ଆଜି ସେ ନୀଳଗିରି ନାହିଁ କି ସେ କାରିଗର ମଧ୍ୟ ନାହାଁନ୍ତି । ନିକଟସ୍ଥ ଅଯୋଧ୍ୟା, ସଜନାଗଡ, ସନ୍ତରାଗଡିଆ, ମିତ୍ରପୁର, ସାଆଁଳପୁର ଆଦି ଗ୍ରାମର ବିନ୍ଧାଣିମାନେ ଏହି ବୃତ୍ତିକୁ ଛାଡ଼ି ଦେଇଛନ୍ତି କେଉଁ କାଳରୁ । ଆଧୁନିକ ସଭ୍ୟତାର କବଳିତ ଆଜି ସମଗ୍ର ଅଞ୍ଚଳ ! ଦିନେ ଶିକାର ବଳୟ ଥିବା ଏଇ ଅଞ୍ଚଳ ଗତ ଶତାବ୍ଦୀରୁ ପରିଣତ ହୋଇଛି ସାମରିକ ବିଭାଗର ସୁରକ୍ଷା ବଳୟ ! ନିଷିଦ୍ଧ ହୋଇଯାଇଛି କଳାର କରାମତି । ତେବେ ପାହାଡଠୁଁ ଦୂରରେ ନିରବ ନିକାଞ୍ଚନ ପଲ୍ଲୀକେତୋଟିରେ କାଁ ଭାଁ ବଞ୍ଚିରହିଛି ଏଇ ପ୍ରସ୍ତର ଖୋଦେଇ ଶିଳ୍ପ । ହାତଗଣତି କେତୋଟି ପରିବାର ପୁରୁଷାନୁକ୍ରମେ ପଥର ସହିତ ପଥର ହୋଇ ଗଢ଼ି ଚାଲିଛନ୍ତି ସେମାନଙ୍କ କଳାନୈପୁଣ୍ୟ, ଶିଳା ଦେହରେ, ନୀଳଗିରିର ଟେକ ବଜାୟ ରଖି ! ସେଇ ମହାସ୍ଥପତିମାନଙ୍କର ନିହାଣଶବ୍ଦ ଆଜି ସବୁ ବିରୋଧାଭାସ, ସରକାରୀ କଳର ସ୍ଥାଣୁତା, ଶିଳାଶିଳ୍ପ ସମବାୟ ସମିତିର ଅପାରଗତା, ରାଜଧାନିଆ ଦଲାଲଙ୍କର ନିର୍ଲଜ ଲୋଭପଣର ଆସ୍ତରଣକୁ ବିଦାରି ଛଟପଟ ହୋଇ ଅସ୍ତିତ୍ବ ପ୍ରକାଶ କରୁଛି କେବଳ ।
ନୀଳଗିରିର ସ୍ଥପତି ଆଜି ମୁଣ୍ଡରେ ମୁଣ୍ଡାଇ ନିଜ ଶିଳ୍ପସାମଗ୍ରୀକୁ ଆଖପାଖର ମେଳାମଉଛବରେ ବିକ୍ରୀ କରୁଛି ସିନା, କିନ୍ତୁ ନୀଳଗିରିର ସେଇ ଅନନ୍ୟ ପ୍ରସ୍ତରଶିଳ୍ପ ଆଜି କଟକ, ପୁରୀ, ଭୁବନେଶ୍ୱର, ବ୍ରହ୍ମପୁର, ସମ୍ବଲପୁର, ବନାରସ, ମୁମ୍ବାଇ, କାନପୁର, ଦିଲ୍ଲୀ, ଲଣ୍ଡନ ଆଦି ମହାନଗରୀମାନଙ୍କର ବାଟ ହୁଡ଼ି ଯାଇଛି ।
ପଥରରେ ପ୍ରାଣ ଭରି ଦେଉଥିବା ନୀଳଗିରିର ପଥୁରିବାସନ ଶିଳ୍ପୀ ଆଜି ସମୟଚକ୍ରରେ ପରାହତ ! ପାଷାଣଶିଳ୍ପ ଆଜି ମୃତ ! ସ୍ଥାପତ୍ୟର ପ୍ରେରଣାପ୍ରଦ ପୃଥିବୀରେ ପ୍ରତାରଣାର ପଦାଘାତ ସହି ସହି ସେଇ ମହାନ ଶିଳ୍ପକଳା ଆଜି ହଜି ହଜି ଯାଉଛି କାଳଗର୍ଭରେ ! ନିରବିଆସୁଛି ନୀଳଗିରିର ନିହାଣ ଶବ୍ଦ !