ଲେଖା: ଦେଵ ତ୍ରିପାଠୀ

ତାଙ୍କ ସଙ୍ଗୀତରେ ଭାବ ଓ ଭାଷା ଥାଏ ଲାଳିତ୍ୟପୁର୍ଣ୍ଣ, ମଧୁର । ତାଙ୍କ ସୁର ଶୁଣି ଆତ୍ମବିଭୋର ହୁଏ ଶ୍ରୋତା । ତାଙ୍କ କଣ୍ଠରେ ଭାବ, ଭାଷା ଓ ଧ୍ୱନିର ଥାଏ ଏକ ସୁନ୍ଦର ସମନ୍ୱୟ, ସେଥିପାଇଁ ତାଙ୍କ ଗୀତସବୁ ହୋଇଯାଏ ଅପାସୋରା, ତନୁମନ ଶିହରାଇଦିଏ, ଲିପିବଦ୍ଧ ହୋଇଯାଏ ଶୃତିରେ, ସ୍ମୃତିରେ । ତାଙ୍କର ଆବେଗ-ବିଜଡିତ ସ୍ବର ତଥା ସେ ଗାଇଥିବା ଗୀତଗୁଡ଼ିକର ସୁଲଳିତ ପଦାବଳୀ ଓଡ଼ିଆ ସଙ୍ଗୀତ ଜଗତରେ ତୋଳେ ମଧୁମୟ ମୂର୍ଚ୍ଛନା । ସେହି ଦରଦୀ କଣ୍ଠଶିଳ୍ପୀ ହିଁ ପ୍ରଣବ ପଟ୍ଟନାୟକ

ରାଜନୀତି, ସାହିତ୍ୟ, ସଙ୍ଗୀତର ଏକ ସମନ୍ୱିତ ସଂସ୍କୃତିମୟ ପରିବାରରେ ଜନ୍ମିତ ପ୍ରଣବ ବାଲ୍ୟକାଳରେ ନିଜେ ହିଁ ନିଜର ଗୁରୁ ବନିଯାଇଥିଲେ । ନିଜେ ହିଁ ନିଜକୁ ତାଗିଦ କରିବା, ନିଜେ ହିଁ ନିଜର ତୃଟି ସୁଧାରିବା ପରି ବିରଳ ଉଦାହରଣ ସୃଷ୍ଟି କରିଥିଲେ ସେ ଘରର ଆଇନା ସମ୍ମୁଖରେ ସଙ୍ଗୀତର ସାଧନା କରି । ସଙ୍ଗୀତସୁଧାକର ବାଳକୃଷ୍ଣ ଦାଶ ହିଁ ଦେଖିପାରିଥିଲେ ସେଇ ବାଳକ ପ୍ରଣବ ଭିତରେ ଆଗାମୀ ଦିନର ସଙ୍ଗୀତର ଶ୍ରଦ୍ଧାଶୀଳ, ପ୍ରତିଷ୍ଠିତ, ପରିବ୍ୟାପ୍ତ ବ୍ୟକ୍ତିତ୍ଵଙ୍କୁ । ତାଙ୍କରି ପ୍ରେରଣାଦାୟୀ ପରାମର୍ଶ ଓ ପିତାଙ୍କ ସହଯୋଗ ରେ ପ୍ରଣବଙ୍କ ଜୀବନ ହୋଇଉଠିଥିଲା ସାଙ୍ଗୀତିକତାରେ ପୂର୍ଣ୍ଣ ।

ରେଭେନ୍ସା ମହାବିଦ୍ୟାଳୟରେ ଅଧ୍ୟୟନ ସମୟରେ ଗୁରୁ କୁଣ୍ଡଳ ନାରାୟଣ ରାଓଙ୍କ ଠାରୁ ସଙ୍ଗୀତ ଶିକ୍ଷା କରି ପରବର୍ତ୍ତୀ ସମୟରେ ବାଳକୃଷ୍ଣ ଦାସଙ୍କ ନିର୍ଦ୍ଦେଶନାରେ ‘ଶ୍ରୀଲୋକନାଥ‘ ଚଳଚ୍ଚିତ୍ରରେ କଣ୍ଠଦାନ କରି ପ୍ରଣବ ବନିଯାଇଥିଲେ ଓଡ଼ିଶାର ଘରେ ଘରେ ପରିଚିତ । ୨୦୦ରୁ ଉର୍ଦ୍ଧ୍ବ ଓଡ଼ିଆ କଥାଚିତ୍ର ସହିତ ଅନେକ ତାମିଲ କଥାଚିତ୍ରରେ କଣ୍ଠଦାନ କରି ସେ ବନିଯାଇଥିଲେ ଅଦ୍ୱିତୀୟ ।


ଓଡ଼ିଆ ଗୀତରେ ପ୍ରଥମ ଥର ପାଇଁ ଗଜଲଶୈଳୀର ସଫଳ ପରୀକ୍ଷଣ କରି ପ୍ରଣବ ପଟ୍ଟନାୟକ ମଧ୍ୟ ହିନ୍ଦୀ ଗଜଲରେ ପ୍ରବେଶ କରିଥିଲେ, ମିର୍ଜା ଗାଲିବଙ୍କ କୃତିକୁ ସ୍ବରଦାନରୁ ହିଁ ବାରି ହୁଏ ପ୍ରଣବଙ୍କ ସଙ୍ଗୀତ ପ୍ରତି ଥିବା ସମ୍ମୋହନ । ଗାଇବା ଆଗରୁ ଗୀତଟିକୁ ବାଛି ତା’ର ଅନ୍ତର୍ଧ୍ୱନି ସହ ପରିଚିତ ହେବା, ଅନ୍ତରର ଧୂନ୍ ସହ ଏକାକାର କରିବା; ସର୍ବୋପରି ଗୀତର ପରିସ୍ଫୁଟନରେ ଆବେଗ-ଅଧୀର ସମର୍ପିତ ଭାବରେ ତଲ୍ଲୀନ ରହି ସଙ୍ଗୀତର ମହାସାଗରରେ ବେଗମତୀ ସ୍ରୋତସ୍ବିନୀ ପରି ନିଜକୁ ମିଶାଇଦେବା ହିଁ ପ୍ରଣବଙ୍କର ବିଶେଷତ୍ଵ ।

ପ୍ରଣବ ପଟ୍ଟନାୟକ ‘ଶ୍ରୀଲୋକନାଥ’,  ‘ସୂର୍ଯ୍ୟମୁଖୀ’ , ‘ସିନ୍ଦୂରବିନ୍ଦୁ’,  ‘ଶେଷ ଶ୍ରାବଣ’,  ‘ଚିହ୍ନା ଅଚିହ୍ନା’, ‘ବତୀଘର’ ଆଦି ଚଳଚ୍ଚିତ୍ରରେ କଣ୍ଠଦାନ କରି ଓଡ଼ିଆ ସଙ୍ଗୀତ ଜଗତକୁ କରିଛନ୍ତି ଆତ୍ମବିଭୋର ।

କର୍ପୋରେଟ ଦୁନିଆର ଧରାବନ୍ଧା ଜୀବନ ସହ ତାଳ ମିଳାଇ ସଙ୍ଗୀତକୁ ଜୀବନର ଅତୁଳନୀୟ ଅଙ୍ଗଭାବେ ବାଛି ନେଇଥିବା ଗାୟକ ପ୍ରଣବ ପଟ୍ଟନାୟକ ଦେଶ ବିଦେଶରେ ବହୁ ସ୍ଥାନରେ ସଙ୍ଗୀତ ପରିବେଷଣ କରି ସାଉଁଟିଛନ୍ତି ଅଜସ୍ର ଯଶଖ୍ୟାତି । ସଙ୍ଗୀତ ଜଗତରେ ତାଙ୍କର ଅବଦାନ ପାଇଁ ଓଡ଼ିଶାବାସୀ ତାଙ୍କୁ କରିଛନ୍ତି ଜୟଦେବ ପୁରସ୍କାର, ଗଙ୍ଗାଧର ରଥ ସ୍ମାରକୀ ସମ୍ମାନ, ପ୍ରଫୁଲ୍ଲ କର ସମ୍ମାନ, ସିକନ୍ଦର ଆଲାମ ସମ୍ମାନ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଆୱାର୍ଡ଼, ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ସହିତ ଅଗଣିତ ଚଳଚ୍ଚିତ୍ର ଜଗତର ସମ୍ମାନରେ ସମ୍ମାନିତ ।

‘ଉଆଁସ ରାତି ପାହିଲା ମାଝି . .’, ‘ସୀମାହୀନ ଦରିଆ . . ‘, ‘ନ କର ନ କର ମନା . . ‘, ‘ରେ ଆତ୍ମନ୍ ନିଦ୍ରା ପରିହରି . . “, ‘ଏମିତି ରାତି . . ‘, ‘ମୁଁ ଯେ ଅମୃତ ସାଗର . . ‘, ‘ଜୀବନ ଯମୁନା ନଈ . . ‘ ପରି ଅସୁମାରୀ ଅପାଶୋରା ଦରଦଭରା ସଙ୍ଗୀତର ଦରଦୀ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କୁ ଅନ୍ତରଙ୍ଗ କଳିଙ୍ଗର ସଶ୍ରଦ୍ଧ ଦଣ୍ଡବତ ।

Spread the love
admin

Recent Posts

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

1 month ago

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

1 month ago

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

2 months ago

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

2 months ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

2 months ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

2 months ago