ଲେଖା: ଶିଶିର ସାହୁ ମନୋଜ

ଓଡ଼ିଆ ଭାଷାରେ ପେନସିଲ୍ ପାଇଁ ଅନେକ ଶବ୍ଦ ରହିଛି । କଟକ ଓ ଢେଙ୍କାନାଳର ଗ୍ରାମାଞ୍ଚଳରେ ଆମେ ପେନସିଲ୍ ପାଇଁ ଓଢ଼ଣ ଶବ୍ଦ ଚଳୁଥିଵା ଦେଖିଵାକୁ ପାଆନ୍ତି । ଏ ଶବ୍ଦର ମୂଳକୁ ନେଇ କେତେକ ମତ ରହିଛି ! ଯଥା:

✓କିଛି ଭାଷାଵିତଙ୍କ ମତରେ ଏହା ଇଂରାଜୀ wooden ଶବ୍ଦର ଅପଭ୍ରଂଶ ମାତ୍ର । ଇଂରାଜୀରେ ପେନସିଲ୍ କୁ ଵେଳେଵେଳେ wooden pencil କୁହାଯାଏ । ତେଵେ ଓଡ଼ିଆ ଭାଷାରେ ଇଂରାଜୀ wooden ଶବ୍ଦ ସେତେ ଚଳୁନଥିଵାରୁ ଏଵଂ ସାଧାରଣତଃ କାଠ ଶବ୍ଦ ହିଁ ବହୁପ୍ରଚଳିତ ଥିଵାରୁ ଏ ମତ ସେତେ ବଳିଷ୍ଠ ହୋଇପାରିନାହିଁ ।

✓ଆଉ କେତେକଙ୍କ ମତରେ ଗ୍ରାଫାଇଟ୍ ଦଣ୍ଡ ଉପରେ କାଠ ଓଢ଼ଣା ଯାଇଥିଵାରୁ ଏହାକୁ ଓଢ଼ଣ କୁହାଯାଏ । ଓଡ଼ିଆ ଭାଷାରେ ଓଢ଼ଣ ଶବ୍ଦର ଏକ ଅର୍ଥ ଘୋଡା଼ଇଵା ଯାହା ହିନ୍ଦୀର ଓଢ଼ନା ଶବ୍ଦ ସହିତ ସମାର୍ଥକ ଓ ସମଦ୍ଧୃତ ଅଟେ ।

✓କେତେକଙ୍କ ମତରେ ସଂସ୍କୃତ ଅଙ୍କନୀ ଶବ୍ଦର ଅର୍ଥ ଓଢ଼ଣ ଅଟେ ଏଵଂ ସମ୍ଭଵତଃ ଏ ଶବ୍ଦ ସ୍ଥାନୀୟ କଥିତ ଶୈଳୀରେ ପରିଵୃତ୍ତ ହୋଇ ଓଢ଼ଣରେ ପରିଵର୍ତ୍ତିତ ହୋଇଅଛି ‌ ।

ସେହିପରି ଦକ୍ଷିଣ ଓ ଦକ୍ଷିଣ ପଶ୍ଚିମ ଓଡ଼ିଶାର କଥିତ ଭାଷାରେ ପେନସିଲ୍ କୁ ଶିଶା/ଶିଂଶା/ଶିଁଶା ଵା ସିସା କୁହାଯାଉଥିଵା ଵିଭିନ୍ନ ଶବ୍ଦକୋଷରେ ଉଲ୍ଲେଖ ମିଳେ । Lead pencil ନାମରୁ ଏହି ଶବ୍ଦର ଵ୍ଯଵହାର ଆରମ୍ଭ ହୋଇଥିଵା ଅନୁମାନ କରାଯାଏ । ଲେଡ୍ କୁ ସାଧାରଣତଃ ଶିଶା କୁହାଯାଏ ଏଵଂ ଏଥିଯୋଗୁଁ ଏହାର ଏଭଳି ନାମକରଣ ହୋଇଅଛି । ତେଵେ ଢେଙ୍କାନାଳର କଥିତ ଭାଷାରେ କଲମର ରିଫିଲ୍ କୁ ଶିଶା କୁହାଯାଇଥାଏ ।

ଆମ ଭାଷାରେ କଲମ ଅବା ପେନସିଲ୍ ରେ ଅନିର୍ଦ୍ଦିଷ୍ଟ ଭାଵେ ଗାର ଟାଣିଵାକୁ ଗାରେଇଵା କୁହାଯାଉଥିଲାଵେଳେ ପେନସିଲ୍ କୁ ଗୋଜିଆ କରିଵା ପାଇଁ କଟାଯିଵା କ୍ରିୟାକୁ ବାରେଇଵା କୁହନ୍ତି ‌ ।

ପେନସିଲ୍ ପାଇଁ ଅନେକ ଶାସ୍ତ୍ରୀୟ ଶବ୍ଦ ରହିଛି ତେଵେ ତନ୍ମଧ୍ୟରେ ଅଙ୍କନୀ, ଶଳାକା, କୁର୍ଚ୍ଚିକା, ମଶିମଣି ଓ ମଶିପ୍ରସୂ ଆଦି ସର୍ଵାଧିକ ଜନାଦୃତ ହୋଇଅଛି । ନିମ୍ନରେ ସେଇଭଳି କିଛି ଶବ୍ଦର ସୂଚୀ ଦିଆଗଲା;
୧. ଅଙ୍କନୀ
୨. ଶଳକା/ଶଳାକା
୩. ଲେଖନ
୪. ଆଲେଖନୀ
୫. କୂଚୀ
୬. କୁଚିକା
୭. କୁର୍ଚ୍ଚିକା
୮. ତୂଳ
୯. ତୂଳିକା
୧୦. ଆଲେଖନୀ
୧୧. ଵର୍ଣ୍ଣଵର୍ତ୍ତି
୧୨. ଵର୍ଣ୍ଣମାତୃ
୧୩. ଵର୍ଣ୍ଣଵର୍ତ୍ତିକା
୧୪. ଵର୍ଣ୍ଣତୂଳି
୧୫. ଵର୍ଣ୍ଣତୁଳୀ
୧୬. ଵର୍ଣ୍ଣତୁଳିକା
୧୭. ଵର୍ଣ୍ଣଲେଖନୀ
୧୮. ମଶିପ୍ରସୂ
୧୯. ମଶିମଣି

ଆପଣଙ୍କ ଅଞ୍ଚଳରେ ପେନସିଲ୍ କୁ କ’ଣ କୁହନ୍ତି ? ଯଦି ଆପଣଙ୍କ ଅଞ୍ଚଳରେ ଏ ଶବ୍ଦ ପାଇଁ କୌଣସି ନିଆରା ଦେଶଜ ଶବ୍ଦ ଚଳୁଥାଏ ତେଵେ ଏଠାରେ ଜଣାଇଵାକୁ ଵିନୀତ ଅନୁରୋଧ ରହିଲା ।

© ଶବ୍ଦଭେଦ

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

3 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago