ଲେଖା: ଅମୃତେଶ ଖଟୁଆ
~ ଓଡ଼ିଆ ସାହିତ୍ୟ ଇତିହାସ”ର ଅନ୍ୟତମ ସ୍ରଷ୍ଟା : ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶ ~
ଜଣେ ଅଜସ୍ରସ୍ରାବୀ ସଦାଧ୍ୟାୟୀ ପ୍ରାବନ୍ଧିକ ଓ ସାହିତ୍ୟିକ ରୂପେ ତାଙ୍କର ସର୍ଜନଶୀଳତା ଅପରିମିତ। ସ୍ଵାଧୀନୋତ୍ତର ଓଡିଶାରେ ଓଡିଶାର ସଂସ୍କୃତି ଓ ଇତିହାସ ସମେତ ଜଗନ୍ନାଥ ତତ୍ତ୍ଵ, ଜୀବନୀ ସାହିତ୍ୟରେ ସୁପ୍ରଚୁର କୃତୀତ୍ଵ ଛାଡି ଯାଇଥିଲେ ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶ। ଏକାଧାରରେ ସେ ଥିଲେ ଜଣେ ସାମ୍ବାଦିକ, ସାହିତ୍ୟିକ, ସମାଲୋଚକ ଏବଂ ଗବେଷକ। ତାଙ୍କର ସବୁଠାରୁ ଅନବଦ୍ୟ ସର୍ଜନା “ଓଡ଼ିଆ ସାହିତ୍ୟର ଇତିହାସ” ଅଦ୍ୟାବଧି ମଧ୍ୟ ଅନେକତ୍ର ଏହା ପାଠ୍ୟକ୍ରମ ପ୍ରଚଳିତ ହେବା ସହ ଓଡ଼ିଆଭାଷା ଗବେଷକମାନଙ୍କ ଗହଣରେ ସମାନୁରୂପ ସ୍ଵୀକୃତି ମଧ୍ୟ ଲାଭ କରିଛି।
ଗଜପତି ଜିଲ୍ଲା ପାରଳାଖେମୁଣ୍ଦି ନିକଟବର୍ତ୍ତୀ ପଡୋଶୀ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର ଦଶରଥପୁର ଶାସନରେ ୧୯୦୮ ମସିହା ଜୁଲାଇ ୧ ତାରିଖରେ ପିତା ବାଲୁଙ୍କେଶ୍ଵର ଦାଶ ତଥା ମାତା କ୍ଷିତୀ ଦେବୀଙ୍କ କୋଳମଣ୍ଡନ କରିଥିଲେ ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶ। ତାଙ୍କ ପିଉସା ଥିଲେ ସୁବିଦିତ ଭାଷାତତ୍ତ୍ଵବିଜ୍ଞାନୀ ଗୋପୀନାଥ ନନ୍ଦଶର୍ମା। ପିଉସାଙ୍କ ରଚନା-ସମାବେଶ ଦ୍ଵାରା ମଧ୍ୟ ସେ ଖୁବ୍ ଆକୃଷ୍ଟ ହୋଇଥିଲେ ନିଜ କୈଶୋର ବୟସରେ।
ଗ୍ରାମ ଚାଟଶାଳୀରୁ ନିଜର ପ୍ରାଥମିକ ଶିକ୍ଷା ଆରମ୍ଭ କରିଥିଲେ ସୂର୍ଯ୍ୟନାରାୟଣ । ପିଉସା ଗୋପୀନାଥ ନନ୍ଦଶର୍ମାଙ୍କ ତତ୍ତ୍ଵାବଧାନରେ ଅପର୍ ହାଇସ୍କୁଲ୍ ଏସ୍.ଏସ୍.ଏଲ୍.ସି (ସେକେଣ୍ଡାରି ସ୍କୁଲ ଲିଭିଂ ସାର୍ଟିଫିକେଟ – ମାଟ୍ରିକ୍ୟୁଲେସନ) ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇ ଉତ୍ତୀର୍ଣ୍ଣ ହୋଇଥିଲେ। ଏହା ପରେ ରାଜବୃତ୍ତି ପ୍ରାପ୍ତ କରି ସ୍ଥାନୀୟ ମହାରାଜାଙ୍କ ଦ୍ଵାରା ପ୍ରତିଷ୍ଠିତ ଓ ପରିଚାଳିତ ବିଜୟନଗର କଲେଜରୁ ସ୍ନାତକ କରିଥିଲେ। ସେତେବେଳେ ଅନେକ ରାଜବୃତ୍ତି ଜମିଦାରଙ୍କ ଠାରୁ ପାଉଥିଲେ। ସେଠାରେ ଗଞ୍ଜାମ ଓ କୋରାପୁଟ (ତତ୍କାଳୀନ ଜୟପୁର)ର ଅନେକ ଛାତ୍ର ମଧ୍ୟ ଅଧ୍ୟୟନ, ଯାହାଙ୍କୁ ସଙ୍ଗଠିତ କରିଥିଲେ ସୂର୍ଯ୍ୟନାରାୟଣ ଦାଶ। ଏହା ପରେ ସେ ବିଜୟନଗର ଓଡ଼ିଆ ଛାତ୍ର ସଂଘର ସମ୍ପାଦକ ହେବା ସହ ଅନେକ ସମ୍ବାଦପତ୍ରରେ ନିଜର ଆଲେଖ୍ୟମାନ ପ୍ରକାଶ କରିଛନ୍ତି। ତାଙ୍କ ପ୍ରବନ୍ଧମାନ ବାଲ୍ୟ ବିବାହକୁ ବିରୋଧ ଓ ଅନ୍ୟାନ୍ୟ ସଂସ୍କାରମୂଳକ ଉଦ୍ଦେଶ୍ୟ ନିହିତ କରି ପ୍ରକାଶ ପାଇଥିଲା। ଏହା ପରେ ସେଠାରୁ ସେ ବି.ଏ. ଉତ୍ତୀର୍ଣ୍ଣ ହୋଇ କଟକ ଚାଲିଆସନ୍ତି। କଟକରେ ତାଙ୍କ ଅଧ୍ୟୟନର ତପୋଭୂମି। କଟକର ପୁରୁଣା କଲେଜ ଲେନ୍’ରେ ସେ ପରବର୍ତ୍ତୀ ଅବସ୍ଥାରେ ଆସି ବସବାସ କରିଲେ। ସେତେବେଳେ କଟକ ବିଶିଷ୍ଟ ଲେଖକ ଓ ବୁଦ୍ଧିଜୀବୀମାନଙ୍କ କେନ୍ଦ୍ରସ୍ଥଳ ପାଲଟି ଯାଇଥିଲା। ପିଉସାଙ୍କ ଭାଷା ଓ ସାହିତ୍ୟକୁ ନେଇ ଚର୍ଚ୍ଚା ଏବଂ ବ୍ଯାକରଣପଟୁତା ତାଙ୍କର ଆଦର୍ଶ ଗଢଣରେ ସୁଦୂରପ୍ରସାରୀ ସାବ୍ୟସ୍ତ ହୋଇଥିଲା।
ଭାରତ ସେବକ ସଂଘର ସଭ୍ୟ ପଦ୍ମଶ୍ରୀ ଲକ୍ଷ୍ମୀନାରାୟଣ ସାହୁଙ୍କ ସଂସ୍ପର୍ଶରେ ଆସି ସେ ପ୍ରାକୃତିକ ବିପର୍ଯ୍ୟୟରେ ପ୍ରପୀଡ଼ିତ ଲୋକଙ୍କୁ ସାହାଯ୍ୟ କରିବା ନିମନ୍ତେ ଅନୁପ୍ରାଣିତ ହୁଅନ୍ତି। ଓଡିଶାରେ ବନ୍ୟା ଓ ଦୁର୍ଭିକ୍ଷ ସାହାଯ୍ୟ କମିଟିର ସମ୍ପାଦକ ରୂପେ ୧୯୩୦ରୁ ୧୯୩୩ ମସିହା ପର୍ଯ୍ୟନ୍ତ କରିଆସିଥିଲେ। ସେହି ସମୟରେ ଓଡିଶାର କୃଷି ବ୍ୟବସ୍ଥା ଏବଂ ଓଡିଶାରେ ହୋଇଥିବା ଦୁର୍ଭିକ୍ଷ ଉପରେ ବର୍ଣ୍ଣନା କରି ଅନେକ ପ୍ରବନ୍ଧ ରଚନା କରିଥିଲେ। “ଓଡିଶାରେ ଦୁର୍ଭିକ୍ଷ ଓ ବନ୍ୟା”ରେ ସେ ବର୍ଣ୍ଣନା କରିଛନ୍ତି – “ଅତୀତ ଯୁଗରେ କପିଳେନ୍ଦ୍ରଦେବଙ୍କ ରାଜତ୍ଵର ଅ୧୧ଙ୍କ ( ଖ୍ରୀ ୧୪୪୪ ), ଅ୨୭ଙ୍କ, ଅ୩୨ଙ୍କରେ ବି ଦୁର୍ଭିକ୍ଷ ଘଟିଥିଲା। ପରେ ପ୍ରତାପରୁଦ୍ରଙ୍କ ଅ୧୩ଙ୍କ, ମୁକୁନ୍ଦଦେବଙ୍କ ଅ୧୮ଙ୍କ, ଦନାଇ ବିଦ୍ୟାଧରଙ୍କ ସମୟରେ ଥରେ, ପ୍ରଥମ ଦିବ୍ୟସିଂହ ଦେବଙ୍କ ଅ୧୦ଙ୍କ, ଦ୍ଵିତୀୟ ଦିବ୍ୟସିଂହ ଦେବଙ୍କ ଅ୯ଙ୍କ (୧୮୬୬ ଖ୍ରୀ), ୧୮୮୯, ୧୯୦୮, ୧୯୧୯ ମସିହାରେ ଦୁର୍ଭିକ୍ଷ ହୋଇଥିବାର ଜଣାଯାଏ। ୧୭୬୯-୭୦ ସାଲରେ ଟଙ୍କାକୁ ଦୁଇ ସେର ଚାଉଳ ମିଳୁନଥିଲା ବୋଲି ଷ୍ଟାର୍ଲିଙ୍ଗ୍ ସାହେବ୍ କହିନ୍ତି। ୧୭୭୫ ମସିହାରେ ସେର ଚାଉଳର ଦାମ୍ ଦଶ ଅଣା ଥିଲା। ସରକାରୀ ରିପୋର୍ଟରୁ ଜଣାଯାଏ ୧୮୬୬ ସାଲରେ ଟଙ୍କାକୁ ପାଞ୍ଚ ସେର ଚାଉଳ ମିଳୁଥିଲା। ଅନ୍ୟାନ୍ୟ ସମୟର ଦାମ ସହିତ ଦୁର୍ଭିକ୍ଷ ସମୟର ଦରଦାମ ତୁଳନା କଲେ ଲୋକମାନେ କି କଷ୍ଟ ଅନୁଭବ କରିଥିବେ, ତାହା ଅନୁମାନ କରାଯାଇପାରେ।” ସାମ୍ବାଦିକ ଭାବରେ ପଣ୍ଡିତ ନୀଳକଣ୍ଠ ଦାସଙ୍କ ‘ନବଜୀବନ’, ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ‘ସମାଜ’, ‘ଦୈନିକ ଆଶା’, ‘ନିଉ ଓଡିଶା’ ଓ ଅନ୍ୟାନ୍ୟ ସମ୍ବାଦପତ୍ରରେ ଅନେକ ଗୁରୁତ୍ୱପୂର୍ଣ୍ଣ ଆଲେଖ୍ୟମାନ ପ୍ରକାଶ କରିବା ଦ୍ଵାରା ତାଙ୍କ ଖ୍ଯାତି ବଢିଛି। ଉତ୍କଳ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ପରେ ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶ ସେଠାରେ ଏମ୍.ଏ. ଉତ୍ତୀର୍ଣ୍ଣ ହୋଇଥିଲେ। ଆଉ ଏହି ସମୟରେ ସେ ରଚନା କରିଥିଲେ ‘ଓଡ଼ିଆ ସାହିତ୍ୟର ଇତିହାସ’, ଯାହା ପାଇଁ ସେ ପାଇଥିଲେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର। ସାମ୍ଵାଦିକତା ସମୟରେ ସେ ନାନାବିଧ ତାଳପତ୍ର ସଂଗ୍ରହ କରି ପଢି ଅନୁଶୀଳନ କରିବାରେ ସେ ଥିଲେ ଧୁରୀଣ। ବିଭିନ୍ନ ସୂତ୍ରରୁ ପୋଥି ସଂଗ୍ରହ କରି ସେ ସେଗୁଡିକର ସମୀକ୍ଷା ଧାରାବାହିକ ରୂପେ ୧୯୫୬ରୁ ପଣ୍ଡିତ ନୀଳକଣ୍ଠଙ୍କ “ନବଭାରତ”ରେ ପ୍ରକାଶ କରେଇ ଆସୁଥିଲେ। ଆଉ ତାଙ୍କ ଧାରାବାହିକ ଆଲେଖ୍ୟମାନ ଭିତରରୁ ‘ଚୋଡ଼ଗଙ୍ଗଙ୍କ ନୃସିଂହନାଥ ମନ୍ଦିରଲିପି’, ‘ଗଙ୍ଗବଂଶ ରାଜତ୍ବ ସମୟରେ..’, ‘ପୁରୀ ମାର୍କଣ୍ଡେଶ୍ଵର ମନ୍ଦିରଲିପି’, ‘ଚୋଡ଼ଗଙ୍ଗଦେବଙ୍କ ୬୭-ବର୍ଷ ରାଜତ୍ଵର ଶିଳାଲିପି’, ‘ଓଡିଶାରେ ଗଙ୍ଗବଂଶର ରାଜତ୍ବ’ ଅନ୍ୟତମ ।
ଆଉ ସମକାଳରେ ପ୍ରକାଶ ପାଉଥିବା ପ୍ରାୟ ସମସ୍ତ ଓଡ଼ିଆ ଓ ଇଂରାଜୀ ସାହିତ୍ୟ ପତ୍ରିକା ପଣ୍ଡିତଙ୍କ ପ୍ରବନ୍ଧାବଳୀରେ ସମୃଦ୍ଧ। ପୁରୀ ବଡ଼ଦେଉଳରେ ମୁକ୍ତିମଣ୍ଡପର ପଶ୍ଚିମକୁ ଥିବା ନୃସିଂହନାଥ ମନ୍ଦିର ଅବସ୍ଥିତ। ଏହି ନୃସିଂହନାଥଙ୍କୁ ପ୍ରଥମେ ପୂଜା କରିଲା ପରେ ହିଁ ଉଗ୍ରମୂର୍ତ୍ତି ନାରାୟଣ ଜଗନ୍ନାଥ ରୂପେ ପୁନଃ ଅଧିଷ୍ଠିତ ହୋଇଥିଲେ। ଆଉ ସମସ୍ତେ ଦେଖିଥିବେ ପ୍ରବେଶ ଦ୍ଵାରର ଦକ୍ଷିଣ ପଟ କାନ୍ଥରେ ସଂସ୍କୃତର ନାଗରୀ ଲିପିରେ ଏକ ଗଦ୍ୟ ଲେଖା ରହିଛି। ଏହି ଗଦ୍ୟଲେଖା ହେଉଛି ‘ଚୋଡ଼ଗଙ୍ଗଙ୍କ ଶାସନ ଅବଧି’।
ମୁକ୍ତିମଣ୍ଡପର କିଛି ପଣ୍ଡିତଙ୍କ ମତେ ଏହାର କେତୋଟି ଅକ୍ଷର ଲୋପ ପାଇଯାଇଛି। ଆଉ ପ୍ରାୟତଃ ଅନେକତ୍ର ଏହାକୁ ଚୂନ ଲେପି ଦିଆଯାଇଥିଲା। ଶିଳାଲିପିର ତୃତୀୟ ଧାଡିରେ ସେ ଚୋଡ଼ଗଙ୍ଗଙ୍କ ନାମ ଥିବାର ଉଲ୍ଲେଖ କରିଛନ୍ତି। ଚୋଡ଼ଗଙ୍ଗ ୫୦ଟି ଅଖଣ୍ଡବତୀ କରିଥିବାର ଚତୁର୍ଥ ଧାଡିରେ ଉଲ୍ଲିଖିତ। ଅର୍ଥାତ୍, ୫୦ଟି ଅଖଣ୍ଡବତୀ ଦୀପଦାନ କରିଥିଲେ ସେ। ଆଉ ଏହି ଲିପିଟି ତାଙ୍କ ମତେ ନୃସିଂହନାଥ ମନ୍ଦିର ନିର୍ମାଣ ପୂର୍ବରୁ ପ୍ରଚଳିତ, ଯାହାକି ପରବର୍ତ୍ତୀ ସମୟରେ ସେଠାରେ ସ୍ଥାନୀତ ହୋଇଥିଲା।
ଏତଦ୍ ବ୍ୟତୀତ, ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶ ସାମ୍ବାଦିକଙ୍କୁ ସଙ୍ଗଠିତ କରି ଉତ୍କଳ ସାମ୍ଵାଦିକ ସଂଘ ପ୍ରତିଷ୍ଠା କରିଛନ୍ତି। ୧୯୪୭-୪୮ ମସିହାରେ ସେ ଏହାର ପ୍ରଥମ ସଭାପତି ହୋଇଛନ୍ତି। ଏହା ପରେ ସ୍ଵାଧୀନୋତ୍ତର ଓଡିଶା ସରକାରଙ୍କ ସ୍ଵାଧୀନତା ସଂଗ୍ରାମ ଇତିହାସ ପ୍ରଣୟନ ନିମିତ୍ତ ଡକ୍ଟର ହରେକୃଷ୍ଣ ମହତାବଙ୍କ ନେତୃତ୍ୱରେ ଗଠିତ କମିଟିର ସଭ୍ୟ ହୋଇଛନ୍ତି। ଏଥି ସହ ୧୯୫୪ ମସିହାରେ ଓଡିଆ ସରକାରୀ ଭାଷା ଆଇନ ପାସ୍ ହେବା ପରେ ପ୍ରଫେସର ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଗଠିତ ଓଡ଼ିଆ ପରିଭାଷା କମିଟିର ସଦସ୍ୟ ହୋଇଛନ୍ତି। ସେହିମାନଙ୍କ ଅଧ୍ୟବସାୟ ବଳରେ ୧୯୫୫ ମସିହାରେ ପ୍ରଥମ କରି ଓଡିଶା ପ୍ରାଶାସନିକ ଶବ୍ଦକୋଷ ପ୍ରକାଶ ପାଇଛି ଓ ରାଜଭାଷା ରୂପେ କୋର୍ଟ କଚେରୀ ଓ ସରକାରୀ ଦପ୍ତରରେ ଓଡ଼ିଆ ଭାଷା ବ୍ଯବହାରର ମାର୍ଗ ସୁଗମ ହୋଇପାରିଛି। ସେହି ସମୟରେ ସେ ଓଡ଼ିଆ ଭାଷା, ସଂସ୍କୃତି ଓ ଇତିହାସକୁ ନେଇ ଏକାଧିକ ଉପାଦେୟ ପ୍ରବନ୍ଧମାନ ପ୍ରକାଶ କରେଇଛନ୍ତି। ଆମୃତ୍ୟୁ ସର୍ଜନଶୀଳତା ଶ୍ରୁତେ ତାଙ୍କର ୨୫ ଖଣ୍ଡ ପୁସ୍ତକର ପାଣ୍ଡୁଲିପି, ମାତ୍ର ଅପ୍ରକାଶିତ ଅବସ୍ଥାରେ ରହିଛି। ତାଙ୍କର ‘ଓଡ଼ିଆ ସାହିତ୍ୟର ପରିଚୟ’ (୨ ଖଣ୍ଡ)ର ପରିବର୍ଦ୍ଧିତ ସଂସ୍କରଣ ଥିଲା ‘ଓଡ଼ିଆ ସାହିତ୍ୟର ଇତିହାସ’।
ତାଙ୍କ ଦ୍ଵାରା ପାଠୋଦ୍ଧୃତ “ଅନନ୍ତବର୍ମ୍ମା ବଜ୍ରହସ୍ତ ଦେବଙ୍କ ସମୟର ଅଭିଲେଖ” ଏକ ଦୁର୍ଲ୍ଲଭ ଶିଳାଲେଖ । ଏହି ଶିଳାଲେଖ ଅଧିକାଂଶ ଓଡିଆ ଭାଷାରେ ଲିଖିତ ଏବଂ ଏହି ସବୁ ଶିଳାଲେଖ ବର୍ତ୍ତମାନର ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଓ ବିଶାଖାପାଟଣା ଜିଲ୍ଲାର ଶ୍ରୀକୂର୍ମନାଥ ମନ୍ଦିର, ମୁଖଲିଙ୍ଗ ମନ୍ଦିର ଓ ବିଶାଖାପାଟଣା ନିକଟବର୍ତ୍ତୀ ସିଂହାଚଳ ପର୍ବତ ଉପରେ ଥିବା ଶ୍ରୀନରସିଂହନାଥ ମନ୍ଦିରରେ ଗଙ୍ଗବଂଶର ରାଜତ୍ଵ ସହ ଅନଙ୍ଗଭୀମ ଦେବଙ୍କ ପରବର୍ତ୍ତୀ ଶାସନାବସ୍ଥାର ବର୍ଣ୍ଣନା ରହିଛି – “ସ୍ଵସ୍ତି ସମରମୁଖାନେକ ରିପୁଦର୍ପମ(ର୍ଦ୍ଦ)ନ ଭୁଜବଳ ପରାକ୍ରମ ପରମ ମାହେଶ୍ଵର ପରମ ଭଟାରକ ମହାରାଜାଧିରାଜ ପରମେଶ୍ବର ଗଙ୍ଗାନ୍ଵୟା (ବ) ଲମ୍ଵନସ୍ତମ୍ଭ ଶ୍ରୀମଦନନ୍ତବର୍ମ୍ମା (ବ) ଜ୍ରହସ୍ତଦେବବିଜୟରାଜ୍ୟେ ୩୫ ସମ୍ଵତ୍ସରଣ ବେଳୈ ଗୋଦାବରୀତୀରବାସୀ ବିଭୂଧାନ୍ଯ . . . . . . . (ମ) ଠୀୟ ଜା (ନି) ପଦ ପ୍ରମୁଖ୍ୟାନ୍ୟବୁଣରହିନାୟକ ମୁପ୍ର*ଳଂ ଜୀବେ ମୟିବି ବିଷୁବ ସଂକ୍ରାନ୍ତି ଦିନେ (ଲେ) ଆଚନ୍ଦ୍ରତାରକ ସଦୋ. . . . . . . “। (ବର୍ତ୍ତମାନ ଏହା କଲିକତା ମ୍ୟୁଜିୟମରେ ସ୍ଥାନୀତ।) ଅନନ୍ତବର୍ମ୍ମ ବଜ୍ରହସ୍ତ ଦେବ ବା ଚୋଡ଼ଗଙ୍ଗ ଦେବ ଶକାବ୍ଦ ୯୯୯ ବା ଖ୍ରୀ ୧୦୭୭ରେ କଳିଙ୍ଗ ସିଂହାସନ ଆରୋହଣ କରିଥିଲେ, ଯେତେବେଳେ ତତ୍କାଳୀନ କଳିଙ୍ଗ ସାମ୍ରାଜ୍ୟର ରାଜଧାନୀ କଳିଙ୍ଗ ନଗରୀ (ବା ବର୍ତ୍ତମାନର ମୁଖଲିଙ୍ଗ) ଥିଲା। ତାଙ୍କ ରାଜତ୍ଵର ୩୫ ଅଙ୍କରେ ଶକାବ୍ଦ ୧୦୩୨ (ଖ୍ରୀ ୧୧୧୦) ଅର୍ଥାତ୍, ଓଡିଶା ଜୟର ଦୁଇବର୍ଷ ପୂର୍ବରୁ ଏହି ଶିଳାଲିପିଟି ଲେଖା ହୋଇଛି। ଶିଳାଲିପିର ମୁଖ୍ୟାଂଶ ଥିଲା ଯେ ଏଥିରେ “ବେଳୈ”, “ଦଲେ”, “ସମ୍ଵତ୍ସରଣ”, “ବରକୋଟିର” ପରି ଅନେକ ଅପଭ୍ରଂଶ ଓଡ଼ିଆ ଶବ୍ଦର ପ୍ରୟୋଗ ସ୍ପଷ୍ଟ ପରିଦୃଷ୍ଟ।
“ବରକୋଟିର”, “ବାରଣସ୍ଵିକଟକନ୍” ସ୍ଥାନରେ “ବାରଣାସୀ କଟକ”ର ଉଲ୍ଲେଖ ବେଶ୍ ବ୍ୟବହୃତ ହୋଇଥିବାର ଜଣାଯାଏ। “ନ” ସ୍ଥାନରେ “ଣ” ଷଷ୍ଠୀ ବିଭକ୍ତି ପ୍ରୟୋଗରେ “ର” ସ୍ଥାନରେ ପ୍ରୟୋଗ ହୋଇଛି। ଆଉ ତତ୍ସହିତ ବିଷୁବ ସଂକ୍ରାନ୍ତି ଦିନ ଏକ ଦାନର ଘୋଷଣା ମଧ୍ୟ ରହିଛି। ଏହାର ପ୍ରକୃତ ପାଠୋଦ୍ଧାର ସର୍ବପ୍ରଥମେ କୋରାପୁଟ ଜିଲ୍ଲାର ରାମଦାସ ପାନ୍ତୁଲୁଙ୍କ ଦ୍ଵାରା ହୋଇଥିଲା। ଯାହାକି ପ୍ରତ୍ନତତ୍ତ୍ଵ ବିଭାଗ ଅନୁରୋଧରେ ଏହାର ପ୍ରକୃତ ଓଡ଼ିଆ ଲିପିର ମଧ୍ୟ ପାଠୋଦ୍ଧାର ହୋଇପାରିଥିଲା।
ସାହିତ୍ୟ ସମାଲୋଚନା ସହ ‘ଶ୍ରୀ ନିମ୍ବାର୍କ’ (୧୯୫୨), ‘ଶ୍ରୀ ରାମାନୁଜ ଚରିତ’ (୧୯୫୨), ‘ଜଗନ୍ନାଥ ଦାସ ଚରିତ’, ‘ପୃଥିବୀର ଅମର ମଣିଷ’, ‘ଉତ୍କଳମଣି ଗୋପବନ୍ଧୁ’, ‘ଦେଶପ୍ରାଣ ମଧୁସୂଦନ’, ‘ଶ୍ରୀ ବଳରାମ ଦାସ’, ‘ରାଜା ମୋହନ ରାୟ କଥା ଓ କାହାଣୀମାଳା’ (୭ ଖଣ୍ଡ), ଆଦିବାସୀ ଗଳ୍ପ ଭଳି ଅନେକ କୃତି ତାଙ୍କର ସନ୍ନିବେଶିତ। ଶ୍ରୀଜଗନ୍ନାଥ ଓ ଶ୍ରୀମନ୍ଦିର ସମ୍ପର୍କରେ ତାଙ୍କର ଏକାଧିକ ଗବେଷଣା ପୁସ୍ତକ ପ୍ରକାଶିତ। ଓଡିଶାର ପାଇକ ବିଦ୍ରୋହ, ସ୍ଵାଧୀନତା ସଂଗ୍ରାମର ଇତିହାସ, ଉନବିଂଶ ଶତାବ୍ଦୀର ଓଡିଶା, ଓଡିଶାରେ ଶିଳ୍ପ ଓ ବାଣିଜ୍ୟ ତାଙ୍କର ଅନବଦ୍ୟ ରଚନାସମଗ୍ର।
ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶ ଓଡିଶା ସାହିତ୍ୟ ଏକାଡେମୀ ସମେତ ପ୍ରଜାତନ୍ତ୍ର ପ୍ରଚାର ସମିତି, ଗୌରୀଶଙ୍କର ସ୍ମୃତିସଂସଦ, ଉତ୍କଳ ପାଠକ ସଂଘ, ପାରଳା ସାରସ୍ଵତ ଉତ୍ସବ, କଳିଙ୍ଗ ସାଂସ୍କୃତିକ ପରିଷଦ ଆଦି ବିଭିନ୍ନ କୃତବିଦ୍ଯ ପ୍ରତିଷ୍ଠାନ ଦ୍ଵାରା ସମ୍ବର୍ଦ୍ଧିତ। ଶେଷ ସମୟରେ ସାହିତ୍ୟିକ ଭତ୍ତା ପାଇଁ ମନୋନୀତ ହୋଇ ସୁଦ୍ଧା ସେ ଏହାର ପ୍ରାପ୍ୟ ହେଇପାରିନଥିଲେ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଯେତେବେଳେ ଜୟପୁର ବା ବର୍ତ୍ତମାନର କୋରାପୁଟ ଓଡିଶା ସହ ମିଶିବାକୁ ଦାବି ଉଠିଥିଲା, ଯେଉଁ ମହାମହିମ ମାନେ ଏହାକୁ ସମର୍ଥନ କରିଥିଲେ, ସେମାନଙ୍କ ମଧ୍ୟରେ ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶ ଅନ୍ୟତମ। ୧୧ ଜୁଲାଇ ୧୯୮୨ ମସିହାରେ ଏହି ମହାନ୍ ସାହିତ୍ୟିକ ଓ ଗବେଷକଙ୍କ ପରଲୋକ ଘଟିଥିଲା।
ଚିତ୍ର ସୌଜନ୍ୟ: ଗ୍ରନ୍ଥମନ୍ଦିର, କଟକ; ଓ www.odiashops.com