ଲେଖା: ଦେଵ ତ୍ରିପାଠୀ

ନିଘଞ୍ଚ ମାଳାଞ୍ଚଳ, ଆକାଶର ନୀଳ ଓ ଅରଣ୍ୟର ଚୂଳ ସେଠି ମିତ ବସିଛନ୍ତି । ଆଉ କିଛି ବାଟ ପରେ ଏକାଠି ହୋଇଛନ୍ତି ଓଡ଼ିଶା ଓ ଛତିଶଗଡ଼ର ସୀମା । ଦିନେ ପାହାଡିଆ ନଈର ଛନ୍ଦ, ଦିଗନ୍ତବ୍ୟାପୀ ଧାନକ୍ଷେତର ସବୁଜମାୟା, ବିହଗକାକଳି ଏବଂ ସର୍ବୋପରି ସରଳ ମଣିଷଙ୍କ ଶ୍ରଦ୍ଧାମୟ କୋଳାହଳରେ ସେ ମୁଲକ ଥିଲା ଚିର ସଙ୍ଗୀତମୟ ।

ସେଠି ଜନ୍ମିଥିଲେ ପ୍ରବାଦପୁରୁଷ, ଯଥାର୍ଥ ପ୍ରକୃତିକବି, ତନ୍ତରେ ଭରିଥିଲେ ରଙ୍ଗୀନ ସୂତାର ଛନ୍ଦଣୀ, କଣ୍ଠରେ ଆତ୍ମଥରା ସଙ୍ଗୀତର ଲହର । ସ୍ୱଭାବକବିଙ୍କ କବିତାରେ ସେଥିପାଇଁ ଆସୁଥିଲା ମଙ୍ଗଳ ମନାଇ ଉଷା – ପଦ୍ମଫୁଟାଇ ପଥଧାର ସରସୀରେ । ସେହି ‘ଗଙ୍ଗାର ନୀର ପରି ସ୍ବଚ୍ଛ ତୂଳୀ’ର ବିନ୍ଧାଣୀ କବି ଗଙ୍ଗାଧର ମେହେରଙ୍କ ଗାଁକୁ ଯିବାବେଳେ ହୁଏତ ମନଭିତରେ ଆପଣ ଆଙ୍କିପାରନ୍ତି ଏମିତି ଏକ ଦୃଶ୍ୟପଟ – ପଦ୍ମପୋଖରୀ, ମାଳତୀକୁଞ୍ଜରେ ଭଅଁରଙ୍କ ଉଲ୍ଲାସ, କୋଳିବୁଦାରେ ବୁଲବୁଲଙ୍କ ଗହଳି, ଗହନ ଆମ୍ବତୋଟାରେ ‘କଳ କଣ୍ଠ କଣ୍ଠେ . . . ରାତି ପାହିବାର’ ଘୋଷଣା ।

ସମ୍ବଲପୁର ଠାରୁ ୫୦ କି.ମି. ଦୂର ବରଗଡ ଏବଂ ସେଠାରୁ ୩୨ କି.ମି. ଦୂରର ପ୍ରକୃତି କବିଙ୍କ ପରମ ତପସ୍ୟାର ଗାଁ – ଯିଏ ତାଙ୍କ କଣ୍ଠରେ ଭରି ଦେଇଥିଲା ଛନ୍ଦ, ଆଖିରେ ରଙ୍ଗ, ମନରେ ରୂପକଳ୍ପର ଢେଉ, ସେ ବରପାଲି ଆଜି କାହିଁ ! ସେ ଆଜି ଏକ ଆବର୍ଜନାର ନର୍କପୁରୀ ! ଫସଲକିଆରୀରୁ କୀଟନାଶକ ବିଷର ଉତ୍କଟ ଗନ୍ଧ, ସ୍ବୟଂ ପ୍ରକୃତିକବିଙ୍କ ସମାଧିପୀଠ ସ୍ଥଳୀକୁ ଯିବା ରାସ୍ତା ପୁରୀଷମୟ !

ପ୍ରକୃତିକବିଙ୍କ ସମାଧିପୀଠ ହୁଏତ ଧିକାରୁଛି ଆମର ପୂଜ୍ୟପୂଜାକୁ, ଆମର ତୁଚ୍ଛା ମଣିଷପଣିଆକୁ । ଲାଗୁଛି ଆମେ ସଭିଏଁ ଆଜି ପ୍ରକୃତିଛଡା, ଆମ ଭିତରେ ସୃଜନ କି ସମ୍ପ୍ରୀତି ନାହିଁ । ବସ୍ତୁବାଦର ଆବର୍ଜନା ବଣରେ ଆମେ ସବୁ ବଣ୍ୟ ଶୂକର । ଆମ ଚାହୁଁ ପଙ୍କ, ପଙ୍କଜ ଆମର ଲୋଡ଼ା ନାହିଁ । ବରପାଲିର ପଲ୍ଲୀ ଗହନରେ ଅଛି ବହୁ ତନ୍ତଶାଳା; କିନ୍ତୁ ସେଥିରେ ନା ଅଛି ରଙ୍ଗ, ନା ବିଭା । ବରପାଲିର ଆକାଶ ମଧ୍ୟ ହରାଇଛି ରଙ୍ଗ, ସେଇ ଅରଣ୍ୟ ପରି । ଆମର ମନ ଓ ହୃଦୟ ମଧ୍ୟ ମରୁଡ଼ି କବଳିତ ହୋଇଯାଇଛି, ବନ୍ଧ୍ୟା ଓ ଉଷର ପାଲଟିଯାଇଛି, ଠିକ୍ ସେଇ ବରପାଲିର ରଙ୍ଗହୀନ ଆକାଶ  ପରି, ସେଠି ଆଉ ପ୍ରକୃତିକବି ଆସ୍ଥାନ ନେଇ ପାରିବେନି ।

Image: Shibasish Mohapatra

Spread the love
admin

Recent Posts

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

2 weeks ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

2 weeks ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

2 weeks ago

ପହିଲିଭୋଗ

~ ପହିଲିଭୋଗ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମକରସଂକ୍ରାନ୍ତି ପର୍ଯ୍ୟନ୍ତ ଏକମାସ ବ୍ୟାପି ଶ୍ରୀମନ୍ଦିରରେ ଆମ ମହାପ୍ରଭୁଙ୍କ ନିକଟରେ "ପହିଲିଭୋଗ"…

2 weeks ago

ବଳଦେବ ଉପାସନା

~ ବଳଦେବ ଉପାସନା ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଉତ୍କଳ ଭୂମିରେ ବଳଦେବ ଉପାସନାର ପରମ୍ପରା ପ୍ରାଚୀନ l ଶ୍ରୀମନ୍ଦିରରେ…

2 weeks ago

ତୁମେ ତ ଲୋକରେ ସାର

~ ତୁମେ ତ ଲୋକରେ ସାର ~ ସୌରଭିତ ସୃଷ୍ଟି: ଅନନ୍ତ ପଟ୍ଟନାୟକ  କମ୍ପି ଉଠୁଛି କଟକ ନଗର ଶୁଭୁଅଛି…

2 weeks ago