ଗବେଷଣା ଓ ଉପସ୍ଥାପନା: ଲେଖା: ଶିଶିର ସାହୁ ମନୋଜ

~ ପାଣିଖରା, ଖରାଵରଷା ଓ ବିଲୁଆ ନନାର ବାହାଘର ~

ଵର୍ଷା ଛାଡି଼ଗଲାପରେ ଯେଉଁ ଟାଣ୍ ଖରା ହୁଏ ତାକୁ ଆମ ଭାଷାରେ ପାଣିଖରା କହିଥାନ୍ତି । ଵର୍ଷା ହେଵା ଦିନ ପରିଵେଶ ଥଣ୍ଡା ହୋଇଯାଏ କିନ୍ତୁ ଵର୍ଷା ଛାଡି଼ଲା ପରଦିନ ଆକାଶରେ ବାଦଲ ନଥିଲେ ଭୀଷଣ ଖରା ହୋଇଥାଏ । ଏଭଳି ରୌଦ୍ରତାପକୁ ପାଣିଖରା କୁହନ୍ତି । ସାହିତ୍ୟରେ ଵ୍ୟଵହୃତ ହେଉ କି ନ ହେଉ ପାଣିଖରା ଶବ୍ଦଟି କଥିତ ଭାଷାଲୋକଗୀତରେ ବଞ୍ଚିରହିଛି ।

ଗ୍ରାମାଞ୍ଚଳର ପିଲାଏ ଆଜି ବି ଏହି ପ୍ରାକୃତିକ ପ୍ରପଞ୍ଚ ଘଟିତ ହେଉଥିଵାର ଦେଖିଲେ ଗୀତ ବୋଲନ୍ତି, “ଛି ଛି ଟା, ପାଣିଖରାଟା”

କେତେକ ଅଞ୍ଚଳରେ ଏହି ପ୍ରାକୃତିକ ପ୍ରପଞ୍ଚକୁ ପାଣିଖରା ପରିଵର୍ତ୍ତେ ମେଘେଇ ଖରା କୁହାଯାଇଥାଏ । ଏ ଶବ୍ଦକୁ ନେଇ ଲୋକଵାଣୀଟିଏ ଚଳୁଅଛି …

ଚାରି ଚାଳିଆ, ବାଳ ମୂଳିଆ, ମେଘେଇ ଖରା,
ଏ ତିନି ଜଣଙ୍କ ଭାରି ଚେହେରା l “

ଓଡ଼ିଶାର ଆଉ କେତେକ ଅଞ୍ଚଳରେ ମେଘୁଆ ଖରାକୁ ପାଣିଖରା କୁହାଯାଏ ଏଵଂ ସେ ଅଞ୍ଚଳରେ ଏହି ଶବ୍ଦ ଵ୍ୟଵହାରରେ ଲୋକଵାଣୀଟିଏ ପ୍ରଚଳିତ,

“ମେଘୁଆ ଖରା
ଟୋକା ବେହେରା
ଗୁଜୁରୀ ଦାରି
ଏମାନଙ୍କ ଜ୍ୱାଳା ସହି ନପାରି।”

ପଶ୍ଚିମ ଓଡ଼ିଶାରେ ପାଣିଖରା ଶବ୍ଦକୁ ଓଲଟାଇ ସେଠାକାର କଥିତ ସମ୍ବଲପୁରୀ ଶୈଳୀରେ ଏହାକୁ ଖରାପାଏନ୍ କହିଥାନ୍ତି ।

ଆମ ଭାଷାରେ ମେଘୁଆଖରା  ଓ ତତ୍ ସଂଲଗ୍ନ ଗରମ ପାଗକୁ, ମେଘୁଆ ଗୁଳୁଗୁଳି ମଧ୍ୟ କହିଥାନ୍ତି । ସ୍ନାନପୂର୍ଣ୍ଣମୀ ପରଦିନଠାରୁ ନବଯୌଵନ ଦର୍ଶନ ପର୍ଯ୍ୟନ୍ତ ଏହି ଗୁଳୁଗୁଳିକୁ ଅଣସର ଗୁଳୁଗୁଳି ମଧ୍ୟ କୁହାଯାଏ ।

ତେବେ ଏଭଳି Natural Phenomenon ଵା ପ୍ରାକୃତିକ ପ୍ରପଞ୍ଚକୁ କାହିଁକି ଘଟିତ ହୋଇଥାଏ ?

ସମ୍ଭଵତଃ ଵର୍ଷାଯୋଗୁଁ ବାୟୁମଣ୍ଡଳରେ ଧୂଳିକଣାର ପରିମାଣ ଅନେକାଂଶରେ ହ୍ରାସପାଏ ଫଳତଃ ସୂର୍ଯ୍ୟ କିରଣ ବାଧା ନ ପାଇ ସିଧାସଳଖ ଆମ ପାଖରେ ପହଞ୍ଚୁଥିଵାରୁ ଉକ୍ତ ଖରା ଟାଣ ଲାଗେ l

କଥିତ ଅଛି ଯେ ଏଭଳି ଖରା ହେଲେ ଉକ୍ତ ଦିନ ରାତ୍ରରେ କିଂଵା ସକାଳେ ଵର୍ଷା ହୋଇଥାଏ । ଵର୍ଷା ହେଲାପରେ ଚାରିଆଡ଼େ ଜଳମୟ ହୋଇଯାଏ ଅର୍ଥାତ୍ ସବୁଆଡ଼େ ପାଣି ଥାଏ । ଗଛର ପତ୍ରଠାରୁ ମାଟିର ଆଦ୍ର ହେଵାଯାଏଁ ସବୁଆଡ଼େ ପାଣି ରହିଥାଏ ଏମନ୍ତକି ଵାୟୁମଣ୍ଡଳରେ ମଧ୍ୟ ଜଳୀୟ ଅଂଶ ବୃଦ୍ଧି ପାଇଥାଏ ।

ପୁନଶ୍ଚ ଆଉ ଏକ ଜାତୀୟ ପ୍ରାକୃତିକ ପ୍ରପଞ୍ଚ ଲକ୍ଷ୍ୟ କରାଯାଇଛି । ଏଥିରେ ଵର୍ଷା ହେଉଥିଵ ଏଵଂ ଖରା ବି ହେଉଥିଵ । ଏଭଳି ଵର୍ଷାକୁ ମଧ୍ୟ କେଉଁଠି କେଉଁଠି ପାଣିଖରା ତ ଆଉ କେଉଁଠି କେଉଁଠି  ଖରାଵରଷା କହିଥାନ୍ତି । ଵର୍ଷା ଓ ଖରା ଏକା ସାଙ୍ଗରେ ହେଉଥିଲେ ତାକୁ ପୁବେଇ ଵର୍ଷା ଵା ପୂର୍ଵେଇ ଵର୍ଷା ମଧ୍ୟ କୁହାଯାଏ ।

ଏହି ଜାତୀୟ ଵର୍ଷା ହେଲେ ଲୋକେ କୁହନ୍ତି ବିଲୁଆ ନନାର ବାହାଘରହେଉଛି ଏଵଂ ଏ ସମ୍ବନ୍ଧରେ ଅନେକ ଲୋକଵାଣୀ ଓ ଲୋକଗୀତ ମଧ୍ୟ ପ୍ରଚଳିତ, 

“ଖରା ହେଉଚି ମେଘ ହେଉଚି
ବିଲୁଆ ନନା ବାହାହେଉଚି”

ତେବେ ଵର୍ଷା ସହ ବିଲୁଆର କ’ଣ ସମ୍ପର୍କ ସେ ଵିଷୟରେ  ଅନୁଭଵି ଲୋକ ଭଲ ଭାଵେ ଜାଣିଥିଵେ । ସମ୍ଭଵତଃ ଵର୍ଷା ସମୟରେ ଵା ଏଇଭଳି ଵର୍ଷା ସମୟରେ ବିଲୁଆମାନେ ଧାଡି଼ ବାନ୍ଧି ଯାଉଥିଵେ । ଶଗଡ଼ ଓ ପାଲିଙ୍କି ଯୁଗରେ ଵରଯାତ୍ରୀ ମଧ୍ୟ କନ୍ୟାଘରକୁ ଏହିପରି ଯାଉଥିଲେ । କିଂଵା ପିଲାମାନେ ଗୁଡା଼ଏ ବିଲୁଆଙ୍କୁ ଵର୍ଷାପାଗରେ ଏକାସାଙ୍ଗରେ ଦେଖି ଡରିନଯାଆନ୍ତୁ ସେଥିପାଇଁ ବୋଧହୁଏ ଏଭଳି ଏକ ଲୋକଵିଶ୍ଵାସ ଜନ୍ମ ନେଇଥିଲା । ଏହିପରି ଆଉ ଏକ ଉଦାହରଣ ରହିଛି । ଖରାଦିନିଆ  ସାଧାରଣତଃ ପର୍ଵତରେ ନିଆଁ ଲାଗିଥାଏ । ସେତେବେଳେ ଲୋକେ କୁହନ୍ତି ମାଙ୍କଡ଼ ବାହାଘର ହେଉଛି ।  ତେବେ ଏଭଳି ଲୋକ ଵିଶ୍ଵାସ ପ୍ରଚଳନ ପଛରେ ଅନ୍ୟ କୌଣସି କାରଣ ବି ହୋଇ ଥାଇପାରେ ।

ପାଣିଖରା ,ଖରାଵରଷା ଓ ବିଲୁଆ ନନାର ବାହାଘର

©

Spread the love
admin

Recent Posts

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

4 days ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

5 days ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

5 days ago

ପହିଲିଭୋଗ

~ ପହିଲିଭୋଗ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମକରସଂକ୍ରାନ୍ତି ପର୍ଯ୍ୟନ୍ତ ଏକମାସ ବ୍ୟାପି ଶ୍ରୀମନ୍ଦିରରେ ଆମ ମହାପ୍ରଭୁଙ୍କ ନିକଟରେ "ପହିଲିଭୋଗ"…

5 days ago

ବଳଦେବ ଉପାସନା

~ ବଳଦେବ ଉପାସନା ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଉତ୍କଳ ଭୂମିରେ ବଳଦେବ ଉପାସନାର ପରମ୍ପରା ପ୍ରାଚୀନ l ଶ୍ରୀମନ୍ଦିରରେ…

5 days ago

ତୁମେ ତ ଲୋକରେ ସାର

~ ତୁମେ ତ ଲୋକରେ ସାର ~ ସୌରଭିତ ସୃଷ୍ଟି: ଅନନ୍ତ ପଟ୍ଟନାୟକ  କମ୍ପି ଉଠୁଛି କଟକ ନଗର ଶୁଭୁଅଛି…

5 days ago