ଲେଖା: ଅରବିନ୍ଦ ମହାନ୍ତି
~ ଦେଉଳ ବିଷୟରେ କିଛି ~
ପୁରୁଣା ଭୁବନେଶ୍ୱର ଠାରେ କେଦାରଗୌରୀ ମନ୍ଦିରର ଅନତି ଦୂରରେ ପର୍ଶୁରାମେଶ୍ବର ଦେଉଳ ଅବସ୍ଥିତ। ଏହାର  ନିର୍ମାଣ ଖ୍ରୀ.ଅ. ୭ମ ରୁ ୮ମ ଶତାବ୍ଦୀ ମଧ୍ୟରେ ଶୈଳଦଭବ ବଂଶ ରାଜତ୍ୱ କାଳରେ ହୋଇଥିଲା। ଏହି ଦେଉଳ ମୁଖ୍ୟତଃ ଦୁଇଟି ଭାଗରେ ବିଭକ୍ତ ଗର୍ଭଗୃହ ଏବଂ ଜଗମୋହନ। ଗର୍ଭଗୃହ ମଧ୍ୟରେ ଦେବ ପର୍ଶୁରାମେଶ୍ବର ଲିଙ୍ଗ ସ୍ୱରୂପରେ ବିଦ୍ୟମାନ। ଗର୍ଭଗୃହ ବାହ୍ୟ କାନ୍ଥରେ ପାର୍ଶ୍ୱଦେବତା ରୂପେ ଦେବୀ ପାର୍ବତୀ, ଗଣେଶ ଓ କାର୍ତ୍ତିକେୟଙ୍କ ବିଗ୍ରହ ମାନ ରହିଅଛି। ଗର୍ଭଗୃହର ଦ୍ୱାର ବନ୍ଧରେ ଅଷ୍ଟଗ୍ରହ ପଟି ରହିଅଛି ଯାହା ଅନ୍ୟତ୍ର ଦେଖିବାକୁ ବିରଳ। ଏହାର ବାହ୍ୟ ପ୍ରଦେଶରେ ଶିବଙ୍କ ବିଭିନ୍ନ ଲୀଳା ଚରିତ ମାନ ଖୋଦିତ ହୋଇଅଛି। ଆଉ ମଧ୍ୟ ଏଠାରେ ମହିଷା ମର୍ଦ୍ଧିନୀ ମୂର୍ତ୍ତି ମଧ୍ୟ ଖୋଦିତ ହୋଇ ଅଛି।
ଏହାର ଜଗମୋହନ ନିର୍ମାଣ ସର୍ବ ପୂରାତନ ଅଟେ। ଉତ୍କଳୀୟ ଶୈଳୀରେ ଏହା ହେଉଛି ସର୍ବପୂରାତନ ପ୍ରଥମ ଜଗମୋହନ । ଏହି ଜଗମୋହନ ନିଜ ଶରୀରରେ ବିଭିନ୍ନ ବିଚିତ୍ରତା ବହନ କରେ। ଦେବ, ନାଗ, ଗନ୍ଧର୍ବ ମୂର୍ତ୍ତି କଳା ଠାରୁ ଆରମ୍ଭ କରି ବିଭିନ୍ନ ପଶୁପକ୍ଷୀ, ବୃକ୍ଷଲତା ଆଦି ଏଠାରେ ଖୋଦିତ ହୋଇ ଅଛି। ଏଭଳି ମଧ୍ୟ ଖୋଦିତ ବିଗ୍ରହ ଅଛି ଯାହା ସାଧାରଣ ଲୋକଙ୍କ ପକ୍ଷେ ଦୁର୍ବୋଧ୍ୟ ଅଟେ। ଜଗମୋହନର ବାହାର କାନ୍ଥରେ ସପ୍ତ ମାତୃକା ସହିତ ଗଣେଶ ବିଗ୍ରହ ମଧ୍ୟ ବିଦ୍ୟମାନ। ଏହି ପର୍ଶୁରାମେଶ୍ବର ଦେଉଳ ବେଢାରେ ଏକ ସହସ୍ର ଲିଙ୍ଗ ବିଗ୍ରହ ରହି ଅଛି ଯେଉଁଠାରେ ଗୋଟିଏ ଲିଙ୍ଗ ବିଗ୍ରହରେ ୧୦୦୦ରୁ ଅଧିକ ସୂକ୍ଷ୍ମ ଶିବଲିଙ୍ଗ ମାନ ଖୋଦିତ ହୋଇଅଛି। ଏହା ପ୍ରକୃତରେ ଏକ ପୁରାତନ କାଳର ସମୟ ଗଣନା ମାପ ଯନ୍ତ୍ର ଅଟେ। ଯାହା ପରବର୍ତୀ ସମୟରେ ଆଉ ବ୍ୟବହାର ହେଉନାହିଁ।
~ ପର୍ଶୁରାମେଶ୍ବରଙ୍କ ଉତ୍ପତ୍ତି ~
ଏକାମ୍ର ପୁରାଣ, ସ୍ୱର୍ଣଦ୍ରି ମହୋଦୟ ଆଦି ଗ୍ରନ୍ଥରୁ ଜଣା ଯାଏ ଯେ ଦେବ ପର୍ଶୁରାମେଶ୍ବର ହେଲେ ବିଷ୍ଣୁଙ୍କ ଷଷ୍ଠ ଅବତାର ଭଗବାନ ପର୍ଶୁରାମଙ୍କ ଦ୍ୱାରା ପ୍ରତିଷ୍ଠିତ ବିଗ୍ରହ। ଏଠାରେ ପର୍ଶୁରାମ ଶ୍ରୀ ତ୍ରିଭୁବନେଶ୍ୱର ଲିଙ୍ଗରାଜ ଦେବଙ୍କୁ ଆରାଧନା କରି ପର୍ଶୁରାମେଶ୍ବରଙ୍କ ସ୍ଥାପନା କରିଥିଲେ। ଏହି ପର୍ଶୁରାମେଶ୍ବର ଦେଉଳ ଜଗମୋହନର ଦକ୍ଷିଣ ପଟ କାନ୍ଥରେ ଭଗବାନ ପର୍ଶୁରାମଙ୍କ ବିଗ୍ରହ ମଧ୍ୟ ଖୋଦିତ ହୋଇଅଛି।
~ ପର୍ବପର୍ବାଣୀ ~
ଏଠାର ମୁଖ୍ୟ ପର୍ବ ହେଲା ପର୍ଶୁରାମାଷ୍ଟମୀ। ମହାପ୍ରଭୁ ଲିଙ୍ଗରାଜ ପର୍ଶୁରାମଙ୍କୁ କଥା ଦେଇଥିଲେ ଯେ ପ୍ରତିବର୍ଷ ଆଷାଢ଼ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ସେ ଏଠାକୁ ବିଜେ କରିବେ ଓ ପର୍ଶୁରାମଙ୍କ ପୂଜା ଗ୍ରହଣ କରିବେ, ଯାହା ଅଦ୍ୟାବଧି ବହୁ ଆଡମ୍ବର ସହକାରେ ପାଳନ କରାଯାଉଅଛି। ଲୋକକଥା ଅଛି ଯେ, “ଆଷାଢ଼ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥିରେ ମହାପ୍ରଭୁ ଲିଙ୍ଗରାଜ ଦେବୀ ପାର୍ବତୀଙ୍କ ସହିତ ଚତୁଃ ମାସ ଶୟନ କରନ୍ତି ତେଣୁ ଚାରି ମାସ ପାଈଁ ତାଙ୍କ ରାଜ୍ୟ ଭାର ପର୍ଶୁରାମେଶ୍ବରଙ୍କୁ ପ୍ରଦାନ କରି ଯାଇଥାନ୍ତି।”
ଅନ୍ୟାନ୍ୟ ପର୍ବ ମାନଙ୍କରେ ଶିବରାତ୍ରୀ, ଚାତୁଃ ମାସ ରୁଦ୍ରାଭିଷେକ ଆଦି ପ୍ରଧାନ।
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago