ଲେଖା: ଦେଵ ତ୍ରିପାଠୀ
ନିଘଞ୍ଚ ମାଳାଞ୍ଚଳ, ଆକାଶର ନୀଳ ଓ ଅରଣ୍ୟର ଚୂଳ ସେଠି ମିତ ବସିଛନ୍ତି । ଆଉ କିଛି ବାଟ ପରେ ଏକାଠି ହୋଇଛନ୍ତି ଓଡ଼ିଶା ଓ ଛତିଶଗଡ଼ର ସୀମା । ଦିନେ ପାହାଡିଆ ନଈର ଛନ୍ଦ, ଦିଗନ୍ତବ୍ୟାପୀ ଧାନକ୍ଷେତର ସବୁଜମାୟା, ବିହଗକାକଳି ଏବଂ ସର୍ବୋପରି ସରଳ ମଣିଷଙ୍କ ଶ୍ରଦ୍ଧାମୟ କୋଳାହଳରେ ସେ ମୁଲକ ଥିଲା ଚିର ସଙ୍ଗୀତମୟ ।
ସେଠି ଜନ୍ମିଥିଲେ ପ୍ରବାଦପୁରୁଷ, ଯଥାର୍ଥ ପ୍ରକୃତିକବି, ତନ୍ତରେ ଭରିଥିଲେ ରଙ୍ଗୀନ ସୂତାର ଛନ୍ଦଣୀ, କଣ୍ଠରେ ଆତ୍ମଥରା ସଙ୍ଗୀତର ଲହର । ସ୍ୱଭାବକବିଙ୍କ କବିତାରେ ସେଥିପାଇଁ ଆସୁଥିଲା ମଙ୍ଗଳ ମନାଇ ଉଷା – ପଦ୍ମଫୁଟାଇ ପଥଧାର ସରସୀରେ । ସେହି ‘ଗଙ୍ଗାର ନୀର ପରି ସ୍ବଚ୍ଛ ତୂଳୀ’ର ବିନ୍ଧାଣୀ କବି ଗଙ୍ଗାଧର ମେହେରଙ୍କ ଗାଁକୁ ଯିବାବେଳେ ହୁଏତ ମନଭିତରେ ଆପଣ ଆଙ୍କିପାରନ୍ତି ଏମିତି ଏକ ଦୃଶ୍ୟପଟ – ପଦ୍ମପୋଖରୀ, ମାଳତୀକୁଞ୍ଜରେ ଭଅଁରଙ୍କ ଉଲ୍ଲାସ, କୋଳିବୁଦାରେ ବୁଲବୁଲଙ୍କ ଗହଳି, ଗହନ ଆମ୍ବତୋଟାରେ ‘କଳ କଣ୍ଠ କଣ୍ଠେ . . . ରାତି ପାହିବାର’ ଘୋଷଣା ।
ସମ୍ବଲପୁର ଠାରୁ ୫୦ କି.ମି. ଦୂର ବରଗଡ ଏବଂ ସେଠାରୁ ୩୨ କି.ମି. ଦୂରର ପ୍ରକୃତି କବିଙ୍କ ପରମ ତପସ୍ୟାର ଗାଁ – ଯିଏ ତାଙ୍କ କଣ୍ଠରେ ଭରି ଦେଇଥିଲା ଛନ୍ଦ, ଆଖିରେ ରଙ୍ଗ, ମନରେ ରୂପକଳ୍ପର ଢେଉ, ସେ ବରପାଲି ଆଜି କାହିଁ ! ସେ ଆଜି ଏକ ଆବର୍ଜନାର ନର୍କପୁରୀ ! ଫସଲକିଆରୀରୁ କୀଟନାଶକ ବିଷର ଉତ୍କଟ ଗନ୍ଧ, ସ୍ବୟଂ ପ୍ରକୃତିକବିଙ୍କ ସମାଧିପୀଠ ସ୍ଥଳୀକୁ ଯିବା ରାସ୍ତା ପୁରୀଷମୟ !
ପ୍ରକୃତିକବିଙ୍କ ସମାଧିପୀଠ ହୁଏତ ଧିକାରୁଛି ଆମର ପୂଜ୍ୟପୂଜାକୁ, ଆମର ତୁଚ୍ଛା ମଣିଷପଣିଆକୁ । ଲାଗୁଛି ଆମେ ସଭିଏଁ ଆଜି ପ୍ରକୃତିଛଡା, ଆମ ଭିତରେ ସୃଜନ କି ସମ୍ପ୍ରୀତି ନାହିଁ । ବସ୍ତୁବାଦର ଆବର୍ଜନା ବଣରେ ଆମେ ସବୁ ବଣ୍ୟ ଶୂକର । ଆମ ଚାହୁଁ ପଙ୍କ, ପଙ୍କଜ ଆମର ଲୋଡ଼ା ନାହିଁ । ବରପାଲିର ପଲ୍ଲୀ ଗହନରେ ଅଛି ବହୁ ତନ୍ତଶାଳା; କିନ୍ତୁ ସେଥିରେ ନା ଅଛି ରଙ୍ଗ, ନା ବିଭା । ବରପାଲିର ଆକାଶ ମଧ୍ୟ ହରାଇଛି ରଙ୍ଗ, ସେଇ ଅରଣ୍ୟ ପରି । ଆମର ମନ ଓ ହୃଦୟ ମଧ୍ୟ ମରୁଡ଼ି କବଳିତ ହୋଇଯାଇଛି, ବନ୍ଧ୍ୟା ଓ ଉଷର ପାଲଟିଯାଇଛି, ଠିକ୍ ସେଇ ବରପାଲିର ରଙ୍ଗହୀନ ଆକାଶ ପରି, ସେଠି ଆଉ ପ୍ରକୃତିକବି ଆସ୍ଥାନ ନେଇ ପାରିବେନି ।
Image: Shibasish Mohapatra
~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…
~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…
~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…
ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…