ଲେଖା: ଅମ୍ବରୀଶ ମଙ୍ଗରାଜ
~ ପାଣ୍ଡଵବଖରା ~
ପରୀକ୍ଷା ତାରିଖ ଘୁଂଚି ଘୁଂଚି ଯାଉଥାଏ, କେବଳ ମୋରି କାରଣରୁ ଆମର ଅଲ ବିରୁନି,ମାକ୍ରୋ ପୋଲୋ ସବୁ କୁଆଡେ ଯାଇ ପାରୁନଥିଲେ | ଯେହେତୁ ଅଳ୍ପ ସମୟ ହାତରେ ଥିଲା ମୁଁ ରାଜି ହେଲି ଯିବା ପାଇଁ କିନ୍ତୁ ସର୍ତ ଅଳ୍ପ ଦୂରତା ଭିତରେ ଆମର ଏ ଯାତ୍ରା ବାହାରିବ, ବହୁ ଆଲୋଚନା ପର୍ଯ୍ୟାଲୋଚନା ପରେ ସ୍ଥିର ହେଲା #ପାଣ୍ଡଵ_ବଖରା ର ଅନାଲୋଚିତ ଅକୁହା ଗାଥା ସବୁକୁ ଦେଖିବା ଓ ଶୁଣିବା | ବାହାରିଲା ଐତିହ ଓ ଇତିହାସ ସନ୍ଧାନୀ ଆମ ରଥ |
ଆମେ ମା’ ବାଟଭୂଆସୁଣୀଙ୍କ ଠାରୁ ଯାତ୍ରା ଆରମ୍ଭ କଲୁ, ଖୋରଧା ଦେଇ ଗଲେ ଆପଣ ଗୁରୁଜଙ୍ଗ -ବିଂକୁଡ଼ିଆ -ହଳଦିଆ -ତାଳବସ୍ତ-ବାଙ୍କୀ ରାସ୍ତାରେ ଗଲେ ପଡେ #ପାଥପୁର ଗାଁ ପାର୍ଥ(ଅର୍ଜୁନ) ନାମାନୁସାରେ ଗାଁର ଏପରି ନାମକାରଣ ହୋଇଛି ବୋଲି ଜଣାଯାଏ |
ବାଟରେ ଗଲେ ଆପଣଙ୍କୁ ସଯତ୍ନ ହୋଇଯିବାକୁ ପଡିପାରେ କାରଣ ରାସ୍ତାରେ ଆପଣ ନାମଫଳକ କମ ପାଇବେ | ପାଥପୁର ଗାଁ ଠାରୁ ଡାହାଣକୁ ଗଲେ ପାଣ୍ଡଵବଖରା କୁ ରାସ୍ତା | ଚନ୍ଦକା ଡ଼ମପଡା ସରଂକ୍ଷିତା ଜଙ୍ଗଲ ଭିତରେ ଥିବା ଲାଲ ମାଟିର ରାସ୍ତା ଦେଇ ମାଡିଚାଲିକୁ ପାଣ୍ଡଵବଖରା ଅଭିମୁଖେ (ସାଧାରଣ ପାଇଁ ଅନୁମତି ନ ମିଳିପାରେ ଆପଣ ପିଚୁରାସ୍ତା ଦେଇ ପାଥପୁର ଗଲେ ଭଲ |)
ପବିତ୍ର ମହାନଦୀ ଅବବାହିକାରେ ସଗର୍ବେ ଦଣ୍ଡାୟମାନ ପାଣ୍ଡଵବଖରା, ଚାରିପଟେ ଜାଗ୍ରତ ପ୍ରହରୀ ଭଳି ଦଣ୍ଡାୟମାନ #ଚନ୍ଦକା_ଡ଼ମପଡା ସରଂକ୍ଷିତ ଜଙ୍ଗଲର ସବୁଜ ବୃକ୍ଷରାଜି |
“ଶଇଳ-ଶିଖର-ତଳପ ବରଜି
ବନ୍ଧୁର ଶିଳା ଭେଦି
କଳ କଳ ନାଦେ ଗିରିବନ ପଦେ
ବହୁଛୁ ତୁ ମହାନଦୀ”
#ପର୍ଯ୍ୟଟନ_ପ୍ରୋତ୍ସାହନର ଅଭାବକୁ ସେ ସଜୀଵ ନିର୍ବିକାର ପାହାଡ଼ର ଖାତିର ନାହିଁ ଯେମିତି, ଯେମିତି ଗାଡି ଆଗକୁ ଆଗକୁ ଚାଲୁଥାଏ ଉଭା ହେଉଥାଏ ବିଶାଳ ଉପତ୍ୟକା ! ଯଦ୍ୟପି ଗାଡି ରହଣି ପାଇଁ ସେମିତି କିଛି ସୁବିଧା ନାହିଁ ତଥାପି ସ୍ଥାନୀୟ ଯୁବକ କିଛି ସେ ସୁବିଧା ଯୋଗାଇ ଦେଉଛନ୍ତି, ଉପରକୁ ରାସ୍ତା ନାହିଁ ପାଦରେ ଚଢି ଯିବାକୁ ପଡିଲା, ହାତରେ ପଥରର ଛାତି କାଟି ତିଆରି ହୋଇଛି ଛୋଟ ଛୋଟ ଥାକ ସବୁ ଯାହା ଉପରେ ଗୋଡ ଥୋଇ ଉପରକୁ ଯିବାକୁ ପଡେ !
ବିଶାଳ ଚଟାଣ ସବୁ କାହିଁ କେଉଁ କାଳରୁ ଇତିହାସ, ସାମାଜିକ ଚଳଣି ସବୁ କୁ ନିଜର ବକ୍ଷ ଭିତରେ ! ଦୁଇ ତିନିଟି ସ୍ଥାନରେ ରହି ଉପରେ ପହଂଚିଲୁ, ସେଠି ଯାହା ଦେଖିଲୁ ନିଜ ଆଖିରେ ନ ଦେଖିଲେ ବିଶ୍ୱାସ କରିହେବ ନାହିଁ ! ପାହାଡ଼ କଟାଯାଇ ନିର୍ମିତ ପାଞ୍ଚୋଟି ପଥର ବଖରା, କିମ୍ବଦନ୍ତୀ କୁହେ ମହାଭାରତ କାଳରେ #ପଞ୍ଚୁପାଣ୍ଡଵ ନିଜର ଅଜ୍ଞାତବାସ କାଳରେ କଟକର ମହାନଦୀ କୂଳ ବାଙ୍କୀର ଏଠି ଉପତ୍ୟକାରେ କାଳାତିପାତ କରିଥିଲେ (ଅବଶ୍ୟ ଏ ସମ୍ପର୍କିତ ଆହୁରି ଗବେଷଣା ଆବଶ୍ୟକ |) ଅନ୍ୟ ଏକ ଲୋକ କଥା ଅନୁସାରେ ଏହାକୁ #ଡ଼ମପଡା ରାଜା ନିର୍ମାଣ କରିଥିଲେ, ଯିଏ କି ପରବର୍ତୀ ସମୟରେ ସ୍ଥାନୀୟ #ଗିରିରାଜ_ମନ୍ଦିର ମଧ୍ୟ ନିର୍ମାଣ କରିଥିବାର ଜଣାଯାଏ |
ମାତ୍ର ନିର୍ଜୀବ ପାଷାଣ ଉପରେ ଜୀବନ୍ତ #ଶିଳାଲେଖ ଅନେକ ଗୌରବମୟ ଇତିହାସ ବ୍ୟାଖ୍ୟାନ କରେ, କିଛି ଅକ୍ଷର #ଓଡ଼ିଆ_ଲିପି ବୋଲି ଜାଣି ପାରିଲୁ ମାତ୍ର ଆହୁରି ଅନେକ ଶିଳାଲେଖ ଅବୋଧ୍ୟ ରହିଗଲା ବହୁବିଧ ପ୍ରଶ୍ନର ତାଲିକା ପରସି ଦେଇ ! ପରବର୍ତୀ ସମୟରେ ଏଠାରେ ଜଣେ ସାଧୁ ଆସି ସାଧନା କରୁଥିବାର ପ୍ରମାଣ ମିଳେ, ପର୍ବତ ଉପରେ ତାଙ୍କର ଏକ ପ୍ରତିମା ମଧ୍ୟ ରହିଛି, ଏକ ଗୁପ୍ତ ସୁଡ଼ଙ୍ଗ ସହ ଜଳାଶୟ ମଧ୍ୟ ରହିଛି | ତାର ଅନତି ଦୂରରେ ପଥର ଉପରେ #ଯଜ୍ଞ_ବେଦୀ ର ଉପସ୍ଥିତି ମଧ୍ୟ ସ୍ପଷ୍ଟ ବାରି ହେଉଥିଲା |
ସେଠି କିଛି ସମୟ ଅତୀତ ସହ ଅନ୍ତରଙ୍ଗ ସାକ୍ଷାତ ପରେ ଚାଲିଲୁ ପାହାଡ଼ ଶିଖରକୁ | ପୁରୁଷେ ଉଚ୍ଚା ନାନା ରକମର ଘାସ ସବୁ, ଶରତର ଶୁଭ୍ର ମରୁତର ତାଳେ ତାଳେ ନୃତ୍ୟରତ ସବୁଜିମା କେତେ ଯେ ଝଙ୍କାର ସୃଷ୍ଟି କରୁଥାନ୍ତି ତାର ତୁଳନା ନାହିଁ | ପୁରା ଉପରେ ପହଁଚିଲା ପରେ ବାଦଲ ସବୁ ସେଠି ଆଗୁଆ ହାଜର ଆମ ସ୍ୱାଗତ ପାଇଁ, ଏତେ ସବୁ ଭିତରେ ଆମ ମାକ୍ରୋ ପୋଲୋ ସବୁ କେତେବେଳେ ସାରୁ ଖାଁ ଆଳୁ ଖାଁ ପାଲଟି ଯାଇ ଚଳମାନ ଚିତ୍ର (video/reels ) ତିଆରିରେ ଲାଗି ଗଲେ |
ପ୍ରଶସ୍ତ ଓସାରିଆ ଶୀଳାଖଣ୍ଡ ସବୁ ସଜେଇ ହୋଇ ପଡିଯାଇଛନ୍ତି ଯେମିତି ପରପିଢ଼ିକୁ କୋଳେଇ ନେବାକୁ ! ଉପରେ ଠିଆ ହେଲେ ସ୍ପଷ୍ଟ ଦୃଶ୍ୟମାନ ହୁଏ କଳକଳନିନାଦିନୀ ମହାନଦୀ, ଆଉ ପାଦଦେଶରେ ନବନିର୍ମିତ ପ୍ରଭୁ ଶ୍ରୀରାମଙ୍କ ଏକ ମନ୍ଦିର ! ଇତିହାସ ଓ ପ୍ରକୃତିର ଏହି ରୋମାଞ୍ଚର ଯାତ୍ରାରେ ପୂର୍ଣ୍ଣଛେଦ ଟାଣିବାକୁ ଇଛା ହେଉ ନଥାଏ ! ମାତ୍ର ହଠାତ କୁଆଡେ ସେ ଦଳକାଏ ମେଘ ଆସିଲା କେଜାଣି ମୁଁ ଚାରି ପଟେ ଚାହିଁ ଦେଖେ ତ ଆମେ ଥିଲୁ ବାର ଜଣ ମାତ୍ର ଏବେ ମାତ୍ର ଚାରି ! ବୋଧେ ପାହାଡ଼ ଉପରେ ଆମର ସ୍ୱଳ୍ପ ମାଲିକାନା ମେଘ ସମ୍ଭାର ସବୁଙ୍କୁ ପସନ୍ଦ ଆସିଲାନି, ଝିପିଝିପି ବର୍ଷା ଓ ସୁଲୁସୁଲିଆ ପବନ ବାଟ କଢେଇ ନେଲା ତଳକୁ |
ଫେରି ଆସିଲୁ ପାଣ୍ଡଵବଖରା ରୁ ଡ଼ମପଡା ଜଙ୍ଗଲର ଅଙ୍କାବଙ୍କା ବାଟ ଦେଇ ! ନା ନା ଅସମାହିତ ପ୍ରଶ୍ନର କୁହୁକ ସହ ! (ଭୁବନେଶ୍ୱର ବାଟ ଦେଇ ଆପଣ ମଧ୍ୟ ଯାଇପାରିବେ ବାଙ୍କୀ, କଟକର ପାଣ୍ଡଵବଖରା କୁ, ଦୋକାନ ବଜାରସେତେ ନାହିଁ, ଆବଶ୍ୟକ ଖାଦ୍ୟ ପାନୀୟ ସାଙ୍ଗରେ ନେଇଗଲେ ଭଲ |)
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

3 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

3 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

4 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

4 weeks ago