~ ବେଶପଛର କାହାଣୀ ~
ଉତ୍ତର ଭାରତର ସନ୍ଥ ମନୋହର ଦାସ। ଶ୍ରୀଜୀଉ ଦର୍ଶନ ପାଇଁ ମାଇଲ ମାଇଲ ଦୂରରୁ ଆସୁଥାନ୍ତି ପୁରୀ। ବାଟରେ ପଦ୍ମ ପୋଖରୀ ଦେଖନ୍ତି। ଶୀତ ଦିନେ ପଦ୍ମ ପୋଖରୀ ପୁଷ୍ପ ପୂର୍ଣ୍ଣ ହୋଇପଡିଥିବାରୁ ସେ ଆଶ୍ଚର୍ଯ୍ୟ ହୁଅନ୍ତି। ଓ ମହାପ୍ରଭୁଙ୍କ ନିମିତ୍ତ ପଦ୍ମ ତୋଳି ଦିଅନ୍ତି। ନିଜ ଅଙ୍ଗବସ୍ତ୍ରରେ ଗୁଡ଼ାଇ ଏହାକୁ ଧରି ବାବାଜୀ ଚାଲନ୍ତି ଶ୍ରୀକ୍ଷେତ୍ର। ହେଲେ ପହଞ୍ଚୁ ପହଞ୍ଚୁ ବିଳମ୍ବ ହେବାରୁ ମଉଳି ଯାଏ ପଦ୍ମଫୁଲ। ସେବକଗଣ ଏହି ଫୁଲ ଲାଗି ହେବା ସମ୍ଭବ ନୁହେଁ କହି ଫିଙ୍ଗି ଦିଅନ୍ତି। ଦୁଃଖରେ ମ୍ରିୟମାଣ ସାଧୁ ମୂର୍ଚ୍ଛା ଯା’ନ୍ତି ସିଂହଦ୍ୱାର ସମ୍ମୁଖରେ। ଭାବଗ୍ରାହୀ ଜଗନ୍ନାଥ ଭକ୍ତର ଦୁଃଖ ବୁଝନ୍ତି, ଆଉ ସ୍ୱପ୍ନାଦେଶ ହୁଏ ସେହି ମଉଳି ଯାଇଥିବା ପଦ୍ମ ଫୁଲରେ ଶ୍ରୀଅଙ୍ଗ ଶୃଙ୍ଗାର ପାଇଁ। ଦଉଡି ଆସନ୍ତି ଗଜପତି।
ଦେଉଳ କରଣଙ୍କ ନିର୍ଦ୍ଦେଶରେ ସେହି ଦିନ ରାତିରେ ମଉଳି ଯାଇଥିବା ପଦ୍ମ ଲାଗି ହୁଅନ୍ତି ବଡଠାକୁର । ଶୁଷ୍କ ଫୁଲ ଜୀବନ ପାଏ। ଅଶ୍ରୁପାତ ହୁଏ ସାଧୁଙ୍କର। ସମସ୍ତେ ଜାଣିପାରିଲେ ମନୋହର ଦାସଙ୍କ ଭକ୍ତିରେ ଏହି ମଉଳି ଯାଇଥିବା ତିନି ଦିନ ତଳର ଫୁଲ କିପରି ପୁଣି ଥରେ ସତେଜ ହୋଇଉଠିଛି ।
ସେଇଦିନଠାରୁ ସେ ବେଶ ପଦ୍ମବେଶ ଭାବରେ ବିଖ୍ୟାତ ହେଲା । ଆରମ୍ଭ ହେଲା ପଦ୍ମବେଶର ନୂଆ ପରମ୍ପରା । ଭକ୍ତ ମନୋହର ଦାସଙ୍କ ସ୍ମୃତିରେ ବର୍ଷକୁ ଗୋଟିଏ ଦିନ ମହାପ୍ରଭୁଙ୍କୁ ପଦ୍ମବେଶରେ ସୁସଜ୍ଜିତ କରାଯାଏ । ଏହି ବେଶକୁ ପୁଷ୍ପାଳକ (ସିଂହାରୀ) ସେବକମାନଙ୍କ ଦ୍ଵାରା କରାଯାଇଥାଏ । ଏହି ବେଶ ଶେଷରେ ପ୍ରଭୁଙ୍କୁ ଅମାଲୁ (ମାଲପୁଆ) ଓ କ୍ଷୀରିଭୋଗ କରାଯାଇଥାଏ ।
ତେବେ ଶୀତଋତୁରେ ପଦ୍ମଫୁଲ ସଂଗ୍ରହ ସମ୍ଭବ ନୁହେଁ ଭାବି ବଡ଼ଛତା ମଠର ତତ୍କାଳୀନ ମହନ୍ତ ରଘୁବର ଦାସ ଆରମ୍ଭ କରନ୍ତି ଭିନ୍ନ ପରମ୍ପରା। ସୋଲ, କନା, କଇଥ ଅଠା, ରଙ୍ଗରେ ଆରମ୍ଭ ହୁଏ ବେଶ। ସେବେଠାରୁ ନିରବଚ୍ଛିନ୍ନ ଭାବେ ଏହି ବେଶ ଅନୁଷ୍ଠିତ ହେଉଛି। ଏହା ଶ୍ରୀଜୀଉଙ୍କ ଏକ ଆକର୍ଷଣୀୟ ବେଶ, ଯେଉଁଥିରେ ତିନି ଠାକୁରେ ତିନି ପ୍ରସ୍ପୁଟିତ ପଦ୍ମ ହୋଇ ରତ୍ନସିଂହାସନରେ ଛିଡା ହୋଇଥାନ୍ତି, ଏବଂ ଦୁଇ ଯୋଡ଼ା ହଂସ ପଦ୍ମରୁପୀ ମହାପ୍ରଭୁଙ୍କୁ ଚୁମ୍ବନ ଦେବା ଢଙ୍ଗରେ ରହିଥାନ୍ତି।
~ ବେଶସମୟ ~
ପ୍ରତିବର୍ଷ ମାଘ ଅମାବାସ୍ୟାଠାରୁ ବସନ୍ତ ପଞ୍ଚମୀ ମଧ୍ୟରେ ପଡୁଥିବା ବୁଧବାର କିମ୍ବା ଶନିବାର ଏହି ବେଶ ହେବାର ପରମ୍ପରା। ମହାପ୍ରଭୁ କଳା କିମ୍ବା ନୀଳ ଘୋଡ଼ରେ ଥାଇ ଏହି ବେଶ ହୁଅନ୍ତି। ଏହି ବେଶ ଥାଇ ରାତ୍ର ପହୁଡ଼ ହୁଏ। ତହିଁ ପରଦିନ ସକାଳେ ମଧ୍ୟ ଏହି ବେଶ ଦର୍ଶନର ସୁଯୋଗ ଭକ୍ତଙ୍କୁ ମିଳିଥାଏ।
~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ କାହିଁ କେଉଁ ଆଦି ଅନାଦି କାଳରୁ ଏହି…
~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…
ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…
ଦଶପଲ୍ଲା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଅଧୁନା ନୟାଗଡ଼ ଜିଲ୍ଲା ପୂର୍ବରୁ ଚାରି ଗଡଜାତରେ ବିଭକ୍ତ ଥିଲା ଯଥା,…
~ ବାଙ୍କୀଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା' ଚର୍ଚ୍ଚିକା ଠାକୁରାଣୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ବା ଉତ୍କଳ…