ଲେଖା: ଦେଵ ତ୍ରିପାଠୀ
ଓଡିଆ ଜନଜୀବନରେ ଏଇ ପାନ ବା ତାମ୍ବୁଳ ସେବନର ବିଧି ପ୍ରାଚୀନ ଓ ବିବିଧ । ପ୍ରେମାସ୍ପଦା ନାୟିକା ପ୍ରେମିକକୁ ପାନ ଦେଇ ମାନଭଞ୍ଜନ କରିବାଠାରୁ ଆରମ୍ଭ କରି ଓଡ଼ିଆ ଜାତିର ନିତିପୂଜ୍ୟ ଶ୍ରୀଜଗନ୍ନାଥଙ୍କ ତାମ୍ବୁଳ ସେବନର ବିଧି ସତରେ ଅନନ୍ୟ
ଆମର ପରା କଥାରେ ଅଛି,
“ଯଥା ଦେହେ ତଥା ଦେବେ”, ଅବା
“ଯଥା ଦେବେ ତଥା ଦେହେ”
ଅର୍ଥାତ ଓଡ଼ିଆ ଯାହା ଭଲପାଏ ଓଡ଼ିଆର ଜଗନ୍ନାଥଙ୍କୁ ତାହା ବାସେ ! ଜଗନ୍ନାଥ ଯେମନ୍ତ ତାଙ୍କ ଓଡ଼ିଆଏ ବି ସେମନ୍ତ । ତେଣୁ ଆମେ ପାନ ଖାଉ, ଆମ ମଣିମା ମହାପ୍ରଭୁ ବି ! ମଣିମାଙ୍କ ଷାଠିଏ ପଉଟି ନହେଲେ ଚଳେ, କିନ୍ତୁ ଘରଣୀ ମା’ଲକ୍ଷ୍ମୀଙ୍କ ହାତଭଙ୍ଗା ତାମ୍ବୁଳ (ପାନ) ଖଣ୍ଡେ ନିହାତି ଦରକାର । ଏ ନୀତିକୁ ପ୍ରମାଣିତ କରେ ଲକ୍ଷ୍ମୀପୁରାଣ, ଜଗନ୍ନାଥ ଦର୍ଶନ ପରି କେତେ କେତେ ପୁରାଣ । ରାଶିପାନ, ଗଜମୋତି ଚୂନ, ଗୁଆ, ଚୁଆ, ଚନ୍ଦନ, ଗୁଜୁରାତି, ଲବଙ୍ଗ ଆଦି ଦେଇ ପ୍ରସ୍ତୁତ ହୋଇଥିବା ପାନ ସେବନ୍ତି ଆମ ପାନରସିକ ମହାପ୍ରଭୁ !
ମହାପ୍ରଭୁଙ୍କ ତାମ୍ବୁଳ ସେବନ ନିମନ୍ତେ ଶ୍ରୀମନ୍ଦିରେ ଦାୟିତ୍ଵ ନିର୍ବାହ କରନ୍ତି ବିଡ଼ିଆ ଯୋଗାଣିଆ, ହଡ଼ପ ନାୟକ ପରି ସେବାଯତଗଣ । ଛାଚିପାନ, ଗୁଆ, ଗଜମୋତି ଚୂନ, ଚୁଆ, ଚନ୍ଦନ, କର୍ପୁର ଦେଇ ଚାରି ଚଉତା କରି ସେଥିରେ ଲବଙ୍ଗଟିଏ ଖୋସି ମହାପ୍ରଭୁଙ୍କ ପାନ ପ୍ରସ୍ତୁତ କରିବାର ଦାୟିତ୍ବ ବିଡ଼ିଆ ଯୋଗାଣିଆଙ୍କର । ତିଆରି ହୋଇଥିବା ପାନକୁ ଠାକୁରଙ୍କ ପାଖରେ ପହଞ୍ଚାଇବାର ଦାୟିତ୍ଵ ହଡ଼ପ ନାୟକଙ୍କର । ଏ ନୀତି ଆବହମାନ କାଳରୁ ପ୍ରଚଳିତ । ହଡ଼ପ ନାୟକଙ୍କ ଠାରୁ ପୂଜାପଣ୍ଡା ରୂପାଥାଳିଆରେ ପାନକୁ ରଖି ପ୍ରଭୁଙ୍କୁ ଅର୍ପଣ କରନ୍ତି । ଏହା ପରେ ହୁଏ କର୍ପୁର ଆଳତୀ ।
ପାନକୁ ନେଇ ଓଡ଼ିଆ ଜାତିର କେତେ କାରିଗରୀ, କେତେ ବାହାଦୂରୀ, କେତେ କଥା ! ଓଡ଼ିଆର ପର୍ବପର୍ବାଣୀରେ ପାନର ଗୁରୁତ୍ୱ କାହିଁ ରେ କ’ଣ ! ସେ ପାଇଁ କଥାଟିଏ ଅଛି ପରା,
“ଘରେ ଖାଉଛି,
ପାନ ବରଜରେ ପାଣି ଦେଉଛି !”
ଓଡ଼ିଆ ଘରର ପର୍ବପର୍ବାଣୀ କର୍ମକର୍ମାଣୀରେ ପାନର ଥାଏ ଏକ ସ୍ବତନ୍ତ୍ର ଭୂମିକା ! ସତ୍ୟନାରାୟଣ ପୂଜା ହେଉ କି ତ୍ରିନାଥ ମେଳା, ବିବାହକର୍ମ ଅବା ଶୁଦ୍ଧଘର ସବୁଠିଁ ଲୋଡା ହୁଏ ପାନ ! ଘରୁ ଗୋଡ଼ କାଢିଲେ ଧର୍ମପ୍ରାଣ ଓଡ଼ିଆ ପାନଟିଏ ଖାଇବ, ପାନ ଖାଇଲେ ଯାତ୍ରାଶୁଭ ଓ କାର୍ଯ୍ୟସିଦ୍ଧି ହେବ ବୋଲି ତା’ର ବିଶ୍ୱାସ !
ଓଡ଼ିଆ ଘରେ ପିଲାଠୁ ବୁଢ଼ା ଯାଏଁ ବୟସ ନିର୍ବିଶେଷରେ ଅଧିକାଂଶ ପାନ ଖାଇବାରେ ଅଭ୍ୟସ୍ତ । ପାନ ପାଖରେ ଉଚ୍ଚନୀଚ୍ଚ, ବଡ଼ସାନ, ସ୍ତ୍ରୀ ପୁରୁଷର ଭେଦ ନ ଥାଏ ! ରଜାଠୁ ରଙ୍କ ସଭିଙ୍କର ଥାଏ ପାନ ପ୍ରତି ଦୁର୍ବଳତା ! ଓଡ଼ିଆ ର ଭୋଜିଭାତରେ ଶେଷରେ ପାନର ବ୍ୟବସ୍ଥା ନ ଥିଲେ ସେଠି ଯେମିତି ଭୋଜନର ପୂର୍ଣ୍ଣତା ଆସେନା ! ଏମିତିକି ପାନରେ ଅଭ୍ୟସ୍ତ ନ ଥିବା ଲୋକେ ବି ଭୋଜି ଶେଷରେ ପାନ ଖଣ୍ଡେ ପାଟିରେ ପୁରାଇବାକୁ ହେଳା କରେନି !
ଘରକୁ ଅତିଥି ଆସିଲେ ଓଡ଼ିଆ ନ’ ତିଅଣ ଛ’ ଭଜା ନ ଦେଇପାରୁ ପଛେ ପାନଖଣ୍ଡିଏ ତ ବଢାଇଦେବ ! ଓଡ଼ିଆର ଅତିଥି ବି ଅଭ୍ୟର୍ଥନା ଲୋଡ଼େ କି ? ପାନ ଖଣ୍ଡିକରେ ବି ବନ୍ଧୁପଣ ମହକି ଉଠେ !
ଏତିକିରେ ସରେନି ଓଡ଼ିଆର ଜୀବନରେ ପାନର ଭୂମିକା ! ଅନ୍ୟକୁ ନିଜ ବଶକୁ ଆଣିବା ପାଇଁ ପାନରେ ବଶୀଭୂତ କରି ରଖିବାର ଚେରମୂଳି, ତନ୍ତ୍ରମନ୍ତ୍ର ପ୍ରୟୋଗ କରିବାର ପ୍ରୟାସ ମଧ୍ୟ ଓଡ଼ିଆର ଜନଶ୍ରୁତିରେ ପ୍ରଚଳିତ !
କେଉଁ ଯୁଗରେ ରାଜାମହାରାଜାମାନେ ମୁଖମହକ ଭାବେ ପାନ ସେବନର ଏକ ସୌଖିନ ରୁଚିକୁ ସଜାଉଥିଲେ ପିକଦାନିରେ ! ଓଡ଼ିଆ କିନ୍ତୁ ନିଜ ପାରିବା ପଣିଆକୁ ନେଇ ଆଜିଯାଏଁ ସଜାଇଆସିଛି ନିଜର ପ୍ରିୟ ପିକଦାନୀକୁ, ପିତଳ, କଂସା, ରୂପା ଅବା ସୁନା ଭଳି ଧାତୁରେ ! ନିଜର ଅନନ୍ୟ କଳାନୈପୁଣ୍ୟରେ !
ପାନ ପ୍ରତି ଓଡି଼ଆର ଅହେତୁକ ଦୁର୍ବଳତାକୁ ଅଣଦେଖା କରିପାରେନି ଓଡ଼ିଆ କବିକୂଳ, କବିସମ୍ରାଟଙ୍କ ଠାରୁ ଆରମ୍ଭ କରି କଥାସମ୍ରାଟଙ୍କ ରଚନା ସବୁଠି ପାନର ଜୟଗାନ ! ଚଳଚ୍ଚିତ୍ର ଠାରୁ ସଙ୍ଗୀତ ଯାଏଁ ସବୁଠିଁ ପାନର ପସରା ! ପାନପ୍ରିୟ ଓଡ଼ିଆ ପାଇଁ ଯେମିତି କବି ଲେଖେ
“ସେ ଯେବେ କରିବେ ମାନ
ଭାଙ୍ଗି ଭୁଞ୍ଜାଇବି ପାନ . . ”
ସେମିତି ବ୍ୟଙ୍ଗ ଗୀତିକାର ଜଣେ ସଙ୍ଗୀତରେ ସୁର ଆଙ୍କେ,
“ଆହା କି ସୁନ୍ଦର ରାଜନୀତି,
ପାନ ଗୁଆ ଖଇର ଗୁଆକାତି !”
ଯୁଗେ ଯୁଗେ କବି, ଭାବୁକ, ରସିକଗଣ ପାନକୁ ଯେ କେତେ ପ୍ରିୟ ମଣୁଥିଲେ ତାହା ସେମାନଙ୍କ ସୃଷ୍ଟ କାବ୍ୟକବିତା ସୂଚାଇଦିଏ । ପାନର ଗୁଣସୁମରଣ ଅତୀବ ସୁନ୍ଦର ଆମ ସାହିତ୍ୟରେ ! ତାହା ପୁଣି ପଲ୍ଲୀ ଜୀବନରେ, ପଲ୍ଲୀଗୀତରେ, ରସିକତା, ପ୍ରେମ, ବିରହ ମାର୍ଗରେ ଉପସ୍ଥାପିତ ! ପାନ ପଲ୍ଲୀସାହିତ୍ୟ ଓ ସଙ୍ଗୀତରେ ସାଇତା ରସାଳ ରାଗ !
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago