ଗବେଷଣା ଓ ଉପସ୍ଥାପନା: ଲେଖା: ଶିଶିର ସାହୁ ମନୋଜ

~ ପାଣିଖରା, ଖରାଵରଷା ଓ ବିଲୁଆ ନନାର ବାହାଘର ~

ଵର୍ଷା ଛାଡି଼ଗଲାପରେ ଯେଉଁ ଟାଣ୍ ଖରା ହୁଏ ତାକୁ ଆମ ଭାଷାରେ ପାଣିଖରା କହିଥାନ୍ତି । ଵର୍ଷା ହେଵା ଦିନ ପରିଵେଶ ଥଣ୍ଡା ହୋଇଯାଏ କିନ୍ତୁ ଵର୍ଷା ଛାଡି଼ଲା ପରଦିନ ଆକାଶରେ ବାଦଲ ନଥିଲେ ଭୀଷଣ ଖରା ହୋଇଥାଏ । ଏଭଳି ରୌଦ୍ରତାପକୁ ପାଣିଖରା କୁହନ୍ତି । ସାହିତ୍ୟରେ ଵ୍ୟଵହୃତ ହେଉ କି ନ ହେଉ ପାଣିଖରା ଶବ୍ଦଟି କଥିତ ଭାଷାଲୋକଗୀତରେ ବଞ୍ଚିରହିଛି ।

ଗ୍ରାମାଞ୍ଚଳର ପିଲାଏ ଆଜି ବି ଏହି ପ୍ରାକୃତିକ ପ୍ରପଞ୍ଚ ଘଟିତ ହେଉଥିଵାର ଦେଖିଲେ ଗୀତ ବୋଲନ୍ତି, “ଛି ଛି ଟା, ପାଣିଖରାଟା”

କେତେକ ଅଞ୍ଚଳରେ ଏହି ପ୍ରାକୃତିକ ପ୍ରପଞ୍ଚକୁ ପାଣିଖରା ପରିଵର୍ତ୍ତେ ମେଘେଇ ଖରା କୁହାଯାଇଥାଏ । ଏ ଶବ୍ଦକୁ ନେଇ ଲୋକଵାଣୀଟିଏ ଚଳୁଅଛି …

ଚାରି ଚାଳିଆ, ବାଳ ମୂଳିଆ, ମେଘେଇ ଖରା,
ଏ ତିନି ଜଣଙ୍କ ଭାରି ଚେହେରା l “

ଓଡ଼ିଶାର ଆଉ କେତେକ ଅଞ୍ଚଳରେ ମେଘୁଆ ଖରାକୁ ପାଣିଖରା କୁହାଯାଏ ଏଵଂ ସେ ଅଞ୍ଚଳରେ ଏହି ଶବ୍ଦ ଵ୍ୟଵହାରରେ ଲୋକଵାଣୀଟିଏ ପ୍ରଚଳିତ,

“ମେଘୁଆ ଖରା
ଟୋକା ବେହେରା
ଗୁଜୁରୀ ଦାରି
ଏମାନଙ୍କ ଜ୍ୱାଳା ସହି ନପାରି।”

ପଶ୍ଚିମ ଓଡ଼ିଶାରେ ପାଣିଖରା ଶବ୍ଦକୁ ଓଲଟାଇ ସେଠାକାର କଥିତ ସମ୍ବଲପୁରୀ ଶୈଳୀରେ ଏହାକୁ ଖରାପାଏନ୍ କହିଥାନ୍ତି ।

ଆମ ଭାଷାରେ ମେଘୁଆଖରା  ଓ ତତ୍ ସଂଲଗ୍ନ ଗରମ ପାଗକୁ, ମେଘୁଆ ଗୁଳୁଗୁଳି ମଧ୍ୟ କହିଥାନ୍ତି । ସ୍ନାନପୂର୍ଣ୍ଣମୀ ପରଦିନଠାରୁ ନବଯୌଵନ ଦର୍ଶନ ପର୍ଯ୍ୟନ୍ତ ଏହି ଗୁଳୁଗୁଳିକୁ ଅଣସର ଗୁଳୁଗୁଳି ମଧ୍ୟ କୁହାଯାଏ ।

ତେବେ ଏଭଳି Natural Phenomenon ଵା ପ୍ରାକୃତିକ ପ୍ରପଞ୍ଚକୁ କାହିଁକି ଘଟିତ ହୋଇଥାଏ ?

ସମ୍ଭଵତଃ ଵର୍ଷାଯୋଗୁଁ ବାୟୁମଣ୍ଡଳରେ ଧୂଳିକଣାର ପରିମାଣ ଅନେକାଂଶରେ ହ୍ରାସପାଏ ଫଳତଃ ସୂର୍ଯ୍ୟ କିରଣ ବାଧା ନ ପାଇ ସିଧାସଳଖ ଆମ ପାଖରେ ପହଞ୍ଚୁଥିଵାରୁ ଉକ୍ତ ଖରା ଟାଣ ଲାଗେ l

କଥିତ ଅଛି ଯେ ଏଭଳି ଖରା ହେଲେ ଉକ୍ତ ଦିନ ରାତ୍ରରେ କିଂଵା ସକାଳେ ଵର୍ଷା ହୋଇଥାଏ । ଵର୍ଷା ହେଲାପରେ ଚାରିଆଡ଼େ ଜଳମୟ ହୋଇଯାଏ ଅର୍ଥାତ୍ ସବୁଆଡ଼େ ପାଣି ଥାଏ । ଗଛର ପତ୍ରଠାରୁ ମାଟିର ଆଦ୍ର ହେଵାଯାଏଁ ସବୁଆଡ଼େ ପାଣି ରହିଥାଏ ଏମନ୍ତକି ଵାୟୁମଣ୍ଡଳରେ ମଧ୍ୟ ଜଳୀୟ ଅଂଶ ବୃଦ୍ଧି ପାଇଥାଏ ।

ପୁନଶ୍ଚ ଆଉ ଏକ ଜାତୀୟ ପ୍ରାକୃତିକ ପ୍ରପଞ୍ଚ ଲକ୍ଷ୍ୟ କରାଯାଇଛି । ଏଥିରେ ଵର୍ଷା ହେଉଥିଵ ଏଵଂ ଖରା ବି ହେଉଥିଵ । ଏଭଳି ଵର୍ଷାକୁ ମଧ୍ୟ କେଉଁଠି କେଉଁଠି ପାଣିଖରା ତ ଆଉ କେଉଁଠି କେଉଁଠି  ଖରାଵରଷା କହିଥାନ୍ତି । ଵର୍ଷା ଓ ଖରା ଏକା ସାଙ୍ଗରେ ହେଉଥିଲେ ତାକୁ ପୁବେଇ ଵର୍ଷା ଵା ପୂର୍ଵେଇ ଵର୍ଷା ମଧ୍ୟ କୁହାଯାଏ ।

ଏହି ଜାତୀୟ ଵର୍ଷା ହେଲେ ଲୋକେ କୁହନ୍ତି ବିଲୁଆ ନନାର ବାହାଘରହେଉଛି ଏଵଂ ଏ ସମ୍ବନ୍ଧରେ ଅନେକ ଲୋକଵାଣୀ ଓ ଲୋକଗୀତ ମଧ୍ୟ ପ୍ରଚଳିତ, 

“ଖରା ହେଉଚି ମେଘ ହେଉଚି
ବିଲୁଆ ନନା ବାହାହେଉଚି”

ତେବେ ଵର୍ଷା ସହ ବିଲୁଆର କ’ଣ ସମ୍ପର୍କ ସେ ଵିଷୟରେ  ଅନୁଭଵି ଲୋକ ଭଲ ଭାଵେ ଜାଣିଥିଵେ । ସମ୍ଭଵତଃ ଵର୍ଷା ସମୟରେ ଵା ଏଇଭଳି ଵର୍ଷା ସମୟରେ ବିଲୁଆମାନେ ଧାଡି଼ ବାନ୍ଧି ଯାଉଥିଵେ । ଶଗଡ଼ ଓ ପାଲିଙ୍କି ଯୁଗରେ ଵରଯାତ୍ରୀ ମଧ୍ୟ କନ୍ୟାଘରକୁ ଏହିପରି ଯାଉଥିଲେ । କିଂଵା ପିଲାମାନେ ଗୁଡା଼ଏ ବିଲୁଆଙ୍କୁ ଵର୍ଷାପାଗରେ ଏକାସାଙ୍ଗରେ ଦେଖି ଡରିନଯାଆନ୍ତୁ ସେଥିପାଇଁ ବୋଧହୁଏ ଏଭଳି ଏକ ଲୋକଵିଶ୍ଵାସ ଜନ୍ମ ନେଇଥିଲା । ଏହିପରି ଆଉ ଏକ ଉଦାହରଣ ରହିଛି । ଖରାଦିନିଆ  ସାଧାରଣତଃ ପର୍ଵତରେ ନିଆଁ ଲାଗିଥାଏ । ସେତେବେଳେ ଲୋକେ କୁହନ୍ତି ମାଙ୍କଡ଼ ବାହାଘର ହେଉଛି ।  ତେବେ ଏଭଳି ଲୋକ ଵିଶ୍ଵାସ ପ୍ରଚଳନ ପଛରେ ଅନ୍ୟ କୌଣସି କାରଣ ବି ହୋଇ ଥାଇପାରେ ।

ପାଣିଖରା ,ଖରାଵରଷା ଓ ବିଲୁଆ ନନାର ବାହାଘର

©

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

4 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 month ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago