ଲେଖା: ବନ୍ଧନ ଦଳାଇ
ଶୈବଧର୍ମ ଓ ଶୈବ ସଂସ୍କୃତି ହେଉଛି ଉତ୍କଳ ଭୂଖଣ୍ଡର ଏକ ଆଧ୍ୟାତ୍ମିକ ଧାରା। ଭଗବାନ୍ ଶିବ ହେଉଛନ୍ତି ସତ୍, ଚିତ୍ ଓ ଆନନ୍ଦର ପ୍ରତୀକ ଓ ସକଳ କାର୍ଯ୍ୟର ମଙ୍ଗଳମୟ ଦେବତା ।
ମହାରୁଦ୍ରଙ୍କ ସର୍ବ ବ୍ୟାପକତା ଓ ମଙ୍ଗଳମୟ ଲୀଳା ସମ୍ପର୍କରେ ସପ୍ତର୍ଷି କୁହନ୍ତି ,’ସେ ଅନନ୍ତ, ଅବ୍ୟକ୍ତ ଓ ସର୍ବଶକ୍ତିମାନ । ସେ ତ୍ରିଦେବଙ୍କ ମଦ୍ଧ୍ୟରେ ସର୍ବଶ୍ରେଷ୍ଠ ଉପାସ୍ୟ ଦେବତା’ ।
ଶତାବ୍ଦୀ ଶତାବ୍ଦୀ ଧରି ବିଭିନ୍ନ ରାଜାନୁଗତ୍ୟ ଲାଭକରି ଓଡିଶା ମାଟିରେ ଅନେକ ଶୈବପୀଠ ଗଡି ଉଠି ଶୈବ ସଂସ୍କୃତିର ବିକାଶ ହୋଇଛି । ଖ୍ରୀଷ୍ଟୀୟ ତୃତୀୟ ଶତକ ମଧ୍ୟରେ ଉତ୍କଳରେ ଶିବ ଉପାସନାର ପଦଚିହ୍ନ ପ୍ରତ୍ୟୟମାନ ହୋଇଥିଲା। କେଶରୀ ବଂଶର ଶାସନ ସମୟରେ ଶୈବ ଧର୍ମ ଓ ପରମ୍ପରାରେ ଉତ୍କର୍ଷ ସାଧିତ ହୋଇଥିଲା। ଏହାହିଁ ଥିଲା ଶୈବ ସଂସ୍କୃତିର ସୁବର୍ଣ୍ଣଯୁଗ ।
ଓଡିଶାରେ ଶିବ ମାହାତ୍ମ୍ୟ ଓ ଶୈବ ପରମ୍ପରାର ଆବାହନ କରିବାରେ ସୂର୍ଯ୍ୟବଂଶୀ ନରପତି ବୃନ୍ଦ ଚିରସ୍ମରଣୀୟ। ଏମାନେ ପରମ ବୈଷ୍ଣବ ହୋଇ ମଧ୍ୟ ଶୈବଧର୍ମ ପ୍ରତି ଥିଲା ତାଙ୍କର ଗଭୀର ଭକ୍ତି ଓ ଅନୁରକ୍ତି। ସୂର୍ଯ୍ୟବଂଶୀ ନରପତିମାନେ ଉତ୍କଳରେ ଅନେକ ଶିବ ମନ୍ଦିର ନିର୍ମାଣ ପୂର୍ବକ ଶିବ ପୂଜନର ଧାରାକୁ ଆଗେଇ ନେଇଥିଲେ।
ସେଥିମଧ୍ୟରୁ ମହାନ୍ ଶୈବପୀଠ ଧବଳେଶ୍ୱର ମନ୍ଦିର କଟକ ଜିଲ୍ଲାର ଆଠଗଡ ଉପଖଣ୍ଡ ଅନ୍ତର୍ଗତ ଓଡିଶାର ଗଙ୍ଗା ମହାନଦୀ ପଠା ମଧ୍ୟରେ ମଞ୍ଚେଶ୍ୱର ଗ୍ରାମରେ ନିର୍ମିତ।
ସୂର୍ଯ୍ୟବଂଶର ସୁଯୋଗ୍ୟ ତଥା ଶ୍ରେଷ୍ଠ ନରପତି ଥିଲେ ଗଜପତି ପ୍ରତାପରୁଦ୍ରଦେବ। ତାଙ୍କର ଭଗବତ୍ କୃପାପ୍ରାପ୍ତି ଥିଲା ଏକମାତ୍ର ଲକ୍ଷ୍ୟ।ତତ୍କୃତ ପ୍ରାକୃତିକ ଶୋଭା ସମ୍ପଦ ଭରା ମହାନଦୀ ମଧ୍ୟରେ ଗଢିଉଠିଛି ଭଗବାନ ଶିବଙ୍କର ମହାନ ଶ୍ରେଷ୍ଠ ମନ୍ଦିର।
କିମ୍ବଦନ୍ତୀ: ଅନୁଯାୟୀ ଏଠାରେ ଗୋଟିଏ ଚୋରର ଆକୂଳ ପ୍ରାର୍ଥନା ଶୁଣି ଭୋଳା ଭସେଶ କଳାବଳଦକୁ ଧଳାରେ ପରିଣତ କରିଥିଲେ ତେଣୁ ପ୍ରଭୁ ଧବଳ ଗୋସାଇଁ/ଧବଳମଣି/ଧବଳେଶ୍ୱର ନାମେ ପରିଚିତ।
~ ପର୍ବପର୍ବାଣୀ ~
ପବିତ୍ର ଶ୍ରାବଣ ମାସ ହେଉଛି ଶିବଙ୍କର ପ୍ରିୟ। ତେଣୁ ଏହି ମାଷରେ ପ୍ରାୟ ବସୁ ଦୂରଦୁରାନ୍ତରୁ କାଉଡିଆ ଭକ୍ତ ମାନେ ଆସି ଜଳଲାଗି କରିଥାନ୍ତି। ବୋଲବମ୍ ହରହରବମ୍, ହରିବୋଲ ହୁଳହୁଳି ଧ୍ୱନିରେ ପ୍ରକମ୍ପିତ ହୁଏ ଧବଳେଶ୍ୱର ପୀଠ।ଏବଂ ଶିବମୟ ପରିବେଶ ସୃଷ୍ଟି ହୋଇଥାଏ।
କାର୍ତ୍ତିକ ମାସ ହେଉଛି ଅନ୍ୟତମ ପୂଣ୍ୟ ମାସ। ଏହି ମାସରେ ଚଳଚଞ୍ଚଳ ହୋଇଉଠେ ଧବଳେଶ୍ୱର ପୀଠ। ପ୍ରତ୍ୟେକ ସୋମବାର ଦିନ ବହୁ ଭକ୍ତ ଶ୍ରଦ୍ଧାଳୁ ଆସି ବାବାଙ୍କୁ ଦର୍ଶନ କରି ସନ୍ତୋଷ ଲାଭ କରିଥାନ୍ତି।
ପୀଠରେ ମୁଖ୍ୟ ପର୍ବ ହେଉଛି ‘ବଡଓଷା‘ । ଏଦିନ ରାତ୍ରରୁ ପହୁଡ ଖୋଲାଯାଇ ୧୦୮ ଗରା ସୁବାସିତ ଜଳରେ ମହାସ୍ନାନ ହୁଏ। ଏହାପରେ ମଙ୍ଗଳ ଆଳତୀ, ବଡଶୃଙ୍ଗାର ବେଶ ହୋଇ ତ୍ରୟୋଦଶୀ ଓ ଚତୁର୍ଦ୍ଧଶୀର ସନ୍ଧିକ୍ଷଣରେ ପ୍ରଭୁଙ୍କ ପାଖେ ଲାଗି ହୁଏ ଗଜଭୋଗ ଓ ତରଣ।
~ ମହାଶିବରାତ୍ରି ~
ଜାଗର ଯାତ୍ରା ଏଠାରେ ଖୁବ୍ ଧୁମଧାମରେ ପାଳିତ ହୁଏ। ପଞ୍ଚୋପଚାରରେ ପୂଜା ହୋଇଥାଏ ଏବଂ ତୃତୀୟ ପହରରେ ହରିହର ଭେଟ ଅଖିଳ ବ୍ରହ୍ମାଣ୍ଡର ନାୟକ ଭଗବାନ ବିଷ୍ଣୁଙ୍କ ସହ ମହାରୁଦ୍ର ଧ୍ୱଂସ ଦେବତା ଶିବ ଅଗ୍ରପୂଜ୍ୟଙ୍କ ଭେଟ କରାଯାଏ ଏବଂ ପରିଶେଷରେ ମାଣ୍ଡୁଅ ଭୋଗଲାଗି କରାଯାଇ ମହାଦୀପ ଉଠିଥାଏ। ଏହି ମାଣ୍ଡୁଅ ଭୋଗ ଅତ୍ୟନ୍ତ ଶୁଦ୍ଧପୂତ ଭାବେ ଢିଙ୍କିରେ ଚାଉଳ ଚୂନା କରାଯାଇ ଗୁଡ ପାଗରେ ଅଳେଇଚ, ପାନମଧୁରୀ, ନଡିଆ, ଛେନା ପଡି ପ୍ରସ୍ତୁତ କରାଯାଏ। ସେହିପରି ଗଜଭୋଗ ମଧ୍ୟ ସେବକ ସମାଜ/ବ୍ରାହ୍ମଣ ସମାଜ ତରଫରୁ ଅତ୍ୟନ୍ତ ନିଷ୍ଠାରେ କରାଯାଏ।
ଧବଳେଶ୍ୱର ଏକ ଐତିହାସିକ ପୀଠ। ଉକ୍ତ ପୀଠର ପ୍ରତ୍ନତତ୍ତ୍ୱ ବିଭବ ଏହାର ଅମୂଲ୍ୟ ସମ୍ପଦ। ଉକ୍ତ ପୀଠ ଅତୀତରେ ‘ଅନନ୍ତ କୁଦ’ ନାମରେ ଖ୍ୟାତିଲାଭ କରିଥିଲା।
ଏହି ପୀଠକୁ ଏକ ସାରସ୍ୱତ କ୍ଷେତ୍ରରେ ପରିଣତ କରିବାରେ କବିବର ରାଧାନାଥ ରାୟଙ୍କ ସୁପୁତ୍ର ଶଶୀଭୂଷଣ ରାୟଙ୍କ ଭୂମିକା ଚିରସ୍ମରଣୀୟ। ସେ ୧୯୦୧ ସାଲର ଅପ୍ରେଲ ମାସରେ ‘ନିଭୃତ ନିଳୟ ‘ନାମକ ଏକ ବଙ୍ଗଳା ନିର୍ମାଣ କରିଥିଲେ।ତାଙ୍କ ଦ୍ୱାରା ମହାନଦୀ କୂଳରୁ ମହାପ୍ରଭୁ ଙ୍କ ମନ୍ଦିର ପର୍ଯ୍ୟନ୍ତ ପଥର ପାହାଚମାନ ତିଆରି ସେ ସମୟର ଅବିସ୍ମରଣୀୟ କୀର୍ତ୍ତି । ପୀଠଟି ସର୍ବଦା ରାଜା, ମହାରାଜା, ଧନୀ, ମାନୀ, କବି, କୋବିଦ, ବିଜ୍ଞ, ପ୍ରାଜ୍ଞସକଳ ଶ୍ରେଣୀର ମହତ ପ୍ରାଣୀଙ୍କୁ ଆକର୍ଷିତ କରିଥିଲା।
ଢେଙ୍କାନାଳର ରାଜା ସୁରପ୍ରତାପ ମହୀନ୍ଦ୍ର ବାହାଦୂର ବଡଓଷା ଅବସରରେ ଧବଳେଶ୍ୱର ଦର୍ଶନାର୍ଥେ ଆସି ନିଭୃତ ନିଳୟରେ ସମୟ ଅତିବାହିତ କରିଥିଲେ।ପ୍ରାକୃତିକ ସୌନ୍ଦର୍ଯ୍ୟ ଦୃଷ୍ଟିରୁ ଏହା କୌଣସି ପର୍ଯ୍ୟଟନ କ୍ଷେତ୍ରରୁ କମ୍ ନୁହେଁ।
ଶୈବପୀଠ ଧବଳେଶ୍ୱରର ବିଶେଷତ୍ୱ ଏହି ଯେ, ଓଡିଶାର କୌଣସି ପୀଠକୁ ଝୁଲାପୋଲର ସୁବିଧା ନଥିବା ବେଳେ ଏଠାକାର ଝୁଲାପୋଲ ପ୍ରସିଦ୍ଧ ଅଟେ। ସମୟ କ୍ରମେ ଧବଳେଶ୍ୱରଙ୍କ ଏହି ପୀଠଟି ଏକ ସାରସ୍ୱତ ତଥା ଆଧ୍ୟାତ୍ମିକ କ୍ଷେତ୍ର ରୂପେ ସୁପରିଚିତ ହୋଇଛି।
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

4 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago