ-ଅଧୀର ସମର୍ପିତ ଭାବରେ ତଲ୍ଲୀନ ରହି ସଙ୍ଗୀତର ମହାସାଗରରେ ବେଗମତୀ ସ୍ରୋତସ୍ବିନୀ ପରି ନିଜକୁ ମିଶାଇଦେବା ହିଁ ପ୍ରଣବଙ୍କର ବିଶେଷତ୍ଵ ।

ପ୍ରଣବ ପଟ୍ଟନାୟକ ‘ଶ୍ରୀଲୋକନାଥ’,  ‘ସୂର୍ଯ୍ୟମୁଖୀ’ , ‘ସିନ୍ଦୂରବିନ୍ଦୁ’,  ‘ଶେଷ ଶ୍ରାବଣ’,  ‘ଚିହ୍ନା ଅଚିହ୍ନା’, ‘ବତୀଘର’ ଆଦି ଚଳଚ୍ଚିତ୍ରରେ କଣ୍ଠଦାନ କରି ଓଡ଼ିଆ ସଙ୍ଗୀତ ଜଗତକୁ କରିଛନ୍ତି ଆତ୍ମବିଭୋର ।

କର୍ପୋରେଟ ଦୁନିଆର ଧରାବନ୍ଧା ଜୀବନ ସହ ତାଳ ମିଳାଇ ସଙ୍ଗୀତକୁ ଜୀବନର ଅତୁଳନୀୟ ଅଙ୍ଗଭାବେ ବାଛି ନେଇଥିବା ଗାୟକ ପ୍ରଣବ ପଟ୍ଟନାୟକ ଦେଶ ବିଦେଶରେ ବହୁ ସ୍ଥାନରେ ସଙ୍ଗୀତ ପରିବେଷଣ କରି ସାଉଁଟିଛନ୍ତି ଅଜସ୍ର ଯଶଖ୍ୟାତି । ସଙ୍ଗୀତ ଜଗତରେ ତାଙ୍କର ଅବଦାନ ପାଇଁ ଓଡ଼ିଶାବାସୀ ତାଙ୍କୁ କରିଛନ୍ତି ଜୟଦେବ ପୁରସ୍କାର, ଗଙ୍ଗାଧର ରଥ ସ୍ମାରକୀ ସମ୍ମାନ, ପ୍ରଫୁଲ୍ଲ କର ସମ୍ମାନ, ସିକନ୍ଦର ଆଲାମ ସମ୍ମାନ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଆୱାର୍ଡ଼, ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ସହିତ ଅଗଣିତ ଚଳଚ୍ଚିତ୍ର ଜଗତର ସମ୍ମାନରେ ସମ୍ମାନିତ ।

‘ଉଆଁସ ରାତି ପାହିଲା ମାଝି . .’, ‘ସୀମାହୀନ ଦରିଆ . . ‘, ‘ନ କର ନ କର ମନା . . ‘, ‘ରେ ଆତ୍ମନ୍ ନିଦ୍ରା ପରିହରି . . “, ‘ଏମିତି ରାତି . . ‘, ‘ମୁଁ ଯେ ଅମୃତ ସାଗର . . ‘, ‘ଜୀବନ ଯମୁନା ନଈ . . ‘ ପରି ଅସୁମାରୀ ଅପାଶୋରା ଦରଦଭରା ସଙ୍ଗୀତର ଦରଦୀ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କୁ ଅନ୍ତରଙ୍ଗ କଳିଙ୍ଗର ସଶ୍ରଦ୍ଧ ଦଣ୍ଡବତ ।

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

4 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 month ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago