ଲେଖା: ଶିଶିର ସାହୁ ମନୋଜ

ସାଧାରଣତଃ ଦକ୍ଷିଣ ଓ ଦକ୍ଷିଣ ପୂର୍ଵ ଏସିଆରେ ଧାନଚାଷ ହୁଏ ଓ ଧାନଚାଷ ହେଉଥିଵା ହେତୁ ଏଠାରେ ଧାନ୍ଯ ସମ୍ଵନ୍ଧୀୟ ଖାଦ୍ୟ ମଧ୍ୟ ମିଳିଥାଏ । ଵିଶ୍ଵରେ ସର୍ଵପ୍ରଥମେ ଆମ କୋରାପୁଟରେ ଧାନଚାଷ ହୋଇଥିଵା ପ୍ରମାଣ ମିଳେ

ଧାନଗଛର ଵିଭିନ୍ନ ଜାତି ରହିଛି ପ୍ରାୟତଃ ୩୦୦ରୁ ଅଧିକ ଜାତିର ନାମ ମିଳେ ତେଵେ ଏସିଆ ମହାଦେଶରେ Oryza sativa, Oryza coarctata, Oryza meyeriana, Oryza ridleyi, Oryza rufipogon ଇତ୍ୟାଦି କେତେକ ଜଣାଶୁଣା ଧାନଜାତିର ହିଁ ଚାଷ ହୋଇଥାଏ ।

ଗଵେଷକଙ୍କ ମତରେ ଆଫ୍ରିକୀୟ ଧାନ Oryza glaberrima ଓ ଭାରତୀୟ ଧାନ oryza sativaର ଉତ୍ପତ୍ତି oryza perennis ନାମକ ଏକ ଜଙ୍ଗଲୀ ଧାନ ଜାତିରୁ ହୋଇଥିଲା । oryza perennis ଭାରତ ଓ ଆଫ୍ରିକା ଉଭୟ ମହାଦେଶରେ ଦେଖାଯାଏ  ।

୧୯୫୫ର ଏକ ସର୍ଭେ ଦ୍ଵାରା ଓଡ଼ିଶାରେ ସବୁଠାରୁ ଅଧିକ ଚାଷ ଜାତୀୟ ଧାନ ଓ ନୀଵାର ପ୍ରକାର ମିଳିଛି । ଏହା ପୂର୍ଵରୁ ଚୀନ ଓ ପରେ ଦକ୍ଷିଣ ଭାରତକୁ ଧାନଚାଷର ଆଦିକେନ୍ଦ୍ର ଵିଚାର କରାଯାଉଥିଲା ।

ପ୍ରଥମେ ସଉରା ଗଦଵା ଲୋକେ ଆରଣ୍ଯକ ପଦ୍ଧତିରେ ଧାନଚାଷ କରୁଥିଲେ । ମାଇଡା଼ ଓ ଉତ୍ତଳ ଚାଷଭେଦରେ ଏହା ଦୁଇ ପ୍ରକାରର । ଦକ୍ଷିଣ ପଶ୍ଚିମ ଓଡ଼ିଶାର ଆରଣ୍ଯକ ଧାନଚାଷ ପଦ୍ଧତିକୁ ମାଇଡା଼ କୁହାଯାଉଥିଲାଵେଳେ ଦକ୍ଷିଣ ଓଡ଼ିଶାର ଜନଜାତୀୟ ଆରଣ୍ଯକ ଧାନଚାଷ ପଦ୍ଧତିକୁ ଉତ୍ତଳ କୁହାଯାଏ ।

ତେଵେ ସଉରାଦି ଜାତିଙ୍କ ପରେ ଓଡ଼ିଶାର ଜନଜାତୀୟ ଲୋକଙ୍କ ମଧ୍ୟରୁ ପର୍ଵତଵାସୀ ଉଡ୍ରମାନେ ସମତଳଵାସୀ ହେଲେ ଏଵଂ ସମ୍ଭଵତଃ ପ୍ରଥମେ ଏଇମାନେ ହିଁ ସମତଳ ଅଞ୍ଚଳରେ ଧାନଚାଷ କରିଥିଲେ ବୋଲି ଏମାନଙ୍କୁ ଦ୍ରାଵିଡ଼ ଲୋକେ ଓଡ୍ ଧାତୁ = ଚାଷକରିଵା ଅର୍ଥରେ ଓଡ଼ = ଚାଷୀ ବୋଲି ଅଭିହିତ କରିଥିଲେ ।

ଓଡ଼ିଶାରେ ଚାଉଳ ଶବ୍ଦର ଅନ୍ୟ ରୂପ ଚାମଳ । ଚାମ୍ ଶବ୍ଦ ମୁଣ୍ଡା ଭାଷାର ଜୋମ୍ ଶବ୍ଦର ଅପଭ୍ରଂଶ । ଜୋମ୍ ର ଅର୍ଥ ଖାଇଵା । ଏହି ଶବ୍ଦକୁ ସଂସ୍କୃତ ନେଇ ଜମ୍ ଧାତୁ କରିଅଛି ଏଵଂ ଏଥିରୁ ଜେମନ, ଜମନ, ଜେମନାଳୟ ଇତ୍ୟାଦି ଶବ୍ଦ ସୃଷ୍ଟି କରାଯାଇଛି ।

ଓଡ଼ିଆ ତଥା ଗୁଜରାଟୀ ଭାଷାରେ ଜମଵା କ୍ରିୟାଶବ୍ଦ ଖାଇଵା ଅର୍ଥରେ ଵ୍ଯଵହୃତ ହୋଇଥାଏ । କେତେକ ଗଵେଷକଙ୍କ ମତରେ ‛ଜେମ୍–ଳ’ରୁ ‛ଚାମ୍–ଳ’ ଏଵଂ ‛ଚାମ୍―ଳ’ରୁ ଚାଉଳ ଶବ୍ଦର ସୃଷ୍ଟି ହୋଇଛି ।

ଓଡ଼ିଶାରେ ଧାନଚାଷ ସର୍ଵାଧିକ ହେଉଥିଵାରୁ ଏଠାରେ ପ୍ରାଚୀନ କାଳରୁ ଧାନ ସମ୍ଵନ୍ଧୀୟ ଖାଦ୍ଯଦ୍ରଵ୍ଯ ମଧ୍ୟ ଅନ୍ୟ ଅଞ୍ଚଳ ଅପେକ୍ଷା ସଂଖ୍ୟା ଓ ପ୍ରକାର ଭେଦରେ ଅଧିକ ପରିମାଣରେ ପ୍ରାପ୍ତ ହୋଇଥାଏ ।

ପଖାଳ ସେଇଭଳି ଏକ ଖାଦ୍ୟ ଯାହା ସମଗ୍ର ଦକ୍ଷିଣ ଓ ଦକ୍ଷିଣ ପୂର୍ଵ ଏସିଆରେ ମିଳିଯାଉଥିଲେ ହେଁ ସର୍ଵାଧିକ ଖିଆଯାଏ ଓଡ଼ିଶାରେ । ଏସିଆ ମହାଦେଶର ଯେଉଁ ଯେଉଁ ଦେଶରେ ପ୍ରାଚୀନ କଳିଙ୍ଗୀମାନେ ନିଜ ସଂସ୍କୃତି ଓ ସଭ୍ଯତାର ପ୍ରଚାର ପ୍ରସାର କରିଥିଲେ ଆଜି ସେଇ ଅଞ୍ଚଳଗୁଡ଼ିକରେ ଅଳ୍ପ ବହୁତେ ଧାନଚାଷ ହୁଏ, ପଖାଳ ଭାତ ବି ଖିଆଯାଏ ।

ଓଡ଼ିଶାରେ ପଖାଳ ଏତେ ଲୋକପ୍ରିୟ ଖାଦ୍ୟ ଯେ ଏହାର ପ୍ରକାର ଓ ଅଞ୍ଚଳ ତଥା ମାନଵଜାତି ଭେଦରେ  ଅନେକ ନାମ ପ୍ରଚଳିତ । ଭାରତରେ ଓ ଭାରତ ବାହାରେ ପଖାଳ ସମ୍ବନ୍ଧୀୟ ଏତେ ଶବ୍ଦ କୋଉଠେ ମିଳେ ନାହିଁ । ନିମ୍ନରେ ପଖାଳ ସମ୍ବନ୍ଧୀୟ କେତେକ ଜଣାଶୁଣା ଶବ୍ଦର ଉଲ୍ଲେଖ କରାଗଲା…

କୁଣ୍ଡଗୋଳ: ବାସି ପଖାଳ, କାଞ୍ଚି
କେନ୍ଦା ପଖାଳ: ସଜ ପଖାଳ
କୋଳି ଆମ୍ଵିଳି: ସାମାନ୍ୟ ଖଟା ପଖାଳ
ଚାଇଁ ପଖାଳ: ଭାତ ଗରମ ଥାଉଁ ଥାଉଁ ସେଥିରେ ପାଣି ଢଳାଯଇଥିଵା ପଖାଳ । ଯେଉଁ ପଖାଳ ଭାତରୁ ଉଷୁମ ଛାଡି଼ ନଥାଏ ।
ଝଣତା ପଖାଳ: ତବତ ଭାତ ଗରମ ଥାଉଁ ଥାଉଁ ତହିଁରେ ପାଣି ମିଶାଇ ଦେଲେ ଯେଉଁ ପଖାଳ ହୁଏ, ତାହାକୁ ଝଣତା ପଖାଳ କହନ୍ତି; ତାହା ବିସ୍ବାଦ ଲାଗେ। ଝଣତା ଶବ୍ଦର ଆନରୂପ ଧଣତା ଯାହାର ଅର୍ଥ ଵିସ୍ଵାଦ ଅଟେ ।
ଝାଇଁପଖାଳ: ତବତ ଭାତର ପଖାଳ; ତବତ ଭାତ ତାତି ଥିଵା ଅଵସ୍ଥାରେ ତହିଁରେ ପାଣି ଦେଲେ ଯେଉଁ ପଖାଳ ହୁଏ; ଚାଇଁପଖାଳ; ତଟକା ସଜ ପଖାଳ । ଚାଇଁ ଓ ଝାଇଁ ଏ ଉଭୟ ଶବ୍ଦ ସଂସ୍କୃତ ଧାତୁଶବ୍ଦ ଧ୍ନା ଧାତୁ ସହିତ ସମଦ୍ଧୃତ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ରହିଛି ।
ତୁଂଡା କୁଡୁନ୍/ଡୁଂଡା କୁଲ: ସଉରା ଲୋକେ ପଖାଳକୁ ତୁଂଡା କୁଡୁନ୍ ଓ ଡୁଂଡାକୁଲ କୁହନ୍ତି ।
ଦଧ୍ଯନ୍ନ: ଦହି ପଖାଳ
ଦହିପଖାଳ: ଏହାକୁ ଦଧ୍ଯନ୍ନ ମଧ୍ୟ କୁହାଯାଏ ।  ଏହା ଭାତ ସଙ୍ଗେ ଦହି ମିଶାଇ ପ୍ରସ୍ତୁତ କରାଯାଏ ।  ରୁଚିଭେଦରେ ଏଥିରେ ଲେମ୍ବୁରସ, ଅଦାଛେଚା, କିଞ୍ଚିତ୍ ମିଠା ଦେଇ ଘିଅ ଓ ଜୀରା ବଘାରିଵାଦ୍ବାରା ଏହା ସମୟରେ ଅତି ଉପାଦେୟ ହୁଏ । ଏମନ୍ତେ କି ଦେଵତାମାନଙ୍କ ନିକଟରେ ଖେଚେଡ଼ି ସଙ୍ଗେ ଦହିପଖାଳ ଭୋଗରୂପେ ଅର୍ପିତ ହୁଏ ।
ଦାଃ ମାଣ୍ଡି:  ଓଡ଼ିଶାର ହୋ-ଭାଷୀ ପଖାଳକୁ ଦାଃ ମାଣ୍ଡି କହିଥାଆନ୍ତି ।
ଧଣତା/ଧଣନ୍ତା: ସଜ ପଖାଳ
ସଜ ପଖାଳରେ ଆମ୍ବିଳା ତୋଡ଼ାଣି ନ ମିଶିଲେ କିମ୍ବା ଭାତ ଗରମ ଥାଉ ଥାଉ ତହିଁରେ ପାଣି ମିଶାଇ ସଙ୍ଗେ ସଙ୍ଗେ ତାକୁ ଖାଇଲେ ତାହା ଵିସ୍ବାଦ ଲାଗେ, ଏପରି ଭାତକୁ ଧଣତା ବା ଧଣନ୍ତା ଭାତ ବୋଲାଯାଏ ।
ଧୁଆ ପଖାଳ: ଗରମ ଭାତ ଥରେ ଧୁଆ ହେଲା ପରେ ତହିଁରୁ ପୁଣି ପାଣି ପୂରାଯାଇ ପ୍ରସ୍ତୁତ ହେଵା ପଖାଳ ଭାତ ଵିଶେଷ
ପକାଲ୍’ବ/ପକାଲ୍ ବାତ: ଡିଡାୟୀ ଭାଷୀ ପଖାଳକୁ ପକାଲ୍’ବ ଓ ପକାଲ୍ ବାତ କୁହନ୍ତି ।
ପଖାଳି ପାପ/ପଖାଳି ଅଣ୍ଡା: ପଖାଳ ଭାତକୁ କୁଭିଭାଷୀ ପଖାଳି ପାପ ଓ ପଖାଳି ଅଣ୍ଡା କହିଥାଆନ୍ତି ।
ପାହାନ୍ତି ପଖାଳ: ପାହାନ୍ତା ସମୟରେ ଖିଆଯିଵା ପଖାଳ
ପେଜ: ପଶ୍ଚିମ ଓଡ଼ିଶାରେ ପଖାଳ ଅର୍ଥରେ ପେଜ ଶବ୍ଦ ପ୍ରୟୋଗ ହୋଇଥାଏ ।
ପେଜ ଭାତ: ପଖାଳ ଭାତ (କଳାହାଣ୍ଡି)
ଫସକା: ସଜ ପଖାଳ
ବାସ ପଖାଳ: ଲେମ୍ବୁ ଵା ଟଭା ପତ୍ର ଆଦି ଦିଆଯିଵା ସୁଵାସିତ ହୋଇଥିଵା ପଖାଳ ଵିଶେଷ
ବାସି ପଖାଳ: ଏକ ବା ଏକାଧିକ ଦିନ ପୂର୍ଵରୁ ରନ୍ଧାହୋଇ ପଖାଳ ଯାଇଥିବା ଭାତକୁ ବାସି ପଖାଳ କୁହାଯାଏ। ଯେଉଁ ଦିନ ଭାତ ରନ୍ଧାହୋଇଥାଏ ସେହି ଦିନ କରାଯିଵା ପଖାଳକୁ ସଜ ପଖାଳ ବୋଲାଯାଏ ଓ ସଜ ପଖାଳ ଏକ ଦିନରୁ ଅଧିକ ରହିଗଲେ ତାକୁ ବାସି ପଖାଳ ବୋଲାଯାଏ । କେଉଁଠି କେଉଁଠି ତିନିଦିନର ବାସିପଖାଳକୁ କାଞ୍ଜିପଖାଳ ମଧ୍ୟ କୁହନ୍ତି ।
ସଜ ପଖାଳ: ରନ୍ଧା ଯାଇଥିଵା ଭାତରେ ପାଣି ସାଙ୍ଗେ ସାଙ୍ଗେ ମିଶାଯାଇ ପ୍ରସ୍ତୁତ କରାଯିଵା ପଖାଳ । ତବତ ଭାତରେ ପାଣି ମିଶାଇଲେ ‘ପଖାଳ’ ହୁଏ । ଆଜି ପଖଳା ହୋଇଥିବା ଭାତକୁ ‘ସଜପଖାଳ’ କହନ୍ତି। ସଜପଖାଳ ଏକ ଦିନରୁ ବେଶି ରହିଗଲେ ତାକୁ ‘ବାସିପଖାଳ’ ବା ‘ଆମ୍ବିଳି ପଖାଳ’ କହନ୍ତି। ବାସି ପଖାଳର ସ୍ବାଦ ଖଟ୍ଟା ହୁଏ ଓ ତହିଁର ତୋଡ଼ାଣି ମଧ୍ୟ ଖଟ୍ଟା ଲାଗେ। ବାସି ତୋରାଣି ବହୁ ଦିନ ରହିଲେ ତାହା କାଞ୍ଜି ପାଣି ହୁଏ। କାଞ୍ଜି ପାଣିରେ ମୂଳା ଆଦି ଦେଇ ସିଝାଇଲେ ତାହା କାଞ୍ଜି ହୁଏ।
ସରୁ ପଖାଳ: ସରୁ ଚାଉଳର ଅନ୍ନର ପଖାଳ
ସିତା: ପଖାଳ ଭାତ; ବଲାଙ୍ଗୀର ଅଞ୍ଚଳରେ ପଖାଳକୁ ସିତା କୁହାଯାଏ ।

~ ପଖାଳକୁ ନେଇ ପ୍ରଚଳିତ ଓଡ଼ିଆ ଢଗ ~
■ଯେ ତବତ ଖାଇଛି ସେ ପଖାଳ ଖାଉ,
ଯେ କିଛି ନ ଖାଇଛି ସେ ଗାଧୋଇ ଯାଉ■

■ପଖାଳ ଭାତରେ ଘି !
ତୋର ବାପ ଖାଇଥିଲା କି ?■

■ଆରେ ଚଇତା !
ତବତ ଖାଇବୁ କି ପଖାଳ ଖାଇବୁ ବେଳ ଥାଉଁ ଥାଉଁ କହିଥା■

■ସକାଳ ଗାଧୁଆ ପଖାଳ ଖିଆ, ଦିହରେ ଯେବେ ଯାଏ■

■ସେକାଳ ପଖାଳ ଆଉ ନାହିଁ■

■ଜୁଡେ ମାଇଝିର୍ ଘଏତା,
ବାସି ଖାଏବୁ କି ତପ୍ ଲା ଖାଏବୁ ଦିନ୍ ଥାଉ ଥାଉ କହିଥା■

■ଦୁଇ ମାଇପର ଘଇତା
ତବତ ଖାଇବୁ କି ପଖାଳ ଖାଇବୁ ଦିନ ଥାଉ ଥାଉ କହିଥା■

■ଦି ମାଇପର ଘଇତା
ପତର ପକେଇ ବଇଥା■

ଚିତ୍ର ସୌଜନ୍ଯ: ସୁରେଶ ଖୁଣ୍ଟିଆ ଓ ସାମାଜିକ ଗଣମାଧ୍ୟମ 

© ଶବ୍ଦଭେଦ

Spread the love
admin

Recent Posts

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

4 days ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 week ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

4 weeks ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

1 month ago