ଲେଖା: ବୁଦ୍ଧଦେବ ପ୍ରଧାନ
ଉଣେଇଶ ଶହ ଅଠେଇଶ ଜୁନ ସତର ତାରିଖ, ତିଥି ଅନୁସାରେ ଆଷାଢ଼ ଅମାବାସ୍ୟା, ନେତ୍ରଉତ୍ସବରେ “ସମାଜ” ସେହିଦିନ ଠାରୁ ଶ୍ରାଦ୍ଧ ପାଳନ କରୁଛି I ଓଡ଼ିଆ ଜାତି ପାଇଁ ସ୍ମୃତି ବହନକାରୀ ସ୍ମୃତିତର୍ପଣ ଦିବସ, ଆତ୍ମସମୀକ୍ଷାର ଦିବସ I ଓଡ଼ିଆ ଜାତିର ଚୀର ନମସ୍ୟ, ଚୀର ପୂଜନୀୟ, ନମସ୍ୟ ଦୂରଦ୍ରଷ୍ଟା ମହାମନୀଷୀ ପଣ୍ଡିତ ଗୋପବନ୍ଧୁ ଦାସଙ୍କର ମହାପ୍ରୟାଣର ତେ୍ୟାନବେ ବର୍ଷ ବିତିଗଲା I ଯେଉଁ ଉତ୍କଳ ଜନନୀ ପାଇଁ ହୃଦୟରେ ଥିଲା ଅହରହ ପୀଡ଼ା, ସେଭଳି ସନ୍ତାନକୁ ହରାଇ ମାତୃହୃଦୟ ଆଜି ବିଦୀର୍ଣ୍ଣ I
ଆଜିର ଏ ଆଲେଖ୍ୟ ମନେପକେଇ ଦିଏ ସେ ଦିନର ସେ ସିଦ୍ଧତପସ୍ୱୀ ପଣ୍ଡିତ ଗୋପବନ୍ଧୁ ଦାସଙ୍କର ସଦା ଅନୁଗତ, ପଟଶିଷ୍ୟ, ଯଥାର୍ଥ ଦାୟାଦ ରାଧାନାଥଙ୍କର ଯୋଗ୍ୟ କନ୍ୟା ମନୋରମା ମହାପାତ୍ରଙ୍କ ସହ ଏକ ଅନ୍ତରଙ୍ଗ ଆଳାପ, କଥୋପକଥନ, ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଲକ ଅଧିନସ୍ଥ ପିଙ୍ଗୁଆ ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ଅବସରରେ I ସେ ମହିୟସୀ ମହିଳା ମୋର ମାତୃତୁଲ୍ୟା ମନୋରମା ଦେବୀ ଥାନ୍ତି ମୁଖ୍ୟବକ୍ତା ଭାବେ ଉତ୍ସବର ଦ୍ୱିତୀୟ ଦିବସରେ I ସଭା ଆରମ୍ଭ ହେବାକୁ ଥାଏ ସନ୍ଧ୍ୟା ସାତଟା, କିନ୍ତୁ ମାଡାମ ମହାପାତ୍ର ପହଂଚି ଯାଇଥାନ୍ତି ଠିକ ଦେଢ଼ ଘଣ୍ଟା ପୂର୍ବରୁ, ଏତେ ସମୟାନୁବର୍ତ୍ତିତା ପ୍ରାୟ ଅନ୍ୟ କୌଣସି ବ୍ୟକ୍ତି ବିଶେଷଙ୍କ ପାଖରେ କ୍ଵଚିତ ଦେଖିବାକୁ ମିଳିଥାଏ I
ପିଙ୍ଗୁଆ ହାଇସ୍କୁଲ ସୁବର୍ଣ୍ଣ ଜୟନ୍ତୀସଭା ପାଇଁ ନିମନ୍ତ୍ରିତ ମନୋରମା ମାଡାମଙ୍କ ଆତିଥ୍ୟ ପାଇଁ ମୋତେ କମିଟି ତରଫରୁ ଦାୟିତ୍ୱ ଦିଆଯାଇଥାଏ, ମୁଁ ଏହାକୁ ମୋର ପୂର୍ବଜନ୍ମର ସୁକୃତ ବୋଲି ଭାବି ନେଇଥାଏ I ହାଇସ୍କୁଲର ଗୋଟିଏ ସୁସଜ୍ଜିତ କୋଠରୀରେ ମୁଁ ଅପେକ୍ଷା କରିଥାଏ ସେ ବାଗ୍ମୀ ମହିଳାଙ୍କୁ, ପାଗର ପ୍ରତିକୂଳ, ଟିକିଏ ବର୍ଷା ହୋଇ ଛାଡି ଯାଇଥାଏ, ପାଗ ହାଲକା ଥଣ୍ଡା, ମାଡାମଙ୍କ କହିବାନୁଯାୟୀ ଦୁଇ କପ କଫି ମଗାଇ ପିଇବାକୁ ବସିବା ସମୟ ରେ ଏହାକୁ ଉପଯୁକ୍ତ ସମୟ ଭାବି କେତୋଟି ପ୍ରଶ୍ନ ପଚାରିଲି I ମୋର ପ୍ରଥମ ପ୍ରଶ୍ନ ଥିଲା, ଆପଣ ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ ଦେଖିଛନ୍ତି କି? ଆପଣଙ୍କ ଘରକୁ ଗୋପବନ୍ଧୁ କେବେ ଆସିଛନ୍ତି କି?
ଏ ପ୍ରଶ୍ନ ଶୁଣିଲା ପରେ ହଠାତ ମନୋରମା ମାଡାମ କିଛି ସମୟ ଗମ୍ଭୀର ହୋଇଗଲେ, ତାଙ୍କ ଆଖି ଦିଓଟି ଛଳ ଛଳ ହୋଇଗଲା, ଧୀରେ ଉତ୍ତର ରଖିଲେ, “ହଁ ମୋ ଜନ୍ମର ଚାରି ବର୍ଷ ପୂର୍ବରୁ ଗୋପବନ୍ଧୁଙ୍କ ମହାପ୍ରୟାଣ ଘଟି ସାରିଥିଲା, ଯାହା ଜାଣିଛି ଶୁଣିଚି ମାଙ୍କ ପାଖରୁ I ମା’ଙ୍କ ଅନୁରୋଧ କ୍ରମେ ବାପା, ଗୋପବନ୍ଧୁଙ୍କୁ ଆମ ଘରକୁ ବହୁତ ଥର ନିମନ୍ତ୍ରଣ କରିଥିଲେ, ଥରୁଟେ ଆସିବାର ସମ୍ମତି ପ୍ରଦାନ କରିଥିଲେ I ଆମ ଘରେ ମଧ୍ୟାହ୍ନ ଭୋଜନ ଗୋପବନ୍ଧୁଙ୍କ ପାଇଁ ସ୍ଥିର ହେବା ଜାଣି ମୋ ମା’ ସମସ୍ତ ପ୍ରକାର ଗୋପବନ୍ଧୁଙ୍କ ପ୍ରିୟ ଖାଦ୍ୟର ଆୟୋଜନ କରିଥିଲେ, ଯଥା ଚୁନା ଚିଙ୍ଗୁଡ଼ି, ବଡିଚୁରା, କଦଳୀମଞ୍ଜା ତରକାରୀ, କଞ୍ଚାକଦଳୀ ଭଜା, ଲେଉଟିଆ ଶାଗ ଆଦି ପ୍ରାୟ ପନ୍ଦର ପ୍ରକାରର, ଏ ସବୁ ପ୍ରସ୍ତୁତି ସାରି ତାଙ୍କୁ ଦିନ ସାଢେ ଦୁଇରୁ ତିନିଟା ପର୍ଯ୍ୟନ୍ତ ଅପେକ୍ଷା କରିବା ପରେ ଆମ ଘରେ ପହଞ୍ଚିଥିଲେ ଗୋପବନ୍ଧୁ I ମୋର ମା’ ଆଗ୍ରହର ସହ କଦଳୀପତ୍ରରେ ଖାଦ୍ୟ ପରସିଲେ, ଗୋପବନ୍ଧୁ, ହାତ ମୁହଁ ଧୋଇ ଖାଇବା ଆସନରେ ବସି ସବୁ ଆଇଟମ ଉପରେ ନଜର ପକାଇଲେ, ହଠାତ ତାଙ୍କ ମୁହଁ ଗମ୍ଭୀର ଦେଖାଗଲା, ଭୋ କରି କାନ୍ଦି ଉଠିଲେ, କହିଲେ “ରାଧାନାଥ, ଏବେ ମୁଁ କେଉଁଠୁ ଆସିଲି ଜାଣିଛ ? ବନ୍ୟାଅଞ୍ଚଳରୁ, ଯେଉଁ ଭୋକିଲା ମୁହଁ ମୁଁ ଦେଖି ଆସିଛି ତାକୁ ଦେଖି ସାରି ଏ ଖାଦ୍ୟ କଣ ମୋ ପେଟକୁ ଯିବ? ବନ୍ୟା ଅଞ୍ଚଳରେ ଦୁଖୀ ମା’ଭଉଣୀଙ୍କର ଯେଉଁ ଅବସ୍ଥା ଦେଖିଚି, ସେମାନଙ୍କ ଦେହରେ ବସ୍ତ୍ର ନାହିଁ, ତୁମ ସ୍ତ୍ରୀ ଯେଉଁ ମାଣିଆବନ୍ଧି ପାଟ ପିନ୍ଧିଛନ୍ତି ତାକୁ ଦେଖି ମୋର କାଇଁ ଇଛା ହେଉନି ଖାଇବାକୁ”, ଖାଇବା ଜାଗାରୁ ଉଠି ଚାଲିଗଲେ ଗୋପବନ୍ଧୁ I
ମୁଁ ମାଡାମଙ୍କ ଠାରୁ ଏ କଥା ଶୁଣି ସାରିବା ପରେ ମୋ ଆଖିରେ ଲୁହ ଆସିଯାଇଥିଲା, ମୋର କଣ୍ଠରୋଧ ହୋଇଗଲା I ଇଏ ଥିଲେ ସେ ଉତ୍କଳର ମଣି, ଆଜି ଆମେ ସବୁ “ମଣିହରା”.. ଯାହାଙ୍କ ଜୀବନ ଦର୍ଶନରେ ଥିଲା ଜାତୀୟତାବୋଧ, ସମପ୍ରାଣତା, ଗୌ ରବବୋଧ, ଜାତିର କଲ୍ୟାଣ ନିମନ୍ତେ ଆତ୍ମଉତ୍ସର୍ଗ ଭାବ ସେପରି ମଣି ଆଜି ଵିରଳ I
ଉଣେଇଶ ଶହ ଅଠେଇଶ ମସିହାରେ “ସମାଜ” ଯେତେବେଳେ ମାତ୍ର ୯ ବର୍ଷ ସେଦିନ ଗୋପବନ୍ଧୁ ଏ ଧରାଧାମ ପରିତ୍ୟାଗ କରିଥିଲେ, ସେତେବେଳେ କୋଟିଏ ସନ୍ତାନ ତାଙ୍କ ମୁହଁ କୁ ଚାହିଁ ବସିଥିଲେ. ବାସ୍ତବ ରେ ସେ ଥିଲେ ଉତ୍କଳର ମଣି, ନିଜ ପାଇଁ ନିସ୍ବ, ପର ପାଇଁ ସର୍ବସ୍ବ, ‘ସମାଜ ‘ଜନ୍ମଦିନ ବିଜୟଦଶମୀ, ସେ କହୁଥିଲେ, ‘ମା ନଥିଲା ପିଲାର ଷଠି ଘର କଣ?’ ନିରନ୍ନ ଅଶିକ୍ଷିତ, ଭୟଭୀତ ପ୍ରଜା କୁଳ, ଲଜ୍ୟା ଢାଙ୍କିବାକୁ ଯା’ର ବସନ ନାହିଁ, ଏଥିରେ କି ଜନ୍ମ ଉତ୍ସବ ପାଳନ କରିବ ”ସମାଜ ‘?
‘ସମାଜ ‘ତା’ର ଜନ୍ମ ଉତ୍ସବ ପାଳନ କରେନା, ସେଇଦିନ ପାଳନ କରିବ ଯେଉଁଦିନ ସମସ୍ତେ ପେଟ ପୁରା ଆହାର ପାଇବେ ! ଗାନ୍ଧିଜୀଙ୍କ କଟକ ଆସିବା ସମୟର କଥା, ଗୋଟିଏ ଆଠ, ନ ବର୍ଷ ର ବାଳକ ତା ମା ସହିତ ଗାନ୍ଧିଜୀ ଙ୍କୁ ଦେଖିବାକୁ ଯାଇଥିଲା, ଗାନ୍ଧିଜୀ ଙ୍କୁ ଖୋଲା ଦେହରେ ଦେଖି ତା ମା’ଙ୍କୁ ପଚାରିଥିଲା, ‘ମା! ଗାନ୍ଧିଜୀଙ୍କର କିଛି ସାର୍ଟ ପିନ୍ଧିବାକୁ ନାହିଁ, ତୁ ତ ସିଲେଇ ଜାଣିଚୁ ତୁ ଗାନ୍ଧୀଙ୍କୁ ଖଣ୍ଡେ ସାର୍ଟ ଦଉନୁ? ମା’ଙ୍କ ମତ ନେଇ ପିଲାଟି ସେଦିନ ଗାନ୍ଧିଜୀଙ୍କୁ ଭେଟି ଖଣ୍ଡେ ସାର୍ଟ ପିନ୍ଧିବା ପାଇଁ ଅନୁରୋଧ କରିଥିଲା, ଗାନ୍ଧିଜୀ ଉତ୍ତରରେ କହିଥିଲେ ‘ଯେଉଁଦିନ ସାରା ଭାରତର ଲୋକେ ଲଙ୍ଗଳାରୁ ମୁକ୍ତ ହେବେ ମୁଁ ସେଦିନ ସାର୍ଟ ପିନ୍ଧିବି ‘ଠିକ ଗୋପ ଥିଲେ ଗାନ୍ଧିଜୀଙ୍କ ଦ୍ୱିତୀୟ ଅବତାର I
ଏ ଥିଲେ ସେଇ ଗାନ୍ଧୀ ଆଦର୍ଶର ନମୁନା, ଜନ୍ମ ଉତ୍ସବ ଆୟୋଜନ କରୁନଥିଲେ ଗୋପବନ୍ଧୁ, କିନ୍ତୁ ଲେଖିଥିଲେ ‘ସମାଜ’ର ସମ୍ପାଦକୀୟ.. ଉଣେଇଶ ସତେଇଶ ଅକଟୋବର ବାଇଶି ତାରିଖ, ବିଜୟଦଶମୀ ‘ସମାଜ ‘ଜନ୍ମଦିନରେ ଶେଷ ସମ୍ପାଦକୀୟ !
ଉଣେଇଶ ଶହ ଅଠେଇଶ ଅକଟୋବର ବାଇଶିକୁ ଗୋପବନ୍ଧୁ ଆଉ ନଥିଲେ, ଶୂନ୍ୟ ପଡିଥିଲା ତାଙ୍କ ଆସନ, ଜନ୍ମଦିନ ସମ୍ପାଦକୀୟ ରେ ସେ ଲେଖିଥିଲେ ‘ମାନବ ସମାଜ ର ସେବା ”ସମାଜ’ର ଉଦେଶ୍ୟ I
୧୮୭୭ ମସିହା ଅକଟୋବର ନ’ ତାରିଖରେ ଯେଉଁ ଅମୃତ ସନ୍ତାନ ସୁଆଣ୍ଡୋ ଗ୍ରାମରେ ଜନ୍ମ ହୋଇଥିଲେ, ତାଙ୍କ ପାଇଁ ଏତିକି ପ୍ରାର୍ଥନା କରୁ “ହେ ମହାମାନବ, ଆପଣଙ୍କ ଦୃଷ୍ଟିରେ ପ୍ରତି ଧର୍ମାଳୟ ନୀଳାଚଳ, ଆପଣଙ୍କ ମାନସ ଦିବ୍ୟଚକ୍ଷୁରେ ଉଦ୍ଭାସିତ ହୋଇଛି ଉଦାର ମାନବିକତା, ବିନ୍ଦୁରେ ସିନ୍ଧୁ ଦର୍ଶନ, ବିଶ୍ୱର ସର୍ବତ୍ର ଦିବ୍ୟ ଅନୁଭୂତି I ଆପଣଙ୍କ ଅନୁଭବରେ,
“ଥିଲେ ଯହିଁ ତହିଁ ଭାରତ ବକ୍ଷରେ
ମଣିବି ମୁଁ ଅଛି ଆପଣା କକ୍ଷରେ
ମୋ ନେତ୍ରେ ଭାରତ ଶିଳା ଶାଳଗ୍ରାମ
ପ୍ରତି ସ୍ଥାନ ମୋର ପ୍ରିୟ ପୁରିଧାମ
ଭାରତେ କୈବଲ୍ୟ ସକଳ ଆହାର
ଭାରତେ ସ୍ମଶାନ ସରଗ ଦୁଆର”
ଗୋପବନ୍ଧୁଙ୍କ ଆବିର୍ଭାବ ଓ ତିରୋଧାନ ସମୟ ପ୍ରାକ ସ୍ୱାଧୀନତାର କାଳ, ତେଣୁ ନାନା ପ୍ରକାର ଅକଥନୀୟ ଦୁର୍ଦଶା ଓଡ଼ିଆ ତାର କପାଳରେ ନିଭେଇଚି I ରାଜା ଜମିଦାର, ଇଂରେଜମାନଙ୍କ ଅସହ୍ୟ ଯନ୍ତ୍ରଣା ସହ୍ୟ କରିଥିବା ଏହି ମଣିଷମାନଙ୍କୁ ପଣ୍ଡିତ ଗୋପବନ୍ଧୁ ଦାସଙ୍କର ଏକତା ମୈତ୍ରୀ ସୂତ୍ରରେ ବାନ୍ଧିବା ପାଇଁ ଆହ୍ୱାନ ଥିଲା –
“ନାହିଁ ଜାତି ଭେଦ ନାହିଁ ଧର୍ମ ଭେଦ
ସାମ୍ୟ ମୈତ୍ରୀ ମନ୍ତ୍ର ଗାଏ ଯାର ବେଦ
କେ କରିବ ଭବେ ଦେବତା ମାନବେ
ନୀଳାଚଳେ ତା ‘ର ପ୍ରବେଶ ନିଷେଧ”
ତାଙ୍କ ସାହିତ୍ୟ ଗାଉଥିଲା, ଉତ୍କଳୀୟ ଜାତୀୟତାବୋଧ, ଭାରତୀୟ ଓ ବିଶ୍ୱବୋଧ, ଆତ୍ମଭୋଗ ନୁହେଁ ଆତ୍ମସୁଖ ନୁହେଁ, କ୍ଷମତା ତୃଷ୍ନା ମଧ୍ୟ ନୁହେଁ, ସମ୍ପୂର୍ଣ୍ଣ ତ୍ୟାଗରେ ବିଶ୍ୱାସ ରଖେ ! ତେଣୁ ତାଙ୍କର ଉଦାତ୍ତବାଣୀ ଥିଲା . .
“ନିଜ ସୁଖ ଲାଗି ଜାତ ନୁହେଁ ହିନ୍ଦୁ
ବିଶ୍ୱ ହିତେ ହିନ୍ଦୁ ପ୍ରତି ରକ୍ତ ବିନ୍ଦୁ” I
ତାଙ୍କର ଅବର୍ତମାନ ରେ ଏ ଓଡ଼ିଶାବାସି ମଣିହରା ହୋଇଛି ! “ଧର୍ମପଦ”ରେ କବିଙ୍କ ଚେତନା –
“ଏ ଜଗତ ବାପା ମହା ମୁଖଶାଳା,
ନରନାରୀ ଯଜମାନ
ସେହୁ କୃତି, ସେହୁ ପର ହିତେ କରେ,
ଜୀବନ ଆହୁତି ଦାନ” I
କ’ଣ ନଥିଲେ ପଣ୍ଡିତ ଗୋପବନ୍ଧୁ ! ସେ ଥିଲେ ରାଷ୍ଟ୍ରନୀତିଜ୍ଞ, ରାଜନୀତି ବିଶାରଦ, ଚିନ୍ତାନାୟକ, ଶିକ୍ଷାବିତ, କ୍ରାନ୍ତିକାରୀ, ଦୂରଦ୍ରଷ୍ଟା,, ଗାନ୍ଧିବାଦୀ, ସଂଗ୍ରାମୀ ମଣିଷ, ଏକାଧାରାରେ ବଜ୍ରଠାରୁ କଠୋର ପୂଣି କୁସୁମଠାରୁ କୋମଳ ! ପୂଣି ସେହି ମଣିଷ ଟି ଜଣେ ଅତ୍ୟନ୍ତ ପ୍ରେମୀ, ମଣିଷକୁ ପ୍ରାଣ ଭରି ଭଲ ପାଉଥିବା ଦରଦୀ କଵି ଭାବରେ ଅନବଦ୍ୟ ଶୈଳୀରେ ଗଦ୍ୟ ସାହିତ୍ୟ ମାଧ୍ୟମରେ ସମ୍ବାଦ ସାହିତ୍ୟର ରୂପକାର, ନିର୍ଭିକ ଧୀମାନ, ନିରପେକ୍ଷ ସାମ୍ବାଦିକ, ସୁଯୋଗ୍ୟ ବ୍ୟବସ୍ଥାପକ, ଓଡ଼ିଆ ସାହିତ୍ୟର ବିଶିଷ୍ଟ ସ୍ଥାନର ଅଧିକାରୀ, ମାନବ ବାଦରେ ବିଶ୍ୱାସୀ, ଆଧ୍ୟାତ୍ମାବାଦୀ ସଂସ୍କାରକ I
ସୀମିତ ଜୀବନ କାଳ ଭିତରେ ବିଶ୍ୱାମାନବ ପଣ୍ଡିତ ଗୋପବନ୍ଧୁ ଓଡିଶାକୁ ସର୍ବଭାରତୀୟ ଚିନ୍ତାଧାରାରେ ପ୍ରଭାବିତ କରାଇ ଭାରତ ପୀଠରେ ସ୍ୱତନ୍ତ ଆସନ ଦେଇଛନ୍ତି ! ଆଦର୍ଶ, ତ୍ୟାଗ, ସାଧନ ଓ ସେବା ବଳରେ ଦିନଦୁଃଖୀ ସାଧାରଣ ମଣିଷକୁ ଉପେକ୍ଷା ନ କରିବା ପାଇଁ ତଥାକଥିତ ନେତୃ ବର୍ଗଙ୍କ ବିରୋଧରେ ଅହରହ ସଂଗ୍ରାମ କରିଛନ୍ତି I
ମାତ୍ର ଏକାବନ ବର୍ଷର ଆୟୁ କାଳ (ପଚାଶ ବର୍ଷ ଆଠ ମାସ ସାତ ଦିନ) ମଧ୍ୟରେ ପ୍ରତିଟି ମୁହୂର୍ତ୍ତକୁ ଜାତୀୟ ସ୍ୱାର୍ଥ ପାଇଁ ବିନିଯୋଗ କରି ବହୁ ଉତ୍କୃଷ୍ଟ କାର୍ଯ୍ୟ ଆରମ୍ଭ କରିଦେଇ ନିରନ୍ନ ମନୁଷ୍ୟ ପ୍ରାଣରେ ଆଶାର ସଞ୍ଚାର କରାଇ କର୍ମଯୋଗୀ ଆକସ୍ମିକ ଭାବରେ ଅପସରି ଗଲେ I
ଏଭଳି ବହୁମୁଖୀ ପ୍ରତିଭାଦୀପ୍ତ, ଶୁଦ୍ଧ ବ୍ୟକ୍ତିତ୍ୱ ସମଗ୍ର ପୃଥିବୀରେ ଵିରଳ I ସେ ସଚେତନ କରିଯାଇଛନ୍ତି ଉତ୍ତର ପିଢ଼ିକୁ –
“ପିତୃ ପ୍ରତିଷ୍ଠିତ ରାଜ୍ୟେ ଯେହୁ ପରାଧୀନ
ଜଗତେ ତା ତହୁଁ ବଳି ନାହିଁ କେହି ହୀନ
ପିତୃ ରାଜ୍ୟେ ନାହିଁ ଯାର ପୁଣ୍ୟ ଅଧିକାର
ସେ ଅଧମ ସୁତ ସିରେ ସହସ୍ର ଧିକ୍କାର.
ସେହି ଏକା ସୁସନ୍ତାନ କୁଳର ଗୌରବ
ଆଣେ ଯେ ଫେରାଇ ପୁଣି ଅତୀତ ବିଭବ” I
ଜଣେ ଆଶାବାଦୀ କଵି ଭାବେ ସେ ଉତ୍ତର ପିଢ଼ିକୁ ଆହ୍ୱାନ ଦେଇ ଲେଖିଲେ –
“ରହିବ ନାହିଁ ଏ ନୀତି କାଳେ କାଳେ
ନାଶ ଯିବ ସତ୍ୟ ନ୍ୟାୟ କରବାଳେ” I
ବିଶ୍ୱ ପ୍ରୀତିରେ ଉତ୍କଳ ବାସୀଙ୍କୁ ଅନୁପ୍ରାଣିତ କରିବା ପାଇଁ ସେ ଲେଖିଥିଲେ –
“ଜାତୀୟ ମମତା ବିଶ୍ୱ ଜନପ୍ରୀତି
ଉତ୍କଳ ବାସୀର ହେଉ ଏହା ନୀତି
ଛାଡ଼ ତେବେ ମନୁ ଭେଦ ଅଭିମାନ
ବେଦ କୋରାନରେ କର ସମ ଜ୍ଞାନ
ହିନ୍ଦୁ ମୁସଲମାନ ବୌଧ, ଖ୍ରୀଷ୍ଟିଆନ
ଶିଖ ଜୈନ ଯେତେ ଭାରତ ସନ୍ତାନ
ଯେତେ ଧର୍ମ ଯେତେ ବର୍ଣ୍ଣ ଜାତିକୁଳ
ଭାରତ ଜନନୀ ସମସ୍ତଙ୍କ ମୂଳ” I
ପ୍ରାଣପ୍ରିୟ ଭାଇ ଭଉଣୀଙ୍କ ପାଇଁ ରୁଦ୍ଧ କାରା କୋଠରୀ ମଧ୍ୟରେ ଥିଲା ତାଙ୍କ ସଙ୍କଟ କାଳୀନ ବାର୍ତ୍ତା –
“ନ ଅଟକେ କର୍ମ ନେତାର ଅଭାବେ,
ଧର୍ମ ନାଵ ଚଳେ ଧର୍ମ ର ପ୍ରଭାବେ
କର୍ମଭୂମେ କିଏ ନେତା କିବା ନୀତ,
ସରବେ ନିମିତ୍ତ ଵିଧି ନିୟୋଜିତ
ଉତ୍କଳ ବାସି ସର୍ବ ନରନାରୀ,
ଘେନ ଏ ବନ୍ଦୀ ଭାଇର ଗୁହାରୀ
ଦଗ୍ଧ ହେଉ ଦେହ ଭସ୍ମ ହେଉ ଘର,
ସ୍ୱରାଜ୍ୟ ସାଧନେ କେବେହେଁ ନଡର”
ଡ. ମାୟାଧର ମାନସିଂହ ଗୋପ-ପ୍ରୟାଣ କବିତାରେ ଲେଖିଲେ –
ମଥା ନତ କରି ସମ୍ମାନ କର ସ୍ୱର୍ଗତ ମହାଜନେ
ତୁମ ମେଳେ କହ ଅଛି କିଏ ଆଉ, ତାହା ପରି ଆଉ ଜଣେ?
କଵି ମାନସିଂହଙ୍କ “ଗୋପ-ତର୍ପଣ”ରୁ ପଦେ —
“ଦରିଦ୍ର ପାଇଁ କରିବାରୁ ସବୁ ଦାନ
ସବୁରି ର ବୁକେ ପାଇ ଅଛ ଆଜି ଥାନ
ନଇଁ ବାକୁ ଯାଇ ବିରାଟ ହୋଇଛ ଆପେ,
ପୁଣ୍ୟ ଆଣିଛ ଘୁଞ୍ଚାଇ ଅଭିଶାପେ I
ପତିତପାବନ ହୋଇଛ ପତିତେ ବରି,
ରାଜା ହୋଇଅଛ ଭିକ୍ଷାର ଝୁଲି ଧରି
ଜୀବନ ଚାଲିଲ ସକଳ ଅନ୍ତରାଳେ
କୋଟି ଅନ୍ତର ତୁମରି ଜୀବନ ଭାଳେ,
ସକଳର ସୁଖେ ଲୁଚାଇ ଆପଣା ବ୍ୟଥା,
ମାଡି ବସିଅଛ ସକଳ ଜନର ମଥା” I
Spread the love
admin

Recent Posts

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ ଉପସ୍ଥାପନା: ଶ୍ରୀ ପ୍ରଶାନ୍ତ କୁମାର ଦାସ ଲୋକକଥା ଏବଂ କିମ୍ବଦନ୍ତୀ ଅନୁସାରେ…

2 days ago

Ananta Purushottam Deba Mandira

Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…

1 week ago

ଅରଣା ମଇଁଷି ରହିଛି ଅନାଇ

'ଅରଣା ମଇଁଷି ରହିଛି ଅନାଇ, ମଇଁଷିର ପାଖେ ନଯାଅ ଦନାଇ' ପଦର ଲୌକିକ ଓ ତାତ୍ତ୍ଵିକ ଵ୍ୟାଖ୍ୟା ଗବେଷଣା ଓ…

1 week ago

କମ୍ରେଡ ଗୋବିନ୍ଦ ପ୍ରଧାନ

ଅନ୍ୟ ଜଣେ ବିସ୍ମୃତ ମୁକ୍ତିପାଗଳ ମୁକ୍ତିଯୋଦ୍ଧା ସାଥୀ ଗୋବିନ୍ଦ ପ୍ରଧାନ: "ଲଙ୍ଗଳ ଯା'ର ଜମି ତା'ର" ଆନ୍ଦୋଳନ ଉପସ୍ଥାପନା: ଅମ୍ବିକା…

2 weeks ago

ବ୍ରହ୍ମା ମନ୍ଦିର

~ ବ୍ରହ୍ମା ମନ୍ଦିର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ କୋଉ ଅନାଦି କାଳର କଥା l ସୃଷ୍ଟି ସର୍ଜନାରୁ ବିରତ…

3 weeks ago

ଅନନ୍ତ ବାସୁଦେବ ମନ୍ଦିର

~ ଅନନ୍ତ ବାସୁଦେବ ମନ୍ଦିର: ମିଥ୍ୟା ଇତିହାସର ପ୍ରଚାର ପ୍ରସାର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ମହା ଶୈବକ୍ଷେତ୍ର ଏକାମ୍ର…

3 weeks ago